Unknown

 

 

 

 

 

 

 

 

 

 

 

ଗାଁ ମଜଲିସ୍‌

(ଚତୁର୍ଥ ଖଣ୍ଡ)

ଶ୍ରୀ ହରେକୃଷ୍ଣ ମହତାବ

 

 

 

 

 

 

 

(୧୯୬୪-୧୯୭୪)

ରାଷ୍ଟ୍ରନୀତି

 

 

ସୂଚୀପତ୍ର

 

୧.

ସମୟର ଡାକ

୨.

ଭବିଷ୍ୟତର ବିପଦ

୩.

ପାରିବାରିକ ସମ୍ପର୍କ

୪.

ଦେଶର ଶତ୍ରୁ

୫.

ଜାତିପ୍ରଥା ଓ ଜାତିଆଣଭାବ

୬.

ଦଳଠାରୁ ଦେଶ ବଡ଼

୭.

ସଂଯମର ଆହ୍ୱାନ

୮.

ସଂଯମ ଓ ଶୃଙ୍ଖଳା

୯.

ପ୍ରଧାନମନ୍ତ୍ରୀଙ୍କ ଗସ୍ତ

୧୦.

୧୯୬୭ ଅଗଷ୍ଟ ପନ୍ଦର

୧୧.

କଂଗ୍ରେସର ଆଦର୍ଶ

୧୨.

ପ୍ରତିରୋଧ ଆବଶ୍ୟକ

୧୩.

ଦୁର୍ନୀତି

୧୪.

ନେତୃତ୍ୱ ଓ ନୈତିକତା

୧୫.

ଅମୋଘ ଅସ୍ତ୍ର

୧୬.

ନେତୃତ୍ୱର କର୍ତ୍ତବ୍ୟ

୧୭.

ବିଶୃଙ୍ଖଳା ଓ ଗଣ ଶିକ୍ଷା

୧୮.

ଖାଲି ତୋଫାନ, ବର୍ଷା କାହିଁ !

୧୯.

ନଈ ନ ଦେଖୁଣୁ ଲଙ୍ଗଳା

୨୦.

ଭାରତର ଶିଖିବା ଉଚିତ

୨୧.

ରୋଗରେ ଲଂଘନ ମଧ୍ୟ ପଥ୍ୟ

୨୨.

ସାଧୁ ସାବଧାନ

୨୩.

ଭାରତର ନୀତି ବିନା ନେତୃତ୍ୱ

୨୪.

ଲୋକଙ୍କ ପ୍ରତି ନ୍ୟାୟ ନେଉ

୨୫.

ପରୋପ ଦେଶେ ପାଣ୍ଡିତ୍ୟଂ

୨୬.

ଦଶହରା ଅନୁକୂଳ

୨୭.

ସ୍ୱତନ୍ତ୍ର ଦଳ ସମ୍ମିଳନୀ

୨୮.

ଚିନ୍ତାଶୂନ୍ୟ ବକ୍ତୃତା

୨୯.

କଥା ନୁହେଁ କାର୍ଯ୍ୟ

୩୦.

ମାନିଲେ ଠାକୁର ନ ମାନିଲେ କୁକୁର

୩୧.

ବ୍ୟକ୍ତିଗତ ସ୍ୱାଧୀନତା ଓ ଆଇନର ଶାସନ

୩୨.

ଯୁଗ ପରିବର୍ତ୍ତନ

୩୩.

ଧୀର ବିଚାର ଆବଶ୍ୟକ

୩୪.

କିଏ ବୁଝାଇବ ?

୩୫.

ପରୀକ୍ଷାର ବେଳ

୩୬.

ଉଦ୍ଦେଶ୍ୟ ବିହୀନ ଚେଷ୍ଟା

୩୭.

ଆଲୋଚନା ନା ଆନ୍ଦୋଳନ

୩୮.

ଆମେ ସିନା ଭୁଲିଛୁଁ ସେ ଭୁଲି ନାହାନ୍ତି

୩୯.

ନକ୍‌ସଲବାଦ-ନୀତି ଓ କାର୍ଯ୍ୟକ୍ରମ, କାରଣ ଓ ପ୍ରତିକାର (ନଂ (୧ ଠାରୁ ୭)

୪୦.

ଦେଶର ରାଜନୀତି

୪୧.

ସପ୍ତାହାନ୍ତ ବିଚାର, ରାଜନୈତିକ ଲଘୁଚାପ ଓ ଝଡ଼

୪୨.

କେନ୍ଦ୍ର ଓ ପ୍ରଦେଶ

୪୩.

ରାଜା କାଳସ୍ୟ କାରଣଂ

୪୪.

ଯସ୍ମିନ୍‌ ଦେଶେ ଯଦାଚାର

୪୫.

ଓଧ ସାଙ୍ଗରେ ଭୁଆ ବିରାଡ଼ି ବାଇ

୪୬.

ମୂର୍ଖ ପଣ୍ଡିତ ସମସ୍ୟା

୪୭.

ଛାତ୍ର ରାଜନୀତି

୪୮.

ସେହି ସ୍ମରଣୀୟ ଦିବସ

୪୯.

ଭୂମି ବଣ୍ଟନ

୫୦.

ଭୋଟ ସରିଲା, ଦର ବଢ଼ିଲା

Image

 

ଦୁଇପଦ

ଓଡ଼ିଶାର ପ୍ରବୀଣ ବୟୋଜ୍ୟେଷ୍ଠ, ରାଜନୀତିଜ୍ଞ ଡକ୍ଟର ହରେକୃଷ୍ଣ ମହତାବ୍‍ଙ୍କ ଜନ୍ମ ଊନବିଂଶ ଶତାବ୍ଦୀର ଉଦ୍‌ଯାପନ ଓ ବିଂଶୋଶତାବ୍ଦୀର ପ୍ରାରମ୍ଭରେ ୧୮୯୯ ମସିହା ନଭେମ୍ବର ମାସ ୨୧ ତାରିଖ ଦିନ । ବହୁବର୍ଷ ହେଲା ଉକ୍ତ ଦିବସରେ ଦେଶବାସୀ ମହାସମାରୋହରେ ତାଙ୍କର ଜନ୍ମଜୟନ୍ତୀ ଦିବସ ପାଳନ କରି ଆସୁଅଛନ୍ତି । ପୁଣ୍ୟଶ୍ଳୋକ ଡକ୍ଟର ମହତାବ ଜୀବନର ପ୍ରାରମ୍ଭରୁ ପରମପୂଜ୍ୟ ଜାତିର ଜନକ ମହାତ୍ମାଗାନ୍ଧୀଙ୍କ ନିର୍ଦ୍ଦେଶାନୁସାରେ ଅସହଯୋଗ ଆନ୍ଦୋଳନରେ ଝାସଦେଇ ସାରା ଜୀବନ ଦେଶ ସେବାରେ ଅତିବାହିତ କରି ଆସିଛନ୍ତି ? ବର୍ତ୍ତମାନ ୮୩ ବର୍ଷ ବୟସରେ କର୍ମବୀର ମହତାବ୍‍ ସୁସ୍ଥ ସବଳ ଶରୀରରେ ଦେଶ ସେବା କରି ଆନନ୍ଦ ଉପଭୋଗ କରିବା ସଙ୍ଗେ ସଙ୍ଗେ ସାରା ଦେଶର ବିଭିନ୍ନ ସ୍ଥାନରେ ସଭାସମିତି କରି ଦେଶବାସୀଙ୍କ ସେବା କରି ଆସୁଛନ୍ତି ।

ବରେଣ୍ୟ ଡକ୍ଟର ମହତାବ୍‍ ତାଙ୍କ ପ୍ରତିଷ୍ଠିତ ‘ପ୍ରଜାତନ୍ତ୍ର’ ପତ୍ରିକାରେ ବହୁବର୍ଷ ଧରି ‘‘ଗାଁ ମଜଲିସ’’ ଲେଖାଗୁଡ଼ିକ ପ୍ରକାଶ କରି ଆସୁଛନ୍ତି । ସେହି ଲେଖାଗୁଡ଼ିକ ବିଭିନ୍ନ ବିଭାଗ କରି, ରାଜନୀତି ସମୀକ୍ଷା, ସାମାଜିକ, ଶାସନ ନୀତି ଏହିପରି ତିନିଖଣ୍ଡ ପୁସ୍ତକ ପ୍ରକାଶ କରାଯାଇଥିଲା । ବର୍ତ୍ତମାନ ‘‘ରାଷ୍ଟ୍ରନୀତି’’ ନାମରେ ଉକ୍ତ ଚତୁର୍ଥଖଣ୍ଡ ଏଥିସହିତ ସନ୍ନିବେଶିତ ହୋଇଛି । ସମୟକ୍ରମେ ଅବଶିଷ୍ଟ ଲେଖା କ୍ରମଶଃ ପ୍ରକାଶ ପାଇବ ବୋଲି ଆଶା ରହିଛି ।

ଯୋଗଜନ୍ମା ମହତାବ୍‍ ଓଡ଼ିଶାର ପୁରପଲ୍ଲୀରୁ ଆରମ୍ଭ କରି ବିଭିନ୍ନ ସହରାଞ୍ଚଳରେ ଏବଂ ଭାରତର ଜଣେ ଅଗ୍ରଗଣ୍ୟ ନେତା ଭାବରେ ଭାରତ ତଥା ସୁଦୂର ବିଦେଶରେ ସୁପରିଚିତ, ତେଣୁ ତାଙ୍କ ସମ୍ପର୍କରେ ବିଶେଷ କିଛି ଲେଖିବା ପ୍ରୟୋଜନ ମନେ କରୁନାହିଁ ।

 

ଡକ୍ଟର ମହତାବ୍‍ଙ୍କୁ ବ୍ୟକ୍ତିବିଶେଷ ନକହି ଏକ ବିରାଟ ଅନୁଷ୍ଠାନ କହିଲେ ଅତ୍ୟୁକ୍ତି ହେବନାହିଁ । ପ୍ରଭୁ ଶ୍ରୀଜଗନ୍ନାଥ ତାଙ୍କୁ ଦୀର୍ଘଜୀବୀ କରନ୍ତୁ ଏତିକିମାତ୍ର ଶ୍ରୀ ଚରଣାବିନ୍ଦରେ ମିନତୀ ।

 

କଟକ ଅନନ୍ତ ମିଶ୍ର

 

ଗୀତା ଜୟନ୍ତୀ,

ଡିସେମ୍ବର–୧୯୮୧ ପ୍ରକାଶକ

Image

 

୨୧-୧-୧୯୬୪

ମଙ୍ଗଳବାର

 

ସମୟର ଡାକ

 

ଭୁବନେଶ୍ୱରେ କଂଗ୍ରେସ ଅଧିବେଶନ ଶେଷ ହେଲା । କଂଗ୍ରେସର ପ୍ରତିନିଧିମାନେ ଓ ଦର୍ଶକମାନେ ଯେ ଯାହା ଘରକୁ ଫେରିଲେ । ଯେଉଁମାନେ ଆସି ନଥିଲେ ସେମାନେ ଖବର କାଗଜରୁ ସବୁ ବକ୍ତୃତା ଓ ପ୍ରସ୍ତାବ ପଢ଼ିଥିବେ । ଭୁବନେଶ୍ୱର କଂଗ୍ରେସ ମୋଟ ଉପରେ କି ବାର୍ତ୍ତା ଶୁଣାଇଲା, ଏ ପ୍ରଶ୍ନ ଅନେକଙ୍କ ମନକୁ ଉଠିଥିବ । ଗଣତନ୍ତ୍ର ଓ ସମାଜବାଦ, ଏକଥା ବହୁ ବର୍ଷ ହେଲା ଶୁଣାଯାଉଛି । ମଝିରେ ପ୍ରାୟ ଦଶବର୍ଷ କାଳ ପଞ୍ଚବର୍ଷୀୟ ଯୋଜନା ଉପରେ ଜୋର ଦିଆଗଲା । ଏଣୁ ଯୋଜନା କଥାଟା ଜନପ୍ରିୟ ହେଲା । ଏଥର ଯୋଜନା ଉପରେ ଜୋର ଦିଆ ହୋଇ ନାହିଁ । ଯୋଜନା କହିଲେ କାମ ବୁଝାଏ । କଅଣ କଂଗ୍ରେସ ଲୋକେ କରିବେ ଓ ଅନ୍ୟମାନଙ୍କୁ କଅଣ କରିବା ପାଇଁ କଂଗ୍ରେସ ଲୋକେ କହିବେ, ଏ ବିଷୟ ଆଲୋଚନାକୁ ଆସିନାହିଁ । ସାଧାରଣ ଲୋକଙ୍କୁ ମନ୍ଦିର, ମସଜିଦ ବା ଗୀର୍ଜାକୁ ଯାଇ ଈଶ୍ୱରଙ୍କୁ ପ୍ରାର୍ଥନା କର ବୋଲି କହିଲେ ତେଣିକି ଲୋକେ କିଏ କଅଣ କରି ପାରିବେ ତାହା ବିଚାର କରି ସ୍ଥିର କରିବେ । କିନ୍ତୁ ଈଶ୍ୱର ଅଛନ୍ତି କି ନାହିଁ ଏ ତର୍କରେ ସାଧାରଣ ଲୋକ ଭାଗ ନେଇ ପାରିବେ ନାହିଁ । ଯାହାହେଉ, ଯେଉଁ ଗଣତନ୍ତ୍ର ଓ ସମାଜବାଦକୁ କଂଗ୍ରେସ ତଥା ସାଧାରଣ ଲୋକେ ଗତ ବାର ଚଉଦବର୍ଷ ହେବ ଶୁଣି ଶୁଣି ଗ୍ରହଣ କରି ଆସିଛନ୍ତି, ପୁଣି ସେୟାକୁ ଯୁକ୍ତିତର୍କ କରି ଏଥର ମଧ୍ୟ ଗ୍ରହଣ କରାହେଲା, ତେଣିକି କାମ । ଗତ ପନ୍ଦର ଷୋଳ ବର୍ଷ ହେଲା ଯେଉଁସବୁ କାମ ଯେପରି ଭାବରେ ହୋଇଆସୁଛି ସେଥିରୁ ସାଧାରଣ ଲୋକଙ୍କର କାମ ସମ୍ବନ୍ଧରେ ମଧ୍ୟ ମୋଟାମୋଟି ଧାରଣା ହେଲାଣି ଏଥିରେ ସନ୍ଦେହ ନାହିଁ । କାମ ସମ୍ବନ୍ଧରେ ଯେଉଁ ଧାରଣା ଜନ୍ମୁଛି ସେଇଥିରେ ଅବସାଦ ଓ ଅସନ୍ତୋଷ ଜାତ ହେଉଛି । ଏଣୁ କଥା ଉପରେ ଜୋର ନ ଦେଇ କାମ ଉପରେ ଜୋର ଦେବା ଉଚିତ ।

 

କାମ କି କି ଦିଗରେ କି ଭାବରେ ପ୍ରକାଶ ପାଇବା ଉଚିତ, ତା’ ମଧ୍ୟ ସହଜରେ ଜାଣି ହେଉଛି । କଥା ହେଲା ଏକରେ ଗଣତନ୍ତ୍ର ଓ ଦୁଇରେ ସମାଜବାଦ । ଗଣତନ୍ତ୍ର କହିଲେ ଆଇନର ଶାସନ ଓ ଅତି ସାଧାରଣ ଲୋକଟିର ମଧ୍ୟ ଅଧିକାରକୁ ସ୍ୱୀକାର କରିବା ଓ ସାଧାରଣ ମତ ପ୍ରତି ସମ୍ମାନ– ଏସବୁ ବୁଝାଏ । କଥାରେ ଗଣତନ୍ତ୍ର ଗଣତନ୍ତ୍ର ବୋଲି ଚିତ୍କାର କରି କାମରେ ଶାସନକୁ ଭ୍ରଷ୍ଟ କରିବା, ଆଇନର ଶାସନ ପରିବର୍ତ୍ତେ ହୁକୁମର ଶାସନ ଜାରୀ କରିବା, ଜନସାଧାଣରଙ୍କ ପ୍ରତି ତୁଚ୍ଛତାଚ୍ଛଲ୍ୟଭାବ ପୋଷଣ କରିବା, ଏସବୁ ପ୍ରକାଶ ପାଇଲେ, ଗଣତନ୍ତ୍ର ପ୍ରତିଷ୍ଠିତ ହୋଇପାରିବ ନାହିଁ । ସେହିପରି ସମାଜବାଦର ସ୍ୱର ଉଠାଇ ନିଜେ ନିଜର ରାଜନୈତିକ ଅଧିକାରକୁ ବ୍ୟବହାର କରି ଅନ୍ୟ ଅନେକଙ୍କଠାରୁ ଧନୀ ହୋଇଯିବା ଲୋକେ ଦେଖିଲେ ସମାଜବାଦ ମଧ୍ୟ ପ୍ରତିଷ୍ଠିତ ହୋଇପାରିବ ନାହିଁ । ଏଣୁ କଂଗ୍ରେସର ନୀତି ଓ ଆଦର୍ଶକୁ ପ୍ରତିଷ୍ଠିତ କରିବାକୁ ହେଲେ ଯେଉଁମାନେ ଉପରେ ଅଛନ୍ତି, ଯେଉଁମାନେ ଅଧିକାରରେ ଅଛନ୍ତି ସେମାନଙ୍କ ବ୍ୟକ୍ତିଗତ ଆଚରଣ ଆଦର୍ଶର ଅନୁରୂପ ହେବା ଉଚିତ । ସମାଜରେ ଯେଉଁମାନେ ଶ୍ରେଷ୍ଠ ବୋଲି ବିବେଚିତ ସେହିମାନଙ୍କୁ ସାଧାରଣ ଲୋକେ ଅନୁସରଣ କରନ୍ତି । କିନ୍ତୁ ଏହା ମଧ୍ୟ ଘଟେ ଯେ ସାଧାରଣ ଲୋକେ ତଥାକଥିତ ଶ୍ରେଷ୍ଠ ବ୍ୟକ୍ତିମାନଙ୍କ ପ୍ରତି ବିରକ୍ତ ହୋଇ ସେମାନଙ୍କୁ ଆସନରୁ ଗଡ଼ାଇ ପକାନ୍ତି । ଏପରି ବିପର୍ଯ୍ୟୟ ନ ଘଟୁ, ଏଥିପାଇଁ କଂଗ୍ରେସର ଉଦ୍ୟମ ଓ ଆଦର୍ଶର ପୁନରାବୃତ୍ତି ଏହା ମନେ ରଖିବାକୁ ହେବ ।

 

ସାଧାରଣ କଂଗ୍ରେସ କର୍ମୀ ଓ ସାଧାରଣ ଲୋକେ ଯେଉଁମାନେ କୌଣସି ରାଜନୈତିକ ଦଳର ଖାତାରେ ନାମ ଲେଖାଇ ନାହାନ୍ତି, ସେମାନେ କରିବେ କଅଣ ? କଥା ଓ କାମରେ ଯେଉଁଠି ବିରାଟ ପ୍ରଭେଦ ଦେଖାଯାଉଛି ସେଠି ନିଜ ବିଚାର ଅନୁସାରେ ନ୍ୟାୟ ବାଟରେ ନିଜେ ଚାଲିବା ଉଚିତ । ଭାଗବତରେ ଅଛି–

 

‘‘ଆପଣା ମନ ଆପେ ଗୁରୁ

ଉଦ୍ଧବ କେତେହେଁ ପଚାରୁ !’’

 

ଯେଉଁଠି ପ୍ରଚାରକ ପ୍ରବଞ୍ଚକ, ସେଠି ନିଜ ବୁଦ୍ଧିରେ ନିଜେ ଠିକ୍‌ କାମ କରିବା ଉଚିତ । ଅବଶ୍ୟ ଏଥିରେ ଅସୁବିଧା ଅଛି । ଏଥିରେ ଅନ୍ୟ କେତେକ ଯେପରି ଧନୀ ହୋଇଯାଉଛନ୍ତି, ସେପରି ଜଣେ ହୋଇପାରିବ ନାହିଁ, ହୁଏତ ଶାସନ ଦିଗରୁ ସାଧାରଣ ଜୀବନରେ ମଧ୍ୟ ବାଧା ପଡ଼ିପାରେ । କିନ୍ତୁ ମନେରଖିବାକୁ ହେବ–

 

‘‘ଅଧର୍ମ ବିତ୍ତ, ବଢ଼େ ବହୁତ;

ଛିଡ଼ିଗଲେ ଯାଏ ମୂଳ ସହିତ ।’’

 

ସବୁକାଳରେ କେତେକ ଖୁବ୍‌ କ୍ଷମତା ଦେଖାଇ କୋଠାବାଡ଼ି କରି ଥାଆନ୍ତି । କିନ୍ତୁ ଅଳ୍ପକାଳରେ ସବୁ ଭୁଷୁଡ଼ି ପଡ଼େ । ଏହା ଖାଲି ନିୟତିର ବିଶ୍ୱାସ ନୁହେଁ । ଗଣତନ୍ତ୍ର ଓ ସମାଜବାଦ ଦରକାର କରେ ଆଦର୍ଶ ପ୍ରତି ଦୃଢ଼ ବିଶ୍ୱାସ ଓ ତଦନୁସାରେ ନିୟମିତ କାର୍ଯ୍ୟ । ଶ୍ରୀ ବିନୋବାଜୀ ସତର୍କବାଣୀ ଶୁଣାଇଛନ୍ତି ଯେ ଯଦି କଂଗ୍ରେସ ତା’ର କଥା ଅନୁସାରେ କାମ କରି ନ ପାରେ ତେବେ ଦୁଇବର୍ଷରେ କଂଗ୍ରେସ ଉପୁଡ଼ି ପଡ଼ିବ । ପ୍ରତ୍ୟେକ କଂଗ୍ରେସ ଲୋକ ଏ ସତର୍କବାଣୀ ମନେ ରଖିବା ଉଚିତ ।

 

ଦେଶ ହେଉଛି ପ୍ରତ୍ୟେକ ଦେଶବାସୀର, କୌଣସି ଗୋଟିଏ ରାଜନୈତିକ ଦଳ ବା କୌଣସି ପଦାଧିକାରୀ ବ୍ୟକ୍ତିଙ୍କର ଏ ଦେଶ ନୁହେଁ । ଗାଁରେ ଯେ ଦୁଇଓଳି ଖାଇବାକୁ ପାଉନାହିଁ, ତା’ର ମଧ୍ୟ ଏ ଦେଶ । ବାସ୍ତବିକ ଯେ ଯେତେ ତଳେ ଅଛି, ତେତେ ବେଶି ହେଉଛି ତା’ର ଏ ଦେଶ-। କାରଣ ଧନବାନ, ବୁଦ୍ଧିମାନ, ବଳବାନ, ନିଜ ଶିଙ୍ଗରେ କିଛି ହେଲେ ମାଟି ତାଡ଼ି ପାରେ-। କିନ୍ତୁ ଜନତା ନିର୍ଭର କରେ ସମୂହ ଉଦ୍ୟମ ଉପରେ, ଦେଶର ସମୂହ କଲ୍ୟାଣ ଉପରେ-। ଏଥିପାଇଁ ସ୍ୱରାଜ୍ୟ ଆନ୍ଦୋଳନରେ ସାଧାରଣ ଲୋକେ ବହୁସଂଖ୍ୟାରେ ଯୋଗ ଦେଇଥିଲେ-। ସେହି ସାଧାରଣ ଲୋକେ ଆଜି ସକ୍ରିୟ ହୋଇ ଦେଶରେ ସୁଶାସନ ପ୍ରତିଷ୍ଠା ପାଇଁ ନ ବାହାରିଲେ ହେବନାହିଁ । ଏହି ହେଉଛି ସମୟର ଡାକ ଓ ଦେଶ-ମାତୃକାର ନିର୍ଦ୍ଦେଶ ।

Image

 

୧୨-୪-୧୯୬୪

ରବିବାର

 

ଭବିଷ୍ୟତର ବିପଦ

 

ଷୋଳବର୍ଷ ପୂର୍ବେ ସ୍ୱରାଜ ହେବା ପରେ ପାଞ୍ଚବର୍ଷିଆ ଯୋଜନାମାନ ଚାଲିବା ହେତୁରୁ ଗାଁ କଅଣ ସହର କଅଣ ସବୁଠି ଏକ ନୂଆ ରକମର ଉତ୍ସାହ ପ୍ରକାଶ ପାଇଲା । ସ୍କୁଲ ହେଉ, କଲେଜ ହେଉ, ଡାକ୍ତରଖାନା ହେଉ, ସଡ଼କ ହେଉ, କୂଅ ହେଉ, ଜମିକୁ ପାଣି ଯିବାର ବ୍ୟବସ୍ଥା ହେଉ, ଏହି ସ୍ୱର ଚାରିଆଡ଼େ ଉଠିଲା । ଏ ସବୁ କାମ ପାଇଁ ଲୋକେ ପାରୁପର୍ଯ୍ୟନ୍ତ ସାହାଯ୍ୟ କଲେ-। ଏପରି ଏକ ବାୟୁମଣ୍ଡଳ ସୃଷ୍ଟି ହେଲା, ମନେ ହେଲା ଦେଶ ଏଇଥର ଚାଲିଲା ଜଗନ୍ନାଥଙ୍କ ରଥ ଭଳି । ନେତାଙ୍କ ଠାରୁ ଆରମ୍ଭ କରି କର୍ମୀ ପର୍ଯ୍ୟନ୍ତ, ଧନୀଠାରୁ ଆରମ୍ଭ କରି ଭିକ୍ଷୁକ ପର୍ଯ୍ୟନ୍ତ ସମସ୍ତେ ଅନ୍ଧାର ଘରୁ ବାହାରି ଆସି ଆଶାର ଆଲୁଅରେ ଛିଡ଼ା ହୋଇଗଲେ ବୋଲି ମନେ କଲେ-। କିନ୍ତୁ ଗତ ନିର୍ବାଚନ ପରେ ପରେ ଏପରି ଏକ ପରିବର୍ତ୍ତନ ଘଟିଲା, ଯେଉଁଥିରେ ଚାରିଆଡ଼େ ନୀରବ ନିଶ୍ଚଳ ହୋଇ ସମସ୍ତେ ଯେ ଯାହା ସ୍ଥାନକୁ ଫେରିଗଲେ । ଏହିପରି ମନେ ହେଲା, ଯେପରି କି ଯାତ୍ରା ଭାଙ୍ଗିଲା ପରେ ଲୋକେ ଘରକୁ ଫେରିଥାଆନ୍ତି, ସବୁ ଶୂନ୍‌ଶାନ ହୋଇଯାଏ-। ସାଧାରଣ ଲୋକ ପଛକୁ ହଟିଗଲେ ଯେ କେତେଜଣ କର୍ମକ୍ଷେତ୍ରରେ ରହିଲେ, ସେଠି ଉଠିଲା ଅଭିଯୋଗ ଭ୍ରଷ୍ଟାଚାରର । ଏ ଅଭିଯୋଗ ଏପରି ଜୋରରେ ଚାଲିଲା ଯେ କେନ୍ଦ୍ରର ମନ୍ତ୍ରୀ ଗୁଲଜାରିଲାଲ ନନ୍ଦା, ଯେ ଜଣେ ବହୁବର୍ଷର କଂଗ୍ରେସ କର୍ମୀ ଓ ଯାହାଙ୍କ ଜୀବନ ତ୍ୟାଗ ଓ ନିଷ୍ଠାରେ ଗଢ଼ା, ସେ ଗୁରୁଗମ୍ଭୀର ସ୍ୱରରେ ଘୋଷଣା କଲେ ଯେ ଭ୍ରଷ୍ଟାଚାର ନିମ୍ନ ସ୍ତରରୁ ଆରମ୍ଭ କରି ଉଚ୍ଚସ୍ତର, ଏପରିକି ମନ୍ତ୍ରୀ ସ୍ତର ପର୍ଯ୍ୟନ୍ତ ଭେଦି ଯାଇଛି ଓ ସେ ଏହାର ପ୍ରତିକାର ଦୁଇବର୍ଷ ମଧ୍ୟରେ କରିବେ ହିଁ କରିବେ, ନଚେତ୍‌ ସେ ରାଜନୀତି ଛାଡ଼ିଦେବେ । ମନ୍ତ୍ରୀସ୍ତରରେ ଭ୍ରଷ୍ଟାଚାର ଚାଲିଛି ଏ କଥା ପ୍ରକାଶ୍ୟ ଭାବରେ ଘୋଷଣା କରିବା ଦ୍ୱାରା ବହୁ ବିଜ୍ଞ ବ୍ୟକ୍ତି ବିସ୍ମିତ ହେଲେ-। ଦେଶର ଅବସ୍ଥାର ଚିତ୍ର ଏହିପରି ଦେଖିଲେ କୋଳାହଳଶୂନ୍ୟ ନୀରବ ନିଶ୍ଚଳ ଜନତା ଭିତରେ କେବଳ ପାଟିତୁଣ୍ଡ ଶୁଣା ଯାଉଛି ଭ୍ରଷ୍ଟାଚାରର । ଗତ ନିର୍ବାଚନ ପରେ ଏପରି ଅବସ୍ଥା କାହିଁକି ବଦଳିଲା, ତାହା ଚଳନ୍ତି ଇତିହାସ ହୋଇଥିବାରୁ ତା’ର ଆଲୋଚନା ଆଜି ହୁଏତ ନିରପେକ୍ଷ ହେବ ନାହିଁ । କିନ୍ତୁ ପରେ ଏ କଥାକୁ ଅନେକେ ଆଲୋଚନା କରିବେ । ଦେଶର ଏ ଅବସ୍ଥାର ସୁବିଧା ନେଇ ଚୀନ ଏ ଦେଶ ଆକ୍ରମଣ କଲା । ସେଥିରେ ଭାରତର ବିପର୍ଯ୍ୟୟ ଘଟିଲା । ମୁଣ୍ଡ ତଳକୁ କରି ଦେଶ ବର୍ତ୍ତମାନ ସୁଦ୍ଧା ରହିଛି । ତଥାପି ଦୋଷ ତ୍ରୁଟି ପାଇଁ ମଧ୍ୟ ଦୃଷ୍ଟି ଦିଆ ହେଲାନାହିଁ-। ମଟରଗାଡ଼ି ପଛ ଗିଏରରେ ପଡ଼ିଗଲେ ଯେପରି ପଛକୁ ଦୌଡ଼େ, ସେହିପରି ହେଲା-। ଏ ଦୁର୍ଯ୍ୟୋଗର ସୁବିଧା ନେଇ ପାକିସ୍ତାନ ଆରମ୍ଭ କଲା ତା’ର ହିନ୍ଦୁ ବିତାଡ଼ନ କାର୍ଯ୍ୟକ୍ରମ । ବାସ୍ତବିକ ଏ ଗୋଳମାଳ ଆରମ୍ଭ ହେଲା କାଶ୍ମୀରରେ ପ୍ରଥମେ । ତା’ ପରେ ତା’ର ପ୍ରତିଧ୍ୱିନି ଉଠିଲା ପୂର୍ବ ପାକିସ୍ତାନରେ । ହଜାର ହଜାର ହିନ୍ଦୁ ଖ୍ରୀଷ୍ଟିଆନ ଆଦିବାସୀ ପୂର୍ବ ପାକିସ୍ତାନରୁ ପଳାଇ ଆସୁଛନ୍ତି-। ଏହାରି ପ୍ରତିକ୍ରିୟା ହେଲା ପୂର୍ବ ଭାରତରେ କଲିକତା, ବିହାର, ଓଡ଼ିଶା ଓ ମଧ୍ୟପ୍ରଦେଶରେ । ହଜାର ହଜାରଙ୍କର ଘର ଲୁଟତରାଜ ହେଲା, କେତେ ସଂଖ୍ୟାରେ ଲୋକେ ଯେ ପ୍ରାଣ ହରାଇଲେ ତା’ର ହିସାବ ମିଳୁନାହିଁ । ତେଣେ କାଶ୍ମୀର ଗତ ଦଶ ବର୍ଷ ହେଲା ଯାହା କିଛି ହୋଇଥିଲା ସବୁ ଓଲଟିଯାଇ, ପୁଣି କାଳିଆ ଲେଉଟିଲା ଭଳି ଶେଖ୍‌ ଅବଦୁଲ୍ଲା ବୀର ଦର୍ପରେ ପୁଣି ନେତୃତ୍ୱ ନେଉଛନ୍ତି । କାଶ୍ମୀର ଭାଗ୍ୟ କଅଣ ହେବ ତା’ ଠିକ୍‌ ନାହିଁ । ଏଣେ ଦେଶରେ ଅଶାନ୍ତି । ଅଶାନ୍ତିର ମାତ୍ରା କେତେ ତାହା ଟିକିଏ ଚିନ୍ତା କଲେ ସହଜରେ ଅନୁଭବ କରିହେବ । ଭାରତ ଦୁଇଭାଗ ହେଲା, ତେଣିକି ହିନ୍ଦୁ ମୁସଲମାନ ବିବାଦ ତୁଟିଲା ବୋଲି ମନେ କରାହେଲା । କିନ୍ତୁ ଷୋଳବର୍ଷ ପରେ ଯଦି ପାକିସ୍ତାନରେ ହିନ୍ଦୁ ବୋଲି ଜଣକର ଧନଜୀବନ ବିପଦାପନ୍ନ ହୁଏ ବା ଭାରତରେ ଜଣେ ମୁସଲମାନ ବୋଲି ତା’ର ଧନଜୀବନ ଚାଲିଯାଏ ତେବେ ଲୋକେ ଘର କରି ରହିବେ କିପରି ? ଏପରି ହିଂସାର ବାୟୁମଣ୍ଡଳ ଷୋଳ ସତରବର୍ଷ ପୂର୍ବେ ସ୍ୱରାଜ ହେବା ବେଳକୁ ସୃଷ୍ଟି ହୋଇଥିଲା । ଏ ଷୋଳବର୍ଷ ଭିତରେ ଦେଶ ଯେ ଆଗେଇଛି ବୋଲି ମନେ ହେଉଥିଲା ତାହା ଠିକ୍‌ ନୁହେଁ ବୋଲି ପ୍ରମାଣିତ ହେଲା । ବନ୍ଧୁକ ଚଳାଇ ସମାଜରେ ଶାନ୍ତି ସ୍ଥାପନ କୌଣସି ଦେଶରେ, କୌଣସି ଯୁଗରେ ହୋଇନାହିଁ । ଅଳ୍ପ ଲୋକେ ଦୁଷ୍ଟାମି କଲେ ତାଙ୍କୁ ଦଣ୍ଡ ଦେଇ ବା ପ୍ରାଣରୁ ମାରିଦେଇ ଶାନ୍ତି ସ୍ଥାପନ କରାଯାଇପାରେ । କିନ୍ତୁ ଯେଉଁଠି ସାରା-ସମାଜରେ ହିଂସାର ବାୟୁମଣ୍ଡଳ ସେଠି ବନ୍ଧୁକ ଗୁଳିରେ ଉପରର ହିଂସା ଭିତରକୁ ଚାଲିଯାଇ ଭିତରେ ଭିତରେ ନିଆଁ କୁହୁଳିଥିବ । ସୁବିଧା ପାଇଲେ ପୁଣି ଜଳି ଉଠିବ । ଏ ଅବସ୍ଥାରେ ଦେଶର ଉନ୍ନତିକର କାର୍ଯ୍ୟ ହେବ ବା କିପରି; ସେ ବିଷୟରେ ମନ ଦେବ ବା କିଏ ?

 

ଏ ଯେଉଁ ଅବସ୍ଥା ସୃଷ୍ଟି ହୋଇଛି ଏହାକୁ ଗୁରୁତ୍ୱ ନ ଦେଇ ଉଡ଼ାଇ ଦେବା ଏକ ସମାଜବିରୋଧୀ କାର୍ଯ୍ୟ । ଆଜି ଉଡ଼ାଇ ଦେଲେ କାଲି ଆହୁରି ଅବସ୍ଥା ଖରାପ ହୋଇଯିବ । ଦେଶର ସ୍ୱାଧୀନତା ମଧ୍ୟ ଚାଲିଯାଇପାରେ । ଏଣୁ ଅବସ୍ଥାକୁ ସୁଧାରିବା ପାଇଁ ଗଭୀର ଚିନ୍ତା କରି ସୁଚିନ୍ତିତ କାର୍ଯ୍ୟକ୍ରମ ସ୍ଥିର କରି ଧୈର୍ଯ୍ୟ ସହକାରେ ତାକୁ ବର୍ଷ ବର୍ଷ କାଳ କାର୍ଯ୍ୟକାରୀ କରିବାକୁ ହେବ ।

 

ଗାନ୍ଧିଜୀଙ୍କ ଅହିଂସା କେବଳ ଇଂରେଜଙ୍କ ସାଙ୍ଗରେ ଲଢ଼ିବା ପାଇଁ ଉଦ୍ଦିଷ୍ଟ ନଥିଲା । ସେ ସ୍ପଷ୍ଟ କହୁଥିଲେ ଯେ ତାଙ୍କର ଅହିଂସା ମୁଖ୍ୟତଃ ଭାରତର ସମାଜର ସଙ୍ଗଠନ ପାଇଁ । ସେତେବେଳକାର ଫ୍ରଣ୍ଟିଅର ଗାନ୍ଧି ଅବଦୁଲ ଗଫୁର ଖାଁ ପ୍ରମାଣ ଦେଇଥିଲେ ଅହିଂସାର କାର୍ଯ୍ୟକ୍ରମ ଫଳରେ ପ୍ରଣ୍ଟିଅରର ଭିନ୍ନ ଭିନ୍ନ ଗୋଷ୍ଠୀ ମଧ୍ୟରେ ଶାନ୍ତି ସ୍ଥାପନ ହୋଇ ପାରିଛି । ଅହିଂସାର ବାୟୁମଣ୍ଡଳ ସୃଷ୍ଟି କରିବାକୁ ହେଲେ ଯେଉଁମାନେ ଅଧିକାରରେ ଅଛନ୍ତି ସେମାନଙ୍କ ବ୍ୟବହାରିକ ଦୃଷ୍ଟିରୁ ଅହିଂସାକୁ ମାନି କାମ କରିବା ଉଚିତ । ଶାସନ କ୍ଷେତ୍ରରେ ଅହିଂସାର ରୂପରେଖ ହେଉଛି, ଆଇନର ଶାସନ ଓ ଶାସନର ନିରପେକ୍ଷତା । ଏତିକି ହେଲେ ସମାଜରେ ସାଧାରଣ ଭାବରେ ଅହିଂସାର ବାୟୁମଣ୍ଡଳ ସୃଷ୍ଟି ହେବାର ଅବସ୍ଥା ଆସିଯିବ । ଶାସନ କ୍ଷେତ୍ରରେ ପକ୍ଷପାତ ବିଚାର ଓ ଅବିଚାରକୁ ପ୍ରଶ୍ରୟ ଦେଲେ ସାଧାରଣଙ୍କ ଭିତରେ ହିଂସାର ଭାବ ବଢ଼ି ବଢ଼ି ଚାଲିବ ଏଥିରେ ସନ୍ଦେହ ନାହିଁ । କଥାରେ ‘‘ମାନିଲେ ଠାକୁର ନ ମାନିଲେ ପଥର’’ ଶାସନ ବିଧାନରେ ଯେଉଁ ଲୋକ ଶାସନର ବ୍ୟବସ୍ଥା ଅଛି, ତାକୁ ସମସ୍ତେ ମାନିଲେ ଓ ଲୋକେ ଆଇନକୁ ସମ୍ମାନ କରି ଚାଲିଲେ ହତ୍ୟା ଲୁଟତରାଜ ଇତ୍ୟାଦି ହେବନାହିଁ; କିନ୍ତୁ ଶାସନ ଯେଉଁମାନଙ୍କ ହାତରେ ସେମାନେ ଯଦି ଶାସନଟାକୁ ନିଜର ବୋଲି ମନେକରି ନିଜ ଇଚ୍ଛାରେ ତାକୁ ବ୍ୟବହାର କରନ୍ତି ତେବେ ତା’ର ପ୍ରତ୍ୟକ୍ଷ ପରିଣାମ ହେବ ସମାଜରେ ହିଂସା ଓ ଶେଷରେ ଅରାଜକତା । ଶାସନର ସ୍ୱେଚ୍ଛାଚାରିତା ଫଳରେ ଷୋଳବର୍ଷର ତପସ୍ୟା ଶୁଖୁଆ ମୁଣ୍ଡରେ ଆଜି ଯାଇଛି ଏତିକି ଉପଲବ୍‍ଧି କରାହେଲେ, ଭବିଷ୍ୟତରେ ବିପଦ ନାହିଁ ।

Image

 

୧୭-୫-୬୪

ରବିବାର

 

ପାରିବାରିକ ସମ୍ପର୍କ

 

ପଚିଶ ବର୍ଷର ଲୋକେ ଜାଣି ନ ଥିବେ ଗାନ୍ଧିଜୀଙ୍କର କର୍ମକୌଶଳ କଅଣ ଥିଲା । କଥାରେ ଆମେ କହିଦେଉଁ ଗାନ୍ଧିଜୀଙ୍କ ନେତୃତ୍ୱରେ କଂଗ୍ରେସ ସ୍ୱରାଜ ସଂଗ୍ରାମ ଜୟଲାଭ କଲା । କିନ୍ତୁ ସେ ସଂଗ୍ରାମ କଅଣ ଥିଲା ? ଏଇଠି ମନେ ରଖିବାକୁ ହେବ ଯେ ଦେଶର ସ୍ୱାଧୀନତା ପ୍ରାପ୍ତି ପାଇଁ ବା ଦେଶର ସ୍ୱାଧୀନତା ରକ୍ଷା କରିବା ପାଇଁ ଅନ୍ୟଠି ଯେତେ ତ୍ୟାଗ ଓ କଷ୍ଟ ସେଠା ଲୋକମାନଙ୍କୁ ସହିବାକୁ ପଡ଼ିଛି, ଭାରତରେ ତାହା ହୋଇନାହିଁ । ଆୟାର୍ଲାଣ୍ଡର ସ୍ୱାଧୀନତାର ଇତିହାସ, ମିଶରର ସ୍ୱାଧୀନତାର ଇତିହାସ, ଆମେରିକାର ସ୍ୱାଧୀନତାର ଇତିହାସ ପ୍ରଭୃତି ଅନ୍ୟ ଦେଶମାନଙ୍କର ସ୍ୱାଧୀନତା ପ୍ରାପ୍ତିର ଇତିହାସ ପଢ଼ିଲେ ଜଣାଯିବ ଯେ ସେଠି କେତେ ନିର୍ଯ୍ୟାତନା ଲୋକେ ସହିଥିଲେ, କେତେ ପ୍ରାଣ ଯାଇଥିଲା, କେତେ ସମ୍ପତ୍ତି ନଷ୍ଟ ହୋଇଥିଲା । ସ୍ୱାଧୀନତା ରକ୍ଷାପାଇଁ ଗତ ଦୁଇଟି ବିଶ୍ୱଯୁଦ୍ଧରେ ଦେଶ ସବୁ କିପରି ଛାରଖାର ହୋଇଯାଇଥିଲେ ତାହା ସମସ୍ତଙ୍କୁ ଜଣା । କିନ୍ତୁ ଭାରତର ସ୍ୱାଧୀନତା ପାଇଁ ସର୍ବମୋଟ ପ୍ରାୟ ଅଶି ଲକ୍ଷ ଲୋକଙ୍କୁ ଜେଲଖାନା ଯିବାକୁ ପଡ଼ିଥିଲା । ପ୍ରାୟ କୋଡ଼ିଏ ଲକ୍ଷ ଭୁଲରେ ଧରା ହୋଇ ନ ଥିଲେ ବା ସେମାନେ ଗୋପନରେ ସାହାଯ୍ୟ କରୁଥିଲେ ବୋଲି ଧରି ନିଆଯାଉ । ଜେଲଖାନା କହିଲେ ହାତକଡ଼ି, ବେଡ଼ି ପ୍ରଭୃତି କଷ୍ଟ ସହିବାକୁ ପଡ଼ିଥିଲା ୧୯୩୦ ସାଲ ପର୍ଯ୍ୟନ୍ତ । ତା’ପରେ ଯତୀନ ଦାସଙ୍କ ଆତ୍ମତ୍ୟାଗ ପରେ ରାଜନୈତିକ ବନ୍ଦୀମାନଙ୍କ ଶ୍ରେଣୀ ବିଭାଗ କରି ଯେଉଁ ବନ୍ଦୋବସ୍ତ କରାହେଲା ସେଥିରେ ଜେଲଖାନା କହିଲେ କେବଳ ଅଟକ ହୋଇ ରହିବା ବୁଝାଇଲା । ତଥାପି ମୋଟ ହିସାବରେ କୋଟିଏ ଲୋକ ଜେଲ ଭୋଗିଲେ । ପଞ୍ଜାବର ହତ୍ୟାକାଣ୍ଡଠାରୁ ଆରମ୍ଭ କରି ବଙ୍ଗର ବିପ୍ଳବୀମାନଙ୍କ ଫାଶୀ, ୧୯୪୨ ସାଲର ଆନ୍ଦୋଳନର ଗୁଳିକାଣ୍ଡ ଏସବୁ ହିସାବ କଲେ ମୋଟରେ ପ୍ରାୟ ତିନି ହଜାର ଲୋକ ସ୍ୱାଧୀନତା ପାଇଁ ଜୀବନ ଦାନ କରିଛନ୍ତି । ଆନ୍ଦୋଳନବେଳେ ଲୁଟତରାଜ ହୋଇଥିଲା, ଯେପରି କି ଲବଣ ସତ୍ୟାଗ୍ରହ ବେଳେ ବାଲେଶ୍ୱର ଥାନାର ନଅ ନମ୍ବର ଇଉନିୟନ, ଇଞ୍ଚୁଡ଼ି ଶ୍ରୀଜଙ୍ଗ ପ୍ରଭୃତିରେ ହୋଇଥିଲା । ଭାରତ ସାରା ସମ୍ପତ୍ତି ନାଶର ହିସାବ କଲେ ମୋଟ ଦୁଇ କୋଟି ଟଙ୍କାରୁ ବେଶି ହେବ ନାହିଁ । ଏହି ହେଲା ସ୍ୱରାଜ୍ୟ ସଂଗ୍ରାମରେ ଭାରତର ତ୍ୟାଗ । ସେତେବେଳକାର ଭାରତର ଜନସଂଖ୍ୟା ଚାଳିଶ କୋଟି ବୋଲି ଧରିଲେ, ଚାରି ହଜାରରେ ଜଣେ ଲୋକ ମାତ୍ର ଜେଲ ଯାଇଥିଲେ । ଜୀବନ ଦାନ ଓ ସମ୍ପତ୍ତି ଲୁଟର ହିସାବ କଲେ ଜଣାଯିବ ଅତି ଅଳ୍ପ ତ୍ୟାଗ କରିଛନ୍ତି ଭାରତବାସୀ । କିନ୍ତୁ ପାଇଛନ୍ତି ସ୍ୱାଧୀନତା । କିପରି ? ଏଇଠି ଗାନ୍ଧିଜୀଙ୍କ କର୍ମକୌଶଳର ପରାକାଷ୍ଠା ପ୍ରମାଣିତ ହୁଏ ।

 

ଇଂରେଜମାନେ ଭାରତର ରାଜା ହେଲେ ଭାରତର ଅନ୍ତର୍ବିବାଦର ସୁବିଧା ନେଇ । ଇଂରେଜମାନଙ୍କ ପୂର୍ବରୁ ଭାରତରେ ରାଜ୍ୟ ରାଜ୍ୟ ଭିତରେ, ଜାତି-ଜାତି ଭିତରେ, ଧର୍ମ-ଧର୍ମ ଭିତରେ ଏପରି ବିବାଦରେ ଲୋକେ ଅସ୍ଥିର ହୋଇ ଯାଇଥିଲେ । ପ୍ରାୟ ପାଞ୍ଚଶହ ବର୍ଷ କାଳ ଅରାଜକତା ଭୋଗ କରିଛି ଏ ଦେଶ । ଭାରତ ଖଣ୍ଡ ଖଣ୍ଡ ବା ହେଲା କିପରି ? ଦୁଇ ତିନି ହଜାର ବର୍ଷର ଇତିହାସ ପଢ଼ିଲେ ଜଣାଯିବ ଯେ ଅଶୋକଙ୍କ ପରେ ପରେ ଭାରତବର୍ଷ ଖଣ୍ଡ ଖଣ୍ଡ ହୋଇଗଲା । ପ୍ରତ୍ୟେକ ଖଣ୍ଡର ଇତିହାସ ଅନ୍ୟର ଇତିହାସଠାରୁ ଭିନ୍ନ ହେଲା । ଏହିପରି ହୋଇ ଶେଷରେ ଭାରତ ଆଉ ଏକ ଜାତି ହୋଇ ରହିପାରିଲା ନାହିଁ । ଏହାରି ପୂର୍ଣ୍ଣ ସୁବିଧା ନେଲେ ଇଂରେଜମାନେ । ଅତି କୌତୂହଳଜନକ ଏ ଇତିହାସ । କିନ୍ତୁ ସେଥିପାଇଁ ଏଠି ସ୍ଥାନାଭାବ । ତେଲଙ୍ଗା ସୈନ୍ୟଙ୍କ ସାହାଯ୍ୟରେ କ୍ଲାଇବ ସିରାଜୌଦୂଲ୍ଲାଙ୍କୁ ହରାଇଲେ । ସିପାହୀ ବିଦ୍ରୋହବେଳେ ହିନ୍ଦୁ ମୁସଲମାନ ଏକାଠି ହୋଇଗଲା ବେଳେ ଶିଖମାନଙ୍କ ସାହାଯ୍ୟ ପାଇଲେ ଇଂରେଜ । ବିଶାଳ ଦେଶରେ କୌଣସି ଖଣ୍ଡ ସହିତ ଅନ୍ୟ ଖଣ୍ଡର ସମ୍ପର୍କ ନ ଥିଲା । ନିଜ ଦେଶରେ ଏକ ଖଣ୍ଡର ଲୋକେ ଅନ୍ୟ ଖଣ୍ଡରେ ସମ୍ପୂର୍ଣ୍ଣ ବିଦେଶୀ । ଏକ ପ୍ରଦେଶ ବା ଖଣ୍ଡରେ ବାସ କରୁଥିଲେ ମଧ୍ୟ ବର୍ଣ୍ଣଭେଦ ଯୋଗୁଁ ଏକ ବର୍ଣ୍ଣର ଲୋକେ ଅନ୍ୟ ବର୍ଣ୍ଣର ଲୋକଙ୍କୁ ବିଶେଷତଃ ଅସ୍ପୃଶ୍ୟ ଜାତିର ଲୋକଙ୍କୁ ନିଜର ଲୋକ ବୋଲି ମନେ କରୁ ନ ଥିଲେ । ଏହି ଅବସ୍ଥାରେ ଗାନ୍ଧିଜୀଙ୍କ କର୍ମକୌଶଳ ହେଲା, ଭାରତରେ ଜାତୀୟତାର ଭାବ ଜାଗରଣ । ଦେଶର କେଉଁଠି କିଛି ଅତ୍ୟାଚାର ପାଇଁ ଦେଶସାରା ପୁରପଲ୍ଲୀ ସର୍ବତ୍ର ହରତାଳ ଓ ସଭା ହେଉଥିଲା । ଫଳରେ ଭାରତର ନାଗରିକ ବୋଲି ଅନୁଭବ କରିବା ସୁଯୋଗ ଲୋକେ ପାଇଲେ । କଂଗ୍ରେସ ଅନୁଷ୍ଠାନକୁ ଗାନ୍ଧିଜୀ ଏପରି ଗଢ଼ିଲେ ଯେ ହିନ୍ଦୁ, ମୁସଲମାନ, ସ୍ପୃଶ୍ୟ, ଅସ୍ପୃଶ୍ୟ ସମସ୍ତେ ସେଥିରେ ସ୍ଥାନ ପାଇଲେ । ଚାଲିଚଳଣକୁ ଏପରି ସେ ବଦଳାଇଲେ ଯେ ଘରେ ଯେପରି ଜଣେ ନ ଖାଇଲେ ଅନ୍ୟମାନଙ୍କୁ ବୋଧେ, ବା ଜଣକ ପାଇଁ ଲୁଗା ଖଣ୍ଡେ ଅଣା ହେଲେ, ଅନ୍ୟମାନଙ୍କପାଇଁ ଅଣାଯାଏ, ସେହିପରି ସମାଜର ବିଭିନ୍ନ ଶ୍ରେଣୀକୁ କଂଗ୍ରେସ ଅନୁଷ୍ଠାନରେ ଖୋଜା ହୋଇ ଅଣା ହେଉଥିଲା । ଗାନ୍ଧିଜୀ ଆଶା କରୁଥିଲେ ଯେ ଦେଶସାରା ସେହି ଭାବରେ ପ୍ରଭାବିତ ହୋଇ ସ୍ୱରାଜ୍ୟ ଆଣିବେ ଓ ସ୍ୱରାଜ୍ୟ ପରେ ଦେଶ ଚଳାଇବେ । ଗାନ୍ଧିଜୀ ଦେଶକୁ ଏକ ପାଞ୍ଚଭାଇ ମିଳିମିଶି ରହିଥିବା ପରିବାର ସହିତ ତୁଳନା କରୁଥିଲେ । ବହୁବର୍ଷ କାଳ କଂଗ୍ରେସ ଏହିପରି ଚାଲିବା ଫଳରେ ଦେଶରେ ନାନା ବିଭେଦ ଥିଲେ ମଧ୍ୟ ଜାତୀୟତାର ଭାବ ପ୍ରବାହିତ ହେଲା । ଏହି ପ୍ରବାହ ଇଂରେଜମାନଙ୍କୁ ଏ ଦେଶରୁ ବିଦାୟ ଦେଲା । ବିଚକ୍ଷଣ ଇଂରେଜ ରାଜନୀତିଜ୍ଞମାନେ ବହୁବର୍ଷ ପୂର୍ବେ ଚିନ୍ତାପୂର୍ଣ୍ଣ ପୁସ୍ତକମାନ ପ୍ରକାଶ କରି ମତ ଦେଇଥିଲେ ଯେ ଯେଉଁ ସମୟରେ ଭାରତରେ ଜାତୀୟତା ଭାବ ଉଦ୍ରେକ ହେବ ସେତେବେଳେ ଆଉ ଇଂରେଜ ରାଜତ୍ୱ ରହିବ ନାହିଁ । ଇଂଲଣ୍ଡର ତତ୍କାଳୀନ ପ୍ରଧାନମନ୍ତ୍ରୀ ଆଟଲୀ ଭାରତର ସ୍ୱାଧୀନତା ଘୋଷଣା କରି କହିଥିଲେ ଭାରତରେ ସବୁ ଶ୍ରେଣୀ ଭିତରେ ଜାତୀୟତାର ଭାବ କାର୍ଯ୍ୟ କଲାଣି । ଏଣୁ ସେଠି ରାଜ୍ୟ ଚଳାଇବା ସମ୍ଭବ ନୁହେଁ । ଏହା ସ୍ପଷ୍ଟ ଯେ ଗାନ୍ଧିଜୀଙ୍କ କର୍ମ କୌଶଳ ଥିଲା ଭାରତରେ ନାନା ବିଭେଦ ଭିତରେ ଜାତୀୟତାର ଭାବ ଜାଗରଣ କରିବା । ସୀତାରରେ ବହୁ ତାର ଥିଲେ ମଧ୍ୟ ଗୋଟିଏ ସୁରରେ ବଜାଇବା ହେଉଛି କୌଶଳ । ସେ ସମୟରେ କବି ଗାଇଥିଲେ, ‘‘ଯହିଁ ଲକ୍ଷେ ଧର୍ମ୍ମ, କୋଟିଏ ଜାତି, ହଣାହଣି ଦିନରାତି, ତହିଁ ଗୋଟିଏ ତାନେ ବାଜଇ ବୀଣା ମିଳିତ ମଧୁର ରାଗେ ।’’ ଆଜି ବିଚାରିବାର କଥା, ସେହିପ୍ରକାର ପାରିବାରିକ ସମ୍ପର୍କ ଦେଶରେ ଅଛି କି ନାହିଁ । ଦେଶ ତ ଦୂରର କଥା, କଂଗ୍ରେସରେ ମଧ୍ୟ ସେ ପ୍ରକାର ଭାବ ଆଜି ନାହିଁ । ଶାସନ ବିଧାନରେ ବାଧ୍ୟବାଧକତା ଅଛି ବୋଲି, ହରିଜନ ଓ ଆଦିବାସୀମାନେ ବ୍ୟବସ୍ଥାସଭାର ସଭ୍ୟ ହୋଇ ପାରୁଛନ୍ତି । ମୁସଲମାନ ହୋଇ ପାରୁନାହାନ୍ତି । କଂଗ୍ରେସ ଅନୁଷ୍ଠାନ ଭିତରେ ହରିଜନ, ଆଦିବାସୀ, ମୁସଲମାନ, ଖ୍ରୀଷ୍ଟିୟାନ ଏମାନେ ସମସ୍ତେ କିପରି ସ୍ଥାନ ପାଇବେ ସେଥିପାଇଁ ତିଳେ ହେଲେ ଦୃଷ୍ଟି ନାହିଁ । ଯେଉଁଠି ଯେ ଅଧିକ ସଂଖ୍ୟକ ସେଠି ସେ ସବୁ ମାଡ଼ି ବସୁଛି । ଅଳ୍ପ ସଂଖ୍ୟକ ଲୋକ ଥିବା ଶ୍ରେଣୀ କେଉଁଠି ହେଲେ ଥଳକୁଳ ପାଉନାହିଁ । ପରିବାର ଭିତରେ ଯେପରି ଅନ୍ୟ ପ୍ରତି ବିଚାର କରି ସବୁ କାମ କରାହୁଏ, କଂଗ୍ରେସ ଭିତରେ ସେପରି ହେଉ ନାହିଁ । କଂଗ୍ରେସ ଯେତେବେଳେ ଗାନ୍ଧିଜୀଙ୍କ ସେ ଆଦର୍ଶରୁ ଖସିଛି, ସେତେବେଳେ ଦେଶରେ ସେ କିଛି କୌଶଳ ପ୍ରୟୋଗ କରିବାପାଇଁ ଆଉ କେହି ନାହାନ୍ତି । ଏଇଠି ମନେରଖିବାକୁ ହେବ ଗାନ୍ଧିଜୀଙ୍କ ସହିତ ହରିଜନ ନେତା ଡକ୍ଟର ଆମ୍ବେଦକାରଙ୍କ ମତଭେଦ, ଯାହା ଫଳରେ ଗାନ୍ଧିଜୀ ଆମରଣ ଅନଶନ କରିଥିଲେ । ଆମ୍ବେଦକାର ଦାବି କଲେ ଯେ ହରିଜନମାନଙ୍କୁ ବ୍ୟବସ୍ଥାସଭାରେ ସ୍ୱତନ୍ତ୍ର ସ୍ଥାନ ଦେବା ପାଇଁ ଆଇନ ହେଉ । ଗାନ୍ଧିଜୀ ଧରି ବସିଲେ ଯେ ସେପରି ହେଲେ ହିନ୍ଦୁ ସମାଜ ବିଭକ୍ତ ହୋଇଯିବ ଓ ସମାଜ ସଂସ୍କାର ଫଳରେ ହିନ୍ଦୁମାନେ ହରିଜନମାନଙ୍କୁ ସ୍ୱେଚ୍ଛାରେ ସ୍ଥାନ ଦେବେ । ଏ ଦୁଇଟି ମତର ସମନ୍ୱୟ କରାହୋଇ ୧୯୫୩ରେ ଶାସନ ବିଧାନ ପ୍ରଣିତ ହେଲା ଓ ଗାନ୍ଧିଜୀ ଅନଶନ ଭଙ୍ଗ କରିଥିଲେ । ଆଜି ଦେଖାଯାଉଛି ଯେ ଆମ୍ବେଦକାରଙ୍କ ମତ ହିଁ କାର୍ଯ୍ୟକାରୀ, ଗାନ୍ଧିଜୀଙ୍କ ମତ କୁଆଡ଼େ ଉଡ଼ିଗଲାଣି । ଆଇନରେ ନ ଥିଲେ ହରିଜନ, ଆଦିବାସୀ, କେଉଁଠି ହେଲେ ସ୍ଥାନ ପାଆନ୍ତେ ନାହିଁ ଏହା ନିଶ୍ଚିତ । କଂଗ୍ରେସ ଭିତରେ ବାଧ୍ୟବାଧକତା ନ ଥିବାରୁ ହରିଜନ, ମୁସଲମାନ, ଆଦିବାସୀ କେହି ସ୍ଥାନ ପାଉନାହାନ୍ତି । ସେମାନେ ରହିଲେ ବା ଗଲେ କେହି ପଚାରୁ ନାହାନ୍ତି ।

 

ଏପରି କାହିଁକି ହେଲା ଓ ଏହା ଫଳରେ କିପରି ଦେଶରେ ବିଶୃଙ୍ଖଳା ସୃଷ୍ଟି ହେଉଛି ଏ ବିଷୟ ପରବର୍ତ୍ତୀ ସଂଖ୍ୟାରେ ଆଲୋଚିତ ହେବ ।

Image

 

୧୮-୫-୬୫

ମଙ୍ଗଳବାର

 

ଦେଶର ଶତ୍ରୁ

 

କଂଗ୍ରେସ ଗୋଟିଏ ଜାତି ନୁହେଁ ବା ଅନ୍ୟ ରାଜନୈତିକ ଦଳମାନେ ଗୋଟିଏ ଗୋଟିଏ ଜାତି ନୁହନ୍ତି । ଆମ ଦେଶରେ ଜାତି ଯେଉଁ ଅର୍ଥରେ ବ୍ୟବହାର କରାଯାଏ, ସେଥିରେ ଦେଶ ଯେ ଗୋଟିଏ ଜାତି ଏକଥା ସହଜରେ ମନକୁ ଘେନେ ନାହିଁ । ଭାରତବର୍ଷରେ ଯେତେ ଲୋକ ଅଛନ୍ତି ସବୁ ଗୋଟିଏ ଜାତିର ଲୋକ । ଚୀନ, ପାକିସ୍ଥାନ ପ୍ରଭୃତି ଦେଶମାନଙ୍କରେ ଯେତେ ଲୋକ ଅଛନ୍ତି ସେମାନେ ସେହି ସେହି ଦେଶର ଅଧିବାସୀ ହିସାବରେ ଗୋଟିଏ ଗୋଟିଏ ଜାତି । ଏ ଭାବ ମନ ଭିତରେ ଦୃଢ଼ ହେଲେ ଦେଶର ଉନ୍ନତି ହୋଇପାରିବ ଓ ଦେଶ ଅନ୍ୟ ଦେଶ ସହିତ ମୁକାବିଲା କରି ପାରିବ । ସେହି ଜାତୀୟତା ଭାବ ସୃଷ୍ଟିକରି ତାକୁ ବଢ଼ାଇବା ପାଇଁ କଂଗ୍ରେସର ଜନ୍ମ । ଗାନ୍ଧିଜୀ ଏହି କଂଗ୍ରେସ ଜରିଆରେ ଦେଶସାରା ଗାଁଗହଳି ସବୁଠି ଜାତୀୟତାର ଭାବ ସୃଷ୍ଟି କରିଥିଲେ । ଏହି ଯେଉଁ ମହାନ୍‌ ଜାତି ଏଥିରେ ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ ପ୍ରଭୃତି ଜାତିର ସ୍ଥାନ ନାହିଁ ବା ଯଜୁର୍ବେଦ, ଅଥର୍ବବେଦ ପ୍ରଭୃତିକୁ ଘେନି ଯେଉଁସବୁ କର୍ମକାଣ୍ଡ ତା’ର ମଧ୍ୟ ସ୍ଥାନ ନାହିଁ । ବିଭିନ୍ନ ବେଦକୁ ଆଶ୍ରୟ କରି ଆମ ସମାଜରେ ବିଭିନ୍ନ ବର୍ଣ୍ଣ ସୃଷ୍ଟି ହୋଇଥିଲା । କାଳକ୍ରମେ ଏ ବର୍ଣ୍ଣବିଭେଦ ବଦଳି ବଦଳି ଯାଉଛି । ଏକ ସମୟରେ ଏକ ସଙ୍ଗରେ ଖାଇଲେ ଜାତି ଯାଉଥିଲା । ଆଜି ତା’ ନାହିଁ । ଜାତି ଭିତରେ ବାହାସାଧି ପୂର୍ବେ ଯେପରି ହେଉଥିଲା, ଆଜି ତା’ ବହୁତ ଢିଲା ହୋଇଗଲାଣି । କିନ୍ତୁ ଜାତିଆଣ ଭାବ ମନରୁ ଯାଉନାହିଁ । ଆଜି ବର୍ଣ୍ଣ ଯାଇ ପଶିଲାଣି ରାଜନୀତି ଭିତରେ ଓ ଶାସନ ଭିତରେ । ସରକାରୀ ଚାକିରିରେ ଜାତି ଘେନି ଯେପରି ଦଳାଦଳି ଏପରି ଗାଁରେ ସୁଦ୍ଧା ଆଜି କାଲି ନାହିଁ । ଜାତିଆଣ ଭାବ ଏପରି ପ୍ରବଳ ଯେ କେତେକ ଚେଷ୍ଟା କରୁଛନ୍ତି ରାଜନୈତିକ ଦଳ ସବୁ ଗୋଟିଏ ଗୋଟିଏ ଜାତି ହୋଇ ପରସ୍ପର ଲଢ଼ନ୍ତୁ । ପୂର୍ବେ ଯେପରି ବିଭିନ୍ନ ବେଦକୁ ଘେନି ବର୍ଣ୍ଣମାନ ଚାଲିଥିଲେ ଆଜି ସେହିପରି ବିଭିନ୍ନ ରାଜନୈତିକ ମତବାଦକୁ ଘେନି ଯେଉଁସବୁ ଦଳ ଅଛନ୍ତି ସେମାନେ ନିଜ ନିଜକୁ ଏକ୍‌ଜାତି ମନେକରି ପରସ୍ପର ଲଢ଼ିବାର ଅଶୁଭ ସୂଚନା ମିଳୁଛି ।

 

ଜଣେ କଂଗ୍ରେସର ବଡ଼ ନେତା ଏ ମଧ୍ୟରେ ମଧ୍ୟପ୍ରଦେଶର ଏକ ସଭାରେ କହିଛନ୍ତି ଯେ କମ୍ୟୁନିଷ୍ଟମାନଙ୍କୁ ଜାତି ବାସନ୍ଦ କରାହେଉ । କମ୍ୟୁନିଷ୍ଟ ଦଳ ଏକ ଆଇନସଂଗତ ଦଳ । ଏ ଦଳର ପ୍ରତିନିଧିମାନେ ପ୍ରଦେଶ ତଥା କେନ୍ଦ୍ର ବ୍ୟବସ୍ଥାସଭା ମାନଙ୍କରେ ଅଛନ୍ତି । ଏମାନଙ୍କ ମତ ଭୁଲ ଏକଥା ଲୋକଙ୍କୁ ନ ବୁଝାଇ ଜାତିବାସନ୍ଦ କଥା କହିବାଦ୍ୱାରା ଭାରତର ଜାତୀୟତାକୁ ଆଘାତ କରାଯାଉଛି । ଜାତିଆଣଭାବ କିପରି ରାଜନୈତିକ ଦଳ ଭିତରେ କାମ କରୁଛି ତା’ର ନମୁନା କଂଗ୍ରେସ ଭିତରେ ମଧ୍ୟ ମିଳୁଛି । କଂଗ୍ରେସ ଏକ ଗଣତାନ୍ତ୍ରିକ ଅନୁଷ୍ଠାନ ଅର୍ଥାତ୍‌ ମୋଟାମୋଟି କଂଗ୍ରେସ ନୀତିକୁ ଗ୍ରହଣ କରି ଯେଉଁମାନେ କଂଗ୍ରେସ ଭିତରେ ଅଛନ୍ତି ସେମାନଙ୍କ ମଧ୍ୟରେ ବିଭିନ୍ନ ବିଷୟରେ ଭିନ୍ନ ଭିନ୍ନ ମତ ଅଛି । ଆଜି ଯେଉଁ ମତକୁ ବହୁସଂଖ୍ୟକ ସଭ୍ୟ ଗ୍ରହଣ କରୁଛନ୍ତି, ତାକୁ କାଲି ବହୁସଂଖ୍ୟକ ସଭ୍ୟ ରଦ୍ଦ କରିପାରନ୍ତି । ଏଣୁ ନିଜ ନିଜ ଭିତରେ ସବୁକଥା ଟିକିନିଖି ଆଲୋଚନା କରିବା ହେଉଛି ଗଣତନ୍ତ୍ରର ମୁଖ୍ୟନୀତି । କିନ୍ତୁ ଆଜି ଦେଖାଯାଉଛି, ଯଦି କେଉଁଠି ଭିନ୍ନମତ ପ୍ରକାଶ ପାଇଲା ତାକୁ ବାସନ୍ଦ କଲେ, ଜାତିରୁ ଅଟକକରେ ଏହିପରି ଚିତ୍କାର ଉଠୁଛି । ମୁକ୍ତି ମଣ୍ଡପର ଆଜ୍ଞାପତ୍ରିକା ଆଜିକାଲି ଲୋକେ ମାନୁ ନାହାନ୍ତି, କାରଣ ଜାତିଆଣ ଭାବ କମି କମି ଯାଉଛି । ଏପରିସ୍ଥଳେ କଂଗ୍ରେସ ନାଁ’ରେ ବାସନ୍ଦର ଆଜ୍ଞାପତ୍ରିକା ବାହାରିଲେ କିଏ ତାକୁ ମାନିବ ? ପୂର୍ବେ ରାଜା ଜମିଦାରମାନେ ଜାତିବାସନ୍ଦକୁ ଅସ୍ତ୍ର କରି ଲୋକଙ୍କୁ ଜବତ କରୁଥିଲେ । କିନ୍ତୁ ଜାତିକୁ ଯେତେବେଳେ ସେପରି କେହି ମାନିଲେ ନାହିଁ; ସେତେବେଳେ ସେମାନେ ମଧ୍ୟ ସେଥିରୁ ନିରସ୍ତ୍ର ହୋଇଥିଲେ । ଆଜି ସେହି ରାଜୋଡ଼ା ଓ ଜମିଦାରୀ ଯୁଗର ଜାତିବାସନ୍ଦ ନୀତି କଂଗ୍ରେସ ଭିତରେ ଚଳାଇବାକୁ ବସିଲେ ଶେଷରେ କଂଗ୍ରେସର କ୍ଷତି ହେବ ସିନା; ଆଉ କାହାର କିଛି ହେବ ନାହିଁ ।

 

ଦେଶ ବର୍ତ୍ତମାନ ମହାନଜାତି ହିସାବରେ ଚାରିଆଡ଼େ ପ୍ରବଳ ଶତ୍ରୁ ମାନଙ୍କର ସମ୍ମୁଖୀନ-। ଏ ଦିଗରେ ଚୀନ, ଅନ୍ୟଦିଗରେ ପାକିସ୍ତାନ । ଏଥିରେ ଭାରତର ଜାତୀୟତା ହିଁ ଭାରତକୁ ରକ୍ଷାକରିବ । ଏ ଜାତୀୟତାକୁ ଦୃଢ଼ କରିବାପାଇଁ ସବୁ ଉପାୟ ଅବଲମ୍ବନ କରିବାକୁ ହେବ-। ଯେଉଁମାନେ ଜାତିଆଣ ଭାବକୁ ପ୍ରଶ୍ରୟ ଦେଉଛନ୍ତି, ସେମାନେ ଦଳର ଶୃଙ୍ଖଳାର ଦ୍ୱାହି ଦିଅନ୍ତୁ ପଛକେ ସେହିମାନଙ୍କୁ ଦଣ୍ଡ ଦେବା ଉଚିତ । ରାଜଦରବାରରେ ସେମାନେ ଯଦି ଦଣ୍ଡ ନପାଉଛନ୍ତି ତେବେ ଜନଦରବାରରେ ସେମାନେ ଦଣ୍ଡିତ ହୁଅନ୍ତୁ । ସେହିମାନେ ଦେଶର ଶତ୍ରୁ ।

Image

 

୧୪-୭-୬୫

ବୁଧବାର

 

ଜାତିପ୍ରଥା ଓ ଜାତିଆଣଭାବ

 

ଗାଁ ମଜଲିସ୍‌ ଯେତେବେଳେ ଆରମ୍ଭ ହୋଇଥିଲା, ସେତେବେଳେ ଗାଁ ଓ ସହର ଭିତରେ ଯେଉଁ ପ୍ରଭେଦ ଥିଲା ତା’ ନାହିଁ । ସେତେବେଳେ ଗାଁରେ ସ୍କୁଲ, କଲେଜ ନଥିଲା ବା ବେଶି ଶିକ୍ଷିତ ଲୋକ ନ ଥିଲେ । ଆଜି ହାଇସ୍କୁଲମାନଙ୍କର ସଂଖ୍ୟା ବୃଦ୍ଧି ଓ କଲେଜ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି । ମଝିରେ ବାଧକ ନ ଥିଲେ ସ୍କୁଲ, କଲେଜ ସଂଖ୍ୟା ଆହୁରି ବଢ଼ିଯାଇଥାନ୍ତା । ଧୀରେ ଧୀରେ ବଢ଼ିଯିବ ଏଥିରେ ସନ୍ଦେହ ନାହିଁ । ଶିକ୍ଷା ବଢ଼ିବା ସଙ୍ଗେ ସଙ୍ଗେ ପଞ୍ଚାୟତରାଜ ମଧ୍ୟ ଆରମ୍ଭ ହୋଇଯାଇଛି । ଦିଲ୍ଲୀ, ଭୁବନେଶ୍ୱର ରାଜନୀତି ଆଜି ଗାଁ ଗହଳରେ ପଶିଛି । ଏଣୁ ଗାଁ ମଜ୍‌ଲିସରେ କେବଳ ଗ୍ରାମ ସମସ୍ୟା ଆଲୋଚନା କରିବାର ସେପରି ଆବଶ୍ୟକତା ନାହିଁ । ମୋଟ କଥା ପୂର୍ବ ଗାଁ-ଜୀବନ ଆଜି ନାହିଁ । ତାକୁ ଫେରାଇ ଆଣିବାକୁ ଚେଷ୍ଟା କରିବା ଓ ଇଚ୍ଛା କରିବା ମଧ୍ୟ ବୃଥା । ଏଣୁ ନୂତନ ଅବସ୍ଥାରେ ଯେଉଁସବୁ ସମସ୍ୟା ଦେଖା ଦେଇଛି ତା’ର କିପରି ସମାଧାନ ହେବ ସେଇ କଥା ଆଲୋଚନା କରାଗଲେ ଭଲ ହେବ । ସେ ଆଲୋଚନା, ଗାଁ-ସହର, ଶିକ୍ଷିତ-ଅଶିକ୍ଷିତ ସମସ୍ତଙ୍କ ପାଇଁ । ନୂତନ ଅବସ୍ଥାରେ ପୁରୁଣା ସମସ୍ୟା ସବୁ କିପରି ନୂଆ ରୂପରେ ପ୍ରକାଶ ପାଉଛି । ତା’ର ଏକ ନମୁନା ଜାତିପ୍ରଥା ଓ ଜାତିଆଣ ଭାବ ।

 

ବହୁପୂର୍ବେ ଜାତି ରହିଥିଲା ଖିଆପିଆରେ, ଛୁଆଁଛୁଇଁରେ ଓ ବାହାସାଧିରେ । ଆଜିକି ୪୦/୫୦ ବର୍ଷ ପୂର୍ବେ ଦୁଆରେ ପାଣ ଖପରା ପକାଇ ଦେଲେ ଲୋକ ଘରୁ ବାହାରି ପାରୁ ନଥିଲା, ଏକଥା ଆଜି କେହି କଳ୍ପନା କରି ପାରିବେ ନାହିଁ । କାହା ସାଙ୍ଗରେ କିଏ ଖାଇଦେଲେ ଜାତି କଳ୍ପନା କରି ପାରିବେ ନାହିଁ । କାହା ସାଙ୍ଗରେ କିଏ ଖାଇଦେଲେ ଜାତି ଚାଲିଯାଉଥିଲା । ଏପରିକି ଦୁର୍ଭିକ୍ଷ ସମୟରେ ଅନାହାରରୁ ରକ୍ଷା ପାଇବା ପାଇଁ ଛତ୍ରରେ ଖାଇଲେ ମଧ୍ୟ ଜାତି ଚାଲିଯାଉଥିଲା । ଆଜି ଏସବୁ ଅତି ପୁରୁଣା କଥା । ଖାଇବା ପିଇବାରୁ ଜାତି ପୂରାପୂରି ହଟି ଆସିଲାଣି । ବାହାସାଧିରେ ଜାତି ଆଜିସୁଦ୍ଧା ଅଛି ମାତ୍ର ସେଠି ତା’ର ସେପରି ଜୋର ନାହିଁ । ବହୁସଂଖ୍ୟାରେ ସବର୍ଣ୍ଣ ବିବାହ, ପ୍ରେମ ବିବାହ ଇତ୍ୟାଦି ହୋଇଯାଇଥିବାରୁ ଜାତି ସେଠି ହାର ମାନି ଯାଉଛି । କିନ୍ତୁ ଜାତିର ଚେର ତ ବହୁ ତଳେ । ଅଗକୁ ଯେତେ ଭାଙ୍ଗିଦେଲେ ମଧ୍ୟ ଚେର ତଳେ ତଳେ ଯାଇ ଅନ୍ୟଠି ଗଛ ବାହାରି ପଡ଼ୁଛି । ଆଜି ଜାତିର ଜୋର ଦେଖାଯାଉଛି ରାଜନୀତି କ୍ଷେତ୍ରରେ, ଜାତିଆଣ ଭାବ ପ୍ରକାଶ ପାଉଛି ରାଜନୈତିକ ଦଳ ଭିତରେ । ଜାତିର ସୁବିଧା ନେଇ ନିର୍ବାଚନରେ ଜିତିବା ବା ଜାତିପ୍ରୀତିରେ ମେଣ୍ଟ ବାନ୍ଧି ଦଳ ଗଢ଼ିବା ଆଜି ଯେପରି ରାଜନୈତିକ କ୍ଷେତ୍ରରେ, ପୂର୍ବେ ସେପରି ନଥିଲା ।

 

ଜାତିଆଣ ଭାବ ରାଜନୀତିରେ ବର୍ତ୍ତମାନ ସବୁଠାରୁ ପ୍ରବଳ । ସବୁ ବିଷୟରେ ସମସ୍ତଙ୍କର ମତପ୍ରକାଶ କରିବାର ଅଧିକାର ଅଛି ବୋଲି କୁହାଯାଉଥିଲେ ମଧ୍ୟ କିଏ କେଉଁଠି ଦଳପତି ବା ଦଳର ପ୍ରଧାନ ଲୋକଙ୍କୁ ସମାଲୋଚନା କଲେ ତାକୁ ଦଳରୁ ବାହାର କର ବା ଜାତିରୁ ଅଟକାଅ ବୋଲି ଚିତ୍କାର ଉଠୁଛି । ପୂର୍ବେ ରାଜା ବା ପୁରୋହିତମାନେ ଯେପରି ଜାତିକୁ ନିୟନ୍ତ୍ରଣ କରୁଥିଲେ ଆଜି ଦଳପତିମାନେ ସେହିପରି ଠିକ୍‌ ସେହି ଉପାୟରେ ଦଳକୁ ନିୟନ୍ତ୍ରଣ କରିବା ପାଇଁ ଉଦ୍ୟମ କରୁଛନ୍ତି । ଫଳରେ ପୂର୍ବେ ଯେପରି ଜାତି ଜାତି ମଧ୍ୟରେ ଖିଆପିଆ ବାହାସାଧି ବନ୍ଦ ଥିଲା, ଆଜି ସେହିପରି ଦଳ ଦଳ ମଧ୍ୟରେ ବସାଉଠା କଥାବାର୍ତ୍ତା କରିବା ସୁଦ୍ଧା ବନ୍ଦ କରିବାକୁ ଉଦ୍ୟମ କରାଯାଉଛି । ଏ ଏକ ପୁରୁଣା ସମସ୍ୟାର ନୂଆ ରୂପ । ଜାତିପ୍ରଥା ଉଠାଅ, ଜାତିଆଣ ଭାବ ଛାଡ଼, କାରଣ ଏସବୁ ଗଣତନ୍ତ୍ରର ବିରୋଧୀ ଶକ୍ତି, ଏପରି ସ୍ୱର ଉଠୁ ଉଠୁ ଜାତି ଗଳି ପଶି ସ୍ୱର ଉଠାଉଥିବା ଲୋକଙ୍କ ଭିତରେ ଯାଇ ପହୁଞ୍ଚିଗଲାଣି । ଏଥିପ୍ରତି ସାବଧାନ ନ ହେଲେ ଦେଶରେ ଗଣତନ୍ତ୍ର ରହିବ ନାହିଁ କି ଦେଶ ଅଖଣ୍ଡ, ରହିପାରିବ ନାହିଁ । କଥା କହିଲେ ସହିଯିବା ଓ କଥାକୁ କଥାରେ କାଟି ତୁଲାଇବା ଏପ୍ରକାର ମନୋବୃତ୍ତି ପ୍ରକାଶ ପାଇବା ପରିବର୍ତ୍ତେ ଟଙ୍କାଦେଇ ମୁହଁ ବନ୍ଦ କରିଦେବା ବା ଜବଦ କରିଦେଇ କଥା ବନ୍ଦ କରିବାର ମନୋବୃତ୍ତି ପ୍ରକାଶ ପାଉଛି, ଏଇଠି କର୍ତ୍ତବ୍ୟ କଅଣ ବିଚାର କରିବା ଉଚିତ । ଜାତିପ୍ରଥା ଯେତେବେଳେ ଉତ୍କଟ ଆକାର ଧାରଣ କଲା, ସେତେବେଳେ ବହୁସଂଖ୍ୟାରେ ଲୋକେ ସ୍ୱଧର୍ମ ଛାଡ଼ି ଅନ୍ୟ ଧର୍ମଗ୍ରହଣ କଲେ; ପୁଣି ଅନେକ ସଂସ୍କାରକ ବାହାରି ଜାତିପ୍ରଥା ବିରୋଧରେ ଲଢ଼ିଲେ ଓ ଜାତିରୁ ପ୍ରଭୁତ୍ୱକୁ ସାମାଜିକ ଜୀବନରୁ ହଟାଇଲେ । ଆଜି ଦେଶର ଗଣତନ୍ତ୍ର ସେହିପରି ଏକ ଉତ୍କଟ ଅବସ୍ଥାରେ ପଡ଼ିଛି । ରାଜନୈତିକ ଦଳ ଭିତରେ ଯେଉଁ ଜାତିଆଣ ଭାବ ପ୍ରକାଶ ପାଉଛି, ତାର ପ୍ରବଳ ପ୍ରତିରୋଧ କରିବାକୁ ହେବ । ଏତିକି ସାଧାରଣ ଭାବରେ କହିବା ପରେ ଓଡ଼ିଶାର ରାଜନୀତି କ୍ଷେତ୍ରରେ ଯେଉଁ ପ୍ରଶ୍ନ ସବୁ ଉଠୁଚି ତା’ର ଆଲୋଚନା ପରବର୍ତ୍ତୀ ବୈଠକରେ କରିବି ।

 

୧୪-୯-୬୫

ମଙ୍ଗଳବାର

 

ଜାତୀୟତା ଭାବ

 

ପାକିସ୍ଥାନ ସହିତ ହିନ୍ଦୁସ୍ତାନ ବା ଭାରତର ଯେଉଁ ଯୁଦ୍ଧ ଚାଲିଛି, ଏଥିରେ ବିଚଳିତ ନ ହୋଇ ଏହାକୁ ଭାରତର ସଙ୍ଗଠନ ଦିଗରେ ଏକ ଅତି ଆବଶ୍ୟକୀୟ ବ୍ୟାପାର ବୋଲି ମନେ କରିବାକୁ ହେବ । ପ୍ରଥମ କଥା, ମନ ଭିତରେ ସମସ୍ତଙ୍କୁ ଭଲ ଭାବରେ ଜାଣି ନେବାକୁ ହେବ ଯେ ଏ ଦୁଇ ଦେଶର ବିବାଦ ଧର୍ମଗତ ନୁହେଁ । ହିନ୍ଦୁସ୍ତାନ ପାକିସ୍ତାନ ଲଢ଼ାଇର ଅର୍ଥ କେବେ ନୁହେଁ ହିନ୍ଦୁ ମୁସଲମାନ ଲଢ଼ାଇ ।

 

ହିନ୍ଦୁସ୍ତାନର ଯେପରି ଶାସନ ବିଧାନ ଅଛି, ପାକିସ୍ତାନର ସେହିପରି ନିଜର ଶାସନ ବିଧାନ ଅଛି । ଏ ଦୁଇ ଶାସନ ବିଧାନରେ ପ୍ରଭେଦ ଅଛି । ମାତ୍ର ପ୍ରତ୍ୟେକ ଦେଶ ତା’ର ନିଜର ଶାସନ ବିଧାନ ପ୍ରତି ଏକାନ୍ତ ଅନୁଗତ ହୋଇ ରହିବା ଆବଶ୍ୟକ । ହିନ୍ଦୁସ୍ତାନର ଶାସନ ବିଧାନ ଅନୁସାରେ ଭାରତରେ ଯେତେ ଅଧିବାସୀ ଅଛନ୍ତି ସେମାନଙ୍କର ଜାତି ଧର୍ମ ଯାହାହେଉ ପଛକେ, ସେମାନଙ୍କର ସମସ୍ତଙ୍କର ସମାନ ଅଧିକାର । ହିନ୍ଦୁର ଯେପରି ଏ ଦେଶ, ମୁସଲମାନର ମଧ୍ୟ ସେହିପରି ଏ ଦେଶ ।

 

ମଝିରେ ମଝିରେ ହିନ୍ଦୁ ମୁସଲମାନ ବିବାଦ ଘଟି ଯେ ହାଣ ମାର କାଟ ହୋଇଯାଉଛି, ଯେପରି ରାଉଲକେଲାରେ ହୋଇଗଲା, ତାହା ନିତାନ୍ତ ଲଜ୍ଜାର ବିଷୟ ଓ ସେଥିରେ ହିନ୍ଦୁସ୍ତାନର ଶାସନ ବିଧାନ ଦୁର୍ବଳ ହେଉଛି । ଠାକୁର ମନ୍ଦିରରେ ମାଛ ମାଂସ ରନ୍ଧା ହେଲେ ଯେପରି ମନ୍ଦିର ଅପବିତ୍ର ହୁଏ, ସେହିପରି ଭାରତର ଶାସନ ବିଧାନର ଅଧୀନରେ ହିନ୍ଦୁ ମୁସଲମାନ ବିବାଦ ଘଟିଲେ, ଶାସନ ବିଧାନ ଅପବିତ୍ର ହୁଏ ।

 

ଅନେକେ ଚୁପକରି କହି ଦିଅନ୍ତି, ଅନେକ ମୁସଲମାନଙ୍କର ଦେହ ଭାରତରେ କିନ୍ତୁ ତାଙ୍କ ମନ ପାକିସ୍ତାନରେ । ଅର୍ଥାତ୍‌ ମୁସଲମାନମାନେ ସେପରି ଦେଶପ୍ରାଣ ନୁହନ୍ତି ଯେପରି ହିନ୍ଦୁ । ଏହାର ଉଦାହରଣ ସ୍ୱରୂପ କହନ୍ତି ଶିକ୍ଷିତ ମୁସଲମାନ ଯୁବକମାନେ ପାକିସ୍ତାନରେ ଯାଇ ଚାକିରି ଖୋଜୁଛନ୍ତି । କିନ୍ତୁ ମନେ ରଖିବାକୁ ହେବ, ଦେଶ ପ୍ରତି ଯେଉଁ ଗଭୀର ଅନୁରକ୍ତି ଅନ୍ୟ ଦେଶମାନଙ୍କରେ ଦେଖାଯାଏ, ସେପରି ଭାରତରେ ଦେଖା ଯାଉନାହିଁ, କି ହିନ୍ଦୁ କି ମୁସଲମାନ, କାହାରିଠାରେ ସେପରି ଦେଖା ଯାଉନାହିଁ । ଯଦି ମୁସଲମାନ ଅନ୍ୟ ଦେଶରେ ନିଜର ଉନ୍ନତି ପାଇଁ ଭାଗ୍ୟ ଖୋଜି ବୁଲୁଛନ୍ତି, ହିନ୍ଦୁ ମଧ୍ୟ ସେହିପରି ହଜାର ହଜାର ସଂଖ୍ୟାରେ ବିଭିନ୍ନ ଦେଶରେ ଯାଇ ରହି ଯାଉଛନ୍ତି ।

Image

 

ଦେଶାତ୍ମବୋଧ

 

ଦେଶାତ୍ମବୋଧ ଭାରତରେ ଆରମ୍ଭ ହୋଇଛି ଅଳ୍ପକାଳ ହେଲା, ପ୍ରାୟ ପଚାଶବର୍ଷ ହେବ । ଏଣୁ ସେ ପ୍ରବୃତ୍ତି ସେପରି ଦୃଢ଼ ହୋଇନାହିଁ । ଦେଶାତ୍ମବୋଧକୁ ଦୃଢ଼ ଓ ଶକ୍ତିଶାଳୀ କରିବା ହେଉଛି ପ୍ରତ୍ୟେକ ଦେଶବାସୀର କର୍ତ୍ତବ୍ୟ ।

 

ଦେଶ ଦେଶ ମଧ୍ୟରେ ସଂଘର୍ଷ ମଧ୍ୟ ଦେଶାତ୍ମବୋଧକୁ ଦୃଢ଼ କରିଥାଏ । ପାଶ୍ଚାତ୍ୟ ଦେଶମାନଙ୍କରେ ବାରମ୍ବାର ଯୁଦ୍ଧ ଲାଗିବା ଫଳରେ ଜାତୀୟତା ଭାବ ଦୃଢ଼ ହୋଇ ହୋଇ ଚାଲିଛି । ଚୀନ ଆକ୍ରମଣବେଳେ ଭାରତରେ ସେହିପରି ଜାତୀୟତାର ଉଦ୍ରେକ ହୋଇଥିଲା । ମାତ୍ର ନେତୃତ୍ୱ ଅଭାବରୁ ତାହାର ଅଭିବୃଦ୍ଧି ଘଟିଲା ନାହିଁ ।

 

ଆଜି ପାକିସ୍ତାନ ସହିତ ଯେଉଁ ଯୁଦ୍ଧ ଚାଲିଛି, ସେଥିରେ ବଳିଷ୍ଠ ନେତୃତ୍ୱରେ ପ୍ରମାଣ ମିଳୁଛି । ଏହି ଯୁଦ୍ଧ ଯୋଗେ ଭାରତର ଜାତୀୟତା ଦୃଢ଼ ହେବ ଏଥିରେ ସନ୍ଦେହ ନାହିଁ । ଭାରତର ଜାତୀୟତା କହିଲେ ନିଃସନ୍ଦେହରେ ଏହା ବୁଝିବା ଉଚିତ ଯେ ଧର୍ମ ଯାହାର ଯାହା ହେଉ ପଛକେ ଏ ଦେଶବାସୀ ସମସ୍ତେ ଏକ ଓ ସମସ୍ତଙ୍କର ଏ ଦେଶ ।

 

ସୈନ୍ୟବାହିନୀର ବିକ୍ରମ

 

ଭାରତୀୟ ସୈନ୍ୟବାହିନୀ ଯୁଦ୍ଧରେ ଯେଉଁ ବିକ୍ରମର ପ୍ରମାଣ ଦେଉଛନ୍ତି ସେଥିରେ ଭାରତ ପ୍ରତି ଅନ୍ୟ ଦେଶମାନଙ୍କର ସମ୍ମାନ ବଢ଼ୁଛି । ଚୀନ ଦ୍ୱାରା ପରାଜିତ ହେବା ପରେ ଭାରତର ବିକ୍ରମ ପ୍ରତି ସାରା ପୃଥିବୀ ସନ୍ଦିହାନ ହୋଇଥିଲା । ସେ ସନ୍ଦେହ ପାକିସ୍ତାନ ଯୁଦ୍ଧରେ ଦୂର ହୋଇଯାଉଛି ।

 

ଚୀନ ଯୁଦ୍ଧରେ ପରାଜୟର ଜଣେ କାରଣ ଥିଲା ତତ୍କାଳୀନ ନେତୃତ୍ୱର ଦୁର୍ବଳତା । ନେତୃତ୍ୱ କହିଲେ ଜବାହରଲାଲ ନେହେରୁ ବୁଝାଏ ନାହିଁ । ଜଣେ ବଡ଼ ନେତା ଉପରେ ରହିଥିଲେ ମଧ୍ୟ ଶାସନ ଓ ସୈନ୍ୟବାହିନୀର ନେତୃତ୍ୱ ଦୁର୍ନୀତିଗ୍ରସ୍ତ ଓ ଦୁର୍ବଳ ହୋଇ ଯାଇପାରେ– ସେହିପରି ସେତେବେଳେ ଘଟିଥିଲା । ଆଜି ତାହା ନାହିଁ । ତେଣୁ ସେନାବାହିନୀ ଆଜି ଜୀବନକୁ ନେଇ ରଣଭୂମିରେ ଖେଳ କରୁଛନ୍ତି । ଅସୀମ ଉତ୍ସାହ ଆଜି ଭାରତୀୟ ସେନାର । ସେ ଉତ୍ସାହ ଭାରତର ଜାତୀୟତାକୁ ଦୃଢ଼ କରୁ । ସେ ଉତ୍ସାହ ଭାରତର ଶାସକଙ୍କୁ ମଧ୍ୟ ଶୁଦ୍ଧ କରିଦେଉ ।

 

କଠୋର ଶୃଙ୍ଖଳା ଓ ସଂଯମ

 

ଅନ୍ୟ ଦେଶ ସହିତ ଯେତେବେଳେ ଯୁଦ୍ଧ ଲାଗିଛି ସେତେବେଳେ ଦେଶରେ ଲୋକେ ଯେପରି ଶାସନ ଦ୍ୱାରା କୌଣସି ପ୍ରକାର ଅତ୍ୟାଚାରିତ ନ ହୁଅନ୍ତି ସେଥିପ୍ରତି ତୀବ୍ର ଦୃଷ୍ଟି ଦେବା ଶାସନର କର୍ତ୍ତବ୍ୟ । ଶାସନରୁ ବ୍ୟକ୍ତିଗତ ଓ ଦଳଗତ ବିଚାର ହଟାଇ ନେଇ ନୀତି ନିୟମ ଅନୁସାରେ ଚାଲିଲେ ଶାସନ ଆପେ ଆପେ ଶୁଦ୍ଧ ହୋଇଯିବ । ଶାସନ ମୌଜ୍‌ ମଜ୍‌ଲିସ ନୁହେଁ । ଶାସନ ହେଉଛି କଠୋର ଶୃଙ୍ଖଳା ଓ ସଂଯମ । ଦେଶରେ ଯେ ଶକ୍ତି କ୍ରମେ ଜାଗ୍ରତ ହେଉଛି ସେଥିରେ ନିଆଁରେ ସୁନାର ଖାଦ ପୋଡ଼ି ହୋଇଗଲା ପରି, ଶାସନର ଦୋଷଯାକ ମଧ୍ୟ ଧ୍ୱଂସ ପାଇଯିବ ।

 

୨୦-୯-୬୫

ସୋମବାର

 

ଦଳଠାରୁ ଦେଶ ବଡ଼

 

ପାକିସ୍ତାନ ସାଙ୍ଗରେ ଭାରତର ଯେଉଁ ଲଢ଼ାଇ ଲାଗିଯାଇଛି ତାକୁ ସାମାନ୍ୟ କଥା ବୋଲି ମନେ କରିବା ଠିକ ନୁହେଁ, ସେହିପରି ପଞ୍ଜାବୀ ସୁବା ପାଇଁ ସନ୍ଥ ପତେସିଂହ ଆତ୍ମବଳି ଦେବାପାଇଁ ଯେଉଁ ପଣ କରିଛନ୍ତି ତାହା ମଧ୍ୟ ସାମାନ୍ୟ ନୁହେଁ । ଦରଦାମ ବୃଦ୍ଧି ଯୋଗୁଁ ଚାରିଆଡ଼େ ଯେ ଲୋକେ ହିନସ୍ତା ହେଉଛନ୍ତି ତାହା ମଧ୍ୟ ସାମାନ୍ୟ ନୁହେଁ । ବହୁ ସ୍ଥାନରେ ଦରବୃଦ୍ଧି ବିରୋଧରେ ଆନ୍ଦୋଳନ କରି ଲୋକେ ଗୁଳି ମାଡ଼ରେ ପ୍ରାଣ ହରାଇଥିବା ଖବର ଖବରକାଗଜରେ ବାହାରୁଛି ।

 

ଶାସନ କ୍ଷେତ୍ରରେ ଆଇନର ଶାସନ କ୍ରମେ ଢିଲା ହୋଇ ଯାଇ ହୁକୁମର ଶାସନ ପ୍ରବଳ ହେଉଥିବାରୁ ସାଧାରଣ ଲୋକେ ପ୍ରମାଦ ଗଣୁଛନ୍ତି । ଶାସନଗତ ବିଷୟମାନଙ୍କ ଭିତରେ ଜଳକର, ବନ୍ଦୋବସ୍ତ ଜୁଲମ, ପଞ୍ଚାୟତ ସମିତି, ମ୍ୟୁନିସିପାଲଟି ପ୍ରଭୃତିର ପରିଚାଳନାରେ ତ୍ରୁଟି, ନାନାପ୍ରକାର ଲାଞ୍ଚ ମିଛ ଭିତରେ ପଡ଼ି ଶିକ୍ଷକମାନେ ଦୁର୍ଦ୍ଦଶା ଭୋଗିବା, ଇତ୍ୟାଦି ଯାଏ । ଏସବୁ ସମସ୍ୟା ଉତ୍କଟ ଓ ବଡ଼ ଓ ଏମାନଙ୍କ ସଂଖ୍ୟା ମଧ୍ୟ ଅନେକ ।

 

ପ୍ରତ୍ୟେକ ଚିନ୍ତାଶୀଳ ବ୍ୟକ୍ତି ଏସବୁ ସମସ୍ୟାମାନଙ୍କ ପ୍ରତି ମନଦେବା ଉଚିତ । ଏ ସବୁର ସମାଧାନ କିପରି ହେବ ତାହା ସ୍ଥିର କରି ପ୍ରକାଶ କରିବା ଉଚିତ । ଏସବୁ ସମସ୍ୟାକୁ ଭାବିଚିନ୍ତି ସମାଧାନ କରିବା ପାଇଁ ସରକାରଙ୍କ ଉପରେ ଛାଡ଼ିଦେଇ ନିଶ୍ଚିନ୍ତ ହୋଇ କେବଳ ଘରେ ସମାଲୋଚନା କଲେ ଚଳିବ ନାହିଁ । ଏସବୁ ବିଷୟରେ ସରକାରଙ୍କୁ ସରକାରୀ ଦଳ ଅର୍ଥାତ୍‌ କଂଗ୍ରେସ ଦଳ ଜନ ସାଧାରଣଙ୍କ ପକ୍ଷରୁ ସାହାଯ୍ୟ କରିବା ଉଚିତ ।

 

ଯେଉଁଠି ଚାଉଳ ମିଳୁ ନାହିଁ ଆନ୍ଦୋଳନ ହେଉଛି ଓ ଶାସନକୁ ଗୁଳି ଚଳାଇବାକୁ ପଡ଼ୁଛି ସେଠି ଲୋକଙ୍କ ଆପତ୍ତି ଅଭିଯୋଗ ବୁଝି ସେ ସବୁର ପ୍ରତିକାର କରିବା ପାଇଁ କଂଗ୍ରେସ ଲୋକେ ଥିଲେ ହୁଏତ ଏତେ ଲୋକଙ୍କର ପ୍ରାଣ ଯାଆନ୍ତା ନାହିଁ । କିନ୍ତୁ ଦୁଃଖର ବିଷୟ ଦେଶର ବଡ଼ ବଡ଼ ସମସ୍ୟା ସାଙ୍ଗକୁ କାନ୍ଧକୁ କାନ୍ଧ ମିଳାଇ କଂଗ୍ରେସ ଭିତରର ବିବାଦ ଖବରକାଗଜ ମାନଙ୍କରେ ପ୍ରକାଶିତ ହେଉଛି । କଂଗ୍ରେସର ଭିତରର ବ୍ୟାପାରକୁ ଏପରି ଗୁରୁତ୍ୱ ଦେବା ଭୁଲ ହେଉଛି ବୋଲି ଦିଲ୍ଲୀରେ ସମ୍ବାଦପତ୍ରମାନଙ୍କୁ ଓ କଂଗ୍ରେସ କର୍ତ୍ତୃପକ୍ଷମାନଙ୍କ ସହିତ ଆଲୋଚନା କରିଛି । ତା’ର କିଛି ଫଳ ହୋଇଛି ମାତ୍ର ତାହା ସୁଧୂରି ପାରିବ ବୋଲି ମନେ ହେଉନାହିଁ ।

 

ଜାତିଆଣ ନିୟମ

 

କଂଗ୍ରେସ ଭିତରେ କିଏ ରହିବ କିଏ ନ ରହିବ ଏ କଥାକୁ ବସିଯାଇ ସ୍ଥିର କରି ଆଗକୁ ଚାଲିଲେ ହୁଅନ୍ତା । ଯେଉଁମାନେ କଂଗ୍ରେସରେ ରହିଲେ ସେମାନେ ଦେଶର ସମସ୍ୟାମାନଙ୍କ କଥା ନିଜ ବାଟରେ ବିଚାରନ୍ତେ । ଯେଉଁମାନେ ବାହାରକୁ ଗଲେ ସେମାନେ ତାଙ୍କର ବାଟ ଦେଖନ୍ତେ । କଂଗ୍ରେସକୁ ଜାତିଆଣ ନିୟମ ଭିତରେ ପକାଇବା ପାଇଁ ଉଦ୍ୟମ କରିବା ଭୁଲ ହେଉଛି ।

 

ଉଦାହରଣ ସ୍ୱରୂପ ମୋ କଥା ମୁଁ କହୁଛି । ୧୯୬୧ ସାଲରୁ ଆଜି ସୁଦ୍ଧା ମୋତେ କଂଗ୍ରେସରୁ ବାହାର କରିବା ପାଇଁ ଚାରିଥର ଉଦ୍ୟମ ହେଲାଣି । ଥରେ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀମାନଙ୍କ ବିରୋଧରେ କାର୍ଯ୍ୟ କରିଥିଲି ବୋଲି ଅଭିଯୋଗ ହୋଇଥିଲା । ଦ୍ୱିତୀୟ ଥର, ସ୍ୱର୍ଗତ ଭୁବନାନନ୍ଦ ଦାସଙ୍କ ଶ୍ରାଦ୍ଧସଭାରେ ତାଙ୍କର ପାର୍ଲିଆମେଣ୍ଟ ପ୍ରଣାଳୀର ଶାସନକୁ ଅବଦାନ ବିଷୟରେ ଯାହା କହିଥିଲି ତାହା ଦୋଷାବହ ବୋଲି ଅଭିଯୋଗ ହେଲା । ତୃତୀୟ ଥର ମୁଁ ଯେ ପ୍ରଧାନମନ୍ତ୍ରୀଙ୍କୁ ଲେଖିଲି ଓଡ଼ିଶା ସରକାରଙ୍କ ଆର୍ଥିକ ଅବସ୍ଥା ତଦନ୍ତ କରିବା ପାଇଁ ତାହା ଦୋଷାବହ ବୋଲି କୁହାହେଲା । ବର୍ତ୍ତମାନ ପୁଣି ଖବର କାଗଜରେ ବାହାରୁଛି ଯେ କଂଗ୍ରେସରୁ ବାହାର କରିବା ପାଇଁ ଓଡ଼ିଶା କଂଗ୍ରେସ ସଭାପତି ଉପରକୁ ଲେଖିଛନ୍ତି ।

 

ମଠର ପ୍ରତିଷ୍ଠା କ୍ଷୁର୍ଣ୍ଣ

 

ଓଡ଼ିଶା କଂଗ୍ରେସର ବର୍ତ୍ତମାନ ନେତୃତ୍ୱ ମୋ’ଭଳି ଲୋକକୁ କଂଗ୍ରେସ ଭିତରେ ଚାହାନ୍ତି ନାହିଁ, ଏହା ସ୍ପଷ୍ଟ ହୋଇଗଲା ପରେ ଆଉ ସେଥିରେ ଲାଗିବାର କୌଣସି ପ୍ରୟୋଜନ ନାହିଁ । ଧରି ନିଆଯାଉ ମୁଁ କଂଗ୍ରେସରେ ନାହିଁ । ତା’ପରେ ଓଡ଼ିଶା କଂଗ୍ରେସ ସାଧାରଣଙ୍କ ସମସ୍ୟା ପ୍ରତି ଦୃଷ୍ଟି ଦେଉ । କିଏ କଂଗ୍ରେସରେ ରହିଲା କିଏ ଗଲା ସେଥିରେ ଜନସାଧାରଣଙ୍କ ଯେତେ ଆଗ୍ରହ ନାହିଁ, ସେମାନଙ୍କ ଆଗ୍ରହ ନିର୍ମଳ ଶାସନରେ, ନ୍ୟାୟ ବିଚାରରେ ଓ ସହାନୁଭୂତିଶୀଳ ପରିସ୍ଥିତିରେ । ଜନସାଧାରଣଙ୍କ ସମସ୍ୟାକୁ ଗୌଣ କରି ଦେଇ କିଏ ମଠରେ ରହିବ ସେହି ବିବାଦକୁ ପ୍ରଧାନ କରିଦେବା ଫଳରେ ମଠର ପ୍ରତିଷ୍ଠା କ୍ଷୁର୍ଣ୍ଣ ହେଉଛି ।

 

ଆଜି ଦେଶର ସମସ୍ୟାମାନଙ୍କ ଭିତରେ ଯୁବସମାଜ ଅସ୍ଥିର, କେବଳ ଓଡ଼ିଶାରେ ନୁହେଁ ସର୍ବତ୍ର । ସେମାନଙ୍କୁ କଅଣ କୌଣସି ଦଳର ଅନ୍ତର୍ବିବାଦ ଉତ୍ସାହ ଦେବ ? କଦାପି ନୁହେଁ । କିନ୍ତୁ ଯାହା ରହିଛି ପୂର୍ବେ, ଦେଶର ସମସ୍ୟାମାନଙ୍କୁ ମୁଖ୍ୟ ବୋଲି ମନେକରି ସେଇଥିରେ ମନପ୍ରାଣ ଦେବା ରାଜନୈତିକ ଦଳ ଭିତରେ ସମ୍ଭବ ହେଉନାହିଁ । ଏଣୁ ସେ ଦଳଗତ ବିଚାରର ବାହାରକୁ ମନ ଦେଇ ଜନତାର ସମସ୍ୟା ପ୍ରତି ଦୃଷ୍ଟିଦେବା କର୍ତ୍ତବ୍ୟ । ତାହାହିଁ କରିବାକୁ ମୁଁ ଚେଷ୍ଟା କରି ଆସୁଛି ।

 

ଦଳଠାରୁ ଦେଶ ବଡ଼

 

କଂଗ୍ରେସ ଭିତରୁ ବାହାର କରିବାପାଇଁ ବାରମ୍ବାର ଉଦ୍ୟମ ହେଉଥିଲେ ମଧ୍ୟ ମୁଁ ସେଥିରେ କିଛି କହୁନାହିଁ । ମୋତେ ମଧ୍ୟ ସେ ବିଷୟରେ କେହି କିଛି ପଚାରୁ ନାହାନ୍ତି । ମୁଁ ଚାଲିଛି ମୋତେ ଯେଉଁ ବାଟ ଦିଶୁଛି ସେଥିରେ । କଂଗ୍ରେସରୁ ବାହାର କରିଦେବା ସ୍ଥିରହେଲେ ମୁଁ କିଛି ଲଢ଼ାଭିଡ଼ା କରିବି ନାହିଁ । ବାହାରିଗଲେ ଯିବି । କାରଣ କାହାରି ଶିକ୍ଷାରେ ପଡ଼ି ବା କୌଣସି ପ୍ରଲୋଭନରେ ମୋ’ପରି ଲୋକ କଂଗ୍ରେସରେ ମିଶି ନଥିଲେ । ଦେଶରେ କାମ କରିବାପାଇଁ ମୋରି ପରି ହଜାର ହଜାର କଂଗ୍ରେସରେ ମିଶିଥିଲେ । ଆମ ପକ୍ଷରେ ଦେଶର ସମସ୍ୟା ବଡ଼, ଦଳଠାରୁ ଦେଶ ବଡ଼ ।

 

ତୃତୀୟ ପଞ୍ଚବାର୍ଷିୟ ଯୋଜନା କାଳ ଶେଷ ହେବାକୁ ଯାଉଛି । ଓଡ଼ିଶାରେ ଏ ଯୋଜନା କିପରି କାର୍ଯ୍ୟ କରିଛି, ଓଡ଼ିଶାର ଶାସନର ବର୍ତ୍ତମାନ ଅବସ୍ଥା, ଓଡ଼ିଶାର ବର୍ତ୍ତମାନ ଆର୍ଥିକ ସ୍ଥିତି ଏସବୁ ସମସ୍ୟା କଂଗ୍ରେସ ଭିତରେ ଥିଲେ କରିବା ଉଚିତ, ନଥିଲେ ବି କରିବା ଉଚିତ । ଏଣୁ ଏହିସବୁ ସମସ୍ୟା ପ୍ରତି ଚିନ୍ତାଶୀଳ ବ୍ୟକ୍ତିମାନଙ୍କ ଦୃଷ୍ଟିପଡ଼ୁ । କଂଗ୍ରେସ ଭିତରେ କଅଣ ହେଉଛି ନ ହେଉଛି ତାକୁ କଂଗ୍ରେସ ସଭାପତିମାନଙ୍କୁ ଛାଡ଼ିଦିଆଯାଉ ।

Image

 

୨୪-୯-୬୫

ଶୁକ୍ରବାର

 

ସଂଯମର ଆହ୍ୱାନ

 

ପାକିସ୍ତାନ ସହିତ ଯୁଦ୍ଧରେ ଆମର ସେନାବାହିନୀ ଯେପରି ବୀରତ୍ୱର ପ୍ରମାଣ ଦେଇଛନ୍ତି ତାହା ଶୁଣିଲେ ମନେହେବ ଯେପରି ପୂର୍ବକାଳର ରାଜପୁତ କାହାଣୀ କେହି କହୁଛି ବା ଜାପାନୀ ସୈନ୍ୟମାନଙ୍କର ବୀରତ୍ୱ କେହି ବର୍ଣ୍ଣନା କରୁଛି । ବାସ୍ତବିକ ଜାତି ଧର୍ମ ନିର୍ବିଶେଷରେ ଭାରତୀୟ ସୈନ୍ୟ ନିଜର ବୀରତ୍ୱରେ ଆଜି ସାରା ପୃଥିବୀକୁ ଚମତ୍କୃତ କରିଛନ୍ତି ।

 

ମୋର ନିଜ ଜାଣିବା କଥା କହୁଛି– ଦୁଇଟି ଆମେରିକା ନିର୍ମିତ ପ୍ରଧାନ ଯୁଦ୍ଧ ଅସ୍ତ୍ର– ପେଟନ ଟ୍ୟାଙ୍କ ଓ ସେବର ଜେଟ୍‌ ବିମାନ, ଯାହାକୁ ମନେ କରାହେଉଥିଲା ଯେ ଗତ ଯୁଦ୍ଧ ପରେ ଏହି ଦୁଇଟି ଶ୍ରେଷ୍ଠ ଅସ୍ତ୍ରର ସମ୍ମୁଖୀନ କୌଣସି ସେନା ହୋଇପାରିବେ ନାହିଁ । ଏ ଅସ୍ତ୍ରଗୁଡ଼ିକ ଆମେରିକା ଦେଇଥିଲା ପାକିସ୍ତାନକୁ ଦରକାର ପଡ଼ିଲେ ଚୀନ ସହିତ ଲଢ଼ିବ ବୋଲି ।

 

ମାତ୍ର କାଣି ବିରାଡ଼ି ମନେକଲା ଭାରତ ହେଉଛି ଅସର୍ପା, ଦୌଡ଼ିଲା ତା’ ଆଡ଼କୁ ଅଶିଟନର ଟ୍ୟାଙ୍କ ନେଇ ଓ ଉପରେ ସେବର ଜେଟ ଉଡ଼ାଇ । କିନ୍ତୁ ଗତ ଦୁଇବର୍ଷ ମଧ୍ୟରେ ଭାରତର ସେନାବାହିନୀରେ ଯେଉଁ ନୂତନ ନେତୃତ୍ୱ ସଂଗଠିତ ହୋଇଛି ଓ ଯେଉଁ ନେତୃତ୍ୱ ମୁଖ୍ୟତଃ ଯୁବକମାନଙ୍କ ଦ୍ୱାରା ସଙ୍ଗଠିତ ସେଥିରେ ଭାରତ ୧୯୬୨ ସାଲର ନେଫାଯୁଦ୍ଧର ଭାରତ ହୋଇ ଆଉ ନାହିଁ । କାଣି ବିରାଡ଼ି ହାବୁଡ଼ିଗଲା ଏକ ସିଂହ ଆଗରେ । ଯେପରି ଭାବରେ ପେଟନ ଟ୍ୟାଙ୍କ ଓ ସେବର ଜେଟକୁ ଭାରତୀୟ ସୈନ୍ୟମାନେ କେବଳ କୌଶଳ ଓ ସାହସରେ ନଷ୍ଟ କଲେ ତାହା ବର୍ତ୍ତମାନ ଆମେରିକାର ସର୍ବୋଚ୍ଚ ସେନା କର୍ତ୍ତୃପକ୍ଷଙ୍କ ଦ୍ୱାରା ଗବେଷଣା କରାହେଉଛି । ଗତ ଯୁଦ୍ଧରେ ଜଣେ ଜାପାନୀ ଯୁବକ ଏକ ବୋମାକୁ ଧରି ଏକ ବ୍ରିଟିଶ ଜାହାଜ ଉପରେ ପଡ଼ିଯାଇ ନିଜକୁ ଧ୍ୱଂସ କରିବା ସଙ୍ଗେ ସଙ୍ଗେ ଜାହାଜକୁ ମଧ୍ୟ ଧ୍ୱଂସ କରିଥିଲା । ଏ ପ୍ରକାର ବ୍ୟକ୍ତିଗତ ବୀରତ୍ୱ କେବଳ ଜାପାନୀଙ୍କର ଅଛି ବୋଲି ମନେ କରାହେଉଥିଲା । କିନ୍ତୁ ଠିକ ସେହିପରି ବୀରତ୍ୱ ଏକାଧିକ ଭାରତୀୟ ସୈନ୍ୟ ଦେଖାଇଛନ୍ତି ପାକିସ୍ତାନ ରଣକ୍ଷେତ୍ରରେ ।

 

ସମ୍ପୂର୍ଣ୍ଣ ଭାରତୀୟ

 

ଜାଣି ରଖନ୍ତୁ, ଏ ସୈନ୍ୟବାହିନୀ ଭାରତୀୟ, ଅର୍ଥାତ୍‌ ଏଥିରେ ଏଙ୍ଗ୍ଳେଇଣ୍ଡିଆନ, ଶିଖ୍‌, ହିନ୍ଦୁ, ପାର୍ସି, ସବୁ ଅଛନ୍ତି । ପଞ୍ଜାବୀ, ମାନ୍ଦ୍ରାଜୀ, ବଙ୍ଗାଳୀ, ଆନ୍ଧ୍ର ପ୍ରଭୃତି ହିସାବରେ ମଧ୍ୟ ସେନାବାହିନୀ ସମ୍ପୂର୍ଣ୍ଣ ଭାରତୀୟ । ଏ ସେନାବାହିନୀ ମେରୁଦଣ୍ଡ ହେଉଛନ୍ତି ବହୁସଂଖ୍ୟକ ଉଚ୍ଚ ଶିକ୍ଷିତ ନିଷ୍ଠାପର ଯୁବକ । ଏମାନଙ୍କ ଭିତରୁ କେତେକଙ୍କ ସହ ଆଳାପ ପରିଚୟ କରିବାର ସୁଯୋଗ ଘଟିଛି । ଏମାନଙ୍କ ତୁଳନାରେ ଆମେ ଯେଉଁମାନେ ରାଜନୀତିରେ ଅଛୁଁ, ଆମେ ବାସ୍ତବିକ ସଙ୍କୁଚିତ ହେବା ଉଚିତ ।

 

ଗତ ଅଠର ବର୍ଷ କାଳ କେବଳ ନିର୍ବାଚନ ଲଢ଼ିବା ଛଡ଼ା ଆଉ ଆମେ କିଛି ଶିଖିନାହୁଁ । ସେ ନିର୍ବାଚନ ପୁଣି ଜିତୁଁ, ଛଳେ ବଳେ କୌଶଳେ । ଏହି ନିର୍ବାଚନ ସର୍ବସ୍ୱ ରାଜନୀତିରୁ ଦୁର୍ନୀତି ଓ କୁଶାସନର ଉଦଭବ । କିନ୍ତୁ ଏ ଆଉ ବେଶୀଦିନ ଚାଲିପାରିବ ନାହିଁ । ପ୍ରତ୍ୟେକ ଯୁଦ୍ଧ ପରେ ସମାଜର ଚିନ୍ତାଧାରା ଓ ଦୃଷ୍ଟିକୋଣ ବଦଳି ଯାଇଥାଏ । ଆଜି ଯେଉଁମାନେ ଲକ୍ଷ ଲକ୍ଷ ସଂଖ୍ୟାରେ ଯୁଦ୍ଧକ୍ଷେତ୍ରରେ ସେମାନେ ଫେରିଆସି ସମାଜକୁ ନୂତନ ଚିନ୍ତାଧାରାରେ ଚଳାଇବା ପାଇଁ ଚେଷ୍ଟା କରିବେ ।

 

ପାକିସ୍ତାନ ସାଙ୍ଗକୁ ଚୀନ ଅଣ୍ଟା ଭିଡ଼ୁଛି ମଇଦାନରେ ଓହ୍ଲାଇବା ପାଇଁ । ଭାରତୀୟ ସୈନ୍ୟ ସେମାନଙ୍କର ମଧ୍ୟ ସମ୍ମୁଖୀନ ହେବ । ୧୯୬୨ର ନେଫା ବିପର୍ଯ୍ୟର ଆଉ ପୁନରାବୃତ୍ତି ହେବନାହିଁ ଏହା ହିଁ ଭାରତୀୟ ଯୁବ ନେତୃତ୍ୱର ଦୃଢ଼ ସଂକଳ୍ପ । ଏ ସଂକଳ୍ପ ଆଗରେ ଭାରତର ରାଜନୈତିକ ନେତୃତ୍ୱ ମୁଣ୍ଡ ନୁଆଁଇବାକୁ ବାଧ୍ୟ ହୋଇଛି । ଏହା ମଧ୍ୟ ମନେ ରଖିବାକୁ ହେବ । ଜୟ ପରାଜୟ ରଣ ଭୂମିରେ ସ୍ଥିର ହେବ । କିନ୍ତୁ ସ୍ୱାଧୀନତା ରକ୍ଷାପାଇଁ ଜୀବନ ଦେବାକୁ ହେବ, ଏତିକି ନିଶ୍ଚିତ । ଏ ଲେଖା ଲେଖିଥିଲା ବେଳେ ଚୀନ ସୈନ୍ୟ ଭାରତର ସୀମା ଅତିକ୍ରମ କରିନାହାନ୍ତି । କିନ୍ତୁ ସେମାନେ ପ୍ରବଳ ବେଗରେ ଆକ୍ରମଣ କରିବାର ସମ୍ଭାବନା ।

 

ତେଣେ ଆନ୍ତର୍ଜାତିକ ସଂଘର ନିରାପତ୍ତା କାଉନସିଲ ବୈଠକରେ ଯେପରି ଭାବରେ ଅନ୍ୟ ଦେଶର ପ୍ରତିନିଧିମାନେ ଆଲୋଚନା ଚଳାଇଛନ୍ତି, ସେଥିରେ ଭାରତକୁ ନ୍ୟାୟ ମିଳିବ ବୋଲି ଆଶା ନାହିଁ । ନିରାପତ୍ତା କାଉନସିଲ ଏକ ରାଜନୈତିକ ଅନୁଷ୍ଠାନ । ସେଠାରେ ଛକାଛକି ହୋଇ ନିଜ ନିଜ ସ୍ୱାର୍ଥ ରକ୍ଷା କରିବା ପାଇଁ ସମସ୍ତେ ତତ୍ପର । ସେ ପ୍ରକାର ରାଜନୈତିକ ଛକାଛକି ଓ ବଳ କଷାକଷିରେ ଭାରତର ଆଗ୍ରହ ନଥିଲା । ଆଜି ସେ ଦିଗକୁ ମଧ୍ୟ ଦୃଷ୍ଟି ଦେବାକୁ ପଡ଼ୁଛି । ସବୁ ଦିଗରୁ ବିଚାର କଲେ ଭାରତର ବର୍ତ୍ତମାନ ଜୀବନମରଣର ସମୟ ।

 

ସନ୍ଧିକ୍ଷଣ

 

ଏହିପରି ସମୟ ସବୁ ଦେଶରେ ଆସିଛି । ଜର୍ମାନ ଆକ୍ରମଣ ବେଳେ ଇଂଲଣ୍ଡ ରହେ କି ଯାଏ ଏପରି ଅବସ୍ଥାରେ ପହଞ୍ଚୁଥିଲା । ଜାପାନକୁ ଯେତେବେଳେ ଆମେରିକା ଜବଦ କରିବା ପାଇଁ ବସିଲା ସେତେବେଳେ ବଞ୍ଚି ରହିବ ନ ହେଲେ ଧ୍ୱଂସ ପାଇବ ଏହି ପରିସ୍ଥିତିରେ ଯୁଦ୍ଧରେ ଯୋଗଦେଇ ଧ୍ୱଂସ ବରଣ କରିଥିଲା । ଏହିପରି ପ୍ରତ୍ୟେକ ଦେଶ ଜୀବନମରଣ ସମସ୍ୟା ଭିତରେ ନିଜକୁ ଶକ୍ତିଶାଳୀ କରିଛନ୍ତି । ଭାରତର ଆଜି ସେହି ପ୍ରକାରର ସନ୍ଧିକ୍ଷଣ । ଭାରତ ବଞ୍ଚିବ, କେବେହେଲେ ମରିବ ନାହିଁ । କିନ୍ତୁ ଭାରତକୁ ନିଜର ଦୃଷ୍ଟିକୋଣ ବଦଳାଇବାକୁ ହେବ ।

 

ଏ ଦେଶରେ ସମସ୍ତେ କାର୍ଯ୍ୟକ୍ରମ ଶାନ୍ତି ସମୟର ଆମୋଦ ମୂଳକ ଅଥବା ଆନ୍ଦୋଳନ ମୂଳକ । ଦରିଦ୍ରତା, ଅଶିକ୍ଷା, ରୋଗ ପ୍ରଭୃତି ବିରୋଧରେ ତଥାକଥିତ ଅଭିଯାନ ଆରମ୍ଭ ହେଲା, ଯୋଜନା ଜରିଆରେ । ଶେଷରେ ତାହା ପରିଣତ ହେଲା ଆଜିକାଲିର ବ୍ଲକ ବା ପଞ୍ଚାୟତରାଜର ଆମୋଦ ପ୍ରମୋଦରେ । ଆଗେ ଜମିଦାରୀ ସିରସ୍ତାରେ ଯେପରି ଢଙ୍ଗ ଥିଲା ଆଜି ପଞ୍ଚାୟତରାଜରେ ଠିକ୍‌ ସେହିପରି । ବାଦବିବାଦ ମଧ୍ୟ ସେହି ଜମିଦାରୀ ଢଙ୍ଗର । ଉପରେ ଶାସନର ଅବସ୍ଥା ମଧ୍ୟ ସେହିପରି । ମନ୍ତ୍ରୀଙ୍କଠାରୁ ଆରମ୍ଭ କରି ସାମାନ୍ୟ ପୋଲିସ ସବ୍‌ଇନ୍‌ସପେକ୍ଟର ପର୍ଯ୍ୟନ୍ତ ସମସ୍ତେ ଉପଭୋଗରେ ବ୍ୟସ୍ତ । କର୍ତ୍ତବ୍ୟ ସମ୍ପାଦନ ପାଇଁ ଯେ ମୁଣ୍ଡରୁ ଝାଳ ବୁହାଇବାକୁ ହେବ ସେ କଥା ସମସ୍ତେ ଭୁଲି ଗଲେଣି ।

 

ଖୁସିବାସିଆ ଆନ୍ଦୋଳନ

 

ମଧ୍ୟେ ମଧ୍ୟେ ଯାହାକିଛି ଆନ୍ଦୋଳନ ହେଉଛି ସେ ମଧ୍ୟ ସେହିପରି ଶାନ୍ତି ସମୟର ଖୁସିବାସିଆ ଆନ୍ଦୋଳନ । ଅନ୍ୟ ପ୍ରକାରର ଆନ୍ଦୋଳନର ଧାରଣା ସୁଦ୍ଧା ନାହିଁ ଆମ ଦେଶରେ । କାରଣ ବ୍ରିଟିଶ ସମୟରେ ଯେ ଆନ୍ଦୋଳନ ହୋଇଥିଲା ତାହା ଶାନ୍ତିପୂର୍ଣ୍ଣ । କିନ୍ତୁ ସେଥିରେ କିଛିହେଲେ ଶୃଙ୍ଖଳା ଓ ସଂଯମର ଆହ୍ୱାନ ଥିଲା । ଆଜିକାଲି ଯେ ଆନ୍ଦୋଳନ ଯେ କୌଣସି କାରଣରୁ ହେଉଛି ସେଥିରେ ଶୃଙ୍ଖଳା ବା ସଂଯମର ଆହ୍ୱାନ ନାହିଁ । ତେଣୁ ଆନ୍ଦୋଳନର ଆକାର ଯାହାହେଉ ପଛକେ, ଆନ୍ଦୋଳନର ପ୍ରଭାବ ସ୍ୱୟଂ ଆନ୍ଦୋଳନକାରୀମାନଙ୍କ ଉପରେ ମଧ୍ୟ ସେପରି ଗଭୀର ପ୍ରଭାବ ପକାଉନାହିଁ । କିନ୍ତୁ ଆଜି ଯେଉଁ ପରିସ୍ଥିତି ଯେଉଁଥିରେ ସହସ୍ର ସହସ୍ର ଯୁବକ କଠୋର ସଂଯମ ଓ ଶୃଙ୍ଖଳା ଭିତରେ ନିଜର ଜୀବନକୁ ନେଇ ରଣକ୍ଷେତ୍ରରେ ଖେଳ ଖେଳୁଛନ୍ତି, ସେମାନେ ସମାଜ ଉପରେ ଗଭୀର ପ୍ରଭାବ ପକାଉଛନ୍ତି ଓ ପକାଇବେ ।

 

ବିଚାରଧାରାରେ ପରିବର୍ତ୍ତନ

 

ପ୍ରତ୍ୟେକ ଯୁଦ୍ଧ ପରେ ସେଇଥିପାଇଁ ସମାଜର ବିଚାରଧାରା ବଦଳି ଯାଇଥାଏ । ଭାରତରେ ମଧ୍ୟ ବର୍ତ୍ତମାନର ଜରୁରୀ ପରିସ୍ଥିତିରେ ବିଚାରଧାରାରେ ପରିବର୍ତ୍ତନ ଘଟିବ । ସେହି ପରିବର୍ତ୍ତନକୁ ଦୃଷ୍ଟି ରଖି ଆଜିଠାରୁ ସମସ୍ତେ ଚଳିବା ଉଚିତ । ସେ ଚଳିବାର ଉପାୟ ହେଉଛି ଯୁଦ୍ଧଭୂମିର ସଂଯମ ଶୃଙ୍ଖଳା ସହିତ ଯୁଦ୍ଧ ବାହାରେ ସାଧାରଣ କାର୍ଯ୍ୟକ୍ଷେତ୍ରରେ ସମ୍ପର୍କ ସ୍ଥାପନ କରିବା । ଯୁଦ୍ଧଭୂମିର ତ୍ୟାଗ ଓ କଷ୍ଟ ସମାଜର ପ୍ରତି କ୍ଷେତ୍ରରେ, ସାଧାରଣ ଶାସନରେ ତଥା ସାମାଜିକ ଜୀବନରେ ପ୍ରତିଫଳିତ ହେବା ଆବଶ୍ୟକ । ଯୁଦ୍ଧରେ ଯୁବକମାନେ ଜୀବନ ଦେଉଥିବେ, ଏଣେ ସାଧାରଣ ଶାସନରେ ଲୋକେ ଦୁର୍ନୀତିରେ ମାତିଥିବେ ବା ତେଣେ ଗୁଳିରେ ଲୋକଙ୍କ ହାତଗୋଡ଼, ଜୀବନ ଉଡ଼ି ଯାଉଥିବ, ଏଣେ ଲୋକ ମଉଜ ମଜଲିସ୍‌ରେ ମାତିଥିବେ, ଏପରି ହେବା ଉଚିତ ନୁହେଁ । ହେଲେ ଯୁଦ୍ଧ ପରେ ସମାଜରେ ବିସ୍ଫୋରଣ ଘଟିବ । ନହେଲେ ସମାଜ ସୁସ୍ଥ ଓ ଉନ୍ନତ ହେବ ।

 

ଯେ ଯେଉଁଠି ଯାହା କରୁଥାନ୍ତୁ ପଛକେ, ସମସ୍ତେ ମନେ ରଖନ୍ତୁ, ସେହିମାନଙ୍କ ପୁଅ ଭାଇ ବନ୍ଧୁ, ଲଢ଼ାଇରେ ଜୀବନ ଦେବାକୁ ଯାଉଛି, ଅନ୍ତତଃ ଏତିକି ଦରକାର ଏ ସମୟରେ ।

Image

 

୨୬-୧୦-୬୫

ମଙ୍ଗଳବାର

 

ସଂଯମ ଓ ଶୃଙ୍ଖଳା

 

ଯେଉଁମାନେ ରେଡ଼ିଓ ଶୁଣୁଥିବେ ସେମାନେ ଲକ୍ଷ୍ୟ କରୁଥିବେ ଯେ କ୍ରମେ ରେଡ଼ିଓରେ ଗାନ୍ଧିଜୀଙ୍କ ବାଣୀ ବେଶି ପ୍ରଚାରିତ ହେଉଛି । ଶ୍ରୀ ଲାଲାବାହାଦୂର ଶାସ୍ତ୍ରୀ ପ୍ରଧାନମନ୍ତ୍ରୀ ହେଲା ପରେ ଗାନ୍ଧିଯୁଗର କେତୋଟି ନୀତି ବାରମ୍ବାର ଉଚ୍ଚାରିତ ହେଉଛି– ସେ ହେଉଛି, ସ୍ୱାବଲମ୍ବନ ଓ ସ୍ୱଦେଶୀ । ଗତ ଅଠରବର୍ଷ ହେଲା ଏ ଶବ୍ଦଗୁଡ଼ିକର ସେପରି ବ୍ୟବହାର ହେଉ ନଥିଲା ।

 

ଅଳ୍ପ କେତେଦିନ ପୂର୍ବରୁ, ଜଣେ ସୈନ୍ୟାଧ୍ୟକ୍ଷ ଏକ ଉତ୍ସବର ପୁରୋଧା ଭାବରେ ଗୋଟିଏ ବାକ୍ୟ କହିଥିଲେ ଯାହା ଦେଶରେ ଏକ ବିରାଟ ଭ୍ରାନ୍ତି କରିଦେଲା ପରି ମନେହେଲା । ସେ କହିଥିଲେ ‘‘ଗାନ୍ଧିଜୀଙ୍କର ତିନୋଯି ନୀତି– ସ୍ୱାଭିମାନ, ସ୍ୱାବଲମ୍ବନ ଓ ସ୍ୱଦେଶୀ, ଦେଶକୁ ଯେକୌଣସି ବିପଦରୁ ରକ୍ଷା କରିବ ଓ ଦେଶକୁ ସମୃଦ୍ଧ ଓ ଶକ୍ତିଶାଳୀ କରିବ ।’’ ବାସ୍ତବିକ ଏ କଥାଟି ଆଜି ଯେପରି ସତ୍ୟ ଜୀବନ୍ତ ବୋଲି ଜଣାଯାଉଛି ଯେପରି କିଛି କାଳ ପୂର୍ବରୁ ନଥିଲା ।

 

ପାକିସ୍ତାନ ଓ ଚୀନର ଆକ୍ରମଣ ଦେଶର ଆଖି ଖୋଲି ଦେଇଛି । ସ୍ୱାଧୀନତା ପରେ ଏପରି ଏକ ବାୟୁମଣ୍ଡଳ ସୃଷ୍ଟି ହେଲା ଯେଉଁଥିରେ ମନେହେଲା, ସବୁ ଠିକ୍‌ ଅଛି, ଖାଲି ହାତ ବଢ଼େଇ ସଂଗ୍ରହ କରିବା କଥା । ବେପରବାୟ ସମ୍ଭୋଗ ନିଃସଙ୍କୋଚ୍ଚ ଚରିତ୍ରହୀନତା, ଭ୍ରଷ୍ଟାଚାରକୁ ନୂତନ ଯୁଗର ନୂତନ ସନ୍ଦେଶ ବୋଲି ପ୍ରଚାର କରିବା, ଯେପରି ଭାବରେ ଚାଲିଲା, ସେଥିରେ ଗାନ୍ଧିଜୀଙ୍କ ବାଣୀ ସେ କୋଳାହଳରେ କୁଆଡ଼େ ଲିଭି ଯାଇଥିଲା । କିନ୍ତୁ ଚୀନ ଓ ପାକିସ୍ତାନର ଆଘାତ ସେ ମାୟାଜାଲ ଭେଦ କରି ଦେଇଛି । ଏ ମାୟାଜାଲକୁ ସୃଷ୍ଟି କରିଥିଲା, ଭାରତର ସ୍ୱାଧୀନତା ପର ନେତୃତ୍ୱ ଓ ତାଙ୍କୁ ପ୍ରଶ୍ରୟ ଦେଇଥିଲେ ଆମେରିକା ଓ ଇଂଲଣ୍ଡ ।

 

ଏହି ପ୍ରସଙ୍ଗରେ ଇଂରେଜଙ୍କ ନୀତି ପାଠକମାନଙ୍କ ମନରେ କୌତୁହଳ ଜାତ କରାଇବ-। ଆମେ ସବୁ ଯେତେବେଳେ କଟକ ଜେଲରେ ବନ୍ଦୀ ଥିଲେ ସେତେବେଳେ ସତ୍ୟବାଦୀ ପ୍ରଧାନ ଜେଲର ଥିଲେ । ସେତେବେଳେ ଜେଲରେ ସୁଖରେ ରହିବା ପାଇଁ କେତେକ ବନ୍ଦୀ ଆନ୍ଦୋଳନ ଚଳାଇଥାନ୍ତି । ସେହି ସମ୍ପର୍କରେ ସତ୍ୟବାଦୀବାବୁ ଦିନେ ମୋତେ ଅଫିସକୁ ଡାକି ନେଇ ଗୋପନରେ ଏକ ସରକାରୀ ଆଦେଶ ଦେଖାଇଲେ । ସେଥିରେ ଲେଖାଥିଲା ଯେ ରାଜନୈତିକ ବନ୍ଦୀମାନଙ୍କୁ ସେମାନଙ୍କ ନିଜ ନିଜ ଅବସ୍ଥାଠାରୁ ଆହୁରି ବେଶି ସ୍ୱଚ୍ଛଳ ଭାବରେ ଜେଲରେ କିଛିକାଳ କଟାଇବାକୁ ଦେଲେ, ସେମାନେ ବାହାରକୁ ଆସି ଆଉ ଚେଷ୍ଟା କରିବେ ଓ ତା’ରି ଫଳରେ ସ୍ୱାଧୀନତାର ଆନ୍ଦୋଳନ ମଧ୍ୟ ଦବିଯିବ । ବାସ୍ତବିକ ଜେଲରେ ସେତେବେଳେ ଯେ ସ୍ୱଚ୍ଛଳ ଭାବରେ ଚଳିବାକୁ ଦେଲେ ସେଥିରେ ଯତିଙ୍କର ତପସ୍ୟା ଭଙ୍ଗ ହେବାପରି ବିପ୍ଳବୀମାନଙ୍କ ଜୀବନର ଗତି ବଦଳିଲା । ଏହା ବଙ୍ଗ ଦେଶରେ ବେଶି ଘଟିଛି । ସେ ଯାହାହେଉ ଏହି ନୀତି ଆମେରିକା ଓ ଇଂଲଣ୍ଡ ଅନୁସରଣ କଲେ ଭାରତର ସ୍ୱାଧୀନତା ପରେ ।

 

ମାୟାଜାଲ କଟି ଯାଇଛି

 

ଅପେକ୍ଷାକୃତ ଗରିବ ଲୋକର ଭଲ ଜମିକୁ ନେବା ପାଇ ଯେପରି ଚତୁର ମହାଜନ ଚାହିଁଲା ମାତ୍ରକେ ଟଙ୍କା ଋଣ ଦେଇଦିଏ ବା ନ ଚାହିଲେ ମଧ୍ୟ ନାନା ପ୍ରକାର ଅଭିଳାଷ ଜାତ କରାଇ ବିନା ଦ୍ୱିଧାରେ ଋଣ ଦେବାପାଇଁ ପ୍ରସ୍ତୁତ ହୋଇଯାଏ ଓ ଶେଷରେ ଯେପରି ବିଚରା ଗରିବ ଋଣ ଦାଉରେ ଜମି ସେହି ମହାଜନଙ୍କୁ ବିକେ, ସେହିପରି ସ୍ୱାଧୀନତା ପରେ ଦେଶରେ ଯେଉଁସବୁ ଅଭିଳାଷ ଜାଗ୍ରତ ହେଲା, ସେଥିରେ ପାଶ୍ଚାତ୍ୟ ଦେଶମାନ ଉତ୍ସାହ ଦେଇ, ଚାହିଁଲା ମାତ୍ରକେ ବା ନ ଚାହିଁଲେ ମଧ୍ୟ ଋଣ ଓ ସାହାଯ୍ୟ ଦେବା ଫଳରେ ଏପରି ଏକ ପରିସ୍ଥିତି ହେଲା ଯେଉଁଥିରେ ମନେହେଲା, ସ୍ୱାଧୀନତା ଦେଶସାରା ଏପରି ଏକ ପରିସ୍ଥିତି ହେଲା ଯେଉଁଥିରେ ମନେହେଲା, ସ୍ୱାଧୀନତା ଦେଶସାରା ଟଙ୍କା ବୁଣି ଦେଇଯାଇଛି, ଖାଲି ଦୌଡ଼ା ଧାପଡ଼ା କରି ତାକୁ ସଂଗ୍ରହ କରିବାକୁ ହେବ । କେବଳ ଟଙ୍କା ନୁହେଁ ସମସ୍ତ ପ୍ରକାର ସମ୍ଭୋଗ ନିଃସଙ୍କୋଚ ଭାବରେ ଚାଲିଲା । ଭାରତର ଆଦିଶକ୍ତି ଏହା ସହ୍ୟ କରି ପାରିଲେ ନାହିଁ । ଚୀନ ଓ ପାକିସ୍ତାନର ଆଘାତକୁ ବିଧି ନିର୍ଦ୍ଦେଶ ବୋଲି ମନେ କରିବାକୁ ହେବ । ବର୍ତ୍ତମାନ ମାୟାଜାଲ କଟିଛି ।

 

କିନ୍ତୁ ମୋହ ସହଜରେ ଛାଡ଼େନାହିଁ । ସେଇଥିପାଇଁ ଗାନ୍ଧିଜୀଙ୍କ ବାଣୀ ବିବେକାନନ୍ଦଙ୍କ ବାଣୀ ପ୍ରତିଦିନ ରେଡ଼ିଓ ଶୁଣାଯାଉଛି । ଆଜି ନେତୃତ୍ୱର ଆହ୍ୱାନ ହେଉଛି ସ୍ୱାଭିମାନ, ସ୍ୱାବଲମ୍ବନ ଓ ସ୍ୱଦେଶୀ, ଏ ତିନୋଟି ବ୍ରତ ଦରକାର କରେ ସଂଯମ ଓ ଶୃଙ୍ଖଳା । ଏଥିରେ ରାଜନୀତିର କୌଣସି ସମ୍ପର୍କ ନାହିଁ । ପ୍ରତ୍ୟେକ ରାଜନୀତିକ ଦଳ ଏ ତିନି ବ୍ରତ ଗ୍ରହଣ କରି ରାଷ୍ଟ୍ରନୀତି ପରିଚାଳନା କରିପାରନ୍ତି । ଏ ତିନୋଟି ନୀତି ରାଷ୍ଟ୍ରର ନୀତି ହେବା ଆବଶ୍ୟକ ।

 

ନୂତନ ବାୟୁମଣ୍ଡଳ ସୃଷ୍ଟି ହେଉ

 

ରାଷ୍ଟ୍ର କହିଲେ ବୁଝ, ପଞ୍ଚାୟତଠାରୁ ଆରମ୍ଭ କରି କେନ୍ଦ୍ର ପର୍ଯ୍ୟନ୍ତ ରାଷ୍ଟ୍ରଶାସନ ନୀତି । ଯେଉଁମାନେ ଉକ୍ତ ତିନି ନୀତିରେ ବିଶ୍ୱାସ କରନ୍ତି, ସେମାନେ ନିଜ ନିଜ ପ୍ରଭାବକୁ ବିଚାର କରି ଯେଉଁଠି ସେମାନଙ୍କ ପ୍ରଭାବ କାର୍ଯ୍ୟ କରିବ ସେଠି ତା’ର ପ୍ରଚାର ଓ ପ୍ରବର୍ତ୍ତନ ପାଇଁ ଚେଷ୍ଟା କରିବା ଉଚିତ । ଆଜି ସେହିପରି ଅବସ୍ଥା ସୃଷ୍ଟି କରାଯାଉ ଯେପରି ସୃଷ୍ଟି ହୋଇଥିଲା, ୧୯୨୧ ସାଲରେ । ସେତେବେଳେ ସରକାରୀ ଚାକିରି କଚେରୀ ବର୍ଜନ ଘେନି ଏପରି ପରିସ୍ଥିତି ହେଲା ଯେ କର୍ମଚାରୀ ଓକିଲମାନେ ସଙ୍କୁଚିତ ହୋଇଗଲେ । ଆଜି ଏପରି ବାୟୁମଣ୍ଡଳ ସୃଷ୍ଟି କରାଯାଉ ଯେପରି ଭ୍ରଷ୍ଟାଚାରୀ ଚରିତ୍ରହୀନ ଲୋକେ ମୁହଁ ଦେଖାଇ ବାଟ ଚାଲି ନ ପାରନ୍ତୁ ।

 

ଏହାହିଁ ଗାନ୍ଧିଜୀଙ୍କ ଆତ୍ମାର ନିର୍ଦ୍ଦେଶ । ସ୍ୱେଚ୍ଛାରେ ଏହାକୁ ମାନି, ଦେଖ ଯଦି ନଚାଲେ ତେବେ ଅବସ୍ଥାର ଆଘାତରେ ତାହାକୁ ବାଧ୍ୟହୋଇ ଦେଶ ମାନି ଚଳିବ ।

 

ତିନି ନୀତିର ବ୍ରତ

 

ଗାନ୍ଧି ଜନ୍ମ ଶତବାର୍ଷିକୀ ଅନୁଷ୍ଠିତ ହେବାକୁ ଯାଉଛି, ସେ ଉତ୍ସବର କାର୍ଯ୍ୟକ୍ରମ ଏହାହିଁ ହେଉ ଯେ ଦେଶରେ ପ୍ରତ୍ୟେକ ସ୍ତରରେ ସ୍ୱାଭିମାନ, ସ୍ୱାବଲମ୍ବନ ଓ ସ୍ୱଦେଶୀର ଭାବ ଜାଗ୍ରତ ହେଉ-। ସେହି ଗାନ୍ଧି ବତାଇ ଦେଇ ଯାଇଛନ୍ତି, କିପରି ଏ ଭାବ ଜାଗ୍ରତ କରାଯାଇପାରେ । ଦେଶର ବର୍ତ୍ତମାନ ଅବସ୍ଥା ଯେଉଁମାନେ ବୁଝୁଛନ୍ତି, ସେମାନେ ଆଗଭର ହୋଇ ଉପରୋକ୍ତ କାର୍ଯ୍ୟକ୍ରମ ଚାଲୁ କରନ୍ତୁ । ଗାନ୍ଧିଜୀଙ୍କ ଉକ୍ତ ତିନି ନୀତି ପୁନଃ ପ୍ରତିଷ୍ଠିତ ନ ହେଲେ, ଅନ୍ୟ କୌଣସି କାର୍ଯ୍ୟକ୍ରମ, କେବେହେଲେ କାର୍ଯ୍ୟକାରୀ ହୋଇପାରିବ ନାହିଁ । ଏଣୁ ଯେଉଁମାନେ ବିଭିନ୍ନ ରଚନାତ୍ମକ ସଂସ୍ଥାରେ କାର୍ଯ୍ୟ କରୁଛନ୍ତି, ସେମାନେ ଆଗଭର ହୁଅନ୍ତୁ । କୌଣସି କାରଣରୁ ସେମାନେ ଯଦି ନ ବାହାରନ୍ତି, ତେବେ ଅନ୍ୟ ଉତ୍ସାହୀ କର୍ମୀ ବାହାରି ଦେଶରେ ସ୍ୱାଭିମାନ, ସ୍ୱାବଲମ୍ବନ ଓ ସ୍ୱଦେଶୀର ବ୍ରତ ସ୍ଥାପନ କରନ୍ତୁ ।

Image

 

୨୫-୫-୬୬

ବୁଧବାର

 

ପ୍ରଧାନମନ୍ତ୍ରୀଙ୍କ ଗସ୍ତ

 

ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ଗାନ୍ଧି ସଡ଼ିଶା ଗସ୍ତରେ ଆସିଥିବା ସମୟରେ ଭୁବନେଶ୍ୱରରେ ଯେଉଁ ସଭା ହୋଇଥିଲା, ସେଥିରେ କେତେକ ପାଟିତୁଣ୍ଡ କରିବା କଥା ସମ୍ବାଦପତ୍ରମାନଙ୍କରେ ଯେତେ ପ୍ରଚାରିତ ନ ହୋଇଥିଲା, ରେଡ଼ିଓରେ ତା’ଠାରୁ ବଳି ବହୁରୂପେ ପ୍ରଚାରିତ ହୋଇଥିଲା; କାରଣ ସଭାର ସମସ୍ତ ବିବରଣୀ ରେଡ଼ିଓଦ୍ୱାରା ରିଲେ କରାହେଉଥିଲା । ରାଜନୈତିକ ସଭାମାନଙ୍କୁ ଏପରି ରିଲେ କରାଇବା ଅସ୍ୱାଭାବିକ । ଏହା ହେବା ଉଚିତ ନଥିଲା । ଏହି ରିଲେ ସହିତ ସେଦିନ ସଭାରେ ଯାହା ଘଟିଲା, ତା’ର ସମ୍ବନ୍ଧ ଅଛି । ଅନେକ ମତବ୍ୟକ୍ତ କଲେ ଯେ ଯୁବକମାନଙ୍କ ଆଚରଣ ଅଶୋଭନୀୟ ଥିଲା । ଯୁବକମାନଙ୍କ ପକ୍ଷରୁ ପ୍ରକାଶ୍ୟ ଭାବରେ କୁହାହେଲା ଯେ ଯାହା ହୋଇଛି, ତାହା ଠିକ୍‌ ହୋଇଛି । ଏ ସମ୍ବନ୍ଧରେ ସୁଚିନ୍ତିତ ମତ ପ୍ରକାଶ କରିବାପାଇଁ କେତେକ ମୋଠାରୁ ଆଶା କରୁଛନ୍ତି । ତାହା ନ ହେଲେ ମଧ୍ୟ ଦେଶର ସାଧାରଣ ପରିସ୍ଥିତି ଦୃଷ୍ଟିରୁ ପ୍ରଧାନମନ୍ତ୍ରୀଙ୍କ ପ୍ରତି ଅସମ୍ମାନ ପ୍ରଦର୍ଶନ କାରଣ ଓ ସେ ପ୍ରକାର କାର୍ଯ୍ୟର ପ୍ରତିଷେଧକ ମଧ୍ୟ ଆଲୋଚିତ ହେବା ଉଚିତ ।

 

ଦେଶର ସାଧାରଣ ପରିସ୍ଥିତି ଏହି ଯେ ଚାରିଆଡ଼େ ହିଂସାର ବାୟୁମଣ୍ଡଳ । ହିଂସା କହିଲେ, ଅସହିଷ୍ଣୁତା ବା ବଳପ୍ରୟୋଗ ବୁଝାଉଛି । ଧୀରେ ସୁସ୍ଥେ କେହି କାହାରି କଥା ଶୁଣିବାକୁ ବା ବିଚାର କରିବାକୁ ପ୍ରସ୍ତୁତ ନୁହନ୍ତି । ବିନା ବଳ ପ୍ରୟୋଗରେ କେହି କାହାରି କଥା ଶୁଣିବେ ନାହିଁ ବୋଲି ବିଶ୍ୱାସ କ୍ରମେ ଦୃଢ଼ ହୋଇଯାଉଛି । ଏଥିରେ ଲୋକଶାନ ଓ ଉନ୍ନୟନ କାର୍ଯ୍ୟକ୍ରମ ଉଭୟ ବିପଦାପନ୍ନ । ଏପରି ବାୟୁମଣ୍ଡଳ ଯେପରି ସୃଷ୍ଟି ନ ହୁଏ, ସେଥିପାଇଁ ଏ ଆଲୋଚନା ।

 

ବଳ ପ୍ରୟୋଗ କହିଲେ କଥାଠାରୁ ଆରମ୍ଭକରି କାର୍ଯ୍ୟପର୍ଯ୍ୟନ୍ତ ସବୁ ବୁଝାଏ । କାର୍ଯ୍ୟର ଶେଷ ସୀମା ହେଉଛି ସନ୍ତ୍ରାସବାଦ ବା ରକ୍ତାକ୍ତ ବିପ୍ଳବ । କଥାରୁ ବଢ଼ି ବଢ଼ି କାର୍ଯ୍ୟବାଟେ ଯାଇ ଶେଷରେ ପହଞ୍ଚିଯିବା ସୁନିଶ୍ଚିତ । ଏଣୁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ । ଏହାକୁ ହେୟଜ୍ଞାନ କରି ଉଡ଼ାଇ ଦେବା ଉଚିତ ନୁହେଁ । ଅଳ୍ପକେତେକ କୁପଥଗାମୀ ଯୁବକ, କେତେକ ଅସନ୍ତୁଷ୍ଟ ରାଜନୈତିକ ନେତା ବା ଅବିବେକୀ ଦଳ ଦ୍ୱାରା ପରିଚାଳିତ ହୋଇ ଏପରି ଅଶାନ୍ତି ଘଟାଉଛନ୍ତି, ଏହାକୁ ପୋଲିସ ବା ସୈନ୍ୟବାହିନୀ ଦ୍ୱାରା ମାରପିଟି ଦବେଇ ଦେଇ ହେବ, ଏପରି ମନେକରିବା ମାରାତ୍ମକ । ଯେଉଁ ବିକ୍ଷୋଭ ଏଠି ସେଠି ପ୍ରକାଶ ପାଉଛି, ସେସବୁ ରୋଗ ନୁହେଁ । ସେସବୁ ଅନ୍ତର୍ନିହିତ ରୋଗର ବାହ୍ୟ ଚିହ୍ନମାତ୍ର । ସେ ଚିହ୍ନକୁ ଦେଖିଲେ ଶେଷରେ ରୋଗ ଚିକିତ୍ସାର ସୀମା ଅତିକ୍ରମ କରିଯିବ ।

 

ରୋଗଟି ହେଉଛି ଅସନ୍ତୋଷ । ଅସନ୍ତୋଷର କାରଣ ହେଉଛି ଏହି ଯେ କେହି କାହାରି କଥା ଶୁଣିବାପାଇଁ ନାହାନ୍ତି; କିନ୍ତୁ ଅସନ୍ତୋଷ ଯଦି ଯଥାବିଧି ପ୍ରକାଶିତ ନ ହୋଇ ଯେ କୌଣସିମତେ ପ୍ରକାଶିତ ହୁଏ, ତେବେ ସେ ପୁଣି ହୁଏ ଅସନ୍ତୋଷ ବୃଦ୍ଧିର କାରଣ । ଏହି ଦୃଷ୍ଟିରୁ ପ୍ରଧାନମନ୍ତ୍ରୀଙ୍କ ପ୍ରତି ବିକ୍ଷୋଭ ପ୍ରଦର୍ଶନ ବିଷୟଟି ଆଲୋଚନା କରାଯାଉ । ଖଡ଼ିଆଳ ଅଞ୍ଚଳରେ ଲୋକେ ଉପାସେ ମରୁଛନ୍ତି ବୋଲି ସେଠା ପ୍ରତିନିଧି ତଥା ସାଧାରଣ କାର୍ଯ୍ୟକ୍ଷେତ୍ରରେ ସମ୍ମାନିତ ବ୍ୟକ୍ତିମାନେ ଯଥା, ରମାଦେବୀ ପ୍ରଭୃତି ଖାଲି ସ୍ୱର ଉଠାଇଲେ ତା ନୁହେଁ, ସେଠାରେ ଅନ୍ନଛତ୍ର ମଧ୍ୟ ଖୋଲିଲେ । ତଥାପି ସରକାରୀ ପକ୍ଷରୁ ପ୍ରତିବାଦ ଚାଲିଲା ଯେ ସେ ଅଞ୍ଚଳରେ ସେପରି କିଛି ଅବସ୍ଥା ଘଟିନାହିଁ । ଖାଦ୍ୟମନ୍ତ୍ରୀ ଆସିଲେ । ସ୍ଥାନ ଉପରକୁ ନ ଯାଇ ସେ ମଧ୍ୟ ଘଟଣାକୁ ଲଘୁଭାବରେ ବର୍ଣ୍ଣନା କଲେ । ପ୍ରଧାନମନ୍ତ୍ରୀ ସ୍ଥାନ ଉପରକୁ ଯିବା ପୂର୍ବରୁ ସଭାରେ ବକ୍ତୃତା ଦେଲେ-। ଧରି ନିଆଗଲା ଯେ ସେ ସେହିପରି ଲଘୁ ଭାବରେ ଓଡ଼ିଶାର ଦୁର୍ଭିକ୍ଷକୁ ଗ୍ରହଣ କରିବେ-। ବିଶ୍ୱାସଯୋଗ୍ୟ ସୂତ୍ରରେ ଖବର ମିଳୁଥିବ ଯେ ଲୋକେ ଗାଁଗଣ୍ଡା ଛାଡ଼ି ପଳାଉଛନ୍ତି, ନ ଖାଇ ମରିଯାଉଛନ୍ତି ଅଥଚ ତେଣେ ଉପରଠେଲା କଥା ସରକାର ପକ୍ଷରୁ କୁହାହେଉଥିବ, ଏଥିରେ କ୍ରୋଧ ହେବାର କଥା । କ୍ରୋଧଜାତ ନ ହେଲେ ତାହା ଏକ ଅସ୍ୱାଭାବିକ ମନୋବୃତ୍ତି ବୋଲି ମନେ କରାଯାଇଥାନ୍ତା । ଅନ୍ୟ ପକ୍ଷରେ ବିଚାର କରନ୍ତୁ । ଯଦି ସରକାର ପକ୍ଷରୁ ଏପରି କୁହାଯାଇଥାନ୍ତା ଯେ ବର୍ତ୍ତମାନ ଅବସ୍ଥାରେ ଦୁର୍ଭିକ୍ଷ ପଡ଼ିବାର କୌଣସି କାରଣ ନାହିଁ, ଯଦି ଦୁର୍ଭିକ୍ଷ ପଡ଼ିଛି, ତେବେ ତାର କାରଣ ଅନୁସନ୍ଧାନ କରାଯାଉ, ଯେ ଏଥିପାଇଁ ଦାୟୀ ତାଙ୍କ ପ୍ରତି ବିହିତ ବ୍ୟବସ୍ଥା କରାହେବ ଓ ଇତିମଧ୍ୟରେ ଲୋକଙ୍କୁ ସମସ୍ତ ପ୍ରକାର ସାହାଯ୍ୟ ଦିଆଯିବ, ତାହାହେଲେ ଅନ୍ୟ ପକ୍ଷରେ କ୍ରୋଧଜାତ ହେବାର ଅବକାଶ ନଥାନ୍ତା । ଆଉ ଏକ ଦିଗ ପ୍ରତି ଦୃଷ୍ଟି ନ ଦେଲେ ଜନସାଧାରଣଙ୍କ ପ୍ରତି ଅନ୍ୟାୟ କରିବାକୁ ହେବ । ଲୋକଶାସନରେ ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ରାଜ୍ୟର ଉପମନ୍ତ୍ରୀ ପର୍ଯ୍ୟନ୍ତ ସମସ୍ତେ ନିର୍ବାଚିତ ପ୍ରତିନିଧି, ଅର୍ଥାତ୍‌ ସେମାନେ ଜନପ୍ରିୟ ଲୋକ ବୋଲି ଧରାଯିବ ଓ ସେମାନେ ମଧ୍ୟ ତଦ୍ରୂପ ଚଳିବେ; କିନ୍ତୁ ଆଜିକାଲି ଜଣେ ଜଣେ ମନ୍ତ୍ରୀ ଓ ଉପମନ୍ତ୍ରୀଙ୍କ ସାଙ୍ଗରେ ପୋଲିସ ଓ ସରକାରୀ କର୍ମଚାରୀ ଯେତେ ସଂଖ୍ୟାରେ ଚାଲିଛନ୍ତି ସେଥିରେ ସେମାନେ ତ ଜନତାଠାରୁ ବହୁ ଦୂରକୁ ଚାଲିଗଲେଣି । ପ୍ରଧାନମନ୍ତ୍ରୀଙ୍କ କଥା ଧରାଯାଉ । ବିଶ୍ୱସ୍ତସୂତ୍ରରୁ ଖବର ମିଳେ ଯେ ତାଙ୍କର ଭୁବନେଶ୍ୱର ସଭାର ମଣ୍ଡପ ତିଆରି ପ୍ରଭୃତି ଆୟୋଜନ ପାଇଁ ଅଠର ହଜାର ଟଙ୍କା ଖର୍ଚ୍ଚ ହୋଇଥିଲା । ତାଙ୍କୁ ଓ ତାଙ୍କ ସଭାକୁ ଜଗିବା ପାଇଁ ପ୍ରଦେଶର ବିଭିନ୍ନ ଅଞ୍ଚଳରୁ ପ୍ରାୟ ଦୁଇହଜାର ପୋଲିସ ଆସିଥିଲେ । ତାଙ୍କ ବକ୍ତୃତାକୁ ରିଲେ କରିବାପାଇଁ କଟକରୁ ରେଡ଼ିଓ ବନ୍ଦୋବସ୍ତ କରାଯାଇଥିଲା । ଏସବୁଥିରେ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବ । ଏକଥା ନିଜେ ପ୍ରଧାନମନ୍ତ୍ରୀ ଜାଣିଲେ, ସେ ମଧ୍ୟ ନାପସନ୍ଦ କରିବେ । ଯେଉଁମାନେ ଏ ଟଙ୍କା ଖର୍ଚ୍ଚ କରୁଥିବେ, ଏପରିକି ଜଗୁଆଳି ପୋଲିସମାନେ ନାକରେ କାଠ ଦେଇ ହସୁଥିବେ, ଯେତେବେଳେ ଏପରି ଭାବରେ ଚଳୁଥିବା ବ୍ୟକ୍ତିମାନଙ୍କୁ ଜନପ୍ରିୟ ନେତା ବୋଲି କେହି କହୁଥିବେ । ଏସବୁ ତ ରାଜଯୁଗର କଥା । ଏହିସବୁ କଥା ବିରୋଧରେ ପରା ଦିନେ ଲୋକେ ଆନ୍ଦୋଳନ କରିଥିଲେ । ସେହି ଲୋକେ ଆଜି ପୁଣି କିପରି ତାକୁଇ ଅଭିନନ୍ଦନ କରିବେ ? ଏକ ଦିଗରେ ଦୁର୍ଭିକ୍ଷ, ଅନ୍ୟ ଦିଗରେ ଜନ ପ୍ରତିନିଧିମାନଙ୍କ ଦୁର୍ନୀତି ଓ ରାଜୋଡ଼ା ଚାଲିଚଳଣ, ଏସବୁ ଗଭୀର ଅସନ୍ତୋଷ ଓ କ୍ରୋଧସୃଷ୍ଟି କରିବା ହିଁ କରିବ, ଏଥିରେ ସନ୍ଦେହ ନାହିଁ ।

 

କିନ୍ତୁ ସେ ଅସନ୍ତୋଷ ପ୍ରକାଶ ପାଇବ କିପରି ? ଯଦି ସଭାସମିତିରେ ପାଟିତୁଣ୍ଡ କରି ବା ବ୍ୟକ୍ତିଗତ ଭାବରେ ଗାଳିମାଡ଼ ଦେଇ ଏ ଅସନ୍ତୋଷ ପ୍ରକାଶ କରାଯାଏ, ତେବେ ଏ ଅସନ୍ତୋଷ ରୋଗର ଔଷଧ ନ ହୋଇ ଏହା ରୋଗବୃଦ୍ଧିର କାରଣ ହେବ । ପ୍ରଧାନମନ୍ତ୍ରୀଙ୍କ କ୍ଷେତ୍ରରେ ଏପରି କରାହୋଇଥିଲେ କଅଣ ହୋଇଥାନ୍ତା ବିଚାର କରନ୍ତୁ । ସେ ସଭାରେ ଯାହା କହିବାର କହି ସାରିଥାନ୍ତେ । ଠିକ ଶେଷବେଳକୁ ପାଞ୍ଚଜଣ ସଂଯତଭାବରେ ସାହସ ସହକାରେ ତାଙ୍କ ଆଗକୁ ଚାଲିଯାଇ ଗୋଟିଏ ସ୍ପଷ୍ଟ ଲେଖା ବଢ଼ାଇ ଦେଇଥାନ୍ତେ । ସେ ଲେଖାରେ ସେମାନଙ୍କ ଯାହା କହିବାର କଥା ଥାନ୍ତା । ସେହି ଲେଖାଟିକୁ ପୂର୍ବ ବନ୍ଦୋବସ୍ତ ଅନୁସାରେ ଖବର କାଗଜମାନଙ୍କୁ ଦିଆଯାଇଥାନ୍ତା ବା ସେହି ସଭାରେ ବାଣ୍ଟିଦିଆ ଯାଇଥାନ୍ତା । ଏହାର ପ୍ରଭାବ ପ୍ରଧାନମନ୍ତ୍ରୀ ତଥା ଅନ୍ୟ ଚିନ୍ତାଶୀଳ ଦାୟିତ୍ୱସମ୍ପନ୍ନ ବ୍ୟକ୍ତିମାନଙ୍କ ଉପରେ ଏପରି ପଡ଼ିଥାନ୍ତା ଯେ ଉକ୍ତ ପାଞ୍ଚଜଣଙ୍କ ପ୍ରତି ସମ୍ମାନ ବଢ଼ିଯାଇଥାନ୍ତା ଓ ସେମାନଙ୍କ କଥା ଶୁଣିବାପାଇଁ ଲୋକେ ପ୍ରସ୍ତୁତ ହୋଇ ରହନ୍ତେ । ଏହା ନ କରି ସଭାରେ ଗଣ୍ଡଗୋଳ କରିବା ଫଳରେ କେତେକ ଲୋକଙ୍କୁ ଏହାକୁ ଅଶୋଭନୀୟ ବୋଲି ମନେ କରିବାର ସୁଯୋଗ ଦିଆଗଲା । ତାର ଅର୍ଥ ସେହି ପର୍ଯ୍ୟନ୍ତ ଗଣ୍ଡଗୋଳକାରୀମାନଙ୍କ ଉଦ୍ଦେଶ୍ୟ ବ୍ୟର୍ଥ ହେଲା । ଉଦ୍ଦେଶ୍ୟ ହେଉଛି ଦୋଷତ୍ରୁଟି ପ୍ରତି ଜନସାଧାରଣଙ୍କ ଦୃଷ୍ଟି ଆକର୍ଷିତ ହେଉ । ସେ ଦୃଷ୍ଟି ଏପରି ଭାବରେ ଆକର୍ଷିତ ହେଉ ଯେ, କାହାରି ଯେପରି କିଛି ଅନ୍ୟଥା ଭାବିବାର ଅବକାଶ ନଥାଉ ।

Image

 

୧୫-୮-୬୬

ସୋମବାର

 

୧୯୬୭ ଅଗଷ୍ଟ ପନ୍ଦରର ସାଲତମାମି

 

୧୯୪୭ ସାଲଠାରୁ ଅଗଷ୍ଟ ପନ୍ଦର ଆସୁଛି ଯାଉଛି ଓ ପ୍ରତିବର୍ଷ ସାଲତମାମି ଭାବରେ କିଛି କିଛି ଆତ୍ମନିରୀକ୍ଷଣ ମଧ୍ୟ ହେଉଛି । ଏ ବର୍ଷ ବହୁ ପ୍ରଦେଶରେ ଭାରତର ମୋଟ ଜନସଂଖ୍ୟାର ପ୍ରାୟ ତିନିଭାଗରୁ ଦୁଇଭାଗ କଂଗ୍ରେସ ନେତୃତ୍ୱକୁ ଅସ୍ୱୀକାର କରିଥିବାରୁ ଏଥରକାର ସାଲତମାମି ଆହୁରି ଗଭୀର ଓ ଗବେଷଣାମୂଳକ ହେବା ଉଚିତ । ବିଗତ କୋଡ଼ିଏ ବର୍ଷରେ ତିନୋଟି ଯୋଜନା ବ୍ୟର୍ଥ ହୋଇଛି, ଶାସନର ଶୃଙ୍ଖଳା ନଷ୍ଟ ହୋଇଛି, ଇତ୍ୟାଦି ଦୋଷ ପ୍ରଦର୍ଶିତ ହୋଇ କଂଗ୍ରେସ ନେତୃତ୍ୱକୁ ଗୁରୁ ଆଘାତ ଦିଆହୋଇଛି; କିନ୍ତୁ ବିଗତ କୋଡ଼ିଏ ବର୍ଷରେ ଦେଶ ଓ ଜାତି ହିସାବରେ ଭାରତର ଯେଉଁ ମାରାତ୍ମକ ଦୁର୍ବଳତା ପ୍ରକାଶ ପାଇଛି, ସେଥିପ୍ରତି ନେତୃତ୍ୱ ବା ଚିନ୍ତାଶୀଳ ବ୍ୟକ୍ତିମାନଙ୍କର ଦୃଷ୍ଟି ସମ୍ୟକ୍‌ ଭାବରେ ଆକର୍ଷିତ ହୋଇନାହିଁ । ଅବଶ୍ୟ ସେ ଦୁର୍ବଳତାର ବାହ୍ୟ ବିକାଶରେ ସମସ୍ତେ ବ୍ୟଥିତ ହୋଇ ଦୁଃଖପ୍ରକାଶ କରୁଛନ୍ତି, କିନ୍ତୁ ସେ ବ୍ୟାଧିର ନିଦାନ ଓ ପ୍ରତିକାର ପ୍ରତି ଦୃଷ୍ଟି ଦିଆହେଉନାହିଁ ।

 

ସେ ଦୁର୍ବଳତାଟି ହେଉଛି, ଯୁବକମାନଙ୍କର ଚିନ୍ତାଧାରାର ମାରାତ୍ମକ ଗତି ପରିବର୍ତ୍ତନ । ଏହାର ବାହ୍ୟ ବିକାଶ ହେଉଛି ନାନାପ୍ରକାର ବିଶୃଙ୍ଖଳା । ଏଇଠି ଯୁବ ଚିନ୍ତାଧାରାର ଗତି ବିଶ୍ଳେଷଣ ଆବଶ୍ୟକ । ଯୁବଚିନ୍ତା ଯଦି ପ୍ରଗତିଶୀଳ ହୁଏ ଓ ସେଥିପାଇଁ ଯଦି ଯୁବସମାଜରେ ଅଧୀରତା ପ୍ରକାଶ ପାଏ, ତେବେ ତାହା ସ୍ପୃହଣୀୟ । ତାହା ବୟସ୍କ ଲୋକଙ୍କ ପକ୍ଷରେ ଅପ୍ରୀତିକର ହେଲେ ମଧ୍ୟ ବା ତାହା । ଆସନସ୍ଥ ନେତୃତ୍ୱର ବିରକ୍ତିଭାଜନ ହେଲେ ମଧ୍ୟ ଦେଶ ପକ୍ଷରେ ତାହା ପରିଣାମରେ ମଙ୍ଗଳଦାୟକ । ଉଦାହରଣ ସ୍ୱରୂପ– ଭିଏଟନାମ ନୀତିକୁ ସମର୍ଥନ ନ କରି ଆମେରିକାର ଛାତ୍ରମାନେ ବିକ୍ଷୋଭ ପ୍ରଦର୍ଶନ କଲେ; ଇଣ୍ଡୋନେସିଆରେ ସୁକାର୍ଣ୍ଣୋଙ୍କ ବୈଦେଶିକ ନୀତିକୁ ପସନ୍ଦ ନ କରି ଛାତ୍ରମାନେ ଆନ୍ଦୋଳନ କରି ସେଠା ଶାସନ ପରିବର୍ତ୍ତନ କଲେ; ସେହିପରି ପୂର୍ବରୁ ଇଜିପ୍‌ଟରେ ରାଜା-ବିରୋଧୀ ଛାତ୍ର ଆନ୍ଦୋଳନ ହୋଇଥିଲା ବା ଭାରତର ସ୍ୱାଧୀନତାଲାଭ ପାଇଁ ଆନ୍ଦୋଳନ ହୋଇଥିଲା; ଏସବୁ ପ୍ରଗତିଶୀଳ ଯୁବ-ଚିନ୍ତାଧାରାର ବାହ୍ୟ ବିକାଶ । ଏ ଚିନ୍ତାରେ ସ୍ରୋତ ଅଛି; ଏଥିରେ ଆବର୍ଜ୍ଜନା ଜମିବାର ସମ୍ଭାବନା ନାହିଁ ।

 

ଏ ସ୍ରୋତ ମନ୍ଥରଗତି ନେତୃତ୍ୱକୁ ପଛରେ ପକାଇଦେଇ ଆଗେଇ ଚାଲେ ନୂତନ ନେତୃତ୍ୱ ସୃଷ୍ଟି କରିବାପାଇଁ । ତେଣୁ ଏହା ଦେଶରେ ଆଶାର ସଞ୍ଚାର କରେ, ଉତ୍ସାହ ସୃଷ୍ଟି କରେ । ଯୁବସମାଜରେ ଏ ଚିନ୍ତାଧାରା ଅନ୍ୟ କାହାରି କାର୍ଯ୍ୟ ବା ଚିନ୍ତାର ପ୍ରତିକ୍ରିୟା ନୁହେଁ । ଏହା ସୁସ୍ଥ ସବଳ ସ୍ୱାଧୀନ ଚିନ୍ତାର କ୍ରମବିକାଶ ମାତ୍ର; କିନ୍ତୁ ଭାରତରେ ଯୁବସମାଜରେ ଚିନ୍ତାଧାରା ଯେଉଁ ଗତିକରୁଛି, ସେଥିରେ ଦେଶର ଭବିଷ୍ୟତ ସମ୍ବନ୍ଧରେ ଉଦ୍‌ବେଗ ଜାତ ହେଉଛି । ମହାରାଷ୍ଟ୍ରରେ ଶିବସେନା ସଂଗଠନ, ଉତ୍ତରପ୍ରଦେଶରେ ହିନ୍ଦୀ ପ୍ରଚାର ସଂଗଠନ, ପଶ୍ଚିମବଙ୍ଗରେ ଅରାଜକତା ସୃଷ୍ଟି କରିବାର ସଂଗଠନ, ଏସବୁର ବିଶେଷ ବିବରଣୀ ହୁଏତ ଓଡ଼ିଶାର ଲୋକେ ଜାଣି ନ ଥିବେ । ତେଣୁ ସେସବୁ ବର୍ଣ୍ଣନା ନ କରି ଓଡ଼ିଶାରେ ଯାହା ହେଉଛି ତାହାରି କିଛି ବର୍ଣ୍ଣନା କଲେ କଥାଟା ସ୍ପଷ୍ଟ ହେବ । ଆନ୍ଧ୍ରରେ କେଉଁଠି କିଏ ଓଡ଼ିଆମାନଙ୍କୁ ତିରସ୍କାର କଲା, ସେଥିପାଇଁ ଓଡ଼ିଶାରେ ଆନ୍ଧ୍ରମାନଙ୍କୁ ସେମାନଙ୍କ ସ୍ୱାଧିକାରରୁ ବଞ୍ଚିତ କରିବାପାଇଁ ଆନ୍ଦୋଳନ, ପଶ୍ଚିମବଙ୍ଗରେ କେଉଁ ଷ୍ଟେସନରେ କେଉଁଠି କିଏ ଓଡ଼ିଆ ଯାତ୍ରୀଙ୍କ ପ୍ରତି ଅସଦ୍‌ ବ୍ୟବହାର କଲା, ସେଥିପାଇଁ ଓଡ଼ିଶାରେ ଟ୍ରେନ ଭିତରେ ପଶି ପ୍ରତି ବଙ୍ଗାଳୀଙ୍କୁ ଅପମାନ ଦେବା ଓ ଶେଷରେ ରେଳ ଚଳାଚଳ ବନ୍ଦ କରି ଓଡ଼ିଶାର ଆଭ୍ୟନ୍ତରୀଣ ଯାତାୟାତକୁ ବାଧା ପହୁଞ୍ଚାଇବା, ଏ ଦୁଇଟି ବିଷୟକୁ ଯୁକ୍ତି କରି ବିଚାର କରାଯାଉ । ବ୍ରହ୍ମପୁରରେ ଆନ୍ଧ୍ର ସିନେମା ବନ୍ଦହେଲେ ତା’ର ପ୍ରଭାବ, ଆନ୍ଧ୍ରରେ ଯେଉଁମାନେ ଓଡ଼ିଆମାନଙ୍କୁ ତିରସ୍କାର କଲେ ତାଙ୍କ ଉପରେ କିପରି ପଡ଼ିବ ? ଏହା ହୋଇପାରେ ଯେ ବ୍ରହ୍ମପୁର ସିନେମା ମାଲିକମାନେ ରାଜନୀତି କ୍ଷେତ୍ରରେ ଆନ୍ଧ୍ରର ସେମାନଙ୍କ ବିରୋଧୀ ଲୋକ । ଆନ୍ଧ୍ର, ବଙ୍ଗାଳୀ ବା ଓଡ଼ିଆ କହିଲେ ତ ଗୋଟିଏ ଗୋଟିଏ ଦଳ ବୁଝାଉନାହିଁ । ଓଡ଼ିଶାରେ କଂଗ୍ରେସ ଦଳ କାର୍ଯ୍ୟକୁ ସ୍ୱତନ୍ତ୍ର, ଜନକଂଗ୍ରେସ, ପି: ଏସ: ପି: ବା କମ୍ୟୁନିଷ୍ଟ ଦଳ ନିୟନ୍ତ୍ରଣ କରିପାରିବେ ? ବା ସେହିପରି କଂଗ୍ରେସ ଦଳ ଅନ୍ୟ କୌଣସି ଦଳର କାର୍ଯ୍ୟକୁ ନିୟନ୍ତ୍ରଣ କରିପାରିବ ? ତା’ପରେ ମନ୍ତ୍ରିମଣ୍ଡଳ ଓ ମୁଖ୍ୟମନ୍ତ୍ରୀମାନଙ୍କୁ ପ୍ରଦେଶର ଏକଛତ୍ରଶାସକ ମନେକରି ଦାବି ଉପସ୍ଥାପିତ କରିବା ଯୁକ୍ତିଯୁକ୍ତ କି ? ଇନ୍ଦିରା ଗାନ୍ଧୀଙ୍କୁ ବ୍ୟଙ୍ଗଚିତ୍ର କରି ନିଉୟର୍କରେ କି ଏକ ପ୍ରଦର୍ଶନୀ ହୋଇଥିଲା । ଭାରତରୁ ପ୍ରତିବାଦ ଗଲା ଆମେରିକାର ପ୍ରେସିଡ଼େଣ୍ଟଙ୍କଠାକୁ । ତେଣୁ ଉତ୍ତର ମିଳିଲା ଯେ ଆମେରିକାର ଫେଡ଼ରେଲ ଶାସନ ଏ କ୍ଷେତ୍ରରେ ହସ୍ତକ୍ଷେପ କରିପାରିବ ନାହିଁ । ଏକମାତ୍ର ନିଉୟର୍କ କର୍ପୋରେସନ ଏ ସମ୍ବନ୍ଧରେ କିଛି କରିପାରନ୍ତି । ଏଠି ଆଶା କରାଯାଉଛି ଯେ ମନ୍ତ୍ରିମଣ୍ଡଳ ବା ମୁଖ୍ୟମନ୍ତ୍ରୀ ସମ୍ବାଦପତ୍ରମାନଙ୍କୁ ରେଲ ଷ୍ଟେସନରେ ବିଶୃଙ୍ଖଳା ସୃଷ୍ଟି କରୁଥିବା ସମସ୍ତଙ୍କୁ ଜବତ କରି ରଖନ୍ତୁ । ଓଡ଼ିଶାର ଶାସନ ଯେପରି କାହାରିକୁ ଏଠି ଜବଦ କରିପାରିବ ? ଏହିପରି ପ୍ରଶ୍ନକରି କହିଗଲେ ଜଣାଯିବ ଯେ ଯୁବଚିନ୍ତାଧାରା ଗତିଶୀଳ ଅବସ୍ଥାରେ ନାହିଁ । ଏହାର ଗତି ନଷ୍ଟ ହୋଇ ଏହା ସ୍ଥିର ହୋଇଗଲାଣି ।

 

ଏହିପ୍ରକାର ସ୍ଥିରାବସ୍ଥା ବହୁ ବର୍ଷ ପୂର୍ବେ ଏ ଦେଶରେ ଘଟିଥିଲା । ଆଜି ଯେପରି ଆନ୍ଧ୍ର, ବଙ୍ଗାଳୀ ପ୍ରଶ୍ନକୁ ବଡ଼ କରି ଥୋଇବାର ଉଦ୍ୟମ ହେଉଛି, ସେହିପରି ପୂର୍ବେ ହେଉଥିଲା । ତା’ର ପ୍ରତିରୋଧ ସେ ସମୟରେ କଂଗ୍ରେସ କରିଥିଲା । ସେ ସମୟରେ କଂଗ୍ରେସ ଥିଲା ପ୍ରଗତିର ପ୍ରତୀକ-। ଆଜି କଂଗ୍ରେସର ବହୁଲୋକ ପ୍ରତିକ୍ରିୟାର ଆଶ୍ରୟ ନେଇଛନ୍ତି । କଂଗ୍ରେସ ଆଉ ପ୍ରଗତିଶୀଳ ଚିନ୍ତାଧାରାର ସହାୟକ ନୁହେଁ । ସେଦିନ କଟକରେ ଅନୁଷ୍ଠିତ କଟକ ସଭାରେ ‘ଭାରତ ଛାଡ଼’ ପରିବର୍ତ୍ତେ ‘ଓଡ଼ିଶା ଛାଡ଼’ ଆନ୍ଦୋଳନର ଆହ୍ୱାନ ଜଣେ ଶିକ୍ଷିତ କଂଗ୍ରେସ ଯୁବକ ଦେଇଥିଲେ-। ଅଣ-ଓଡ଼ିଆମାନେ ଓଡ଼ିଶା ଛାଡ଼ି ଚାଲିଯିବାର ଧ୍ୱନି ବର୍ତ୍ତମାନ ଅବସ୍ଥାର ସଙ୍କେତ । ଗଣତନ୍ତ୍ର ଓ ସମାଜବାଦ କେବଳ ଫାଙ୍କା ଆବାଜ ହୋଇଯାଉଛି; କିନ୍ତୁ ଏହା ହିଁ କଅଣ ବିଶାଳ ଜନତାର ଅବସ୍ଥା-? ତାହା ନୁହେଁ । ଜନତା ସବୁ ଯୁଗରେ ସବୁ ଦେଶରେ ଗତିଶୀଳ । ଗତିଶୀଳ ଜନତା ଯୋଗେ ବହୁ ଜାତିଆଣ ଅନୁଷ୍ଠାନ, ପ୍ରତିଷ୍ଠାସମ୍ପନ୍ନ ସଂକୀର୍ଣ୍ଣ ପ୍ରାଦେଶିକତା ପ୍ରଚାରକ ସଂସ୍ଥା ଲୋପ ପାଇଯାଇଛି । କଂଗ୍ରେସ ମଧ୍ୟ ସେହି ବିଲୋପ ପଥରେ ସେହି ହେତୁରୁ ପଥିକ; କିନ୍ତୁ ଜନତାର ନେତୃତ୍ୱ ସୃଷ୍ଟି ହେବ କେଉଁ ଶ୍ରେଣୀରେ ? ସେହି ହେଉଛି ପ୍ରଶ୍ନ । ଆଶା କରାଯାଉଥିଲା ଇଂରେଜୀ ଶିକ୍ଷିତ ଯୁବ ସମାଜରେ ସେହି ନେତୃତ୍ୱ ସୃଷ୍ଟି ହେବ; କିନ୍ତୁ ସେଠି ବର୍ତ୍ତମାନ ପ୍ରତିକ୍ରିୟାର ରାଜତ୍ୱ-। ସେଠି କାହିଁକି ଚିନ୍ତାର ଗତିରୋଧ ତା’ର କାରଣ ଅନୁଧ୍ୟାନ କରିବାକୁ ହେବ । ଏହାର ପ୍ରଥମ କାରଣ ହେଉଛି ଏହି ଯେ ସ୍ୱାଧୀନତା ପରେ ଶାସନରେ ରହିବାପାଇଁ ବା ଶାସନକୁ ଯିବାପାଇଁ ନିର୍ବାଚନରେ ଯେ କୌଣସି ଉପାୟ ଅବଲମ୍ବନ କରାହେଲା । ଭୋଟ ପାଇବାପାଇଁ ଜାତିଆଣଭାବଠାରୁ ଆରମ୍ଭ କରି ସବୁ ନୀଚ ସ୍ତରର ଭାବକୁ ଉଦ୍ରେକ କରାହେଲା-। ଏଥିରେ ନିର୍ବାଚନରେ ଜିତିବା ହିଁ ଅନ୍ତିମଧ୍ୟେୟ ହେଲା ଓ ଯୁବସମାଜ ଆଗରେ ଆଦର୍ଶ କିଛି ରହିଲାନାହିଁ ।

 

ଏ କାରଣରୁ ମଧ୍ୟ ଗତିଶୀଳ ଯୁବସମାଜ ଅତିକ୍ରମ କରିପାରିଥାନ୍ତା । ମଝିରେ ମଝିରେ ପ୍ରତିକ୍ରିୟାଶୀଳ ନେତୃତ୍ୱ ବିରୋଧରେ ଯୁବସମାଜ ବିଦ୍ରୋହ ଘୋଷଣା କରିଛି । ଓଡ଼ିଶାର ବିଗତ ଛାତ୍ର-ଆନ୍ଦୋଳନ ତା’ର ପ୍ରମାଣ, କିନ୍ତୁ ସେ ଆନ୍ଦୋଳନ ଶେଷରେ ବ୍ୟର୍ଥ ହୋଇଯାଇଛି– ତା’ରି କାରଣ ବାସ୍ତବିକ ଚିନ୍ତା କରିବାର ବିଷୟ ଓ ତାହା ହିଁ ଏ ପ୍ରବନ୍ଧର ମୁଖ୍ୟ ବିଷୟ । ଏଠି ଭାରତରେ ଯେପରି ଯୁବସମାଜ ଲକ୍ଷ୍ୟବିହୀନ ହୋଇ ଇତସ୍ତତଃ ହେଉଛି, ସେହିପରି ବିଗତ ମହାଯୁଦ୍ଧ ପରେ ପୃଥିବୀରେ ବହୁ ଦେଶରେ ଘଟିଛି । ଅନ୍ୟ ଅନେକ ଦେଶରେ ଏହାର ପ୍ରତିକାରର ଚିନ୍ତା ଚାଲିଛି । ଇଂଲଣ୍ଡରେ ଯୁବସମାଜର ଏହି ଲକ୍ଷ୍ୟହୀନତା ବିଷୟ ଅନୁସନ୍ଧାନ କରିବାପାଇଁ ଏକ କମିଶନ ନିଯୁକ୍ତ ହୋଇଥିଲା । ଏ କମିଶନର ରିପୋର୍ଟର ସାରାଂଶ ଷ୍ଟେଟସମେନ ପତ୍ରିକାର ଗତ ଜୁଲାଇ ବାଇଶ ତାରିଖ ସଂଧ୍ୟାରେ ପ୍ରକାଶିତ ହୋଇଛି । କମିଶନ ସୁପାରିସ କରିଛନ୍ତି ଯେ ଅଠରବର୍ଷ ବୟସ୍କ ହେବା ବେଳକୁ ଯୁବକ ଯୁବତୀମାନଙ୍କୁ ସମସ୍ତ ଅଧିକାର ଦେଇ ଦିଆଯାଉ । ଭୋଟ ଦେବାର ଅଧିକାର, ସମ୍ପତ୍ତି ହସ୍ତାନ୍ତର କରିବାର ଅଧିକାର, ପିତାମାତାଙ୍କ ବିନାନୁମତିରେ ବିବାହର ଅଧିକାର, ବିଦେଶକୁ ଯିବାପାଇଁ ପାସପୋର୍ଟ ପାଇବାର ଅଧିକାର ଇତ୍ୟାଦି ସବୁ ସେମାନଙ୍କୁ ଦିଆହେଉ । ଏସବୁ ଅଧିକାର କେଉଁଠି କିପରି ଏଠି ମନା ଅଛି, ଭାରତରେ ତାହା ଆଇନଜ୍ଞମାନେ ଅନୁସନ୍ଧାନ କରନ୍ତୁ; କିନ୍ତୁ ମୁଁ ଜାଣେ ପଚିଶବର୍ଷ ନ ହେଲେ ନିର୍ବାଚନରେ ପ୍ରାର୍ଥୀ ନ ହୋଇ ପାରିବାର ଯେ ଆମର ଏଠି ଆଇନ ଅଛି, ତାହା ଯୁବସମାଜର ଅଗ୍ରଗତିରେ ବାଧା ଦେଇଛି । ଅନେକେ ଜାଣି ନ ଥିବେ, ଗତ ଛାତ୍ର ଆନ୍ଦୋଳନରେ ବହୁ ମେଧାବୀ ସମ୍ଭ୍ରାନ୍ତ, ସୁରୁଚିସମ୍ପନ୍ନ ଯୁବକ ଭାଗ ନେଇ ତ୍ୟାଗ ସ୍ୱୀକାର କରିଥିଲେ । ଏମାନଙ୍କ ଭିତରୁ ଅନେକେ ଗତ ନିର୍ବାଚନରେ ପ୍ରାର୍ଥୀ ହେବାପାଇଁ ମନ ବଳାଇଥିଲେ । ବ୍ରହ୍ମପୁରରୁ ଜଣେ ଦିଲ୍ଲୀରେ ଯାଇ ମୋତେ ଲଗାଇଥିଲେ ପ୍ରାର୍ଥୀ ହେବାର ବୟସ ପଚିଶରୁ କମାଇ ଏକୋଇଶ କରିବା ପାଇଁ । ମୁଁ ମଧ୍ୟ ଚେଷ୍ଟା କରିଥିଲି; କିନ୍ତୁ ହେଲା ନାହିଁ । ଫଳରେ ଯେଉଁମାନେ ଦାୟିତ୍ୱ ବହନକରିବା ପାଇଁ ଏକ ଆନ୍ଦୋଳନ ମାଧ୍ୟମରେ ପ୍ରସ୍ତୁତ ହୋଇଥିଲେ, ସେମାନେ ବୟସ କମ ଯୋଗେ ବାଧା ପାଇଲେ । ତିନି ଚାରିବର୍ଷ ଅପେକ୍ଷା କରି ବସି ରହିବା ସମ୍ଭବ ନୁହେଁ । ସେମାନଙ୍କ ଭିତରୁ ଅଧିକାଂଶ ଚାକିରି ଇତ୍ୟାଦିକୁ ଗଲେ ଓ ଅଳ୍ପ କେତେକ ବ୍ୟର୍ଥ ମନୋରଥ ହୋଇ ବିବ୍ରତ ହେଲେ । ଠିକ୍‌ ଏହି ଅବସ୍ଥା ମାନ୍ଦ୍ରାଜରେ ଗତ ନିର୍ବାଚନରେ ଘଟିଥିଲା । ବିହାରରେ ମଧ୍ୟ ତାହା ହିଁ ହୋଇଥିଲା । ସର୍ବତ୍ର ହୋଇଛି । ଯେଉଁ ବୟସରେ ଉଚ୍ଚଶିକ୍ଷା ପାଇ ଦେଶାତ୍ମବୋଧରେ ଜାଗ୍ରତ ହୋଇ ଯୁବକ ଦାୟିତ୍ୱ ବହନଆଡ଼କୁ ଧାଇଁଛି, ସେହି ବୟସ ଦ୍ୱାର ବନ୍ଦ କରିଦେଇଛି । ଫଳରେ ବୟସ ଓ ତତ୍‌ ସଙ୍ଗେ ସଙ୍ଗେ ବୟସ୍କଙ୍କ ପ୍ରତି ଯୁବସମାଜର ବିତୃଷ୍ଣା ଜାତହେଉଛି । ସମୟ ଥିଲା ଯେତେବେଳେ ପରିପକ୍ୱ ବିଚାରପାଇଁ ପଚିଶ ବର୍ଷର ବୟସ ଧାର୍ଯ୍ୟ ହୋଇଥିଲା; କିନ୍ତୁ ଆଜି ସେ ସମୟ ଚାଲିଯାଇଛି । ଜଣେ ଯଦି ପଚିଶ ବର୍ଷ ବୟସ ପୂର୍ବରୁ ଡେପୁଟି ମାଜିଷ୍ଟ୍ରେଟ ଓ ଜିଲ୍ଲା ମାଜିଷ୍ଟ୍ରେଟ ହେବାର ସୁବିଧା ପାଇପାରୁଛି, ସେ କାହିଁକି ଜଣେ ବ୍ୟବସ୍ଥାସଭାର ସଭ୍ୟ ନ ହୋଇ ପାରିବ ? ଏ ଏକ ପ୍ରବଳ ବାଧା, ଯାହା ଯୁବସମାଜକୁ ରାଜନୀତି କ୍ଷେତ୍ରରେ ସ୍ଥାଣୁ ଓ ପ୍ରତିକ୍ରିୟାଶୀଳ କରୁଛି । ଆଉ ଏକ ବାଧା ହେଉଛି ସେମାନଙ୍କୁ ଅନ୍ୟ କ୍ଷେତ୍ରରେ ଦାୟିତ୍ୱ ଦେବା ପାଇଁ ଅବିଶ୍ୱାସ, କେତେକ ନିୟମ ମଧ୍ୟ ସେ ଅବିଶ୍ୱାସ ପାଇଁ ଦାୟୀ । ସିନିଅରଟିର ନିୟମ ଯୁବକ ମନରେ ଅବିଶ୍ୱାସ ଜାତ କରାଉଛି । ଯୁବକ ଭାବୁଛି ଯେ ତା’ ଉପରେ ଏତେ ଲୋକ ଅଛନ୍ତି ଯେ ସେ ସମସ୍ତଙ୍କୁ ଟପିଯିବା ବେଳକୁ ସେ ନିଜେ କ୍ଳାନ୍ତ ଓ ଅକର୍ମଣ୍ୟ ହୋଇ ଯାଇଥିବ । ଅତଏବ ଅଯଥା ଶକ୍ତି ଖଟାଇ ଲାଭ କଅଣ ? ସବୁ ଦିଗରେ ଯୁବକ ଦେଖୁଛି ବୟସ୍କ ଲୋକେ ଏପରି ସଂଖ୍ୟାରେ ଛକି ରହିଛନ୍ତି ଯେ ତା’ ପକ୍ଷରେ ବୟସ୍କ ହେବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ସେ ବାଧ୍ୟ । ଏଥିପାଇଁ ଧୈର୍ଯ୍ୟ ତା’ର ଆଉ ନାହିଁ । ଅଧୀରତା ଯୁବସମାଜକୁ ଦାୟିତ୍ୱଶୂନ୍ୟ କରିଦେଇଛି । ଦାୟିତ୍ୱଶୂନ୍ୟ ଯୁବକ ସମାଜର ଜଣେ ଶତ୍ରୁ । ଏହି ଅବସ୍ଥା ସୃଷ୍ଟି ହେବାକୁ ଯାଉଛି ।

 

ଏହାର ପ୍ରତିକାର ଯୁବକମାନଙ୍କୁ ବିଭିନ୍ନ କ୍ଷେତ୍ରରେ ଦାୟିତ୍ୱ ଅର୍ପଣ କରିବାର ସୁଯୋଗ ଦେବା ବୋଲି ମୋର ମନେ ହେଉଛି । ଏ ସୁଯୋଗର ଦୁର୍ବ୍ୟବହାର ହୋଇପାରେ । ବୟସ୍କମାନେ ଯୁବକମାନଙ୍କୁ କିଛି ଦାନ କରିବାକୁ ଯାଉଛନ୍ତି, ଏଣୁ ପାତ୍ର ଅପାତ୍ର ବିଚାର କରିବାକୁ ହେବ । ଏପରି କଥାଟିକୁ ନ ବିଚାରି ସମାଜର ନିୟମ ଏପରି ପରିବର୍ତ୍ତନ କରିବାକୁ ହେବ, ଯେଉଁଥିରେ ଆପଣାଛାଏଁ ଯୁବକ ଉପରେ କିଛି ଦାୟିତ୍ୱ ଯାଇ ପଡ଼ିବ । କିପରି ଏହା କାର୍ଯ୍ୟ କ୍ଷେତ୍ରରେ ହୋଇପାରିବ, ସେଥିପାଇଁ ପୁଙ୍ଖାନୁପୁଙ୍ଖ ଚିନ୍ତା ଆବଶ୍ୟକ; କିନ୍ତୁ ଏହା ଶୀଘ୍ର କରିବାକୁ ହେବ । ନଚେତ ଯୁବକମାନେ ସମାଜକୁ ପଛକୁ ଟାଣିନେବା ପାଇଁ ବସିବେ– ସମାଜ ସେଥିରେ ରାଜି ହେବନାହିଁ । ସମାଜ ଚେତାଶୂନ୍ୟ ହେଲେ ଅରାଜକତା ସୃଷ୍ଟି ହେବ ।

 

ଗଣତନ୍ତ୍ର ସମାଜବାଦ ଦୁଇଟିଯାକ ରାଜନୈତିକ ଓ ଅର୍ଥନୈତିକ କ୍ଷେତ୍ରରେ ସିଦ୍ଧାନ୍ତ । ଏ ଦୁଇଟିକୁ କାର୍ଯ୍ୟକାରୀ କରିବାକୁ ହେଲେ ସମାଜକୁ ତଦନୁସାରେ ପୁନର୍ଗଠନ କରିବାକୁ ହେବ । ଜାତିଆଣ ଭାବରେ ଜର୍ଜର ସମାଜ କେବେହେଲେ ଗଣତନ୍ତ୍ର ବା ସମାଜବାଦକୁ ଘରେ ପୁରେଇ ଦେବ ? କେବେ ନୁହେଁ ।

 

ଆଜି ଅଗଷ୍ଟ ପନ୍ଦରରେ ହିସାବ କରି ଦେଖାଯାଉ ଭାରତର ସାମାଜିକ ସଂଗଠନ ଆଦର୍ଶ ଅନୁଯାୟୀ ପୁନର୍ଗଠିତ ହୋଇଛି କି ? ସେ ଦିଗରେ କିଛିହେଲେ ଉଦ୍ୟମ ହୋଇଛି କି ? ଜାତିଆଣ ବିରୋଧରେ ସ୍ୱର ଉଠାହୋଇଛି; ମାତ୍ର ତାହା ପୁଣି ଦବିଯାଇଛି । ପ୍ରାଦେଶିକତା ଦୂର କରିବା ପାଇଁ ସ୍ୱର ଉଠାହୋଇଛି; ମାତ୍ର ପୁଣି ତାହା ଦବିଯାଇଛି । ଯେତିକି ପୁରାତନ ବ୍ୟାଧି ସବୁ ଅନ୍ତର୍ନିହିତ ଅବସ୍ଥାରେ ସମାଜରେ କାର୍ଯ୍ୟ କରୁଛି, ସେସବୁର ନିରାକରଣ ଆଦୌ ହୋଇପାରି ନାହିଁ-। ଏହି ବିରାଟ ବ୍ୟର୍ଥତା ଆଜି ଆମକୁ ସଚେତ କରାଉ । ଆଜି ଯୁବସମାଜ ମଧ୍ୟ ଚିନ୍ତାକରୁ ଦେଶରେ ଗଣତନ୍ତ୍ର ପ୍ରତିଷ୍ଠିତ ହେବ କି ନାହିଁ । ହେଲେ ସେଥିପାଇଁ କି ସାଧନା ସମସ୍ତଙ୍କୁ କରିବାକୁ ହେବ । ଜନତା ମଧ୍ୟ ଏ ଦିଗରେ ସଚେତ ହେଉ । ଇଂରେଜୀ ଶିକ୍ଷା ପାଇଲେ ଯେ ନେତୃତ୍ୱ ପାଇଁ ଜଣେ ଯୋଗ୍ୟହେବ, ତାହା ନୁହେଁ । କୌଣସି ଶିକ୍ଷାନୁଷ୍ଠାନରେ ନ ପଢ଼ି ବହୁ ସଂଖ୍ୟାରେ ଲୋକ ଅଛନ୍ତି ଯେଉଁମାନେ ବିଷୟ ପରିଚାଳନାରେ କୃତିତ୍ୱ ଅର୍ଜନ କରୁଛନ୍ତି । ସେମାନେ ମଧ୍ୟ ଅଗ୍ରସର ହୁଅନ୍ତୁ ଦେଶର ପରିଚାଳନା ପାଇଁ । ଇଂରେଜୀ ଭାଷାକୁ ହଟି ନ ଯାଆନ୍ତୁ । ସେହିମାନେ ଆଗେଇ ଆସିଲେ ବୋଧହୁଏ ଶିକ୍ଷିତ ଯୁବସମାଜର ସମସ୍ୟା ମଧ୍ୟ ସମାହିତ ହେବ ।

Image

 

୧୯-୮-୬୬

ଶୁକ୍ରବାର

 

କଂଗ୍ରେସର ଆଦର୍ଶ

 

ମଝିରେ ମଝିରେ କୌଣସି ନିର୍ଦ୍ଦିଷ୍ଟ ତାତ୍‌କାଳିକ ବିଷୟ ଛଡ଼ା ଅନ୍ୟ କୌଣସି ବିଷୟର ଆଲୋଚନା ମୁଁ କରୁ ନ ଥିଲି; କାରଣ ମୋର ନିଜର ମନ ଅନେକ ବିଷୟରେ ପରିଷ୍କାର ନ ଥିଲା । ଧୀରେ ଧୀରେ ମୋ ନିଜର ଚିନ୍ତା ପରିଷ୍କାର ହେଉଥିବାରୁ, ଅନେକ ଦିନ ପରେ ମୁଁ ଏ ମଜଲିସ୍‌ରେ ଆଲୋଚନା ଆରମ୍ଭ କରୁଛି । ଏହା ବର୍ତ୍ତମାନ ଚାଲିବ ପ୍ରତି ସପ୍ତାହରେ ଦୁଇ ବା ତିନିଥର କରି । କେତେଗୁଡ଼ିଏ କଥାରେ ମୋ ନିଜ ମନ ଯେପରି ଗୋଳମାଳିଆ ଧରିଥିଲା, ସେହିପରି ଅନ୍ୟ ଅନେକଙ୍କ ମନ ମଧ୍ୟ ହୋଇଥିବ । ଏଣୁ ଖୋଲାଖୋଲି ଆଲୋଚନାଦ୍ୱାରା ନିଜ ଚିନ୍ତା ପରିଷ୍କାର ହେବ ବୋଲି ଆଶାକରେ । ଆଜି ମୁଁ ମୋ ନିଜକଥା ଖୋଲି କରି କହୁଛି କାହିଁକି ମୁଁ କଂଗ୍ରେସ ଛାଡ଼ିଲି, ଏହାକୁ ପ୍ରଥମ ଥର ପାଇଁ ବାଲେଶ୍ୱର ସଭାରେ ବୁଝାଇ କହିଥିଲି; କିନ୍ତୁ ଯାହା ମୁଁ କହିଲି, ତାହା ପୂରାପୂରି ମୋ କହିବା ଅନୁସାରେ ସମ୍ବାଦପତ୍ରମାନଙ୍କରେ ବାହାରି ନାହିଁ; କାରଣ ମୋ କଥା ନିର୍ଭର କରେ ସମ୍ବାଦପତ୍ରଗୁଡ଼ିକର ପ୍ରତିନିଧିମାନଙ୍କ ଉପରେ ଓ ସମ୍ବାଦପତ୍ରମାନଙ୍କ ସ୍ଥାନ ଉପରେ-। ତେଣୁ ସେହି କଥାଟି ଏଠି ବୁଝେଇ ଲେଖୁଛି ।

 

କଂଗ୍ରେସରେ ଯୋଗ ଦେଲି ୧୯୨୧ ସାଲ ଅପ୍ରେଲ ମାସରେ । ଏହି ପଇଁଚାଳିଶ ବର୍ଷ ହେଲା, କର୍ମୀ ହିସାବରେ, କଂଗ୍ରେସ କମିଟିମାନଙ୍କର କର୍ମକର୍ତ୍ତା, ଜିଲ୍ଲା କଂଗ୍ରେସ କମିଟିର ସମ୍ପାଦକଠାରୁ ଆରମ୍ଭ କରି ନିଖିଳ ଭାରତ କାର୍ଯ୍ୟକାରୀ କମିଟିର ସଭ୍ୟ ପର୍ଯ୍ୟନ୍ତ ନାନା ଭାବରେ, ପ୍ରଦେଶ ଓ କେନ୍ଦ୍ରର ମନ୍ତ୍ରୀ ହିସାବରେ ଓ ମଝିରେ ବର୍ଷେ କେତେ ଗଭର୍ଣ୍ଣର ହିସାବରେ କଂଗ୍ରେସ ଲୋକ ହୋଇ ପୂରା ସମୟ ଦେଇ କାମ କରି କଂଗ୍ରେସ ସହିତ ଏପରି ମିଶି ଯାଇଥିଲି ଯେ ମୁଁ ଓ କଂଗ୍ରେସ ଏ ଦୁଇ ଭିତରେ ମୁଁ ନିଜେ ପ୍ରଭେଦ ଦେଖୁ ନ ଥିଲି ଓ ଲୋକେ ମଧ୍ୟ ଦେଖୁ ନ ଥିଲେ । ଏହି ପଇଁଚାଳିଶ ବର୍ଷ ହେଉଚି ଜୀବନର ସର୍ବୋତ୍କୃଷ୍ଟ ସମୟ, ଯୌବନ ଓ ପ୍ରୌଢ଼ ଅବସ୍ଥା । ଏଣିକି ପ୍ରାତଃକାଳ ବା ମଧ୍ୟାହ୍ନ ତ ଆଉ ଜୀବନରେ ଆସିବ ନାହିଁ । ଅପରାହ୍ନରେ ସନ୍ଧ୍ୟା ଓ ମଧ୍ୟରାତ୍ରିକୁ ଅପେକ୍ଷା କରି ଯାହା କିଛି କରିବାକୁ ହେବ । ଏହି ସମୟରେ ଯାତ୍ରା ପଥ ବଦଳାଇବା ଏକ ସ୍ୱାଭାବିକ ଅବସ୍ଥା ନୁହେଁ । ସୁଦୂର ପଲ୍ଲୀରୁ ଚାଲି ଚାଲି ଆସି ରେଳଷ୍ଟେସନରେ ଟିକଟ କାଟି ରେଳରେ ଘଣ୍ଟା ଘଣ୍ଟା ବସି ଶେଷରେ ଗୋଟିଏ ଦିଓଟି ଷ୍ଟେସନ ଆଗରୁ ରେଳରୁ ଓହ୍ଲାଇ, ପୁଣି ସଡ଼କ ଧରି ଚାଲି ମୁକାମରେ ପହଞ୍ଚିବା ଯେପରି ଏକ ବିଭ୍ରାଟକର ବ୍ୟାପାର, ସେହିପରି ମୋର କଂଗ୍ରେସ ଛାଡ଼ିବା ହୋଇଛି । ଏଥିପାଇଁ କେତେ ଚିନ୍ତା କରିବାକୁ ପଡ଼ିଥିବ, କେତେ ମାନସିକ ଦ୍ୱନ୍ଦ୍ୱର ମୀମାଂସା କରିବାକୁ ପଡ଼ିଥିବ, କେତେ ସାହସ ଓ ଦୃଢ଼ତା ଆବଶ୍ୟକ ହୋଇଥିବ, ତାହା ଅନେକ ଅନୁମାନ କରିପାରୁଥିବେ । କିନ୍ତୁ ମୋ ପକ୍ଷରେ ଅନ୍ୟ ପନ୍ଥା ମୋତେ ଦିଶିଲା ନାହିଁ ।

 

କଂଗ୍ରେସ ତିନୋଟି ଅବସ୍ଥାରେ ଇତିମଧ୍ୟରେ ଗତିକରିଛି । ପ୍ରଥମ ଅବସ୍ଥାରେ କଂଗ୍ରେସ ଭାରତରେ ଏକମାତ୍ର ରାଜନୈତିକ ଅନୁଷ୍ଠାନ ନ ଥିଲା ବା କଂଗ୍ରେସ ଆଦର୍ଶ ଏକମାତ୍ର ଆଦର୍ଶ ନ ଥିଲା । ମହାତ୍ମାଗାନ୍ଧି ଯେଉଁ ସମୟରେ କଂଗ୍ରେସର ନେତୃତ୍ୱ ନିଅନ୍ତି, ସେତେବେଳେ ପ୍ରଥମ ଯୁଦ୍ଧ ଶେଷପରେ କମ୍ୟୁନିଷ୍ଟ ମତବାଦର ଆବିର୍ଭାବ ଓ ଯୁଦ୍ଧବେଳରେ ଗଢ଼ି ଉଠିଥିବା ସନ୍ତ୍ରାସବାଦ, ଏ ଦୁଇ ମତବାଦକୁ ଘେନି ବଳଶାଳୀ ଅନୁଷ୍ଠାନମାନ କାର୍ଯ୍ୟ କରୁଥିଲା । ଏ ଦୁଇଟି କ୍ରମେ କ୍ରମେ ଏକ ହୋଇ ଆସୁଥିଲେ । ସେତେବେଳେ ଯୁବପ୍ରାଣ ଏହାରି ଆଡ଼କୁ ଆକୃଷ୍ଟ ହେଉଥିଲା । ଯଦି ଗାନ୍ଧିଜୀଙ୍କ ନେତୃତ୍ୱ ନ ଆସିଥାନ୍ତା ତେବେ ଚୀନପରି ଭାରତ ମଧ୍ୟ କମ୍ୟୁନିଷ୍ଟ ମତବାଦ ଗ୍ରହଣ କରି ସେହି ପଥରେ ଚାଲିଥାନ୍ତା । ଏଣୁ ପ୍ରଥମ ଅବସ୍ଥାରେ କଂଗ୍ରେସକୁ ଆଦର୍ଶ କ୍ଷେତ୍ରରେ ଅନ୍ୟ ଅନୁଷ୍ଠାନଠାରୁ ଉତ୍କୃଷ୍ଟ ବୋଲି ପ୍ରମାଣ କରିବାକୁ ପଡ଼ିଥିଲା । ଏ ପ୍ରତିଦ୍ୱନ୍ଦ୍ୱିତା କିଛିକାଳ ଚାଲିଥିଲା । ୧୯୩୦ ସାଲର ଲବଣ ସତ୍ୟାଗ୍ରହ ପରେ କଂଗ୍ରେସ ହିଁ ଏକମାତ୍ର ଅନୁଷ୍ଠାନ ହୋଇ ଛିଡ଼ା ହେଲା । ଅନ୍ୟ ଅନୁଷ୍ଠାନମାନ କ୍ରମେ ପ୍ରାୟ ମିଳେଇ ଗଲେ । ଏହି ହେଉଛି କଂଗ୍ରେସର ଦ୍ୱିତୀୟ ଅବସ୍ଥା । ତା’ପରେ ସ୍ୱାଧୀନତା ପରେ ୧୯୪୭ ସାଲରୁ କଂଗ୍ରେସରୁ ତୃତୀୟ ଅବସ୍ଥା ଆରମ୍ଭ ହେଲା ଓ ଏହି ଅବସ୍ଥା ବର୍ତ୍ତମାନ ଶେଷହେବା ଉପରେ । ସେକଥା ପରେ କହିବି ।

 

ମୁଁ ସେହି ୧୯୨୧ର ପ୍ରଥମ ଅବସ୍ଥାର ଲୋକ । ପ୍ରାଣକୁ ଅନ୍ୟ ମତବାଦ ଆକର୍ଷଣ କରିବାପାଇଁ ଥିଲେ ମଧ୍ୟ କଂଗ୍ରେସର ଆଦର୍ଶ ବେଶି ସୁଖ ଲାଗିବାରୁ ସେଥିରୁ ମୋରି ପରି ବହୁଲୋକ ଯୋଗଦେଲେ । ସେହି ଆଦର୍ଶ ଭିତରେ ପ୍ରଥମ ଅବସ୍ଥା, ଦ୍ୱିତୀୟ ଅବସ୍ଥା ଓ ତୃତୀୟ ଅବସ୍ଥା ଅତିକ୍ରମ କରି ଶେଷରେ ଯେତେବେଳେ ମୁଁ ଏପରି ଅବସ୍ଥାରେ ପହଞ୍ଚିଲି, ଯେଉଁଥିରେ ପୂର୍ବର ମୂଳ ଆଦର୍ଶକୁ କେବଳ ଭୁଲିଯିବାକୁ ପଡ଼ିବ ତା ନୁହେଁ, ସେ ଆଦର୍ଶ ବିରୋଧରେ କାମ କରିବାକୁ ପଡ଼ିବ ଓ ସେ ଆଦର୍ଶକୁ ନିନ୍ଦାକରି ତାକୁ ତ୍ୟାଗ କରିବାପାଇଁ ଲୋକଙ୍କୁ କହିବାକୁ ପଡ଼ିବ-। ସେତେବେଳେ ମନେ ମନେ ଅପସରି ଯାଇ ନିଜତ୍ୱକୁ ରକ୍ଷା କରିବାଛଡ଼ା ଅନ୍ୟ ବାଟ ଦେଖାଗଲା ନାହିଁ । ଗତ ପଇଁଚାଳିଶ ବର୍ଷ ଭିତରେ ବହୁକଥା ଆମେ କହିଛୁ, ବହୁକଥାର ପ୍ରତିବାଦ କରି ଆନ୍ଦୋଳନ କରିଛୁ ଓ ଅନେକ ଆନ୍ଦୋଳନ ମଧ୍ୟ ସଫଳ ହୋଇଛି । ଆଜି ଯାହାସବୁ କହିଥିଲୁ ଓ କରିଥିଲୁ ତାକୁ ରଦ୍ଦ କରିଦେଇ ସେ ସବୁର ବିରୋଧରେ କହିବା ଓ କାର୍ଯ୍ୟ କରିବା ମୋ ପକ୍ଷରେ ସମ୍ଭବ ହେଲାନାହିଁ । ଯେଉଁ ରେଳଡ଼ବାରେ ଜଣେ ବସି ଆସୁଛି, ମଝି ଷ୍ଟେସନରେ ଯଦି ଦଳେ ଲୋକ ପଶିଯାଇ ନିଜେ ମାତାଲ ହୋଇ ସେ ଜଣକୁ ମଦ ପିଇବାପାଇଁ ବାଧ୍ୟ କରନ୍ତି, ତେବେ ସେ କୌଶଳରେ ଆଗ ଷ୍ଟେସନରେ ଓହ୍ଲାଇପଡ଼ିବା ଛଡ଼ା ତା’ପକ୍ଷରେ ଅନ୍ୟ ବାଟ ନାହିଁ । ଏହି ଅବସ୍ଥାରେ ମୁଁ କଂଗ୍ରେସ ଛାଡ଼ିଲି । ନିଜକୁ ନିଜେ ରକ୍ଷା କଲି, ତେଣିକି ଯାହାହେଉ ।

 

ଏଥିରୁ ଦୁଇଟି ପ୍ରଶ୍ନ ଉଠୁଛି, ପ୍ରଥମଟି ହେଉଛି ଏପରି କଣ ହେଲା ଯେ କଂଗ୍ରେସ ଭିତରେ ରହିବା ସମ୍ଭବ ହେଲାନାହିଁ ଓ ଦ୍ୱିତୀୟଟି ହେଉଛି ଏହା ପରେ କଅଣ ? ପ୍ରଥମ ପ୍ରଶ୍ନର ଆଲୋଚନା ମୁଁ ଆସନ୍ତା ଥର କରିବି ଓ ଗୋଟି ଗୋଟି କରି କରିବି କିପରି ଯାହା କହି ଆସିଥିଲୁ ଓ କରି ଆସୁଥିଲୁ, ଠିକ୍‌ ତାର ବିପରୀତ କହିବାକୁ ଓ କରିବାକୁ ବାଧ୍ୟ ହୋଇଗଲି । ତା’ପରେ ପରବର୍ତ୍ତୀ କର୍ତ୍ତବ୍ୟ ବିଷୟ ଆଲୋଚନା କରିବି ।

Image

 

୨୦-୮-୬୬

ଶନିବାର

 

Unknown

ପ୍ରତିରୋଧ ଆବଶ୍ୟକ

 

ମୁଁ କଂଗ୍ରେସ ଛାଡ଼ିଲି କାହିଁକି ତାର କାରଣ ମୋତେ ଯେପରି ଲାଗୁ ତାହା ମୋ ପରି ବହୁଲୋକଙ୍କ ପକ୍ଷରେ ଲାଗୁ । ବହୁଲୋକ ବର୍ତ୍ତମାନ ହାୟ ହାୟ କରୁଛନ୍ତି, ଥିଲା କଅଣ ହେଲା କଅଣ । ସେ ଦିନ କଂଗ୍ରେସର ଜଣେ ଅତି ପ୍ରତିଷ୍ଠିତ ବ୍ୟକ୍ତି ଶ୍ରୀପ୍ରକାଶ ଏ ଲେଖା ପ୍ରକାଶ କରି କହିଥିଲେ ‘‘ଏଥିପାଇଁ ତ ଆମେ ସ୍ୱରାଜ ଆଣି ନ ଥିଲୁ ।’’ ବଡ଼ ବଡ଼ ମଣିଷଙ୍କ କଥା ଛାଡ଼ି ଦିଅନ୍ତୁ, ଗାଁର ସାଧାରଣ କର୍ମୀ ସେ ବିଚାରା ମୁହଁ ତଳକୁ କରି ରହିଛି କିଛି କହିପାରୁ ନାହିଁ ସତ; ମାତ୍ର ତା ମନରେ ଗଭୀର ବେଦନା । ଆଉ ଅନେକ ଘଟଣାଚକ୍ରରେ ନୂତନ ଅବସ୍ଥା ସହିତ ଖାପ ଖୁଆଇବା ପାଇଁ ବାଧ୍ୟ ହେଲେଣି । ଏଣୁ ମୋ ନିଜ କଥାରେ ମୁଁ କହୁଛି ତା କେବଳ ମୋ ନିଜର ନୁହେଁ । ଏଥିରେ ବର୍ତ୍ତମାନ ଦେଶର ଅବସ୍ଥାର ଗଭୀର ସମ୍ପର୍କ ଅଛି । ସେହି ଦୃଷ୍ଟିରୁ ଲୋକେ ଏହାକୁ ବିଚାର କରନ୍ତୁ ।

 

୧୯୩୮ ସାଲରେ ଯେଉଁ ଗଡ଼ଜାତ ଆନ୍ଦୋଳନ ହୋଇଥିଲା, ସେଥିରେ ହଜାର ହଜାର ଲୋକ ଦୁଃଖ କଷ୍ଟ ଭୋଗକଲେ । କେତେକ ଗୁଳିରେ ମଲେ । କେତେକ ଫାଶୀ ମଧ୍ୟ ପାଇଲେ । ସେ ଆନ୍ଦୋଳନ କଥା ଆଜିସୁଦ୍ଧା ଗଡ଼ଜାତ ଲୋକଙ୍କର ମନେଥିବ । ସେ ଯେଉଁ ଆନ୍ଦୋଳନ ହୋଇଥିଲା ସେଥିରେ ପ୍ରଜାମାନଙ୍କ ପକ୍ଷରୁ ଗୋଟିଏ ଦାବି ଥିଲା ଯେ ରାଜା ବା ତାଙ୍କର କେହି ବନ୍ଧୁବାନ୍ଧବ ତାଙ୍କ ରାଜ୍ୟରେ ବ୍ୟବସାୟ ବାଣିଜ୍ୟ କରିବେ ନାହିଁ; କାରଣ ତଦ୍ଦ୍ୱାରା ଅନ୍ୟ ବ୍ୟବସାୟୀମାନେ ଅତି ଅସୁବିଧାରେ ପଡ଼ି ଯାଉଛନ୍ତି, ଶାସନ ରାଜାଙ୍କ ଲୋକଙ୍କୁ ସାହାଯ୍ୟ କରୁଥିବାରୁ । ଏ ଦାବିଟି ସେତେବେଳେ ଇଂରେଜ ସରକାର ଗ୍ରହଣ କରି ନିୟମ କରି ଦେଇଥିଲେ ଯେ ରାଜା ବା ତାଙ୍କର କେହି ବନ୍ଧୁବାନ୍ଧବ ତାଙ୍କ ନିଜ ରାଜ୍ୟରେ ବାଣିଜ୍ୟ କରିବେ ନାହିଁ । ସେତେବେଳେ ବଟଲାର କମିଶନ ନାମରେ ଯେଉଁ ବିଲାତ ପାର୍ଲାମେଣ୍ଟର ଗଡ଼ଜାତ ସମ୍ପର୍କୀୟ ଅନୁସଂଧାନ କମିଟି ବସିଥିଲା ତାହାରି ସୁପାରିଶ ଅନୁସାରେ ଭାରତରେ ପଲିଟିକେଲ ଡିପାର୍ଟମେଣ୍ଟ ଉପରୋକ୍ତ ନିର୍ଦ୍ଦେଶ ରାଜାମାନଙ୍କୁ ଦେଲେ ଓ ତାହା କାର୍ଯ୍ୟକାରୀ ହେଲା । ଏ ନୀତିଟି ଏପରି ଜଣାଶୁଣା ଯେ ପୂର୍ବର ଜିଲ୍ଲା ବୋର୍ଡ଼, ମ୍ୟୁନିସିପାଲଟି ପ୍ରଭୃତିରେ କେହି ସଭ୍ୟ ବା କର୍ମକର୍ତ୍ତା ନିଜ ଅନୁଷ୍ଠାନ ସହିତ ବେଉସା ବାଣିଜ୍ୟ ନ କରିବା ପାଇଁ ଆଇନ ଥିଲା । ଆଜି ମଧ୍ୟ ସେ ଆଇନ ଅଛି । କିନ୍ତୁ ଆଜି ଉପରେ ମନ୍ତ୍ରୀମାନେ ନିଜେ; ତାଙ୍କ ସ୍ତ୍ରୀ ଓ ବନ୍ଧୁବାନ୍ଧବମାନେ ସରକାରଙ୍କ ସହିତ ବେଉସା ବାଣିଜ୍ୟ ନିଃସଂକୋଚରେ ଚଳାଇଛନ୍ତି । ତାଙ୍କ ଦେଖାଦେଖି ତଳେ ଗାଁରେ ସରପଞ୍ଚମାନ ସବୁ ଠିକାକାମ ନିଜେ ତାଙ୍କର ବନ୍ଧୁବାନ୍ଧବମାନେ କରୁଛନ୍ତି । ବାହାରେ ଯେ ଅନ୍ୟଲୋକ ରହିଗଲେ ସେମାନେ ଉପରକୁ ଅନେଇ ବସିଛନ୍ତି । ନିଜେ ଶାସନ ଭାରରେ ରହି ସେହି ଶାସନ ସାଙ୍ଗରେ ନିଜେ ବେଉସା ବାଣିଜ୍ୟ କରିବା ହେତୁ କାମକୁ ତଦନ୍ତ କରୁଥିବା କର୍ମଚାରୀମାନେ କିଛିହେଲେ ତଦନ୍ତ କରୁ ନାହାନ୍ତି । ଶେଷରେ ସେମାନେ ମଧ୍ୟ ନିଜେ କିଛି କରି ନେବାର ଯୋଗାଡ଼ କରୁଛନ୍ତି । ଏହିପରି ମୂଳରୁ ଶେଷ ପର୍ଯ୍ୟନ୍ତ ବ୍ୟବସାୟ ବାଣିଜ୍ୟର ଯେ ପ୍ରଥା ଚାଲିଛି, ଏଥିରେ ଗଡ଼ଜାତ ଲୋକେ ନିଶ୍ଚୟ କହିବେ, ସେମାନେ କହୁଛନ୍ତି, ଏତେ ଆନ୍ଦୋଳନ ତେବେ ରାଜାଙ୍କ ବିରୋଧରେ କାହିଁକି ହେଉଥିଲା ? ସ୍ୱାଧୀନତା ପରେ ପରେ ୧୯୪୮ ସାଲରେ କଂଗ୍ରେସ ପକ୍ଷରୁ ନିର୍ଦ୍ଦେଶ ଦିଆ ହୋଇଥିଲା ଯେ କଂଗ୍ରେସ କମିଟିର ସଭ୍ୟମାନେ ଲାଇସେନ୍‌ସ ପରମିଟି ପ୍ରଭୃତି ନେବେ ନାହିଁ ବା କାହାରି ପାଇଁ ସେମାନେ ସୁପାରିଶ କରିବେ ନାହିଁ । ଏ ଥିଲା ପୂର୍ବନୀତି । ଆଜି ଯାହା ହେଉଛି ତାହା ଏକ ନୂତନ ପଦ୍ଧତି । ଏଥିରେ ନିଜକୁ ଖାପ ଖୁଆଇବା ସମ୍ଭବ ନୁହେଁ । ଏଥିରେ ଦେଶର କ୍ଷତି ଘଟୁଥିବାରୁ ଏହାର ତୀବ୍ର ପ୍ରତିରୋଧ ଆବଶ୍ୟକ ପଡ଼ିଲା । ଏଣିକି ଏ ବିଷୟରେ ଲୋକେ ବିଚାର କରିବେ । ଆଜି ଯାହା ହେଉଛି ତାହା ଚାଲିଥିବ ନାଁ ତାକୁ ଜବରଦସ୍ତ ବନ୍ଦ କରିବାକୁ ହେବ । ମୋର ମନେହୁଏ ଏହାକୁ ଆନ୍ଦୋଳନ କରି ବନ୍ଦ କରିବାକୁ ହେବ ।

 

ମହାତ୍ମାଗାନ୍ଧୀ ସ୍ୱରାଜ୍ୟ ଆନ୍ଦୋଳନ ଆରମ୍ଭ କଲାବେଳେ ବ୍ୟକ୍ତିର ସମ୍ମାନ ତଥା ଜାତିର ସମ୍ମାନକୁ ବଡ଼ କରି ଦେଶ ଆଗରେ ଥୋଇ ଥିଲେ । ସେତେବେଳେ ସ୍ୱାଧୀନତା ଦିବସର ଶପଥରେ ସେ ଉଲ୍ଲେଖ କରିଥିଲେ ଯେ ଦେଶର ସମ୍ମାନିତ ବ୍ୟକ୍ତି ମଧ୍ୟ ଅମଲାମାନଙ୍କ ଆଗରେ ମୁଣ୍ଡ ନୁଆଇଁବାକୁ ବାଧ୍ୟ ହୋଇ ଯାଇଛି । ଗଡ଼ିଜାତ ଆନ୍ଦୋଳନବେଳେ ଏହି ନାଗରିକ ଅଧିକାର ଦାବି ଏକ ପ୍ରଧାନ ଦାବି ଥିଲା । ସ୍ୱରାଜ୍ୟରେ ସାଧାରଣ ଲୋକଙ୍କୁ ସରକାର ତଥା ସରକାରୀ କର୍ମଚାରୀମାନେ ସମ୍ମାନ ଦେଖାଇବେ ଏହାହିଁ ଏକ ଉତ୍ସାହଜନକ କାର୍ଯ୍ୟକ୍ରମ ଥିଲା । ସେତେବେଳେ କୁହାଯାଉଥିଲା ଲୋକଙ୍କ ଟିକସ ଖଜଣାରୁ ଦରମା ପାଉଥିବା ମନ୍ତ୍ରୀଙ୍କଠାରୁ ଆରମ୍ଭ କରି ସବୁ ସରକାରୀ କର୍ମଚାରୀମାନେ ଟିକସ ଖଜଣା ଦେଉଥିବା ଲୋକଙ୍କୁ ନିଜର ମାଲିକ ବୋଲି ମନେ କରିବେ । ଲୋକେ ହେଲେ ମାଲିକ ଓ କର୍ମଚାରୀମାନେ ହେଲେ ମୂଲିଆ । କର୍ମଚାରୀଙ୍କ ମଧ୍ୟରେ ନିର୍ବାଚିତ ପ୍ରତିନିଧିମାନେ ମଧ୍ୟ ଅନ୍ତର୍ଭୁକ୍ତ । ଇଂରେଜ ରାଜତ୍ୱରେ କର୍ମଚାରୀମାନେ ପ୍ରଧାନ ଥିବାରୁ, ସ୍ୱର ଉଠିଥିବା ମାଲିକ ମୂଲିଆ ହେଲେ ସ୍ୱରାଜ୍ୟ ହେବ । ଆଜି ସ୍ୱରାଜ୍ୟ ହୋଇଛି । ସରକାରୀ କର୍ମଚାରୀ ତଥା ପ୍ରତିନିଧିମାନେ ପ୍ରଥମେ ବର୍ଷେକେତେ ସାଧାରଣ ଲୋକଙ୍କୁ ସମ୍ମାନ ଦେଖାଇବାପାଇଁ ଚେଷ୍ଟା କରିଥିଲେ । ଏପରିକି ପୋଲିସ କର୍ମଚାରୀମାନଙ୍କ ପାଇଁ ଯେଉଁ ନିୟମମାନ ଅଛି ସେଥିରେ ଗୋଟିଏ ନିୟମ ହେଉଛି ଯେ ସାଧାରଣ ଲୋକଙ୍କୁ ସମ୍ମାନ ଦେଖେଇବେ । ଡାକବିଭାଗ ପକ୍ଷରୁ, ରେଳ ବିଭାଗ ପକ୍ଷରୁ ଆଉ ଅନ୍ୟାନ୍ୟ ବିଭାଗ ପକ୍ଷରୁ ‘‘କର୍ଟସି ଉଇକ୍‌’’ ବା ‘ସମ୍ମାନ ପ୍ରଦର୍ଶନ ଶିକ୍ଷା ସପ୍ତାହ’ ସବୁ ପାଳିତ ହେଲା । କିନ୍ତୁ ଆଜି କଅଣ ? ସମାଜରେ ସମ୍ଭ୍ରାନ୍ତବ୍ୟକ୍ତି ବୋଲି ପରିଚିତ ଲୋକେ ମଧ୍ୟ ସାମାନ୍ୟ ପୋଲିସ ସବଇନ୍‌ସପେକ୍ଟର ବା ଏପରିକି ଗ୍ରାମ ସରପଞ୍ଚଠାରୁ ମାନ ଟିକିଏ ପାଇନାହିଁ । ଗାଳିଫଜିତ ସାଧାରଣ କଥା, କାନମୋଡ଼ା, ଗାଲ ଚାପୁଡ଼ା ନ ହେଲେ ରକ୍ଷା ବୋଲି ଉଭୟ ଉଭୟ ଭଦ୍ରଲୋକେ ଲୁଚିଲେଣି । ଇଂରେଜ ରାଜତ୍ୱରେ ଯେପରି ଗୋଟିଏ ଶ୍ରେଣୀର ଲୋକ ଥାନାକୁ ଯିବା ଆସିବା କରିବା ଉପରେ ଲାଟସାହେବଙ୍କ ସହିତ ମିଶାମିଶି କରି ଶାସନରୁ ସମ୍ମାନ ପାଇ ଲୋକଙ୍କ ଉପରେ ଜୁଲମ କରୁଥିଲେ, ଆଜି ଠିକ୍‌ ସେହିପରି । ମନ୍ତ୍ରୀଙ୍କ ଆଖପାଖ ଲୋକ କେବଳ ଯେ ଜନସାଧାରଣଙ୍କ ଉପରେ ଜୁଲମ କରୁଛନ୍ତି ତାହା ନୁହେଁ । ସେମାନେ ତଳେ ସ୍ଥାନୀୟ ହାକିମମାନଙ୍କୁ ଏପରିକି କେତେକ ଜିଲ୍ଲା ମାଜିଷ୍ଟ୍ରେଟମାନଙ୍କୁ ମଧ୍ୟ ଧମକାଇ ଏପରି ଏକ ଅବସ୍ଥା ସୃଷ୍ଟି କରିଛନ୍ତି ଯେଉଁଥିରେ ସାଧାରଣ ଲୋକଙ୍କର ମାନସମ୍ମାନ ତ ନାହିଁ, ମାନ ସମ୍ମାନ ଜ୍ଞାନଥିବା ଲୋକ ସରକାରୀ ଚାକିରି କରିବାକୁ ସୁଦ୍ଧା ନାପସନ୍ଦ କରିବାକୁ ଆରମ୍ଭ କଲେଣି । ଏହାହିଁ ଥିଲା ଏକ ସମୟରେ ଆନ୍ଦୋଳନର କାରଣ । ଆଜି ସେହି କାରଣ ପୂର୍ବାପେକ୍ଷା ବେଶି ପରିମାଣରେ ପ୍ରକାଶ ପାଇଛି । ଏ ଅବସ୍ଥାକୁ ସୁଧାରିବାକୁ ହେବ, ନଚେତ ଲୋକଶାସନର ଆବରଣରେ ଗୁଣ୍ଡା ରାଜତ୍ୱ ଚାଲୁ ହୋଇଯିବ ।

 

ଶାସନର କାର୍ଯ୍ୟହେଲା ଆପତ୍ତି ଅଭିଯୋଗ ଶୁଣି ସେ ସବୁର ନିଷ୍ପତ୍ତି କରିଦେବା । ଏଥିପାଇଁ ଆଇନ, ଏଥିପାଇଁ ଶହ ଶହ କର୍ମଚାରୀ ଅଛନ୍ତି । ଇଂଲଣ୍ଡରେ ଏକ ନିୟମ ଅଛି ଯେ କୌଣସି ଅଫିସରଠାରେ କେହି କିଛି ଆପତ୍ତି କଲେ, ସେ ଶୁଣିବ, ଯଦି ସେ ଆପତ୍ତି ସହିତ ସେ ଅଫିସରଙ୍କ ସମ୍ବନ୍ଧ ନ ଥାଏ, ତେବେ ସେ ଯେଉଁ ଅଫିସରଙ୍କ ସେ ବିଷୟ ସହିତ ସମ୍ବନ୍ଧ ଅଛି ସେ ଅଫିସରଙ୍କଠାରୁ ସେ ଲୋକଙ୍କୁ ପଠାଇ ଦେବ । ଆପତ୍ତି ଶୁଣିବାପାଇଁ କେହି ନ ରହିଲେ ଦେଶ ଅରାଜକ ହୋଇଯିବ ଓ ବିପ୍ଳବ ଘଟିଯିବ ବୋଲି ଇଂଲଣ୍ଡରେ ମନେ କରାଯାଏ । ଆମେରିକାରେ ଅତି ସାମାନ୍ୟ ଆପତ୍ତି ଶୁଣି ଯେ କୌଣସି ଲୋକଙ୍କୁ ସାହାଯ୍ୟ କରିବା ହେଉଛି ସେଠା ପୋଲିସର କାମ । ଚୀନରେ ସାଧାରଣ ଲୋକଙ୍କ ଆପତ୍ତି ନିଜେ ମାଓ ସେ ତୁଙ୍ଗ ପ୍ରତିଦିନ ଶୁଣନ୍ତି ବୋଲି ମୁଁ ତାଙ୍କ ଜୀବନୀରେ ପଢ଼ିଛି ।

 

ଶାସ୍ତ୍ର ପୁରାଣ ସବୁଥିରେ ରାଜାଙ୍କର ଆପତ୍ତି ଶୁଣିବା ଏକ ପ୍ରଧାନ କାମ ବୋଲି ବ୍ୟବସ୍ଥା କରାଯାଇଛି । ଇଂରେଜ ରାଜତ୍ୱରେ ଆପତ୍ତି ଶୁଣିବା ପାଇଁ କେହି ରହିଲେ ନାହିଁ ବୋଲି ଆନ୍ଦୋଳନ ହୋଇଥିଲା । ସ୍ୱରାଜ୍ୟ ପରେ ସାଧାରଣଙ୍କ ଆପତ୍ତି ତାକୁ ଶୀଘ୍ର ଶୀଘ୍ର ନିଷ୍ପତ୍ତି କରି ଦେବାପାଇଁ ଚେଷ୍ଟା ହୋଇଥିଲା । ଆଜି ଆପତ୍ତି ଶୁଣିବା ପାଇଁ ତଳେ କେହି ନାହାନ୍ତି । କାରଣ ଉପରେ ମନ୍ତ୍ରୀ ତଳେ ଥାନା ହେଡ଼ କନଷ୍ଟବଳ ଠାରୁ ଆରମ୍ଭ କରି ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ନିର୍ଦ୍ଦେଶ ଦେବାରେ ଲାଗିଛନ୍ତି । ସେକ୍ରେଟେରୀଏଟ୍‌ରେ ତଳ କିରାଣୀ ଠାରୁ ଆରମ୍ଭ କରି ସେକ୍ରେଟେରୀ ପର୍ଯ୍ୟନ୍ତ ନିର୍ଦ୍ଦେଶ ପାଇବାରେ ଲାଗିଛନ୍ତି । ଏଣୁ ମନ୍ତ୍ରୀଙ୍କ ପାଖରେ ଯେ କେତୋଟି କାନକୁହା ଲଟପଟ ହେଉଛନ୍ତି ସେହିମାନେ ହିଁ ବସ୍ତୁତଃ ଜନସାଧାରଣଙ୍କ ଭାଗ୍ୟ ନିୟନ୍ତ୍ରଣ କରୁଛନ୍ତି । ଏ କାନକୁହାଙ୍କ ସଂଖ୍ୟା ପ୍ରତି ଜିଲ୍ଲାରେ ପ୍ରାୟ ପାଞ୍ଚ କି ଦଶ ହେବେ । ଠିକ ଢେଙ୍କାନାଳ ଆନ୍ଦୋଳନ ସମୟରେ ଯେପରି ତିନୋଟି ମାତ୍ର ଲୋକ ରାଜ୍ୟକୁ ଏପାଖ ସେପାଖ କରି ଛାରଖାର କଲେ ଆଜି ସେହିପରି ପାଞ୍ଚ ସାତଜଣ ଲୋକ ଗୋଟିଏ ଗୋଟିଏ ଜିଲ୍ଲାକୁ ଛାରଖାର କରୁଛନ୍ତି । ଶୁଣିବା ପାଇଁ କେହି ନ ଥିବାରୁ ଲୋକେ ନୂଆ ହୋଇ ବାହାରିଥିବା ଟାଉଟରଙ୍କ ଭୟରେ ଦବି ଯାଉଛନ୍ତି । ଏଥିରୁ ଦେଶକୁ ରକ୍ଷା କରିବାକୁ ହେବ । ଯେପରି ପୂର୍ବେ ଏହିମାନଙ୍କୁ ଜନସାଧାରଣଙ୍କ ଆଗରେ ଅପଦସ୍ଥ କରି ଦେଶରେ ନୂତନ ଜୀବନର ସଞ୍ଚାର କରା ହୋଇଥିଲା ଆଜି ସେହିପରି ଏମାନଙ୍କ ବିରୋଧରେ ଆନ୍ଦୋଳନ କରିବାକୁ ହେବ । ଇଂରେଜ ରାଜତ୍ୱରେ ରାୟବାହାଦୂର ଖାଁ ବାହାଦୂରଙ୍କ ଠାରୁ ଆରମ୍ଭ କରି ଗାଁ ଚୌକିଦାରି ପ୍ରେସିଡ଼େଣ୍ଟଙ୍କ ପର୍ଯ୍ୟନ୍ତ ଯେତେ ‘‘ଖଏର ଖାଁ’’ (ସେତେବେଳକାର ଏକ ଭର୍ତ୍ସନା ସୂଚକ ଶବ୍ଦ) ଥିଲେ ଆଜି ସେମାନଙ୍କ ସଂଖ୍ୟା ବଢ଼ୁଛି । ମାତ୍ର ତେଣେ ଲୋକେ ମଧ୍ୟ ପୂର୍ବଠାରୁ ଆଜି ବେଶି ଜାଗ୍ରତ । କିନ୍ତୁ କେଉଁଠି କେଉଁ ବିଷୟରେ ଆନ୍ଦୋଳନ ଅନିବାର୍ଯ୍ୟ ହେଲାଣି ବୋଲି ମୁଁ ଅନୁଭବ କରୁଛି ତାହାହିଁ ଏଠାରେ ଆଲୋଚିତ ହେଉଚି ।

Image

 

୨୧-୮-୬୬

ରବିବାର

ଦୁର୍ନୀତି

 

ଦୁର୍ନୀତି ଦୁର୍ନୀତି ବୋଲି ଚାରିଆଡ଼େ ଚିତ୍କାର ପଡ଼ିଛି, ନିର୍ମଳଶାସନ ପାଇଁ ଦାବି ହେଉଛି-। କିନ୍ତୁ ଦୁର୍ନୀତି କଅଣ କେଉଁଠି କିପରି ଏହାର ନିରାକରଣ ଆବଶ୍ୟକ, ଦେଶ ଓ ସମାଜର କଲ୍ୟାଣ ଦୃଷ୍ଟିରୁ ତାର ପୁଙ୍ଖାନୁପୁଙ୍ଖ ଆଲୋଚନା ଆବଶ୍ୟକ । ତା’ ନହେଲେ ମନ ଭିତରେ ଯେ କେତୋଟି ପ୍ରଶ୍ନ ଲୁଚିକି ରହିଯାଉଛି, ତାରି ଫଳରେ ଦୁର୍ନୀତି ପ୍ରଶ୍ରୟ ପାଉଛି । ମନ ଭିତରେ ସେସବୁ ପ୍ରଶ୍ନ ଲୁଚିକି ରହିଯାଉଛି, ସେ ହେଉଛି ଏହି– ଦୁର୍ନୀତି କଅଣ ପୂର୍ବେ ନ ଥିଲା, ଯେଉଁମାନେ ଦୁର୍ନୀତି ବିରୋଧରେ ରଡ଼ି ଛାଡ଼ିଛନ୍ତି ସେମାନେ କିଛି ମଧ୍ୟ କଅଣ ଦୁର୍ନୀତିର ଆଶ୍ରୟ ନେଇ ନଥିଲେ ବା ନେଉ ନାହାନ୍ତି । ସଂସାରରେ ଘରକରି ରହିଲେ ଅଳ୍ପ ବହୁତେ ସମସ୍ତେ ତ ଦୁର୍ନୀତି କରୁଛନ୍ତି, ସେହିପରି ଗୋଟିଏ ଦଳ ଚଳାଇବାକୁ ହେଲେ ବା ଏକଦଳ ଘେନି ଶାସନ ଚଳାଇବାକୁ ହେଲେ ଦୁର୍ନୀତି ତ କରିବାକୁ ହେବ, ତେଣିକି ସିନା ବେଶି କମର କଥା ଉଠିବ ନ ହେଲେ ତ ନୀତି ଦୃଷ୍ଟିରୁ କିଛି କହିହେବ ନାହିଁ । ଦୁର୍ନୀତି କଲେ କଅଣ ହେଲା, ସେଥିରୁ ତ ଅନେକ ଦୁଃସ୍ଥ ସାହାଯ୍ୟ ପାଉଛନ୍ତି, ଅନ୍ୟକୁ ସାହାଯ୍ୟ କରିବା ପାଇଁ ଦୁର୍ନୀତି ଟିକିଏ କଲେ କ୍ଷତି ବା କଅଣ, ଇତ୍ୟାଦି ଇତ୍ୟାଦି । ଏ ପ୍ରଶ୍ନସବୁ ଆମ ଦେଶରେ ବେଶି ଉଠିବା କଥା କାରଣ ଆମର ସମାଜରେ ବହୁତ ବଡ଼ ବଡ଼ କଥା କୁହାହୁଏ, କିନ୍ତୁ ବହୁତ ଛୋଟ କାମ ମଧ୍ୟ କରାହୁଏ । ଧର୍ମଗତ ଆଚାର ସବୁ ମଧ୍ୟ ଏପରି ହୋଇଯାଇଛି ଯେଉଁଥିରେ ଅତି ବଡ଼ତତ୍ତ୍ୱ ସବୁ ଦେହଘଷା ହୋଇଯାଇ ଅତି ଛୋଟ କାମକୁ କୌଣସି ବାଧା ଦେଉନାହିଁ । ଉଦାହରଣ ସ୍ୱରୂପ, ଅହିଂସା ବା ଜୀବେଦୟା । ଯେଉଁ ଲୋକ ଗାଧୋଇସାରି ପୂଜାସେବା କରିବା ପରେ ପିମ୍ପୁଡ଼ି ଗାତରେ ଚିନିଦେଇ ଜୀବେଦୟା ପାଳନ କରୁଛି ସେ ପରମୁହୂର୍ତ୍ତରେ ବାଡ଼ଧରି ନିଜ ଭାଇର ମୁଣ୍ଡ ଫଟାଇବାରେ କିଛି ଆପତ୍ତି କରୁନାହିଁ-। ଯେ ନିରାମିଷାଶୀ ହୋଇ ଅହିଂସା ବ୍ରତ ପାଳନ କରୁଛି ସେ ମନୁଷ୍ୟକୁ ହତ୍ୟା କରିବାରେ କିଛି ଅପରାଧ ଦେଖୁ ନାହିଁ । ଏହିପରି ଦେଖିଲେ ଜଣାଯିବ ଆମ ସମାଜରେ ଦୈନନ୍ଦିନ ଆଚରଣରେ ବଡ଼ ବଡ଼ ତତ୍ତ୍ୱସବୁ ଏପରି ମିଶିଯାଇଛି ଯେଉଁଥିରେ ସାଧାରଣ ଭାବରେ ଜୀବନଯାପନ କରିବାପାଇଁ ଯେତିକି ଯାହା ଯେତେବେଳେ କରିବାର କଥା ତାହା କରାଯାଇ ପାରୁନାହିଁ । ଶାସନ କ୍ଷେତ୍ରରେ ସେହି ବିରୋଧ ମନୋବୃତ୍ତି କାର୍ଯ୍ୟକରି ଶେଷରେ ଆଣି ଦେଶକୁ ରସାତଳରେ ପକାଇଥିଲା-। ମହାତ୍ମା ଗାନ୍ଧିହିଁ ରାଷ୍ଟ୍ରକ୍ଷେତ୍ରରେ ଉଚ୍ଚତତ୍ତ୍ୱର ସୀମା ନିର୍ଦ୍ଧାରଣ କରିବାର ଉଦ୍ୟମ କରିଥିଲେ-। ଶାସ୍ତ୍ରପୁରାଣରେ ସଂସାରୀ ଜୀବନ ପାଇଁ ସବୁ ଉଚ୍ଚ ତତ୍ତ୍ୱର ସୀମା ନିର୍ଦ୍ଧାରଣ କରାହୋଇଛି-। ସେଥିପାଇଁ ରାଜଧର୍ମ ବା ଶାସନର ନିୟମକୁ ସ୍ୱତନ୍ତ୍ର ଭାବରେ ସ୍ଥାନ ଦିଆହୋଇ ସେଥିରେ ଉଚ୍ଚତତ୍ତ୍ୱମାନଙ୍କ ସୀମା ଟଣା ହୋଇଛି । ସେହି ସୀମା ଭିତରେ ଦୁର୍ନୀତିକୁ ବିଚାର କରିବାକୁ ହେବ-। ତାହା ନ ହେଲେ ନ୍ୟାୟଶାସ୍ତ୍ର ଅନୁସାରେ ସବୁକଥା ଏକ ଅନିଶ୍ଚିତ ଅବସ୍ଥାରେ ପହୁଞ୍ଚିଯିବ-। ଉଦାହରଣ ସ୍ୱରୂପ ଜଣେ ଯଦି ଯୁକ୍ତି କରେ ଯେ ସବୁଜୀବ ସମାନ ଥିବାସ୍ଥଳେ ଶହ ଶହ ମଶାମାଛି ମରା ହେଉଥିବାବେଳେ ଜଣେ ମନୁଷ୍ୟ ଜୀବନକୁ ମାରିଦେଲେ ଫାଶୀ କାହିଁକି ହେଉଛି, ତେବେ ତାହା ଅଯୌକ୍ତିକ କହି ସଙ୍ଗେ ସଙ୍ଗେ ଉଡ଼ାଇ ଦିଆଯିବ । ଏତେ କହିବା ଏଥିପାଇଁ ପ୍ରୟୋଜନ ହେଉଛି ଯେ ରାଷ୍ଟ୍ରପରିଚାଳନାର କ୍ଷମତା ଆମ ସମାଜ ପାଇଛି ପ୍ରାୟ ହଜାରେ ବର୍ଷ ହେଲା ରାଷ୍ଟ୍ରକ୍ଷମତା ହରାଇ ସାରିଥିଲା ପରେ । ଏଥିପୂର୍ବେ ରାଷ୍ଟ୍ର ନିୟମ ବା ରାଜଧର୍ମ ଯେପରି ଊଣା ଅଧିକେ ସମସ୍ତଙ୍କୁ ଜଣାଥିଲା, ଆଜି ସେପରି ନାହିଁ ବା ସେ ଦିଗରେ ସାମାଜିକ ଜ୍ଞାନ ବୃଦ୍ଧି କରିବାର ଉଦ୍ୟମ ହେଉନାହିଁ । ଶାସନ ନିୟମ ସମ୍ବନ୍ଧରେ ଅବହିତ ହେବାପାଇଁ ବିଷ୍ଣୁଶର୍ମାଙ୍କ ପଞ୍ଚତନ୍ତ୍ର ଏକ ସହଜବୋଧ୍ୟ ଉପାଦେୟ ପୁସ୍ତକ । ମହାଭାରତ ଶାନ୍ତିପର୍ବ ଏଥିପାଇଁ ଅବଶ୍ୟ ପଢ଼ିବା ଉଚିତ ।

 

ବର୍ତ୍ତମାନ ଦୁର୍ନୀତି ବିଷୟକୁ ରାଷ୍ଟ୍ରପତି ଦିଗରୁ ଆଲୋଚନା କରାଯାଉ । ସମାଜରେ ଦୁର୍ନୀତି ବରାବର ରହିଛି । ଭୀଷ୍ମ କହିଛନ୍ତି ଯେ ଗୋଟିଏ ସମୟ ଥିଲା ଯେତେବେଳେ–

 

‘‘ନ ତନ୍ତ୍ର ରାଜଽସୀତ,

ନ ଦଣ୍ଡୋ ନଚ ଦଣ୍ଡାକଃ

ସ୍ୱଭାବେସୈବ ଧର୍ମାଜ୍ଞାସ୍ତେ

ରକ୍ଷନ୍ତି ପରସ୍ପରମ୍‌ ।’’

 

ଅର୍ଥାତ୍‌ ସେତେବେଳେ ରାଜା କେହି ନଥିଲେ, ଦଣ୍ଡ କିଛି ନଥିଲା ବା ଦଣ୍ଡ ଦେଲାବାଲା କେହି ନଥିଲେ । ନିଜ ନିଜ ସ୍ୱାଭାବିକ କର୍ତ୍ତବ୍ୟ ଜ୍ଞାନରେ ସମସ୍ତେ ପରସ୍ପରକୁ ରକ୍ଷା କରୁଥିଲେ । ଏପରି ଅବସ୍ଥା କେବେ ଥିଲା କହିହେବ ନାହିଁ । କିନ୍ତୁ କାଳକ୍ରମେ ମନୁଷ୍ୟ ସମାଜ ଭିତରେ କାମ, କ୍ରୋଧ, ଲୋଭ, ମୋହ, ମଦ ଓ ମାତ୍ସର୍ଯ୍ୟ କାର୍ଯ୍ୟ କରିବାରୁ ମନୁଷ୍ୟ ମନୁଷ୍ୟ ମଧ୍ୟରେ ସମ୍ବନ୍ଧ ସ୍ଥିର ରଖିବା ପାଇଁ ରାଜା ବା ଶାସନର ସୃଷ୍ଟି ହେଲା । ଅର୍ଥାତ୍‌ ଲୋଭ, କ୍ରୋଧ, ଅହଙ୍କାର ଇତ୍ୟାଦିର ବଶବର୍ତ୍ତୀ ହୋଇ ଜଣେ ଅନ୍ୟ ଜଣକ ପ୍ରତି ଅନ୍ୟାୟ କରିବାରୁ ଶାସନର ସୃଷ୍ଟି ହେଲା । ଏଣୁ ସମାଜରେ ଦୁର୍ନୀତି ଅଛି, ମାତ୍ର ଏହାକୁ ଦମନ କରିବାପାଇଁ ଶାସନର ସୃଷ୍ଟି । ଲାଭ, ଲୋଭରେ ଦୋକାନୀ ବେଶୀ ଦରରେ ଜିନିଷ ବିକ୍ରି କରିଦେଲା, କାମ ନ କରି କଣ୍ଟ୍ରାକ୍ଟର ଟଙ୍କା ମାରିନେଲା ଇତ୍ୟାଦି ହେଉଛି ସାମାଜିକ ଦୋଷ । ଏ ଦୋଷକୁ ଦଣ୍ଡ ଦେଇ ଦମନ କରିବାପାଇଁ ଶାସନ ଅଛି । ନଚେତ ଶାସନର ଆବଶ୍ୟକତା କିଛି ନାହିଁ ।

 

ତା’ପରେ ଶାସନ କହିଲେ ମୋଟାମୋଟି ଭାବରେ ଦୁଇଟି ସ୍ତର ବୁଝାଏ । ଗୋଟିଏ ହେଉଛି ନିମ୍ନସ୍ତର ଅନ୍ୟଟି ହେଉଛି ଉଚ୍ଚସ୍ତର । ଯୁଗେ ଯୁଗେ ସବୁ ଦେଶରେ ଦେଖାଯାଇଛି ଯେ ନିମ୍ନସ୍ତରଟି ସମାଜର ଦୁର୍ନୀତି ଦ୍ୱାରା ବେଳେ ବେଳେ ପ୍ରଭାବିତ ହୁଏ । କାରଣ ଏହି ସ୍ତରଟି ସମାଜ ସହିତ ସିଧାସଳଖ କାରବାର କରେ । ଏ ସ୍ତରର ଦୁର୍ନୀତିକୁ ନିୟନ୍ତ୍ରଣ କରିବାପାଇଁ ଉପର ସ୍ତରଟିଏ ଅଛି । ଥାନା ସବ୍‌ଇନସପେକ୍ଟର ଉପରେ ପୋଲିସ ସୁପରିଣ୍ଟେଣ୍ଡେଣ୍ଟ ତା ଉପରେ ଆଇ. ଜି. ବା ସେହିପରି ଅନ୍ୟ ସବୁ ବିଭାଗରେ ତଳସ୍ତରକୁ ଠିକ୍‌ ବାଟରେ ରଖିବା ପାଇଁ ଉପର ସ୍ତରମାନ ଅଛି । ତଳସ୍ତର ଯଦି ଠିକ୍‌ ରହନ୍ତା ତେବେ ଉପର ସ୍ତରର ଆବଶ୍ୟକତା ନାହିଁ । ଏଣୁ ତଳ ସ୍ତରରେ ଦୁର୍ନୀତି ପ୍ରକାଶ ପାଇଲେ ତାହା ଉପର ସ୍ତରର ଅକ୍ଷମତାର ପ୍ରଣାମ ସିନା, ତା’ଠାରୁ ଆଉ କିଛି ବେଶି ନୁହେଁ-। କିନ୍ତୁ ଏପରି ମଧ୍ୟ ହୋଇଥାଏ ଯେ ଦୁର୍ନୀତି ପ୍ରବେଶ କରିଥାଏ ସର୍ବୋଚ୍ଚ ସ୍ତରରେ– ପୂର୍ବକାଳର ରାଜା ବା ଆଜିକାଲିର ମନ୍ତ୍ରୀ ହେଉଛନ୍ତି ସର୍ବୋଚ୍ଚ ସ୍ତର । ସବୁ ଦେଶରେ ସବୁ ଯୁଗରେ ପ୍ରମାଣିତ ହୋଇଛି ଯେ ସର୍ବୋଚ୍ଚ ସ୍ତରରେ ଦୁର୍ନୀତି ପ୍ରବେଶ କଲେ ଦେଶ ଓ ସମାଜର ସର୍ବନାଶ ଘଟେ-। ଭାଗବତରେ ବେଣରାଜାର ଉପାଖ୍ୟାନ ଅତି ପ୍ରାଚୀନ । ଭାରତରେ ବିଭିନ୍ନ ରାଜତ୍ୱର ପତନର ଇତିହାସ ଅନେକ ବର୍ଷ ତଳର କଥା । ଚଳନ୍ତି ଇତିହାସରେ ଇଜିପଟ, ଟର୍କି, ପାକିସ୍ତାନ, ଆଫ୍ରିକାର ବହୁ ଦେଶ, ଫ୍ରାନସ ଇତ୍ୟାଦି ଦେଶରେ ସର୍ବୋଚ୍ଚ ସ୍ତରରେ ଦୁର୍ନୀତି ପ୍ରବେଶ କରିବାରୁ ସେଠି ବିପ୍ଳବ ଘଟିଛି ଓ ରାଜତ୍ୱ ଲୋପ ପାଇଛି ।

 

ଦୁର୍ନୀତିର ତାହାହେଲେ ତିନୋଟି କ୍ଷେତ୍ର ହେଲା । ଗୋଟିଏ ହେଉଛି ସାଧାରଣ ଜନତା ମଧ୍ୟରେ । ଏହାର ନିୟନ୍ତ୍ରଣ ପାଇଁ ଶାସନ ଅଛି । ଶାସନ ତଳ କ୍ଷେତ୍ରରେ ଦୁର୍ନୀତି ଦମନ ପାଇଁ ଉପର କ୍ଷେତ୍ର ଅଛି । ଉପର କ୍ଷେତ୍ରରେ ମଧ୍ୟ ଦୁର୍ନୀତି ଘଟିଛି । ରାଷ୍ଟ୍ର ଓ ସମାଜର ସ୍ଥିତି ଦୃଷ୍ଟିରୁ ଉପର ସ୍ତରର ଦୁର୍ନୀତି ଉଦ୍‌ବେଗଜନକ । କଲେକ୍ଟରଙ୍କ ଅଫିସରରେ କିରାଣୀ କେହି ଲାଞ୍ଚ ନେଲେ, ତାଙ୍କୁ ଦବାଇବା ପାଇଁ କଲେକ୍ଟର ଅଛନ୍ତି । କଲେକ୍ଟର ନିଜେ ଯଦି ଲାଞ୍ଚ ନିଅନ୍ତି ତେବେ କଥା ସରିଲା । ଆଜି ଦୁର୍ନୀତିର ଚିତ୍କାର ଉଠୁଛି ତାହା ସମାଜର ଦୁର୍ନୀତି ବା ଶାସନର ତଳସ୍ତରରେ ଦୁର୍ନୀତି ପାଇଁ ନୁହେଁ । ଉପରସ୍ତରଟି ଦୁର୍ନୀତିଗ୍ରସ୍ତ ହୋଇଯିବାରୁ ଆଉ କେହି କାହାରି ଆପତ୍ତି ଅଭିଯୋଗ ଶୁଣିବାପାଇଁ ନାହାନ୍ତି । ଏହାହିଁ ଅରାଜକତା ପାଇଁ ଅବସ୍ଥା ସୃଷ୍ଟି କରୁଛି ।

 

ଉପସ୍ତରର ଦୁର୍ନୀତିକୁ ଆହୁରି ଭଲ ଭାବରେ ଆଲୋଚନା କରାଯାଉ । ରାଜ୍ୟରକ୍ଷା ପାଇଁ ବା ରାଜ୍ୟର ମଙ୍ଗଳସାଧନ କରିବା ପାଇଁ କେହି ଅନ୍ୟ ରାଜ୍ୟକୁ ନଷ୍ଟକରି ଦେଲା ବା ଲୁଣ୍ଠନ କଲା, ତାହା ରାଜଧର୍ମରେ ଦୁର୍ନୀତି ବୋଲି ପରିଗଣିତ ହୁଏ ନାହିଁ । ଏ ଦୁର୍ନୀତିରେ ରାଜ୍ୟର ସମସ୍ତେ ଭାଗୀଦାର । ରାଜ୍ୟ ଭିତରେ ଦଳଗତ ବିରୋଧରେ ଗୋଟିଏ ଦଳ ଅନ୍ୟ ଏକ ଦଳର ଅନିଷ୍ଟ କଲା ବା ଧ୍ୱଂସ କରିଦେଲା ତାହା ମଧ୍ୟ ଦୁର୍ନୀତି ବୋଲି ବିବେଚିତ ହୁଏ ନାହିଁ । ମାତ୍ର ଏ ବିବାଦରେ ଜନସାଧାରଣଙ୍କ ଯେପରି କୌଣସି କ୍ଷତି ନ ଘଟେ ଏହାହିଁ ଏ ବିବାଦର ସୀମା । ଏହି ସୀମା ଭିତରେ ସବୁଦେଶରେ ଦଳମାନ କାର୍ଯ୍ୟ କରୁଛନ୍ତି । ପୂର୍ବେ ରାଜବଂଶ ମାନଙ୍କ ଭିତରେ ଏହିପରି ବିବାଦ ହେଉଥିଲା । କିନ୍ତୁ ସାଧାରଣଙ୍କ ଦ୍ୱାରା ଗୃହୀତ ଅର୍ଥକୁ ଆତ୍ମସାତ କରି ନିଜେ ବ୍ୟକ୍ତିଗତ ଭାବରେ ଧନୀହେବ, ନିଜର ବ୍ୟକ୍ତିଗତ ପ୍ରତିହିଂସା ସାଧନ କରିବା ପାଇଁ ଶାସନ ଜରିଆରେ ଅନ୍ୟର ଅନିଷ୍ଟ କରିବା, ନିଜର ସମୃଦ୍ଧି ପାଇଁ ସର୍ବସାଧାରଣଙ୍କ ଶାସନକୁ ବ୍ୟବହାର କରିବା ଏ ପ୍ରକାରର ଦୁର୍ନୀତି ସର୍ବୋଚ୍ଚ ସ୍ତରରେ ପ୍ରକାଶ ପାଇଲେ ତାର ପରିଣାମ ଅରାଜକତା ଓ ରାଷ୍ଟ୍ରବିପ୍ଳବ । ଏହାର ସଂଶୋଧନ ବୈଧାନିକ ଭାବରେ ନ ହୋଇ ପାରିଲେ ଚାରିଆଡ଼େ ହିଂସାର ବାୟୁମଣ୍ଡଳ ସୃଷ୍ଟି ହେବ । ଚାରିଆଡ଼େ ହତାଶା ବ୍ୟାପୀ ଯିବ । ଏହି ଅବସ୍ଥାରେ ଦେବତାମାନେ ମଧ୍ୟ ‘‘ସର୍ବ ହୋଇଣ ଏକମୁଖ, ବୋଇଲେ ନାରାୟଣ ରଖ ।’’ ଏହି ଅବସ୍ଥା ଓଡ଼ିଶାରେ ଦେଖାଦେଇଛି । ତେଣୁ ସାଧୁ ସାବଧାନ ।

 

ଲାଞ୍ଚମିଛ କରି ସରକାରୀ ଟଙ୍କା ଆଣି ଦାନ କରିବାକୁ ଦାନ ନେଉଥିବା ଲୋକେ ମଧ୍ୟ ପସନ୍ଦ କରୁ ନଥିଲେ । ଡକାୟତମାନଙ୍କ ମନରେ ମଧ୍ୟ ଦୟା, ସ୍ନେହ ସହାନୁଭୂତି ଥାଏ । ତା’ବୋଲି ଡକାୟତମାନଙ୍କ ପ୍ରତି କାହାରି ସହାନୁଭୂତି ନ ଥାଏ କାରଣ ସେମାନଙ୍କ ଦାନ ଗୋରୁମାରି ଜୋତାଦାନ ପରି । ଯେଉଁମାନେ ଦାନ ଦେଉଛନ୍ତି ସେମାନେ ଭାବନ୍ତୁ, ଜଣେ ଲୋକକୁ ସରକାରରୁ ଅର୍ଥାତ୍‌ ସାଧାରଣଙ୍କ ଦତ୍ତ ଅର୍ଥରୁ ହଜାରେ ଟଙ୍କା ଦିଆ କରାଇ ତା’ଠାରୁ ପାଞ୍ଚଶହ ଟଙ୍କା ଅଣା ହେଲା । ସେହି ପାଞ୍ଚଶହ ଟଙ୍କା ଆଣି ଜଣେ ନିଜେ ତିନିଶହ ଟଙ୍କା ରଖିନେଇ ଜଣେ ଛାତ୍ର ବା ଆଉ କେହି ଦୁଃସ୍ଥ ବ୍ୟକ୍ତିକୁ ଦୁଇଶହ ଟଙ୍କା ଦାନ କରିଦେଲା । ଯେ ଦୁଇଶହ ଟଙ୍କା ପାଇଲା, ତା’ର କାମ ଚଳିଗଲା, ସେ ହୁଏତ କୃତ୍ୟକୃତ୍ୟ ହେଲା । ମାତ୍ର ମନେ ରଖିବାକୁ ହେବ ସେହି ଦୁଇ ଶହଟଙ୍କା ପାଇଁ ଖାଇବାକୁ ପିନ୍ଧିବାକୁ ନ ପାଉଥିବା ଲୋକେ ହଜାରେ ଟଙ୍କା ଟିକସ ଖଜଣା ଆକାରରେ ଦେଇଛନ୍ତି । ଏ ପ୍ରକାର ଦାନ ଦେବା ଯେପରି ଅନ୍ୟାୟ, ଦାନ ନେବା ମଧ୍ୟ ସେହିପରି ଅନ୍ୟାୟ । ଏହି ପ୍ରକାର ଦାନ ବିତରଣ ହେଉଥିବାବେଳେ ଜଣେ ବିଶିଷ୍ଟ ବ୍ୟକ୍ତି ଭୁବନେଶ୍ୱରରେ ମୋତେ କହିଥିଲେ ‘‘ମୋର ଏତେ ରାଗ ହେଲା ଯେ ମୁଁ ଭାବିଲି ଏମାନଙ୍କୁ ଗୁଳି କରିଦେବା ଉଚିତ ।’’ ଯେ ଲାଞ୍ଚ ନିଏ ସେ ନିଜ ବିବେକକୁ ମଧ୍ୟ କିଛି ଲାଞ୍ଚ ଦିଏ ଅନ୍ୟକୁ ସେହି ପଇସାରୁ କିଛି ଦାନକରି ହୁଏତ, ସେ ବ୍ୟକ୍ତିର ବିବେକ କିଛି ଲାଞ୍ଚ ପାଇଯାଇ ଶାନ୍ତ ହୋଇ ଯାଉଥିବ । କିନ୍ତୁ ସମାଜର ବିବେକ ଏହା ବିରୋଧରେ ବିଦ୍ରୋହ କରିବ ।

Image

 

ତା ୨୩-୮-୬୬

ମଙ୍ଗଳବାର

ନେତୃତ୍ୱ ଓ ନୈତିକତା

 

ବେଶିଦିନ ନୁହେଁ, ଏଇ ପ୍ରାୟ ପାଞ୍ଚ ଛଅବର୍ଷ ତଳେ ଦେଶରେ ଯେତେବେଳେ ସମାଜବାଦର ପ୍ରଚାର ଖୁବ୍‌ ଜୋରେ ଚାଲିଥିଲା, ସେତେବେଳେ କଂଗ୍ରେସ, କମ୍ୟୁନିଷ୍ଟ ସାମ୍ୟବାଦୀ ସମସ୍ତେ ପୁଞ୍ଜିବାଦ ଓ ସାମନ୍ତବାଦକୁ ଭର୍ତ୍ସନା କରୁଥିଲେ । ପୁଞ୍ଜିବାଦ କଥା ପରେ ଆଲୋଚିତ ହେବ । ସାମନ୍ତବାଦର କେନ୍ଦ୍ର ଥିଲା ରାଜା ଓ ଜମିଦାରମାନେ । ରାଜା ଜମିଦାରଙ୍କୁ ଘେନି ଯେଉଁ ଦଳଟି ସୃଷ୍ଟି ହୋଇଥିଲା, ସେ ସେହି ସାମନ୍ତବାଦ ଚକ୍ର ଭିତରେ ଥିଲେ । ପୂର୍ବେ ଯେଉଁସବୁ ପ୍ରଜା ସମ୍ମିଳନୀ ବା କୃଷକ ସମ୍ମିଳନୀ ହେଉଥିଲା ସେଥିରେ ରାଜା ଜମିଦାରମାନଙ୍କ ନାନାପ୍ରକାର ଫନ୍ଦିକୁ ସମାଲୋଚନା କରାହେଉଥିଲା । ଏହିସବୁ ଫନ୍ଦିକୁ ମୂଳକରି ନାନା ଗଳ୍ପ, ଉପନ୍ୟାସ ସବୁ ରଚିତ ହୋଇଛି । ଗୋଟିଏ ଦିଓଟି ଫନ୍ଦି ମନେ ପକାନ୍ତୁ । ଗାଁରେ ଛୋଟ ଛୋଟ ଜମିଦାରମାନେ ମଝିରେ ମଝିରେ ଅଷ୍ଟପ୍ରହରୀ କୀର୍ତ୍ତନ କରନ୍ତି । ଏଥିପାଇଁ ଚାରିଆଡ଼ୁ ଅର୍ଥ ଓ ଜିନିଷ ସଂଗ୍ରହ କରାହୁଏ । ଧର୍ମର ଛଳନାରେ ଜମିଦାର ସ୍ୱାର୍ଥ ସାଧନ କରୁଛନ୍ତି ବୋଲି ଅଭିଯୋଗ ହେଉଥିଲା । କେହି ଜମିଦାର ଯଦି ଇସ୍କୁଲଟିଏ ବସାଇଲେ, ତେବେ ଖଜଣା ସାଙ୍ଗରେ ସ୍କୁଲକର ମଧ୍ୟ ଆଦାୟ କରି ନେଉଥିଲେ । ଅନେକ ଜମିଦାର ଏ କରକୁ ଇସ୍କୁଲରେ ଖର୍ଚ୍ଚ କରି ଯଦି କିଛି ବଳିଲା ତେବେ ଜମିଦାରୀର ଅନେକ ଛାତ୍ରଙ୍କୁ ସାହାଯ୍ୟ କରୁଥିଲେ । ଗଡ଼ଜାତରେ ଅନେକ ରାଜାଙ୍କ ଫନ୍ଦି ଥିଲା ଜେମାଙ୍କ ବାହାଘର ବା ରାଜାଙ୍କ ବିଲାତ ଯିବା ଉପଲକ୍ଷେ ମାଗଣ ଅସୁଲ କରିବା । ଏହି ମାଗଣ ପାଇଁ ନୀଳଗିରି ଓ ଅନ୍ୟ କେତେକ ଗଡ଼ଜାତରେ ପ୍ରବଳ ଆନ୍ଦୋଳନ ହୋଇଥିଲା । ଏସବୁ ସାମନ୍ତବାଦର ନଗ୍ନଚିତ୍ର ନାନା ଭାବରେ ପ୍ରଚାରିତ ହୋଇ ସାମନ୍ତବାଦର ଲୋପପାଇଁ ଜନମତ ଜାଗ୍ରତ କରାହେଉଥିଲା । ଜନମତ ଜାଗ୍ରତ ହେଲା, ରାଜା ଜମିଦାରମାନେ ଗଲେ । କିନ୍ତୁ ସାମନ୍ତବାଦ ଲୋପ ପାଇଲା କି ? ଏହି ପ୍ରଶ୍ନଟି ଚିନ୍ତାଶୀଳ ବ୍ୟକ୍ତିମାନେ ଆଲୋଚନା କରନ୍ତୁ । କନିକାରାଜା ରାଜକନିକାରେ ଏକ ହାଇସ୍କୁଲ ବସାଇ କର ନେଉଥିଲେ ବୋଲି ପ୍ରଜା ଆନ୍ଦୋଳନ କରିଥିଲେ । ଆଜି ବାସୁଦେବପୁରରେ କଲେଜ ହୋଇଛି । ଥାନାକୁ ଏତଲା ଦେବାପାଇଁ ଗଲେ ଆମେ କଲେଜ ପାଇଁ ଚାନ୍ଦା ଦେବାକୁ ହେବ । ସବ୍‌ରେଜିଷ୍ଟରି ଅଫିସଙ୍କ ଦଲିଲ ରେଜିଷ୍ଟରି କରିବାକୁ ହେଲେ କଲେଜ ପାଇଁ ଚାନ୍ଦା ଦେବାକୁ ହେବ । ମେଦିନିପୁରିଆ ପାହିଚାଷୀଙ୍କ ଜମିପଟ୍ଟା ଦେବାକୁ ହେଲେ ସେମାନଙ୍କଠାରୁ କଲେଜ ପାଇଁ ଚାନ୍ଦା ଆଦାୟ କରାହେବ । ହଜାର ହଜାର ଏକର ଜମିରୁ ଲକ୍ଷାଧିକ ଟଙ୍କା ଚାନ୍ଦା ସଂଗୃହୀତ ହୋଇଛି ବୋଲି ଶୁଣାଯାଏ । ବ୍ଲକକୁ ବିଭିନ୍ନ ବାବଦରେ ଯେଉଁସବୁ ଟଙ୍କା ଯାଉଛି ସେଥିରେ ଯଦି କାମ ନ ହେଉଛି ତେବେ କୁହାଯାଉଛି ଯେ ସେ ଟଙ୍କା କଲେଜ ବାବଦକୁ ଗଲା । ଜଣେ ଚାଉଳ କଳବାଲା ଚାଉଳ ଚୋରା ଚାଲାଣ କରି ଲକ୍ଷାଧିକ ଲାଭ ଉଠାଇଲେ ଓ ତାଙ୍କର କହିବାର କଥା ଯେ ସେ ଟଙ୍କା କଲେଜକୁ ଦିଆଗଲା । ଏସବୁ ଟଙ୍କାକୁ ହିସାବ କରି ଜଣେ ବୁଦ୍ଧିମାନ ସାଧାରଣ କର୍ମୀ କହିଲେ ଯେ କଲେଜ ପାଇଁ ପ୍ରାୟ ଦଶଲକ୍ଷରୁ ଅଧିକ ଟଙ୍କା ଆଦାୟ ହେଲାଣି । ଏହିକଥା ମୁଁ କହୁଛି ବୋଲି ମୋତେ ଗାଳି ଦିଆହେଉଛି ମୁଁ କଲେଜ ବିରୋଧରେ ବୋଲି ଅଭିଯୋଗ ହେଉଛି । ମୁଁ କୌଣସି ଗାଳି ବା ଅଭିଯୋଗକୁ କାନ ଦେଉନାହିଁ । କଲେଜ ସର୍ବତ୍ର ହେଉ । ସାଧାରଣ ଦତ୍ତ ସାହାଯ୍ୟରେ କେଉଁଝର, ସୁନ୍ଦରଗଡ଼, ବରଗଡ଼, ଦେବଗଡ଼, ଭଞ୍ଜନଗର, କରଞ୍ଜିଆ ପ୍ରଭୃତି ବହୁ ସ୍ଥାନରେ କଲେଜ ହୋଇଛି ଓ ଦୁଃଖେ କଷ୍ଟେ ସେମାନେ ଚାଲିଛନ୍ତି । ଏସବୁ ଜାଗାରେ କେତେବେଳେ କିପରି ମୁଁ ସାହାଯ୍ୟ କରିଛି ଓ କରୁଛି । କିନ୍ତୁ ଯେଉଁଠି କଲେଜ ନାଁ’ରେ ସ୍ୱାର୍ଥ ସାଧନ ଚାଲିଲା ସେଠି ତାକୁ ବନ୍ଦ କରିବାର ଚେଷ୍ଟା ହୋଇଛି । ସବ୍‌ରେଜିଷ୍ଟର ଖାନାରୁ ଅସୁଲ, କଲେଜ ନାଁ ଜଙ୍ଗଲପଟ୍ଟା ନେବା ଇତ୍ୟାଦିରେ ଯେଉଁଠି ବିଭ୍ରାଟ ଘଟିଛି ସେଠି ତାକୁ ବନ୍ଦ କରାଯାଇଛି । କିନ୍ତୁ କୌଣସିଠାରେ ବାସୁଦେବପୁର କଲେଜ ପାଇଁ ଯେପରି ଚାରିଆଡ଼େ ଅର୍ଥ ସଂଗ୍ରହ ଏପରି ହେଉନାହିଁ । ବାସୁଦେବପୁର କଲେଜଟି ପୂରାପୂରି ସରକାରୀ କଲେଜ ହୋଇଥିଲେ ଟିକସ ଆକାରରେ ଲୋକଙ୍କୁ ବହୁତ କମ୍‌ ଦେବାକୁ ପଡ଼ିଥାନ୍ତା । ବାସୁଦେବପୁର ଓ ପଡ଼ିଶା କନିକା ଇଲାକା ଏକ ସମୟରେ ସାମନ୍ତବାଦର କେନ୍ଦ୍ର ଥିଲା । ଆଜି ତା’ର କିଛି ପରିବର୍ତ୍ତନ ହୋଇଛି କି ଯେ କେହି ଅନୁସନ୍ଧିତ୍ସୁ ଯାଇ ଦେଖି ଆସନ୍ତୁ ତା’ପରେ ଉପରୋକ୍ତ ପ୍ରଶ୍ନ ସାମନ୍ତବାଦ ଉଠିଛି କି ଏହାର ଉତ୍ତର ଦିଅନ୍ତୁ । ବାସୁଦେବପୁର କଲେଜ ଏକ ଉଦାହରଣ ମାତ୍ର ।

 

ବଡ଼ ଆକାରରେ ଦେଖନ୍ତୁ, ଦଳପାଇଁ ଚାନ୍ଦା ସଂଗ୍ରହ ଯୁଗ ଚାଲି ଗଲାଣି । ବର୍ତ୍ତମାନ କଣ୍ଟ୍ରାକ୍ଟର, ଲାଇସେନ୍‌ସ ପ୍ରଭୃତି ଜରିଆରେ ସରକାରୀ ଶାସନ ଓ କର୍ମଚାରୀଙ୍କ ସାହାଯ୍ୟରେ ଦଳପାଇଁ ଚାନ୍ଦା ଅସୁଲ ଚାଲିଛି । ମୋର ମନେହୁଏ ଓଡ଼ିଶାରେ ଏହା ଯେପରି ଚାଲିଛି ଅନ୍ୟତ୍ର ସେପରି ହୋଇ ନାହିଁ । ଦଳର ବାର୍ଷିକ ଖର୍ଚ୍ଚ କେତେ ହେବ ତା’ର ଏକ ହିସାବ କରି ପ୍ରକାଶ୍ୟ ଭାବରେ ସରକାରଙ୍କଠାରୁ ତାହା ନେଲେ ବରଂ ଭଲ । ସେଥିରେ କରଦାତାଙ୍କୁ ଅତି ଅଳ୍ପ ଦେବାକୁ ହେବ । ଆଜି ତ ପରୋକ୍ଷରେ କରଦାତାକୁ ବହୁତ ବେଶୀ ଦେବାକୁ ପଡ଼ୁଛି । ଆଗେ ମନ୍ତ୍ରୀମାନଙ୍କ ଦାନପାଇଁ ‘ଇଚ୍ଛାଧୀନ ପାଣ୍ଠି’ ବୋଲି ବଜେଟରେ ପ୍ରକାଶ୍ୟ ଭାବରେ ବ୍ୟବସ୍ଥା ହେଉଥିଲା । ‘ନୂତନ ଯୁଗ’ର ପ୍ରବର୍ତ୍ତକମାନେ ତାକୁ ଉଠାଇ ଦେଲେ । ତା’ ପରିବର୍ତ୍ତରେ ଇଞ୍ଜିନିଅର, ସପ୍ଳାଇ ଅଫିସର ପ୍ରଭୃତିଙ୍କ ଜରିଆରେ ଦାନ ନାମରେ ଅଜସ୍ର ଅର୍ଥ ସଂଗୃହୀତ ହେଉଛି । ପୂର୍ବେ ମନ୍ତ୍ରୀମାନେ ସରକାରଙ୍କ ଠାରୁ ଧାର କରି ନିଜର ମଟରଗାଡ଼ି କରୁଥିଲେ ଓ ସେ ଧାରକୁ ଧୀରେ ଧୀରେ ସୁଝୁଥିଲେ । ସରକାରୀ ଗାଡ଼ି ମନ୍ତ୍ରୀମାନେ ବ୍ୟବହାର କରୁ ନଥିଲେ, କଲେ ନିୟମାନୁସାରେ ଭଡ଼ା ଦେଉଥିଲେ । ଆଜି ଏ ପ୍ରଥା ନାହିଁ, ମନ୍ତ୍ରୀ ମନ୍ତ୍ରୀଙ୍କ ଘରର ସମସ୍ତେ ବନ୍ଧୁବାନ୍ଧବ ସରକାରୀ ଗାଡ଼ିକୁ ନିଜର ଗାଡ଼ି ବୋଲି ମନେ କରି ବ୍ୟବହାର କରୁଛନ୍ତି । ତେଣେ ସରକାରୀ କୋଟାପାଇ ଯେଉଁ ଗାଡ଼ି କିଣୁଛନ୍ତି ତାକୁ ବିକ୍ରି କରିବାରେ ଲାଗିଛନ୍ତି । ମନ୍ତ୍ରୀମାନେ ଏପରି କରିବାରୁ କର୍ମଚାରୀମାନେ ମଧ୍ୟ ସେହିପରି କଲେଣି ।

 

ଏ ଚିତ୍ରଟିରୁ ଏତିକି ସ୍ପଷ୍ଟ ହେଉଛି ଯେ ପୂର୍ବେ ଯେଉଁ ସାମନ୍ତବାଦ ବିରୋଧରେ ଆନ୍ଦୋଳନ ହୋଇଥିଲା ସେହି ସାମନ୍ତବାଦ ଯଦି ଯେ କୌଣସି ଛଳନାରେ ଚାଲେ ତେବେ ତା’ ବିରୋଧରେ ଆନ୍ଦୋଳନ କରିବାଛଡ଼ା ଅନ୍ୟ ବାଟ ନାହିଁ । ସାମନ୍ତବାଦ ଏ ଦେଶର ଜନତା ବରଦାସ୍ତ କରିବେ ନାହିଁ । ସାମନ୍ତବାଦର ଆଉ ଏକ ଲକ୍ଷଣ ହେଉଛି, ଆଡ଼ମ୍ବର ଓ ମୋସାହେବ ଦଳ । ରାଜା ଗଳାଖଙ୍କାରିଲେ ତାଙ୍କ ଛେପକୁ ଧରି ନେବାପାଇଁ ହାତ ପତେଇବାକୁ ଖୋସାମତିଆ ଲୋକେ ପାଖରେ ଥା’ନ୍ତି । ଏ ଖୋସାମତିଆ ଲୋକଙ୍କ ଭିତରେ ଅନେକ ଉଚ୍ଚ ଶିକ୍ଷିତ ଓ ପଦସ୍ଥ ବ୍ୟକ୍ତି ମଧ୍ୟ ଥାଆନ୍ତି । ପୁରୀର ଜଣେ ଓକିଲ ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କର ମୁଣ୍ଡ ଚିପିଦେଉ ଥିବାର ବହୁଲୋକ ଦେଖିଛନ୍ତି । ମନ୍ତ୍ରୀମାନଙ୍କ ପାଖରେ ବା ଗହଣରେ ଯେଉଁମାନେ ଅଛନ୍ତି ସେମାନେ କୋଠା ପରେ କୋଠା ବାଡ଼େଇବାରେ ଲାଗିଛନ୍ତି । ଏମାନେ ମନ୍ତ୍ରୀଙ୍କ ଟେଲିଫୋନ ବ୍ୟବହାର କରି ମନ୍ତ୍ରୀଙ୍କ ପ୍ରତିନିଧି ଭାବରେ କାମ କରୁଛନ୍ତି । ଏମାନଙ୍କ ମୋସାହେବିରେ ମନ୍ତ୍ରୀ ତୁଷ୍ଟ । ଜଣେ ମନ୍ତ୍ରୀ ଗସ୍ତରେ ଗଲେ ତାଙ୍କ ସାଙ୍ଗରେ ଯେତେ ଲୋକ ଯାଆନ୍ତି ସେଥିରେ ତିନି ହଜାର ଟଙ୍କା ଖର୍ଚ୍ଚ ହୁଏ ବୋଲି ଜଣେ ଉଚ୍ଚପଦସ୍ଥ କର୍ମଚାରୀ କହୁଥିଲେ । ଯେଉଁଠିକି ମନ୍ତ୍ରୀଯିବେ, ସେଠି ଖାସି ମରା ହୋଇ ଏକ ବଡ଼ ଭୋଜିର ଆୟୋଜନ ହେଉଛି । ଏ ଭୋଜି ପାଇଁ ସାଧାରଣ ଲୋକଙ୍କ ଠାରୁ ଚାନ୍ଦା ଅସୁଲ ହୁଏ । ମନ୍ତ୍ରୀ ଯଦି ସର୍କିଟ୍‌ ହାଉସରେ ରହିଲେ ତାଙ୍କ ପାଇଁ ସେଠି ଯାହା ଖର୍ଚ୍ଚ ହୁଏ ତାକୁ ମନ୍ତ୍ରୀଙ୍କ ପାଇଁ କର୍ମଚାରୀମାନେ ଦିଅନ୍ତି । ଏହି ଚିତ୍ରକୁ ଯଦି ପୂର୍ଣ୍ଣ ଭାବରେ ଦିଆ ହୁଏ ତେବେ ମନେ ହେବ ଠିକ୍‌ ଯେପରି ପୂର୍ବେ ରାଜା ଓ ବଡ଼ ବଡ଼ ଜମିଦାରମାନେ ନିଜ ଇଲାକାକୁ ଯାହା ହେଉଥିଲା, ସେହିପରି ହେଉଛି । ପୂର୍ବେ ଜମିଦାରମାନେ ହାକିମମାନଙ୍କୁ ରସିଦ୍‌ ଯୋଗାଉଥିଲେ । ଆଜି ପଞ୍ଚାୟତ ମାନଙ୍କ ପକ୍ଷରୁ ମନ୍ତ୍ରୀ ତଥା ହାକିମମାନଙ୍କୁ ରସିଦ୍‌ ଯୋଗା ହେଉଛି । ଯେଉଁମାନେ ପୂର୍ବେ ବେଠି, ଭେଟି, ରସଦ, ମାଗଣ ପ୍ରଭୃତି ବିରୋଧରେ ଆନ୍ଦୋଳନ କରିଥିଲେ ସେମାନେ ଆଜିକାର ଅବସ୍ଥା ଦେଖି କେବେହେଲେ ସହିପାରିବେ ନାହିଁ ।

 

ଏସବୁ ଯୁବସମାଜ ଉପରେ ଏପରିକୁ କୁ ପ୍ରଭାବ ପକାଉଛି ଯେ ସେଥିରେ ଭବିଷ୍ୟତ ମଧ୍ୟ ବିପଦାପନ୍ନ ହେଉଛି । ଯୁବକମାନଙ୍କ ଭିତରୁ କେତେକ ଏ ନୂତନ ସାମନ୍ତବାଦରେ ଅଭ୍ୟସ୍ତ ହୋଇଯାଉଛନ୍ତି । ସେମାନେ ଧୀରେ ଧୀରେ ମୋସାହେବ ଶ୍ରେଣୀକୁ ଚାଲିଯାଉଛନ୍ତି । କିନ୍ତୁ ସାଧାରଣ ଭାବରେ ଯୁବସମାଜ ଆଜିକାର ସାମାଜିକ ତଥା ରାଜନୈତିକ ନେତୃତ୍ୱରେ ଉତ୍‌କ୍ଷିପ୍ତ । ଏହି ହେଉଛି ସାଧାରଣ ଯୁବ ଅସନ୍ତୋଷର କାରଣ । ଲୋକ ଶାସନରେ ଅତି ସାଧାରଣ ବ୍ୟକ୍ତି ଜଣେ ସମାନ ନାଗରିକ ତଥା ଆଇନଗତ ଅଧିକାର ଓ ସମ୍ମାନରୁ ବଞ୍ଚିତ ହେଲେ, କେବଳ ଯେ ସେହି ଜଣକ ଅସନ୍ତୁଷ୍ଟ ତା’ ନୁହେଁ । ସେହି ଜଣକ ଅସନ୍ତୋଷ ଧୀରେ ଧୀରେ ବ୍ୟାପି ସାଧାରଣ ଅସନ୍ତୋଷରେ ପରିଣତ ହୋଇଥାଏ । ଶାସନଗତ କ୍ଷମତା ପ୍ରୟୋଗକରି ବା ନିର୍ବାଚନରେ ମାରପେଞ୍ଚ କରି ଭୋଟରେ ଜିତିଯାଇ ସେ ଅସନ୍ତୋଷକୁ ଦବାଇବା ପାଇଁ ଚେଷ୍ଟାକଲେ ହିଂସାର ବାୟୁମଣ୍ଡଳ ସୃଷ୍ଟି ହୁଏ । ଇଂରେଜ ରାଜତ୍ୱରେ ଏହିପରି ଅବସ୍ଥାରେ ସନ୍ତ୍ରାସବାଦ ବା ବମଆନ୍ଦୋଳନର ସୂତ୍ରପାତ ହୋଇଥିଲା । ସବୁ ଦେଶରେ ଏହିପରି ଅବସ୍ଥାରେ ହିଂସାତ୍ମକ କାଣ୍ଡ ଘଟିଥାଏ । ଆଜି ଭାରତରେ ଯେଉଁ ହିଂସାଚରଣ ସର୍ବତ୍ର ପ୍ରକାଶ ପାଉଛି ତା’ର କାରଣ ରାଜନୈତିକ ନେତୃତ୍ୱରେ ନୈତିକତାର ଅଭାବ । ପୋଲିସ ତଥା ସୈନ୍ୟମାନଙ୍କ ଜରିଆରେ ଶାସନର କ୍ଷମତା ଚାରିଆଡ଼େ ଦିଶୁଛି କିନ୍ତୁ ନେତୃତ୍ୱର ନୈତିକ ପ୍ରଭାବ କୁତ୍ରାପି ଦେଖାଯାଉ ନାହିଁ । ତେଣୁ ନେତୃତ୍ୱର ପରିବର୍ତ୍ତନ ଅତି ଜରୁରି ।

Image

 

୬-୯-୬୬

ମଙ୍ଗଳବାର

 

ଅମୋଘ ଅସ୍ତ୍ର

 

ଆଜିକାଲି ସଭା ସମିତିରେ, ଏପରିକି ଏସେମ୍ବ୍‌ଲି ପାର୍ଲାମେଣ୍ଟରେ ଯେଉଁ ଭାଷାରେ ଗାଳି ଦିଆଦେଇ ଚାଲିଛି ସେଥିରେ ମନେହେବ ନାହିଁ ଯେ ଆମ୍ଭେମାନେ ପୂର୍ବେ ଯେଉଁ ଭଦ୍ର ସମାଜର ଧାରଣା ପୋଷଣ କରିଥିଲୁ, ସେହିପରି ସମାଜରେ ଆଜି ଆମ୍ଭେମାନେ ଅଛୁ । ଗାଁ ଗହଳରେ ପରସ୍ପର ଅତି ଅକଥା ଭାଷାରେ ଗାଳି ଦିଆଦେଇ ହୁଅନ୍ତି । ଏହି ପ୍ରକାର ଗାଳିରୁ କ୍ରମେ ମାଡ଼ ତା’ପରେ ମାରିଦେବା ପର୍ଯ୍ୟନ୍ତ କଥାଯାଏ । ଏ ପ୍ରକାର ଗାଳି ଦିଆଦେଇ ହେବା ଖରାପ । ସମସ୍ତେ ଭଦ୍ରଭାବରେ ଚଳନ୍ତୁ, କଥାଭାଷା ହୁଅନ୍ତୁ, ଏପ୍ରକାର ଉପଦେଶ ଶୁଣିବା ଅବସ୍ଥାରେ କେହି ନ ଥିଲା ପରି ମନେ ହେଉଛି । ସାମାଜିକ ଆଚରଣରେ ଯେଉଁ ଦୋଷ ଦେଖା ଦେଇଛି ତା’ର କାରଣ ଅନୁସନ୍ଧାନ କରି ତା’ର ମୂଳ ଉପାଡ଼ି ଦେବାର ଚେଷ୍ଟା ହେବା ଆବଶ୍ୟକ । ସାଧାରଣ ଭଦ୍ର ସମାଲୋଚନାକୁ ଶୁଣି ଜଣେ ଯଦି ସାବଧାନ ହୋଇଯାଆନ୍ତା ବା ସମାଲୋଚନା ଅମୂଳକ ହୋଇଥିଲେ ତା’ର ଉତ୍ତର ଭଦ୍ରଭାବରେ ଦେଇ ତାକୁ ଖଣ୍ଡନ କରନ୍ତା ତେବେ ଅଭଦ୍ର ଗାଳି ଆଡ଼କୁ କାହାରି ମନ ଯାଆନ୍ତା ନାହିଁ । କଥାରେ ଅଛି, ଭଲ ମଣିଷକୁ ପଦେ, ଭଲ ଗାଈକୁ ଛାଟେ ଯଥେଷ୍ଟ ହୁଏ । ଯେଉଁ ନିର୍ଲଜ୍ଜଭାବରେ ଦାମ୍ଭିକତାର ସହ ପଦସ୍ଥ ଅଧିକାରୀମାନେ କୌଣସି ସମାଲୋଚନାକୁ ଭ୍ରୂକ୍ଷେପ ନ କରି ଅର୍ଥବଳ ଓ କ୍ଷମତା ବଳରେ ସମସ୍ତଙ୍କୁ ମାଡ଼ି ଚକଟି ଦେଇ ଚାଲିଯିବା ପାଇଁ ବସିଛନ୍ତି, ସେଠି ଅନ୍ୟପକ୍ଷ ଦୁର୍ବଳର ଆଚରଣ ଅର୍ଥାତ ଗାଳିପନ୍ଥା ଧରୁଛି । ଅବଶ୍ୟ ଗାଳିଦେବା ଚରମ ଦୁର୍ବଳତାର ପରିଚୟ । କିନ୍ତୁ ଗାଳି ଦେଇ କ୍ଷମତା ଓ ଧନମଦରେ ମତ୍ତ ଲୋକଙ୍କୁ ଆଘାତ ଦେବା ପାଇଁ ଚେଷ୍ଟାର କାରଣ ହେଉଛି ଭଦ୍ର ସମାଲୋଚନା ପ୍ରତି ସମ୍ପୂର୍ଣ୍ଣ ବେଖାତିର ଭାବ ପ୍ରକାଶ-। ଉଦାହରଣଟିଏ ଦେଉଛି । କଂଗ୍ରେସ ସଭାପତିଙ୍କ ଠିକ ତଳକୁ ଜଣେ କଂଗ୍ରେସର ସର୍ବୋଚ୍ଚ କର୍ମକର୍ତ୍ତା କଥା ପ୍ରସଙ୍ଗରେ କହିଲେ, ‘‘ଅମୁକ ବ୍ୟକ୍ତି କଂଗ୍ରେସର ଜଣେ ପଦସ୍ଥ ବ୍ୟକ୍ତି ଯାହା କରୁଛନ୍ତି, ସେଥିରେ ଆମ୍ଭେମାନେ ଲଜ୍ଜିତ । ଆଜି ଯେ ପାର୍ଲାମେଣ୍ଟରେ କଲିକତା ଖାନତଲାସୀ କଥା ଆଲୋଚନା ହେଲା, ସେଥିରେ ମୁଣ୍ଡ ତଳକୁ ହୋଇଗଲା । ମାତ୍ର ଆମେ କରିବୁ କଅଣ-? ଆମକୁ ତ ସେ ପ୍ରଦେଶରେ କଂଗ୍ରେସକୁ ରଖିବାକୁ ହେବ । ବାଧ୍ୟ ହୋଇ ଆମେ ତାଙ୍କୁ ଧରିଛୁ-।’’ ସରକାରୀ ଟଙ୍କା ଆତ୍ମସାତ, ଲୁଟତରାଜ ଇତ୍ୟାଦି ଯେତେ ଶବ୍ଦ ପ୍ରୟୋଗ କରାଯାଇ ପାରେ ସମସ୍ତ ପ୍ରକାର ଅନୁସନ୍ଧାନ କରାହୋଇ ପ୍ରମାଣିତ ହେଲେ ମଧ୍ୟ ଜଣେ ଯଦି ଅର୍ଥ ବଳରେ ଦଳେ ସ୍ତାବକ ଚାରିପାଖରେ ରଖି କର୍ତ୍ତୃତ୍ୱ ବିସ୍ତାର କରିବାକୁ ଚେଷ୍ଟା କରେ ଓ କୌଣସି ପ୍ରକାର କ୍ଷମତାରେ ରହିବା ପାଇଁ ଜାଣିଶୁଣି ଦୁର୍ନୀତିପରାୟଣ ଲୋକର ଆଶ୍ରୟ ନେବା ଯଦି ନୀତି ହୁଏ ତେବେ ଏହାର ପ୍ରତିକ୍ରିୟା ନିଶ୍ଚୟ ଅଭଦ୍ର ଓ ହିଂସାତ୍ମକ ଆଚରଣ ହେବ ହିଁ ହେବ । ଯଦି ନ ହୁଏ ତେବେ ସମାଜ ମୃତ ବୋଲି ମନେ କରିବାକୁ ହେବ । ସମାଜ ସହଜରେ ମରେ ନାହିଁ । ବହୁ ଅତ୍ୟାଚାରୀ, ଦୁର୍ନୀତି ପରାୟଣ ଲୋକ ସମାଜକୁ ଧ୍ୱସ୍ତବିଧ୍ୱସ୍ତ କରିବା ପାଇଁ କାଳେ କାଳେ ଚେଷ୍ଟା କରିଛନ୍ତି-। କିନ୍ତୁ ସମସ୍ତେ ଶେଷରେ ନିଜେ ଧ୍ୱସ୍ତ ବିଧ୍ୱସ୍ତ ହୋଇ ଯାଇଛନ୍ତି । ଆଜି କଂଗ୍ରେସ ଦେଶସାରା କ୍ଷମତାରେ ଅଛି । କଂଗ୍ରେସର ଐତିହ୍ୟ ଅଛି । କଂଗ୍ରେସ ନାଁରେ ଆଜି ବହୁ ସଂଖ୍ୟକ ଲୋକ ଅନୁପ୍ରାଣିତ ହେଉଛନ୍ତି । କିନ୍ତୁ କଂଗ୍ରେସ ଯଦି ଦୁର୍ନୀତିକୁ ପ୍ରଶ୍ରୟ ଦିଏ, ତେବେ କଂଗ୍ରେସକୁ ହଟାଅ ବୋଲି ସ୍ୱର ଉଠିବା ସ୍ୱାଭାବିକ । ଏ ସ୍ୱର ଯଦି କଂଗ୍ରେସ ନେତୃତ୍ୱର କାନରେ ନ ପଶେ ଓ କୌଣସି ପ୍ରକାରେ କ୍ଷମତାରେ ରହିବାପାଇଁ ଚେଷ୍ଟା ହୁଏ, ତେବେ କେବଳ ଯେ କଂଗ୍ରେସକୁ ଗାଳି ହେବ ତା ନୁହେ, କଂଗ୍ରେସର ଲୋକଙ୍କୁ ମଧ୍ୟ ଗାଳି ମାଡ଼ ହେବା ସ୍ୱାଭାବିକ । ଯେଉଁସବୁ ଦୁର୍ନୀତି ପ୍ରକାଶ୍ୟ ଭାବରେ ଜଣାଯାଉଛି, ତା’ଠାରୁ ବେଶି ଅନିଷ୍ଟ କରୁଛି ସେହିସବୁ ଦୁର୍ନୀତି ଯାହା ଭିତରେ ଭିତରେ ଚାଲିଛି ଓ ଯାହା କାନକୁହାକୁହିରେ ଯାଉଥିଲେ ବଡ଼ ଆକାର ଧାରଣ କରୁଛି । ଓଡ଼ିଶାର ଦୁର୍ଭାଗ୍ୟ ଯେ ଦି’ଦିଟା ଚିଫ୍‌ ମିନିଷ୍ଟର, ଅନେକ ମନ୍ତ୍ରୀଙ୍କ ସରକାରୀ ତହବିଲ ସମ୍ପର୍କୀୟ ଦୁର୍ନୀତି ପଦାରେ ପଡ଼ିଛି-। ଏମାନଙ୍କର ଅନ୍ୟ ଦୁର୍ନୀତି ସବୁ କାନକୁହାକୁହିରେ ପ୍ରଚାରିତ ହେଉଛି । ଏମାନଙ୍କ ବ୍ୟତୀତ ବ୍ୟବସ୍ଥା ସଭାର ଅନ୍ୟ ପଦସ୍ଥ ବ୍ୟକ୍ତିମାନଙ୍କ ସମ୍ବନ୍ଧରେ ଏତେ ଜୋରରେ ଏତେ କାନକୁହାକୁହି ହେଉଛି ଯେ ସେଥିରେ ଯେକୌଣସି ଲୋକ ଉତ୍ତ୍ୟକ୍ତ ହୋଇ ଯିବାର କଥା । ଓଡ଼ିଶାଟାକୁ କୌଣସି ବ୍ୟକ୍ତି-ବିଶେଷର ବା ଦଳ-ବିଶେଷର ଜମିଦାରୀ କରିଦେବା କୌଣସି ଓଡ଼ିଆ ବରଦାସ୍ତ କରିବ ନାହିଁ-। ଓଡ଼ିଶାରେ ଲୋକଶାସନ ପ୍ରତିଷ୍ଠା କରିବା ପାଇଁ ଓ ସାଧାରଣ ଲୋକର ସମ୍ମାନ ଅକ୍ଷୁର୍ଣ୍ଣ ରଖିବା ପାଇଁ ସବୁ ତ୍ୟାଗ କଷ୍ଟ ସହିବା ପାଇଁ ହଜାର ହଜାର ଲୋକ ବାହାରିବେ; କିନ୍ତୁ ଏହି ମଧ୍ୟବର୍ତ୍ତୀକାଳରେ ଯେଉଁ ବିରକ୍ତି ପ୍ରକାଶ ପାଉଛି ତା’ରି ବାହ୍ୟ ରୂପ ହେଉଛି ଅସଭ୍ୟ ଗାଳି-

 

କିନ୍ତୁ ବହୁବର୍ଷ ପୂର୍ବେ ମୁଁ ଥରେ ଏହି ଗାଁ ମଜଲିସରେ ଲେଖିଥିଲି ଯେ ଗାଳି ଦେବାଟା ହୀନ ଦୁର୍ବଳତାର ପ୍ରମାଣ । ଯେ କୌଣସି ଅବସ୍ଥାରେ ଗାଳିଠାରୁ ମାଡ଼ ଦେବା ବରଂ ବେଶି ସମ୍ମାନ ଜନକ । ଅବଶ୍ୟ ମାରପିଟରେ ଆଇନ ଅନୁସାରେ ଦଣ୍ଡ ପାଇବା ସହଜ, ଯାହା ଗାଳିରେ ହୁଏ ନାହିଁ; କିନ୍ତୁ ଗାଳିରେ ନିଜତ୍ୱ ଉପରେ ମଧ୍ୟ ଆଘାତ ଲାଗେ । ସବୁଠାରୁ ଶ୍ରେୟସ୍କର ହେଉଛି ଗମ୍ଭୀର ଭାବରେ ସବୁ ସହିଯାଇ ଏପରି କାମ କରିବାକୁ ହେବ ଯେ ଯେଉଁଥିରେ ଶତ୍ରୁ ଆସନରୁ ଖସିପଡ଼ିବ-। ଶ୍ରୀକୃଷ୍ଣ କଂସକୁ ଗାଳି ଦେଇ ନଥିଲେ ବା ମାଡ଼ ଦେଇ ନ ଥିଲେ । ମାତ୍ର ସେ ଏପରି ଅବସ୍ଥା ସୃଷ୍ଟି କଲେ ଯେ ମଞ୍ଚରୁ ପଡ଼ି ମାମୁଁ ମଲା । ଭୟ ହେଉଛି ଯେ ପ୍ରକାଶ୍ୟ ଭାବରେ ଗାଳି ଗୁଲଜ ନ ହେଲେ ଲୋକେ କାଳେ ଟଙ୍କା ଲୋଭରେ ବା କ୍ଷମତା ଭୟରେ ପଡ଼ିଯିବେ । ଏ ଯୁକ୍ତିରେ ମଧ୍ୟ ଯଥାର୍ଥ୍ୟ ଅଛି । ସନ୍ତ୍ରାସବାଦୀମାନେ ଏହି ଯୁକ୍ତିରେ ବମ୍‌ ପିସ୍ତଲର ସାହାଯ୍ୟ ନେଇଥିଲେ-। କିନ୍ତୁ ଲୋକ ଶାସନରେ ଲୋକଶିକ୍ଷା ପ୍ରଧାନ କର୍ତ୍ତବ୍ୟ । ଟଙ୍କା ବା ଭୟରେ ଲୋକେ ନିଜର ବିଚାର ବିରୋଧରେ କାର୍ଯ୍ୟ ନ କରନ୍ତୁ ଏହାହିଁ ଶିକ୍ଷା ଦେବାକୁ ହେବ । ମୋର ମନେ ହେଉଛି ଲୋକେ ଏକ ସମୟରେ ଯେପରି ରାଜା ଜମିଦାରମାନଙ୍କ ଟଙ୍କା ଲୋଭ ଓ କ୍ଷମତାର ଭୟରେ ଭୁଲି ନ ଥିଲେ ଆଜି ମଧ୍ୟ ସେହିପରି କଂଗ୍ରେସର ଟଙ୍କାଲୋଭ ଓ କ୍ଷମତା ଭୟରେ ଭୁଲିବେ ନାହିଁ । କୌରବଙ୍କର ଖାଇ ପାଣ୍ଡବଙ୍କର ଗାଇବାରେ ଅନ୍ୟାୟ ନାହିଁ । ଲୋକଙ୍କ ଅନ୍ତର୍ଗତ ଭାବ ନ ବୁଝି ଯେ ଟଙ୍କା ବାଣ୍ଟିଲା ବାଣ୍ଟୁ । ଏଥିରେ ଲୋକଙ୍କର କିଛି ଅଭାବ ମେଣ୍ଟି ଯାଉ । କାହାରିତ ବାପଘର ଟଙ୍କା ନୁହେଁ । ଲୋକଙ୍କ ଟଙ୍କାରୁ କିଛି ଗୋଟିଏ ବାଟରେ ଲୋକଙ୍କ ପାଖକୁ ଫେରି ଆସୁଛି । କିନ୍ତୁ ଅନ୍ତର୍ଗତ ଭାବ ଅନୁସାରେ କାର୍ଯ୍ୟ ହେଉ । ସାଧାରଣ ଲୋକଙ୍କର ଭୟ କରିବାର କିଛି ନାହିଁ । ସେମାନେ ଟିକିଏ ସଚେତ ହେଲେ କ୍ଷମତାସୀନ ଅଳ୍ପଲୋକେ ଭୟେ ଭୟେ କୁଆଡ଼େ ବୁଲିବେ । ନିର୍ଭୟତା ହେଉଛି ଏକମାତ୍ର ଅସ୍ତ୍ର ଯାହାର ପ୍ରୟୋଗରେ ବ୍ୟକ୍ତିଗତ ଓ ସମାଜଗତ ସମସ୍ତ ତ୍ରୁଟିର ସଂଶୋଧନ ହୋଇପାରିବ ।

Image

 

୧୪-୯-୬୬

ବୁଧବାର

 

ନେତୃତ୍ୱର କର୍ତ୍ତବ୍ୟ

 

ଓଡ଼ିଶାର ମନ୍ତ୍ରୀମାନେ ସମବେତଭାବରେ ଇସ୍ତଫାପତ୍ର ଦେଇ ଯାହା କରିଛନ୍ତି ଓ ତା’ ଉପରେ ଟୀକାଟିପ୍‌ଣୀ ଯେପରି ହେଉଛି ସେଥିରେ କାହାର କଳ୍ପନା ଯେ କୁଆଡ଼େ ଯାଉଛି ତାହା ଏକ କୌତୁହଳର ବିଷୟ । କେତେକ ଗମ୍ଭୀରଭାବରେ ଆଶଙ୍କା ପ୍ରକାଶ କରୁଛନ୍ତି ଯେ ମନ୍ତ୍ରୀମାନଙ୍କ ଧର୍ମଘଟ ପ୍ରତି ମୁଖ୍ୟମନ୍ତ୍ରୀ ଦୃଷ୍ଟି ନ ଦେଲେ, ସେମାନେ ଅନଶନ ଆରମ୍ଭ କରିବେ । କେତେକ ସତେ ନିଜେ ଶୁଣିଲାଭଳି କହୁଛନ୍ତି ଯେ ମନ୍ତ୍ରୀମାନଙ୍କ ଭିତରେ ଭବିଷ୍ୟତ କାର୍ଯ୍ୟକ୍ରମ ଘେନି ମତଭେଦ ହୋଇଛି । ମନ୍ତ୍ରୀମାନଙ୍କ ଭିତରୁ କେତେକ କୁଆଡ଼େ ମାନେ ମାନେ ଇସ୍ତଫାପତ୍ର ପ୍ରତ୍ୟାହାର କରିନେବାକୁ ଇଚ୍ଛା କରୁଛନ୍ତି । ଅନ୍ୟ କେତେକ କହୁଛନ୍ତି ଇସ୍ତଫାପତ୍ର ପ୍ରତ୍ୟାହାର କରିନେଇ ‘‘ଗୋ ସ୍ଲୋ’’ ଅର୍ଥାତ କାମରେ ଢିଲମଢ଼ିଲା କରି ଧର୍ମଘଟକୁ ଅନ୍ୟଭାବରେ ଜାରି ରଖିବା ଉଚିତ । ଅଳ୍ପ କେତେକ ମତପ୍ରକାଶ କରୁଛନ୍ତି ଯେ ଦରକାର ପଡ଼ିଲେ ମୁଖ୍ୟମନ୍ତ୍ରୀଙ୍କ ଦୁଆରେ ଅନଶନ କରିବାକୁ ହେବ ।

 

ଏସବୁ ହାସ୍ୟାସ୍ପଦ ଗପ ଚାଲିଛି ଏଥିରେ ଲୋକଶାସନର ମହତ୍ତ୍ୱ ତିଳତିଳ କ୍ଷୁଣ୍ଣ ହେଉଛି । ମନ୍ତ୍ରୀମାନେ ଜନନେତା ଆସନରୁ ଓହ୍ଲାଇ କର୍ମଚାରୀଙ୍କ ପରି ଧର୍ମଘଟ କରି ଜାତିର ରାଜନୈତିକ ସମ୍ମାନରେ ଆଞ୍ଚ ଲଗାଇଛନ୍ତି, ଏଥିରେ ସନ୍ଦେହ ନାହିଁ । ଧର୍ମଘଟର କାରଣ କିଛି ନାହିଁ ଓ ଏହା ପୂର୍ବରୁ ନ ଜଣାଇ କରାହୋଇଛି ଏହା ଅବୈଧ ବୋଲି ଶ୍ରୀ କାମରାଜ ଘୋଷଣା କରିସାରିଲେଣି । ତଥାପି ନିଜ ନେତାଙ୍କ ଉପରେ ବିଶ୍ୱାସ ନ ହରାଇ ମନ୍ତ୍ରୀମାନେ ଧର୍ମଘଟ ଚାଲୁ ରଖିଛନ୍ତି । ହୁଏତ ଏ ଲେଖା ପ୍ରକାଶ ପାଇବା ପୂର୍ବରୁ ଧର୍ମଘଟର ଅବସାନ ଘଟିଥିବ । କିନ୍ତୁ ଧର୍ମଘଟର କାରଣ ଖୋଜି ବାହାର କଲେ ଜଣେ ଚତୁର ବ୍ୟକ୍ତି ଏହି ସିଦ୍ଧାନ୍ତରେ ପହଞ୍ଚିବ ଯେ ମୁଖ୍ୟମନ୍ତ୍ରୀ ବ୍ୟବସ୍ଥା ସଭାର ଆସନ୍ତା ଅଧିବେଶନକୁ ଆଖି ଆଗରେ ରଖି ପୋଟଫୋଲିଓ ବଦଳାଇ ଥିଲେ ।

 

ଆସନ୍ତା ଅଧିବେଶନରେ କଳାହାଣ୍ଡି ଦୁର୍ଭିକ୍ଷ ଓ ତତ୍‌ସଂକ୍ରାନ୍ତ ବିଷୟ ପ୍ରଧାନ ଆଲୋଚ୍ୟ ବିଷୟ ହେବ । ଏ ବିଷୟଟି ରାଜସ୍ୱ ବିଭାଗର ଓ ରାଜସ୍ୱମନ୍ତ୍ରୀ ସମାଲୋଚନାର ଉତ୍ତର ଦେବାର କଥା । ମୁଖ୍ୟମନ୍ତ୍ରୀ ନିଜେ ସେପରି ସୁସ୍ଥ ନାହାନ୍ତି । ଏଣୁ ଜଣେ ଅଭିଜ୍ଞ ମନ୍ତ୍ରୀ ବ୍ୟବସ୍ଥା ସଭାରେ ଏ ବିଷୟରେ ବିରୋଧୀଦଳର ସମ୍ମୁଖୀନ ହୋଇପାରିବ ଭାବି ମୁଖ୍ୟମନ୍ତ୍ରୀ ସତ୍ୟପ୍ରିୟ ବାବୁଙ୍କୁ ସେ ବିଭାଗଟି ଦେଲେ ବୋଲି ଅନୁମାନ କରାଯାଇ ପାରେ । ଏ ବଡ଼ ବିଭାଗଟି ଦେଇ ସାରିଲା ପରେ ବାରିକମିସ୍ତ୍ରୀ ବିଭାଗଟି ତାଙ୍କଠାରୁ ନେଇନେବା ସ୍ୱାଭାବିକ । ଜଳକର ବୃଦ୍ଧି ବିଷୟ ବ୍ୟବସ୍ଥା ସଭାରେ ଆନ୍ଦୋଳିତ ହେବାର ସମ୍ଭାବନା । ଏ ବିଷୟଟିରେ ବିରୋଧୀଦଳ ପ୍ରହ୍ଲାଦ ମଳିକଙ୍କୁ ଆକ୍ରମଣର କେନ୍ଦ୍ର ବୋଲି ମନେ କରିଛନ୍ତି । ଏଣୁ ତାଙ୍କଠାରୁ ସେ ବିଷୟଟି ନେଇ ନେବା ଫଳରେ ବିରୋଧୀଦଳଙ୍କ ଆକ୍ରମଣ ବ୍ୟର୍ଥ ହୋଇଯିବ ବୋଲି ମୁଖ୍ୟମନ୍ତ୍ରୀ ଭାବିଲେ ବୋଲି ଅନୁମାନ କରାଯାଇପାରେ । ଏଥର ସାହିତ୍ୟ ଏକାଡ଼େମୀର ମନୋନୟନ ଯେପରି ଭାବରେ ହୋଇଛି ସେଥିରେ ବହୁ ବିଶିଷ୍ଟ ସାହିତ୍ୟିକ ଅସନ୍ତୁଷ୍ଟ ହୋଇ ମୁଖ୍ୟମନ୍ତ୍ରୀଙ୍କଠାରେ ଅଭିଯୋଗ ଜଣାଇ ଥିଲେ-। ସଙ୍ଗୀତ କଲେଜ ସମ୍ବନ୍ଧରେ ନାନାପ୍ରକାର ଗପ ଶୁଣାଗଲା । ଏପରି ସ୍ଥଳେ ଏ ବିଷୟର ସମାଲୋଚନାକୁ ଢିଲା କରିଦେବା ପାଇଁ ସନ୍ତୋଷ ସାହୁଙ୍କଠାରୁ ତାକୁ ନେଇ ନିଆ ହୋଇଛି ବୋଲି ଅନୁମାନ କରାଯାଇ ପାରେ । ଏସବୁ ଅନୁମାନ ଠିକ ହେଲେ ଜଣାଯିବ ଯେ ମୁଖ୍ୟମନ୍ତ୍ରୀ ଜଣେ ଚତୁର ବ୍ୟକ୍ତି ଓ ସେ ଜାଣନ୍ତି କିପରି ବିରୋଧୀ ଦଳର ସମାଲୋଚନାର ତୀବ୍ରତାକୁ ଖଣ୍ଡନ କରାଯାଇପାରେ । କିନ୍ତୁ ଯେତେ ଚତୁର ହେଲେ ମଧ୍ୟ ମୁଖ୍ୟମନ୍ତ୍ରୀ ଏକଥା ମନକୁ ଆଣିଲେ ନାହିଁ ଯେ ତାଙ୍କ ଦଳରେ ଜନମତଠାରୁ କାମିନୀ କାଞ୍ଚନକୁ ବେଶୀ ବଡ଼ ବୋଲି ମନେ କରାହୁଏ-। ଏଣୁ ବାଜୁ ଥାଉ ପଛେ ଅପବାଦ ନାଗରା, ମନ୍ତ୍ରୀମାନଙ୍କ ସମ୍ଭୋଗରେ ଆଞ୍ଚ ଆସିବା ଭଳି କିଛି କରିବା ତାଙ୍କର ଉଚିତ ନଥିଲା । କେତେକ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସମ୍ଭୋଗରେ ଅଳ୍ପ ସାମାନ୍ୟ ବାଧା ଦେଇ ମୁଖ୍ୟମନ୍ତ୍ରୀ ଦଳର ସମ୍ମାନ ବଜାୟ ରଖିବା ପାଇଁ ଯେ ଚେଷ୍ଟା କରିଛନ୍ତି ସେଥିରେ ତାଙ୍କର ନିଜର ସମ୍ମାନ ଯେତିକି ବଢ଼ିଛି, ମନ୍ତ୍ରୀମାନେ ଧର୍ମଘଟ କରିବା ପରେ ଦଳର ସମ୍ମାନ ସେତିକି କମିଛି-

 

ଇସ୍ତଫାପତ୍ର ପ୍ରତ୍ୟାହାର କରିନେଲେ ମଧ୍ୟ ଧର୍ମଘଟକାରୀ ମନ୍ତ୍ରୀମାନେ ଦଳବଳ ହେଲେ ଯେପରି ଗାଁ ଗହଳରେ ଗାରିମା ପ୍ରକାଶ କରୁଥିଲେ ତାହା ଆଉ ସେପରି କରିପାରିବେ ନାହିଁ । ଯଦି ସେମାନେ ନିର୍ଲ୍ଲଜ ଭାବରେ ତାହା କରନ୍ତି ତେବେ ସୁଦ୍ଧା ଲୋକେ ଆଉ ତାକୁ ପୂର୍ବପରି ମନେ କରିବେ ନାହିଁ । ସରକାରୀ କର୍ମଚାରୀମାନେ ଏ ଧର୍ମଘଟକାରୀ ମନ୍ତ୍ରୀମାନଙ୍କୁ ମାନିବେ କି ? ମୋର ମନେହୁଏ ସମ୍ମାନଜ୍ଞାନ ଥିବା କର୍ମଚାରୀମାନେ ମାନିବେ ନାହିଁ । ଯଦି ଏପରି ହେଲା ଯେ ଧର୍ମଘଟର ଜୟ ହୋଇ ମୁଖ୍ୟମନ୍ତ୍ରୀ ବିଦା ହେଲେ, ତେବେ ମୁଖ୍ୟମନ୍ତ୍ରୀଙ୍କ ସମସ୍ତ ପାପ ଧୋଇ ହୋଇଯାଇ, ସେ ବିଶାଳ ପ୍ରତିଷ୍ଠା ଅର୍ଜ୍ଜନ କରି ଘରେ ବସିବେ । ଅନ୍ୟ ଦିଗରେ ପୋଲିସ ଫୌଜ ମଧ୍ୟ ମନ୍ତ୍ରୀମାନଙ୍କୁ ଓ ତାଙ୍କ ନେତାଙ୍କୁ ଟେକା ପଥର ମାଡ଼ରୁ ରକ୍ଷା କରିପାରିବେ ନାହିଁ ।

 

ଏ ପ୍ରକାର ନିନ୍ଦନୀୟ ସ୍ଥିତିର ଅବସାନ ଅତି ଶୀଘ୍ର ଘଟିବା ଉଚିତ । ଉପରେ ଧର୍ମଘଟକାରୀ ମନ୍ତ୍ରୀଙ୍କ ତଳେ ଶାସନ ତିଷ୍ଠିବା ସୁଦ୍ଧା ଅସମ୍ଭବ । କଂଗ୍ରେସ ଦେଶର ଶାସନ ହାତରେ ରଖିଥିବା ସ୍ଥଳେ କଂଗ୍ରେସ ନେତୃତ୍ୱର କର୍ତ୍ତବ୍ୟ ହେଉଛି, ଦଳକୁ ସଜାଡ଼ି ଶାସନକୁ ଠିକ୍‌ ରଖିବା । ଦଳକୁ ସଜାଡ଼ୁ ସଜାଡ଼ୁ ଯଦି ଶାସନ ଭ୍ରଷ୍ଟ ହେଲା ତେବେ ବେହେଲା ତବଲା ସୁର୍‌ ମିଳାଉ ମିଳାଉ ମଜ୍‌ଲିସ ଶେଷ ହୋଇଯିବ ।

 

୨-୧୦-୬୬

ରବିବାର

 

ବିଶୃଙ୍ଖଳା ଓ ଗଣ ଶିକ୍ଷା

 

ଲୋକଶାସନ ବା ଭୋଟଦିଆ ଶାସନ ଯେପରି ଏ ଦେଶରେ ପ୍ରଚଳିତ ହୋଇଛି, ଏପରି ପୂର୍ବେ ଏ ଦେଶରେ କେବେ ନଥିଲା । ଏପ୍ରକାର ଶାସନ ଇଂଲଣ୍ଡ ପ୍ରଭୃତି କେତୋଟି ଶହ ଶହ ବର୍ଷ ଚାଲିଛି ଓ ଏ ପ୍ରକାର ଶାସନ ପଛରେ ଉଚ୍ଚ ଦର୍ଶନ ମଧ୍ୟ ଅଛି । ସେ ଦର୍ଶନଟି ହେଉଛି ଏହି ଯେ ରାଜ୍ୟ ଶାସନ ଜଣେ ରାଜା ଓ ଅଳ୍ପ କେତେକ ଦଳ ବାନ୍ଧି ଏକ ଚକ୍ର ଗଠନ କରି ଚଳାଇବେ ତାହା ନୁହେଁ, ଜନସାଧାରଣଙ୍କ ମତ ଅନୁସାରେ ଶାସନ ଚାଲିବ, ଯେଉଁଥିରେ କେହି ରାଜା ନୁହଁନ୍ତି ବା କେହି ପ୍ରଜା ନୁହଁନ୍ତି । ପୂର୍ବେ ରାଜାର ଶାସନ ଥିଲା ବା କୌଣସି କାରଣରୁ ରାଜସିଂହାସନ ଶୂନ୍ୟ ହୋଇଗଲେ ‘ସାମନ୍ତଚକ୍ର’ ଅର୍ଥାତ୍‌ ସାମନ୍ତ ରାଜାମାନେ ମିଶି ଜଣେ କାହାକୁ ବସାଇ ରାଜ୍ୟ ଚଳାଉଥିଲେ । ବର୍ତ୍ତମାନ ରାଜା ପ୍ରଜା ଏପରି କେହି ନ ରହି ଜନସାଧାରଣଙ୍କ ମତ ଅନୁସାରେ ସେମାନଙ୍କ ଦ୍ୱାରା ନିର୍ବାଚିତ ପ୍ରତିନିଧିମାନେ ସେମାନଙ୍କର ଆମ ମୁକ୍ତାର ହୋଇ ରାଜ୍ୟ ଚଳାଇବାର କଥା । ଏହି ହେଉଛି ଲୋକଶାସନର ଦର୍ଶନ । ଏହି ଉଚ୍ଚ ଦର୍ଶନକୁ କାର୍ଯ୍ୟରେ ପରିଣତ କରିବା ପାଇଁ ଭୋଟ ପ୍ରଥାର ସୃଷ୍ଟି । ଏହି କଥା ଅନୁସାରେ ଏ ଦେଶରେ ଶାସନ ଗତ ପ୍ରାୟ କୋଡ଼ିଏ ବର୍ଷ ହେଲା ଚାଲିଛି । ଏହି ସମୟ ଭିତରେ ଏ ପ୍ରକାର ଶାସନରେ କେଉଁଠି କି ଦୋଷଗୁଣ ରହିଯାଉଛି ତାହା ଭଲ ଭାବରେ ଆଲୋଚନା କରିବା ଉଚିତ । ଦୋଷ ଥିଲେ ତାକୁ ଦୂର କରିବାକୁ ହେବ । ଭୁଲ୍‌ ଯାହା କିଛି ଥିବ ତାକୁ ଆହୁରି ଭଲ କରିବାକୁ ହେବ ।

 

ଅନ୍ୟାନ୍ୟ ପ୍ରଦେଶ କଥା ଓ ଏପରିକି କେନ୍ଦ୍ର ଶାସନ କଥା ପରେ ବିଚାର କରାଯିବ, ସେ ସମ୍ବନ୍ଧରେ ଓଡ଼ିଶାର ସାଧାରଣ ଲୋକ ହୁଏତ ବେଶି ଖବର ରଖି ନଥିବେ । ଓଡ଼ିଶା ଶାସନ ବିଷୟ ଆଲୋଚନା କରାଯାଉ । ଗତ ସାଧାରଣ ନିର୍ବାଚନରେ କଂଗ୍ରେସ ଦଳ ବହୁ ସଂଖ୍ୟାରେ ନିର୍ବାଚିତ ହେଲେ । ଯେତେଜଣ ନିର୍ବାଚିତ ହୋଇଥିଲେ ତା’ ବାହାରେ ସ୍ୱତନ୍ତ୍ର ଦଳରୁ ପି: ଏସ୍‌: ପି: ଦଳରୁ ଓ ସ୍ୱାଧୀନ ସଭ୍ୟମାନଙ୍କ ମଧ୍ୟରୁ କେତେଜଣ କଂଗ୍ରେସ ଦଳକୁ ନିଆଁ ହେଲା । ବ୍ୟବସ୍ଥା ସଭାରେ କଂଗ୍ରେସ ଦଳ ସଂଖ୍ୟା ଦୃଷ୍ଟିରୁ ବିଭେଦ୍ୟ ହେଲା । କଂଗ୍ରେସ ସଙ୍ଗଠନ ଓ କଂଗ୍ରେସ ବ୍ୟବସ୍ଥାସଭା ଦଳ ମଧ୍ୟରେ ଯେପରି କେଉଁଠି କିପରି କଳହ ଉପୁଜିଥାଏ ଓଡ଼ିଶାରେ ତାହା ହେଲାନାହିଁ । କଂଗ୍ରେସ କମିଟିମାନ ଓ ବ୍ୟବସ୍ଥାସଭାର ଦଳ ବସ୍ତୁତଃ ଏକ ହୋଇ ଏ ନେତୃତ୍ୱରେ ଚାଲିଲେ । ବହୁବର୍ଷ ପରେ କଂଗ୍ରେସର ଅର୍ଥାଭାବ ସଂପୂର୍ଣ୍ଣ ଭାବେ ଦୂର ହେଲା । କଂଗ୍ରେସ ଅନୁଷ୍ଠାନରେ ଏତେ ପରିମାଣରେ ପଇସା ହାଉଯାଉ ହେବା ପୂର୍ବେ କେବେ ନଥିଲା । କଂଗ୍ରେସ କର୍ମକର୍ତ୍ତାମାନେ ତଥା ମନ୍ତ୍ରୀ ଉପମନ୍ତ୍ରୀମାନେ ପୂର୍ବେ ଯେପରି ନିଜ ନିଜ ଅବସ୍ଥାନୁଯାୟୀ ଅର୍ଥାଭାବରେ ପଡ଼ୁଥିଲା, ତାହା ଆଉ ରହିଲା ନାହିଁ । ସମସ୍ତେ ସୁଖ ସ୍ୱାଚ୍ଛନ୍ଦ୍ୟରେ ରହିଲେ । ଅନେକେ କୋଠାବାଡ଼ି କଲେ । ଜୀବନରେ ଦୈହିକ ଉପଭୋଗ କହିଲେ ଯାହା ବୁଝାଏ ସବୁ ସେମାନେ କଲେ । କଂଗ୍ରେସ କମିଟି ବା କଂଗ୍ରେସ ବ୍ୟବସ୍ଥାସଭା ଦଳକୁ ବାଧା ଦେବାକୁ କିଛି ରହିଲା ନାହିଁ ବା କେହି ରହିଲେ ନାହିଁ । ଏପରି ଶକ୍ତି କଂଗ୍ରେସ ପୂର୍ବେ କେବେ ଆହରଣ କରି ନଥିଲା । କିନ୍ତୁ ଏତେ ହେଲେ ମଧ୍ୟ ଦୁଇଜଣ ମୁଖ୍ୟମନ୍ତ୍ରୀ ଇସ୍ତଫା ଦେବାକୁ ବାଧ୍ୟ ହେଲେ । ତୃତୀୟ ମୁଖ୍ୟମନ୍ତ୍ରୀ ଏକୁଟିଆ ତାଙ୍କ ମନ୍ତ୍ରୀମାନଙ୍କ ସହିତ ଲଢ଼ିବାରେ ଲାଗିଛନ୍ତି । ଦୁର୍ନୀତିରେ ଗନ୍ଧ ଭୁବନେଶ୍ୱରଠାରୁ ଆରମ୍ଭ କରି ଗାଁ’ଗହଳ ପର୍ଯ୍ୟନ୍ତ ଏପରି ବାହାରୁଛି ଯେ ସମ୍ମାନ ଜ୍ଞାନ ଥିବା ଲୋକେ ନାକରେ ଲୁଗା ଦେଇ ଚୁପ୍‌ ମାରି ବସିଛନ୍ତି । ଆନ୍ଦୋଳନ ପରେ ଆନ୍ଦୋଳନ, ବାରମ୍ବାର ସୈନ୍ୟବାହିନୀକୁ ଡାକରା, ରାଜ୍ୟରେ ଖାଦ୍ୟ ପଦାର୍ଥ ଥାଉଁ ଥାଉଁ ଦୁର୍ଭିକ୍ଷରେ ଶହ ଶହା ଲୋକ ପଡ଼ି ମରିଯିବା । ଉଚ୍ଚପଦସ୍ଥ କର୍ମଚାରୀଠାରୁ ଆରମ୍ଭ କରି ପଞ୍ଚାୟତର ଗ୍ରାମସେବକ ପର୍ଯ୍ୟନ୍ତ ସମସ୍ତଙ୍କ ମୁହଁରେ ଶାସନର ନିନ୍ଦା, ଶାସନ ନାହିଁ ବୋଲି ଚାରିଆଡ଼େ ଜନରବ, ଏପ୍ରକାର ବିଚିତ୍ର ଅବସ୍ଥା ଘଟିଲା କାହିଁକି ? ବ୍ୟବସ୍ଥା ସଭାର କଂଗ୍ରେସ ଦଳ ଭିତରେ ବିବାଦ ଘଟିନାହିଁ । କଂଗ୍ରେସ ସଙ୍ଗଠନ ମଧ୍ୟରେ କୌଣସିଠୁଁ ପଦେ କେହି କିଛି କହୁନାହାନ୍ତି । ତଥାପି ଏ ଘୋର ବିଶୃଙ୍ଖଳା କାହିଁକି ?

 

ଲୋକଶାସନର ଭବିଷ୍ୟତ ପାଇଁ ଏହାର କାରଣ ବୁଝିବାକୁ ହେବ । କାରଣ ହେଉଛି ଏହି ଯେ ଯେଉଁମାନେ ଶାସନ ଭାରରେ ରହିଲେ, ସେମାନେ ମନେ କଲେ ନାହିଁ ଯେ ସେମାନଙ୍କୁ ଏକ ଅତି ଗୁରୁଦାୟିତ୍ୱ ବହନ କରିବାକୁ ପଡ଼ୁଛି, ଯେଉଁ ଦାୟିତ୍ୱରେ ସେମାନଙ୍କୁ ଅବିଶ୍ରାନ୍ତ କାର୍ଯ୍ୟ କରିବାକୁ ହେବ, ନିଜର ସୁଖ ସ୍ୱାଚ୍ଛନ୍ଦ୍ୟକୁ ଭୁଲିଯିବାକୁ ହେବ । ଚେହେରାରେ ଚିନ୍ତାର ରେଖାମାନ ସ୍ପଷ୍ଟ ହୋଇ ବାହାରିବ । ସେମାନେ ଭାବିଲେ ଯେ ଶାସନଟି ହେଉଛି ସମ୍ଭୋଗର ସ୍ଥଳ ଓ ଜୀବନ ସାର୍ଥକତା ସମ୍ଭୋଗରେ । ବିଲାତର ପ୍ରଧାନମନ୍ତ୍ରୀମାନଙ୍କ ଜୀବନୀ ଆଲୋଚନା କରି ଜଣେ ବିଶିଷ୍ଟ ଇଂରେଜ ଲେଖକ ଦର୍ଶାଇଛନ୍ତି ଯେ ସବୁ ପ୍ରଧାନମନ୍ତ୍ରୀ ଦାୟିତ୍ୱ ନେବାର କିଛି କାଳପରେ ଅସୁସ୍ଥ ହୋଇଛନ୍ତି ଓ ସମସ୍ତଙ୍କର ଓଜନ କମିଯାଇଛି । ଆମେରିକାର ପ୍ରେସିଡ଼େଣ୍ଟମାନଙ୍କ ସମ୍ବନ୍ଧରେ ମଧ୍ୟ ସେହିପରି ଲେଖା ପ୍ରକାଶିତ ହୋଇଛି । ଆମର ଏଠି ଠିକ୍‌ ତା’ର ବିପରୀତ, ସମସ୍ତେ ଖାଇପିଇ ମୋଟା ହୋଇ ସମ୍ଭୋଗର ସ୍ରୋତରେ ଭାସିଲେ । ଗତ ପାଞ୍ଚବର୍ଷରେ ଶାସନ ନାମରେ ଯାହା ହୋଇଛି ପୂର୍ବେ କୌଣସି ଅବିବେକୀ ଗଡ଼ଜାତ ରାଜାମାନେ ଏପରି କରି ନଥିଲେ । ଏଇଠି ଲୋକ ଶାସନର ତ୍ରୁଟି ରହିଲା । ନିର୍ବାଚିତ ପ୍ରତିନିଧିମାନେ ନିଜକୁ ରାଜା ବୋଲି କିପରି ମନେକଲେ ? ରାଜାମାନଙ୍କ ପାଇଁ ଯୋଗ୍ୟତା ମଧ୍ୟ ଶାସ୍ତ୍ରମାନଙ୍କରେ ବର୍ଣ୍ଣିତ ଅଛି । ରାଜା ସଂଯମୀ ହେବା ଆବଶ୍ୟକ । ରାଜା ପ୍ରଜାଙ୍କ ଦୁଃଖରେ ଦୁଃଖୀ ହେବା ଆବଶ୍ୟକ । ରାଜା ରାଜକୋଷକୁ ନିଜର ମନେ ନକରି ତା’ର ମାରଫତ୍‌ଦାର ବୋଲି ମନେ କରିବାକୁ ହେବ, ରାଜାଙ୍କ ସମସ୍ତ ସମୟ ପ୍ରଜାଙ୍କ ହିତ ଚିନ୍ତାରେ ବ୍ୟୟିତ ହେବା ଇତ୍ୟାଦି ଇତ୍ୟାଦି । ଆମର ଜନପ୍ରତିନିଧିମାନେ ନିଜକୁ ଯେ ଖାଲି ରାଜା ମନେକଲେ ତାହା ନୁହେ: ସେମାନେ ନିଜକୁ ଅତ୍ୟନ୍ତ ଅବିବେକୀ ରାଜାପରି ସର୍ବେସର୍ବା ମନେକରି ଇନ୍ଦ୍ର ଚନ୍ଦ୍ର ମାନିଲେ ନାହିଁ । ଯାହା ଯାହା ଘଟିଛି ଓ ଯାହାର ପ୍ରମାଣ ଅଛି, ତାହା ବର୍ଣ୍ଣନା କରିହେବ ନାହିଁ, କଲେ ଏ ରାଜ୍ୟର ନିନ୍ଦା ହେବ । ଏହା ସ୍ପଷ୍ଟ ଯେ ଯେଉଁମାନେ ପ୍ରତିନିଧି ନିର୍ବାଚିତ ହେଲେ ସେମାନଙ୍କର ରାଜ୍ୟ ପରିଚାଳନାର ଯୋଗ୍ୟତା ନଥିଲା । ସେମାନେ ଉଚ୍ଚ ଦରର ଲୋକ ନଥିଲେ । କିନ୍ତୁ ସେମାନେ ତ ପ୍ରତିନିଧି । କ’ଣ କରାଯିବ ? ଏଥିପାଇଁ କେତେକ ଚିନ୍ତାଶୀଳ ବ୍ୟକ୍ତି କହନ୍ତି ଯେ ପ୍ରତିନିଧିମାନଙ୍କ ଯୋଗ୍ୟତା ଆଇନରେ ବର୍ଣ୍ଣିତ ହେବା ଉଚିତ । କିନ୍ତୁ ପ୍ରତିନିଧି ତ ସମସ୍ତଙ୍କ ଠାରୁ ବଡ଼ । ତାଙ୍କର ଯୋଗ୍ୟତା ବିଚାର କରିବା ପାଇଁ ଆଉ ଫେର କିଏ ରହିବ, ଏହି ହେଲା ଅସୁବିଧା । ଅନ୍ୟ ଦେଶମାନଙ୍କରେ ରାଜନୈତିକ ଦଳମାନେ ନିଜ ନିଜଦ୍ୱାରା ମନୋନୀତ ପ୍ରାର୍ଥୀଙ୍କ ଯୋଗ୍ୟତା ପ୍ରତି ଦୃଷ୍ଟି ଦିଅନ୍ତି । ଏଠିତ ରାଜନୈତିକ ଦଳ ମଧ୍ୟ ସେହିପରି ପଙ୍କରେ । ଏହାର ପ୍ରତିକାର କଣ ? ଲୋକଶାସନ ତେବେ କଅଣ ଏ ଦେଶରେ ସଫଳ କାମ ହେବ ନାହିଁ ? ଲୋକ ଶାସନ କହିଲେ, ଏକଛତ୍ର ଶାସନ ପ୍ରତିଷ୍ଠିତ ହେବ । ଏକଛତ୍ର ଶାସନରେ ଭାରତ ଖଣ୍ଡ ବିଖଣ୍ଡ ହୋଇଯିବ ଓ ଭାରତର ଜନତା ମଧ୍ୟ ତାହା ସହିପାରିବେ ନାହିଁ । ଏଣୁ ଲୋକଶାସନକୁ ସଫଳ କରାଇବାକୁ ହେବ । ସଫଳତା ପାଇଁ ଭୋଟଦାତାମାନେ ଜାଗ୍ରତ ନହେଲେ ହେବ ନାହିଁ । ସେମାନଙ୍କୁ ବାଛିନେବାକୁ ହେବ– ସାଧୁ ସଚରିତ୍ର ଦାୟିତ୍ୱଜ୍ଞାନ ସମ୍ପନ୍ନ ପ୍ରତିନିଧି ବାଛିବେ କି ଲୋଭ ବା ଭୟରେ ପ୍ରତିନିଧି ବାଛି ଶେଷରେ ଏ ଦେଶରେ ଏକଛତ୍ର ଶାସନ ପ୍ରତିଷ୍ଠା କରିବେ । ଏଇଥିରେ ଗଣଶିକ୍ଷା ଆବଶ୍ୟକ । ନିଜେ ବୁଝି ଅନ୍ୟକୁ ବୁଝାଇବାର ଦାୟିତ୍ୱ ଶିକ୍ଷିତ ଚିନ୍ତାଶୀଳ ବ୍ୟକ୍ତିମାନଙ୍କ ଉପରେ । ମୋଟ କଥା ଦେଶର ଜନତା ଯେପରି ଦେଶ ଶାସନ ମଧ୍ୟ ତଦ୍ରୂପ ହେବ ।

Image

 

୫-୬-୬୮

ବୁଧବାର

ଖାଲି ତୋଫାନ, ବର୍ଷା କାହିଁ !

 

ଗତ କେତେଦିନ ହେଲା ମେଘ ଘଡ଼ ଘଡ଼ି ହୋଇ ବର୍ଷା ଉଠେଇ ଆସୁଛି, ଖୁବ୍‌ ଜୋରରେ ପବନ ବୋହୁଛି । ତୋଫାନରେ ଗଛ ଭାଙ୍ଗି ପଡ଼ୁଛି । କିନ୍ତୁ ବର୍ଷା ନାହିଁ । ପବନରେ ମେଘ ଉଡ଼ିଯାଉଛି । ଚାଷୀ ଶୂନ୍ୟକୁ ଅନାଇ ଦୀର୍ଘ ନିଃଶ୍ୱାସ ପକାଉଛନ୍ତି । ଖରା ଉତ୍ତାପରେ ଘରୁ ବାହାରିବା କଠିନ ହେଉଛି । ଏହି ଅବସ୍ଥା ରାଜନୀତିକ୍ଷେତ୍ରରେ ମଧ୍ୟ ପ୍ରକାଶ ପାଉଛି । ଯେତେ ରାଜନୈତିକ ଦଳ ଅଛନ୍ତି ସମସ୍ତେ ବର୍ତ୍ତମାନ ବିକ୍ଷୋଭ ପ୍ରଦର୍ଶନରେ ପରସ୍ପର ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି-। ଅନେକ କ୍ଷେତ୍ରରେ ପ୍ରକାରାନ୍ତରେ ପରସ୍ପର ବିରୋଧୀ କାର୍ଯ୍ୟ ମଧ୍ୟ ହୋଇଯାଉଛି । ଜନ ସଂଘର କଚ୍ଛ ସଂକ୍ରାନ୍ତୀୟ ସତ୍ୟାଗ୍ରହ କେନ୍ଦ୍ରର କଂଗ୍ରେସଶାସନ ବିରୋଧରେ, ମାତ୍ର ଜନ ସଂଘ କେତେକ ପ୍ରଦେଶରେ ଶାସନ କ୍ଷେତ୍ରରେ ମଧ୍ୟ ଅଛନ୍ତି । ସେହିପରି କଂଗ୍ରେସ ବିକ୍ଷୋଭ ପ୍ରଦର୍ଶନ କରୁଛି ଅଣକଂଗ୍ରେସ ପ୍ରାଦେଶିକ ଶାସନ ବିରୋଧରେ; କିନ୍ତୁ କେନ୍ଦ୍ରରେ କଂଗ୍ରେସ ଶାସନ ଅଛି । ଏହିପରି ସାରଳା ଦାସଙ୍କ ବର୍ଣ୍ଣିତ ଗୋଳଷଣ୍ଢା ଆନ୍ଦୋଳନ ଦେଶ ସାରା ଚାଲିଛି । ସମାନ ଉଦ୍ଦେଶ୍ୟ, ସମାନ ମନ ଓ ସମାନ ପନ୍ଥା ନ ହେବାରୁ ସମସ୍ତ ଆନ୍ଦୋଳନ ନିଜ ନିଜର କ୍ଷୁଦ୍ର ଗଣ୍ଡି ଭିତରେ ସୀମାବଦ୍ଧ ହୋଇ ରହୁଛି । ଜନତାର ସମର୍ଥନ ବିନା ସମସ୍ତ ବିକ୍ଷୋଭ କେବଳ କ୍ଷଣିକ ଝଡ଼ ତୋଫାନରେ ରହିଯାଉଛି । ବର୍ଷା ଆଉ ହେଉନାହିଁ ।

ଆନ୍ଦୋଳନର ମଧ୍ୟ ବିଜ୍ଞାନ ଅଛି, ଏହାର ସୁପ୍ରତିଷ୍ଠିତ ନିୟମିତ କୌଶଳ ମଧ୍ୟ ଅଛି । ଏହାକୁ ଯଦି ପିଲାଖେଳ ବୋଲି ମନେ କରାଯାଏ ତେବେ ଏହା ଜନତାର ସମର୍ଥନ ପାଇ ପାରିବ ନାହିଁ । ପ୍ରଥମ କଥା, ଭାରତର ପରିସ୍ଥିତିରେ କୌଣସି ହିଂସାତ୍ମକ ଆନ୍ଦୋଳନ କେବେହେଲେ ସଫଳ ହୋଇ ପାରିବ ନାହିଁ । ସାଧାରଣ ଜନତା ଶାନ୍ତିପ୍ରିୟ ଓ ହିଂସାତ୍ମକ କାର୍ଯ୍ୟରେ ବଂଶ ପରଂପରାକ୍ରମେ ଅଭ୍ୟସ୍ତ ନୁହନ୍ତି । ତେଣୁ ହିଂସାତ୍ମକ ବିପ୍ଳବ ଏଠି ସମ୍ଭବ ନୁହେଁ । ବ୍ରିଟିଶ ସମୟରୁ ଯେଉଁ ଆର୍ମସ ଏକଟ ଥିଲା ତାହା ଆଜି ସୁଦ୍ଧା ଅଛି । ଏଣୁ ଅସ୍ତ୍ରଶସ୍ତ୍ର ବ୍ୟବହାର ମଧ୍ୟ ଭାରତବର୍ଷରେ ଅତି ସାଧାରଣ କଥା । ଅସ୍ତ୍ରଶସ୍ତ୍ରରେ ସଂପୂର୍ଣ୍ଣ ଅନଭସ୍ତ, ସ୍ୱଭାବତଃ ଶାନ୍ତିପ୍ରିୟ ଜନତାକୁ କୌଣସି ହିଂସାତ୍ମକ କାର୍ଯ୍ୟରେ ଏକତ୍ର କରାଇବା ସମ୍ଭବ ନୁହେଁ । ତେଣିକି ରହିଲା ଅହିଂସାତ୍ମକ ଆନ୍ଦୋଳନ । ଗାନ୍ଧିଜୀ ଏହି ପ୍ରକାର ଆନ୍ଦୋଳନକୁ ଏକ ନିୟମିତ ରୂପରେଖ ଦେଇ ନଯାଇଥିଲେ ଅବସ୍ଥା ବାସ୍ତବିକ ନିରାଶାଜନକ ହୋଇଥାନ୍ତା । କିନ୍ତୁ ଦେଶର ସୌଭାଗ୍ୟ ଯେ ଏ ଦେଶର ପରିସ୍ଥିତିକୁ ସୁହାଇବା ଭଳି ଆନ୍ଦୋଳନର ବାଟ ଗାନ୍ଧିଜୀ ଦେଖାଇଦେଇ ଯାଇଛନ୍ତି ।

ବାରମ୍ବାର ଗାନ୍ଧିଜୀ କହିଯାଇଛନ୍ତି ସ୍ୱରାଜ୍ୟରେ ମଧ୍ୟ ସତ୍ୟାଗ୍ରହ ଦରକାର ପଡ଼ିପାରେ । ସତ୍ୟାଗ୍ରହ କହିଲେ ଅହିଂସାତ୍ମକ ଆନ୍ଦୋଳନ । ତା’ର କୌଶଳ ସ୍ୱତନ୍ତ୍ର ଓ ତା’ର ନେତୃତ୍ୱ ପାଇଁ ମଧ୍ୟ ଶିକ୍ଷା ବା ଟ୍ରେନିଂ ଆବଶ୍ୟକ । ଯାହା ମନକୁ ଯାହା ଆସିଲା ବା ନିଜକୁ ଯାହା ସୁବିଧା ହେଲା ତାକୁ ସତ୍ୟାଗ୍ରହ କହି ଆନ୍ଦୋଳନ ଲାଗିଲା ବୋଲି ଯେତେ ଡିଣ୍ଡିମ ବଜାଇଲେ ମଧ୍ୟ କେବଳ ସେ ପବନ, ସେଥିରେ ବର୍ଷା ନାହିଁ । ଅହିଂସାତ୍ମକ ଆନ୍ଦୋଳନର ମୁଖ୍ୟତଃ ନିମ୍ନଲିଖିତ କେତୋଟି ସର୍ତ୍ତ ପୂରଣ ଆବଶ୍ୟକ । (୧) ନେତୃତ୍ୱ ପ୍ରତି ଯେପରି କୌଣସି ଅନ୍ୟ ଉଦ୍ଦେଶ୍ୟ ଆରୋପ କରାଯାଇ ନ ପାରେ । ୧୯୪୧ ସାଲ ବ୍ୟକ୍ତିଗତ ସତ୍ୟାଗ୍ରହରେ ଗାନ୍ଧିଜୀ ପ୍ରଥମେ ବିନୋବାଜୀଙ୍କୁ ମନୋନୀତ କରିଥିଲେ । କାରଣ ଜବାହରଲାଲ, ସର୍ଦ୍ଦାର ପଟେଲ ପ୍ରଭୃତିଙ୍କ ପ୍ରତି ଉଦ୍ଦେଶ୍ୟ ଆରୋପର ଅବକାଶ ଥିଲା । (୨) ଆନ୍ଦୋଳନର ଉଦ୍ଦେଶ୍ୟ ସ୍ପଷ୍ଟ ଓ ପୁଙ୍ଖାନୁପୁଙ୍ଖ ହେବା ଉଚିତ ଓ ଏହି ଉଦ୍ଦେଶ୍ୟକୁ ଭଲଭାବରେ ପ୍ରଚାର କରି ଏଥିପ୍ରତି ଅନ୍ୟମାନଙ୍କର ପ୍ରତ୍ୟକ୍ଷ ପରୋକ୍ଷ ସମର୍ଥନ ଲାଭ କରିବା ପାଇଁ ଉଦ୍ୟମ ହେବା ଉଚିତ । ଏହା ସମୟ ସାପେକ୍ଷ ଓ ଏହା ପଛରେ ଗଭୀର ଚିନ୍ତାର ଆବଶ୍ୟକ । (୩) ଶାସନର ସର୍ବୋଚ୍ଚ ଅଧିକାରୀଙ୍କୁ ଏହି ଉଦ୍ଦେଶ୍ୟ ଜଣାଇ ତାଙ୍କ ସହିତ ତର୍କ ବିତର୍କ ଆଲୋଚନା କରିବାପାଇଁ ଉଦ୍ୟମ କରିବା ଉଚିତ । ସେଥିପାଇଁ ମଧ୍ୟ ସମୟ ଆବଶ୍ୟକ ଓ ସେଥିପାଇଁ ଆନ୍ଦୋଳନର ଉଦ୍ଦେଶ୍ୟ ସମ୍ବନ୍ଧରେ ସ୍ପଷ୍ଟ ଧାରଣା ରହିବା ଆବଶ୍ୟକ । (୪) କଥା ଓ କାର୍ଯ୍ୟରେ ଅନ୍ୟପକ୍ଷ ପ୍ରତି ଏପରି କିଛି କରାଯିବା ଉଚିତ ନୁହେଁ ଯେଉଁଥିରେ ସେ କଥା ଶୁଣିବା ପାଇଁ ପ୍ରସ୍ତୁତ ହେବେନାହିଁ । ସତ୍ୟାଗ୍ରହର ପରିଣତି ଆପୋଷ ମିଳାମିଶା । ସଶସ୍ତ୍ର ଯୁଦ୍ଧରେ ହାରଜିତ୍‌ ପରି ସତ୍ୟାଗ୍ରହରେ ହାରଜିତ୍‌ ହୁଏନାହିଁ । ଏଣୁ ଆନ୍ଦୋଳନକୁ ଏପରି ଭାବରେ ଚଳାଇବାକୁ ହେବ ଯେପରି କି ଯେ କୌଣସି ସୁବିଧାଜନକ ଅବସ୍ଥାରେ ଦୁଇପକ୍ଷ କଥାବାର୍ତ୍ତା ହୋଇ ବିଷୟଟିର ନିଷ୍ପତ୍ତି କରିବାକୁ ସମର୍ଥ ହେବେ ।

ଏହି କେତୋଟି ମୂଳ ସର୍ତ୍ତ ଛଡ଼ା, ଆହୁରି କେତେକ ଗୌଣ ସର୍ତ୍ତ ଅଛି ଯାହା ନିର୍ଭର କରିବ ଅବସ୍ଥା ଉପରେ । ଏହି ଦୃଷ୍ଟିରୁ ବର୍ତ୍ତମାନର ସମସ୍ତ ଆନ୍ଦୋଳନକୁ ଅଧ୍ୟୟନ କଲେ ଜଣାଯିବ ଯେ ଏ ସବୁ ଗାନ୍ଧିଜୀଙ୍କ ସତ୍ୟାଗ୍ରହ ପର୍ଯ୍ୟାୟ ଅନ୍ତର୍ଭୁକ୍ତ ନହେଉ । ଏସବୁ କେବଳ ପିନ୍‌ପ୍ରିକ୍‌ ବା କଣ୍ଟା ବାଡ଼ରେ ଲୁଗାପକାଇବା କାର୍ଯ୍ୟ । ଏସବୁଥିରେ ସାଧାରଣ ଲୋକେ ତ ସହଯୋଗ କରନ୍ତି ନାହିଁ ବରଂ ଏଥିରେ ସେମାନେ ବିରକ୍ତ ହୋଇ ଅସହଯୋଗ କରନ୍ତି ।

ଆଜି ସମୟ ଆସିଛି, ଯେତେବେଳେ ଅସନ୍ତୋଷକୁ ଅହିଂସାତ୍ମକ ଉପାୟରେ ପ୍ରକାଶ କରିବାର ପନ୍ଥା ବାହାର କରିବାକୁ ହେବ । ବ୍ୟର୍ଥ ହିଂସାରୁ କାପୁରୁଷତାର ଜନ୍ମ । କିନ୍ତୁ ଅହିଂସାତ୍ମକ ଆନ୍ଦୋଳନ ସହସା ଫଳପ୍ରଦ ନହେଲେ ମଧ୍ୟ ଏହା ସାହସ ଓ ପୁରୁଷକାର ସୃଷ୍ଟି କରେ ।

Image

 

୧୭-୬-୬୮

ସୋମବାର

 

ନଇ ନ ଦେଖୁଣୁ ଲଙ୍ଗଳା

 

ରାଜନୀତି କ୍ଷେତ୍ରରେ ଧୈର୍ଯ୍ୟର ଆବଶ୍ୟକତା ଯେତେ ଅନ୍ୟ ସାଂସରିକ ବ୍ୟାପାରରେ ବୋଧହୁଏ ସେତେ ନୁହେଁ । ଉଦ୍ଦେଶ୍ୟ ସିଦ୍ଧିପାଇଁ ଅପେକ୍ଷା କରିବାକୁ ହେବ । ଅନୁକୂଳ ପରିସ୍ଥିତିକୁ ପ୍ରତୀକ୍ଷା କରିବାକୁ ହେବ । କିନ୍ତୁ ଗଣତାନ୍ତ୍ରିକ ଭାରତରେ ରାଜନୀତି କ୍ଷେତ୍ରରେ ଯେପରି ଅଧୀରତା ପ୍ରକାଶ ପାଉଛି ସେଥିରେ ରାଜନୈତିକ ବିକାଶ ବାଧା ପାଉଛି । ପାଞ୍ଚବର୍ଷକୁ ପାଞ୍ଚବର୍ଷ ନିର୍ବାଚନ ହେଉଛି, ହେବ । ଗତ ନିର୍ବାଚନରେ ବହୁ ଦଳ ମିଶିଯାଇ ବହୁ ପ୍ରଦେଶରେ କଂଗ୍ରେସକୁ ହରେଇ ଦେଲେ । ଏହାକୁ ନୀତି ଶାସ୍ତ୍ରରେ ‘ସାମର୍ଥ୍ୟ’ ଯୋଗ କୁହାଯାଏ । ବହୁ ଦଳ ଯେ ମିଶିଥିଲେ ସେମାନଙ୍କ ଉଦ୍ଦେଶ୍ୟ ଦୁଇଟି ଥିଲା– ପ୍ରଥମେ କଂଗ୍ରେସକୁ ହରେଇବା ଓ ଦ୍ୱିତୀୟ ଲୋକଙ୍କ ପାଇଁ ଗୋଟିଏ ବିକଳ୍ପ ସୁଶାସନ ପ୍ରତିଷ୍ଠା କରିବା । ଏହି ବିକଳ୍ପ ଶାସନ କେତେକ ପ୍ରଦେଶରେ କାର୍ଯ୍ୟକାରୀ ହୋଇପାରିଲା ନାହିଁ । ସେ ସ୍ୱତନ୍ତ୍ର ବିଷୟ । ଗତ ନିର୍ବାଚନରୁ ଏତିକି ଜଣାଗଲା ଯେ କଂଗ୍ରେସ ତୁଳନାରେ ଆଉ ଗୋଟିଏ ଶକ୍ତିଶାଳୀ ସର୍ବଭାରତୀୟ ଦଳ କ୍ଷେତ୍ରକୁ ଆସିବାକୁ ଲୋକେ ଚାହାନ୍ତି । ଏହି ସର୍ବଭାରତୀୟ ଦଳଟିକୁ ଛିଡ଼ା କରାଇବା ପାଇଁ ଧୈର୍ଯ୍ୟ ଆବଶ୍ୟକ ଥିଲା ତାହାର ଅଭାବ ଘଟିବାରୁ ଭାରତୀୟ କ୍ରାନ୍ତିଦଳ ଉଠିପାରିଲା ନାହିଁ । ତୁରନ୍ତ ନଗଦାନଗଦି ମନ୍ତ୍ରୀତ୍ୱ ପାଇବାକୁ ଯାଇ ବିଭିନ୍ନ ପ୍ରଦେଶରେ ବିଭିନ୍ନ ନୀତି କ୍ରାନ୍ତିଦଳ ଅବଲମ୍ବନ କଲା– ଶେଷରେ ଏହା ସର୍ବଭାରତୀୟ ଶକ୍ତିଶାଳୀ ଦଳ ହୋଇପାରିଲା ନାହିଁ । ତେଣିକି ଏକ ଦିଗରେ କଂଗ୍ରେସ ଓ ଅନ୍ୟ ଦିଗରେ ଅନେକ ଦଳ ଯେପରି ନିର୍ବାଚନ ପୂର୍ବରୁ ଥିଲେ ସେହିପରି ଅବସ୍ଥାକୁ ଆସିଗଲେ । ଏହି ପରିସ୍ଥିତିରେ ପ୍ରତ୍ୟେକ ଦଳର ନେତୃତ୍ୱକୁ ବିଚାର କରି ସ୍ଥିର କରିବାକୁ ହେବ ଉଦ୍ଦେଶ୍ୟ କଅଣ ? ପ୍ରତ୍ୟେକ ଦଳ ପ୍ରତିଷ୍ଠା ଅର୍ଜ୍ଜନ କରିବାକୁ ଚେଷ୍ଟା କରିବେ ଓ ସେହି ଚେଷ୍ଟା ଅନ୍ୟ ଦଳମାନଙ୍କ ବିପକ୍ଷରେ ଯିବ ଏହା ସ୍ୱାଭାବିକ । ମାତ୍ର ପରସ୍ପର ଲଢ଼ାଲଢ଼ି ଯଦି ଉତ୍କଟ ହୁଏ ତେବେ ନିର୍ବାଚନ ସମୟର ‘ସାମର୍ଥ୍ୟ’ ଯୋଗ ନଷ୍ଟ ହେବ ଓ କୌଣସି ଦଳର ଉଦ୍ଦେଶ୍ୟ ସିଦ୍ଧ ହୋଇପାରିବ ନାହିଁ ।

 

ଓଡ଼ିଶାର କଥା ବିଚାର କରାଯାଉ । ଏଠି ସ୍ୱତନ୍ତ୍ର-ଜନକଂଗ୍ରେସ ଶାସନ ପ୍ରତିଷ୍ଠିତ ହୋଇଛି । ଅନ୍ୟ ଦିଗରେ ପି:ଏସ୍‌:ପି, କମ୍ୟୁନିଷ୍ଟ ବାମ ଓ ଦକ୍ଷିଣ ଏସ୍‌:ଏସ୍‌:ପି ଅଛନ୍ତି, କଂଗ୍ରେସ ମଧ୍ୟ ଅଛି । ଏ କ୍ଷେତ୍ରରେ କି କି ସମ୍ଭାବନାମାନ ଅଛି ତାକୁ ମଧ୍ୟ ଟିକିନିଖି ଆଲୋଚନା କରିବା ଉଚିତ । ସ୍ୱତନ୍ତ୍ର ଜନକଂଗ୍ରେସ ଯୋଗରେ ଶାସନ ଚାଲିବା ଛଡ଼ା ଅନ୍ୟ କୌଣସି ବିକଳ୍ପ ଶାସନର ସମ୍ଭାବନା ନାହିଁ । ତଦନ୍ତ କମିଶନ, ଅଙ୍କଶାସ୍ତ୍ର ଓ କଂଗ୍ରେସର ପ୍ରାଦେଶିକ ନେତୃତ୍ୱ ଏହି କାରଣମାନ ଯୋଗୁଁ ବିକଳ୍ପ ଶାସନର ସମ୍ଭାବନା ନାହିଁ । ତଦନ୍ତ କମିଶନ କାର୍ଯ୍ୟ କରୁଥିବା ଅବସ୍ଥାରେ କଂଗ୍ରେସ ଦଳ ସହିତ କୌଣସି ଦଳ ଯୋଗ ଦେବେନାହିଁ । ଅଭିଯୁକ୍ତ ବ୍ୟକ୍ତିମାନଙ୍କୁ ମଧ୍ୟ କଂଗ୍ରେସ ଛାଡ଼ିଦେବାକୁ ପ୍ରସ୍ତୁତ ନୁହେଁ । ତେଣିକି ଅଙ୍କଶାସ୍ତ୍ର ଯୋଗ ବିଯୋଗ କରି ସଂଖ୍ୟାଗରିଷ୍ଠ ମିଳିତ ଦଳଟିଏ ହୋଇ ପାରୁନାହିଁ । ଏଣୁ ସୁଖଲାଗୁ ବା ନଲାଗୁ ସ୍ୱତନ୍ତ୍ର ଜନକଂଗ୍ରେସ ଦଳର ମିଳନକୁ ବରଦାସ୍ତ କରିବାକୁ ହେବ । ନହେଲେ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନକୁ ଆହ୍ୱାନ କରିବାକୁ ହେବ । ହୁଏତ କଂଗ୍ରେସ ତାହା ଚାହେଁ; କିନ୍ତୁ ଅନ୍ୟ ଦଳମାନେ ତାହା ଚାହାନ୍ତି କି ? ମୋର ମନେହୁଏ ଅଧିକାଂଶ ଦଳ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ଚାହାନ୍ତି ନାହିଁ । ଏତିକି ଯଦି ଗୃହୀତ ହୁଏ ତେଣିକି ଦଳମାନଙ୍କର ନିଜ ନିଜର ପ୍ରତିଷ୍ଠାର ପଣ । ଦଳର ପ୍ରତିଷ୍ଠାର ପରୀକ୍ଷାର ସମୟ ଆସନ୍ତା ନିର୍ବାଚନ ଅର୍ଥାତ ସାଢ଼େ ଚାରିବର୍ଷ ପରେ । ଆଝୁଁ ସେଥିପାଇଁ ଏତେ ବ୍ୟଗ୍ର ହେବାର କାରଣ ନାହିଁ । କେତେକ ଦଳର ବ୍ୟଗ୍ରତା ଦେଖିଲେ ମନେହୁଏ ନଈ ଯାଇ କେଉଁଠି– ଏମାନେ ଲଙ୍ଗଳା ହୋଇପଡ଼ି ଧାଇଁଛନ୍ତି । ବାଲେଶ୍ୱରର ଜଣେ ବନ୍ଧୁଙ୍କୁ ତାଙ୍କ ପତ୍ରର ଉତ୍ତରରେ ମୁଁ ଲେଖିଥିଲି ଯେ ଯେଉଁମାନେ ଆଜିଠାରୁ ନାଚିବାକୁ ଆରମ୍ଭ କଲେଣି ସେମାନେ ହୁଏତ ଥକିପଡ଼ିବେ ବା ତାଙ୍କ ଗୋଡ଼ ଭାଙ୍ଗିଯିବ । ବଢ଼ି, ବତାସ ମରୁଡ଼ି ପରିସ୍ଥିତି– ଏହାର ସୁବିଧା ପ୍ରତ୍ୟେକ ଦଳ ନେବା ସ୍ୱାଭାବିକ କିନ୍ତୁ କି ଉପାୟରେ ? ଆଜିର ବିକ୍ଷୋଭ ପ୍ରଦର୍ଶନ ନିର୍ବାଚନ ବେଳକୁ ଆଦୌ କାମକୁ ଆସିବ ନାହିଁ । ଆଜିର ଅନଶନ କାଲି ଲୋକେ ଭୁଲିଯିବେ । ଗତବର୍ଷ ସେପଟେମ୍ବର ମାସରେ କଂଗ୍ରେସ ନେତୃତ୍ୱ ବା ସାହାଯ୍ୟରେ ବାଲେଶ୍ୱର ଓ ଭଦ୍ରଖରେ ଯେଉଁ ଛାତ୍ର ଆନ୍ଦୋଳନ ହୋଇଥିଲା ସେକଥା ସେହି କଂଗ୍ରେସ ନେତାମାନେ ମଧ୍ୟ ଭୁଲିଗଲେଣି । ଏପରି ଭୁଲିଗଲେ ଯେ ତା’ପରେ ବ୍ୟବସ୍ଥା ସଭାରେ ସେ ବିଷୟ ପଦେ ସୁଦ୍ଧା କେହି କହିଲେ ନାହିଁ । କେବଳ ମଝିରେ ଛାତ୍ରମାନେ ଯା’ ଅଡ଼ୁଆରେ ପଡ଼ିଛନ୍ତି । ସେହିପରି ତା’ପରେ ପରେ ଅନେକ କଥା ହେଲାଣି । ଏସ୍‌. ଏସ୍‌. ପି ବାମପନ୍ଥୀ କମ୍ୟୁନିଷ୍ଟ ଆନ୍ଦୋଳନର ନିକଟ ବା ଦୂର ଉଦ୍ଦେଶ୍ୟ ବୁଝା ପଡ଼ୁନାହିଁ । ଯଦି ବିପ୍ଳବ ସାଧନ ଦୂର ଉଦ୍ଦେଶ୍ୟ ଥାଏ ତେବେ ସେଥିପାଇଁ ଏପ୍ରକାର ଆନ୍ଦୋଳନ ନିରର୍ଥକ । ଯଦି ପ୍ରତିଷ୍ଠା ଅର୍ଜନ କରିବା ନିକଟ ଉଦ୍ଦେଶ୍ୟ ଥାଏ ତେବେ ମଧ୍ୟ ଏପ୍ରକାର ଆନ୍ଦୋଳନ ନିରର୍ଥକ । ପି. ଏସ୍‌. ପି. କମ୍ୟୁନିଷ୍ଟ ବାମ ଓ ଦକ୍ଷିଣ ଏସ୍‌. ଏମ୍‌. ପି. ସମସ୍ତଙ୍କୁ ମୋର ନିବେଦନ ଯେ ସେମାନେ ନିକଟ ଓ ଦୂର ଉଦ୍ଦେଶ୍ୟ ସ୍ଥିର କରି ବର୍ତ୍ତମାନର ପରିସ୍ଥିତିକୁ ସୁଖ ନ ଲାଗିଲେ ମଧ୍ୟ ସ୍ୱୀକାର କରି ଧୈର୍ଯ୍ୟ ସହକାରେ ସମସ୍ତ କାର୍ଯ୍ୟ ପରିଚାଳନା କରନ୍ତୁ । ‘ସାମର୍ଥ୍ୟ’ ଯୋଗ ଯେପରି ନଷ୍ଟ ନହୁଏ ସେମାନେ ସମସ୍ତେ ଦେଖନ୍ତୁ । ସେ ଯୋଗ ନଷ୍ଟ ହେଲେ ସମସ୍ତଙ୍କର ପରାଜୟ ସୁନିଶ୍ଚିତ ।

Image

 

୬-୮-୬୮

ମଙ୍ଗଳବାର

 

ଭାରତର ଶିଖିବା ଉଚିତ

 

ରୁଷିଆ ଓ ଚେକୋସ୍ଲୋଭାକିଆ ମଧ୍ୟରେ କେବଳ ଆଦର୍ଶଗତ ନୁହେଁ, ନିଜ ନିଜ ଦେଶର ପ୍ରତିରକ୍ଷା ସମ୍ବନ୍ଧୀୟ ଯେଉଁ ଉତ୍କଟ ବିବାଦ ଘଟିଥିଲା ଓ ଯେଉଁ ବିବାଦରେ ରୁଷ ପକ୍ଷରୁ ଏ ପର୍ଯ୍ୟନ୍ତ ଅଭିଯୋଗ ହେଲା ଯେ ଚେକୋସ୍ଲୋଭାକିଆ ଆମେରିକାର ପ୍ରଭାବରେ ବିବାଦ କରୁଛି, ସେ ବିବାଦ ଏକ ନିଭୃତ ସ୍ଥାନରେ ରେଳଡ଼ବା ମଧ୍ୟରେ ଉଭୟ ପକ୍ଷର ନେତାମାନେ ଏକତ୍ର ବସି ଆଲୋଚନା କରି ଏପରି ଭାବରେ ନିଷ୍ପତ୍ତି କରିଦେଲେ ଯେ ଆଉ ସେ ବିବାଦର ଲେଶ ସୁଦ୍ଧା ରହିଲାନାହିଁ । କଅଣ ଯେ ଭିତରେ ଆଲୋଚନା ହେଲା ତା’ ମଧ୍ୟ ଜଣା ପଡ଼ିଲା ନାହିଁ । ଏ ଦୁଇଟି ଦେଶ ଏକ ମତବାଦ ସ୍ୱୀକାର କରନ୍ତି; କିନ୍ତୁ ସଂପୂର୍ଣ୍ଣ ଭିନ୍ନ ମତବାଦ ପୋଷଣ କରୁଥିବା ଆମେରିକା ଓ ରୁଷିଆ ମଧ୍ୟରେ ଯେପରି ଗତ ୫/୬ ବର୍ଷ ମଧ୍ୟରେ ପରସ୍ପରକୁ ବୁଝିବା ଓ ସହାବସ୍ଥାନର ପ୍ରବୃତ୍ତି ଜାଗ୍ରତ ହୋଇଛି, ସେଥିରେ ନିକଟ ଭବିଷ୍ୟତରେ ବିଶ୍ୱଯୁଦ୍ଧର ସମସ୍ତ ଆଶଙ୍କା ଦୂରୀଭୂତ ହୋଇଛି । କେବଳ ସେତିକି ନୁହେଁ, ଯେପରି ସାହସର ସହିତ ପ୍ରେସିଡ଼େଣ୍ଟ ଜନସନ ଉତ୍ତର ଭିଏତନାମ ସହିତ କଥାବାର୍ତ୍ତା ଚଳାଇବାପାଇଁ ଆଗଭର ହୋଇ ନିଜେ ପ୍ରେସିଡ଼େଣ୍ଟ ପଦ ପାଇଁ ପ୍ରାର୍ଥୀ ହେବେନାହିଁ ବୋଲି ଘୋଷଣାକଲେ, ସେଥିରେ ମଧ୍ୟ ଅନ୍ୟ ଦେଶ ମଧ୍ୟରେ ସମ୍ପର୍କ ସ୍ଥାପନପାଇଁ ଯେପରି ଯାହା କରିବାର କଥା, ତା’ର ଏକ ନୂତନ ପରମ୍ପରା ସୃଷ୍ଟି ହୋଇଛି । ଆମେରିକା ଓ ଚୀନ ମଧ୍ୟରେ ମଧ୍ୟ ପରୋକ୍ଷ ଭାବରେ ମତ ବିନିମୟ ହେଉଥିବାର ସମ୍ବାଦ ପ୍ରକାଶିତ ହୋଇଛି । ରୁଷିଆ ଓ ଚୀନ ମଧ୍ୟରେ ଉତ୍କଟ ମତଭେଦ ବର୍ତ୍ତମାନ ଅଛି । ମାତ୍ର ଆସନ୍ତା ଅଳ୍ପ କେତେ ବର୍ଷ ମଧ୍ୟରେ ସେ ମିଳେଇଯିବ, ଏଥିରେ ସନ୍ଦେହ ନାହିଁ । କାରଣ ରୁଷିଆ ବର୍ତ୍ତମାନ ନେତୃତ୍ୱର ଗୁଣ ହାସଲ କରିସାରିଛି । ଅନ୍ୟମାନଙ୍କ ସହିତ ନିଜକୁ ମିଳାଇ ନେବାର କୌଶଳ ଜାଣିପାରିଛି । ନିଜର ଆତ୍ମବିଶ୍ୱାସ ଏପରି ଦୃଢ଼ ଯେ ରୁଷିଆ ବର୍ତ୍ତମାନ ଯେ କୌଣସି ଶକ୍ତି ସହିତ କଥାବାର୍ତ୍ତା କରି ସମସ୍ତ ବିବାଦ ନିଷ୍ପତ୍ତି କରିବାକୁ ପ୍ରସ୍ତୁତ ।

 

କିନ୍ତୁ ଭାରତ, ଯେ ଦିନେ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ବା ପଞ୍ଚଶୀଳର ନୀତି ବ୍ୟାଖ୍ୟାନକରି ପୃଥିବୀରେ ଶାନ୍ତିର ନେତୃତ୍ୱ ନେବ ବୋଲି ଆସ୍ଫାଳନ କରୁଥିଲା, ତା’ର ଆଜି ଅବସ୍ଥା କଅଣ ? ଚୀନ ସହିତ ଶତ୍ରୁତା ମୁହଁରେ ଜାରି ଅଛି । ଯେଉଁ ଚଉଦ ହଜାର ବର୍ଗମାଇଲ ଚୀନ ଅଧିକାର କରି ସେଠି ଶାସନ ଓ ପ୍ରତିରକ୍ଷାର ସମସ୍ତ ବନ୍ଦୋବସ୍ତ କରି ସାରିଲାଣି ଓ ଯାହାର ବିରୋଧ ଭାରତ ତ କରିନାହିଁ, କରୁନାହିଁ ଓ କରିବାର କଳ୍ପନା ସୁଦ୍ଧା କରୁନାହିଁ, ସେହି ଅଞ୍ଚଳଗୁଡ଼ିକ ମାନଚିତ୍ରରେ ଚୀନ ଅଞ୍ଚଳ ବୋଲି ଦର୍ଶାଇ ଦେଉଥିବାରୁ ଭାରତ ପ୍ରତିବାଦ ଜ୍ଞାପନ କରୁଛି । ପାକିସ୍ତାନ ସହିତ ଭାରତର ବିବାଦ । ରୁଷିଆର ନେତୃତ୍ୱରେ ତାସକେଣ୍ଟରେ ଉଭୟ ପକ୍ଷରେ ଯେଉଁ ବୁଝାମଣା ହେଲା, ତାହା ଯୁଗ ସୃଷ୍ଟିକାରୀ ଏକ ପଦକ୍ଷେପ ବୋଲି ଭାରତରେ ପ୍ରଚାରିତ ହେଲା; ମାତ୍ର ଭାରତ ଓ ପାକିସ୍ତାନର ସମ୍ବନ୍ଧ ପୂର୍ବେ ଯେପରି ତିକ୍ତ ଥିଲା, ବର୍ତ୍ତମାନ ମଧ୍ୟ ସେହିପରି । ପାକିସ୍ତାନକୁ ରୁଷିଆ କାହିଁକି ଅସ୍ତ୍ରଶସ୍ତ୍ର ବିକ୍ରି କରୁଛି, ସେଥିପାଇଁ ପ୍ରତିବାଦ ଜ୍ଞାପନ ଚାଲିଛି । ସେହିପରି ପ୍ରତିବାଦ ଆମେରିକାଠାରେ ମଧ୍ୟ ଚାଲିଛି । ଅତି ସରଳ ଭାବରେ ବ୍ୟକ୍ତକଲେ ଭାରତ ଚାହେଁ ଯେ ତାକୁ ସୁହାଇବା ଭଳି ସମସ୍ତ ଦେଶ ଚଳନ୍ତୁ, ଯଦି ନ ଚଳିଲେ ତେବେ ପ୍ରତିବାଦ ଜ୍ଞାପନ ଚାଲିଥାଉ । ଏପରି ଦୟନୀୟ ଅବସ୍ଥାରେ ଏକ ବିଶାଳ ଦେଶ ଅଛି ବୋଲି ଭାବିଲେ ଲଜ୍ଜା ଓ ଦୁଃଖ ହୁଏ । ଦେଶ ଦେଶ ମଧ୍ୟରେ ସମ୍ପର୍କ, ଶକ୍ତି ଓ ଆତ୍ମବିଶ୍ୱାସ ଉପରେ ନିର୍ଭର କରେ । ମିତ୍ରଲାଭ କରିବାର ଶକ୍ତି ଥିବା ସଙ୍ଗେ ସଙ୍ଗେ ଶତ୍ରୁତା କରିବାର ମଧ୍ୟ ଶକ୍ତି ଥିବା ଆବଶ୍ୟକ । ଏହା ହିଁ ସବୁ ଦେଶର ବୈଦେଶିକ ନୀତିର ମୂଳଭିତ୍ତି । ଦରଖାସ୍ତ ଲେଖିବା ବା ପ୍ରତିବାଦ ଜ୍ଞାପନ କରିବାର ନୀତି ଦେଶ ପକ୍ଷରେ ହାନିକାରକ । ଏଥିରେ ଆତ୍ମବିଶ୍ୱାସ କମିଯାଉଛି ଓ ନିଜର ଦୁର୍ବଳତା ବୃଦ୍ଧି ପାଉଛି ।

 

ଭାରତ ପାକିସ୍ତାନ ସହିତ କଥାବାର୍ତ୍ତା କରି ବିବାଦ ତୁଟେଇ ଦେବାର ଶକ୍ତି ସଂଗ୍ରହ କରୁ-। ସେହିପରି ଚୀନ ସହିତ ଯୁଦ୍ଧ କରି ହେଉ ବା କଥାବାର୍ତ୍ତା କରି ହେଉ ବିବାଦ ତୁଟେଇ ଦେବାର ଶକ୍ତି ସଂଗ୍ରହ କରୁ । ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସଂଗ୍ରହ ଓ ନିର୍ମାଣ କରି ଭାରତର ପ୍ରତିବେଶୀମାନେ ଶକ୍ତି ସଂଗ୍ରହ କରୁଥିବାବେଳେ, ଅନ୍ୟ ଦେଶର ସାହଚର୍ଯ୍ୟରେ କେତୋଟି ଅର୍ଡ଼ାନ୍‌ସ ଫେକ୍‌ଟରି ଚଳାଇ ନିଜ ଲୋକଙ୍କ ଭିତରେ ବାହାଦୂରୀ ଦେଖାଇବାର କିଛି ଅର୍ଥ ନାହିଁ । ନିଜର ଶକ୍ତି ଉପରେ ବିଶ୍ୱାସ ଥିଲେ କାର୍ଯ୍ୟସିଦ୍ଧି ପାଇଁ ଅନ୍ୟଠାରେ ମୁଣ୍ଡ ନୁଆଁଇବାକୁ ମଧ୍ୟ ସାହସ ଅର୍ଜ୍ଜନ କରିବାକୁ ହେବ । ଏକ ବିଶାଳ ସ୍ୱାଧୀନ ଦେଶ ହିସାବରେ ମୁଣ୍ଡ ଟେକି ରହିବାପାଇଁ ଯୋଗ୍ୟତା ଅର୍ଜ୍ଜନ କରିବାକୁ ହେବ । ତା’ ନ ହୋଇ ଯଦି କେବଳ ନିଜ ଦେଶରେ ନିଜ ଲୋକକୁ ଲମ୍ବା ଚୌଡ଼ା କଥା କହି କେବଳ ଭୋଟସର୍ବସ୍ୱ ପ୍ରଚଳନ କରାଯାଏ, ତେବେ ଭବିଷ୍ୟତ କେବେ କ୍ଷମା ଦେବନାହିଁ-। ଏହା ମଧ୍ୟ ସମ୍ଭାବନାର ବହିର୍ଭୂତ ନୁହେଁ ଯେ ନିଜର ଦୁର୍ବଳତା ଯୋଗୁଁ ପ୍ରତିବେଶୀ ସହିତ ବିବାଦରେ ନପାରି ତୃତୀୟ ପକ୍ଷର ଆଶ୍ରୟ ନେଇ ଶେଷରେ ସ୍ୱାଧୀନତା ମଧ୍ୟ କ୍ଷୁଣ୍ଣ ହୋଇଯିବ-। ଆଜିର ନେତୃତ୍ୱଠାରୁ ଶକ୍ତି ସଂଗ୍ରହର ଆଶା କରିବା ବୃଥା । ନୂତନ ନେତୃତ୍ୱକୁ ଅପେକ୍ଷା କରିବାକୁ ହେବ-

Image

 

୨୩-୬-୬୮

ରବିବାର

 

ରୋଗରେ ଲଙ୍ଘନ ମଧ୍ୟ ପଥ୍ୟ

 

ଆୟୁର୍ବେଦରେ ରୋଗ ଚିକିତ୍ସା ପାଇଁ ଲଂଘନ ବା ଉପବାସକୁ ଅତି ଦରକାରୀ ବୋଲି ବିଚାର କରାଯାଏ । ସେହିପରି ରାଜନୀତି କ୍ଷେତ୍ରରେ ଭାରତର ଗଣତନ୍ତ୍ରରେ ରାଷ୍ଟ୍ରପତି ଶାସନ ରାଜନୈତିକ ପରିସ୍ଥିତିକୁ ସୁଧାରିବାପାଇଁ ଯେ ନିତାନ୍ତ ଆବଶ୍ୟକ, ତାହା ପ୍ରମାଣିତ ହୋଇସାରିଲାଣି-। ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଶାସନକୁ ସାଧାରଣ ଲୋକେ ଏପରି ହୃଦୟର ସହିତ ସ୍ୱାଗତ କରିବେ ବୋଲି କଳ୍ପନା କରାଯାଇନଥିଲା । ଯେତେ ଶୀଘ୍ର ସମ୍ଭବ ନିର୍ବାଚନ ହୋଇଯାଉ; କାରଣ ଗଭର୍ଣ୍ଣରଙ୍କ ଏକଛତ୍ର ଶାସନ ଅସହ୍ୟ ହେଉଛି, ଏକଥା କଂଗ୍ରେସ ମଧ୍ୟ କହିବାକୁ ସାହସ କରୁନାହିଁ-। ଯେଉଁଠି ସଭା, ଶୋଭାଯାତ୍ରା, ହରତାଳ, ଧର୍ମଘଟ, ଘେରାଉ ଏକ ଦୈନନ୍ଦିନ ଜୀବନ ହୋଇଯାଇଥିଲା, ସେଠି ଆଜି କିଛି ନାହିଁ । ସବୁ ସୁରୁଖୁରୁରେ ଚାଲିଛି । ରାଜନୈତିକ ବଦ୍‍ହଜମି ଯୋଗୁ ଯେ ନାନାପ୍ରକାର ରୋଗ ସମାଜରେ ବ୍ୟାପିଥିଲା, ତାହା ରାଷ୍ଟ୍ରପତି ଶାସନ ଫଳରେ ଯେଉଁ ରାଜନୈତିକ ଲଂଘନ ହେଲା, ସେଥିରେ ସୁଧୁରିଗଲା । ସେହିପରି ଉତ୍ତର ପ୍ରଦେଶରେ-। ଜବାହରଲାଲଙ୍କ ପ୍ରଦେଶ ଯେ ରାଜନୀତି କ୍ଷେତ୍ରରେ ସର୍ବୋଚ୍ଚ ସ୍ଥାନ ବହୁ ବର୍ଷ ହେଲା ଅଧିକାର କରିଥିଲା, ସେଠି ଏପରି ବ୍ୟାଧି ପ୍ରବେଶ କଲା ଯେ ଲଂଘନ ପଥ୍ୟ ଛଡ଼ା ଆଉ କିଛି ଉପାୟ ଦିଶିଲା ନାହିଁ । ସେଠି ମଧ୍ୟ ଲଂଘନରେ ଅସ୍ଥିର ହୋଇ ଶୀଘ୍ର କିଛି ଖାଇବାକୁ କେହି କହୁନାହାନ୍ତି । ଏଥିରୁ ବୁଝାଯିବ ଯେ ରାଜନୈତିକ ବଦ୍‍ହଜମି ବର୍ତ୍ତମାନ ସୁଦ୍ଧା ସଂପୂର୍ଣ୍ଣ ସୁଧୁରିନାହିଁ । ଅନ୍ୟ କୌଣସି ଦେଶରେ ଗଣତନ୍ତ୍ର ପଦ୍ଧତିରେ ଏପ୍ରକାର ରାଷ୍ଟ୍ରପତି ଶାସନର ବ୍ୟବସ୍ଥା ନାହିଁ; କିନ୍ତୁ ଭାରତରେ ଅଛି ଓ ଏହା ନିତାନ୍ତ ଦରକାର ବୋଲି ପ୍ରମାଣିତ ହେଲାଣି । ନୂଆ ହୋଇ ସ୍ୱାଧୀନ ହୋଇଥିବା ଆଫ୍ରିକାର ଦେଶମାନଙ୍କରେ ଏ ବ୍ୟବସ୍ଥା ନ ଥିବାରୁ ସିଭିଲ ସର୍ଭିସ୍‌, ପୋଲିସ ଓ ସୈନ୍ୟ ବିଭାଗ ମିଶିଯାଇ ଶାସନ ବିଧାନକୁ ରଦ୍ଦ କରିଦେଇ ଏକଛତ୍ର ଶାସନ କେତୋଟି ଦେଶରେ ସ୍ଥାପନ କରିଦେଇଛନ୍ତି । ଭାରତରେ ଯଦି ରାଷ୍ଟ୍ରପତି ଶାସନର ବ୍ୟବସ୍ଥା ନ ଥାନ୍ତା, ତେବେ ଏଠି ମଧ୍ୟ ସେହିପରି ସିଭିଲ ସର୍ଭିସ୍‌, ପୋଲିସ ଓ ଆର୍ମି ମିଶିଯାଇ ଶାସନ ବିଧାନକୁ ରଦ୍ଦ କରି ଦେବାର ଚିନ୍ତା କରନ୍ତେ ଓ ଲୋକେ ମଧ୍ୟ ତାହା ହିଁ ଇଚ୍ଛା କରୁଥାନ୍ତେ ।

 

ଏପରି ଅନୁମାନ କରିବାର କାରଣ ଏହି । ଲୋକେ ଭୋଟ ଦେଇଛନ୍ତି ପ୍ରତିନିଧିମାନେ ଏକତ୍ର ବସି ବିଚାର ଆଲୋଚନା କରି ବ୍ୟବସ୍ଥା କରିବାପାଇଁ । ଦୀର୍ଘକାଳ କୌଣସି ଦଳ ଶାସନ ଭାରରେ ରହି ଜନମତ ପ୍ରତି ଉଦାସୀନ ହୋଇ ନ ଯାଉ ସେଥିପାଇଁ ପାଞ୍ଚବର୍ଷକୁ ପାଞ୍ଚ ବର୍ଷ ନିର୍ବାଚନର ବିଧି ଅଛି । ଏସବୁ ବ୍ୟବସ୍ଥା ମଧ୍ୟ ଯଦି ବ୍ୟବସ୍ଥାସଭାର ଅଧିବେଶନକୁ ଏକ ସାଧାରଣସଭା ମନେ କରି ନିଜ ନିଜ ଦଳର ଲୋକଙ୍କୁ ଆଣି ଦଳର ପ୍ରାଧାନ୍ୟ ପ୍ରତିପାଦନ କରିବାର ଚେଷ୍ଟା କରାଯାଏ, ତେବେ ବ୍ୟବସ୍ଥା ସଭାର କୌଣସି ଆବଶ୍ୟକତା ନାହିଁ । ସରକାରୀ କର୍ମଚାରୀମାନେ ବ୍ୟବସ୍ଥା ସଭାକୁ ସର୍ବମାନ୍ୟ ମନେ କରିବେ ଯଦି ସେ ଅନୁଷ୍ଠାନ ଦାୟିତ୍ୱପୂର୍ଣ୍ଣ ଭାବରେ କାର୍ଯ୍ୟ ତୁଲାଏ । ଯଦି ଭିତରେ ଗାଳି ଦିଆଦେଇ ଓ ବାହାରେ ବିକ୍ଷୋଭ ପ୍ରଦର୍ଶନ ପାଇଁ ବହୁ ଅର୍ଥ ବ୍ୟୟକରି ଲୋକ ଏକତ୍ର କରିବା ଚାଲେ, ତେବେ ବ୍ୟବସ୍ଥାସଭାକୁ ମାନିବ କିଏ ? ମନ୍ତ୍ରୀଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ ସପକ୍ଷରେ ଯୁକ୍ତି ଅଛି; କିନ୍ତୁ ବ୍ୟବସ୍ଥାସଭା ଆଗରେ ବିକ୍ଷୋଭ ପ୍ରଦର୍ଶନ ପାଇଁ କୌଣସି ଯୁକ୍ତି ନାହିଁ । ଧରନ୍ତୁ ଏପରି ହେଲା ଯେ ବିରୋଧୀ ଦଳମାନେ ଲୋକ ଆଣି ରୁଣ୍ଡ କରାଇଛନ୍ତି । ସରକାରୀ ଦଳ ମଧ୍ୟ ଲୋକ ଆଣି ରୁଣ୍ଡ କରାଇଲେ । ତାହାହେଲେ କଅଣ ଦୁଇ ପକ୍ଷର ବିଚାର ହେବ ମାଡ଼ପିଟାପିଟି, ମୁଣ୍ଡ ଫଟାଫଟିରେ ? ଯଦି ତାହା ହୁଏ, ତେବେ ବ୍ୟବସ୍ଥାସଭାର ଆବଶ୍ୟକତା କିଛି ନାହିଁ । ସରକାରୀ ଦଳ ଯେ ଲୋକ ରୁଣ୍ଡ କରିପାରିବେ ନାହିଁ ତାହା ନୁହେଁ । ଯେ କୌଣସି ସାଧାରଣ ସଭାରେ ଏହାର ପରୀକ୍ଷା କରାଯାଇ ପାରେ; କିନ୍ତୁ ବ୍ୟବସ୍ଥାସଭାକୁ ଯେପରି ଗୁରୁତ୍ୱ ଦେବାର କଥା ତାହା ଯଦି ନହୁଏ, ତେବେ ରାଜନୈତିକ ବଦ୍‍ହଜମି ଆରମ୍ଭ ହେଲାଣି ବୋଲି ମନେ କରିବାକୁ ହେବ । ତାହାର ପ୍ରମାଣିତ ଔଷଧ ହେଉଛି ରାଷ୍ଟ୍ରପତି ଶାସନ । ରାଷ୍ଟ୍ରପତି ଶାସନର ଅର୍ଥ ହେଉଛି ସରକାରୀ କର୍ମଚାରୀମାନେ ନିଜର ବୁଦ୍ଧି ବିବେକ ଅନୁସାରେ ଶାସନ କାର୍ଯ୍ୟ ପରିଚାଳନା କରିବେ । ସରକାରୀ କର୍ମଚାରୀମାନେ ଉଚ୍ଚ ଶିକ୍ଷିତ ଯୁବକ ଓ ଅନେକ ସେହିପରି ଦେଶପ୍ରେମୀ ଯେପରି ରାଜନୈତିକ ଦଳର ନେତାମାନେ । ଏଣୁ ରାଷ୍ଟ୍ରପତି ଶାସନ ହେଲେ କିଛି କୁଆଡ଼େ କ୍ଷତି ଘଟିବ, ତାହା ନୁହେଁ । ରାଜନୈତିକ ଅନୁଷ୍ଠାନମାନଙ୍କରେ ରାଜନୈତିକ ଦଳମାନଙ୍କର ଯଦି ବିଶ୍ୱାସ ଓ ସମ୍ମାନ ନରହେ, ତେବେ ରାଜନୈତିକ ଦଳମାନଙ୍କର ବ୍ୟାଧିର ଚିକିତ୍ସା ପାଇଁ ଲଂଘନ ଆବଶ୍ୟକ । ଲୋକେ ଏସବୁ ବିଷୟ ସବୁ ଦିଗରୁ ବିଚାର କରନ୍ତୁ । ଯାହା ସାଧାରଣ ଭାବରେ ଜନମତ ହେବ, ତାହା ହିଁ ଶେଷରେ ସମସ୍ତଙ୍କଦ୍ୱାରା ଗୃହୀତ ହେବ । ଏ ଆଲୋଚନାର ଉଦ୍ଦେଶ୍ୟ ଏହି ଯେ ଲୋକ ଜାଣନ୍ତୁ କିପରି ଓ କାହିଁକି ଗଣତାନ୍ତ୍ରିକ ପଦ୍ଧତି ବାଧାପାଉଛି ଓ କ୍ରମେ ରାଜନୀତି ପ୍ରତି ସାଧାରଣ ବିତୃଷ୍ଣା ଜାତହେଉଛି ।

Image

 

୨୩-୮-୬୮

ଶୁକ୍ରବାର

 

ସାଧୁ ସାବଧାନ

 

କଥାବାର୍ତ୍ତାରେ ମିଳାମିଶା ହୋଇଗଲା ବୋଲି କହି ହଠାତ୍‌ ଚାରିଆଡ଼େ ଘେରାଉ କରି ଯେପରି ଭାବରେ ରୁଷିଆ ଚେକୋସ୍ଲୋଭାକିଆ ଦେଶକୁ ଦଖଲ କରିନେଇଛି, ସେଥିରେ ଚାରିଆଡ଼େ ଲୋକେ ବିସ୍ମୟରେ ଅବାକ ହୋଇ ଯାଇଛନ୍ତି । ଆଜି ପୃଥିବୀରେ ରୁଷିଆ ଏକ ନେତୃ ସ୍ଥାନୀୟ ଦେଶ । ଅନ୍ୟର ବିବାଦରେ ରୁଷିଆ ପରି ଦେଶ ମଧ୍ୟସ୍ଥତା କରୁଥିଲା ଓ କରିବାର କଥା ମଧ୍ୟ; କିନ୍ତୁ ସେପରି ଦେଶ ଯଦି ନିଜେ ଅନ୍ୟ ଦେଶକୁ ଜବରଦସ୍ତି ଦଖଲ କରିଯାଏ, ତେବେ ପୃଥିବୀରେ ଶାନ୍ତି କେଉଁଠି । ମନୁଷ୍ୟ ମନୁଷ୍ୟ ମଧ୍ୟରେ ବା ଦେଶ ଦେଶ ମଧ୍ୟରେ ଶାନ୍ତିରେ ରହିବାପାଇଁ ଯେଉଁ ଅବସ୍ଥା ଆବଶ୍ୟକ ତାହା ଧୂଳିସାତ ହୋଇଗଲା । ଏହିପରି ପୂର୍ବେ ଥରେ ରୁଷିଆ ହଙ୍ଗେରି ପ୍ରତି ବ୍ୟବହାର କରିଥିଲା । ମନେ କରାଯାଉଥିଲା, କ୍ରମେ ରୁଷିଆରେ ସହନଶୀଳତାର ଭାବ ବିକାଶ ଲାଭ କରୁଛି; କିନ୍ତୁ ବାସ୍ତବରେ ତାହା ହୋଇନାହିଁ । କେବେ ହେବ ସେ ବିଷୟରେ ମଧ୍ୟ ସନ୍ଦେହଜାତ ହେଲାଣି । ଯେଉଁମାନଙ୍କ ହାତରେ ଶକ୍ତି ଅଛି, ସେମାନେ ଯଦି ସହନଶୀଳ ନ ହୁଅନ୍ତି, ତେବେ ଦୁର୍ବଳର ସ୍ଥାନ ଏ ଜଗତରେ ନାହିଁ ବୋଲି ଧରିନେବାକୁ ହେବ । ବର୍ତ୍ତମାନ ରୁଷିଆର ଆଚରଣରେ ପ୍ରମାଣିତ ହେଲା ଯେ ସହନଶୀଳତାର ଭାବ ନେତୃସ୍ଥାନୀୟ ଦେଶମାନଙ୍କ ଭିତରେ ମଧ୍ୟ ନାହିଁ । ଏପରି ଅବସ୍ଥାରେ ଭାରତ ତା’ର ନିଜର ସ୍ଥିତିକୁ ବିଚାରକରି ପ୍ରସ୍ତୁତ ହେବାକୁ ହେବ । ଅନ୍ୟ ଦେଶମାନଙ୍କର ଆଚରଣ ସମ୍ବନ୍ଧରେ ମତବ୍ୟକ୍ତ କରିବା ଭାରତର ଅଭ୍ୟାସ; କିନ୍ତୁ ଅନ୍ୟ ଦେଶମାନେ ଯେପରି ଆଚରଣ କରୁଛନ୍ତି, ସେଥିରେ ନିଜେ କିପରି ମୁଣ୍ଡ ଟେକି ରହିବାକୁ ହେବ, ସେ ବିଷୟରେ ଚିନ୍ତା ଖୁବ୍‌ କମ ହୋଇଥାଏ ।

 

ଭାରତର ଆଭ୍ୟନ୍ତରୀଣ ଅବସ୍ଥା ସନ୍ତୋଷଜନକ ନୁହେଁ । ଗଣତନ୍ତ୍ରର ପୋଷାକ ଉପରେ ଅଛି; କିନ୍ତୁ ଭିତରେ ଗଣତନ୍ତ୍ରର ସହନଶୀଳତା ଓ ଶୃଙ୍ଖଳାର ଏକାନ୍ତ ଅଭାବ । ଛୋଟ ଛୋଟ କଥାରେ ସେ ଅଭାବର ପ୍ରମାଣ ମିଳେ । ଶାସନର ନ୍ୟାୟ ବିଚାରରେ ଜନସାଧାରଣଙ୍କ ବିଶ୍ୱାସ ଜାତ କରାଇବାପାଇଁ ଯେପରି ଶାସନର ଭାରତରେ ଥିବା ଲୋକେ ଚଳିବା ଉଚିତ ତାର ବ୍ୟତିକ୍ରମ ଘଟୁଛି । ଓଡ଼ିଶା କଥା ବିଚାର କରାଯାଉ । ଏଠି ଗତ ନିର୍ବାଚନ ପୂର୍ବରୁ କଂଗ୍ରେସଦଳର ଶାସନ ଏପରି ଦଳଗତ ଭାବରେ ପରିଚାଳିତ ହେଲା ଯେ ଶାସନ ଓ ଦଳ ମଧ୍ୟରେ ପ୍ରଭେଦ ରହିଲାନାହିଁ । ସାଧାରଣ ଲୋକ ନ୍ୟାୟ ପାଇଲେ ନାହିଁ । ନିଜର କାମ କରାଇ ନେବାପାଇଁ ଲୋକେ ଶାସକଦଳର ଲୋକଙ୍କୁ ଯାଇ ଧରିଲେ । ଚାରିଆଡ଼େ ଦୁର୍ନୀତି ବ୍ୟାପିଗଲା । ସରକାରୀ କର୍ମଚାରୀମାନେ ନିଜର ଦାୟିତ୍ୱ ଉପଲବ୍‌ଧି କଲେନାହିଁ । ଦଳର ଲୋକଙ୍କୁ ସାହାଯ୍ୟ କରିବା ଓ ଦଳର ଲୋକଙ୍କ କଥାରେ କର୍ମଚାରୀଙ୍କ ନିଯୁକ୍ତି ବଦଳି ପ୍ରଭୃତିରେ ହସ୍ତକ୍ଷେପ କରିବା ଯେପରି ବିଗତ କଂଗ୍ରେସ ଦଳ କରିଥିଲା, ଏପରି ପୂର୍ବେ କେବେ ହୋଇ ନ ଥିଲା । ତଥାପି ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ହେଲା । କଂଗ୍ରେସର ପରାଜୟର କାରଣ ହେଉଚି, ଦଳର ଲୋକଙ୍କ କଥାରେ ଶାସନର ପରିଚାଳନା । ଆଇନ ଗଲା କୁଆଡ଼େ, ନ୍ୟାୟ ଗଲା କୁଆଡ଼େ, ଦଳର ଲୋକ ଆସି ମନ୍ତ୍ରୀଙ୍କ କାନରେ ଯାହା କହିଲେ, ସେହିପରି କାମ ହେଲା । ଏଇ ଥିଲା ଦୋଷ, ଯେଉଁ ହେତୁରୁ କଂଗ୍ରେସ ଲୋକଙ୍କଦ୍ୱାରା ପରିତ୍ୟକ୍ତ ହେଲା । ଆଜି ଯଦି ଶାସନରେ ଥିବା ଲୋକେ ସେହିପରି ଦଳର ଲୋକଙ୍କ କାନକୁହାରେ କର୍ମଚାରୀଙ୍କ ବଦଳି ଆଦେଶ କରାଇବା ବା ରହିତ କରାଇବା ବା ଦଳର ଲୋକଙ୍କ ଚରିତ୍ର ବିଚାର ନକରି ସେହିମାନଙ୍କ ଗହଣରେ ଶାସନ ଉପରେ ପ୍ରଭାବ ପକାଇବା ପୂର୍ବପରି ଚାଲେ, ତେବେ ଲୋକେ ତାହା ବରଦାସ୍ତ କରିବେ କିପରି ? ଏପରି ଯେ ବଡ଼ ଧରଣରେ ଆରମ୍ଭ ହେଲାଣି ତାହା ନୁହେଁ; କିନ୍ତୁ ଏପରି ହେବାର ସୂଚନା ମିଳିଲାଣି । ଦଳର ଲୋକ ବୋଇଲେ ଜିଲାରେ ସବ୍‌ଡ଼ିଭିଜନରେ ଏପରିକି ରାଜଧାନୀରେ ମଧ୍ୟ ଦଳେ ଟାଉଟର ବ୍ୟବସାୟ ଆରମ୍ଭ କଲେଣି । ଏମାନଙ୍କ ଯୋଗେ ଶାସନ ଅପ୍ରିୟ ହେବ, ଏତିରେ ସନ୍ଦେହ ନାହିଁ । ଏମାନେ ଅସାଧୁ ସରକାରୀ କର୍ମଚାରୀମାନଙ୍କ ଦ୍ୱାରା ବ୍ୟବହୃତ ହୋଇ ମନ୍ତ୍ରୀମାନଙ୍କୁ ମଧ୍ୟ ନିନ୍ଦିତ କରାଇବେ । ଏମାନଙ୍କ ପ୍ରତି ସାବଧାନ ରହିବା ଉଚିତ ।

 

ଆଭ୍ୟନ୍ତରୀଣ ଶାସନକୁ ନିର୍ମଳ ନ୍ୟାୟପରାୟଣ ଦୃଢ଼ କଲେ ଯାଇ ଭାରତ ନିଜର ଶକ୍ତି ପ୍ରତି ଦୃଷ୍ଟି ଦେଇପାରିବ । ଗଣତନ୍ତ୍ରରେ ସେହି ଅସୁବିଧା ରହିଛି । ଗଣତନ୍ତ୍ର ଶାସନରେ ବହୁ ଲୋକ ସଂଯତ ଶୃଙ୍ଖଳିତ ନ ହେଲେ ଶାସନ ପରିଚାଳନା ଦୃଢ଼ ହୋଇପାରିବ ନାହିଁ । ଏଣୁ ଚାରିଆଡ଼େ ଯେଉଁ ସବୁ ସୂଚନା ପ୍ରକାଶ ପାଇଲାଣି, ସେଥିରେ ସାଧ ସାବଧାନ ହେବା ଉଚିତ ।

Image

 

୨୬-୮-୬୮

ସୋମବାର

 

ଭାରତର ନୀତି ବିନା ନେତୃତ୍ୱ

 

ଭୁବନେଶ୍ୱର ନିକଟ ଏକ ଗ୍ରାମରେ ଆଜି ସନ୍ଧ୍ୟାରେ ଏକ ସଭା ହେବାର ଅଛି । ଏ ଗ୍ରାମର ହାଡ଼ି ଜାତିର ହରିଜନମାନେ ମଲା ଗୋରୁ ଉଠାଇ ନେବାକୁ ରାଜି ହେଉ ନ ଥିବାରୁ ସୁବର୍ଣ୍ଣ ଜାତିର ଲୋକେ ସେମାନଙ୍କୁ ସେହି କାମ କରିବାକୁ ବାଧ୍ୟ କରୁଛନ୍ତି ବୋଲି ଅଭିଯୋଗ । ଜାତି ହିସାବରେ ସମାଜର ସବୁ କାମ ଯେତେବେଳେ ଚାଲିଥିଲା, ସେତେବେଳେ କାହାରି ଘରେ ଗୋରୁ ମରିଗଲେ, ହାଡ଼ିମାନେ ତାକୁ ଉଠାଇ ନେଉଥିଲେ । ସେଥିରୁ ଚମଡ଼ା କାଟି କିଛି ଲାଭ ମଧ୍ୟ ନିଜେ କରୁଥିଲେ । ଗୋରୁର ମାଲିକଙ୍କୁ ମଧ୍ୟ କିଛି ସେ ଲାଭାଂଶରୁ ଦେଉଥିଲେ; କିନ୍ତୁ ଏ କାମଟାକୁ ଛୋଟ କାମ ମନେ କରିବାରୁ ହାଡ଼ିମାନେ ସଭାକରି ସ୍ଥିରକଲେ ଯେ ଆଉ ସେମାନେ ମଲା ଗୋରୁ ଉଠାଇବେ ନାହିଁ । ସବର୍ଣ୍ଣମାନେ ମଧ୍ୟ ଏ ଛୋଟ କାମ କରିବାକୁ ପ୍ରସ୍ତୁତ ନୁହନ୍ତି । ଏଣୁ ସେମାନଙ୍କ ସଂଖ୍ୟାଧିକ ଥିବାରୁ ସେମାନେ ହରିଜନମାନଙ୍କ ଉପରେ ନାନା ପ୍ରକାର ଜୁଲମ ଚଳାଇଛନ୍ତି । ମନ ଅନୁସାରେ ଯେ ଯାହାର କାମ କରିବେ, କେହି କାହାରି ଉପରେ ଜୁଲମ କରିବେ ନାହିଁ, ଜୁଲମ କରିବା ଅନ୍ୟାୟ ଏ କଥା ସମସ୍ତଙ୍କୁ ବୁଝାଇବାର କଥା, କିନ୍ତୁ ଏ କଥା ବୁଝାଇବ କିଏ ? ଆଜି ତ ସମସ୍ତେ ଚତୁର ହେଲେଣି, ପାଠଶାଠ ପଢ଼ି ଦେଶ ବିଦେଶର ଖବର ରଖିଲେଣି । ସାରା ଦୁନିଆରେ ଯଦି କୌଣସି ନୀତି ବା କାର୍ଯ୍ୟକ୍ରମ ଧାର୍ଯ୍ୟ କରିବାପାଇଁ ବଳ ପ୍ରୟୋଗକୁ ହିଁ ଏକ ପନ୍ଥା ବୋଲି ଗ୍ରହଣ କରାଯାଏ, ତେବେ ହରିଜନମାନଙ୍କ ଉପରେ ସବର୍ଣ୍ଣ ଜାତିର ଲୋକଙ୍କ ଜୁଲମକୁ ଦୃଢ଼ତାର ସହିତ ନିନ୍ଦା କରିବ ବା କିଏ ? ସାଧାରଣ ଗ୍ରାମର କଥାଟି ବୋଲି ଏଥିରେ ନିହିତ ଥିବା ନୀତିଟିକୁ ଉଡ଼ାଇ ଦେଇ ହେବନାହିଁ । ଯେ ଯାହାର ମତରେ ଚାଲନ୍ତୁ ପଛକେ, କେହି କାହାରି ଉପରେ ବଳ ପ୍ରୟୋଗ କରିବେ ନାହିଁ, ଏହି ନୀତିଟିକୁ ‘ସହାବସ୍ଥାନ’ ନୀତି ବୋଲି ଘୋଷଣା କରାଯାଇ ଏହାକୁ ପଞ୍ଚଶୀଳନୀତି ନାମରେ ଏକ ସମୟରେ ପ୍ରଚାର କରାଯାଇଥିଲା । ସାମ୍ରାଜ୍ୟବାଦୀ ଦେଶ ଅନ୍ୟ ଦେଶକୁ ଆକ୍ରମଣ କରନ୍ତି ସିନା ସମାଜବାଦୀ ଦେଶ ଅନ୍ୟ ଦେଶ କେବେ ଆକ୍ରମଣ କରିବେ ନାହିଁ ବୋଲି ଦୃଢ଼ ବିଶ୍ୱାସ ମଧ୍ୟ ଏକ ସମୟରେ ଥିଲା । ଚୀନର ଭାରତ ଆକ୍ରମଣ ଫଳରେ ‘ପଞ୍ଚଶୀଳ’ ନୀତି କୁଆଡ଼େ ଗଲା ଓ ସମାଜବାଦୀ ଦେଶ ସମ୍ବନ୍ଧରେ ଥିବା ବିଶ୍ୱାସ ମଧ୍ୟ ତୁଟିଗଲା; କିନ୍ତୁ ଚୀନର ସମାଜବାଦ ଜାତୀୟତାବାଦ ସହିତ ମିଶି ଖିଚୁଡ଼ି ହୋଇଯାଇଛି ବୋଲି ରୁଷିଆ ପକ୍ଷରୁ ବହୁ ପାଣ୍ଡିତ୍ୟପୂର୍ଣ୍ଣ ଲେଖା ମଧ୍ୟ ପ୍ରକାଶ ପାଇଲା; କିନ୍ତୁ ରୁଷିଆ ନିଜେ ଚେକୋସ୍ଲୋଭାକିଆରେ ଯେପରି ବଳ ପ୍ରୟୋଗ କଲା, ସେଥିରେ ସମାଜବାଦ ସମ୍ବନ୍ଧରେ ଗଢ଼ି ଉଠିଥିବା ବିଶ୍ୱାସ ଧୂଳିସାତ୍‌ ହୋଇଗଲା । ରୁଷିଆ ତ ଲୋକପ୍ରତିନିଧିତ୍ୱରେ ବିଶ୍ୱାସ କରେନାହିଁ । ସେଠି କୌଣସି ବିଷୟରେ ଏକାଧିକ ମତ ତିଷ୍ଠିବାର ନିୟମ ନାହିଁ; କିନ୍ତୁ ଭାରତ ଘୋଷଣା କରେ ଯେ ସେ ଏକ ଗଣତାନ୍ତ୍ରିକ ଦେଶ । ସେଠି ବ୍ୟକ୍ତିଗତ ବିଶ୍ୱାସ ଓ ତଦନୁସାରେ କାର୍ଯ୍ୟ କରିବାର ଅଧିକାର ସ୍ୱୀକାର କରାଯାଇଛି । ଅବଶ୍ୟ ସେ ଅଧିକାର ସମାଜବିରୋଧୀ ହେବନାହିଁ ବୋଲି ତାର ସୀମା ଧାର୍ଯ୍ୟ ହୋଇଛି । ଏହି ନୀତି ଭାରତର ଅସ୍ତିତ୍ୱ ପାଇଁ ନିତାନ୍ତ ଆବଶ୍ୟକ । ଏହା ଗାନ୍ଧିଜୀ ତାଙ୍କ ଅହିଂସାର ବ୍ୟାଖ୍ୟାରେ ବାରମ୍ବାର କହିଛନ୍ତି । ଭାରତୀୟ ସମାଜରେ ଏକ ଶ୍ରେଣୀର ଲୋକଙ୍କ ଅନ୍ୟ ଶ୍ରେଣୀ ଲୋକଙ୍କ ଉପରେ ଜୁଲମ କରିବାର ଅଧିକାର ପରମ୍ପରା ଅଛି । ସେଥିପାଇଁ ଭାରତ ପରାଧୀନ ଓ ଅପଦସ୍ଥ ହୋଇଆସିଛି । ସହନଶୀଳତା ତେଣୁ ଭାରତର ଦୃଢ଼ ନୀତି ହେବା ଆବଶ୍ୟକ । ଏହି ନୀତି ଅନୁସାରେ ଭାରତୀୟ ସମାଜର ପୁନର୍ଗଠନ କରି ତଦନୁସାରେ ପୃଥିବୀରେ ସହନଶୀଳତା ଓ ଶାନ୍ତିର ବାର୍ତ୍ତା ପହୁଞ୍ଚାଇବାର ଉଚ୍ଚାଭିଳାଷ ମଧ୍ୟ ଭାରତର ଜନସେବୀମାନେ ପୋଷଣ କରିଆସିଛନ୍ତି; କିନ୍ତୁ ଜାତିସଂଘରେ ଯେତେବେଳେ ରୁଷିଆର କାର୍ଯ୍ୟକଳାପ ଆଲୋଚିତ ହେଲା, ସେତେବେଳେ କୌଣସି ପକ୍ଷରେ ମତ ନ ଦେଇ ଭାରତ ନୀରବ ରହିଲା । ପ୍ରଧାନମନ୍ତ୍ରୀ କହୁଛନ୍ତି ଯେ ରୁଷିଆର କାର୍ଯ୍ୟ ଦୁଃଖଜନକ; କିନ୍ତୁ ନିନ୍ଦନୀୟ ନୁହେଁ-। ଏପ୍ରକାର ଯୁକ୍ତି ଯେ କରିପାରନ୍ତି, ସେ ପରସ୍ପର ପ୍ରତି ଜୁଲମ କରୁଥିବା ସମାଜର ନେତୃତ୍ୱ ପାଇଁ ଉପଯୁକ୍ତ ବ୍ୟକ୍ତି କି ? ସହନଶୀଳତାରେ ବିଶ୍ୱାସ ରଖି ଗାନ୍ଧିଜୀ ହିଟ୍‌ଲର ବିରୋଧରେ ସଶସ୍ତ୍ର ଯୁଦ୍ଧ କରିବାକୁ ମଧ୍ୟ ନାପସନ୍ଦ କରିଥିଲେ । ତାଙ୍କ କଥା କେହି ଶୁଣନ୍ତୁ ନ ଶୁଣନ୍ତୁ ସେ ସହନଶୀଳତାର ଦୃଢ଼ଭୂମି ଉପରେ ଛିଡ଼ାହୋଇ ଦମ୍ଭର ସହିତ ସବୁ କହିପାରୁଥିଲେ । ଆଜି ଭାରତର ଦୃଢ଼ ନୀତି ସହନଶୀଳତା ପ୍ରତି ଭାରତର ନେତୃତ୍ୱ ଉଦାସୀନ । ଏପରି ସ୍ଥଳେ ତଳେ ସମାଜର ଅବସ୍ଥା କଅଣ ହେବ ? ଦେଶ ଦେଶ ଭିତରେ ସମ୍ପର୍କ ସମ୍ବନ୍ଧରେ ଏକ କଥା ଦିଲ୍ଲୀରେ କହି, ଗାଁ ଗହଳିରେ ବର୍ଣ୍ଣ ବର୍ଣ୍ଣ ମଧ୍ୟରେ ଅନ୍ୟ କଥା କହିଲେ, ସେ କଥାର ଜୋର ରହିବ କି ? କେବେ ହେଲେ ରହିବ ନାହିଁ-। ଦେଶ ଦେଶ ଭିତରେ ଯେପରି ଆଚରଣ ଓ ବ୍ୟବହାର ତାହା ଗଡ଼ି ଗଡ଼ି ଆସି ତଳେ ବ୍ୟକ୍ତି ବ୍ୟକ୍ତି ମଧ୍ୟରେ ଓ ଶ୍ରେଣୀ ଶ୍ରେଣୀ ମଧ୍ୟରେ ପାତ୍ର ଅନୁସାରେ ରୂପ ନେଉଛି-। ଭାରତୀୟ ସମାଜ ପକ୍ଷରେ ଏହା ଏକ ବିପଜ୍ଜନକ ପରିସ୍ଥିତି । ବର୍ତ୍ତମାନର ନେତୃତ୍ୱ ନୀତିହୀନ ହେଲେ ମଧ୍ୟ ଭାରତର ଜନତା ଗାନ୍ଧିଜୀଙ୍କ ଅହିଂସା ନୀତି ବା ସହନଶୀଳତାକୁ ଦୃଢ଼ ଭାବରେ ଧରି ରଖିବାକୁ ହେବ-। ଅନ୍ୟଥା ଏ ଦେଶ ଦୁର୍ବଳ ଓ ପୁଣି ଅପଦସ୍ଥ ହୋଇଯାଇପାରେ ।

 

ଆଜି ଜାତି ଜାତି ମଧ୍ୟରେ ଆଚରଣ ନିର୍ଣ୍ଣୟବେଳେ ଦେଶ ଦେଶ ଭିତରେ ଆଚରଣତାର ଯୁକ୍ତି ଚତୁର ଲୋକେ ବାଢ଼ୁଛନ୍ତି । ସେଥିପାଇଁ ଦୃଢ଼ଭାବରେ ମତ ପୋଷଣ କରିବାକୁ ହେବ ଯେ ବ୍ୟକ୍ତି ବ୍ୟକ୍ତି, ଶ୍ରେଣୀ ଶ୍ରେଣୀ ଓ ଦେଶ ଦେଶ ମଧ୍ୟରେ ବଳ ପ୍ରୟୋଗ ଏକ ସଭ୍ୟତା ବିରୋଧୀ ଓ ବର୍ବରୋଚିତ କାର୍ଯ୍ୟ । ତେଣୁ ଏହା ସର୍ବଥା ‘ନିନ୍ଦନୀୟ’ ଜାତି ହିସାବରେ କାମ ସମାଜରୁ ସବୁ ବର୍ଣ୍ଣରୁ ଉଠିଗଲାଣି । ଖାଲି ହାଡ଼ିପଲକୁ ନିର୍ଜୀବ ଓ ନିର୍ଦ୍ଧନ ପାଇ ତାଙ୍କରି ଉପରେ ବର୍ଣ୍ଣଗତ ବ୍ୟବସାୟକୁ ଚପାଇବା ଅନ୍ୟାୟ । ମଲା ଗୋରୁ ଉଠାଇବା ବ୍ରାହ୍ମଣ ବା ଖଣ୍ଡାୟତ ପକ୍ଷରେ ଯଦି ଛୋଟ କାମ, ହାଡ଼ି ପକ୍ଷରେ ମଧ୍ୟ ଏହା ଏକ ଛୋଟ କାମ । ଯାହାର ଯେପରି ରୁଚି ସେହିପରି ସେ କାମ କରୁ । ଦଳ ବାନ୍ଧି ସଂଖ୍ୟାର ସୁବିଧା ନେଇ ଅଳ୍ପସଂଖ୍ୟକ ଲୋକଙ୍କ ଉପରେ ଜୁଲମ କରିବା ଅତି ଅନ୍ୟାୟ । ଜୋର୍‌ ଯା’ର ମୁଲକ ତା’ର ଏହି ନୀତି ଯଦି ଧାର୍ଯ୍ୟ ହୋଇଯାଏ, ତେବେ ଭାରତର ସ୍ଥାନ ପୃଥିବୀରେ କାହିଁ ନାହିଁ । ଭାରତର ସ୍ଥାନ ନ ରହିଲେ ଭାରତବାସୀ କୌଣସି ବର୍ଣ୍ଣର ମଧ୍ୟ କେଉଁଠି ସ୍ଥାନ ନାହିଁ । ଏଣୁ ସହନଶୀଳତା ହିଁ ଗ୍ରାମଠାରୁ ଆରମ୍ଭ କରି ରାଜଧାନୀ ପର୍ଯ୍ୟନ୍ତ ସବୁଠି ଦୃଢ଼ ନୀତି ହେଉ । ଧର୍ମରେ ବିଶ୍ୱାସ ରଖି ଲୋକ ଯେପରି ନିର୍ଦ୍ଦିଷ୍ଟ ନିୟମରେ ଚଳେ, ସମାଜବାଦରେ ବିଶ୍ୱାସ କରି ଯେପରି ଜଣେ ନିର୍ଦ୍ଦିଷ୍ଟ ବାଟରେ ଯାଏ, ସହନଶୀଳତାରେ ବିଶ୍ୱାସ ରଖି ସେହିପରି ଜନତାକୁ ନିର୍ଦ୍ଦିଷ୍ଟ ଭାବରେ ଚଳିବାକୁ ହେବ । ଏହି ଚଳିବାରେ ଯାହା କିଛି ଦୁଃଖକଷ୍ଟ ବିପଦ ଆପଦ ସବୁର ସମ୍ମୁଖୀନ ହେବାକୁ ପ୍ରସ୍ତୁତ ହେବାକୁ ହେବ-

Image

 

୨୯-୮-୬୮

ଗୁରୁବାର

 

ଲୋକଙ୍କ ପ୍ରତି ନ୍ୟାୟ ହେଉ

 

ଯେଉଁଦିନୁଁ ଆମ ଦେଶରେ ଶ୍ରମଜୀବୀ ଆନ୍ଦୋଳନ ଆରମ୍ଭ ହେଲାଣି, ସେହିଦିନୁ ‘ଦଲାଲ’ ଶବ୍ଦର ପ୍ରୟୋଗ ଏକ ସାଧାରଣ କଥା ହୋଇଗଲାଣି । ଦଲାଲ ଶବ୍ଦର ଅର୍ଥ ହେଉଛି କୌଣସି ଜିନିଷକୁ ଲୋକଙ୍କ ଭିତରେ ବିକେଇବା ବାଲା । ଯେ କୌଣସି ଜିନିଷକୁ ବିକେଇବାକୁ ବାହାରିବ, ସେ ଜିନିଷ ଦୋଷ ଦେଖିବ ନାହିଁ ବରଂ ନାହିଁ ନଥିବା ଗୁଣ ସେ ଜିନିଷର ଅଛି ବୋଲି କହିବୁଲିବ । ଏହି ପ୍ରକାର ଅନ୍ଧାଧୂନ୍ଧା ପ୍ରଚାର ଫଳରେ ଦେଶର ଲୋକେ ସମସ୍ତ ବିଷୟ ଜାଣିପାରୁନାହାନ୍ତି, ଏଣୁ ସବୁ କଥାରେ ଭଲ ମନ୍ଦ ବିଚାର କରିପାରୁ ନାହାନ୍ତି । ଚାରି ଚାରିଟା ନିର୍ବାଚନ ପ୍ରମାଣ କରି ଦେଇ ସାରିଲାଣି ଯେ ଆମ ଦେଶର ସାଧାରଣ ଲୋକେ ଯଦି ସବୁ କଥା ଏପାଖ ସେପାଖ ଜାଣିବେ, ତେବେ ସେମାନେ ଭଲ ବିଚାର କରି ମତ ଦେଇ ପାରିବେ । ସବୁ କଥା ଜଣାଇବାର ଦାୟିତ୍ୱ ରାଜନୈତିକ ଦଳମାନଙ୍କର; କିନ୍ତୁ ନିଜେ ସବୁ କଥାରେ ବାହାଦୁରି ନେବା ପାଇଁ ଓ ନିଜ ଦୋଷ ଦୁର୍ବଳତାକୁ ଲୁଚାଇବା ପାଇଁ କୌଣସି ରାଜନୈତିକ ଦଳ କୌଣସି ବିଷୟର ସବୁ କଥାଯାକ ଲୋକଙ୍କ ପାଖରେ ପ୍ରକାଶ କରୁନାହାନ୍ତି । ଫଳରେ ନିଜ ନିଜ ଜ୍ଞାନର ସୀମା ଅନୁସାରେ ଲୋକେ ନିଜ ନିଜ ମତ ଗଠନକରି ଚାଲିଛନ୍ତି । ସାଧାରଣ ଲୋକର ମନରେ ଯେଉଁସବୁ ପ୍ରଶ୍ନ ଉଠୁଛି ସେ ସବୁର ଠିକ୍‌ ଠିକ୍‌ ଉତ୍ତର ନ ମିଳୁଥିବାରୁ ଲୋକେ ଆଉ କୌଣସି କଥାରେ ଗୁରୁତ୍ୱ ଦେଉ ନାହାନ୍ତି । ଏହାର କେତୋଟି ଉଦାହରଣ ଦେଉଛି । ଗାଁ ଗହଳରେ ସାଧାରଣ ଲୋକ ବିଶ୍ୱାସ କରନ୍ତି ଯେ ଗ୍ରାମଗୋଷ୍ଠୀ ଯୋଜନାପାଇଁ ଆମେରିକା କୋଟି କୋଟି ଟଙ୍କା ସାହାଯ୍ୟ ଦେଇଛି । ଏପରିକି ମୁଁ ନିଜେ ଶୁଣିଛି, ମୋତେ କହିଛନ୍ତି ଏହି ଆମେରିକା ଟଙ୍କା କଥା । ଟଙ୍କା ନାହିଁ, ଟଙ୍କା ନାହିଁ ଯେଉଁ ସରକାର କହୁଛି, ସେ ସରକାର ଏତେ ଟଙ୍କା କେଉଁଠୁ ଆଣି ଖର୍ଚ୍ଚ କରୁଛି ? ଏହି ହେଲା ପ୍ରଶ୍ନ । ବ୍ଲକ ଟଙ୍କା ଆମେରିକାର ହୋଇଥିବାରୁ ସେଥିରୁ ସେ ଯେତେ ମାରି ନେଇପାରେ । ଏହି ହେଲା ମନୋଭାବ । ସେହିପରି କେୟାର ନାମକ ସଂସ୍ଥା ଯେ ପିଲାମାନଙ୍କୁ ମଧ୍ୟାହ୍ନ ଭୋଜନ ଯୋଗାଉଛନ୍ତି । ଏ ସଂସ୍ଥା ମାଗିଯାଚି ଆଣି ନିଜେ କେତେ ଦେଉଛନ୍ତି ଓ ସରକାର କେତେ ଦେଉଛନ୍ତି ତାହା ଠିକ୍‌ ଠିକ୍‌ ଲୋକେ ନ ଜାଣି ପାରୁଥିବାରୁ ଏ ମଧ୍ୟ ସେହି ଆମେରିକା ଟଙ୍କା ନାଁରେ ଚାଲିଛି । ଏପରିକି ବେସରକାରୀ ରିଲିଫ ଅନୁଷ୍ଠାନ ସବୁ କେଉଁଠୁ କି ସାହାଯ୍ୟ ଆଣୁଛନ୍ତି, ସେ ସବୁର ପୂରା ଖବର ଲୋକେ ନଜାଣୁଥିବାରୁ ସେ ବି ସେହି ଆମେରିକା ନାଁରେ ଚାଲିଛି । ପର ଧନରେ କୀର୍ତ୍ତନ କରିବା କଥାଟା ସମସ୍ତେ ଜାଣନ୍ତି । ବାହାରୁ ଟଙ୍କା ଆସୁଛି, ଖର୍ଚ୍ଚ ହେଉଛି, ସେଥିରେ ଦାୟିତ୍ୱବୋଧ କାହାରି ହେଉନାହିଁ । ଏ ଦେଶକୁ ଟଙ୍କାପଇସା ବ୍ୟାପାରରେ ଦାୟିତ୍ୱଶୂନ୍ୟ କ୍ରମେ କରିନିଆହେଉଛି ।

 

ଅନ୍ୟ ଦିଗରେ ରାଜନୀତି । ସବୁ ଦଳ ତ ପୁଞ୍ଜିପତି, ଶିଳ୍ପପତିଠାରୁ ଆରମ୍ଭକରି ଗାଁର ବଡ଼ ଚାଷୀ ପର୍ଯ୍ୟନ୍ତ ସମସ୍ତଙ୍କୁ ନିର୍ଧୁମ୍‌ ଶୋଷୁଛନ୍ତି । ସେମାନଙ୍କୁ ନିର୍ମୂଳ କରିବା ସମସ୍ତଙ୍କର କାର୍ଯ୍ୟକ୍ରମ; ଅଥଚ ନିର୍ବାଚନରେ ଓ ଅନ୍ୟ ସମୟରେ ରାଜନୈତିକ ଦଳମାନେ ଏତେ ଟଙ୍କା କେଉଁଠୁ ଆଣୁଛନ୍ତି ? ଏ ସରଳ ପ୍ରଶ୍ନର ଉତ୍ତର କେହି ଦେଇନାହାନ୍ତି । ସରକାରରେ ଯେଉଁ ଦଳ ଅଛନ୍ତି, ସେମାନେ ଲାଞ୍ଚ ରିସ୍‌ପତ ନେଇଛନ୍ତ ବୋଲି ସ୍ୱାଭାବିକ ବିଶ୍ୱାସ ଓ କମ୍ୟୁନିଷ୍ଟ ଦଳ ପ୍ରଭୃତି ଯେଉଁମାନେ ଶାସନରେ ନାହାନ୍ତି, ସେମାନେ ରୁଷିଆ, ଚୀନ ପ୍ରଭୃତି ଦେଶରୁ ଟଙ୍କା ଆଣୁଛନ୍ତି ବୋଲି ବିଶ୍ୱାସ ହୋଇଯାଉଛି । ଇଣ୍ଡୋ-ସୋଭିଏଟ ସାଂସ୍କୃତିକ ଅନୁଷ୍ଠାନ ଶାଖାରେ ଇଣ୍ଡୋଆମେରିକାନ ସାଂସ୍କୃତିକ ଅନୁଷ୍ଠାନମାନଙ୍କର ପ୍ରତିଦ୍ୱନ୍ଦ୍ୱିତାରେ ସାଧାରଣ ଲୋକ ମଜା ଦେଖୁଛନ୍ତି । ଏଥିରୁ ନ ହେଲେ ସେଥିରୁ ଚାକିରି ମିଳିବାଠାରୁ ଆରମ୍ଭ କରି ଅନ୍ୟ ଲାଭ ଉଠାଇବା ପର୍ଯ୍ୟନ୍ତ ଫିକରରେ ସମସ୍ତେ ରହି ଯାଉଛନ୍ତି; ଅଥଚ ରାଜନୀତିକ୍ଷେତ୍ରରେ କୌଣସି ବିଶ୍ୱାସକୁ ଯୁକ୍ତି ସହ ଦୃଢ଼ ଭାବରେ ପୋଷଣ କରିବା ଓ ସେ ବିଶ୍ୱାସ ପାଇଁ ଜୀବନ ସୁଦ୍ଧା ଦେବାପାଇଁ ପ୍ରସ୍ତୁତ ହେବା ଏପ୍ରକାର ଚେତନା ଜନସାଧାରଣଙ୍କର କରାଇ ଦିଆ ହେଉନାହିଁ । ଏ ଦେଶରେ ଲୋକଙ୍କର ଓ ଲୋକେ ଯେପରି ହେବେ ସେହିପରି ରାଜ୍ୟ ଚାଲିବ । ଏ କେବଳ କଥାରେ ରହିଗଲାଣି; କାରଣ ଚାରିଆଡ଼େ କାର୍ଯ୍ୟ ଅନ୍ୟ ରକମର ।

 

ରୁଷିଆ ଚେକୋସ୍ଲୋଭାକିଆ ପ୍ରତି ବଳ ପ୍ରୟୋଗ କଲା । ପଞ୍ଚଶୀଳ ନୀତି ଅନୁସାରେ ଏହା ନିନ୍ଦନୀୟ । କାହିଁକି ଏ କ୍ଷେତ୍ରରେ ଅନ୍ୟ ମତପୋଷଣ କରାହେଉଛି ତା’ର ଖୋଲାଖୋଲି କୈଫିୟତ କେହି ଦେଉନାହାନ୍ତି । ଫଳରେ ସାଧାରଣ ଲୋକର ମନକୁ ଆସୁଛି ରୁଷିଆରୁ ଯେଉଁ ସାହାଯ୍ୟ ମିଳୁଥିଲା, ସେ ବନ୍ଦ ହୋଇଯିବ ବୋଲି ରୁଷିଆର ଦୋଷ ବୋଲି କୁହା ଯାଉନାହିଁ ।

 

ତାସକେଣ୍ଟ ଚୁକ୍ତି ପରେ ରେଭେନ୍‌ସା କଲେଜର ଏକ ଛାତ୍ରସଭାରେ ସେହି ବିଷୟରେ ମୋତେ କିଛି କହିବାପାଇଁ ନିମନ୍ତ୍ରଣ କରାହୋଇଥିଲା । ମୁଁ ସେ ଚୁକ୍ତିକୁ ବିଶ୍ଳେଷଣ କରି କହିଥିଲି ଯେ ସେ ଚୁକ୍ତିଦ୍ୱାରା କୌରସି ମୌଳିକ ସମସ୍ୟାର ସମାଧାନ ହୋଇନାହିଁ । ସେହି ସଭାରେ ଜଣେ ଉଚ୍ଚ ଶିକ୍ଷିତ ଛାତ୍ରନେତା କହିଥିଲେ, ସେ ଚୁକ୍ତି ଆମେରିକା ଓ ରୁଷିଆ ଉଭୟ ଦେଶରୁ ସାହାଯ୍ୟ ପାଇବା ପାଇଁ ହେଉଛି, ଏ କୌଶଳ; ଏଣୁ ତାହାହିଁ ସର୍ବୋକୃଷ୍ଟ ଚୁକ୍ତି । ଶିକ୍ଷିତ ଅଶିକ୍ଷିତ ସମସ୍ତଙ୍କର ବିଶ୍ୱାସ ଯେ କୌଣସି କଥା କହିଲେ, ଯେ କୌଣସି ପୋଷାକ ପିନ୍ଧି ବାହାରୁ ଭିକ୍ଷାକରି ସାହାଯ୍ୟ ଆଣିବା ହିଁ ନୀତି କାମରେ ଚାଲିଛି । ଏଥିରେ ଏ ଦେଶର ନୈତିକ ଦୃଢ଼ତା ଆସିବ କିପରି ? ଏ ଦେଶର ବିକାଶପାଇଁ ଯେଉଁ ଦୃଢ଼ ପ୍ରତିଜ୍ଞା ଓ ଆତ୍ମସମର୍ପଣ ଆବଶ୍ୟକ, ତାହା ଆସିବ କୁଆଡ଼ୁ ? ଲୋକଙ୍କୁ ଦୋଷ ଦେବା ଅନ୍ୟାୟ । ଲୋକଙ୍କ ପ୍ରତି ନ୍ୟାୟ କରାହେଉନାହିଁ । ଯାହାତ ଚାଲିଛି ଚାଲିଛି ଭବିଷ୍ୟତ ପ୍ରତି ଦୃଷ୍ଟି ରଖି ରୋକଠୋକ କଥା ସବୁ କହିବାକୁ ହେବ । ଲୋକଙ୍କ ବିଚାର ଉପରେ ନିର୍ଭର କରିବାକୁ ହେବ । ଲୋକଙ୍କ ପାଖରେ ସମସ୍ତ କାଗଜପତ୍ର ଦାଖଲ କରି ସେମାନଙ୍କ ରାୟକୁ ଗ୍ରହଣ କରିବାକୁ ହେବ । ତା’ ହେଲେ ଯାଇ ଲୋକଙ୍କ ପ୍ରତି ନ୍ୟାୟ କରାହେବ-

Image

 

୩୦-୮-୬୮

ଶୁକ୍ରବାର

 

Unknown

ପରୋପ ଦେଶେ ପାଣ୍ଡିତ୍ୟଂ

 

ଦେଶ ଦେଶ ମଧ୍ୟରେ ବନ୍ଧୁଭାବ, ଯେ ଦେଶରେ ଯେ କୌଣସି ମତବାଦ ଅନୁସାରେ ଶାସନ ଚାଲୁଥାଉ ପଛକେ, ସମସ୍ତଙ୍କ ପ୍ରତି ସହନଶୀଳତା, ଏହିସବୁ ଯେ ବଡ଼ ବଡ଼ କଥା ରୁଷିଆର ନେତାମାନେ କହିହେଉଥିଲେ, ସେସବୁ ପରୋପଦେଶେ ପାଣ୍ଡିତ୍ୟଂ ଆଜି ଧରା ପଡ଼ିଗଲାଣି । ଆମେରିକା ନିଜର ପ୍ରତିରକ୍ଷାପାଇଁ ଯେପରି କୋରିଆ, ଭିଏଟ୍‌ନାମ, ଫାର୍ମୋଜା ପ୍ରଭୃତି ଦକ୍ଷିଣ ପୂର୍ବ ଏସିଆ ଦେଶମାନଙ୍କରେ ପ୍ରଭାବ ବଜାୟ ରଖିବାକୁ ଚାହେଁ, ସେହିପରି ରୁଷିଆ ତାର ନିଜର ପ୍ରତିରକ୍ଷାପାଇଁ ୟୁରୋପରେ ପଶ୍ଚିମ ଜର୍ମାନୀର ପୂର୍ବସୀମାନ୍ତରେ ଥିବା ଦେଶମାନଙ୍କରେ ପ୍ରଭାବ ବଜାୟ ରଖିବାକୁ ଚାହେଁ, ଏଥିରେ ସନ୍ଦେହ ନାହିଁ । ଏ ସମ୍ପର୍କରେ ‘ପ୍ରତିରକ୍ଷା’ କହିଲେ କଅଣ ସେମାନେ ବୁଝନ୍ତି ଓ ପ୍ରଭାବ କହିଲେ କଅଣ ବୁଝାଏ, ତାହା ଭଲ କରି ବୁଝିବା ଉଚିତ । ସମୟ ଥିଲା ଯେତେବେଳେ ପ୍ରଚାର କରାଯାଉଥିଲା ଓ ସେ ପ୍ରଚାରରେ କିଛି ସାର ମଧ୍ୟ ଥିଲା ଯେ କମ୍ୟୁନିଷ୍ଟ ଦେଶମାନଙ୍କୁ ପୁଞ୍ଚିବାଦୀ ଦେଶମାନେ ଗ୍ରାସ କରିଯିବେ ବୋଲି ବସିଛନ୍ତି । ଏଣୁ କମ୍ୟୁନିଷ୍ଟ ଦେଶମାନଙ୍କ ଶକ୍ତିଶାଳୀ ନେତା ରୁଷିଆକୁ ସବୁ ପ୍ରକାରେ ମଜଭୁତ୍‌ ରଖିବାକୁ ହେବ । ଏହିପରି ପ୍ରଚାର ବହୁପୂର୍ବେ ଧର୍ମ ନାମରେ ମଧ୍ୟ ହେଉଥିଲା । ଖ୍ରୀଷ୍ଟଧର୍ମୀ ଦେଶ ଓ ଇସ୍‌ଲାମଧର୍ମୀ ଦେଶମାନଙ୍କ ଭିତରେ ଶହ ଶହ ବର୍ଷ ହଣାମରା ଚାଲିଥିଲା ଧର୍ମରକ୍ଷା ନାମରେ । ଶେଷରେ ଦୁଇ ଧର୍ମ ଏକ ସଙ୍ଗରେ ରହିଗଲେ । ସେହିପରି ପ୍ରଥମ ବିଶ୍ୱଯୁଦ୍ଧ ଶେଷହେବା ପରେ ୧୯୧୯ ସାଲରେ ଯେତେବେଳେ ରୁଷିଆରେ କମ୍ୟୁନିଷ୍ଟ ଶାସନ ପ୍ରତିଷ୍ଠିତ ହେଲା, ସେତେବେଳେ ଗଣତାନ୍ତ୍ରିକ ଦେଶମାନେ ରୁଷିଆକୁ ଜବଦ କରିଦେବାପାଇଁ ଚେଷ୍ଟା କରିଥିଲେ । ଗଣତାନ୍ତ୍ରିକ ଦେଶରେ ପୁଞ୍ଜିବାଦର ପ୍ରଭାବ କାର୍ଯ୍ୟକରେ ବୋଲି ସମାଜବାଦୀମାନେ ବିଶ୍ୱାସ କରନ୍ତି; କିନ୍ତୁ ଲେନିନଙ୍କ ସୁଚତୁର ଦୃଢ଼ ନେତୃତ୍ୱରେ ରୁଷିଆ ପରିଚାଳିତ ହୋଇ କ୍ରମେ ଏକ ଶକ୍ତିଶାଳୀ ଦେଶ ହେଲା । ଦ୍ୱିତୀୟ ମହାଯୁଦ୍ଧରେ ରୁଷିଆ ପୃଥିବୀରେ ଦୁଇଟି ଶକ୍ତିଶାଳୀ ଦେଶ ହେଲା । ଦ୍ୱିତୀୟ ମହାଯୁଦ୍ଧରେ ରୁଷିଆ ପୃଥିବୀରେ ଦୁଇଟି ଶକ୍ତିଶାଳୀ ଦେଶ ମଧ୍ୟରୁ ଗୋଟିଏ ହୋଇଗଲା; କିନ୍ତୁ ଭୟ ଦୁଇ ପକ୍ଷରେ ଥିଲା ଯେ କାଳେ ଗୋଟିଏ ଦେଶ ଅନ୍ୟ ଦେଶକୁ ପରାଭବ ଦେବ । କ୍ରମେ ସେ ଭୟ ଦୂର ହେଲା । ଦୁନିଆରେ ସବୁ ମତବାଦ ରହିବେ, କେହି କାହାରିକୁ ଉପାଡ଼ି ଫୋପାଡ଼ି ଦେଇ ପାରିବେନାହିଁ, ଏହି ନୀତି ଆପାତତଃ ସମସ୍ତେ ଗ୍ରହଣ କରି ନେଲେ । ଏହାପରେ ସମସ୍ତେ ନିଜ ନିଜ ଦେଶର ସମୂହ ସ୍ୱାର୍ଥ ଘେନି ରହିଲେ । ପ୍ରତିରକ୍ଷା କହିଲେ ଆଜି ବୁଝାଉଛି ନିଜ ଦେଶର ସମୂହ ସ୍ୱାର୍ଥ ରକ୍ଷାକରିବା । ଆମେରିକାର ସ୍ୱାର୍ଥ ହେଉଛି ଏକ ବିରାଟ ବଜାର ଯେଉଁଠି ସେ ଦେଶର ଉତ୍ପନ୍ନ ଦ୍ରବ୍ୟର ଅନ୍ତତଃ ଶତକରା ଛଅ ଭାଗ ବିକ୍ରି ହୋଇପାରିବ । ଏହି ଉଦ୍ଦେଶ୍ୟରେ ପୂର୍ବେ ରାଜ୍ୟ ଜୟ କରାହେଉଥିଲା । ବଜାର ପାଇବା ପାଇଁ ସାମ୍ରାଜ୍ୟର ସୃଷ୍ଟି ହେଲା । ଲାଗି ଲାଗି ଦୁଇଟା ବିଶ୍ୱଯୁଦ୍ଧରେ ସାମ୍ରାଜ୍ୟବାଦ ଲୋପ ପାଇଗଲା; କିନ୍ତୁ ଶିଳ୍ପପ୍ରଧାନ ଦେଶ ଓ କୃଷିପ୍ରଧାନ ଦେଶ ଏହିପରି ସ୍ୱାର୍ଥ ବିଭାଗ ଆଜି ହୋଇ ଯାଇଛି । ଶିଳ୍ପପ୍ରଧାନ ଦେଶ ଅପେକ୍ଷାକୃତ ଅଧିକ ଶକ୍ତିଶାଳୀ; କିନ୍ତୁ କୃଷିପ୍ରଧାନ ଦେଶ ଆବଶ୍ୟକ ଶିଳ୍ପରୁ ଉତ୍ପନ୍ନ ହେଉଥିବା ଜିନିଷ ବିକ୍ରିପାଇଁ । ସବୁଦେଶ ଶିଳ୍ପ ଓ କୃଷିରେ ସମାନ ଭାବରେ ବିକାଶ ଲାଭକରି ଗୋଟିଏ ଅନ୍ୟର ପରିପୂରକ ହେବାର ଯୋଜନା ଆନ୍ତର୍ଜାତିକ କ୍ଷେତ୍ରରେ ଥିଲେ, ଆଉ ପ୍ରତିରକ୍ଷାର ପ୍ରଶ୍ନ ଉଠନ୍ତାନାହିଁ; କିନ୍ତୁ ସେ ଯୋଜନା ହେବାପାଇଁ ଆହୁରି ହାଣମାରକାଟ ଓ ବିଶ୍ୱ ଯୁଦ୍ଧ ଆବଶ୍ୟକ ବୋଲି ଜଣାପଡ଼ୁଛି । ଇଉରୋପରେ ପଶ୍ଚିମ ଜର୍ମାନୀ ଶିଳ୍ପ କ୍ଷେତ୍ରରେ ଏପରି ଆଗେଇ ଚାଲିଛି ଯେ ସେ ଅଞ୍ଚଳରେ ତା’ର ପ୍ରତିଦ୍ୱିନ୍ଦ୍ୱୀ ସମସ୍ତେ ପରାଜିତ ହେଲେଣି । ରୁଷିଆ ମଧ୍ୟ କ୍ରମେ ଶିଳ୍ପପ୍ରଧାନ ଦେଶ ହେଲାଣି । ଇଉରୋପରେ କମ୍ୟୁନିଷ୍ଟ ମତବାଦୀ ଦେଶମାନଙ୍କରେ ଶିଳ୍ପ ବିସ୍ତାର କରି ନିଜ ନିଜ ବଜାର ଖୋଜିବାର ସ୍ୱାଧୀନତା ନାହିଁ ବୋଲି ସେଠାରେ ଘୋର ଅସନ୍ତୋଷ । ସେହି ଅସନ୍ତୋଷ ଫଳରେ ଯୁଗୋସ୍ଲୋଭିଆ ଅଲଗା ହୋଇଗଲା । ହଙ୍ଗେରୀକୁ ତ ବଳ ପ୍ରୟୋଗ କରି ଜବଦ କରି ନିଆଗଲା-। ପୋଲାଣ୍ଡରେ ମଧ୍ୟ ଅସନ୍ତୋଷ ମଝିରେ ମଝିରେ ପ୍ରକାଶ ପାଉଛି । ଚେକୋସ୍ଲୋଭାକିଆ ଏକ ଶିଳ୍ପ ପ୍ରଧାନ ଦେଶ ଥିଲା । ଆଉ ସେ ଆହୁରି ଆଗେଉଛି । ଏଇଠି ଦେଶ ଦେଶ ମଧ୍ୟରେ ସ୍ୱାର୍ଥର ସଂଘର୍ଷ । ଚୀନ ଓ ଭାରତ ମଧ୍ୟରେ ସଂଘର୍ଷର ମୂଳ ହେତୁ ସେହି ଦୁଇ ଦେଶର ପରସ୍ପର ବିରୋଧୀ ସମୂହ ସ୍ୱାର୍ଥ । ଇଂଲଣ୍ଡ, ଫ୍ରାନ୍‌ସ, ହଲାଣ୍ଡ ପ୍ରଭୃତି ଶିଳ୍ପପ୍ରଧାନ ଦେଶମାନ ଦକ୍ଷିଣ ପୂର୍ବ ଏସିଆରୁ ହଟିଗଲା ପରେ ଏ ବିଶାଳ ଅଞ୍ଚଳରେ କିଏ ନେବ ସେମାନଙ୍କ ସ୍ଥାନ । ଚୀନ ଶିଳ୍ପପ୍ରଧାନ ହେଲେ ଚୀନ ନେବ ନଚେତ ଭାରତ ଶିଳ୍ପପ୍ରଧାନ ହେଲେ ଭାରତ । ଦୁଇ ଦେଶର ଜନସଂଖ୍ୟା ଓ ଆକାର ଦୃଷ୍ଟିରୁ ଏ ଦୁହେଁ ସେହି ସ୍ଥାନଟି ପାଇଁ ପ୍ରତିଦ୍ୱନ୍ଦ୍ୱୀ । ଭାରତର ଅର୍ଥନୈତିକ ବିକାଶରେ ବିଭ୍ରାଟ ଜନ୍ମାଇବା ଚୀନର ଉଦ୍ଦେଶ୍ୟ । ୧୯୬୨ ସାଲ ଚୀନ ଭାରତୀୟ ସୈନ୍ୟଙ୍କ ପରାଜୟ ନେଇ ଯେତେବେଳେ ହଟିଗଲା, ସେତେବେଳେ ପେକିଙ୍ଗ୍‌ ରେଡ଼ିଓ ଘୋଷଣା କରିଥିଲା ଯେ ରାଜ୍ୟଜୟ ଚୀନର ଉଦ୍ଦେଶ୍ୟ ନ ଥିଲା । ଚୀନର ଉଦ୍ଦେଶ୍ୟ ଥିଲା ଭାରତର ଅର୍ଥନୈତିକ ମେରୁଦଣ୍ଡକୁ ଭାଙ୍ଗିଦେବା ଓ ସେଥିରେ ଚୀନ ଅଭୁତପୂର୍ବ ସଫଳତା ଲାଭକରିଛି । ଚୀନ ଓ ରୁଷିଆ ମଧ୍ୟରେ ସେହି ନିଜ ନିଜ ଦେଶର ସମୂହ ସ୍ୱାର୍ଥ ଦୃଷ୍ଟିରୁ ପରସ୍ପର ଉତ୍କଟ ବିବାଦ ଯେଉଁ ଚୀନ ରୁଷିଆକୁ ଦକ୍ଷିଣପନ୍ଥୀ ବୋଲି ଗାଳିଦେଇଛି, ସେହି ଚୀନ ରୁଷିଆଠାରୁ ଆହୁରି ଦକ୍ଷିଣକୁ ଯାଉଥିବା ଚେକୋସ୍ଲୋଭାକିଆକୁ ସମର୍ଥନ କରୁଛି । ଅଦଭୁତ ଏ ସ୍ୱାର୍ଥର ସଂଗ୍ରାମ ।

 

ଏଥିରେ ମତବାଦକୁ ପୂରାଇ ସାଧାରଣ ଲୋକଙ୍କ ବୁଦ୍ଧି ଭ୍ରମ କରିବା ଉଚିତ ନୁହେଁ । ଗଣତାନ୍ତ୍ରିକ ଦେଶଗୁଡ଼ିକ ମିଲିଟେରୀ ଶାସନକୁ ସମର୍ଥନ କରୁଛି । କମ୍ୟୁନିଷ୍ଟ ଦେଶମାନେ ମିଲିଟେରୀ ଶାସନର ପୁଞ୍ଜିବାଦୀ ନୀତି ସହିତ ବନ୍ଧୁତା କରୁଛନ୍ତି । ଏଣୁ ମତବାଦକୁ ଦେଶର ସମୂହ ସ୍ୱାର୍ଥ ସାଧନପାଇଁ ଏକ ଅନିବାର୍ଯ୍ୟ ଉପାୟ ବା ବାହକ । ଏଣୁ କୌଣସି ଦେଶର ଆଚରଣର ଉଦ୍ଦେଶ୍ୟରେ ପ୍ରଚଳିତ ମତବାଦକୁ ନିନ୍ଦାକରିବା ଯୁକ୍ତିଯୁକ୍ତ ନୁହେଁ । ରୁଷିଆର ନିନ୍ଦିତ ଆଚରଣ ପାଇଁ ଦକ୍ଷିଣପନ୍ଥୀ କମ୍ୟୁନିଷ୍ଟ ଦଳଙ୍କ ନିନ୍ଦା ବା ସେମାନଙ୍କୁ ସନ୍ଦେହ କରିବା ଉଚିତ ନୁହେଁ । ସେହିପରି ଚୀନର ମିଳିତ ଆଚରଣଯୋଗୁଁ ବାମପନ୍ଥୀ କମ୍ୟୁନିଷ୍ଟ ଦଳକୁ ନିନ୍ଦା ବା ସନ୍ଦେହ କରିବା ଉଚିତ ନୁହେଁ । ପ୍ରତ୍ୟେକ ରାଜନୈତିକ ଦଳ ତାଙ୍କ ନିଜ ନିଜ ଦେଶର ସମୂହ ସ୍ୱାର୍ଥ ସାଧନ ପାଇଁ କାର୍ଯ୍ୟ କରିବାର କଥା । ଯେଉଁ ଦଳ ଦେଶର ସମୂହ ସ୍ୱାର୍ଥ ବିରୋଧୀ, ସେ ଦଳକୁ ବେଆଇନ ଘୋଷଣା କରିବା ଉଚିତ । ଭାରତରେ ଯେତୋଟି ଦଳ କାର୍ଯ୍ୟ କରୁଛନ୍ତି, ସେମାନଙ୍କ ମଧ୍ୟରେ ଦେଶର ସମୂହ ସ୍ୱାର୍ଥ ଦୃଷ୍ଟିରୁ ପରସ୍ପର ବୁଝାମଣା ରହିବା ଉଚିତ । କୌଣସି ଦଳ ଅନ୍ୟ କୌଣସି ଦେଶର ଦଲାଲ ହେବା ଉଚିତ ନୁହେଁ । ଜଣେ କୌଣସି ମତବାଦର ଦଲାଲ ହୋଇପାରେ, କିନ୍ତୁ କୌଣସି ଦେଶର ନୁହେଁ ।

 

ଏହାପରେ ବିଚାରିବାର କଥା ଭାରତରେ ବିଭିନ୍ନ ଦେଶ ସହିତ ବନ୍ଧୁତା ଦୃଢ଼ କରିବାପାଇଁ ଯେଉଁସବୁ ସାଂସ୍କୃତିକ ବା ମୈତ୍ରୀ ସଂସ୍ଥାମାନ ଅଛି, ସେସବୁଦ୍ୱାରା ଦେଶର ସମୂହ ସ୍ୱାର୍ଥ କୌଣସି ଦିଗରେ ସାଧିତ ହେଉଛି କି ? ମୋର ବିଚାରରେ ହେଉନାହିଁ । କାରଣ ସବୁ ଦେଶ ନିଜ ନିଜ ସ୍ୱାର୍ଥରେ ଅନ୍ୟ ଦେଶମାନଙ୍କ ପ୍ରତି ସାମ, ଦାନ, ଦଣ୍ଡ, ଭେଦ ନୀତି ଅବଲମ୍ବନ କରୁଛି । ଚେକୋସ୍ଲୋଭାକିଆ ଏକ କମ୍ୟୁନିଷ୍ଟ ଦେଶ । ତାକୁ ତ ରୁଷିଆ ଛାଡ଼ିଲା ନାହିଁ । ନିଜ ସ୍ୱାର୍ଥରେ ଆଞ୍ଚ ଆସିଲେ କେହି କାହାରି ମୁହଁ ଚାହୁଁନାହାନ୍ତି । ବହୁକାଳ ଭାରତ ପରାଧୀନ ଥିବାରୁ ଦେଶ ଦେଶ ସହିତ ସମ୍ପର୍କ ଭିତ୍ତିରେ ନିଜ ଦେଶର ସ୍ୱାର୍ଥ ସାଧନ କିପରି କରିବାକୁ ହୁଏ, ସେଥିର ଅଭିଜ୍ଞତା ନାହିଁ-। ଏ ବିଷୟରେ ଯେଉଁ ସାହିତ୍ୟ ସବୁ ଅଛି, ସେସବୁ ଅଧ୍ୟୟନ କରି ଓ ଚାରିଆଡ଼କୁ ଦୃଷ୍ଟି ଦେଇ ଖୋଲା ମନରେ ଯଦି ସବୁ ଦେଶର ଆଚରଣ ବିଶ୍ଳେଷଣ କରାଯାଏ, ତେବେ ସହଜରେ ଜଣାଯିବ, କିଏ କାହାକୁ ନଚାଇବାରେ ଲାଗିଛି । ଆମ ଏ ଦେଶରେ ଏ ମୈତ୍ରୀ ସଂସ୍ଥାମାନ ଆମକୁ ନଚାଇବାରେ ଲାଗିଛନ୍ତି । ଏଥିରେ ଆମର ନୈତିକ ଅବନତି ଘଟୁଛି । ଦିନାକେତେ ଧର୍ମ ନାମରେ, ପୁଣି ପରେ ଡିମୋକ୍ରେସି ବା ଗଣତନ୍ତ୍ର ନାମରେ ଓ ଆଜି ସମାଜବାଦ ନାମରେ ସରଳ ଜନତାକୁ ଭୁଲାଇବାର ଚେଷ୍ଟା କରିବା ସ୍ୱାଭାବିକ; କିନ୍ତୁ ସେ ଚେଷ୍ଟାର ଅନ୍ତର୍ନିହିତ ଉଦ୍ଦେଶ୍ୟ ବୁଝି ଚଳିବା ହେଉଛି ବିଜ୍ଞତା ।

Image

 

୪-୧୦-୬୮

ଶୁକ୍ରବାର

ଦଶହରା ଅନୁକୂଳ

 

ସଂଯୋଗବଶତଃ ଏଥର ଏଠି ଦଶରା ପରଦିନ ଗାନ୍ଧି ଜନ୍ମଦିନ ପଡ଼ିଥିବାରୁ ଏହା ଦେଶ ପକ୍ଷରେ ମଙ୍ଗଳଜନକ ବୋଲି ମନେହେଉଛି । ଦଶରାପରେ ଶୁଭକାର୍ଯ୍ୟ ସବୁ ଅନୁକୂଳ ବା ଆରମ୍ଭ ହେବାର ନିୟମ ଅଛି । ଏଥର ଗାନ୍ଧିଜୀଙ୍କ କେବଳ ବାର୍ତ୍ତା ପ୍ରଚାର ନୁହେଁ ତଦନୁସାରେ ଛୋଟ ବଡ଼ କିଛି କାର୍ଯ୍ୟର ଆରମ୍ଭ କରାଯିବା ଉଚିତ । ଏହି ବିଚାରରେ ଭଦ୍ରଖର ବହୁ ବର୍ଷରୁ ଅନ୍ତର୍ହିତ ‘ଗାନ୍ଧି କର୍ମ ମନ୍ଦିର’ର ପୁନରୁଦ୍ଧାର କରାହୋଇଛି । ୧୯୩୧ ସାଲ ଲବଣ ସତ୍ୟାଗ୍ରହ ପରେ ଗାନ୍ଧି ଇରଉଇନ ସନ୍ଧିବେଳେ ବାଲେଶ୍ୱରରେ ଫକୀରମୋହନ ସେନାପତିଙ୍କ ଘରେ ‘ଗାନ୍ଧିକର୍ମ ମନ୍ଦିର’ ମୋରିଦ୍ୱାରା ଆରମ୍ଭ ହୋଇଥିଲା । ସେତେବେଳେ ଏଥିରେ ଆଜିର ମନ୍ତ୍ରୀ ନିତ୍ୟାନନ୍ଦ ମହାପାତ୍ର, ପି.ଏସ.ପି, ନେତା ରବୀନ୍ଦ୍ର ମୋହନ ଦାସ ଓ ସ୍ୱର୍ଗତ ଗୌରଚନ୍ଦ୍ର ଦାସ ପ୍ରମୁଖ କର୍ମୀମାନେ ଯୋଗ ଦେଇଥିଲେ । ଅବଶ୍ୟ ସତ୍ୟାଗ୍ରହରେ ଉତପୀଡ଼ିତ ଇଞ୍ଚୁଡ଼ି ଶ୍ରୀଜଙ୍ଗ ପ୍ରଭୃତି ଗ୍ରାମର ଅନେକ ପରିବାରର ସ୍ତ୍ରୀଲୋକମାନେ ମଧ୍ୟ ଏଥିରେ ଆଶ୍ରୟ ପାଇଥିଲେ । ଏମାନଙ୍କ ତତ୍ତ୍ୱାବଧାନ କରିବାପାଇଁ ସୁଭଦ୍ରା ମହତାବ ଆଶ୍ରମରେ ରହୁଥିଲେ । ୧୯୩୨ରେ ପୁଣି ସତ୍ୟାଗ୍ରହ ଆରମ୍ଭ ହେଲା । ଗାନ୍ଧି କର୍ମମନ୍ଦିର ସ୍ଥାନାନ୍ତରିତ ହୋଇ ଭଦ୍ରକ ଗଲା । ସେତେବେଳେ ଆଗରପଡ଼ା ଓ ଉତ୍ତର ବାଲେଶ୍ୱର ଝାଡ଼ ପିପ୍‍ପଳିରେ ଦୁଇଟି ସ୍ଥାନରେ ଆଶ୍ରମ ସ୍ଥାପିତ ହୋଇଥିଲା । ଗାନ୍ଧିଜୀଙ୍କ ସତ୍ୟାଗ୍ରହ ଆଶ୍ରମର ସମସ୍ତ ନିୟମ ଏହି ଆଶ୍ରମମାନଙ୍କରେ ପାଳିତ ହେଉଥିଲା ଓ ଏଥିରେ ଆମ୍ଭେମାନେ ସମସ୍ତେ ନିୟମାମାନି ରହିଥିଲୁଁ । ୧୯୪୨ ସାଲ ଆନ୍ଦୋଳନରେ ଏ ଆଶ୍ରମମାନ ସବୁ ଉଜୁଡ଼ିଗଲା ଓ ତା’ପରେ ସବୁ ବନ୍ଦ ହୋଇଗଲା । କେବଳ ଆଗରପଡ଼ାରେ ଖଦିବୋର୍ଡ଼ ପକ୍ଷରୁ ସୂତାକଟା କେନ୍ଦ୍ରଟି ମାତ୍ର ରହିଥିଲା । ଖଦିବୋର୍ଡ଼ ଉଠିଯିବାପରେ କେନ୍ଦ୍ରମାନଙ୍କୁ ଅନ୍ୟ ସଂସ୍ଥାକୁ ଗଡ଼େଇ ଦେବା କଥା ଯେତେବେଳେ ହେଲା, ସେତେବେଳେ ଭାବିଲି ପୁଣି ସେହି ଗାନ୍ଧି କର୍ମ ମନ୍ଦିରକୁ ପୁନରୁଦ୍ଧାର କରି ଯାହା କିଛି ସମ୍ଭବ ତାହା କରାହେଉ । ତଦନୁସାରେ ଏହି ଅକ୍ଟୋବର ୨ ତାରିଖଠାରୁ ଏହାର କାର୍ଯ୍ୟ ଆରମ୍ଭ ହୋଇଛି । ଏ କାର୍ଯ୍ୟର ଭାରରେ ଶ୍ରୀ ଉପେନ୍ଦ୍ର ପଣ୍ଡା ଅଛନ୍ତି । ଏ ବହୁବର୍ଷ ‘ପ୍ରଜାତନ୍ତ୍ରର ସମ୍ପାଦକ’ ଥିଲେ । ଅସହଯୋଗ ଆନ୍ଦୋଳନ ସମୟର ଏ ସମସ୍ତ ଆନ୍ଦୋଳନରେ ଯୋଗଦେଇ ବହୁସଂଖ୍ୟକ କର୍ମୀଙ୍କ ପରି ଏ ମଧ୍ୟ ଦାଣ୍ଡରେ ଛିଡ଼ା ହୋଇଛନ୍ତି-। ମନୁଷ୍ୟ ହାତରେ କେବଳ ଉଦ୍ୟମ କରିବାର ଅଛି । ଫଳାଫଳ ଈଶ୍ୱରଙ୍କ ହାତରେ ।

ଚାରିଆଡ଼େ ହିଂସାଦ୍ୱେଷର ଯେ ହଳାହଳ ବ୍ୟାପିଛି, ସେଥିରୁ ସଂପୂର୍ଣ୍ଣ ଅଲଗା ମଧ୍ୟ ଆମ୍ଭେମାନେ ରହିପାରୁନାହିଁ । ସେପରି ଦୃଢ଼ତା ଆମର ନାହିଁ । ଏଣୁ କାହାରିକୁ ଉପଦେଶ ବା ନିର୍ଦ୍ଦେଶ ଦେବାର ଯୋଗ୍ୟତା ନାହିଁ । କେବଳ ଭିତରେ ଯେଉଁ କ୍ଷୀଣ ଧ୍ୱନିଟି ବେଳେ ବେଳେ ଉଠୁଛି, ତାକୁହିଁ ନିଜ ପାଇଁ ପ୍ରକାଶ କରି ଯେତିକି ସମ୍ଭବ ସେତିକି ତଦନୁସାରେ କାର୍ଯ୍ୟ କରିବା ହେଉଛି ବର୍ତ୍ତମାନ ଅବସ୍ଥାରେ ସମୀଚୀନ । ଗାନ୍ଧି କର୍ମମନ୍ଦିର ସମସ୍ତଙ୍କର ସାହାଯ୍ୟ ସହାନୁଭୂତି ଓ ଆଶୀର୍ବାଦ ଲାଭକରିବ ବୋଲି ମୁଁ ଆଶା କରେ ।

ଏଠାରେ ଆହୁରି ମଧ୍ୟ ସ୍ମରଣ କରେ ଯେ ଏକ ସମୟରେ ନୟାଗଡ଼, ତାଳଚେର ପ୍ରଭୃତିରୁ ବହୁ କର୍ମୀ ‘କର୍ମ-ମନ୍ଦିର’ ରେ ଶିକ୍ଷାପାଇ ପରେ ସେମାନେ ପ୍ରଜାମଣ୍ଡଳ ଆନ୍ଦୋଳନରେ ଅଂଶ ଗ୍ରହଣ କରିଥିଲେ । ଆଶାକରେ ଗାନ୍ଧି କର୍ମ-ମନ୍ଦିରରୁ ପୁଣି ସେହିପରି ଶକ୍ତି ଜାଗ୍ରତ ହୋଇ ଯେଉଁଠି କିଛି ଅନ୍ଧାର ଅଛି, ସେଠି ଆଲୋକପାତ କରିବ ।

Image

 

୬-୧୦-୬୮

ରବିବାର

 

ସ୍ୱତନ୍ତ୍ର ଦଳ ସମ୍ମିଳନୀ

 

ଭୁବନେଶ୍ୱରରେ ସ୍ୱତନ୍ତ୍ର ଦଳର ପଞ୍ଚମ ବାର୍ଷିକ ସମ୍ମିଳନୀ ବସିଛି । ବିଭିନ୍ନ ପ୍ରଦେଶରୁ ପ୍ରାୟ ଚାରିହଜାର ପ୍ରତିନିଧି ଆସିଛନ୍ତି । ବୟସ୍କ ନେତା ରାଜଗୋପାଳାଚାରୀ ମଧ୍ୟ ଆଜି ଆସିବାର ଅଛି । ଯେଉଁ ପ୍ରତିନିଧିମାନେ ଆସିଛନ୍ତି, ସେମାନଙ୍କ ମଧ୍ୟରେ ବହୁ ପୁରାତନ କଂଗ୍ରେସ ନେତା, କଂଗ୍ରେସ ସାମ୍ୟବାଦୀ ଦଳର ନେତା ମଧ୍ୟ ଅଛନ୍ତି । ଏ ଦଳଟିର ଉଦ୍ଦେଶ୍ୟ ଓ ନୀତି ସମ୍ବନ୍ଧରେ ପୁଙ୍ଖାନୁପୁଙ୍ଖ ଆଲୋଚନାକୁ ବାଧା ଦେଇଛି । ଏହା ବିରୋଧରେ ଯେଉଁ ତୋଫାନ ପ୍ରଚାର ଚାଲିଲା ଓ ଚାଲିଛି ଯେ ଏହା ଏକ ପ୍ରତିକ୍ରିୟାଶୀଳ ଦଳ । ଯେଉଁଠି ଏକାଧିକ ମତପାଇଁ ସ୍ଥାନ ଅଛି, ସେ ପରସ୍ପରକୁ ବିରୋଧ କରୁଥିବା ମତ ରହିବା ସ୍ୱାଭାବିକ; କିନ୍ତୁ ସମସ୍ତ ମତବିରୋଧ ଯୁକ୍ତିଦ୍ୱାରା ସିଦ୍ଧ ହେବା ଉଚିତ । ପ୍ରଗତିଶୀଳ ବା ପ୍ରତିକ୍ରିୟାଶୀଳ ଏ ଦୁଇ ଶବ୍ଦ କହିଦେଇ କୌଣସି ଦଳ ସମ୍ବନ୍ଧରେ ଶେଷ ନିଷ୍ପତ୍ତି କରିଦେବା ଉଚିତ ନୁହେଁ । ଆଜିକି ପାଞ୍ଚ ଛଅବର୍ଷ ପୂର୍ବେ ଦେଶର ଯେଉଁ ରାଜନୈତିକ ଅବସ୍ଥା ଥିଲା, ଆଜି ତାହା ନାହିଁ । ଆଜି ଦେଶରେ ରାଜନୈତିକ ସଂକଟ । ଭାରତର ପରମ୍ପରା ଓ ବିଶେଷ ପରିସ୍ଥିତି ଯୋଗୁଁ ଏଠି ଗଣତନ୍ତ୍ରର ଥାଟଟି ରହିଛି ମାତ୍ର । ଅର୍ଥାତ୍‌ ଏଠି ବଳପୂର୍ବକ ଶାସନ ଅଧିକାର କରିବାପାଇଁ କେହି ବାହାରି ପାରୁନାହାନ୍ତି; ବାହାରିବେ ନାହିଁ ବୋଧହୁଏ; କିନ୍ତୁ ବ୍ୟବସ୍ଥା ପରିଷଦରେ କ୍ରମେ ବିଶ୍ୱାସ ତୁଟି ଯାଉଛି । ପଶ୍ଚିମବଙ୍ଗ, ବିହାର, ଉତ୍ତରପ୍ରଦେଶ ଓ ପଞ୍ଜାବରେ ବର୍ତ୍ତମାନ ପ୍ରତିନିଧିମୂଳକ ଶାସନ ନାହିଁ । କେନ୍ଦ୍ର ଶାସନରେ ମଧ୍ୟ ସାଧାରଣ ଜନତା ବା କୌଣସି ଶ୍ରେଣୀର ଆପତ୍ତି ଅଭିଯୋଗ ପ୍ରତି ମନଦେବା ପାଇଁ କୌଣସି ସ୍ପୃହା ଥିବାର ଦେଖାଯାଉ ନାହିଁ । କେନ୍ଦ୍ର କର୍ମଚାରୀମାନଙ୍କ ପ୍ରତୀକ । ଧର୍ମଘଟର ପରିଣାମ ହୋଇଛି, ବହୁ ସଂଖ୍ୟାରେ କର୍ମଚାରୀଙ୍କ କାମ ଚାଲିଯାଇଛି । ଏହି ସମୟରେ ଦେଶର ଖାଦ୍ୟନୀତି ନିୟନ୍ତ୍ରଣ ସମ୍ବନ୍ଧରେ ସିଦ୍ଧାନ୍ତ କରିବାକୁ ହେବ । ଚତୁର୍ଥ ପଞ୍ଚବର୍ଷୀୟ ଯୋଜନାକୁ ରୂପରେଖ ଦେବାକୁ ହେବ; କିନ୍ତୁ ମାସ ମାସ କାଳ ପ୍ରଧାନମନ୍ତ୍ରୀ ଅନୁପସ୍ଥିତ । ଗତିବିଧିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ, ଜଣେ ଦୁଇଜଣ ଯାହା ନିଷ୍ପତ୍ତି କରିବେ, ତାକୁଇ ସମସ୍ତେ ମାନନ୍ତୁ; ନ ହେଲେ ରାଷ୍ଟ୍ରପତି ଶାସନ ହେଉ, ଏହି ସୀମାରେ ନେତୃତ୍ୱ ପହଞ୍ଚି ଯାଇଛି ।

 

ଏହି ଅବସ୍ଥାରେ ପ୍ରତ୍ୟେକ ଦଳକୁ ନୂଆକରି ଚିନ୍ତା କରିବାକୁ ହେବ । ବିନୋବାଜୀ ମତ ପ୍ରକାଶ କରୁଛନ୍ତି ଯେ ନିର୍ଦ୍ଦଳୀୟ ଶାସନ ପ୍ରତିଷ୍ଠିତ ହେବା ଉଚିତ; କିନ୍ତୁ ନିର୍ବାଚନ ପ୍ରଥାରେ ନିର୍ଦ୍ଦଳୀୟ ଶାସନ ଗଠିତହେବା ସମ୍ଭବ ନୁହେଁ । ଏଣୁ ଦଳ ଦଳ ମଧ୍ୟରେ ବିଭେଦକୁ ଯେତେ କମ୍‌ କରି ଦିଆଯାଇ ପାରେ; ସେହି ଚେଷ୍ଟା ହେବା ଉଚିତ । ଯେଉଁ ଦେଶମାନଙ୍କରେ ପ୍ରତିନିଧିମୂଳକ ଶାସନ ଚାଲିଛି, ସେଠି ଦଳମାନଙ୍କ ମଧ୍ୟରେ ଯୋଗସୂତ୍ର ବରାବର ରହିଛି । ଦେଶର ବିକାଶ ପାଇଁ ଏହି ଯୋଗସୂତ୍ରର ଆଶ୍ରୟ ନେଇ ଏକାଧିକ ଦଳ ମିଶିଯାଇ ସୁରୁଖରୁରେ କାର୍ଯ୍ୟ କରୁଛନ୍ତି । କେବଳ ଇଂଲଣ୍ଡ ଓ ଆମେରିକାକୁ ଛାଡ଼ିଦେଲେ ଅନ୍ୟ ସବୁ ଗଣତାନ୍ତ୍ରିକ ଦେଶରେ ଏକାଧିକ ଦଳ ମିଶି ଶାସନ ବହୁକାଳ ଚଳାଇଛନ୍ତି । ଏପରିକି ସୁଇଡ଼େନ୍‌ରେ ରକ୍ଷଣଶୀଳ ଦଳ ଓ ସମାଜବାଦୀ ଦଳ ମିଶି ଆଜିକୁ ପ୍ରାୟ ପନ୍ଦର ବର୍ଷ ହେଲା ଶାସନ ଚଳାଇଛନ୍ତି । ଦେଶର ନିରାପତ୍ତା, ଦେଶର ଆର୍ଥିକ ବିକାଶ ଓ ଦେଶର ସଂଗଠନ ଏହାରି ପାଇଁ ନିର୍ବାଚନ ଓ ଏହାରି ପାଇଁ ଦଳ ଗଠନ । ଯଦି ମୂଳ ଉଦ୍ଦେଶ୍ୟ କୁଆଡ଼େ ପଛରେ ପଡ଼ିଯାଏ, କେବଳ ନିର୍ବାଚନ ଓ ଦଳ ଗଠନ ମୁଖ୍ୟସ୍ଥାନ ଅଧିକାର କରେ, ତେବେ ଦେଶରକ୍ଷା ସମ୍ଭବ ନୁହେଁ । ଭାରତର ଏ ଦୁର୍ବଳତା ଭାରତର ଶତ୍ରୁମାନେ ଜାଣନ୍ତି । ୧୯୬୨ ସାଲରେ ଚୀନ ଆକ୍ରମଣବେଳେ ଯେଉଁମାନେ ପେକିଂ ରେଡ଼ିଓ ଶୁଣିଥିବେ, ସେମାନେ ଜାଣିଥିବେ, କିପରି ଭାରତର ରାଜନୈତିକ ଓ ଆର୍ଥିକ ଦୁର୍ବଳତା ସେଠୁଁ ପ୍ରଚାର କରାଯାଉଥିଲା । ଦେଶର ଦାବି ବର୍ତ୍ତମାନ ଦଳଗୁଡ଼ିକ ଯେତେ ପାଖକୁ ପାଖକୁ ଆସନ୍ତୁ, ଦୂରେଇ ନ ଯାଆନ୍ତୁ ।

 

ଏ ଦିଗରେ କୌଣସି ଦଳକୁ ନେତୃତ୍ୱ ନେବାକୁ ହେବ । କଂଗ୍ରେସ ଯଦି ଏ ନେତୃତ୍ୱ ନିଏ, ତେବେ ସବୁଠାରୁ ଭଲ; କିନ୍ତୁ କୌଣସି କାରଣରୁ କଂଗ୍ରେସ ଯଦି ଏ ଦିଗରେ ନ ଆଗୋଉଛି, ତେବେ ସ୍ୱତନ୍ତ୍ର ଦଳ ଏହାର ନେତୃତ୍ୱ ନେବା ଉଚିତ । ସ୍ୱତନ୍ତ୍ର ଦଳର ଯେ ପ୍ରତିଷ୍ଠାତା ଓ ନେତା ଶ୍ରୀ ରାଜଗୋପାଳଚାରୀ, ସେ ଆଜି ଭାରତର ସମସ୍ତଙ୍କଠାରୁ ବୟସ୍କ, ତ୍ୟାଗୀ, ନିଷ୍ଠାପର ଓ ବୁଦ୍ଧିମାନ । ରାଜନୀତିରେ ତାଙ୍କଠାରୁ ବଳି ବର୍ତ୍ତମାନ କେହି ନାହିଁ । ତାଙ୍କର ପ୍ରଖର ଚିନ୍ତା କେଶାଗ୍ରକୁ ମଧ୍ୟ ଛିନ୍ନଭିନ୍ନ କରି ପରୀକ୍ଷା କରିପାରେ । ଦେଶର ବର୍ତ୍ତମାନ ଅବସ୍ଥାରେ ଏକ ନିର୍ଦ୍ଦିଷ୍ଟ କାର୍ଯ୍ୟକ୍ରମ ସ୍ଥିର କରି ସେ ସମସ୍ତଙ୍କୁ ଆଲୋଚନା ପାଇଁ ଆହ୍ୱାନ କରନ୍ତୁ । ମତବାଦର ଆଲୋଚନା ବହୁତ ହୋଇଗଲାଣି । ବାମ ଦକ୍ଷିଣ ସବୁ ମତବାଦ ଆଲୋଚନା କରି ଶେଷରେ କୌଣସି ମତବାଦ ପ୍ରତି କାହାରି ଆସ୍ଥା ରହୁନାହିଁ । ଏଣୁ ମତବାଦର ଆଲୋଚନା ନକରି ନିର୍ଦ୍ଦିଷ୍ଟ କାର୍ଯ୍ୟକ୍ରମର ଆଲୋଚନା କରାଯାଉ ଓ କାର୍ଯ୍ୟକ୍ରମ ଉପରେ ଦଳମାନେ ଏକତ୍ର ହେବାର ଚେଷ୍ଟା କରନ୍ତୁ । ଏହା ହେଲେ ସଂକଟରୁ ଉଦ୍ଧାର ମିଳିବ ବୋଲି ମନେହୁଏ ।

Image

 

୧୦-୧-୬୯

ଶୁକ୍ରବାର

 

ଚିନ୍ତାଶୂନ୍ୟ ବକ୍ତୃତା

 

କୋରାପୁଟ ଜିଲ୍ଲାରେ ସୁନାବେଡ଼ାରେ ଯେଉଁ ମିଗ କାରଖାନା ବସିଛି, ସେଠି ମିଗ୍‌ ବିମାନ ଇଞ୍ଜିନଟିଏ ତିଆରି ହୋଇ ନାସିକର ଅନ୍ୟ କାରଖାନାକୁ ଆନୁଷ୍ଠାନିକ ଭାବରେ ପଠାହେଲା । ଏ ଉତ୍ସବରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ପୁରୋଧା ହୋଇଥିଲେ ଓ ସୁନାବେଡ଼ା କାରଖାନା ପକ୍ଷରୁ କେନ୍ଦ୍ର ପ୍ରତିରକ୍ଷା ଉତ୍ପାଦନ ଉପମନ୍ତ୍ରୀ ଶ୍ରୀ ଏଲ:ଏନ୍‌: ମିଶ୍ରଙ୍କୁ ଇଞ୍ଜିନଟି ବଢ଼ାଇଦେଲେ । ଏହି ଉତ୍ସବରେ ସ୍ଥାନୀୟ ବହୁ ଲୋକେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ଓ ସମ୍ବାଦପତ୍ର ବିବରଣୀ ଅନୁସାରେ ପ୍ରାୟ ନବେଜଣ ଅନ୍ଧାଧୂନ୍ଧା ଗିରପ୍ତାର ମଧ୍ୟ ହୋଇଛନ୍ତି । ଖବର ନେବାରେ ଜଣାଯାଇଛି ଯେ ବିକ୍ଷୋଭକାରୀମାନେ ସ୍ଥାନୀୟ ଲୋକଙ୍କୁ ଚାକିରି ଦିଆଯାଉ ବୋଲି ଦାବି କରୁଥିଲେ । ମୁଖ୍ୟମନ୍ତ୍ରୀ ତାଙ୍କ ବକ୍ତୃତାରେ ଆଶ୍ୱାସନା ଦେଇ କହିଥିବାର ପ୍ରକାଶ ଯେ ସେ ସ୍ଥାନୀୟ ଲୋକଙ୍କୁ ଚାକିରି ଦେବା ବିଷୟରେ ଉପର ସ୍ତରରେ ଚେଷ୍ଟାକରିବେ; କିନ୍ତୁ କେନ୍ଦ୍ର ଉପମନ୍ତ୍ରୀ ଯାହାଙ୍କର ସରକାରୀ ନୀତି ସମ୍ବନ୍ଧରେ ଜ୍ଞାନ ନଥିବ ଓ ସେ ସମ୍ବନ୍ଧରେ କିଛି କହିବାର ମଧ୍ୟ ଅଧିକାର ନାହିଁ, ସେ ନୀତିବାକ୍ୟ ଶୁଣାଇ କହିଲେ ଯେ କାରଖାନାଟି ପ୍ରଦେଶର ନୁହେଁ, ଏହା ସମଗ୍ର ଭାରତର; ଏଣୁ ସ୍ଥାନୀୟ ଲୋକଙ୍କୁ ଚାକିରି ଦେବାର ଦାବି ଅଯୁକ୍ତିକର । ଏଇଥିରେ ଲୋକେ ବିରକ୍ତ ଓ ଉତ୍‌କ୍ଷିପ୍ତ ହେଲେ । ହେବା ସ୍ୱାଭାବିକ; କାରଣ ଭାରତ କହିଲେ ହିମାଳୟ ପର୍ବତ ବା ଭାରତ ମହାସାଗର ବୁଝାଏ ନାହିଁ । ଭାରତ କହିଲେ ଅନେକ ପ୍ରଦେଶର ସମଷ୍ଟି । ପ୍ରତ୍ୟେକ ଭାରତୀୟ ଉଦ୍ୟମରେ ପ୍ରତ୍ୟେକ ପ୍ରଦେଶର ଅଂଶ ଅଛି । ବିଶେଷତଃ ଯେଉଁଠି ଯେଉଁ ଉଦ୍ୟମ କରା ହେଉଛି ସେଠିକାର ଲୋକେ ସେ ଉଦ୍ୟମରେ ବେଶି ଅଂଶ ଗ୍ରହଣ କରିବାପାଇଁ ଦାବି ନ୍ୟାୟସଙ୍ଗତ । ପୃଥିବୀରେ ଦେଶର ସ୍ୱାର୍ଥ ଯେପରି ସଂରକ୍ଷଣ କରାହୁଏ, ଦେଶ ଭିତରେ ପ୍ରଦେଶର ସ୍ୱାର୍ଥ ସେହିପରି ସଂରକ୍ଷଣ କରିବାକୁ ହେବ ଓ ପ୍ରଦେଶ ଭିତରେ ବିଭିନ୍ନ ଅଞ୍ଚଳର ସ୍ୱାର୍ଥ ପ୍ରତି ସେହିପରି ଦୃଷ୍ଟି ଦେବାକୁ ହେବ । ଏଥିରେ ବ୍ୟତିକ୍ରମ ହେଲେ କେବଳ ବିକ୍ଷୋଭ ନୁହେଁ, ଆହୁରି ବେଶି ହେବାର ସମ୍ଭାବନା ଅଛି । କାମ ନ ପାଉଥିବା ଲୋକଙ୍କୁ ଆଶ୍ୱାସନା ବାଣୀ ହେବାର ସମ୍ଭାବନା ଅଛି । କାମ ନ ପାଉଥିବା ଲୋକଙ୍କୁ ଆଶ୍ୱାସନା ବାଣୀ ନ ଶୁଣାଇ ଉପମନ୍ତ୍ରୀ ମହାଶୟ ଜାତୀୟତାର ବାଣୀ ଶୁଣାଇଲେ, ସେଥିରେ ସେ ନିଜେ ବିଶ୍ୱାସ କରନ୍ତି ତ ? ସେଥିରେ କେନ୍ଦ୍ରର ମନ୍ତ୍ରୀମଣ୍ଡଳ ବିଶ୍ୱାସ କରନ୍ତି ତ ? କେହି ସେଥିରେ ବିଶ୍ୱାସ କରୁନାହାନ୍ତି । ବିଶ୍ୱାସ କରୁଥିଲେ ସବୁ ପ୍ରଦେଶକୁ ଭାରତର ଅଙ୍ଗ ବୋଲି ମନେ କରି ସେମାନେ ଯତ୍ନ ନେଉଥାନ୍ତେ ଓ ଯେଉଁ ପ୍ରଦେଶ ଅପେକ୍ଷାକୃତ ପଛରେ ପଡ଼ିଛି, ସେ ପ୍ରଦେଶକୁ ଶରୀରର ଏକ ଦୁର୍ବଳ ଅଙ୍ଗ ବୋଲି ମନେକରି ତା’ର ବିଶେଷ ଯତ୍ନ ନେଉଥାନ୍ତେ । ତାହା ହେଉନାହିଁ । ଆଜି ଭାରତ କହିଲେ ରାଜନୀତି କ୍ଷେତ୍ରରେ ବୁଝାଉଛି ଉତ୍ତର ପ୍ରଦେଶ, ମହାରାଷ୍ଟ୍ର ଓ ମାନ୍ଦ୍ରାଜ; ଅର୍ଥନୀତି କ୍ଷେତ୍ରରେ ବମ୍ବେ, ମାନ୍ଦ୍ରାଜ, କଲିକତା ଓ ଦିଲ୍ଲୀ ତ ଅନୁଗ୍ରହଦାନ କ୍ଷେତ୍ରରେ ବୁଝାଉଛି ଦିଲ୍ଲୀର ଆଖପାଖ ଓ ସେଇଠି ଯେଉଁମାନେ ମୁଣ୍ଡିଆ ମାରି ବୁଲୁଛନ୍ତି । ଏପରି ସ୍ଥଳେ ସୁନାବେଡ଼ାରେ ଉପମନ୍ତ୍ରୀଙ୍କ ବକ୍ତୃତା ଚିନ୍ତାଶୂନ୍ୟ, ଦୁର୍ଭାଗ୍ୟଜନକ ଓ ବିକ୍ଷୋଭ ପ୍ରଦର୍ଶନ ଯୁକ୍ତିଯୁକ୍ତ ।

 

ମାତ୍ର କୌଣସି ଅବସ୍ଥାରେ ହିଂସାର ଆଶ୍ରୟନେବା ଅନ୍ୟାୟ । ଅହିଂସାତ୍ମକ ଭାବରେ ଦୃଢ଼ ଦାବି ଉପସ୍ଥାପିତ କରାଯାଇପାରେ ଓ ବିକ୍ଷୋଭ ମଧ୍ୟ ବଳବତ୍ତର ଭାବରେ କରା ଯାଇପାରେ-। ସେଥିପାଇଁ ସଙ୍ଗଠନ ଓ ନେତୃତ୍ୱ ଆବଶ୍ୟକ । ଦେଶର ବିଭିନ୍ନ ସମସ୍ୟା ଦରକାର କରୁଛି-। ଅହିଂସାତ୍ମକ ଆନ୍ଦୋଳନ ପାଇଁ ସଙ୍ଗଠନ ନେତୃତ୍ୱ ସେ ଦିଗରେ ମନ ନ ଦେଇ କାହାର ଗାଡ଼ି ଅଟକାଇ, କାହା ଦୁଆରେ ତମ୍ବୁ ଟାଣି ବସି ବା କାହା ଉପରକୁ ଟେକା ଫୋପାଡ଼ି ଯେପରି ବିକ୍ଷୋଭ ପ୍ରଦର୍ଶନ କରାହେଉଛି, ସେଥିରେ ଉଦ୍ଦେଶ୍ୟ ତ କେବେ ସିଦ୍ଧ ହେବାର ନୁହେଁ, ବରଂ ସେଥିରେ ଉଦ୍ଦେଶ୍ୟ ସିଦ୍ଧି ବ୍ୟାହତ ହେଉଛି ।

 

ମନେ ହେଉଛି ଉପମନ୍ତ୍ରୀ ମିଶ୍ର ସରକାରୀ ନୀତି ବିଷୟରେ ଭାରପ୍ରାପ୍ତ ହୋଇ କିଛି କହିବାପାଇଁ ଆସି ନଥିଲେ । ସେ ବୋଧହୁଏ ମନେକଲେ, ସେ ଏକ ନିର୍ବାଚନ ସଭାରେ ବକ୍ତୃତା ଦେଉଛନ୍ତି । ସେପରି ବକ୍ତୃତା ଦେବାର ଥିଲେ ସେ ତାଙ୍କ ପ୍ରଦେଶ ବିହାରରେ ବର୍ତ୍ତମାନ ବୁଲୁଥାନ୍ତେ-। ସେଠି ବୋଧହୁଏ ତାଙ୍କର ସ୍ଥାନ ନାହିଁ । କେନ୍ଦ୍ର ସରକାରଙ୍କ ପକ୍ଷରୁ କୌଣସି ଆନୁଷ୍ଠାନିକ କାର୍ଯ୍ୟକୁ ଅଳ୍ପ ଜ୍ଞାନବିଶିଷ୍ଟ ମନ୍ତ୍ରୀ ବା ଉପମନ୍ତ୍ରୀ ପଠାଇବା ଉଚିତ ନୁହେଁ ।

Image

 

୧୩-୧-୬୯

ସୋମବାର

 

କଥା ନୁହେଁ କାର୍ଯ୍ୟ

 

ଏବର୍ଷ ପାଇଁ ଶ୍ରୀ ଅରବିନ୍ଦ ଆଶ୍ରମରୁ ଶ୍ରୀମା ଯେଉଁ ସନ୍ଦେଶ ଶୁଣାଇଛନ୍ତି ତାହା ହେଉଛି ‘‘କଥା ନୁହେଁ, କାର୍ଯ୍ୟ ।’’ ଏତିକି ମାତ୍ର, ଏ ଯେ କିଛି ନୂତନ କଥା ତାହା ନୁହେଁ । ପରାମର୍ଶଠାରୁ କାର୍ଯ୍ୟ ବହୁ ଗୁଣରେ ଶ୍ରେୟସ୍କର ବୋଲି ପ୍ରାୟ ପ୍ରତ୍ୟେକ ଭାଷାରେ ପ୍ରବାଦ ଅଛି । କାର୍ଯ୍ୟ ନ କରି କେବଳ ଉପଦେଶ ଦେବାକୁ ‘ପରୋପଦେଶେ ପାଣ୍ଡିତ୍ୟଂ’ ବୋଲି ନୀତି ଶାସ୍ତ୍ରରେ ଉପହାସ କରାଯାଇଛି; କିନ୍ତୁ କ୍ରମେ ଏତେ କଥା ଏ ଦେଶରେ ଚାଲିଲାଣି ଯେ ଓ ତଦନୁପାତରେ କାର୍ଯ୍ୟ ଏତେ କମ ହୋଇଗଲାଣି ଯେ ଶ୍ରୀମା’ଙ୍କର ସନ୍ଦେଶ ଅତି ଗୁରୁତ୍ୱପୂର୍ଣ୍ଣ ବୋଲି ମନେକରିବାକୁ ହେବ-

 

ଉତ୍କଳ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଦୀକ୍ଷାନ୍ତ ଭାଷଣ ଦେଇ କେନ୍ଦ୍ର ମନ୍ତ୍ରୀ ଯୁବକମାନଙ୍କୁ ଉଦ୍‌ବୋଧନ କଲେ, ସେମାନେ ଜାତିଆଣ ଭାବ, ଭାଷାଗତ, ପ୍ରଦେଶଗତ ଓ ଧର୍ମଗତ ବିଭେଦ ବିରୋଧରେ ଆନ୍ଦୋଳନ ଚଳାନ୍ତୁ । ଏ କାର୍ଯ୍ୟଟି ବୟସ୍କ ଲୋକେ କରିପାରିବେ ନାହିଁ; କାରଣ ସେମାନେ ନିଜର ଚିନ୍ତାର ଧାରା ସହଜରେ ବଦଳାଇ ପାରିବେ ନାହିଁ । ତେଣୁ ଯୁବକମାନେ ହିଁ ଏ କାର୍ଯ୍ୟ କରିବାକୁ ସମର୍ଥ ବୋଲି ମନ୍ତ୍ରୀ ମହାଶୟ ବ୍ୟକ୍ତ କଲେ । ଏ ଉପଦେଶ କିଛି ନୂତନ ନୁହେଁ । ଯେ କୌଣସି ସଭାରେ ରହିବା ପାଇଁ ଏ ଏକ ଗତାନୁଗତିକ ବିଷୟ ହୋଇଗଲାଣି; କିନ୍ତୁ ଆଶ୍ଚର୍ଯ୍ୟର ବିଷୟ ଏହି ଯେ ଏ ବିଷୟଟିକୁ ଜଣେ କେନ୍ଦ୍ରର ମନ୍ତ୍ରୀ ଓ ଏକଦା ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଓ କୁଳପତି ଥିବା ବ୍ୟକ୍ତି କେବେହେଲେ ଅନୁଧ୍ୟାନ କରି ନ ଥିବାର ସେ ପ୍ରମାଣ ଦେଲେ । ଟିକିଏ ସାମାନ୍ୟ ଅନୁଧ୍ୟାନ କରିଥିଲେ ସେ ଜାଣି ପାରିଥାନ୍ତେ, କ୍ଷୁଦ୍ର ସ୍ୱାର୍ଥରେ ଆଜି ଯୁବକମାନେ ହିଁ ପାଗଳ । ଭାଷା, ପ୍ରଦେଶ, ଧର୍ମ ଘେନି ଯେଉଁ ହିଂସାକାଣ୍ଡ ଚାରିଆଡ଼େ ଘଟୁଛି ସେଥିରେ ଚାଳିଶବର୍ଷରୁ କମ୍‌ ଲୋକେ ହିଁ ବେଶି ପରିମାଣରେ ଲିପ୍ତ, ସେମାନେ କାହିଁକି ଲିପ୍ତ, ସେ ବିଷୟ ଅନୁଧ୍ୟାନ କଲେ ଜଣାଯିବ ଯେ ଦେଶରୁ ଉଚ୍ଚ ଆଦର୍ଶବାଦର ଜୁଆର ଛାଡ଼ିଗଲା ପରେ ଯେତେବେଳେ ଭଟ୍ଟା ପଡ଼ିଛି, ସେତେବେଳେ ମାଟି ପଥର ସବୁ ଉପରକୁ ବାହାରି ପଡ଼ିଛି । ଉଚ୍ଚ ଆଦର୍ଶବାଦର ଜୁଆର ଛାଡ଼ିବାର କାରଣ ହେଉଛି ଯେ ବୟସ୍କ ଲୋକେ ଆଦର୍ଶବାଦକୁ କେବଳ ପ୍ରଚାର ପାଇଁ ରଖି କାର୍ଯ୍ୟରେ ତା’ର ସମ୍ପୂର୍ଣ୍ଣ ବିପରୀତ ଆଚରଣ ବହୁବର୍ଷ କାଳ କରି ଚାଲିଛନ୍ତି । ଏ କ୍ଷେତ୍ରରେ ଦୁଇଟି ଉଦାହରଣ ଦେଲେ କଥାଟି ଭଲ ଭାବରେ ବୁଝାପଡ଼ିବ ।

 

ଗାନ୍ଧିଜୀ ହିନ୍ଦୁ-ମୁସଲମାନ ଏକତାରେ ଏପରି ବିଶ୍ୱାସ କରୁଥିଲେ ଯେ ତାଙ୍କର ବୃଦ୍ଧ କ୍ଷୀଣ ଅସୁସ୍ଥ ଶରୀରରେ ସେ ପୂର୍ବେ ବଙ୍ଗର ଗ୍ରାମେ ଗ୍ରାମେ ଘରକୁ ଘର ଯାଇ ମୈତ୍ରୀର ବାଣୀ ଶୁଣାଇଲେ । ପ୍ରତି ଗ୍ରାମରେ ଦିନେ ଲେଖାଏଁ ରହିଲେ । ଶେଷରେ ନିଜର ମୃତ୍ୟୁହୀନ ପ୍ରାଣଦାନ କରି ଏ ଦେଶକୁ ଧ୍ୱଂସରୁ ରକ୍ଷାକଲେ । ଏ ହେଉଛି ୧୯୪୮ର ଉଦାହରଣ । ୧୯୬୪ରେ କାମରାଜ ନାଦର କଂଗ୍ରେସର ସଭାପତି ହେଲେ ଆମରି ଓଡ଼ିଶାରେ ଭୁବନେଶ୍ୱରରେ । ସେ କଂଗ୍ରେସ ଅଧିବେଶନର ଧ୍ୱନି ହେଲା ‘ସମାଜବାଦ’ ଚାଉଳ କଳଠାରୁ ଆରମ୍ଭ କରି ଲୁହାକଳ ପର୍ଯ୍ୟନ୍ତ ସବୁ ସରକାରୀ ହେବ । ଏପରି ବକ୍ତୃତାମାନ ଦିଆହେଲା ଯେ ଯେପରିକି ବର୍ଷେ ଦୁଇବର୍ଷ ମଧ୍ୟରେ ସମାଜବାଦର ଚିତ୍ର ଦେଶରେ ଉଷାର ଆଲୋକ ପରି ସ୍ପଷ୍ଟ ପ୍ରତିଭାତ ହେବ । ତା’ପରେ ଆସିଲା ତଥାକଥିତ କାମରାଜ ଯୋଜନା । ନିଜେ ମନ୍ତ୍ରୀ ପଦରୁ ଓହରି ଯାଇ ଅନେକଙ୍କୁ ମଧ୍ୟ ଓହରାଇ ଦେଲେ । ମନେହେଲା ପୁଣି ସେ ତ୍ୟାଗର ଯୁଗ ଫେରାଇ ଆଣିବାର ଚେଷ୍ଟା ଆରମ୍ଭ ହେଲା; କିନ୍ତୁ ବର୍ଷକ ଭିତରେ ଜଣା ପଡ଼ିଗଲା ଯେ ସମାଜବାଦର ନିନାଦ ଓ କାମରାଜ ପ୍ଲାନର ଡିଣ୍ଡିମ ଦିନ ଦ୍ୱିପ୍ରହରର ପ୍ରବଞ୍ଚନା ମାତ୍ର । ଉଦ୍ଦେଶ୍ୟ ଆଉ କିଛି, ତାକୁ ଲୁଚାଇ ରଖାହୋଇଥିଲା ଆଦର୍ଶବାଦର ପର୍ଦ୍ଦାର ଅନ୍ତରାଳରେ । ଥରେ ନିର୍ବାଚନରେ ପରାସ୍ତ ହୋଇ ପୁଣି କାମରାଜ ବାହାରିଛନ୍ତି କେନ୍ଦ୍ରର ମନ୍ତ୍ରିତ୍ୱପାଇଁ ବା ଆଉ କି ‘ପ୍ଳାନ’ ମନରେ ଅଛି ଭଗବାନଙ୍କୁ ଜଣା । ଇନ୍ଦିରାଙ୍କୁ ଗାଦିରେ ବସାଇବା ପାଇଁ ଯେଉଁ ପ୍ଲାନ ପୂର୍ବେ ହୋଇଥିଲା, ପୁଣି ଇନ୍ଦିରାଙ୍କୁ ହଟାଇବା ପାଇଁନୂଆ ପ୍ଲାନ କିଛି ହେଉ ନାହିଁ ତ ? ଈଶ୍ୱର ଜାଣନ୍ତି ।

 

ଏହି ଅବସ୍ଥାରେ କୌଣସି ବୟସ୍କ ବ୍ୟକ୍ତି, ବିଶେଷତଃ ଶାସନ କ୍ଷେତ୍ରରେ ଆଦର୍ଶବାଦକୁ କାର୍ଯ୍ୟରେ ପରିଣତ କରିବାର କୌଣସି ପ୍ରମାଣ ଦେଇ କେହି ଯୁବକମାନଙ୍କୁ ଆଦର୍ଶବାଦୀ ହେବାପାଇଁ ଉଦ୍‌ବୋଧନ ଦେଲେ ତା’ର ପରିଣାମ କେବଳ କଥା ମାତ୍ର କାର୍ଯ୍ୟ କିଛି ନୁହେଁ । ଏଣୁ କେହି କାହାରିକୁ ଉଦ୍‌ବୋଧନ ଦେବା ବର୍ତ୍ତମାନ ବନ୍ଦ ରହୁ । କିଏ କଅଣ କରୁଛି ତା’ର ରିପୋର୍ଟ ସମସ୍ତେ ଜନସାଧାରଣଙ୍କୁ ବିଶେଷତଃ ଯୁବ-ସମାଜକୁ ଦିଅନ୍ତୁ । ସେଥିରେ ଯେ ଯାହା ବୁଝିବେ ଓ ଯାହାର ହୃଦୟରେ ଯେ ଭାବ କାର୍ଯ୍ୟ କରିବ, ତାହା ସେମାନଙ୍କୁ ଛାଡ଼ି ଦିଆଯାଉ । କଥା ନୁହେଁ କାର୍ଯ୍ୟ– ଏହି ହେଉ ଆଜିର ମନ୍ତ୍ର ।

Image

 

୧୯-୧-୬୯

ରବିବାର

 

ମାନିଲେ ଠାକୁର ନ ମାନିଲେ କୁକୁର

 

ଖାନ୍ନା କମିଶନ ପୂର୍ବତନ ଦୁଇ ଜଣ ମୁଖ୍ୟମନ୍ତ୍ରୀଙ୍କ ପରିବାରବର୍ଗଙ୍କ ସହିତ ସେମାନଙ୍କଦ୍ୱାରା ପରିଚାଳିତ ସରକାରଙ୍କ ବାଣିଜ୍ୟ ବ୍ୟବସାୟ କାରବାର ଦର୍ଶାଇ ମତ ପ୍ରକାଶ କରିଛନ୍ତି ଯେ ଏପରି ନିୟମ ହେବା ଉଚିତ ଯେ ମନ୍ତ୍ରୀଙ୍କର ପରିବାର କେହି ସରକାରଙ୍କ ସହିତ ବ୍ୟବସାୟ ବାଣିଜ୍ୟ କରିପାରିବେ ନାହିଁ । ତାହା ନହେଲେ ଶାସନ ନିଷ୍କଳଙ୍କ ହୋଇପାରିବ ନାହିଁ । ଏହା କିଛି ନୂତନ କଥା ନୁହେଁ । ପଞ୍ଚାୟତ ମ୍ୟୁନିସିପାଲଟି ପ୍ରଭୃତିରେ ଆଇନଗତ ବ୍ୟବସ୍ଥା ସେହିପରି ଅଛି । ନୂତନ ଶାସନ ବିଧାନ ଅନୁସାରେ ପ୍ରଥମେ ଯେଉଁ ନିର୍ବାଚନ-ଆଇନ ପ୍ରଣୀତ ହୋଇଥିଲା, ସେଥିରେ ସେହିପରି ଆଇନଗତ ବ୍ୟବସ୍ଥା ଥିଲା; କିନ୍ତୁ ପରେ ସେ ଆଇନ ଏପରି ଭାବରେ ସଂଶୋଧିତ ହେଲା ଯେ ମନ୍ତ୍ରୀ ରହି ମଧ୍ୟ ସେ ବା ତାଙ୍କ ପରିବାରବର୍ଗ ସରକାରଙ୍କ ସହିତ ବ୍ୟବସାୟ ବାଣିଜ୍ୟ କଲେ, ତାଙ୍କୁ ଧରିବା କଠିନ ହେବ । ଥରେ ପାରଳାଖେମୁଣ୍ଡି ମହାରାଜାଙ୍କ ଭାରତ ଲୋକସଭା ପାଇଁ ପ୍ରାର୍ଥୀପତ୍ର କଟାଯାଇଥିଲା; କାରଣ ଭାରତ ସରକାରଙ୍କ ଅଧୀନସ୍ଥ ଲୁଣ ତିଆରି କାରବାରରେ ତାଙ୍କର ଅଂଶ ଥିଲା । ସମ୍ବଲପୁର ଜିଲା ବରଗଡ଼ ମ୍ୟୁନିସିପାଲିଟିର ଚେୟାରମେନ ଥରେ ଖାରଜ ହୋଇ ଯାଇଥିଲେ; କାରଣ ତାଙ୍କ ସହିତ ମ୍ୟୁନିସିପାଲିଟିର ଜିନିଷ କିଣାବିକା ହେଲା । ତଳସ୍ତରରେ କଡ଼ା ଆଇନ ରହିଥିଲେ ମଧ୍ୟ ଉପରସ୍ତରରେ ତାକୁ କୋହଳ କରି ନିଆହେଲା । ହୁଏତ ମନେ କରାହୋଇଥିଲା ଯେ ଉପରସ୍ତରରେ ଲୋକମତ ପ୍ରତି ସଂକୋଚ ରଖି ପ୍ରତିନିଧିମାନେ ସାବଧାନ ହେବେ; କିନ୍ତୁ ଏହା ଜଣାଶୁଣା ଯେ ଏକ ସମୟରେ କଂଗ୍ରେସ ଦଳ ଭିତରେ ଦୃଢ଼ ମତ ପ୍ରକାଶ ପାଇଲା ଯେ ମନ୍ତ୍ରୀ ହୋଇ ସେ ବା ତାଙ୍କ ପରିବାରବର୍ଗ ସରକାରଙ୍କ ସହିତ ବ୍ୟବସାୟ ବାଣିଜ୍ୟ କଲେ କିଛି ଦୋଷ ନାହିଁ । ଥରେ କଂଗ୍ରେସ କାର୍ଯ୍ୟ-ନିର୍ବାହିକା ସମିତିର ବୈଠକରେ ଦିଲ୍ଲୀରେ ପଶ୍ଚିମବଙ୍ଗର ଜଣେ ନେତା ତତ୍‌କାଳୀନ କଂଗ୍ରେସ ସଭାପତି ସଞ୍ଜିବାୟାଙ୍କ ଏହି ସମ୍ପର୍କୀୟ ସମାଲୋଚନାକୁ ତୀବ୍ର ଭାବରେ ପ୍ରତିବାଦ କରି ଦୃଢ଼ ଭାବରେ ମତବ୍ୟକ୍ତ କଲେ ଯେ ଯେଉଁମାନେ ତ୍ୟାଗକରି ସ୍ୱରାଜ୍ୟ ଆଣିଛନ୍ତି ସେମାନେ ଶାସନକ୍ଷେତ୍ରରେ ଉପକୃତ ହେଲେ ଦୋଷ କିଛି ନାହିଁ । ମନ୍ତ୍ରୀ ହେଲେ ବୋଲି ସେ ତ୍ୟାଗୀ ହେବେ ଏପରି ଧାରଣା ପୁରୁଣାକାଳିଆ ମନୋବୃତ୍ତିର ପରିଚାୟକ । ଶାସନରେ ପଶିଲେ ବ୍ୟବସାୟ ବାଣିଜ୍ୟ ପ୍ରସାର ଲାଭ କରିବ ଏହି ମତ ସାଧାରଣ ଭାବରେ ଗୃହୀତ ହେବାରୁ ବହୁଲୋକ ଶାସକ ଦଳରେ ମିଶିଲେ ଓ ଫଳରେ ଶାସକଦଳ ଭ୍ରଷ୍ଟ ହେଲା ।

 

ଏହି ଓଡ଼ିଶା କଥାକୁ ତୁଟାଇବା ପାଇଁ ସ୍ୱର୍ଗତ ଲାଲବାହାଦୂର ଶାସ୍ତ୍ରୀ ଯେତେବେଳେ ପରାମର୍ଶ ଦେଲେ ଯେ ଗଲାକଥାକୁ ଭୁଲିଯାଇ ଆଉ ମନ୍ତ୍ରୀଙ୍କ ପରିବାର କେହି ସରକାରଙ୍କ ସହିତ ବ୍ୟବସାୟ ବାଣିଜ୍ୟ କରିବେ ନାହିଁ ବୋଲି ଧାର୍ଯ୍ୟ ହେଉ । ଏହାର ତୀବ୍ର ପ୍ରତିବାଦ କରାହୋଇଥିଲା ସମ୍ବାଦପତ୍ରରେ ସଂପୃକ୍ତ ବ୍ୟକ୍ତିମାନଙ୍କ ଦ୍ୱାରା । ସେଇଠି ସେ କଥା ବନ୍ଦ ହେଲା ।

 

ସାଧାରଣ ଗୃହସ୍ଥ ଜୀବନରେ ଯେଉଁ ସଂକୋଚ ଓ ସୀମା ପ୍ରତି ସମ୍ମାନ ପ୍ରଦର୍ଶନ ହୁଏ ସେତିକି ତ ଅନ୍ତତଃ ପ୍ରତିନିଧିମାନଙ୍କଠାରେ ରହିବା ଉଚିତ । ଏ ସୀମା ସର୍ବସ୍ୱ ତ୍ୟାଗର ନୁହେଁ ବା ଗାନ୍ଧିଜୀଙ୍କ ଅପରିଗ୍ରହ ନୁହେଁ । ଏ ସୀମାଟି ହେଉଛି ସାଧାରଣ ଅର୍ଥକୁ ଆତ୍ମସାତ ନ କରିବା । ସାଧାରଣ ଅର୍ଥରେ ସାଧାରଣ ଯେତିକି ଉପକୃତ ହେବେ ମନ୍ତ୍ରୀ ମଧ୍ୟ ସେତିକି; ତା’ଠାରୁ ବେଶି ନୁହେଁ । ଏତିକି ସମସ୍ତେ ବୁଝିବାର କଥା । ମାତ୍ର ସଂକୋଚ ଓ ସୀମାକୁ ମାନିଲେ ସିନା ସେ ସବୁର ସମ୍ମାନ ଅଛି । ନଚେତ୍‌ ସେ ସବୁ ତୁଚ୍ଛ । ଏଣୁ ଏ ସମ୍ପର୍କରେ ନିର୍ଦ୍ଦିଷ୍ଟ ଆଇନଗତ ବ୍ୟବସ୍ଥା ହେବା ଉଚିତ । ବ୍ୟକ୍ତିଗତ ବିଚାର ଉପରକୁ ଛାଡ଼ିଦେଲେ ‘‘ମାନିଲେ ଠାକୁର ନ ମାନିଲେ କୁକୁର’’ ଅବସ୍ଥା ଉପୁଜିବ ।

Image

 

୨୬-୧-୬୯

ରବିବାର

 

ବ୍ୟକ୍ତିଗତ ସ୍ୱାଧୀନତା ଓ ଆଇନର ଶାସନ

 

ଆଜି ଜାନୁଆରୀ ତା ୨୬ ରିଖ ଭାରତ ସାଧାରଣତନ୍ତ୍ର ଦିବସ ପାଳନ କରୁଛି । ଏହି ଦିନଟି ୧୯୩୦ ସାଲ ଲାହୋର କଂଗ୍ରେସ ଅଧିବେଶନଠାରୁ ସ୍ୱାଧୀନତା ଦିବସରୂପେ ପାଳିତ ହୋଇ ଆସୁଛି । ଆଜି ପ୍ରତ୍ୟେକେ ସ୍ୱାଧୀନତାକୁ ଉପଲବ୍‌ଧି କରିବା ଉଚିତ । ସ୍ୱାଧୀନତାର ବୀଜମନ୍ତ୍ର ହେଉଛି ବ୍ୟକ୍ତିଗତ ସ୍ୱାଧୀନତା । ସମାଜର ହିତ କଳ୍ପେ ସେ ସ୍ୱାଧୀନତାକୁ କେବଳ ଆଇନଦ୍ୱାରା କ୍ଷୁଣ୍ଣ କରାଯାଇପାରେ, ଅନ୍ୟ କାହାରି ଦ୍ୱାରା ନୁହେଁ । ଯେଉଁ ସମାଜରେ ସାମରିକ ଶାସନ ବା ଦଳର ଏକଛତ୍ର ଶାସନ ପ୍ରତିଷ୍ଠିତ ହୋଇଛି ସେଠି ମଧ୍ୟ ବ୍ୟକ୍ତିଗତ ସ୍ୱାଧୀନତା ପାଇଁ ତୁମୁଳ ଆନ୍ଦୋଳନ ଚାଲିଛି । ପାକିସ୍ତାନରେ ଏହି ବ୍ୟକ୍ତିଗତ ସ୍ୱାଧୀନତା ଦାବିକରି ଲୋକେ କାରାବରଣ କରୁଛନ୍ତି ଓ ଗୁଳିରେ ପ୍ରାଣ ଦେଉଛନ୍ତି । ଏହି ସ୍ୱାଧୀନତା ପାଇଁ କମ୍ୟୁନିଷ୍ଟ ରାଷ୍ଟ୍ର ଚେକୋସ୍ଲୋଭାକିଆରେ ଯୁବକ ଅଗ୍ନିରେ ଝାସ ଦେଇ ଦେଉଛି । ସେହି ଦାବି ରୁଷିଆରେ ମଧ୍ୟ ମୁଣ୍ଡ ଟେକିଛି । ଅନ୍ତରୀକ୍ଷ ଯାତ୍ରୀମାନଙ୍କ ଶୋଭାଯାତ୍ରା ଉପରକୁ ଗୁଳି ଫଏର କରିବା କିଛି ସାଧାରଣ ଘଟଣା ନୁହେଁ । ଅବଶ୍ୟ ପ୍ରଥମେ ଯେ ଏକାଧିପତ୍ୟକୁ ଆହ୍ୱାନ କରେ ସେ ପାଗଳ ବୋଲି ପରିଗଣିତ ହୁଏ; କିନ୍ତୁ ପରେ ସେହି ପାଗଳାମି ସମସ୍ତ ସମାଜକୁ ପରିଚାଳନା କରେ । ଏହି ଦେଶରେ ଏକ ସମୟରେ ବ୍ୟକ୍ତିଗତ ସ୍ୱାଧୀନତା ପାଇଁ ଆନ୍ଦୋଳନ ହୋଇଥିଲା । କିନ୍ତୁ ଇଂରେଜ ଶାସନ ଆଇନର ଶାସନ ହୋଇଥିବାରୁ ସେ ଆନ୍ଦୋଳନ ସେପରି ତୀବ୍ର ହୋଇ ନଥିଲା । ତଥାପି ସିଭିଲ ଲିବର୍ଟି ୟୁନିଅନ ସେତେବେଳେ ବହୁ ସ୍ଥାନରେ ସକ୍ରିୟ ଶକ୍ତିଶାଳୀ ଅନୁଷ୍ଠାନ ଭାବରେ ଗଢ଼ି ଉଠିଥିଲା । ଆଜି ସ୍ୱରାଜ୍ୟରେ ସେହି ଆଇନର ଶାସନ ପ୍ରତି ବିଶ୍ୱାସ ଦୃଢ଼ କରିବାକୁ ହେବ । ଆଇନର ଶାସନର ପରିଚାଳନା ପ୍ରତି ମଦ୍ୟ ସଜାଗ ରହିବାକୁ ହେବ । ଇଂରେଜୀରେ ଏକ କଥା ଅଛି– ସ୍ୱାଧୀନତା ରକ୍ଷାପାଇଁ ଆହୋରାତ୍ର ସଜାଗ ରହିବାକୁ ହେବ । ସେହି ହେଉଛି ସ୍ୱାଧୀନତାର ମୂଲ୍ୟ । ସେହିପରି ବ୍ୟକ୍ତିଗତ ସ୍ୱାଧୀନତା ରକ୍ଷା ପାଇଁ ମଧ୍ୟ ସଦାସର୍ବଦା ସଜାଗ ରହିବାକୁ ହେବ । ଶାସନ ଯେଉଁମାନଙ୍କ ଦ୍ୱାରା ପରିଚାଳିତ ଅର୍ଥାତ୍‌ ପୋଲିସ ଓ ମାଜିଷ୍ଟ୍ରେଟ ସେମାନେ ଯେପରି ଆଇନ ଅନୁସାରେ କାର୍ଯ୍ୟ କରନ୍ତି ଓ ମନ ଅନୁସାରେ କାହାରି ବ୍ୟକ୍ତିଗତ ସ୍ୱାଧୀନତାରେ ବାଧା ନ ପହୁଞ୍ଚାନ୍ତି ସେଥିପ୍ରତି ସବୁବେଳେ ସତର୍କ ରହିବାକୁ ହେବ ।

 

ଅଳ୍ପ କେତେବର୍ଷ ହେଲା ଶାସନରେ ଆଇନ ପ୍ରତି ଦୃଷ୍ଟି ଦିଆ ହେଉଛି ବୋଲି ବିଶ୍ୱାସ ନ ହେଉଥିବାରୁ ବହୁ ଲୋକ ଆଇନ ଅଦାଲତର ଆଶ୍ରୟ ନେଉଛନ୍ତି । ଓଡ଼ିଶା ହାଇକୋର୍ଟରେ ବର୍ତ୍ତମାନ ପ୍ରାୟ ତିନି ହଜାର ରିଟ ମୋକଦ୍ଦମା ବିଚାରାଧୀନ ଅଛି । ଏଥିରେ ପ୍ରାୟ ଅର୍ଦ୍ଧେକ ସରକାରୀ କର୍ମଚାରୀମାନଙ୍କ ଦ୍ୱାରା ଆଗତ । ଯଦି ସରକାରୀ କର୍ମଚାରୀମାନେ ବହୁ ସଂଖ୍ୟାରେ ମନେ କରନ୍ତି ଯେ ସେମାନଙ୍କ ବିଭାଗ ଠିକ ଆଇନ ଅନୁସାରେ କାମ କରୁନାହାନ୍ତି, ତେବେ ଶାସନ ସାଧାରଣଙ୍କ ପ୍ରତି ବା କି ନ୍ୟାୟ କରିପାରିବ ? ଆଇନର ଶାସନ ପ୍ରତି ବିଶ୍ୱାସ ଜନ୍ମାଇବା ଦାୟିତ୍ୱ ଉପରିସ୍ଥ କର୍ମକର୍ତ୍ତାମାନଙ୍କ ଉପରେ । ପରିଶ୍ରମକାତର ହୋଇ ବା କର୍ତ୍ତବ୍ୟରେ ପୂର୍ଣ୍ଣ ମନ ପ୍ରୟୋଗ ନ କରି କୌଣସି ପ୍ରକାରେ କାମ ସାରିବାକୁ ଯଦି କର୍ତ୍ତୃପକ୍ଷ ମନେ କରନ୍ତି ତେବେ ଆଇନର ଶାସନ ପ୍ରତି ବିଶ୍ୱାସ ତୁଟିଯିବାର କଥା । ଏଇଥିପାଇଁ ଆଜି ବହୁସଂଖ୍ୟାରେ ଗିରଫଦାରୀ, ବହୁ ସଂଖ୍ୟାରେ ଲୁହବୁହା ଗେସ୍‌ ବା ଗୁଳିର ବ୍ୟବହାର ଏସବୁ ହେଉଛି । ଅବଶ୍ୟ ଶାସନ ଯେପରି ଆଇନପ୍ରତି ଦୃଷ୍ଟି ଦେବ ସାଧାରଣ ଲୋକ ମଧ୍ୟ ସେହିପରି ଦୃଷ୍ଟି ଦେବା ଉଚିତ । କିନ୍ତୁ ସାଧାରଣ ଲୋକଙ୍କ ଦୋଷ ଦେଇ ଶାସନ ନିଜ ଦାୟିତ୍ୱରୁ ମୁକ୍ତି ପାଇ ପାରିବ ନାହିଁ । ଏଣୁ ଆଜି ସ୍ୱାଧୀନତା ଦିବସରେ ପ୍ରତ୍ୟେକ ନାଗରିକ ଓ ବିଶେଷତଃ ପ୍ରତ୍ୟେକ ସାନ ବଡ଼ ଶାସନାଧିକାରୀ ଦୃଢ଼ ସଂକଳ୍ପ କରନ୍ତୁ ଯେ ଏ ଦେଶରେ ଆଇନର ଶାସନ ଓ ବ୍ୟକ୍ତିଗତ ସ୍ୱାଧୀନତାକୁ ଦୃଢ଼ କରି ଭାରତର ସ୍ୱରାଜ୍ୟକୁ ଆଦର୍ଶସ୍ଥାନୀୟ କରିବାକୁ ହେବ ।

Image

 

୩-୩-୬୯

ସୋମବାର

 

ଯୁଗ ପରିବର୍ତ୍ତନ

 

ଭାରତର (ପାକିସ୍ତାନ ସମେତ) ରାଜନୀତି କ୍ଷେତ୍ରରେ ଅଲକ୍ଷିତ ଭାବରେ ଯେଉଁ ଯୁଗ ପରିବର୍ତ୍ତନ ଘଟୁଛି ସେଥିପ୍ରତି ରାଜନୈତିକ ନେତୃତ୍ୱର ଦୃଷ୍ଟି ନପଡ଼ୁ ପଛକେ, ସାଧାରଣ ବୁଦ୍ଧି ସମ୍ପନ୍ନ ବିଭିନ୍ନ ଶ୍ରେଣୀର ଜନସାଧାରଣ ଯେ ତାହା ଉପଲବ୍‌ଧି କରି ପାରୁଛନ୍ତି ଏଥିରେ ସନ୍ଦେହ ନାହିଁ । ଯୁଗ ପରିବର୍ତ୍ତନ ଅଲକ୍ଷିତ ଭାବରେ ହିଁ ହୋଇଥାଏ ଓ ଯେଉଁମାନେ କର୍ତ୍ତୃତ୍ୱରେ ଥାଆନ୍ତି ସେମାନେ ତାହା ଜାଣିପାରନ୍ତି ନାହିଁ । କିନ୍ତୁ ବାହାରର ଲୋକ ତା’କୁ ଭଲଭାବରେ ଉପଲବ୍‌ଧି କରିପାରନ୍ତି । ସ୍ୱାଧୀନତାର କୋଡ଼ିଏ ବାଇଶବର୍ଷ ପରେ ରାଜନୈତିକ ଉଦ୍ଦେଶ୍ୟ ଓ ରାଜନୈତିକ ଦଳର ରୂପରେଖ କ୍ରମେ କ୍ରମେ ବଦଳି ବଦଳି ଆଜି ପରିବର୍ତ୍ତନର ଶେଷ ଅବସ୍ଥାରେ ପହଞ୍ଚିଛି । ପାକିସ୍ତାନ ଗଣତନ୍ତ୍ରର ପରୀକ୍ଷା କରି ସାରିଲାପରେ ସାମରିକ ଶାସନର ପରୀକ୍ଷା କଲା । ପୁଣି ନିୟନ୍ତ୍ରିତ ଗଣତନ୍ତ୍ରର ପରୀକ୍ଷା ହେଲା । ଶେଷରେ ସେ ଦେଶର ରାଜନୈତିକ ସ୍ଥିତି ସମ୍ପୂର୍ଣ୍ଣ ଭାବରେ ଦୋହଲି ଯାଇଛି । ଏଣିକି ସମ୍ପୂର୍ଣ୍ଣ ପରିବର୍ତ୍ତିତ ସ୍ଥିତିର ବିଚାର ଚାଲିଛି । କିନ୍ତୁ ସେଠାରେ କର୍ତ୍ତୃପକ୍ଷ ଏ ପରିବର୍ତ୍ତନର ସୂଚନା ଆଗରୁ ଜାଣିପାରିଲେ ନାହିଁ ବୋଲି ଶେଷରେ ବାଧ୍ୟ ହୋଇ ପରିବର୍ତ୍ତନଟିକୁ ସ୍ୱୀକାର କଲେ । ଭାରତରେ ସେହିପରି ୧୯୬୭ର ସାଧାରଣ ନିର୍ବାଚନରେ ପରିବର୍ତ୍ତନର ଯେଉଁ ସୂଚନା ମିଳିଲା ସେଥିପ୍ରତି କୌଣସି ଦଳର ନେତୃତ୍ୱର ଦୃଷ୍ଟି ପଡ଼ିଲା ନାହିଁ । ପୁଣି ମଧ୍ୟବର୍ତ୍ତୀକାଳୀନ ନିର୍ବାଚନରେ ସେ ପରିବର୍ତ୍ତନ ଆହୁରି କ୍ଷିପ୍ରତର ହେଲା । ପରିବର୍ତ୍ତନର ସ୍ରୋତ ଚାଲିଛି । କେଉଁଠି ଏହାର ପରିଣତି ତାହା ଚିନ୍ତାଶୀଳ ବ୍ୟକ୍ତିମାନେ ଅନୁମାନ କରିବା ଉଚିତ । କଂଗ୍ରେସର ଏକ-ଦଳୀୟ ଶାସନ ଯେ ଏ ଦେଶରେ ଆଉ ରହିବ ନାହିଁ, ଏହା ସ୍ପଷ୍ଟ ହୋଇଗଲାଣି । ଆସନ୍ତା ସାଧାରଣ ନିର୍ବାଚନରେ କେନ୍ଦ୍ରରେ ମଧ୍ୟ କଂଗ୍ରେସ ଶାସନ ରହିପାରିବା ନିଶ୍ଚିତ ନୁହେଁ । ଯେଉଁ ଚାରୋଟି ପ୍ରଦେଶରେ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ହୋଇଗଲା ସେଠି ବେଶି ସଂଖ୍ୟାରେ କଂଗ୍ରେସ ଦଳର ପ୍ରାର୍ଥୀ ବ୍ୟବସ୍ଥା ସଭାକୁ ନିର୍ବାଚିତ ନହୋଇଥିବା ଅବସ୍ଥାରେ ଆସନ୍ତା ନିର୍ବାଚନରେ ଯେତେବେଳେ କେବଳ ଲୋକସଭା ପାଇଁ ନିର୍ବାଚନ ହେବ ସେତେବେଳ କଂଗ୍ରେସ ଦଳ ଅତି ଅସୁବିଧାରେ ପଡ଼ିବ । ବର୍ତ୍ତମାନ ବିରୋଧୀଦଳ ସମୂହ ଓ କଂଗ୍ରେସ ଦଳ ମଧ୍ୟରେ ଲୋକସଭାରେ ଯେଉଁ ପ୍ରାୟ ଚାଳିଶ ଜଣ ମାତ୍ରର ପ୍ରଭେଦ ଅଛି ସେତକି ଲୋପ ପାଇ ଯାଇପାରେ ଓ କଂଗ୍ରେସ ଦଳ ସଂଖ୍ୟା ଲଘୁ ହୋଇଯାଇ ପାରେ– ଏହା ସହଜରେ ଅନୁମାନ କରାଯାଉଛି । ହୁଏତ କେନ୍ଦ୍ରରେ ଅନିଶ୍ଚିତ ଅବସ୍ଥା କିଛିକାଳ ଚାଲିବ । ତା’ପରେ ସ୍ଥିର ଅବସ୍ଥା ଆସିବ । ନୀତି ଓ ଆଦର୍ଶବାଦ ଘେନି ଦଳ ଦଳ ମଧ୍ୟରେ ଯେଉଁ ପ୍ରକାରର ବିଭେଦ ଗତ ଅନେକବର୍ଷ ହେଲା କାର୍ଯ୍ୟ କରି ଆସିଛି ତାହା ମଧ୍ୟ ରହିପାରୁନାହିଁ । କଂଗ୍ରେସର ଦୃଢ଼ମତ ଥିଲା ଯେ ସ୍ୱତନ୍ତ୍ର ଦଳ ପ୍ରତିକ୍ରିୟାଶୀଳ । କିନ୍ତୁ ବିହାରରେ ସ୍ୱତନ୍ତ୍ର ଦଳ ସମର୍ଥନରେ କଂଗ୍ରେସ ମନ୍ତ୍ରିମଣ୍ଡଳ ଗଠନ କଲାପରେ ଆଉ ସେ ବିଭେଦ ରହିଲା ନାହିଁ ଓ ଅନ୍ୟତ୍ର ମଧ୍ୟ ରହିବ ନାହିଁ । ଯେପରି ଦେଖାଯାଉଛି ଏକ ଦିଗରେ ‘‘ପାର୍ଲାମେଣ୍ଟେରୀ ଗଣତନ୍ତ୍ର’’କୁ ରକ୍ଷା କରିବାପାଇଁ ନିଜ ନିଜ ନୀତି ଓ ଆଦର୍ଶକୁ ପଛରେ ପକାଇ ଦେଇ ଅନେକ ଦଳ ଏକତ୍ରିତ ହେବେ; ଅନ୍ୟ ଦିଗରେ ‘ଜନତାର ଗଣତନ୍ତ୍ର’ ସ୍ଥାପନ କରିବାପାଇଁ ଆଉ କେତେକ ଦଳ ଏକଜୁଟ ହେବେ । ଏହିପରି ସବୁ ଦଳଯାକ କୂଳ ଧରି ଯିବେ । ପାର୍ଲାମେଣ୍ଟାରୀ ଗଣତନ୍ତ୍ରରେ ଯେଉଁ ଅସନ୍ତୋଷ ପ୍ରକାଶ ପାଉଛି, ତାକୁ ଦୂର କରିବା ଦିଗରେ ଏବେ ସୁଦ୍ଧା କେନ୍ଦ୍ରର କଂଗ୍ରେସ ନେତୃତ୍ୱର ଦୃଷ୍ଟି ପଡ଼ୁନାହିଁ । ଗତାନୁଗତିକ ରୀତିରେ ପ୍ରଚଳିତ ଶାସନ ବିଧାନକୁ ଧରି ରଖିବା ପାଇଁ ପ୍ରାଣବିକଳ ଉଦ୍ୟମ ହେଉଛି । ଏହାହିଁ ରାଜନୈତିକ ସଙ୍କଟର କାରଣ-। ଚାରୋଟି ସାଧାରଣ ନିର୍ବାଚନ ଓ ଅନେକ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ଫଳରେ ଜନସାଧାରଣ ଜ୍ଞାନ ଓ ଚେତନା ବୃଦ୍ଧି ପାଉଛି । ସେମାନେ ଆଉ ପୂର୍ବପରି ଅଜ୍ଞ ଜଡ଼ ଅବସ୍ଥାରେ ନାହାନ୍ତି । ସେମାନେ ଚାହାନ୍ତି ବିଭିନ୍ନ ପ୍ରଶ୍ନର ସନ୍ତୋଷଜନକ ଉତ୍ତର । ଦଳଗତ ବିବାଦରେ ସେମାନେ ଆଗ୍ରହୀ ନୁହନ୍ତି ବା କିଏ ମୁଖ୍ୟମନ୍ତ୍ରୀ ବା ପ୍ରଧାନମନ୍ତ୍ରୀ ହେବେ ସେଥିରେ ସେମାନେ ଆଗ୍ରହୀ ନୁହନ୍ତି-। ‘‘ମୁଁ ଏହା କରିଥିଲି ବା ଏହା କରିଦେବି’’ ଏ ପ୍ରକାର ଆତ୍ମାମ୍ଭରି ପ୍ରଚାରରେ ଜନସାଧାରଣ ପ୍ରତାରିତ ହେବେ ନାହିଁ । ପ୍ରତ୍ୟେକ ଦଳ ନିଜର ନୀତି ଓ ଆଦର୍ଶକୁ ଭଲ ଭାବରେ ବୁଝାଇ ସେଥିପ୍ରତି ସାଧାରଣଙ୍କର ବିଶ୍ୱାସ ଜନ୍ମାଇବା ଆବଶ୍ୟକ ହେଉଛି । ହୋଇପାରେ କିଛିକାଳ କୌଣସି ନୀତିକୁ ଲୋକେ ଗ୍ରହଣ କରିବେ ନାହିଁ । କିନ୍ତୁ ଶେଷରେ ସେ ନୀତି ଗୃହୀତ ହେବ ଏ ବିଶ୍ୱାସ ଯେଉଁ ଦଳର ନାହିଁ ସେ ଦଳ ପରିବର୍ତ୍ତନର ସ୍ରୋତରେ କୁଆଡ଼େ ଭାସିଯିବ ଏଥିରେ ସନ୍ଦେହ ନାହିଁ । କେବଳ ଶାସନ ଗାଦିକୁ ଅଧିକାର କରି ବସିଲେ ଯେ ହେଲା ତାହା ନୁହେଁ । ଆୟୁବ ବସିଥିଲେ ଦୃଢ ଭାବରେ ଶାସନରେ । ସେ ତିଷ୍ଠି ପାରିଲେ ନାହିଁ । ଗତ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ଓ ତତ୍‌ପୂର୍ବ ସାଧାରଣ ନିର୍ବାଚନରେ କେତେ ତଥାକଥିତ ନେତା କୁଆଡ଼େ ଉଡ଼ିଗଲେ-। ଏତେ କଥା ହେଲା ପରେ ଓ ହେଉଥିବା ଅବସ୍ଥାରେ ଯଦି ସେହି ଚିରାଚରିତ ‘ଅହଂ’ ବାଦ ଚାଲେ ତେବେ ଲୋକେ ସେଥିପ୍ରତି ଦୃଷ୍ଟି ଦେବେ ନାହିଁ । ଓଡ଼ିଶାରେ ସାଧାରଣ ନିର୍ବାଚନରେ ପ୍ରାୟ ଦୁଇବର୍ଷ ପରେ କଂଗ୍ରେସ ପକ୍ଷରୁ ସଭାସମିତି କରାହେଉଛି । ଗଣତନ୍ତ୍ରରେ ସଭା ସମିତି ହେଉଛି ଅତ୍ୟାବଶ୍ୟକୀୟ ଅଙ୍ଗ । ଲୋକେ ସବୁ କଥା ବୁଝିବେ, ଜାଣିବେ, ମତ ଗଠନ କରିବେ ଓ ସେହି ମତ ଅନୁସାରେ କାର୍ଯ୍ୟ ହେବ ଏହି ହେଲା ନୀତି । କିନ୍ତୁ ଯେତୋଟି ସଭା ସମିତିର ବିବରଣୀ ପ୍ରକାଶିତ ହୋଇଛି ସେଥିରେ କଂଗ୍ରେସର ନୀତି ଓ ବର୍ତ୍ତମାନ ଅବସ୍ଥାରେ ବିଭିନ୍ନ ସମସ୍ୟାର ସମାଧାନ ସମ୍ବନ୍ଧରେ କଂଗ୍ରେସର ମତ ଓ କାର୍ଯ୍ୟକ୍ରମ ଏସବୁ ସମ୍ବନ୍ଧରେ ତ କିଛି କୁହା ହେଉନାହିଁ-। ନିଜର ବଡ଼ପଣିଆ ଓ ଅନ୍ୟର ନିନ୍ଦା ଏହି ପ୍ରକାର ବ୍ୟକ୍ତିଗତ ପ୍ରଚାର ମାତ୍ର ହେଉଛି-। ଏଥିରେ କଂଗ୍ରେସର କି କାର୍ଯ୍ୟ ସାଧିତ ହେଉଛି ବୁଝାପଡ଼ୁ ନାହିଁ । ଅବଶ୍ୟ ଏହା କଂଗ୍ରେସର ଆଭ୍ୟନ୍ତରୀଣ ବ୍ୟାପାର । କିନ୍ତୁ ବୁଦ୍ଧିମାନ ଜନତା ସବୁ କଥାକୁ ଟିକିନିଖି ପରୀକ୍ଷା କରି ସେମାନଙ୍କ ନିଜର ବହୁ ସମସ୍ୟାର ସମାଧାନ ଦିଗରେ କେଉଁ ଦଳ କି କାର୍ଯ୍ୟ କରିପାରିବେ ସେ କଥା ବିଚାର କରିବେ ନିର୍ବାଚନ ବେଳକୁ । ଜନତାକୁ ଅଜ୍ଞ ମନେକରନ୍ତି ଅଜ୍ଞ ଲୋକେ, ଭାରତର ଜନତା ସେମାନଙ୍କ ସାଧାରଣ ଜ୍ଞାନର ପ୍ରମାଣ ବରାବର ଦେଇ ଆସିଛନ୍ତି । ପ୍ରଶ୍ନ ହେଉଛି ସେ ପ୍ରମାଣରୁ ଆମେ କିଛି ଶିଖିବା କି ନାହିଁ ? ଆମେ ନ ଶିଖିଲେ ଅନ୍ୟ ଲୋକେ ଶିଖିବେ ଓ ଶିଖୁଛନ୍ତି । ଏକାକୀ ଦେଶର ସମସ୍ତ ସମସ୍ୟା ସମାଧାନ କରିଦେବ, ଏ ‘ଅହଂ’ କଂଗ୍ରେସର ବର୍ତ୍ତମାନ ସୁଦ୍ଧା ଜାରି ରହିଛି-। ଏଇଥିରେ କଂଗ୍ରେସର ପରିଚାଳନା ଶକ୍ତି ହ୍ରାସ ପାଇଯାଉଛି । କଂଗ୍ରେସକୁ ଛାଡ଼ିଦେଲେ ଅନ୍ୟ ଦଳମାନେ ମଧ୍ୟ କ୍ରମେ ପାଖକୁ ପାଖ ଆସିବା ଉଚିତ । ତା ମଧ୍ୟ ସମ୍ଭବ ହେଉ ନାହିଁ । ଏହି ହେଉଛି ସମ୍ପୂର୍ଣ୍ଣ ଯୁଗପରିବର୍ତ୍ତନର ସୂଚନା ।

Image

 

୬-୬-୬୯

ଶୁକ୍ରବାର

ଧୀର ବିଚାର ଆବଶ୍ୟକ

 

ଅଳ୍ପଦିନ ତଳେ ଓଡ଼ିଶାର ଜଣେ ବିଶିଷ୍ଟ ବ୍ୟକ୍ତି ମତ ପ୍ରକାଶ କରିଥିଲେ ଯେ ନକ୍‌ସଲାଇଟ ନାମରେ ଯେଉଁ ରାଜନୈତିକ ଦଳ ନୂଆ ବାହାରିଛି ତାହାର ନୀତି ପ୍ରଶଂସନୀୟ । ପ୍ରାୟ ସେହିପରି ମତ ଏବେ ସର୍ବୋଦୟ ନେତା ଜୟପ୍ରକାଶ ନାରାୟଣ ମଧ୍ୟ ବ୍ୟକ୍ତି କରିଛନ୍ତି । ଏ ନୂତନ ନୀତିଟି କଅଣ ତାହା ଜାଣିବା ପାଇଁ ଚେଷ୍ଟା କରି ଯେତିକି ଜାଣିଲି ତାହା ଏହା । ଗଣତନ୍ତ୍ର ବା ଭୋଟଦିଆ ପଦ୍ଧତିରେ ଯେଉଁ ଶାସନ ଚାଲିଛି ସେଥିରେ ଦଳିତ, ନିଷ୍ପେଷିତ, ଅତ୍ୟାଚାରିତ ଶ୍ରେଣୀର ମୁକ୍ତିଲାଭ ସମ୍ଭବ ନୁହେଁ । ଅତ୍ୟାଚାରୀ ଶୋଷକ ଶ୍ରେଣୀର ଧ୍ୱଂସ ସାଧିତ ନ ହେଲେ ଶୋଷିତର ଉଦ୍ଧାର ନାହିଁ । ସେ ଧ୍ୱଂସ ସାଧନ ବଳ ଦ୍ୱାରାହିଁ ହେବ ଯୁକ୍ତି ଦ୍ୱାରା ନୁହେଁ । ଏହା କିଛି ନୂତନ ନୀତି ନୁହେଁ । ଏହାହିଁ ହେଉଛି ଅତି ପୁରାତନ କମ୍ୟୁନିଷ୍ଟ ମତବାଦ ଓ ଏହାର ପ୍ରୟୋଗ ଓ ଉପଯୋଗିତା ସମ୍ବନ୍ଧରେ ଏତେ ଲେଖା ପ୍ରକାଶ ପାଇଛି ଯେ ସେ ସମ୍ବନ୍ଧରେ ଆଉ ନୂତନ ବ୍ୟାଖ୍ୟାର ଅବକାଶ ବୋଧହୁଏ ନାହିଁ । ସେହି ନୀତି ବିଭିନ୍ନ ଦେଶରେ ବିଭିନ୍ନ ଭାବରେ ପ୍ରୟୋଗ କରା ହୋଇଛି । ଭାରତରେ ସେହି ନୀତିର ପ୍ରୟୋଗବେଳେ ଅହିଂସାବାଦ ବା ଗାନ୍ଧୀବାଦର ପ୍ରବର୍ତ୍ତନ ହେତୁ ଯେଉଁ ସ୍ଥିତି ଉପୁଜିଲା ସେଥିରେ ପାଶ୍ଚାତ୍ୟ ଦେଶମାନଙ୍କର ସମାଜବାଦର ଗତି ଯେପରି ହୋଇଥିଲା, ଭାରତରେ ସେପରି ହେଲାନାହିଁ । ଏହାର ମୁଖ୍ୟ କାରଣ ହେଉଛି ଏହି ଯେ ସମାଜବାଦ ଓ ଅହିଂସାବାଦର ଚରମ ଲକ୍ଷ୍ୟ ଏକ କେବଳ ସାଧନ କ୍ଷେତ୍ରରେ ଭେଦ ରହିଛି । ସେ ଯାହାହେଉ ୧୯୨୪ ସାଲରେ ସମାଜବାଦରେ ବିଶ୍ୱାସ କରୁଥିବା ରାଜନୈତିକ ଦଳମାନ କ୍ରମେ ଅହିଂସାବାଦ ବା ଗଣତନ୍ତ୍ର ପଦ୍ଧତିକୁ ଗ୍ରହଣ କରି ଆସିଛନ୍ତି । ଜୟପ୍ରକାଶଙ୍କ ନେତୃତ୍ୱରେ ତତ୍କାଳୀନ ସମାଜବାଦୀ ଦଳ ଶାସନ ବିଧାୟକ ସଭାକୁ ବର୍ଜ୍ଜନ କରିଥିଲେ କାରଣ ସେ ପ୍ରକାର ସମ୍ମିଳନୀରେ ଭାରତରେ ସମାଜବାଦୀ ଶାସନ ବିଧାନ ପ୍ରଣୀତ ହେବାର ସମ୍ଭାବନା ନାହିଁ ବୋଲି ସେମାନେ ବିଚାରିଲେ । ସେ ଦଳ ଆଜି ଗଣତନ୍ତ୍ର ପଦ୍ଧତିର ମୁଖ୍ୟ ବାର୍ତ୍ତାବହ । ତା’ପରେ ଭାରତୀୟ କମ୍ୟୁନିଷ୍ଟପାର୍ଟି ବିପ୍ଳବରେ ବିଶ୍ୱାସ କରି ବହୁବର୍ଷ ଚାଲିବା ପରେ ଅବସ୍ଥାର ଚାପରେ ଗଣତନ୍ତ୍ର ପଦ୍ଧତିକୁ ଗ୍ରହଣ କଲେ । ଏହା ହେଲା ପରେ ପୁଣି ଉଦ୍ଭବ ହେଲା ବାମପନ୍ଥୀ କମ୍ୟୁନିଷ୍ଟ ଦଳ । ଏମାନେ ଧୀରେ ଧୀରେ ଗଣତନ୍ତ୍ର ପଦ୍ଧତିକୁ ଆସିବାବେଳକୁ ଆଉ ଏକ ଦଳ ବାହାରିଯାଇ ବିପ୍ଳବର ସ୍ୱର ଉଠାଇଛନ୍ତି । ଗତ ଚାଳିଶବର୍ଷର ଇତିହାସରୁ ସ୍ପଷ୍ଟ ଜଣାଯିବ ଯେ ହଠାତ୍‌ ହଠାତ୍‌ ନିଜ ମନ ଅନୁସାରେ କାମ ହୋଇଯାଉ ନହେଲେ ସବୁ ଭାଙ୍ଗି ତୁଟିଯାଉ ଏପରି ମତପୋଷଣ କରିବା ପାଇଁ ବହୁ ବ୍ୟକ୍ତି ଅଛନ୍ତି । ଏମାନେ ଶିକ୍ଷିତ, ବୁଦ୍ଧିମାନ ଓ ଦେଶପ୍ରେମୀ । ଏମାନଙ୍କ ଅଧୀର ହେବାର ମଧ୍ୟ କାରଣ ଅଛି । ପ୍ରଥମ ବିଶ୍ୱଯୁଦ୍ଧ ପରେ ଜର୍ମାନୀ ଓ ଇଟାଲୀରେ ସମାଜବାଦୀ ଶାସନ ହିଁ ପ୍ରତିଷ୍ଠିତ ହୋଇଥିଲା ଗଣତନ୍ତ୍ର ପଦ୍ଧତିକୁ ଭାଙ୍ଗି ଦିଆହୋଇ । ସେ ସମୟର ସେ ଦେଶମାନଙ୍କର ଗଣତନ୍ତ୍ର ପଦ୍ଧତିର କାର୍ଯ୍ୟକଳାପ ଆଜି ପଢ଼ିଲେ ମନେ ହେବ ଯେପରିକି ଭାରତର ଅବସ୍ଥା ବର୍ଣ୍ଣନା କରା ହେଉଛି । ବ୍ୟବସ୍ଥା ସଭାରେ ଅବାସ୍ତବ ଆଲୋଚନା, ଶାସନ କ୍ଷେତ୍ରରେ କର୍ମଚାରୀମାନଙ୍କ ଦାୟିତ୍ୱଶୂନ୍ୟତା ଓ କର୍ତ୍ତବ୍ୟ ପ୍ରତି ଅବହେଳା, ରାଜନୈତିକ ପ୍ରତିନିଧିମାନଙ୍କ କ୍ଷୁଦ୍ର କ୍ଷୁଦ୍ର ସ୍ୱାର୍ଥରେ ଆଗ୍ରହ ଏସବୁ ଏପରି ବିରକ୍ତିଜନକ ଅବସ୍ଥା ସୃଷ୍ଟି କଲା ଯେ ଶେଷରେ ଗଣତନ୍ତ୍ର ପଦ୍ଧତି ନିନ୍ଦିତ ହୋଇଯାଇ ସମାଜବାଦୀ ଆଧିପତ୍ୟ ସ୍ଥାପିତ ହେଲା । ମାତ୍ର ସେ ଆଧିପତ୍ୟ କିପରି ଫେସିଷ୍ଟ ଆଧିପତ୍ୟରେ ପରିଣତ ହେଲା ତାହା ମଧ୍ୟ ଅନୁଧ୍ୟାନର ବିଷୟ । ସୁଶୃଙ୍ଖଳିତ, ସୁଶିକ୍ଷିତ ଓ ପରୀକ୍ଷିତ ସମାଜବାଦୀ ଲୋକଙ୍କ ଦ୍ୱାରା ଗଠିତ ଓ ସମ୍ପୂର୍ଣ୍ଣ ନିସ୍ୱାର୍ଥପର ନେତୃତ୍ୱ ଦ୍ୱାରା ପରିଚାଳିତ ନ ହେଲେ ଯେ କୌଣସି ପ୍ରକାରର ଏକାଧିପତ୍ୟ ଶେଷରେ ମନମୁଖୀ ଓ ଅତ୍ୟାଚାରୀ ହୋଇଯିବ-। କେବଳ ସମାଜବାଦର ନୀତି ଘୋଷଣା ସେ ଆଧିପତ୍ୟକୁ ଠିକ୍‌ ବାଟରେ ରଖିପାରିବ ନାହିଁ-। ଆଜି ସମାଜବାଦୀ ଜଗତରେ ଯେଉଁ ଉତ୍କଟ ମତଭେଦ ବା ଶତ୍ରୁତା ପ୍ରକାଶ ପାଇଛି ତାହାର ମୂଳକାରଣ ହେଉଛି ପ୍ରତ୍ୟେକ ଦେଶରେ ବିଭିନ୍ନ ଭିତ୍ତିରେ ସମାଜବାଦୀ ଦଳମାନ ଗଠିତ ହୋଇଛି-

 

ଭାରତରେ ଯେଉଁମାନେ ଗଣତନ୍ତ୍ର ପଦ୍ଧତିର କାର୍ଯ୍ୟକଳାପରେ ଅଧୀର ସେମାନେ ଏହାର ବିକଳ୍ପ ପଦ୍ଧତିରେ ବିଶ୍ୱାସ ପୋଷଣ କରି ସେ ଦିଗରେ ଧୀର ନିରବଚ୍ଛିନ୍ନ ଭାବରେ କିଛି ହେଲେ କାର୍ଯ୍ୟ କରୁଥିବାର ଜଣାଯାଉନାହିଁ । ବର୍ଷ ବର୍ଷକାଳ ନିରବଚ୍ଛିନ୍ନ ଭାବରେ ସଂଗଠନ କରିପାରିଲେ ସେ ବିକଳ୍ପ ପଦ୍ଧତି କାର୍ଯ୍ୟକାରୀ ହୋଇ ପାରିବ କି ନାହିଁ ଆଲୋଚନା କରାଯାନ୍ତା ।

 

ଅପ୍ରୀତିକର ହେଲେ ମଧ୍ୟ ଏହା ମନେ ରଖିବାକୁ ହେବଯେ ଭାରତରେ କୌଣସି ଏକ ନୀତିର ଦୃଢ଼ଭାବରେ ବହୁବର୍ଷ କାର୍ଯ୍ୟ କରାହେଉ ନାହିଁ । ଫଳରେ ସବୁ ଜିନିଷ ଗତାନୁଗତିକ ହୋଇଯାଉଛି । ଉଦାହରଣ ସ୍ୱରୂପ ଗାନ୍ଧିଜୀଙ୍କ ଅହିଂସାବାଦ ଅଳ୍ପ କେତେବର୍ଷ କାର୍ଯ୍ୟ କରି ବନ୍ଦହେଲା । ପୁଣି ବିନୋବାଜୀଙ୍କ ଭୂଦାନ ବା ଗ୍ରାମଦାନ ଗତ ପନ୍ଦର ବର୍ଷରେ କେଉଁଠି ଆସି କେଉଁଠି ରହିଲାଣି, ତାହା ସମସ୍ତେ ବୁଝୁଥିବେ । ସେହିପରି ଗଣତନ୍ତ୍ର ପଦ୍ଧତି ଗତ କୋଡ଼ିଏବର୍ଷ ଭିତରେ କେଉଁ ସ୍ତରରୁ ଆସି କେଉଁଠି ପହୁଞ୍ଚିଲାଣି ତାହା ଭୁକ୍ତଭୋଗୀ ମାତ୍ରକେ ଜାଣୁଥିବେ । ଫଳରେ ଗତାନୁଗତିକ ଭାବେ ସବୁ ହୋଇଯାଉଛି ଓ ସେଥିରେ ଆଗକୁ ଗତି କରିବାର ଉତ୍ସାହ କମିଯାଉଛି । ଉତ୍ସାହ ଅଭାବରେ ନୀଚ ପ୍ରବୃତ୍ତିମାନ ଜାଗି ଉଠୁଛନ୍ତି । ମାରପିଟ୍‌ ଲୁଟତରାଜ ଏ ସବୁଥିରେ ମାତିବା ପାଇଁ କୌଣସି ରାଜନୈତିକ ମତ ପ୍ରବର୍ତ୍ତନର ଆବଶ୍ୟକତା ନାହିଁ । ଏ ସବୁ କରିବା ପାଇଁ ବହୁ ଲୋକ ଅଛନ୍ତି । ରାଜନୈତିକ ମତଟି ଏମାନଙ୍କ ବିବେକକୁ ସନ୍ତୁଷ୍ଟ କରି ରଖୁଛି ମାତ୍ର । ମାତ୍ର ଏଥିରେ ପରିଣାମ କେବେହେଲେ ସମାଜର ପରିବର୍ତ୍ତନ ବା ଶୋଷିତର ଉଦ୍ଧାର ହୋଇ ପାରିବ ନାହିଁ । ବରଂ ମାରପିଟ ଲୁଟତରାଜରେ ଶୋଷିତ ମାନେହିଁ ବେଶି କ୍ଷତିଗ୍ରସ୍ତ ହେବେ-। ଏହାର ତାତ୍ତ୍ୱିକ ଆଲୋଚନା ବହୁ କ୍ଷେତ୍ରରେ ବହୁବାର ପୂର୍ବେ ହୋଇଯାଇଛି ।

 

କିନ୍ତୁ କେବଳ ହିଂସାକୁ ନିନ୍ଦାକରି କାମଶେଷ କଲେ ହେବନାହିଁ । ଯେଭଳି ଗଣତନ୍ତ୍ର ଶାସନ ଚାଲିଛି ସେଥିରେ ହତାଶ ହୋଇଯିବା ସ୍ୱାଭାବିକ । ଯୋଜନା ଭୁଲ ବାଟରେ ଯାଇଛି ଏହା ବାରମ୍ବାର ସବୁକ୍ଷେତ୍ରରେ ସ୍ୱୀକୃତ ହେଲେ ମଧ୍ୟ ତା’କୁ ସଜାଡ଼ି ଦେବାର ସୂଚନା ମଧ୍ୟ କେହି ଦୃଢ଼ ଭାବରେ ଦେଇ ନାହାନ୍ତି । ଥାଇଲାଣ୍ଡ ପରି ଏକ କ୍ଷୁଦ୍ରଦେଶ ବିଶାଳ ଭାରତ ଦେଶକୁ ଚାଳିଶ ଟନ ମାତ୍ର ଚାଉଳ ଦାନ କରି ସେଥିରେ ଆମ୍ଭେମାନେ ଯେପରି କୃତ୍ୟ କୃତ୍ୟ ହେଉଛୁ, ବିଭିନ୍ନ ପ୍ରଦେଶରେ ଯେପରି ଚାରିଆଡ଼େ ନିଆଁ ଜଳୁଛି ଓ ସେ ଅବସ୍ଥାରେ ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭକରି ଅନ୍ୟ ମନ୍ତ୍ରୀମାନେ ଯେପରି ଦେଶ ବିଦେଶ ବୁଲି ‘ବନ୍ଧୁତା’ ସୃଷ୍ଟି କରୁଛନ୍ତି, ଯେପରିକି ଆଭ୍ୟନ୍ତରୀଣ ଅବସ୍ଥା ସମ୍ଭାଳିବା ଦାୟିତ୍ୱ ତାଙ୍କର ନୁହେଁ, ବହୁ ଶିକ୍ଷିତ ବୁଦ୍ଧିମାନ ଉତ୍ସାହୀ, ଯୁବକ ଡାକ୍ତର ଇଂଜିନିଅରିଂ, ଶାସନ ଇତ୍ୟାଦି କ୍ଷେତ୍ରରେ ଯେପରି ସେମାନଙ୍କ ଉପରିସ୍ଥ ଅଫିସର ଓ ସେକ୍ରେଟେରୀଏଟର ଶିଥିଳ ଚିନ୍ତାଶୂନ୍ୟ ପରିଚାଳନାରେ ଟପି ଯାଉଛନ୍ତି, ଏସବୁ ପ୍ରତି କ୍ଷେତ୍ରରେ ବହୁ ଶ୍ରେଣୀର ଲୋକଙ୍କୁ ଅସ୍ଥିର କରୁଛି । ବାସ୍ତବିକ ଏସବୁ ବିଷୟରେ ବାରମ୍ବାର ଲେଖାରେ ଓ କଥାରେ ଦୃଷ୍ଟି ଆକର୍ଷଣ କଲେ ମଧ୍ୟ କିଛି ଟିକିଏ କାର୍ଯ୍ୟରେ ନହେଉ ଥିବାରୁ ମୁଁ ମଧ୍ୟ ଅସ୍ଥିର ଅନୁଭବ କରୁଛି । ଅବସ୍ଥାକୁ ସୁଧାରିବା ପାଇଁ ଗଭୀର ଚିନ୍ତା କରିବାକୁ ହେବ । ଅସ୍ଥିରତା ବଶତଃ ବିରକ୍ତ ହୋଇ ଅରାଜକତା ସୃଷ୍ଟି କରିଦେଲେ ଶେଷରେ ସାଧାରଣ ଲୋକେ ଚପି ଯାଇ ବାଧ୍ୟ ହୋଇ ବର୍ତ୍ତମାନର ଅବ୍ୟବସ୍ଥାକୁ ମନ୍ଦ ଭିତରେ ଭଲ ବୋଲି ମନେ କରି ଭାଗ୍ୟକୁ ଆଦରି ରହିବେ । ଏ ଦିଗଟି ପ୍ରତି ଚିନ୍ତାଶୀଳ ବ୍ୟକ୍ତିମାନେ ବିଚାର କରିବା ଉଚିତ ।

Image

 

୬-୭-୬୯

ରବିବାର

 

କିଏ ବୁଝାଇବ ?

 

ଆଜିକାଲି ଏ ମଜଲିସ୍‌ ବନ୍ଦ ପ୍ରାୟ ହୋଇଯିବାରୁ ଅନେକେ ଚିଠି ଲେଖୁଛନ୍ତି ଏହାକୁ ଚାଲୁ ରଖିବାପାଇଁ । କିନ୍ତୁ ଚାଲୁ ରହିବ କିପରି ? କି ବିଷୟ ପଡ଼ିବ ? ଯେତେ ବିଷୟ ଅଛି ସବୁ ତ ବାରମ୍ବାର ଆଲୋଚନା ହୋଇଗଲାଣି । ଆଜି ପାଟିଲ୍‌ କଂଗ୍ରେସ ସମ୍ବନ୍ଧରେ ଯାହା କହୁଛନ୍ତି ଠିକ୍‌ ସେଇକଥା ତ ୧୯୬୧-୬୨ରେ କେବଳ ଏ ଗାଁ ମଜଲିସ୍‌ରେ ନୁହେଁ, ଦିଲ୍ଲୀର ବଡ଼ ବଡ଼ ସମ୍ବାଦପତ୍ରମାନଙ୍କରେ ମଧ୍ୟ ମୁଁ ଲେଖାସବୁ ପ୍ରକାଶ କରିଥିଲି । ସେ ଲେଖାକୁ କେତେକ ଗ୍ରନ୍ଥକାର ରାଜନୈତିକ ବିଜ୍ଞାନ ସମ୍ବନ୍ଧୀୟ ପୁସ୍ତକରେ ମଧ୍ୟ ଉଦ୍ଧାର କରିଛନ୍ତି । ତେଲିଙ୍ଗାନା, ବିହାର ପ୍ରଭୃତି ପ୍ରଦେଶରେ ଯାହା ହେଉଛି, ସେଥିରେ ତ ନୂଆ କିଛି ନାହିଁ । ଦେଶ ଭିତରେ ନାନା ସମସ୍ୟାର ସମାଧାନ ହୋଇ ନ ପାରୁଥିବା ଅବସ୍ଥାରେ ପ୍ରଧାନମନ୍ତ୍ରୀ ଚାରିଆଡ଼େ ଯେ ସୌଖିନ ଗସ୍ତ ଚଳାଇଛନ୍ତି, ସେ ବିଷୟରେ ତ ସମାଲୋଚନା ହୋଇଗଲାଣି । ମହଙ୍ଗାଭତ୍ତା, ଦରମା ବୃଦ୍ଧି ଇତ୍ୟାଦି ସମ୍ବନ୍ଧରେ ଯେଉଁ ଆନ୍ଦୋଳନ ସେ ମଧ୍ୟ ସେହିପରି ଅତି ପୁରୁଣା କଥା । ଦାବି ଓ ତାହାର ଉତ୍ତର ଠିକ୍‌ କୋଡ଼ିଏ ବର୍ଷ ପୂର୍ବେ ଯାହା ଥିଲା ଆଜି ମଧ୍ୟ ତାହାହିଁ ଅଛି । ମୂଲ୍ୟବୃଦ୍ଧି ସମ୍ବନ୍ଧରେ ଏତେ ଆଲୋଚନା ହୋଇଗଲାଣି ଯେ ଆଉ ସେ କଥାରେ କିଛି କହିବାକୁ ବା ଲେଖିବାକୁ ମନ ହେଉନାହିଁ । ଷ୍ଟାଟିଷ୍ଟିକ୍‌ସ ବା ବିଭିନ୍ନ ବିଷୟରେ ତଥ୍ୟ ଏତେ ପତ୍ରପତ୍ରିକାରେ ପ୍ରକାଶିତ ହେଉଛି; ସେଗୁଡ଼ିକ ସଂଗ୍ରହ କରିବାପାଇଁ ମଧ୍ୟ କୌଣସି ପରିଶ୍ରମର ଦରକାର ନାହିଁ । ସେଗୁଡ଼ିକ ଯେ କେହି ନ ଜାଣନ୍ତି ତାହା ନୁହେଁ । ପ୍ରଶ୍ନ ହେଉଛି, ଜାଣିସାରିଲା ପରେ କଅଣ କରିବାକୁ ହେବ ଏବଂ ଯାହା କରିବାକୁ ହେବ ସେଥିପାଇଁ କର୍ତ୍ତୃପକ୍ଷ ତିଆର କି ଏହି ପ୍ରଶ୍ନର ଉତ୍ତର ଆଜିଯାଏ ଯାହା ହୋଇଛି ତାହା ହେଉଛି–

 

‘‘ଜାନାମି ଧର୍ମଂ ନ ଚ ମେ ପ୍ରବୃତ୍ତି

ଜାନାମ୍ୟଧର୍ମଂ ନ ଚ ମେ ନିବୃତ୍ତି’’

 

ଅର୍ଥାତ୍‌ କଅଣ କରିବାକୁ ହେବ ତାହା ଜଣା ଅଛି ମାତ୍ର ସେଥିପାଇଁ ପ୍ରବୃତ୍ତି ନାହିଁ । କଅଣ ନ କରିବାକୁ ହେବ ସେ କଥା ଜଣାଅଛି ମାତ୍ର ସେଥିରୁ ନିବୃତ୍ତ ହୋଇ ହେଉନାହିଁ । ଏହି ହେଉଛି ବର୍ତ୍ତମାନ ଦେଶର ଅବସ୍ଥା । ତଥାପି ପ୍ରଖର ଚିନ୍ତା କାର୍ଯ୍ୟ କରୁଥିଲେ ଦିନେ ସମସ୍ୟାର ସମାଧାନ ହେବ । ସେ ଚିନ୍ତା କାର୍ଯ୍ୟ କରିବା ପାଇଁ ମଧ୍ୟ ଗଭୀର ଅଧ୍ୟୟନ ଆବଶ୍ୟକ । କେତୋଟି ସାଧାରଣ କଥା ପ୍ରତି ଦୃଷ୍ଟି ଦେଲେ, ସମସ୍ୟାର ସମାଧାନ ବିଷୟରେ ଚିନ୍ତା କରିବାକୁ ବୋଧହୁଏ ସୁବିଧା ହେବ । ସମସ୍ୟା ଦୁଇ ପ୍ରକାରର– ଗୋଟିଏ ହେଉଛି ଦେଶର ଓ ଆଉ ଗୋଟିଏ ହେଉଛି ପ୍ରଦେଶର । ସେହିପରି ପ୍ରଦେଶ ଭିତରେ ଗୋଟିଏ ହେଉଛି ପ୍ରଦେଶର ସମସ୍ୟା, ଆଉ ଗୋଟିଏ ହେଉଛି ଅଞ୍ଚଳ ବିଶେଷର ସମସ୍ୟା । ଏ ଦୁଇ ପ୍ରକାରର ସମସ୍ୟାକୁ ମିଶାଇ ଦେଇ ସମାଧାନର ଚିନ୍ତାକଲେ କୌଣସି ସମସ୍ୟାର କୌଣସି ସମାଧାନ ହୋଇପାରିବ ନାହିଁ । ଉଦାହରଣ ସ୍ୱରୂପ ଓଡ଼ିଶାର କୌଣସି ସମସ୍ୟାର ଆଲୋଚନା ପ୍ରସଙ୍ଗରେ ଯଦି ଜାପାନ, ଅଷ୍ଟ୍ରେଲିଆ, ରୁଷିଆ ପ୍ରଭୃତି ଦେଶରେ କଅଣ ହେଉଛି ସେ ସବୁକୁ ଆଣି ଥୁଆହୁଏ ତେବେ ସେ ଆଲୋଚନା ଏପରି ଭ୍ରାନ୍ତ ହୋଇଯିବ ଯେ ସେଥିରୁ ଫଳ କିଛି ମିଳିବ ନାହିଁ । ଅନ୍ୟ ଦେଶମାନଙ୍କରେ କଅଣ ହେଉଛି ବା ନ ହେଉଛି ତାହାର ନଜିର ଦରକାର ଆମ ଦେଶର ସମସ୍ୟାର ଆଲୋଚନା ବେଳେ । ସେଥିପାଇଁ କର୍ତ୍ତୃପକ୍ଷ ହେଲେ ଭାରତ ସରକାର । ପ୍ରଦେଶର ସମସ୍ୟା ଆଲୋଚନାବେଳେ ଅନ୍ୟ ପ୍ରଦେଶରେ କଅଣ ହେଉଛି ବା ନ ହେଉଛି ତାହାର ନଜିର ଆବଶ୍ୟକ । ସେହିପରି କଟକରେ ପଣ୍ୟକର ସମ୍ବନ୍ଧରେ ଯେଉଁ ଆନ୍ଦୋଳନ ତାହା ଆଞ୍ଚଳିକ । ତାହା ପ୍ରଦେଶର ସମସ୍ୟା ନୁହେଁ । କାରଣ, ସମ୍ବଲପୁର, ବ୍ରହ୍ମପୁର, ଝାରସୁଗୁଡ଼ା, ବଲାଙ୍ଗିର ପ୍ରଭୃତିରେ ସେ କରଧାର୍ଯ୍ୟ ହୋଇ ସୁରୁଖୁରୁରେ କାମ ଚାଲିଛି । କଟକ ମ୍ୟୁନିସିପାଲିଟି କିପରି ଭଲ ଚାଲିବ ଓ ମ୍ୟୁନିସିପାଲିଟିର ଉନ୍ନତି ହେବ ସେ ବିଚାର କଟକ ଲୋକେ କରିବାର କଥା । କିନ୍ତୁ ଏହି ବିଚାର ଯଦି ହୁଏ ସେ ଓଡ଼ିଶାର ରାଜସ୍ୱରୁ ଅର୍ଥ ଦିଆହୋଇ କଟକ ମ୍ୟୁନିସିପାଲିଟିକୁ ଚଳାହେଉ ତେବେ ତାହା ଅଯୁକ୍ତିକର ହେବ । ଏହିପରି ଦୁଇପ୍ରକାର ସମସ୍ୟାକୁ ଆଖି ଆଗରେ ନ ରଖି ସାଧାରଣ ଭାବରେ ସବୁ ସମସ୍ୟାକୁ ଗୋଳମାଳିଆ ଭାବରେ ଆଲୋଚନା କରି ଯେଉଁ ତାତ୍କାଳିକ ସମାଧାନ କରାଯାଉଛି, ତାହାରି ଫଳରେ ତେଲେଙ୍ଗାନା ଆନ୍ଦୋଳନ ବା ପଶ୍ଚିମବଙ୍ଗର ପରିସ୍ଥିତି ବଡ଼ ଆକାରରେ ସୃଷ୍ଟି ହେଉଛି । ସେଥିପାଇଁ ନିର୍ଦ୍ଦିଷ୍ଟ ସମସ୍ୟାର ନିର୍ଦ୍ଦିଷ୍ଟ ଆଲୋଚନା କରି ନିର୍ଦ୍ଦିଷ୍ଟ ସମାଧାନର ସୂଚନା ଦେବା ଆବଶ୍ୟକ । ସେଥିପାଇଁ ଆବଶ୍ୟକ ଧୀର, ଶାନ୍ତ ଆଲୋଚନା ଚକ୍ର । କିନ୍ତୁ ସେଥିପାଇଁ ମଧ୍ୟ ଆବଶ୍ୟକୀୟ ବାୟୁମଣ୍ଡଳ ନାହିଁ, କାରଣ କେତେକ ରାଜନୈତିକ ଦଳ ସବୁବେଳେ ନିର୍ବାଚନ କଥା ଭାବି ଭାବି ଦିନରାତି ନିର୍ବାଚନର ସ୍ୱପ୍ନ ଦେଖୁଛନ୍ତି । ଯେ କୌଣସି ଆଲୋଚନା ନିର୍ବାଚନ ରାଜନୀତିରେ ସେହି ହେତୁରୁ ପଶିଯାଇଛି । ନିର୍ବାଚନ ଆହୁରି ପ୍ରାୟ ତିନିବର୍ଷ ଅଛି । କିନ୍ତୁ କେତେକ ରାଜନୈତିକ ଦଳ ଆଜିଠାରୁ ନିର୍ବାଚନ ସମୟ କାର୍ଯ୍ୟ ଆରମ୍ଭ କରିଦେଲେଣି । ସେହି ହେଉଛି ଏକ ମୁଖ୍ୟ କାରଣ ଲୋକେ ରାଜନୀତି ପ୍ରତି ଆଗ୍ରହୀ ନ ହେବାର; କିନ୍ତୁ କିଏ ଶୁଣୁଛି ସେ କଥା ?

 

ପୁରୀର ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ପକ୍ଷରୁ ଅନୁରୋଧ କରାହୋଇଛି, ରଥଯାତ୍ରାରେ ଯେପରି ଅଶ୍ଳୀଳ ଓ ଅସଭ୍ୟ ଡାକମାନ ଦିଆହୁଏ ତାହା ଯେପରି ନହୁଏ ସେଥିପାଇଁ କିଛି ଲେଖିବାକୁ । ତାହା ଯେପରି ନ ହୁଏ ସେଥିପାଇଁ ବହୁବର୍ଷ ପୂର୍ବରୁ ବହୁ ବଡ଼ ବଡ଼ ଲୋକ ଚେଷ୍ଟା କରିଛନ୍ତି । କିନ୍ତୁ ରଥଯାତ୍ରାରୁ ସେ ପ୍ରକାର ଯୌନଭାଷା ବର୍ତ୍ତମାନ ଆସି ସାହିତ୍ୟରେ ପ୍ରବେଶ କଲାଣି । ଯେଉଁମାନେ ତାହା କରୁଛନ୍ତି ସେମାନେ ନିଜକୁ ବିପ୍ଳବୀ ବୋଲି ମନେ କରୁଛନ୍ତି । ଏଣୁ କିଏ କାହାକୁ ବର୍ତ୍ତମାନ ବୁଝାଇବ ? ବ୍ୟକ୍ତିଗତ ଓ ସାମାଜିକ ଚେତନାକୁ ଊର୍ଦ୍ଧ୍ୱମୁଖୀ କରିବାପାଇଁ ନିଜମତ ଓ ବିଶ୍ୱାସରେ ଦୃଢ଼ ରହି ତଦନୁସାରେ ଚାଲିବା ବ୍ୟତୀତ ଅନ୍ୟ ଉପାୟ ନାହିଁ । ପ୍ରଚାର ବା ମତ ବିତରଣ ସେପରି ଫଳପ୍ରଦ ହେବ ନାହିଁ । ବର୍ତ୍ତମାନର ଅବସ୍ଥାକୁ ବର୍ଣ୍ଣନା କଲେ ଏକ ନିରାଶାର କାହାଣୀ ହୋଇଯିବ । କିନ୍ତୁ ମୋର ମନେହୁଏ ବର୍ତ୍ତମାନର ଅବସ୍ଥା, ବ୍ୟକ୍ତିର ଆତ୍ମବିଶ୍ୱାସକୁ ଏକ ଆହ୍ୱାନ । ପ୍ରତ୍ୟୁଷର ଅଳ୍ପକାଳ ପୂର୍ବରୁ ଯେପରି ଅନ୍ଧାର ଓ ଆଲୁଅର ଲଢ଼ାଇ ହୋଇ ଏକ ଅସ୍ଥିର ବାୟୁମଣ୍ଡଳ ସୃଷ୍ଟି କରେ, ସେହିପରି ବର୍ତ୍ତମାନ ଅବସ୍ଥା ବୋଲି ମୋର ମନେ ହୁଏ । ଅନ୍ଧକାର ହଟିବ ମାତ୍ର ଲଢ଼େଇକରି ହଟିବ ।

Image

 

୧୧-୭-୬୯

ଶୁକ୍ରବାର

 

ପରୀକ୍ଷାର ବେଳ

 

କିଛିଦିନ ପୂର୍ବେ ଜଣେ କମ୍ୟୁନିଷ୍ଟ ନେତା ବିଲାତରେ ଯେଉଁ ମତ ପ୍ରକାଶ କରିଥିଲେ, ତାକୁ ସମର୍ଥନ କରି କେରଳର ମୁଖ୍ୟମନ୍ତ୍ରୀ ଓ ଅନ୍ୟ କମ୍ୟୁନିଷ୍ଟ ନେତାମାନେ ଯେଉଁ ବିବୃତି ଦେଇଛନ୍ତି, ସେଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ । ଦୁଇଟି ମତ ଭାରତରେ ଅସହଯୋଗ ଆନ୍ଦୋଳନ ବେଳୁ କାର୍ଯ୍ୟ କରିଆସୁଛି । ଗୋଟିଏ ମତ ହେଉଛି ଯେ ସାମାଜିକ ଓ ଅର୍ଥନୈତିକ ପୁନର୍ଗଠନ ଅହିଂସାତ୍ମକ ଅର୍ଥାତ୍‌ ଗଣତାନ୍ତ୍ରିକ ଉପାୟରେ ସାଧିତ ହୋଇ ପାରିବ । ଆଉ ଗୋଟିଏ ମତ ହେଉଛି ଯେ ସେ ପ୍ରକାର ପୁନର୍ଗଠନ ଗଣତାନ୍ତ୍ରିକ ଉପାୟରେ ହୋଇ ପାରିବ ନାହିଁ, ସେଥିପାଇଁ ବିପ୍ଳବ ଅନିବାର୍ଯ୍ୟ । ଏ ବିପ୍ଳବ ବର୍ଷ ବର୍ଷକାଳ ଚାଲିପାରେ ଓ ଏଥିରେ ଧନ ଜୀବନ ବହୁ ପରିମାଣରେ ନଷ୍ଟ ହୋଇ ଯାଇପାରେ । ସେଥିପ୍ରତି ଭ୍ରୂକ୍ଷେପ ନ କରି ବିପ୍ଳବ ପାଇଁ ଦେଶକୁ ପ୍ରସ୍ତୁତ କରିବାକୁ ହେବ । ଏହି ବିପ୍ଳବକୁ ସାହାଯ୍ୟ କରିବା ପାଇଁ ଗଣତାନ୍ତ୍ରିକ ବ୍ୟବସ୍ଥାର ସାହାଯ୍ୟ ମଧ୍ୟ ନିଆଯାଇ ପାରେ । ରୁଷିଆରେ କମ୍ୟୁନିଷ୍ଟ ବିପ୍ଳବ ପୂର୍ବରୁ ଗଣତାନ୍ତ୍ରିକ ପଦ୍ଧତିର ସାହାଯ୍ୟ ନିଆହୋଇଥିଲା । ଏ ପ୍ରକାର ଦୁଇଟି ମତ ଯେ କେବଳ ଭାରତରେ ଚାଲିଛି ତାହା ନୁହେଁ; ପୃଥିବୀ ସାରା ଏ ଦୁଇ ମତର ପରୀକ୍ଷା ଚାଲିଛି । କାଳକ୍ରମେ ବିଗତ ମହାଯୁଦ୍ଧ ପରେ ସାଧାରଣ ଭାବରେ ଏକମତ ପ୍ରକାଶ ପାଇଲା ଯେ ବିପ୍ଳବ ପର୍ଯ୍ୟନ୍ତ ନ ଯାଇ ଗଣତାନ୍ତ୍ରିକ ଉପାୟରେ ମଧ୍ୟ ସାମାଜିକ, ଅର୍ଥନୈତିକ ପୁନର୍ଗଠନ ହୋଇପାରେ । ଏ ମତ ରୁଷିଆରେ ସ୍ପଷ୍ଟ ଭାବରେ ବ୍ୟକ୍ତ କଲେ ପ୍ରଥମେ କୃଶ୍ଚେଭ ଓ ସେହି ମତ ସେଠି ବର୍ତ୍ତମାନ କାର୍ଯ୍ୟ କରୁଛି । ଏହି ମତଟିକୁ ଅନ୍ୟମାନେ ‘ରିଭିଜନିଷ୍ଟ’ ଆଖ୍ୟା ଦେଇ ନିନ୍ଦା କରୁଛନ୍ତି ଓ ବିପ୍ଳବ ନ ହେଲେ ପୁନର୍ଗଠନ ହୋଇପାରିବ ନାହିଁ ବୋଲି ଯୁକ୍ତି କରୁଛନ୍ତି । ଏହି ଦୁଇମତ ଯୋଗେ କମ୍ୟୁନିଷ୍ଟ ପାର୍ଟି ଦୁଇଭାଗ ହୋଇଯାଇଛି । ନକ୍‌ସଲାଇଟ ବୋଲି ଯେଉଁ ନୂତନ ପ୍ରବର୍ତ୍ତିତ ମତବାଦର କଥା କୁହାଯାଏ ତାହା ବାସ୍ତବିକ ଏ ମତବାଦ ନୁହେଁ । ତାହା ହେଉଛି କେତେକ ଦାୟିତ୍ୱଶୂନ୍ୟ ଚିନ୍ତାଶୂନ୍ୟ ଉଗ୍ରପନ୍ଥୀଙ୍କ ମତ ମାତ୍ର । କିନ୍ତୁ ବାମପନ୍ଥୀ କମ୍ୟୁନିଷ୍ଟମାନେ ବିଶ୍ୱାସ କରନ୍ତି ଯେ ବିପ୍ଳବ ଅନିବାର୍ଯ୍ୟ ଓ ସେଥିପାଇଁ ଦେଶକୁ ପ୍ରସ୍ତୁତ କରିବାକୁ ହେବ । ଏହି ଉଦ୍ଦେଶ୍ୟରେ ସେମାନେ ଗଣତାନ୍ତ୍ରିକ ପଦ୍ଧତିର ସାହାଯ୍ୟ ନେଇ ଶାସନ ଭାର ମଧ୍ୟ ଗ୍ରହଣ କରିଛନ୍ତି । ଏଥିରେ ଲୁଚାଛପା କିଛି ନାହିଁ ବା ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ । ଅନ୍ୟ ଦିଗରେ ଗଣତାନ୍ତ୍ରିକ ପଦ୍ଧତିରେ ବିଶ୍ୱାସ କରୁଥିବା ରାଜନୈତିକ ଦଳମାନଙ୍କ ମଧ୍ୟରେ କଂଗ୍ରେସ ପ୍ରଧାନ । ଗଣତାନ୍ତ୍ରିକ ଉପାୟ ଓ ବିପ୍ଳବ ଏ ଦୁଇମତର ବିବାଦରେ ଏକପକ୍ଷରେ ବାମପନ୍ଥୀ କମ୍ୟୁନିଷ୍ଟ ଓ ଅନ୍ୟପକ୍ଷରେ କଂଗ୍ରେସ ଏପରି ହୋଇଥିଲେ ଦେଶରେ ସ୍ୱାଭାବିକ ରାଜନୈତିକ ଅବସ୍ଥା ଥାଆନ୍ତା । କିନ୍ତୁ ଦୁଃଖର ବିଷୟ କଂଗ୍ରେସ ବର୍ତ୍ତମାନ ଏପରି ଅବସ୍ଥାରେ ପହଞ୍ଚିଛି ଯେଉଁଥିରେ କୌଣସି ଆଦର୍ଶବାଦ ସେଠି କାର୍ଯ୍ୟ କରୁନାହିଁ । ଏକମାତ୍ର ଆଦର୍ଶ ହେଉଛି ଯଥାକଥା ଶାସନ ଭିତରକୁ ଯାଇ ବ୍ୟକ୍ତିଗତ ସ୍ୱାର୍ଥ ସାଧନ କରିବା । ଚତୁର୍ଥ ପଞ୍ଚବର୍ଷୀୟ ଯୋଜନା କଂଗ୍ରେସ ସରକାରଙ୍କର । ବାମପନ୍ଥୀ କମ୍ୟୁନିଷ୍ଟମାନେ ସୃଷ୍ଟି କରୁଛନ୍ତି ଯେ ସେ ଯୋଜନା ଅବାସ୍ତବ ଓ ଲୋକଦେଖାଣିଆ । କିନ୍ତୁ କଂଗ୍ରେସ ସେ ଯୋଜନାର ଯଥାର୍ଥତା ପ୍ରତିପାଦନ କରିବା ପାଇଁ କିଛି କରୁନାହିଁ ବା କହୁନାହିଁ ମଧ୍ୟ; ଅଥଚ କେନ୍ଦ୍ରରେ କଂଗ୍ରେସ ଶାସନଭାରରେ ଅଛି । ଶାସନ ପରିବର୍ତ୍ତେ ଆସନରେ ରହିବାପାଇଁ ପ୍ରତ୍ୟେକେ ଏପରି ଛକାଛକିରେ ଅଛନ୍ତି ଯେ ଶାସନ ବିଧାନର ସର୍ବୋଚ୍ଚ ପଦ ରାଷ୍ଟ୍ରପତି ନିର୍ବାଚନ ମଧ୍ୟ ସହଜରେ ହୋଇପାରୁ ନାହିଁ । ଅଥଚ ଏ ପଦଟି ଏତେକାଳ ଶୂନ୍ୟ ରହିବା ବାଞ୍ଛନୀୟ ନୁହେଁ । ପଶ୍ଚିମବଙ୍ଗରେ ବର୍ତ୍ତମାନ ଦୁଇଜଣ ଗଭର୍ଣ୍ଣର ଦରମା ପାଉଛନ୍ତି । ଜଣେ ଛୁଟିରେ ଓ ଆଉ ଜଣେ ତାଙ୍କ ଜାଗାରେ ଅଛନ୍ତି । ତେଲେଙ୍ଗାନାରେ ନିଆଁ ଜଳୁଛି; ଅଥଚ ଉଭୟ ପକ୍ଷକୁ ଡାକି କଥାବାର୍ତ୍ତା ଚଳେଇବା ପାଇଁ ମଧ୍ୟ କେହି ସମୟ ଦେଇ ପାରୁନାହାନ୍ତି । ପଶ୍ଚିମବଙ୍ଗରେ ଏପରି କେତେକ ଦ୍ୱନ୍ଦ୍ୱ ସୃଷ୍ଟି ହେଲାଣି, ସେ ସମ୍ବନ୍ଧରେ କଥାବାର୍ତ୍ତା କରି ସେ ସବୁର ସମାଧାନ ପାଇଁ ଚେଷ୍ଟା ହେଉନାହିଁ । ରାଜନୈତିକ ସ୍ତରକୁ ଛାଡ଼ିଦେଲେ ଅର୍ଥନୈତିକ ସ୍ତରରେ ମୂଲ୍ୟ ବୃଦ୍ଧି, କର୍ମଚାରୀମାନଙ୍କ ଅସନ୍ତୋଷ, ସରକାରୀ କାମ ବହୁ ପରିମାଣରେ କମିଯିବା ଫଳରେ ଦେଶରେ ଅର୍ଥନୈତିକ ବିପର୍ଯ୍ୟୟ ଏସବୁକୁ ଗୋଟି ଗୋଟି କରି ଆଲୋଚନା କରି ସମାଧାନର ଚେଷ୍ଟା କରିବାର ସୂଚନା ସୁଦ୍ଧା ମିଳୁନାହିଁ । ଏପରି ଭାବରେ କେନ୍ଦ୍ର ଶାସନ କାର୍ଯ୍ୟ କରୁଛି ଯେପରି ମନେ ହେବ ଦେଶରେ କୌଣସି ସମସ୍ୟା ନାହିଁ । ଯଦି କିଛି ଥାଏ ତେବେ ତାହା ହେଉଛି ବିହାରରେ ଅନ୍ୟ ଦଳରୁ ସଭ୍ୟ ଖସାଇ ନେଇ କିପରି କଂଗ୍ରେସକୁ ଶାସନକୁ ଆଣିବାକୁ ହେବ ବା ଆନ୍ଧ୍ରରେ କିପରି ବ୍ରହ୍ମାନନ୍ଦ ରେଡ଼ି ମୁଖ୍ୟମନ୍ତ୍ରୀ ହୋଇ ରହିଯିବେ ଇତ୍ୟାଦି । ମହାରାଷ୍ଟ୍ରରେ ଶିବସେନା ଏକ ସମସ୍ୟା ସୃଷ୍ଟି କରିଛି । ଅଥଚ ତା’ର ସମାଧାନ ପାଇଁ କିଛି ହେଲେ ଚେଷ୍ଟା ହେଉନାହିଁ । ସବୁ କଥା ଏପରି ଖାପଛଡ଼ା ଓ ହୁଗୁଳା ହୋଇଗଲାଣି ଯେ ଜୟପ୍ରକାଶ ନାରାୟଣ, ନବକୃଷ୍ଣ ଚୌଧୁରୀଙ୍କ ପରି ବ୍ୟକ୍ତିମାନେ ମଧ୍ୟ ମତପ୍ରକାଶ କରୁଛନ୍ତି ଯେ ଗଣତାନ୍ତ୍ରିକ ଉପାୟରେ ସମାଜର ଉନ୍ନତି ସାଧନ କରି ହେବନାହିଁ । ଏହି ଯେ ମତ ପ୍ରକାଶ ପାଉଛି ଏଥିପାଇଁ କଂଗ୍ରେସ ହିଁ ଦାୟୀ । ମୁଁ ଜାଣେ ପଶ୍ଚିମବଙ୍ଗରେ ସାଧାରଣ ଜନତା ଭିତରେ ବାମପନ୍ଥୀ କମ୍ୟୁନିଷ୍ଟମାନେ ଯେପରି ପ୍ରଚାର ଚଳାଇଛନ୍ତି ସେଥିର ଉତ୍ତର ଦେବା କଠିନ ହେଉଛି । ପ୍ରଥମ କଥା କଂଗ୍ରେସର ଲୋକଙ୍କ ଭିତରେ ସଙ୍ଗଠନ ନାହିଁ, କାରଣ ବହୁବର୍ଷ ଶାସନରେ ରହି ଶାସନକୁ ଦଳର ଅଂଶ ବୋଲି ମନେ କରିବା କଂଗ୍ରେସର ଅଭ୍ୟାସ ହୋଇଯାଇଛି । ତା’ଛଡ଼ା ଏପରି ହାସ୍ୟାସ୍ପଦ ଓ ଅଯୁକ୍ତିକର କାର୍ଯ୍ୟ ସବୁ ହେଉଛି ଯାହାକୁ ଗୋଟି ଗୋଟି କରି ଜନତା ଭିତରେ ବାମପନ୍ଥୀ କମ୍ୟୁନିଷ୍ଟ ଦଳର ଉତ୍ସାହୀ କର୍ମୀମାନେ ବୁଝାଉଛନ୍ତି । ବାସ୍ତବିକ ଆଜି ଜନତା ଭିତରେ କମ୍ୟୁନିଷ୍ଟ ଦଳ ଅଛନ୍ତି । କଂଗ୍ରେସ ଓ ଅନ୍ୟ ଦଳମାନେ ଉପରେ ଭାସୁଛନ୍ତି । କଂଗ୍ରେସକୁ ଛାଡ଼ିଦେଇ ଅନ୍ୟ ଗଣତାନ୍ତ୍ରିକ ଦଳମାନେ ଏକତ୍ର ହେବାର ଯୋଜନା ସହଜରେ କାର୍ଯ୍ୟକାରୀ ହୋଇପାରୁନାହିଁ । ଫଳରେ ଜନତା ଭିତରେ ବିପ୍ଳବର ପ୍ରଚାର ଓ ଅନ୍ୟ ଦିଗରେ ପରିହାସଜନକ ଗଣତାନ୍ତ୍ରିକ ପଦ୍ଧିତର କାର୍ଯ୍ୟ । ଏଥିରେ କଅଣ ଆଶା କରାଯାଇପାରେ ? ବାସ୍ତବିକ ଦେଶ ପକ୍ଷରେ ଏକ ପରୀକ୍ଷାର ବେଳ ଆସିଛି । ସମ୍ବାଦପତ୍ରରେ ବା ସଭା ସମିତିରେ କେରଳର ମୁଖ୍ୟମନ୍ତ୍ରୀ ବା ପଶ୍ଚିମବଙ୍ଗର ଉପମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କରି ଲାଭ ନାହିଁ । କାର୍ଯ୍ୟରେ ପ୍ରମାଣ କରିବାକୁ ହେବ ଯେ ଗଣତାନ୍ତ୍ରିକ ପଦ୍ଧତି ହେଉଛି ସର୍ବୋତ୍କୃଷ୍ଟ । ବାସ୍ତବିକ ଏହା ସର୍ବୋତ୍କୃଷ୍ଟ କିନ୍ତୁ ଏହା ପ୍ରମାଣିତ ହେବା ଆବଶ୍ୟକ । ଏହାର ପ୍ରମାଣ ନିର୍ଭର କରିବ ରାଜନୈତିକ ନେତୃତ୍ୱ ଓ ଶାସନରେ ଥିବା କର୍ମଚାରୀମାନଙ୍କ ବିଚକ୍ଷଣତା ଉପରେ । ଯାହା ବର୍ତ୍ତମାନ ଗଣତନ୍ତ୍ରରେ ହେଉଛି ଅର୍ଥାତ କୌଣସି ବିଷୟର ନିଷ୍ପତ୍ତିରେ ଅବହେଳା ଓ ବିଳମ୍ବ, ଲୋକଙ୍କ ଆପତ୍ତି ଅଭିଯୋଗ ପ୍ରତି ଦୃଷ୍ଟି ନଦେବା, ଅସାଧୁତା ଇତ୍ୟାଦି ନିଶ୍ଚିତ ଭାବରେ ହେବ ବୋଲି କମ୍ୟୁନିଷ୍ଟ ମତବାଦ ଶାସ୍ତ୍ରରେ ଅଛି । ସେ ଶାସ୍ତ୍ର ଭୁଲ ବୋଲି ପ୍ରମାଣ କରିବାର ଦାୟିତ୍ୱ ଆଜି ପଡ଼ିଛି ଗଣତାନ୍ତ୍ରିକ ପଦ୍ଧତିରେ ବିଶ୍ୱାସ କରୁଥିବା ଦଳମାନଙ୍କ ଉପରେ । କଂଗ୍ରେସ ପାରୁନାହିଁ, ଅନ୍ୟମାନେ ଭଲା ପାରନ୍ତୁ । ମନେ ରଖିବାକୁ ହେବ ବର୍ତ୍ତମାନ ଦ୍ୱନ୍ଦ୍ୱ ଚାଲିଛି ଗଣତାନ୍ତ୍ରିକ ପଦ୍ଧତି ଓ ବିପ୍ଳବ ଭିତରେ ।

 

ଏ ଆଲୋଚନାରେ ଓଡ଼ିଶାର ରାଜନୈତିକ ଦଳମାନଙ୍କ କାର୍ଯ୍ୟକଳାପ ମୋ ଆଖି ଆଗରେ ନାହିଁ । କାରଣ ମୋତେ ଯେପରି ଜଣାଯାଉଛି, ଏଠି କଂଗ୍ରେସ ସହିତ କେତୋଟି ଦଳ ଏପରି ଛୋଟ ଛୋଟ କଥାରେ ଅଛନ୍ତି ଯେ ଦେଶର ରାଜନୈତିକ ପ୍ରବାହଠାରୁ ଏମାନେ ବହୁ ଦୂରରେ । କୌଣସି ଗୋଟିଏ ଆନ୍ଦୋଳନ ଆରମ୍ଭ କରିଦେଇ, କିଛି କିଛି ଚାନ୍ଦା ସଂଗ୍ରହ କରିବା ବା ତିନିବର୍ଷ ପରେ ଆସୁଥିବା ନିର୍ବାଚନରେ କୌଣସି ସ୍ଥାନରୁ ନିର୍ବାଚିତ ହୋଇ ପାରିବା ପାଇଁ ଆଜିଠାରୁ ଚେଷ୍ଟା କରିବା ଏହିସବୁ ଯେଉଁଠି ଚାଲିଛି ସେଠି ଆଦର୍ଶବାଦର କଥା ଉଠୁନାହିଁ । ଭାରତରେ ଉପରୋକ୍ତ ଦ୍ୱନ୍ଦ୍ୱ ଯେପରି କ୍ରମେ ଉତ୍କଟ ହେଉଛି, ସେଥିରେ ଆସନ୍ତା ନିର୍ବାଚନ ପୂର୍ବରୁ କେତେ କଅଣ ଘଟିବାର ସମ୍ଭାବନା ଅଛି ତାହା ଆଜିଠାରୁ ବିଚାର କରିବା ଉଚିତ ।

Image

 

୨୬-୭-୬୯

ଶନିବାର

 

ଉଦ୍ଦେଶ୍ୟ ବିହୀନ ଚେଷ୍ଟା

 

୧୯୩୦ରେ କଂଗ୍ରେସ ପୂର୍ଣ୍ଣ ସ୍ୱରାଜ୍ୟ ଦାବି କରି ପ୍ରସ୍ତାବ ଗ୍ରହଣ କଲାପରେ ଗାନ୍ଧିଜୀଙ୍କୁ ଭାର ଦିଆଗଲା ସେଥିପାଇଁ ଗଣଆନ୍ଦୋଳନ କରିବା ପାଇଁ । କିନ୍ତୁ ବହୁ ଚିନ୍ତାକରି ଦରିଦ୍ରତମ ଜନତାର ଲୁଣ ମାରିବାର ଅଧିକାରକୁ କେନ୍ଦ୍ର କରି ଆନ୍ଦୋଳନ ଆରମ୍ଭ କଲେ ଏବଂ ସେ ଆନ୍ଦୋଳନ ସଫଳ ହୋଇଥିଲା । ନିରସ୍ତ୍ର ଜନତାପାଇଁ ଆନ୍ଦୋଳନର କୌଶଳ ଗାନ୍ଧିଜୀ ଶିଖାଇଥିଲେ । ସେ କୌଶଳ ବିଜ୍ଞାନସମ୍ମତ ଓ ଏହାକୁ ଅନ୍ୟ ଦେଶରେ ଅନେକେ ଅଧ୍ୟୟନ କରୁଛନ୍ତି; କିନ୍ତୁ ଭାରତରେ ସାଧାରଣ ଜନତା ନିରସ୍ତ୍ର । ତଥାପି ଯେଉଁସବୁ ନୂତନ ଧରଣର ଆନ୍ଦୋଳନମାନଙ୍କର ସୂତ୍ରପାତ ହେଉଛି ଏହାରି ପରିମାଣ ଶେଷରେ ହୁଏ ଆତଙ୍କରାଜ; ନ ହେଲେ ସେହି ଅତୀତ ମଧ୍ୟଯୁଗର ଅନ୍ଧକାରକୁ ଫେରିଯିବା, ଏ ଦୁଇଟାରୁ ଗୋଟିଏ ହେବ । କୌଣସି ରାଜନୈତିକ ଦଳରେ ନାମ ଦେଇଦେଲେ ଯେ ଆନ୍ଦୋଳନର ଗୁରୁତ୍ୱ ବଢ଼ିଯିବ ତା’ ନୁହେଁ । ଆନ୍ଦୋଳନର ଉଦ୍ଦେଶ୍ୟ ଓ ତାହାର ପରିଚାଳନା ଏହି ଦୁଇଟି ଉପରେ ଆନ୍ଦୋଳନର ଗୁରୁତ୍ୱ ନିର୍ଭର କରିବ । ଶାସନ ପରିବର୍ତ୍ତନ ପାଇଁ ନିର୍ବାଚନ ପ୍ରଥା ଥାଉଁ ଥାଉଁ ଯେ କୌଣସି ଆନ୍ଦୋଳନ କଲେ ମଧ୍ୟ ନିରସ୍ତ୍ର ଜନତା ସଫଳତା ଲାଭ କରିପାରିବେ ନାହିଁ । ଏହି ଓଡ଼ିଶାରେ ୧୯୭୪ ସାଲରେ ଯେତେ ଆନ୍ଦୋଳନ ହେଲା, ସେଥିରେ ଶାସନ ପରିବର୍ତ୍ତିତ ହେଲା ନାହିଁ ।

 

ଶାସନ ପରିବର୍ତ୍ତିତ ହେଲା ନିର୍ବାଚନରେ । କୌଣସି ନିର୍ଦ୍ଦିଷ୍ଟ ଆପତ୍ତିର ପ୍ରତିକାର ପାଇଁ ଆନ୍ଦୋଳନ କରିବାକୁ ହେଲେ ପ୍ରଥମେ ସେ ଆପତ୍ତି ସପକ୍ଷରେ ଯୁକ୍ତି ଓ ସେ ଆପତ୍ତି ସଂପୃକ୍ତ ଲୋକଙ୍କ ସମୂହ ମତ ପ୍ରକାଶ ପାଇବା ଉଚିତ । ତା’ପରେ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ଅନିବାର୍ଯ୍ୟ । ଶେଷରେ ନିତାନ୍ତ ଗୁରୁତ୍ୱପୂର୍ଣ୍ଣ ଆପତ୍ତି ସମ୍ପର୍କରେ ଆନ୍ଦୋଳନ ହୋଇପାରେ । ମାତ୍ର କିଛି କୁଆଡ଼ୁ ନାହିଁ, ରାଜନୈତିକ ଦଳମାନଙ୍କର କୋଠରୀ ଭିତରେ ଯେପରି ଝୁଙ୍କ ଉଠିଲା ତଦନୁସାରେ ଆନ୍ଦୋଳନ, ଚଳାଇନେବା କେବଳ ନିର୍ବୋଧତା ନୁହେଁ, ଏହା ଦାୟିତ୍ୱଶୂନ୍ୟତା ମଧ୍ୟ । ଏକଥା ମନେ ରଖିବା ଉଚିତ ଯେ, ଆଜି ଆନ୍ଦୋଳନ କହିଲେ ଘରପୋଡ଼ିଠାରୁ ଆରମ୍ଭ କରି ହତ୍ୟା ପର୍ଯ୍ୟନ୍ତ ସବୁ ବୁଝାଏ । ଏଣୁ କୌଣସି ଆନ୍ଦୋଳନ ଶାନ୍ତିପୂର୍ଣ୍ଣ ଭାବରେ ପରିଚାଳିତ ହେବା ଅତି କଷ୍ଟସାଧ୍ୟ । ଏହିସବୁ ଦୃଷ୍ଟିରୁ ଓଡ଼ିଶାରେ ଇତିମଧ୍ୟରେ ଯେ କେତୋଟି ‘‘ଆନ୍ଦୋଳନ’’ ହେଲାଣି ତା’ର ସମୀକ୍ଷା କଲେ ଦୁଃଖର ସହିତ ଏହି ସିଦ୍ଧାନ୍ତରେ ପହଞ୍ଚିବାକୁ ହେଉଛି ଯେ ଏସବୁ ଉଦ୍ଦେଶ୍ୟ ବିହୀନ ଚେଷ୍ଟା । ପ୍ରଥମ ଆନ୍ଦୋଳନ କଟକରେ ପଣ୍ୟକର ବିରୋଧରେ । ପଣ୍ୟକରରେ ଯେତିକି ସାମାନ୍ୟ ସଂଶୋଧନ ହେଲା ତାହା ବିନା ଆନ୍ଦୋଳନରେ ଆଲୋଚନା କରି ହୋଇପାରି ଥାନ୍ତା । ପୂର୍ବରୁ କୌଣସି ଆଲୋଚନା ନ ହୋଇଥିବାରୁ କାରଣ ମଧ୍ୟ ବୁଝାପଡ଼ୁନାହିଁ । ପୁଣି ପି.ଏସ.ପି. କାଳେ ଆଗକୁ ଚାଲିଯିବ ଏହା ଭାବି କମ୍ୟୁନିଷ୍ଟ ଦଳ ପଣ୍ୟକର ବିରୋଧରେ ଆନ୍ଦୋଳନ ଆରମ୍ଭ କଲେ । ଉଦ୍ଦେଶ୍ୟ ବିହୀନ ଥିବାରୁ ଏହା ମଧ୍ୟ ବନ୍ଦ ହେଲା । ତା’ପରେ କଂଗ୍ରେସ ଅଫିସରୁ ଉଠିଲା ବସ୍‌ଭଡ଼ା ବିରୋଧରେ ଆନ୍ଦୋଳନ । ବସ୍‌ଭଡ଼ା ବୃଦ୍ଧି ବର୍ତ୍ତମାନ କମ୍ୟୁନିଷ୍ଟ, ପି.ଏସ.ପି. ପ୍ରଭୃତି ଦଳମାନଙ୍କର ଏକ ଆନ୍ଦୋଳନର ବିଷୟ ହୋଇଛି । ଅଥଚ ଏହି ଆପତ୍ତି ସହିତ ସମ୍ପୃକ୍ତ ଲୋକେ ଅର୍ଥାତ୍‌ ବିଭିନ୍ନ ଅଞ୍ଚଳର ଯାତ୍ରୀମାନେ ବର୍ତ୍ତମାନ ସୁଦ୍ଧା କୌଣସି ମତ ପ୍ରକାଶ କରିନାହାନ୍ତି । ବରଂ ବିଭିନ୍ନ ଅଞ୍ଚଳରେ ବସ୍‌ ଚାଲୁ କରିବାର ଦାବି ଓ ସେ ଦାବିକୁ ସମର୍ଥନ କରି ଆନ୍ଦୋଳନ ମଧ୍ୟ ଚାଲିଛି । ବସ୍‌ ଛଡ଼ା ଯେ ବହୁ ସଂଖ୍ୟାରେ ଟାକ୍‌ସି ଚାଲିଛି, ତାହା କଅଣ ବିଚାର କରିବାର ବିଷୟ ନୁହେଁ । ବସରେ ସ୍ଥାନ ନ ପାଇଲେ ଲୋକେ ଟାକ୍‌ସିରେ ଯାଉଛନ୍ତି କିମ୍ବା ବସ୍‌ରେ ପହଞ୍ଚିବାକୁ ଡେରି ହେଉଛି ବୋଲି ଲୋକେ ଟାକ୍‌ସିରେ ଯାଉଛନ୍ତି । ଏହା କଅଣ ଆଲୋଚନାର ବିଷୟ ନୁହେଁ ? ବସ୍‌ରେ ଯାତ୍ରୀ କେଉଁମାନେ ? କଚେରୀ କାମପାଇଁ ବା କୌଣସି ବ୍ୟବସାୟ ବାଣିଜ୍ୟ କରିବାପାଇଁ ବା ସହରକୁ ବୁଲି ଆସିବା ପାଇଁ ସାଧାରଣତଃ ଗ୍ରାମର ଲୋକେ ବସ୍‌ ବ୍ୟବହାର କରନ୍ତି । ସମଗ୍ର ଜନତାର ଅତି ଅଳ୍ପ ଅଂଶ ବସ୍‌ ବ୍ୟବହାର କରନ୍ତି । ମୁଁ ନିଜେ ଗ୍ରାମ ସଭାମାନଙ୍କରେ ବସ୍‌ରେ ଅକାରଣେ ଏଣେତେଣେ ଯିବା ଆସିବା ବିରୋଧରେ ଗ୍ରାମବାସୀଙ୍କୁ ବୁଝାଏ । ମୋ’ ନିଜ ମତରେ ରେଲ ବା ବସ୍‌ରେ ଅନେକ ଅଯଥା ଯିବା ଆସିବା କରୁଛନ୍ତି । ଏକଥା ଅନ୍ୟମାନେ ଗ୍ରହଣ ନ କଲେ ମଧ୍ୟ ଏହା କଅଣ କେହି ଦୃଢ଼ତାର ସହିତ ଯୁକ୍ତି କରିପାରିବେ ନାହିଁ ଯେ ବସ୍‌ ଭଡ଼ା ସହିତ ସାଧାରଣ ଜନତାର ଅର୍ଥନୈତିକ ଅବସ୍ଥା ଘନିଷ୍ଠ ଭାବରେ ସଂପୃକ୍ତ । ଅଥଚ ସେହି କଥାଟିକୁ ଧରିଛନ୍ତି, ସ୍ଫଷ୍ଟତଃ ରାଜନୈତିକ ଉଦ୍ଦେଶ୍ୟରେ । ରାଜନୈତିକ ଉଦ୍ଦେଶ୍ୟ ହୋଇପାରେ ସରକାର ଉପରେ ଚାପ ପକାଇ ଅନ୍ୟ କିଛି କାମ ହାସଲ କରିବା ବା ଶାସନ ପରିବର୍ତ୍ତନ କରିବା । ଶାସନ ପରିବର୍ତ୍ତନ ସମ୍ଭବ ନୁହେଁ । ଆନ୍ଦୋଳନର ଚାପ ଦେଇ ଅନ୍ୟ କାମ ହାସଲ କରିନେବାର ପନ୍ଥା ଉତ୍କୃଷ୍ଟ ନୁହେଁ । ଆଉ ଏକ ଉଦ୍ଦେଶ୍ୟ ହୋଇପାରେ ଯେ କିଛି ନା କିଛି ଉତ୍ତେଜନା ଚାଲିଯାଉ । ଅନ୍ୟଥା ଦଳ ହିସାବରେ ବା ବ୍ୟକ୍ତି ହିସାବରେ ହୁଏତ ଲୋକେ ଭୁଲିଯିବେ । ଏ ଉଦ୍ଦେଶ୍ୟକୁ ଜନତା ସମର୍ଥନ କରିବେ ନାହିଁ ବୋଲି ମୋର ବିଶ୍ୱାସ ।

Image

 

୨୭-୭-୬୯

ରବିବାର

 

ଆଲୋଚନା ନା ଆନ୍ଦୋଳନ

 

ଏକ ସମୟରେ କଂଗ୍ରେସ ପକ୍ଷରୁ କୁହାଯାଉଥିଲା ଯେ ସେହି ଏକା ଗଣତନ୍ତ୍ର ରକ୍ଷକ ଏବଂ ସେଇଥିପାଇଁ ସେ ଗରତନ୍ତ୍ରବିରୋଧୀ କମ୍ୟୁନିଷ୍ଟ ଦଳମାନଙ୍କ ସହିତ ଲଢ଼ୁଛି । ପରେ ପୁଣି ପି:,ସ: ପି: ମଧ୍ୟ ସେ ଗଣତନ୍ତ୍ର ନାମରେ କମ୍ୟୁନିଷ୍ଟ ଦଳମାନଙ୍କୁ ଜାତି ବାସନ୍ଦ କଲା । ଅଥଚ ଆଜି କଂଗ୍ରେସ ଭିତରେ ଯେଉଁ ଉଦ୍ଦେଶ୍ୟ କାର୍ଯ୍ୟ କରୁଥିବାର ପ୍ରକାଶ ପାଉଛି ସେଥିରୁ ମନେ ହୁଏ କଂଗ୍ରେସ ନିଜେ ଆଉ ଗଣତନ୍ତ୍ରରେ ବିଶ୍ୱାସ କରୁନାହିଁ ବା ଏହାର ଚିରାଚରିତ ରୀତି ଅନୁସାରେ ମୁହଁରେ ଗଣତନ୍ତ୍ରର ମନ୍ତ୍ର ଜପି କାର୍ଯ୍ୟରେ ଡିକ୍ଟେଟରସିପ୍‌ ସ୍ଥାପନର ବ୍ୟବସ୍ଥା କରୁଛି । ଏ ଉଦ୍ଦେଶ୍ୟର ସୂଚନା ଦୁଇଟି କଥାରୁ ସ୍ପଷ୍ଟ ।

 

ପ୍ରଥମ– ବହୁ ମତରେ ବିଶେଷତଃ ପ୍ରଧାନମନ୍ତ୍ରୀଙ୍କ ମତ ବିରୋଧରେ ରାଷ୍ଟ୍ରପତି ପଦ ପାଇଁ ସଞ୍ଜୀବ ରେଡ଼ିଙ୍କୁ ବାଛିବା । ଦେଶରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଏବଂ ପ୍ରଦେଶରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ଏମାନଙ୍କ ମଧ୍ୟରେ ମତଭେଦ ଘଟିଲେ ଯେ କୌଣସି ସମୟରେ ଶାସନ ସଙ୍କଟ ଉପୁଜିପାରେ, ଏହା ସ୍ପଷ୍ଟ । ସେଥିପାଇଁ ପ୍ରଦେଶରେ ରାଜ୍ୟପାଳ ନିଯୁକ୍ତିବେଳେ ମୁଖ୍ୟମନ୍ତ୍ରୀଙ୍କ ମତ ନିଆଯାଏ । କିନ୍ତୁ ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀଙ୍କୁ ବାଧା ଦିଅନ୍ତୁ ଏହି ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀଙ୍କ ମତବିରୋଧରେ ସଞ୍ଜୀବ ରେଡ଼ିଙ୍କୁ ବଛାଯାଇଛି, ଏଥିରେ ସନ୍ଦେହ ନାହିଁ । ଆଶ୍ଚର୍ଯ୍ୟର କଥା, ଭି:ଭି: ଗିରିଙ୍କୁ ଦୋଷାରୋପ କରାହେଉଛି କାହିଁକି ସେ ବେଙ୍କ ଜାତୀୟକରଣ ଅର୍ଡ଼ିନାନ୍‌ସରେ ଦସ୍ତଖତ କଲେ ଓ କାହିଁକି ତାକୁ ଗଡ଼ାଇ ନଦେଲେ । କୌଣସି ଅର୍ଡ଼ିନାନ୍‌ସ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଦୋଷ ନ ଦେଇ ବା ତାଙ୍କୁ ସମାଲୋଚନା ନକରି ରାଷ୍ଟ୍ରପତିଙ୍କଠାରୁ ଆଶା କରିବା ଯେ ସେ ତାକୁ ଅଟକାନ୍ତୁ ବା ଗଡ଼େଇ ଦିଅନ୍ତୁ, ଏହା ଏକ ଗଣତନ୍ତ୍ର ପଦ୍ଧତି ପ୍ରତି ଅଶୁଭ ସୂଚନା କ୍ରମେ ରାଷ୍ଟ୍ରପତିଙ୍କଠାରୁ ଆରମ୍ଭ ହୋଇ ପରେ ପ୍ରଦେଶରେ ରାଜ୍ୟପାଳ ନିଯୁକ୍ତି ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ମତ ନ ନିଆହୋଇ ହେବ, ଏହାର ସୂଚନା ମିଳିଲାଣି । ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀଙ୍କ ମତରେ ନ ଚାଲି କାହା ମତରେ ଚାଲିବେ ? କଂଗ୍ରେସ ମତରେ ସେ ଚାଲିବେ ତଥାକଥିତ କଂଗ୍ରେସ ହାଇକମାଣ୍ଡ ମତରେ ପୁଣି ଏ ହାଇକମାଣ୍ଡ କିଏ ? ଯେଉଁମାନେ ନିର୍ବାଚନରେ ପରାଜିତ ଓ ପ୍ରଦେଶରେ ପରିତ୍ୟକ୍ତ ସେହିମାନେ ହାଇକମାଣ୍ଡ । ଏହିପରି କ୍ରମେ ନିର୍ବାଚନ ଓ ଗଣତନ୍ତ୍ର ଖାଲି କଥାର କଥା ହୋଇ ରହିଯିବ ବା ଶେଷରେ ଉଠିଯିବ ।

 

ନିର୍ବାଚନର ମୂଲ୍ୟ କିଛି ନାହିଁ, ଏହାକୁ କାର୍ଯ୍ୟରେ ପ୍ରମାଣ କରିବା ପାଇଁ ଓଡ଼ିଶା କଂଗ୍ରେସ ଆଗେଇଛନ୍ତି । କାରଣ ସବୁ ପ୍ରକାରର ପରୀକ୍ଷା ଓଡ଼ିଶାରେ ହୋଇପାରେ ବୋଲି ବହୁବର୍ଷ ପୂର୍ବେ ବର୍ତ୍ତମାନର ହାଇକମାଣ୍ଡର ଜଣେ ପ୍ରଧାନ ନେତା ଶ୍ରୀ ଅତୁଲ୍ୟ ଘୋଷ ମୋତେ କହିଥିଲେ । ସମ୍ଭବତଃ ଓଡ଼ିଶା କଂଗ୍ରେସ କେନ୍ଦ୍ର ହାଇକମାଣ୍ଡର ମତରେ ଏଠି କାର୍ଯ୍ୟ କରୁଛନ୍ତି । ଆଜି ସୁଦ୍ଧା ଯେତେ ଆଇନ ଯେଉଁଠି ପାସ୍‌ ହୋଇଛି ପ୍ରଦେଶରେ ବା କେନ୍ଦ୍ରରେ ସବୁ ବହୁ ମତରେ ପାସ ହୋଇଛି । ସର୍ବସମ୍ମତ ହୋଇ କୌଣସି ଆଇନ ପାସ ହୋଇନାହିଁ । ସେହିପରି ବସ୍‌ ଭଡ଼ା ବୃଦ୍ଧି ଆଇନ ମଧ୍ୟ ପାସ୍‌ ହୋଇଛି । ବର୍ତ୍ତମାନ ବ୍ୟବସ୍ଥାସଭାର ଅଳ୍ପସଂଖ୍ୟକ ସଭ୍ୟ ଆନ୍ଦୋଳନ କରି ସେ ଆଇନକୁ ରଦ୍ଦ କରିବାପାଇଁ ଅଣ୍ଟାଭିଡ଼ି ବାହାରିଛନ୍ତି । ତାହାହେଲେ ବ୍ୟବସ୍ଥାସଭାରେ କୌଣସି ବିଷୟ ଆଲୋଚନା ହେବାର ଆବଶ୍ୟକତା କଅଣ ? ବ୍ୟବସ୍ଥାସଭା ପାଇଁ ସଭ୍ୟ ନିର୍ବାଚନର ବା ଆବଶ୍ୟକତା କଅଣ ? ଓଡ଼ିଶା କଂଗ୍ରେସ ପକ୍ଷରୁ କୁହାଯାଉଛି ଇତିପୂର୍ବରୁ ଥିବା କଂଗ୍ରେସ ସରକାର ଉନ୍ନତିକର କାର୍ଯ୍ୟ କରୁଥିଲେ । ଅବଶ୍ୟ ସେମାନେ ତାହା ଭାବୁଥିବେ । ମାତ୍ର ଭୋଟଦାତା ପରା ତାହା ସ୍ୱୀକାର କଲେ ନାହିଁ । ଭୋଟରେ ପରାଜିତ କଂଗ୍ରେସ ନେତାମାନେ ଆନ୍ଦୋଳନ କରି ଶାସନକୁ ଆସିବାର ଯେ ଆଶାପୋଷଣ କରୁଛନ୍ତି, ଏହାହିଁ ଅନୁଧ୍ୟାନ କରିବାର ବିଷୟ । ରାଜନୈତିକ ଅଧିକାର ପାଇଁ ଯଦି ଆନ୍ଦୋଳନ ହିଁ ଉପାୟ ବୋଲି ଗୃହୀତ ହୁଏ ତେବେ ପ୍ରତ୍ୟେକ ରାଜନୈତିକ ଦଳ ସେଥିପାଇଁ ପ୍ରସ୍ତୁତ ହେବା ଉଚିତ ଓ ସମୟାନୁସାରେ ହେବେ ମଧ୍ୟ ।

 

କିନ୍ତୁ ସାଧାରଣ ଲୋକଙ୍କର ଏ ଅବସ୍ଥାରେ କର୍ତ୍ତବ୍ୟ କଅଣ ? ସେମାନେ ନିଜର ମତ ଆନ୍ଦୋଳନ ଜରିଆରେ ଜାରି କରିବା ଉଚିତ । ଯେଉଁଠି କଂଗ୍ରେସ ପ୍ରଭୃତି ଦଳମାନଙ୍କ ପକ୍ଷରୁ ପ୍ରତିରୋଧ ହେଉଛି ବା ହେବ ସେଠିକି ସରକାରୀ ବସ୍‌ ଯିବା ଆସିବା ବନ୍ଦ କରିଦିଆଯାଉ । ଯଦି ଲୋକେ ଚାହିଁବେ ବସ୍‌ ଚଳାଚଳ ତେବେ ସେମାନେ ସଙ୍ଘବଦ୍ଧ ହୋଇ ଆନ୍ଦୋଳନକାରୀଙ୍କୁ ହଟାନ୍ତୁ, ନ ହେଲେ ବସ୍‌ ବନ୍ଦ ରହୁ । ବସ୍‌ ଚଳାଚଳ ପାଇଁ କୌଣସି ସରକାର ବାଧ୍ୟ ନୁହନ୍ତି ବା ବସ୍‌ ଚଳାଇବା ପାଇଁ ଦାବି ହେଉଛି ସେଠିକି ଅନ୍ୟ ଅଞ୍ଚଳରେ ଆନ୍ଦୋଳନ ହେତୁ ବନ୍ଦ ହେବା ବସ୍‌ମାନଙ୍କୁ ପଠାଇ ଦିଆଯାଉ । ଲୋକେ ଏପରି ଆଶା କରିବା ଉଚିତ ନୁହେଁ ଯେ ସେମାନେ ନୀରବଦର୍ଶକ ହୋଇ ରହିଥିବେ ଓ ସରକାରଙ୍କ ପକ୍ଷରୁ ପୋଲିସ ଓ ଅନ୍ୟ ପକ୍ଷରେ କଂଗ୍ରେସ ପ୍ରଭୃତି ଦଳମାନେ ପରସ୍ପର ଲଢ଼ୁଥିବେ । ମୋର ତ ବେଳେବେଳେ ମନେହୁଏ ପରୀକ୍ଷାମୂଳକ ଭାବରେ କୌଣସି ଅଞ୍ଚଳରୁ ପୋଲିସକୁ ହଟାଇ ନେଇ ସମସ୍ୟାମାନଙ୍କ ସମାଧାନ ଲୋକଙ୍କ ଉପରେ ଛାଡ଼ି ଦେଇ ଦେଖାଯାନ୍ତା, କେଉଁ ଶ୍ରେଣୀ ସେଥିରେ ଲାଭବାନ ହେଉଛନ୍ତି ।

 

ନିର୍ବାଚନ ବା ଆଲୋଚନା ପରିବର୍ତ୍ତେ ଯେତେବେଳେ ଆନ୍ଦୋଳନକୁ ଗୁରୁତ୍ୱ ଦିଆହେଉଛି, ସେତେବେଳେ ପୋଲିସକୁ ସମର୍ଥନ କରିବା କର୍ତ୍ତବ୍ୟ ହୋଇଯାଉଛି । ଅବଶ୍ୟ ଆଇନବିରୁଦ୍ଧ କାର୍ଯ୍ୟ କଲେ ଯେକୌଣସି ଲୋକ ଦଣ୍ଡନୀୟ ହେବ । କିନ୍ତୁ ସାଧାରଣ ଭାବରେ ପୋଲିସର ଯେପରି ନିନ୍ଦା ବା ସମାଲୋଚନା ହୁଏ ସେହି ଆଜିର ଗଣତନ୍ତ୍ର ବିରୋଧୀ ଆନ୍ଦୋଳନ ସମୟରେ ଯେପରି ହେଲେ ସାଧାରଣଙ୍କ ସ୍ୱାର୍ଥରେ ବାଧା ଘଟିବ କାରଣ ଅଳ୍ପ କେତେକ ଲୋକ ବାହୁବଳରେ ଆତଙ୍କ ସୃଷ୍ଟି କରିଦେବେ ।

 

ଲୋକଙ୍କ ପକ୍ଷରେ ବିଚାର କରି ସ୍ଥିର କରିବାର କଥା– ଆଲୋଚନା ନା ଆନ୍ଦୋଳନ ।

Image

 

୧୭-୧୦-୬୯

ଶୁକ୍ରବାର

 

Unknown

ଆମେ ସିନା ଭୁଲିଛୁଁ ସେ ଭୁଲି ନାହାନ୍ତି

 

ଆଜି ଗାନ୍ଧିଜୀଙ୍କ ଶହେ ବର୍ଷ ପୂରିଲାବେଳକୁ, ଯଦି ଗାନ୍ଧିଜୀ କଥା କହି ପାରୁଥାନ୍ତେ, ତେବେ ସେ ଯାହା କହୁଥାନ୍ତେ, ଖାନ୍‌ ଅବଦୁଲ ଗଫୁର ଖାଁ ପ୍ରାୟ ଠିକ ସେହି କଥା କହୁଛନ୍ତି । ମନେ ହେଉଛି ଯେପରି ଦୀର୍ଘ କୋଡ଼ିଏ ବର୍ଷ ପରେ ପୁଣି ସେହି ଗାନ୍ଧିଜୀଙ୍କ ସ୍ୱର ଶୁଣାଯାଉଛି । ୧୯୪୭ ସାଲରେ ଗାନ୍ଧିଜୀ ଘୋଷଣା କଲେ ‘‘ଭାରତରେ କଦାପି ଖାଦ୍ୟାଭାବ ଘଟିବାର ନୁହେଁ । ଯଦି ଘଟେ ଓ ଲକ୍ଷ ଲକ୍ଷ ଲୋକ ଅନାହାରରେ ରହନ୍ତି ତେବେ ସୁଦ୍ଧା ବିଦେଶରୁ ଖାଦ୍ୟ ଆମଦାନୀ କରାଯିବା ଉଚିତ ନୁହେଁ ।’’ ଗାନ୍ଧିଜୀଙ୍କ ଚିତାଭସ୍ମ ସାଙ୍ଗରେ ମିଶିଗଲା ଏ ଆତ୍ମସମ୍ମାନର ଭୀଷ୍ମ ପ୍ରତିଜ୍ଞା । ବିଦେଶରୁ ଖାଦ୍ୟ ଆମଦାନୀ କରିବାରେ ବାହାଦୁରି ନେବାରେ ଲାଗିଲେ ବିଭିନ୍ନ ସମୟରେ ବିଭିନ୍ନ ଖାଦ୍ୟମନ୍ତ୍ରୀ । ୧୯୩୭ ସାଲରୁ ଗାନ୍ଧିଜୀ କହି ଆସୁଥିଲେ ଓ ୧୯୪୭ରେ ଶେଷଥର ପାଇଁ ଜୋରରେ କହିଲେ ଯେ ଭୋଟ ପାଇବା ପାଇଁ କଂଗ୍ରେସ ଦଳ ନିଜର ଗୃହୀତ ନୀତି ଉପରେ ଛିଡ଼ା ହୋଇ ପାରୁନାହିଁ । ଫଳରେ ରାଜନୀତି ଦୁର୍ନୀତିଗ୍ରସ୍ତ ହୋଇଯାଉଛି । ବାସ୍ତବିକ ଆଜି ଭାରତରେ ରାଜନୀତି କହିଲେ ବୁଝାଉଛି କେବଳ ନିର୍ବାଚନ ପାଇଁ ପ୍ରସ୍ତୁତି । କୋଡ଼ିଏ ବର୍ଷ ପରେ ପୁଣି ସେହି ସ୍ୱର ଉଠାଇଲେ ବାଦଶାହା ଖାଁ ଯେ ରାଜନୀତିରେ ମଧ୍ୟ ନୀତି ଅଛି, ଏହା କେବଳ ଭୋଟ ସର୍ବସ୍ୱ ନୁହେଁ । ଅବଶେଷରେ କଂଗ୍ରେସକୁ ଜାଳି ପୋଡ଼ି ଦେଇ କାମରାଜଙ୍କ ପରି ଲୋକ ମଧ୍ୟ ମାନ୍ଦ୍ରାଜରେ ପ୍ରକାଶ କରିଛନ୍ତି ଯେ ଭୋଟ ରାଜନୀତି ଫଳରେ ଗତ କୋଡ଼ିଏ ବର୍ଷରେ ପ୍ରଭୃତ କ୍ଷତି ହୋଇଛି ଓ ଏହା ବିରୁଦ୍ଧରେ ଆନ୍ଦୋଳନ ଦକ୍ଷିଣ ଭାରତରୁ ଆରମ୍ଭ ହେବ । ସେ ଆନ୍ଦୋଳନରେ ଅବଶ୍ୟ କାମରାଜଙ୍କ ଭଳି ନିର୍ବାଚନ ସର୍ବସ୍ୱ ଗୋଟି ଚଳାଳିଙ୍କ ସ୍ଥାନ ରହିବ ନାହିଁ, ତଥାପି ତାଙ୍କର ବିବେକ ଯେ ଦଂଶନ ଆରମ୍ଭ କରିଛି, ଏହା ସୁସ୍ପଷ୍ଟ । ୧୯୪୮ର ଆରମ୍ଭରେ ସବୁବେଳେ ଗାନ୍ଧିଜୀଙ୍କ ଶୁଷ୍କ ମୁଖରୁ ନିରାଶାର ବାଣୀ ଶୁଣା ଯାଉଥିଲା ‘‘ଦେଶରେ ହିଂସାର ବାୟୁମଣ୍ଡଳ ଉତ୍କଟ ହେଉଛି ।’’ ମିଶିଗଲା ସେ କଥା ପୁଣି ଦିଲ୍ଲୀ ରାଜଘାଟର ନିର୍ଜନ ଶ୍ମଶାନରେ, ମନେ କରାହେଲା ଯେ କମ୍ୟୁନିଷ୍ଟମାନେ ଦେଶରେ ହିଂସାର ପ୍ରଚାର କରୁଛନ୍ତି । ତେଲେଙ୍ଗାନାରେ ଭୁଦାନ ଆନ୍ଦୋଳନ ଆରମ୍ଭ ହେଲା କମ୍ୟୁନିଷ୍ଟ ମତବାଦର ପ୍ରତିଷେଧ ସ୍ୱରୂପ । ୧୯୫୩ରେ ପ୍ରଚାରିତ ହେଲା ଯେ ଭୁଦାନ ଆନ୍ଦୋଳନ ବ୍ୟାପକ ନ ହେଲେ କମ୍ୟୁନିଷ୍ଟ ମତବାଦ ମାଡ଼ିଆସିବ । ସେତେବେଳକାର ପ୍ରଚାର ପତ୍ର ଓ ପ୍ରକାଶିତ ବକ୍ତୃତାମାନ ଆଜି ପଢ଼ିଲେ ବିସ୍ମିତ ହେବାକୁ ହୁଏ । ଆତ୍ମନିରୀକ୍ଷଣ ବା ତୁଳନାତ୍ମକ ବିଶ୍ଳେଷଣ ଫଳରେ ଆତ୍ମଜ୍ଞାନ ଯେ ସମୃଦ୍ଧ ହୁଏ ଏହା ଗାନ୍ଧିଜୀଙ୍କ ପରେ ପରେ ଏ ଦେଶରେ ପ୍ରାୟ ସମସ୍ତେ ଭୁଲିଗଲେ । ଆଜି ପନ୍ଦର ବର୍ଷ ପରେ ଭୂଦାନ ଆଜି ପ୍ରଦେଶ ଦାନରେ ପହଞ୍ଚିଲାଣି । ଅନ୍ୟ ଦିଗରେ କମ୍ୟୁନିଷ୍ଟ ମତବାଦ ମାର୍କସବାଦ ବାଟ ଦେଇ ତଥାକଥିତ ନକ୍‌ସଲାଇଟବାଦରେ ଆସି ପହୁଞ୍ଚିଲାଣି । ହିଂସାର ଯେଉଁ ଦାବାନଳ ଜୀବନର ପ୍ରତି ସ୍ତରରେ ବ୍ୟାପି ରହିଛି, ସେଥିର ପ୍ରତିଷେଧ ଯେ ସ୍ୱଚ୍ଛ ନିଃସ୍ୱାର୍ଥପରତା ଓ ନିର୍ଭୟତା ବୋଲି ଗାନ୍ଧିଜୀ ଦର୍ଶାଇ ଥିଲେ, ପୁଣି ତାକୁ ସ୍ମରଣ କରାଇ ଦେଇଛନ୍ତି ଖାନ୍‌ ଅବଦୁଲ ଗଫୁର ଖାଁ ।

 

ସେ ଯେ ଏଠି ଆଜି ଦିଲ୍ଲୀ ସହରରେ ଲକ୍ଷ ଲକ୍ଷ ଲୋକଙ୍କ ଆଗରେ ଆଙ୍ଗୁଳି ଦେଖାଇ ନେତୃସ୍ଥାନୀୟ ବ୍ୟକ୍ତିମାନଙ୍କୁ କହୁଛନ୍ତି ତୁମର ଭୁଲ ହେଉଛି, ତାହା ନୁହେଁ, ସେ ଠିକ୍‌ ଏହି କଥା ଏକଛତ୍ରାଧିପତି ଆୟୁବ ଖାଁକୁ ମଧ୍ୟ ସେ କହିଥିଲେ । ନିର୍ଭୀକ ଭାବରେ ସେ ରୁଷିଆର ପ୍ରଧାନମନ୍ତ୍ରୀ କୋସିଜିନଙ୍କୁ ମଧ୍ୟ ନିଜର ବିଚାର ସ୍ପଷ୍ଟ ଭାଷାରେ କହିଥିଲେ । କୌଣସି ଚକ୍ଷୁଲଜ୍ଜା, ସଙ୍କୋଚ ବା ଭୟ ମନରେ ନ ରଖି ଖାଁ ସାହେବ ଭାରତର ନେତାମାନଙ୍କୁ ସତର୍କ ବାଣୀ ଶୁଣାଉଛନ୍ତି । ପ୍ରବଳ ଗ୍ରୀଷ୍ମ ସମୟରେ ଶୀତଳ ପବନ ପରି ସେ କଥା ଆଶ୍ୱାସନା ଦେଉଛି ଓ ଭବିଷ୍ୟତ ପ୍ରତି ଆଶା ପୋଷଣରେ ସାହାଯ୍ୟ କରୁଛି ।

 

ଗାନ୍ଧିଜୀଙ୍କ ପରେ ପରେ ଗାନ୍ଧିବାଦ ବା ସର୍ବୋଦୟ ନାମରେ ଖାନ୍‌ ଅବଦୁଲ ଗଫର ଖାଁଙ୍କ ଭାରତ ଆଗମନ ବିଧି-ପ୍ରେରିତ ବୋଲି ମନେ କରିବାକୁ ହେବ । କିଛି ନ ହେଉ ପଛକେ ସେ ତ ସିଧା କହୁଛନ୍ତି ‘‘ନିଜ ଦେଶରେ ଚାରିଆଡ଼େ ହିଂସାକାଣ୍ଡ ଚାଲିଥିବା ବେଳେ, ବାହାରେ ଯାଇ ଅହିଂସାର ପ୍ରଚାର କରି ଲୋକହସା ହୁଅନାହିଁ’’, ‘‘ଭୋଟ ପଛେ ନ ମିଳିଲା ନାହିଁ, ନିଜ ନୀତିରୁ ଭ୍ରଷ୍ଟ ହୁଅନାହିଁ’’, ‘‘ଘରେ ପଛେ ଉପାସେ ରହ, ବାହାରେ ପେଟ ଦେଖାଇ ଭିଖ ମାଗ ନାହିଁ’’ ଏ ସବୁ ତ ଜାତିକୁ ଜୀବନ ଦେବାର ମନ୍ତ୍ର । ଏହି ମନ୍ତ୍ର ଦିନେ ଏ ଦେଶ ଗ୍ରହଣ କରିଥିଲା । ତାହାହିଁ ଆଜି ସ୍ମରଣ କଲୁଁ, ବ୍ୟକ୍ତିଗତ ଜୀବନରେ ଓ ଜାତୀୟ ଜୀବନରେ ।

Image

 

୧୧-୧୧-୬୯

ମଙ୍ଗଳବାର

 

ନକ୍‌ସଲବାଦ-ନୀତି ଓ କାର୍ଯ୍ୟକ୍ରମ କାରଣ ଓ ପ୍ରତିକାର

(୧)

 

ନକ୍‌ସଲବାଦ ଓ ଏହାର କାର୍ଯ୍ୟକ୍ରମ ସମ୍ବନ୍ଧରେ ସମୟ ସମୟରେ ଯେଉଁ ସମ୍ବାଦମାନ ପ୍ରକାଶିତ ହେଉଛି ସେଥିରୁ ଏହା ଏକ ହିଂସାତ୍ମକ ଆନ୍ଦୋଳନ, ଏତିକିମାତ୍ର ଧାରଣା ହେଉଛି । ଏ ସମ୍ବନ୍ଧରେ ଯେଉଁ ପତ୍ରିକା ଏ ମତବାଦ ପକ୍ଷରୁ ପ୍ରକାଶିତ ହେଉଛି ତାହା ମଧ୍ୟ ସାଧାରଣ ଭାବରେ ପ୍ରଚାରିତ ନୁହେଁ । ଏହା କେବଳ ସେହି ମତବାଦରେ ବିଶ୍ୱାସ କରୁଥିବା ଲୋକମାନଙ୍କ ମଧ୍ୟରେ ସୀମାବଦ୍ଧ । ମାତ୍ର ପତ୍ରିକାଟି ଆଇନ ଅନୁସାରେ ମୁଦ୍ରିତ ଓ ପ୍ରକାଶିତ । ମଝିରେ ମଝିରେ ସଭା ସମିତିରେ କେହି କେହି ନକ୍‌ସଲବାଦର ନିନ୍ଦା ବା ପ୍ରଶଂସା କରିଥାନ୍ତି । ଏ ପ୍ରବନ୍ଧରେ ଏ ମତବାଦଟି କଅଣ, ଏହାର କାର୍ଯ୍ୟକ୍ରମ କଅଣ ଚାଲିଛି ସେ ସମ୍ବନ୍ଧରେ ମୁଁ ଯାହା ବୁଝିଛି ଓ ଜାଣିଛି ତାହାହିଁ ଆଲୋଚନା କରିବି ଏବଂ କ୍ରମେ ଏ ମତବାଦର ଉତ୍‌ଥାନର କାରଣ ଓ ତାହାର ପ୍ରତିକାର ସମ୍ବନ୍ଧରେ ଆଲୋଚନା କରିବି ।

 

କମ୍ୟୁନିଷ୍ଟ ମତବାଦ, ନକ୍‌ସଲ ମତବାଦ ଓ ବାମପନ୍ଥୀ କମ୍ୟୁନିଷ୍ଟ ମତବାଦ ମାର୍କସ୍‌ଙ୍କ ଦର୍ଶନ ଉପରେ ପ୍ରତିଷ୍ଠିତ । ସମାଜରେ ଅର୍ଥକୁ କେନ୍ଦ୍ର କରି ଶ୍ରେଣୀ ସଂଘର୍ଷ ଚାଲିଛି ଓ ଏ ସଂଘର୍ଷରେ ଶୋଷିତ ଶ୍ରେଣୀ ବଳପୂର୍ବକ ଶୋଷକ ଶ୍ରେଣୀକୁ ଧ୍ୱଂସ କରି ନିଜ ହାତକୁ ଶାସନକ୍ଷମତା ନେଲେ, ଶ୍ରେଣୀଶୂନ୍ୟସମାଜ ଗଠିତ ହୋଇପାରିବ, ଅନ୍ୟଥା ନୁହେଁ । ଏହା ମତବାଦର ସାରମର୍ମ । କିନ୍ତୁ ୧୯୧୯ରେ ରୁଷିଆରେ କମ୍ୟୁନିଷ୍ଟ ଦଳ ଶାସନଭାର ନେଇ ଯେଉଁ କାର୍ଯ୍ୟକ୍ରମ ଓ କୌଶଳ ଅବଲମ୍ବନ କରିଥିଲେ, ଚୀନର କମ୍ୟୁନିଷ୍ଟ ଦଳ ସେଠାକାର ପରିସ୍ଥିତିକୁ ନେଇ ଭିନ୍ନ କର୍ମକୌଶଳ ଅବଲମ୍ବନ କରିଥିଲେ । ପ୍ରଥମ ମହାଯୁଦ୍ଧ ପରେ ରୁଷିଆରେ କମ୍ୟୁନିଷ୍ଟ ଶାସନ ପ୍ରବର୍ତ୍ତିତ ହେଲା । ଦ୍ୱିତୀୟ ମହାଯୁଦ୍ଧ ପରେ ଚୀନରେ କମ୍ୟୁନିଷ୍ଟ ଶାସନ ପ୍ରତିଷ୍ଠିତ । ରୁଷିଆରେ କମ୍ୟୁନିଷ୍ଟ ଶାସନ ପୂର୍ବରୁ ଯେପରି ଶିଳ୍ପ ବିସ୍ତାର ଲାଭ କରିଥିଲା; ଚୀନରେ ସେପରି ହୋଇ ନଥିଲା । ଭାରତ ପରି ଚୀନ ଏକ ଗ୍ରାମ ପ୍ରଧାନ ଦେଶ ଓ ଶିଳ୍ପ କ୍ଷେତ୍ରରେ ଅନୁନ୍ନତ । ଚୀନରେ କମ୍ୟୁନିଷ୍ଟ ଶାସନ ପ୍ରବର୍ତ୍ତିତ ହେବାବେଳକୁ ପ୍ରାୟ ପନ୍ଦରବର୍ଷ ପୂର୍ବେ ଶିଳ୍ପକ୍ଷେତ୍ରରେ ଭାରତ ଚୀନ ଆଗରେ ଥିଲା । ରୁଷିଆରେ ମୁଖ୍ୟତଃ ରାଜଧାନୀରେ ବିପ୍ଳବ ଘଟାଇ କମ୍ୟୁନିଷ୍ଟ ଦଳ ଶାସନ ଦଖଲ କଲେ । କିନ୍ତୁ ଚୀନରେ ପ୍ରଦେଶମାନଙ୍କରେ ବିପ୍ଳବ ଘଟାଇ ଶେଷରେ ରାଜଧାନୀ ଅଧିକାର କରି ସର୍ବୋଚ୍ଚ କର୍ତ୍ତା ଚିଆଙ୍ଗ କାଇସେକ୍‌ଙ୍କୁ ଦେଶରୁ ବାହାର କରିଦେଲେ ।

 

ରାଜଧାନୀରେ, କୋଇମିଙ୍ଗଟାଙ୍ଗ ଦଳ ଶାସନ ଯେପରି ସୁଦୃଢ଼ ଥିଲା, ରୁଷିଆରେ ଜାରଙ୍କ ଶାସନ ସେପରି ଦୃଢ଼ ନଥିଲା । ଚୀନରେ ପ୍ରଥମେ ୧୯୧୯ ସାଲରେ କମ୍ୟୁନିଷ୍ଟ ମତବାଦ ପ୍ରଚାର ହେଲା । ଏ ମତବାଦ ପ୍ରଚାର କରିବା ପାଇଁ ରୁଷିଆରୁ ବରୋଡ଼ିନ ଓ ଏମ. ଏନ. ରାୟ ଆସଥିଲେ । ସେହି ସମୟ ଠାରୁ ଚୀନର କମ୍ୟୁନିଷ୍ଟ ଦଳ ରାଜଧାନୀ ଠାରୁ ଦୂରରେ କ୍ରମେ ସଙ୍ଗଠନ ଦୃଢ଼ କରି ଚାଲିଲେ । ଦ୍ୱିତୀୟ ମହାଯୁଦ୍ଧ ପୂର୍ବରୁ ଚତୁର୍ଦ୍ଦଶ ପଦଯାତ୍ରୀ ବାହିନୀ ନାମରେ କମ୍ୟୁନିଷ୍ଟ ଦଳ ପଦଯାତ୍ରା କରି ଗ୍ରାମକୁ ଗ୍ରାମ ଉଦ୍‌ବୁଦ୍ଧ କରାଇ ସେମାନଙ୍କ ସହିତ ମିଶି ସେମାନଙ୍କୁ ନିଜର ସହକର୍ମୀ କରାଇ ପାରିଥିଲେ । ସେ ସମୟରେ ଅସ୍ତ୍ର ଶସ୍ତ୍ର କିଛି ସେମାନେ ସଂଗ୍ରହ କରିଥିଲେ । କିନ୍ତୁ ଜାପାନ ସହିତ ଚୀନର ଯୁଦ୍ଧରେ କମ୍ୟୁନିଷ୍ଟ ଦଳର ସୈନ୍ୟ ବାହିନୀ ସରକାରୀ ଦଳ ବାହିନୀ ସହିତ ଯୋଗଦେଇ ଜାପାନ ସହିତ ଲଢ଼ିଲେ । ଏହି ଯୁଦ୍ଧ ବେଳେ କମ୍ୟୁନିଷ୍ଟ ଦଳ ହାତକୁ ବହୁ ପରିମାଣରେ ଆମେରିକାର ଅସ୍ତ୍ରଶସ୍ତ୍ର ଆସିଲା । କମ୍ୟୁନିଷ୍ଟ ଦଳ କଠୋର ଶୃଙ୍ଖଳା ଭିତରେ ଜନସାଧାରଣଙ୍କୁ ସଙ୍ଗଠିତ କରୁଥିବାବେଳେ ଚୀନର ଶାସକଗୋଷ୍ଠୀ ଆମେରିକା ସାହାଯ୍ୟର ଅପବ୍ୟବହାର କରି ଦୁର୍ନୀତିଗ୍ରସ୍ତ ହୋଇ ନିଶ୍ଚିତ ରହିଲେ । ଶେଷରେ ଦେଶର ଚାରିଆଡ଼େ ସଶସ୍ତ୍ର ବିପ୍ଳବ ଘଟି ଚୀନରେ କମ୍ୟୁନିଷ୍ଟ ଶାସନ ପ୍ରତିଷ୍ଠିତ ହେଲା ।

 

ମୋଟାମୋଟି ଭାବରେ ରୁଷିଆ ଓ ଚୀନ ମଧ୍ୟରେ ବିପ୍ଳବ କୌଶଳର ଏହି ପ୍ରଭେଦ ଯେ ରୁଷିଆରେ ରାଜଧାନୀରୁ ବିପ୍ଳବ ଯାଇ ପ୍ରଦେଶମାନଙ୍କରେ ପହଞ୍ଚିଲା ଓ ଚୀନରେ ପ୍ରଦେଶମାନଙ୍କରୁ ବିପ୍ଳବ ଆସି ରାଜଧାନୀରେ ପହୁଞ୍ଚିଲା । ବିପ୍ଳବର କେନ୍ଦ୍ର ରାଜଧାନୀ, ଏହି ନୀତି ଅନୁସାରେ କମ୍ୟୁନିଷ୍ଟ ଦଳ ବ୍ୟବସ୍ଥାସଭା ଇତ୍ୟାଦିରେ ପ୍ରବେଶ କରିବାର କୌଶଳ ଅବଲମ୍ବନ କରିଥିଲେ । କିନ୍ତୁ ଗଣବିପ୍ଳବର ଏହା ବିରୋଧୀ ବୋଲି ଯେଉଁମାନେ ବିଶ୍ୱାସ କଲେ ସେମାନେ ବାମପନ୍ଥୀ କମ୍ୟୁନିଷ୍ଟ ନାମରେ ଅଭିହିତ ହେଲେ । ବାମପନ୍ଥୀମାନେ ଚୀନର କୌଶଳରେ ବିଶ୍ୱାସୀ ଓ ଦକ୍ଷିଣପନ୍ଥୀମାନେ ରୁଷିଆର କୌଶଳରେ ବିଶ୍ୱାସୀ । ଏହି ଥିଲା ମୋଟାମୋଟି ପ୍ରଭେଦ । କିନ୍ତୁ ବାମପନ୍ଥୀମାନେ ରାଜଧାନୀ ଅଭିମୁଖୀ ହୋଇ ବ୍ୟବସ୍ଥାସଭାରେ ପ୍ରଦେଶ ଓ ଶାସନଭାର ଗ୍ରହଣ ଇତ୍ୟାଦି କୌଶଳ ଅବଲମ୍ବନ କରିବାରୁ, ଗଣବିପ୍ଳବରେ ବା ଚୀନ କୌଶଳରେ ବିଶ୍ୱାସ କରୁଥିବା କମ୍ୟୁନିଷ୍ଟ ମତବାଦୀମାନେ ଅଲଗା ହୋଇଗଲେ । ଏମାନଙ୍କର କାର୍ଯ୍ୟକ୍ରମ ରାଜଧାନୀ ଠାରୁ ଦୂରରେ ଓ ଉପେକ୍ଷିତ ଅଞ୍ଚଳମାନଙ୍କରେ ଚାଲିଲା ଓ ଚାଲିଛି । ପଶ୍ଚିମବଙ୍ଗର ନକ୍‌ସଲବାଡ଼ି ନାମକ ସ୍ଥାନରେ ଭୂମିହୀନ ଲୋକେ ଧନୁ ତୀର ନେଇ ସଶସ୍ତ୍ର ଆନ୍ଦୋଳନ କରି ଦେଶର ଦୃଷ୍ଟି ଆକର୍ଷଣ କଲେ ସେ ପ୍ରକାର ଆନ୍ଦୋଳନ ପ୍ରତି । ତେଣୁ ସେହି କୌଶଳରେ ଆନ୍ଦୋଳନ କରୁଥିବା ଦଳର ନୀତିକୁ ସାଧାରଣ କଥାରେ ନକ୍‌ସଲପନ୍ଥୀ ବୋଲି କୁହାଯାଏ । ଏ ମତବାଦ ହେଉଛି କମ୍ୟୁନିଷ୍ଟ ମତବାଦ, ମାତ୍ର କୌଶଳ ହେଉଛି ରାଜଧାନୀଠାରୁ ଦୂରରେ ଉପେକ୍ଷିତ ନିଷ୍ପେଷିତ ଜନତା ମଧ୍ୟରେ ବିଦ୍ରୋହର ଭାବ ଜାଗ୍ରତ କରି ସେମାନଙ୍କୁ ସଶସ୍ତ୍ର ଆନ୍ଦୋଳନ କରିବା ପାଇଁ ପ୍ରସ୍ତୁତ କରିବା । ଏମାନେ ଚୀନର କୌଶଳ ଅବଲମ୍ବନ କରିଥିବାରୁ ଚୀନର ନୈତିକ ସମର୍ଥନ ଏମାନେ ପାଇଥାନ୍ତି । ଏକ ସମୟରେ ବାମପନ୍ଥୀମାନେ ଚୀନର ସମର୍ଥନ ପାଉଥିଲେ । କିନ୍ତୁ କେରଳ ଓ ପଶ୍ଚିମବଙ୍ଗରେ ବାମପନ୍ଥୀମାନେ ଶାସନ ଭିତରକୁ ଗଲା ପରେ ଏମାନେ ଚୀନ ଦ୍ୱାରା ସମାଲୋଚିତ ହେଉଛନ୍ତି । ଭାରତ ସାଙ୍ଗରେ ବର୍ମା ସ୍ୱାଧୀନ ହୋଇଛି । ମାତ୍ର ବର୍ମାରେ ଅନେକ ଅଞ୍ଚଳ ବର୍ତ୍ତମାନ ସୁଦ୍ଧା କେନ୍ଦ୍ର ଶାସନ ଅଧୀନକୁ ଆସିପାରିନାହିଁ । କାରଣ ରାଜଧାନୀଠାରୁ ଦୂର ଅଞ୍ଚଳମାନ କମ୍ୟୁନିଷ୍ଟ (ନକ୍‌ସଲପନ୍ଥୀ) ମାନଙ୍କ ଅଧୀନରେ ଅଛି । ଚୀନରେ ଯେପରି ଶାସନ ଅଧିକାର କରିବା ପାଇଁ ଓ ଲୋକଙ୍କୁ ସେଥିପାଇଁ ସଶସ୍ତ୍ର ବିଦ୍ରୋହ କରିବା ପାଇଁ ଅନ୍ତତଃ କୋଡ଼ିଏବର୍ଷ ଲାଗିଥିଲା, ସେହିପରି ବର୍ମାରେ ଓ ପୂର୍ବ ଭାରତରେ ନକ୍‌ସଲପନ୍ଥୀମାନେ ଯେ ହଠାତ୍‌ କେତୋଟି ବର୍ଷ ମଧ୍ୟରେ ଜୟଯୁକ୍ତ ହେବେ ବୋଲି ଆଶା କରୁଛନ୍ତି ତାହା ନୁହେଁ । ସେମାନେ ବର୍ଷ ବର୍ଷ କାଳ ବହୁ ଅଞ୍ଚଳ ଉପଦ୍ରୁତ ଅବସ୍ଥାରେ ରଖିବା ପାଇଁ ପ୍ରସ୍ତୁତ ଓ ଉଦ୍ଦେଶ୍ୟ ସାଧନ ପାଇଁ ବଦ୍ଧପରିକର । ଏହି ବିଚାରରୁ ପୂର୍ବ-ଭାରତରେ ନକ୍‌ସଲପନ୍ଥୀମାନଙ୍କ କାର୍ଯ୍ୟକ୍ରମକୁ ବିଚାର କରିବାର କଥା ।

 

(ଦୁଇ)

 

୧୨-୧-୬୯

ବୁଧବାର

 

ନକସଲବାଦୀ ନୀତି ହେଉଛି କମ୍ୟୁନିଷ୍ଟ ନୀତି ଅର୍ଥାତ୍‌ ଶୋଷିତମାନଙ୍କ ପକ୍ଷରୁ ଶାସନର ଅଧିକାର ଓ ଶାସନ ମାଧ୍ୟମରେ ସମାଜକୁ ଅର୍ଥନୈତିକ ଶ୍ରେଣୀ ବିଭାଗରୁ ମୁକ୍ତ କରିବା । ଏହି ଉଦ୍ଦେଶ୍ୟରେ ପ୍ରଚଳିତ ଶାସନର ପରିବର୍ତ୍ତନ ସମ୍ବନ୍ଧରେ ନକ୍‌ସଲବାଦୀମାନେ ବିଶ୍ୱାସ କରନ୍ତି ଯେ ବୈଧାନିକ ଉପାୟରେ ଅର୍ଥାତ୍‌ ଭୋଟ ମାଧ୍ୟମରେ ଶାସନର ମୌଳିକ ପରିବର୍ତ୍ତନ ସାଧିତ ହେବ ନାହିଁ, କେବଳ ମନ୍ତ୍ରିମଣ୍ଡଳର ପରିବର୍ତ୍ତନ ଘଟିପାରେ ମାତ୍ର ଶାସନ କଳର ପରିବର୍ତ୍ତନ ଘଟିବ ନାହିଁ । ଶାସନକୁ ସମୂଳେ ପରିବର୍ତ୍ତନ କରିବାପାଇଁ ସଶସ୍ତ୍ର ବିଦ୍ରୋହ ଆବଶ୍ୟକ ଏବଂ ସେଥିପାଇଁ ବିଶାଳ ସଂଖ୍ୟାରେ ଲୋକଙ୍କୁ ତିଆରି କରିବାକୁ ହେବ– ଏହି ହେଉଛି ନକ୍‌ସଲବାଦୀ ଦଳର କାର୍ଯ୍ୟକ୍ରମ । ଏଥିରୁ ଏହା ସ୍ପଷ୍ଟ ହୋଇଯିବା ଉଚିତ ଯେ ଏ ଦଳର ଉଦ୍ଦେଶ୍ୟ ରାଜନୈତିକ ଅର୍ଥାତ୍‌ ଶାସନର ଅଧିକାର । ତା’ ପରେ ଶ୍ରେଣୀଶୂନ୍ୟ ସମାଜ ଗଠନ ଦିଗରେ ବିଧିବଦ୍ଧ ପଦକ୍ଷେପ ନିଆଯିବ । ପ୍ରଚଳିତ ଶାସନ ପ୍ରତି ଦୃଷ୍ଟି ନ ଦେଇ ଲୁଚା ଚୋରା ବଡ଼ ଚାଷୀ ବା ଧନୀମାନଙ୍କୁ ଏଠି ସେଠି ହତ୍ୟାକରି ଗ୍ରାମାଞ୍ଚଳରେ ଶୋଷିତର ପ୍ରଧାନ୍ୟ ସ୍ଥାପନ କରିବା ଏ ପ୍ରକାର ଅଳ୍ପ ସୀମାବଦ୍ଧ ଅର୍ଥନୈତିକ ଉଦ୍ଦେଶ୍ୟ ଏ ଦଳର ନୁହେଁ । ରାଜନୈତିକ ଉଦ୍ଦେଶ୍ୟ ସାଧନପାଇଁ ବିଶାଳ ସଶସ୍ତ୍ର ବିଦ୍ରୋହର ଆୟୋଜନ ହେଉଛି ଏ ଦଳର କାର୍ଯ୍ୟକ୍ରମ ।

 

ସଶସ୍ତ୍ର ବିଦ୍ରୋହ ହୋଇପାରେ ପ୍ରଚଳିତ ଶାସନକୁ ରକ୍ଷା କରୁଥିବା ସୈନ୍ୟ ବିଭାଗରେ ବିଦ୍ରୋହ ଘଟିଲେ; ଯେପରି ରୁଷିଆରେ ହୋଇଥିଲା ବା ବହୁ ଦେଶରେ ବର୍ତ୍ତମାନ ହୋଇ ଯାଉଛି । ମାତ୍ର ସେ ଦିଗରେ ନକ୍‌ସଲବାଦୀଙ୍କ ଉଦ୍ୟମ ନାହିଁ, କାରଣ ତଦ୍ଦ୍ୱାରା ବର୍ତ୍ତମାନ ପରିସ୍ଥିତିରେ ଶ୍ରେଣୀଶୂନ୍ୟ ସମାଜ ଗଠନ କରାଯାଇ ପାରିବ ନାହିଁ । ତେଣୁ ସାଧାରଣ ଜନତା ମଧ୍ୟରେ ସଶସ୍ତ୍ର ବିଦ୍ରୋହର ଭାବ ଓ ବିଶ୍ୱାସ ଜାଗ୍ରତ କରାଇବା ଏବଂ ଉଦ୍ଦେଶ୍ୟ ସିଦ୍ଧି ପାଇଁ ଅସ୍ତ୍ରଶସ୍ତ୍ର ବ୍ୟବହାର କରିବାକୁ ଆଦି ଯୋଗାଇ ଦେଇ ସେଥିରେ ଲୋକଙ୍କୁ ଶିକ୍ଷା ଦେବା ବା ସେ ପ୍ରକାର ଅସ୍ତ୍ର ନ ମିଳିଲେ ମଧ୍ୟ, ଯେଉଁ ଅସ୍ତ୍ର ଆଜି ସୁଦ୍ଧା ବହୁ ଅଞ୍ଚଳରେ ବ୍ୟବହୃତ ହେଉଛି, ଯଥା– ତୀର, ଧନୁ, ଟାଙ୍ଗିଆ ଇତ୍ୟାଦି ସେ ସବୁର ବ୍ୟବହାର ଶୃଙ୍ଖଳା ଭିତରେ ଉଦ୍ଦେଶ୍ୟ ସାଧନ ପାଇଁ ଶିକ୍ଷାଦେବା ହେଉଛି କାର୍ଯ୍ୟକ୍ରମ । ଏ କାର୍ଯ୍ୟକ୍ରମ ପାଇଁ ଶାସନର କେନ୍ଦ୍ରମାନଙ୍କଠାରୁ ଦୂରରେ ସ୍ଥାନ ନିରୂପଣ କରିବା ସ୍ୱାଭାବିକ; କାରଣ ଯେ କୌଣସି ପ୍ରଚଳିତ ଶାସନ ଏ ପ୍ରକାର କାର୍ଯ୍ୟକ୍ରମକୁ ପ୍ରଶ୍ରୟ ତ ଦେବନାହିଁ ବରଂ ଦମନ କରିବାକୁ ଚେଷ୍ଟା କରିବ । ପ୍ରଚଳିତ ଶାସନର ଦମନ କରିବା ବିଭାଗ ହେଉଛି ପ୍ରଥମେ ପୋଲିସ ପରେ ଯାଇଁ ସୈନ୍ୟବିଭାଗ । ଏକ ପ୍ରଦେଶର ପୋଲିସ ଅନ୍ୟ ପ୍ରଦେଶରେ ବା ଏକ ଜିଲ୍ଲାର ପୋଲିସ ଅନ୍ୟ ଜିଲ୍ଲାରେ କାମ କରିବାରେ ସୀମାନ୍ତ ବା ଜିଲ୍ଲାର ସୀମାନ୍ତ ଅଞ୍ଚଳ ନିରୂପଣ କରିବା ସ୍ୱାଭାବିକ । କେବଳ ଜଙ୍ଗଳ ଅଞ୍ଚଳରେ ଯେ ରାସ୍ତା ଘାଟ ନାହିଁ ତାହା ନୁହେଁ । ଶାସନ କେନ୍ଦ୍ରମାନଙ୍କଠାରୁ ଦୂରରେ ଥିବା ବହୁ ଅଞ୍ଚଳ ପାଇଁ ରାସ୍ତା ଘାଟ ନାହିଁ । ଦୂର ଦୂରାନ୍ତ ଅଞ୍ଚଳକୁ ପୋଲିସ ଯିବା କଷ୍ଟକର ଓ ଅନେକ ଅଞ୍ଚଳକୁ ଯିବା ମଧ୍ୟ ସମ୍ଭବ ନୁହେଁ । ସେହି ଅଞ୍ଚଳ ମାନଙ୍କରେ ଯେଉଁମାନେ ବସବାସ କରୁଛନ୍ତି, ସେମାନେ ଆଦିବାସୀ ହେଉନ୍ତୁ ବା ଅନ୍ୟ ଯେ କୌଣସି ଜାତିର ଲୋକ ହେଉନ୍ତୁ ସେମାନେ ଶାସନ ଦ୍ୱାରା ତଥା ସାଧାରଣ ସମାଜ ଦ୍ୱାରା ଉପେକ୍ଷିତ ଓ ସେମାନଙ୍କ ମଧ୍ୟରେ ଦାବି ହାସଲ କରିବା ତ ଦୂରର କଥା, ଆଇନ ଅନୁସାରେ ଦାବି ଉପସ୍ଥାପିତ କରିବାର ମଧ୍ୟ ଜ୍ଞାନ ନାହିଁ । ଏ ଶ୍ରେଣୀର ଲୋକଙ୍କ ମଧ୍ୟରେ ଆଧୁନିକ ସଭ୍ୟତା ମଧ୍ୟ ପ୍ରବେଶ କରିନାହିଁ । ଉଦାହରଣସ୍ୱରୂପ ଯେଉଁ ଜାତିମାନଙ୍କୁ ବିଟ୍ରିଶ ସରକାର ‘କ୍ରିମିନେଲ ଟ୍ରାଇବ’ ଘୋଷଣା କରି ଆଖିଆଗରେ ରଖି ତାଙ୍କ କାମ ଚଳାଉଥିଲେ, ସେ ଜାତିମାନଙ୍କ ମଧ୍ୟରେ ଶିକ୍ଷା ସଭ୍ୟତା ବିସ୍ତାର ଦିଗରେ ଦୃଷ୍ଟି ଦିଆ ଗଲାନାହିଁ । ସେ କଟକଣା ଆଇନ ନ୍ୟାୟତଃ ଉଠାଇ ଦିଆହୋଇଛି । ଏ ଶ୍ରେଣୀର ଲୋକେ ଯେ କେବଳ ଆଦିବାସୀ ତାହା ନୁହେଁ । ବିହାର, ବଙ୍ଗ ଓ ଓଡ଼ିଶା ସୀମାନ୍ତରେ ମାଳ ନାମରେ ଏକ ଜାତି ଅଛନ୍ତି, ଯେଉଁମାନେ ସାହସୀ ଓ ଦଙ୍ଗାହଙ୍ଗାମା କରିବାରେ ଅଭ୍ୟସ୍ତ । ଏହି ଶ୍ରେଣୀର ଲୋକଙ୍କ ଭିତରେ ବହୁ ସଂଖ୍ୟାରେ ଉଚ୍ଚ ଶିକ୍ଷିତ, କଷ୍ଟସହିଷ୍ଣୁ, ଆଦର୍ଶରେ ଦୃଢ଼ ବିଶ୍ୱାସୀ ଓ ନିଷ୍ଠାପର କର୍ମୀ ବର୍ତ୍ତମାନ କାର୍ଯ୍ୟ କରୁଛନ୍ତି । ଏମାନଙ୍କ ତ୍ୟାଗ ଓ କଷ୍ଟ କଥା ଶୁଣିଲେ ଓ ଜାଣିଲେ ମୁଣ୍ଡ ନଇଁନେବାକୁ ହୁଏ । ପ୍ରଥମ ଶ୍ରେଣୀରେ ପାସ୍‌ କରିଥିବା ଏମ: ଏ; ଏମ: ଏସ. ସି; ବି:ଏ:, ଇଞ୍ଜିନିଅର, ଉଚ୍ଚ ଶ୍ରେଣୀରେ ପଢ଼ୁଥିବା ଛାତ୍ର ଦୂର ଗାଁ ଗହଳରେ ଅତି ସାଧାରଣ ଲୋକଙ୍କ ସାଙ୍ଗରେ ରହିଛନ୍ତି । ସେମାନଙ୍କ ସାଙ୍ଗରେ ମୂଲ ମଜୁରୀ ମଧ୍ୟ ଲାଗୁଛନ୍ତି । ଖଣ୍ଡେ ଲୁଙ୍ଗି ଓ ଖଣ୍ଡେ ଗାମୁଛା ଛଡ଼ା ଅନ୍ୟ କୌଣସି ଜିନିଷ ସାଙ୍ଗରେ ନାହିଁ, ଯାହା ଲୋକେ ଖାଉଛନ୍ତି ଓ ଯେପରି ଲୋକେ ଚଳୁଛନ୍ତି ସେଇଥିରେ ସେମାନେ ଚଳୁଛନ୍ତି । କିନ୍ତୁ ସେମାନଙ୍କ ପାଖରେ ବନ୍ଧୁକ ରିଭଲଭର ଆଦି ଅଛି । ସନ୍ଧ୍ୟାରେ ଗ୍ରାମବାସୀମାନଙ୍କୁ ପାଠ ପଢ଼ାଇବା, ଚଳଚ୍ଚିତ୍ର ସଙ୍ଗୀତ ପ୍ରଭୃତିରେ ଆମୋଦ ପ୍ରମୋଦ ଯୋଗାଇବା ଓ ମାଓସେତୁଙ୍ଗଙ୍କ ଉପଦେଶାବଳୀ ବୁଝାଇବା ଓ ମାଓସେତୁଙ୍ଗଙ୍କ ପ୍ରତିକୃତି ପ୍ରତି ସମ୍ମାନ ଆକର୍ଷଣ କରିବା ଅସ୍ତ୍ରଶସ୍ତ୍ର ବ୍ୟବହାର କରିବା ଦିଗରେ ଶୃଙ୍ଖଳାର ଶିକ୍ଷା ଦେବା ହେଉଛି ଏମାନଙ୍କର ଆନୁଷ୍ଠାନିକ କାର୍ଯ୍ୟ । ଶାସନ ଅଧିକାର କରିବାର ଇଚ୍ଛା ଓ ଆଗ୍ରହ ଜାଗ୍ରତ କରାଇବା ଦିଗରେ ଯେପରି ଯେତିକି ଶିକ୍ଷା ଦେବାର କଥା ତାହା ସେମାନେ ଦେଉଛନ୍ତି । ଏହି କାର୍ଯ୍ୟକ୍ରମରେ ଅଞ୍ଚଳରେ ଯେ ବାଧା ଦେଲା ସେ ନିଃସଙ୍କୋଚରେ ନିହତ ହେଲା କିମ୍ବା ପୋଲିସକୁ ଖବର ଦେଉଛି ବୋଲି ଯାହାକୁ ସନ୍ଦେହ କରାହେଲା ସେ ମଧ୍ୟ ନିହତ ହେଲା । ନିହତ ହେଉଥିବା ଲୋକଙ୍କ ଭିତରେ ଧନୀ ନିର୍ଦ୍ଧନ ସବୁ ଶ୍ରେଣୀର ଲୋକ ଅଛନ୍ତି । କେତେକ ସ୍ଥାନରେ ଧନୀ ଲୋକେ ମଧ୍ୟ ଏହି କାର୍ଯ୍ୟରେ ସାହାଯ୍ୟ କରୁଛନ୍ତି । ଏ କାର୍ଯ୍ୟକ୍ରମ ପାଇଁ କର୍ମୀମାନଙ୍କ ସଂଖ୍ୟା ସମ୍ବନ୍ଧରେ ଧାରଣା କରିବା ପାଇଁ ଏତିକି ଜାଣିଲେ ଯଥେଷ୍ଟ ହେବ ଯେ ମୟୂରଭଞ୍ଜ ସୀମାନ୍ତ ଏକ ଅଂଶରେ ଶହେରୁ ଊର୍ଦ୍ଧ୍ୱ ଉଚ୍ଚ ଶିକ୍ଷିତ କର୍ମୀ ନିଷ୍ଠାପର ଭାବରେ କାର୍ଯ୍ୟ କରୁଛନ୍ତି । ଯେଉଁ ପରିସ୍ଥିତିରେ ଏ ପ୍ରକାର କାର୍ଯ୍ୟକ୍ରମର ଆବଶ୍ୟକତା ଉଚ୍ଚ ଶିକ୍ଷିତ ଯୁବକମାନେ ଉପଲବ୍‌ଧି କରୁଛନ୍ତି ଓ ଏହା ଲୋକଙ୍କ ମନକୁ ଘେନୁଛି, ତାହା ପରେ ଆଲୋଚନା କରୁଛି ।

 

(ତିନି)

 

୧୩-୧୧-୬୯

ଗୁରୁବାର

 

ଗ୍ରାମାଞ୍ଚଳରେ ବା ଏପରିକି ସହରମାନଙ୍କରେ ସାଧାରଣ ଲୋକଙ୍କ ଭିତରେ ସାମାନ୍ୟ ଜାଗରଣ ପ୍ରକାଶ ପାଇଲେ, ଅପେକ୍ଷାକୃତ ଧନୀଲୋକେ ଭୟଭୀତ ହୋଇଥାଆନ୍ତି; କାରଣ ସେମାନଙ୍କ ଅନ୍ୟାଯ୍ୟ ଧନୋପାର୍ଜ୍ଜନରେ ଆଞ୍ଚ ଆସେ । ସେଥିପାଇଁ ସେମାନେ ପୋଲିସର ସାହାଯ୍ୟ ଲୋଡ଼ନ୍ତି । ଉପରିସ୍ଥ କର୍ମଚାରୀମାନେ ମଧ୍ୟ ଏହି ଶ୍ରେଣୀ ଲୋକଙ୍କର ଆତିଥ୍ୟ ଗ୍ରହଣ କରନ୍ତି । ଏହି କାରଣରୁ ନକ୍‌ସଲବାଦୀମାନେ ପୋଲିସଙ୍କୁ ଖବର ଦେଇଥିବା ଲୋକଙ୍କୁ ମାରି ଦେଉଛନ୍ତି; କିନ୍ତୁ କେତେକ ସ୍ଥାନରେ ଅପେକ୍ଷାକୃତ ଧନୀଲୋକ ଭୟରେ ହେଉ ବା ତାଙ୍କର ହୃଦୟ ପରିବର୍ତ୍ତନ ହେତୁରୁ ହେଉ ଜନସାଧାରଣଙ୍କ ଜାଗରଣରେ ସହାୟକ ହେଉଥିବାରୁ ସେମାନେ ନିରାପଦରେ ଅଛନ୍ତି । ଏଣୁ ନକ୍‌ସଲବାଦୀ ଆନ୍ଦୋଳନକୁ କୌଣସି ସ୍ଥାନୀୟ ତତ୍କାଳୀନ ସମସ୍ୟାର ହିଂସାତ୍ମକ ସମାଧାନ ବୋଲି ମନେକରିବା ଠିକ୍‌ ନୁହେଁ । ଆନ୍ଦୋଳନକାରୀମାନେ ସୁଦୀର୍ଘ ଆନ୍ଦୋଳନ ପାଇଁ ପ୍ରସ୍ତୁତ ଓ ପ୍ରଚଳିତ ଶାସନର ମୌଳିକ ପରିବର୍ତ୍ତନ ପାଇଁ ବଦ୍ଧପରିକର ।

 

ଏ ପ୍ରକାର ଆନ୍ଦୋଳନ, ଯାହାର ଯୁକ୍ତିଯୁକ୍ତତା ଭାରତୀୟ ପରିସ୍ଥିତିରେ ପ୍ରତିପାଦିତ ହୋଇପାରିବ ନାହିଁ, ତଥାପି କାହିଁକି ଏଥିପ୍ରତି ବୁଦ୍ଧିମାନ ଉଚ୍ଚଶିକ୍ଷିତ ଯୁବକମାନେ ଆକର୍ଷିତ ହେଉଛନ୍ତି ? ଯେଉଁମାନେ ବର୍ତ୍ତମାନ ସୁବିଧାଜନକ ପରିସ୍ଥିତିରେ ଅଛନ୍ତି, ସେମାନେ କହିଦିଅନ୍ତି । ବିଶେଷତଃ ରାଜନୈତିକ ଅଧିକାରରେ ଥିବା ଲୋକେ କହିଥାଆନ୍ତି ଯେ ଉତ୍କଟ ବେକାର ସମସ୍ୟା ଶିକ୍ଷିତ ଯୁବକମାନଙ୍କୁ ବିପଥଗାମୀ କରିଦେଇଛି । ଏହି ଯୁକ୍ତି ଅନୁସାରେ ମନେ କରିନେବାକୁ ହେବ ଯେ ଶିକ୍ଷିତ ଯୁବକ କେବଳ ନିଜର ଜୀବିକା ପାଇଁ ବ୍ୟାକୁଳ । ଯେଉଁମାନେ ଏପରି ଯୁକ୍ତି କରନ୍ତି, ସେମାନେ ନିଜପ୍ରତି ଦୃଷ୍ଟି ଦେଇ କେବେ ଭାବନ୍ତି କି ଯେ ସେମାନେ କେବଳ ଜୀବିକା ପାଇଁ ବ୍ୟସ୍ତ, ନାଁ ସମାଜର ମଙ୍ଗଳ କରିବା, ଦେଶର ପୁନର୍ଗଠନ କରିବା ବା କିଛି ନହେଲେ ପ୍ରତିଷ୍ଠା ଅର୍ଜ୍ଜନ କରିବାର ବାସନା ମଧ୍ୟ ସେମାନଙ୍କ ଭିତରେ ପ୍ରବଳ । ତା’ଛଡ଼ା ଜୀବିକା କହିଲେ କେବଳ ପଖାଳ ଶାଗ ବୁଝାଏନାହିଁ । ସମାଜରେ ଜଣେ ଭୋଗ-ବିଳାସରେ ଚଳୁଥିବାବେଳେ ଅନ୍ୟ ଜଣେ ମଜୁରୀ ଲାଗି ଚଳିବାକୁ ଆଶା କରିବା ବୃଥା । ସମାଜରେ ଯଦି ଊଣା ଅଧିକେ ସମସ୍ତେ ସମାନ ଭାବରେ ଚଳୁଥାନ୍ତେ, ତେବେ ବେକାର ସମସ୍ୟା ବା ଏପରିକି ଦରିଦ୍ରତାର ସମସ୍ୟା ଏତେ ଉତ୍କଟ ବୋଲି ଅନୁଭବ କରାଯାନ୍ତାନାହିଁ । ସମସ୍ତ ବେଳେ ଓଳିଏ ଉପାସ ରହିବାକୁ ପ୍ରସ୍ତୁତ; ମାତ୍ର କେତେକ ଭୋଜି ଖାଉଥିବା ଅବସ୍ଥାରେ, ବାକି ଲୋକେ ଘଣ୍ଟାଏ ସୁଦ୍ଧା ଉପାସ ରହିବାକୁ ପ୍ରସ୍ତୁତ ହେବେନାହିଁ । ଯେଉଁ ଉଚ୍ଚଶିକ୍ଷିତ ଯୁବକମାନେ ହିଂସା ମାର୍ଗକୁ ଯାଇଛନ୍ତି ସେମାନେ ଭଲକରି ଜାଣନ୍ତି ଯେ ଦେଶର ବର୍ତ୍ତମାନ ଅବସ୍ଥାରେ ସମସ୍ତଙ୍କୁ କାମ ଯୋଗାଇ ହେବନାହିଁ ଓ ଅତି କଷ୍ଟ ଭିତରଦେଇ ଦେଶ ନ ଗଲେ ଦେଶର ସମୂହ ଅର୍ଥନୈତିକ ଉନ୍ନତି ହେବନାହିଁ । ପଚାଶ ବର୍ଷକାଳ ଯୋଜନା ଚାଲିଥିଲେ ରୁଷିଆରେ ଆଜିସୁଦ୍ଧା ଲୋକେ ଯେଉଁ କଷ୍ଟ ଭିତରେ ଯାଉଛନ୍ତି ବା ଚୀନରେ ଯେଉଁ ଅସୁବିଧା ଭିତରେ ଲୋକେ ଯାଉଛନ୍ତି, ଏହା ନକ୍‌ସଲବାଦୀମାନେ ଅନ୍ୟମାନଙ୍କଠାରୁ ବେଶି ଭଲ ଭାବରେ ଜାଣନ୍ତି । ସେମାନଙ୍କ ମନରେ କ୍ରୋଧ, ଏଥିପାଇଁ ଯେ ଦେଶ ଦୁଃଖ କଷ୍ଟରେ ପଡ଼ିଥିବାବେଳେ କେତେକ ନିଶ୍ଚିନ୍ତରେ ଆଖି ବୁଜିଦେଇ ଲମ୍ବା-ଚୌଡ଼ା କଥା କହିବାରେ ଲାଗିଚନ୍ତି-। ଯେଉଁମାନେ ଉପର ସ୍ତରରେ ଅଛନ୍ତି, ସେମାନେ ନିଜ ନିଜର ସୁବିଧା କରିନେଇ ଯାଉଛନ୍ତି-। ଯେ ତଳେ ପଡ଼ିଛି ସେ ସେଇଠି ପଡ଼ିଛି । ବାସ୍ତବିକ ଦେଖିବାକୁ ଗଲେ ଗତ ପନ୍ଦରବର୍ଷ କାଳ ଯେଉଁ ଉଦ୍ଦେଶ୍ୟରେ ଯୋଜନାମାନ ଆରମ୍ଭ ହୋଇଥିଲା, ସେ ଉଦ୍ଦେଶ୍ୟ ତ ସଫଳ ହେଲାନାହିଁ ବରଂ ଅର୍ଥନୈତିକ ଶ୍ରେଣୀ ବିଭେଦକୁ ଆହୁରି ବେଶି ଉତ୍କଟ କରିଦେଲା । ନିଜର ସୁବିଧାକୁ ତ୍ୟାଗ କରି ଅନ୍ୟର ସୁବିଧା ପ୍ରତି ଦୃଷ୍ଟିଦେବାର ବାୟୁମଣ୍ଡଳ ରହିଲା ନାହିଁ । ପାରିବା ଲୋକେ ଧାଇଁଛନ୍ତି ନିଜର ସୁବିଧା କରିନେବା ପାଇଁ । ବିଶାଳ ଜନତା ସେ ଦୌଡ଼ାଦୌଡ଼ିରେ ପାରୁନାହାନ୍ତି ବା ଏହା ମଧ୍ୟ କୁହାଯାଇପାରେ ଯେ ସେମାନେ ହିଂସା ମାର୍ଗରେ ଯାଇ ପାରିବେ ବୋଲି ଭାବୁଛନ୍ତି । କଲିକତାରେ ଏକ ବିରାଟ ଛାତ୍ରସଭାରେ ଥରେ ମୋତେ ପ୍ରଶ୍ନ ହୋଇଥିଲା ‘‘ଆପଣ କହି ପାରିବେ କି କୌଣସି ଉଚ୍ଚପଦସ୍ଥ କର୍ମଚାରୀ ବା ମନ୍ତ୍ରୀ କାହାରି ପୁତ୍ର କନ୍ୟା ବେକାର ହୋଇ ଇତସ୍ତତଃ ହେଉଛନ୍ତି-?’’ ଏ ଯୁକ୍ତିର ଏହି ତାତ୍ପର୍ଯ୍ୟ ଯେ ଯେଉଁମାନେ କୌଣସି ପ୍ରକାରେ ସୁବିଧାଜନକ ସ୍ଥାନକୁ ଚାଲିଯାଉଛନ୍ତି, ସେଠି ସେମାନେ ନିଜ ନିଜ ସୁବିଧା କରି ନେଉଛନ୍ତି । ସେଇଠି ଯଦି ବହୁ ଲୋକଙ୍କ ନିଜ ସୁବିଧାକୁ ତ୍ୟାଗକରି ଅନ୍ୟର ସୁବିଧା ପ୍ରତି ଦୃଷ୍ଟି ଦିଆଯିବାର ଦେଖାଯାଆନ୍ତା, ତେବେ ସମସ୍ତଙ୍କ ଭିତରେ ଅସୁବିଧା ସହ୍ୟ କରିବାର ମନୋବୃତ୍ତି ଜାଗ୍ରତ ହୁଅନ୍ତା । ତ୍ୟାଗ ରହିଗଲା ପ୍ରଚାରରେ ଓ ଭୋଗ ରହିଲା କାର୍ଯ୍ୟରେ । ଏହି ହେଉଛି ହିଂସାତ୍ମକ ବାୟୁ ମଣ୍ଡଳ ସୃଷ୍ଟି ହେବାର କାରଣ ।

 

ଅନ୍ୟ ଦିଗରେ ଦେଖିବାକୁ ଗଲେ ସ୍ୱାଧୀନତାର କୋଡ଼ିଏ ବର୍ଷ ମଧ୍ୟରେ ଭାରତରେ ସାମାଜିକ ପରିବର୍ତ୍ତନ ପାଇଁ ଯେଉଁ ପଦକ୍ଷେପମାନ ନିଆଯାଇଛି ଓ ସବୁଗୁଡ଼ିକ ଯେପରି ଅହିଂସାତ୍ମକ ଉପାୟରେ ସାଧିତ ହୋଇଛି, ଏପରି ସେହି ସମୟ ଭିତରେ ସେହିପରି ଅବସ୍ଥାରେ ଅନ୍ୟ କେଉଁ ଦେଶରେ ହୋଇନାହିଁ । ଗଡ଼ଜାତ ମିଶ୍ରଣ, ଜମିଦାରୀ ଉଚ୍ଛେଦ, ଶ୍ରମଜୀବୀଙ୍କ ସ୍ୱାର୍ଥରକ୍ଷା, ଭୂସଂସ୍କାର ଇତ୍ୟାଦି ପରିବର୍ତ୍ତନମାନଙ୍କ ସମ୍ବନ୍ଧରେ ଯେଉଁ ଆଇନମାନ ପ୍ରଣୀତ ହୋଇଛି, କେବଳ ସେତିକିକୁ ଯଦି ବିଚାର କରାଯାଏ, ତେବେ ଭାରତକୁ ଏକ ଅଗ୍ରଗାମୀ ଦେଶ ବୋଲି ବିଚାର କରାଯିବ; କିନ୍ତୁ ଆଇନ ସବୁ ତ ବ୍ୟବସ୍ଥାସଭାରେ, ସମ୍ବାଦପତ୍ରମାନଙ୍କରେ ଓ ସଭା ସମିତିରେ ରହିଗଲା । ଆଇନ ହେଲା ସତ ମାତ୍ର ଆଇନ ଫଳରେ ସମାଜରେ କୌଣସି ଆଖିରେ ଦିଶିବା ଭଳି ପରିବର୍ତ୍ତନ ଘଟିଲା ନାହିଁ । ଆଇନ ଓ ଆଇନ ପରିଚାଳନା, କଥା ଓ କାର୍ଯ୍ୟ ଭିତରେ ଏତେ ବେଶି ପ୍ରଭେଦ ରହିଗଲା ଯେ ବର୍ତ୍ତମାନ ଯୁବକ ମନରେ ଅବିଶ୍ୱାସ ଦୃଢ଼ଭାବରେ କାର୍ଯ୍ୟକରି ସେମାନଙ୍କୁ ଅନ୍ୟ ଉପାୟ ପ୍ରତି ଆକୃଷ୍ଟ ହେବାକୁ ବାଧ୍ୟ କରୁଛି । ଆଇନ ଓ ତା’ର ପରିଚାଳନା ସମ୍ବନ୍ଧରେ କେତୋଟି ଉଦାହରଣ ଦେଲେ ତାହା ସହଜରେ ବୁଝାପଡ଼ିବ ଓ ସେ ସମ୍ବନ୍ଧରେ ବାମପନ୍ଥୀ କମ୍ୟୁନିଷ୍ଟମାନଙ୍କ ଚିନ୍ତାଧାରା ପରେ ଆଲୋଚନା କରିବି ।

 

(ଚାରି)

 

୧୪-୧୧-୬୯

ଶୁକ୍ରବାର

 

ଆଜି କଂଗ୍ରେସ ଦଳ ଭିତରେ ଯେପରି ବିବାଦ ଲାଗିଛି ସେଥିରେ ହୁଏତ ଅନେକେ ମନେ କରୁଥିବେ ଯେ ଦେଶ ଭାଙ୍ଗିପଡ଼ିବା ଉପରେ ଆସି ହେଲାଣି । ତା’ର କାରଣ ଅନେକେ ଶାସନକୁ ଓ ରାଜନୀତିକୁ ଏକ ମନେ କରନ୍ତି ଓ ରାଜନୈତିକ ବିଭ୍ରାଟ ହେଲେ, ରାଷ୍ଟ୍ରଭଙ୍ଗ ବା ଶାସନର ବିଭ୍ରାଟ ହେବା ସୁନିଶ୍ଚିତ ବୋଲି ମନେ କରନ୍ତି; କିନ୍ତୁ ଅନ୍ୟ ଦେଶ ସହିତ ତୁଳନା କଲେ ଭାରତରେ ଯେଉଁ ବିଭ୍ରାଟ ଦେଖାଦେଇଛି ତାହା ଅସାଧାରଣ ନୁହେଁ । ଅଳ୍ପକାଳ ପୂର୍ବେ ଆମେରିକାର ଡେମୋକ୍ରେଟିକ ଦଳ ଭିତରେ ଏପରି ଉତ୍କଟ ବିବାଦ ହେଲା ଯେ ଜନସନ୍‌ ପ୍ରେସିଡ଼େଣ୍ଟ ପାଇଁ ପ୍ରାର୍ଥୀ ହେବେନାହିଁ ବୋଲି ଘୋଷଣା କଲେ । ଅଷ୍ଟ୍ରେଲିୟାରେ ସେହିପରି ତୀବ୍ର ରାଜନୈତିକ ବିଭେଦ ପ୍ରକାଶ ପାଇଛି । ଇଂଲଣ୍ଡରେ ଚେମ୍ବରଲେନ ପ୍ରଧାନମନ୍ତ୍ରୀ ଥିବାବେଳେ ତାଙ୍କର ଦଳର ଚର୍ଚ୍ଚିଲ ତୁମୁଳ ବିଭ୍ରାଟ ସୃଷ୍ଟି କରିଥିଲେ । ଡିଗଲ ଆସି ଶାସନ ବିଧାନ ପରିବର୍ତ୍ତନ କରିବା ପୂର୍ବରୁ ଫ୍ରାନସରେ ରାଜନୀତି ଏପରି ଅନିଶ୍ଚିତ ଥିଲା ଯେ କୌଣସି ମନ୍ତ୍ରିମଣ୍ଡଳ କେତୋଟି ମାସଠାରୁ ବେଶି ତିଷ୍ଠି ପାରୁନଥିଲା । ଏପରି ରାଜନୈତିକ ବିଭ୍ରାଟ ଚାଲିଥିଲେ ମଧ୍ୟ ଉପରୋକ୍ତ ଦେଶମାନଙ୍କର ଶାସନରେ କିଛି ଆଞ୍ଚ ଆସିନଥିଲା । ବାସ୍ତବିକ ଗଣତନ୍ତ୍ର ପଦ୍ଧତିରେ ଶାସନ ବା ଏଡ଼ମିନିଷ୍ଟ୍ରେସନ ରାଜନୀତିଠାରୁ ସ୍ୱତନ୍ତ୍ର । ଏ ପଦ୍ଧତିରେ ଶାସନର ଦୁଇଟି ବିଭାଗ– ଗୋଟିଏ ହେଉଛି ନୀତି ନିର୍ଦ୍ଧାରଣ କରିବାପାଇଁ ପ୍ରତିନିଧିମୂଳକ ରାଜନୈତିକ ବିଭାଗ ଓ ଅନ୍ୟଟି ହେଉଛି ନିର୍ଦ୍ଧାରିତ ନୀତିକୁ କାର୍ଯ୍ୟରେ ପରିଣତ କରିବାପାଇଁ ଶାସନ ବିଭାଗ । ରାଜନୈତିକ ସ୍ତରରେ ନୀତି ନିର୍ଦ୍ଧାରିତ ହୋଇ ଆଇନ ପ୍ରଣୀତ ହୁଏ ଓ ଶାସନ ସ୍ତରରେ ସେ ଆଇନ କାର୍ଯ୍ୟକାରୀ ହୁଏ ।

 

ଗତକାଲି ଦର୍ଶାଇଥିଲି ଯେ ଭାରତରେ ସାମାଜିକ, ଅର୍ଥନୈତିକ ସଂସ୍କାର ପାଇଁ ମାତ୍ର କେତୋଟି ବର୍ଷରେ ଯେପରି ଆଇନମାନ ପ୍ରଣୀତ ହୋଇଛି, ଏପରି ସେହି ସମୟ ମଧ୍ୟରେ ଓ ସେହି ଅବସ୍ଥାରେ ଅନ୍ୟ କୌଣସି ଦେଶରେ ହୋଇନାହିଁ । ମାତ୍ର ସେ ଆଇନ ସବୁ କାର୍ଯ୍ୟରେ ଲାଗିନାହିଁ ବା ଲାଗୁଥିଲେ ଭଲଭାବରେ ଲାଗୁନାହିଁ । ଉଦାହରଣ– ଜମିଦାରୀ ଉଚ୍ଛେଦ ଆଇନ ପାସ ହେଲା ପନ୍ଦରବର୍ଷ ପୂର୍ବେ । ଜମିଦାରୀ ସବୁ ସରକାର ଅଧୀନକୁ ଆସିଲା । ଆଜି ସବୁ ଜମିଦାରୀ ଅଞ୍ଚଳରେ ଲୋକେ କହୁଛନ୍ତି ଓ ଟିକିଏ ଅନୁସନ୍ଧାନ କଲେ ଜଣାଯିବ ଯେ ଜମିଦାରମାନେ ପ୍ରଜାମାନଙ୍କୁ ଯେତେ ଶୋଷଣ କରୁଥିଲେ, ତା’ଠାରୁ ବଳି ଅନେକ ସ୍ଥଳରେ ତହସିଲଦାରମାନେ ଶୋଷଣ କରୁଛନ୍ତି । ପୂର୍ବେ ଜମିଦାରଙ୍କ ନିଜ ଘରେ ବିବାହ ବ୍ରତ ବା ପୁନେଇ ପର୍ବରେ ମାଗଣ ହେଉଥିଲା । ଆଜି ଅନେକ ସ୍ଥାନରେ ତହସିଲଦାରଙ୍କଠାରୁ ଆରମ୍ଭ କରି ଉପର ହାକିମ ସମସ୍ତଙ୍କର ବିବାହ ବ୍ରତରେ ନିତାନ୍ତ ଲଜ୍ଜାଜନକ ଭାବରେ ମାଗଣ ହେଉଛି । କେବଳ ରାଜସ୍ୱ ବିଭାଗ ନୁହେଁ, ସବୁ ବିଭାଗରେ ନିମ୍ନତନ କର୍ମଚାରୀମାନଙ୍କଠାରୁ ଉପରିସ୍ଥ କର୍ମଚାରୀ ଜିନିଷପତ୍ର ସଂଗ୍ରହ କରିବା ଏକ ସାଧାରଣ ବ୍ୟାପାର ହୋଇଗଲାଣି । ଯଦି ଜଣେ ଏସ୍‌. ପି. ପୋଲିସ ସବ୍‌-ଇନିସ୍‌ପେକ୍ଟରଙ୍କଠାରୁ ମାସିକ ଜିନିଷପତ୍ର ବା ଅର୍ଥ ସଂଗ୍ରହ କରେ, ତେବେ ସେ ସବ୍‌ଇନିସ୍‌ପେକ୍ଟର ଯେତିକି ଦେଉଛି ତାଠାରୁ ବେଶି ଲୋକଙ୍କଠାରୁ ଆଦାୟ କରିବ ହିଁ କରିବ । ନୂଆ ହୋଇ ସରକାରୀ କାମରେ ଯୋଗ ଦେଇଥିବା ଅନେକ ଯୁବକ ଏ ପ୍ରଥାରେ ବିରକ୍ତ ହୋଇଛନ୍ତି; ପୁଣି ଧୀରେ ଧୀରେ ଅଭ୍ୟସ୍ତ ହୋଇ ଯାଉଛନ୍ତି । ଏପରି ପୂର୍ବେ ଯେ ହେଉ ନଥିଲା ତାହା ନୁହେଁ; ମାତ୍ର ପୂର୍ବେ ଏ ପ୍ରଥା ଉପର ସ୍ତରପର୍ଯ୍ୟନ୍ତ ଯାଇ ନଥିଲା । ଆଜି ତଳୁ ଉପର ଏ ପ୍ରଥା ବ୍ୟାପିଯାଇଛି । ଏହି ହେଉଛି ମୌଳିକ କାରଣ; ବ୍ୟାପକ ଶାନ୍ତି ଶୃଙ୍ଖଳା ଭଙ୍ଗର କାରଣ । ଅଫିସରମାନଙ୍କ ନୈତିକ ପ୍ରଭାବ ନାହିଁ । ଆଇନ ଅନୁସାରେ କାମ କରିବାର ନୈତିକ ସାହସ ମଧ୍ୟ ନାହିଁ ।

 

ପୁଣି ଦେଖାଯାଉ ହରିଜନ ଆଦିବାସୀମାନଙ୍କ ଉନ୍ନତିକଳ୍ପେ ସରକାରୀ ନୀତିର କାର୍ଯ୍ୟକାରିତା । ପ୍ରାୟ ସବୁ ସ୍କୁଲରେ ଓ କଲେଜରେ ସୁବର୍ଣ୍ଣ ପିଲାମାନେ ମିଥ୍ୟାରେ ହରିଜନ ବା ଆଦିବାସୀ ବୋଲି ସାର୍ଟିଫିକେଟ ଦେଇ ଏଡ଼ମିସନ ପାଉଛନ୍ତି ଓ ଆର୍ଥିକ ସାହାଯ୍ୟ ମଧ୍ୟ ପାଉଛନ୍ତି । କେତେକ ସ୍କୁଲରେ ହରିଜନ ଛାତ୍ର ବାବଦ୍‌ ମିଳୁଥିବା ସରକାରୀ ସାହାଯ୍ୟ, ସ୍କୁଲର ବା ଶିକ୍ଷକମାନଙ୍କ ସ୍ୱତନ୍ତ୍ର ଆୟ ହିସାବରେ ଚାଲିଛି । କଲେଜରେ ହରିଜନ ଆଦିବାସୀମାନଙ୍କ ପାଇଁ ସଂରକ୍ଷିତ ସ୍ଥାନ ଭିତରୁ କେତେକ ମିଥ୍ୟା ସାର୍ଟିଫିକେଟରେ ସବର୍ଣ୍ଣମାନେ ମାରି ନେଉଛନ୍ତି । ସାର୍ଟିଫିକେଟ ଦେଉଛନ୍ତି ତହସିଲଦାର, ସରପଞ୍ଚ ବା ଏମ. ଏଲ. ଏ. ।

 

ଏ ପ୍ରକାର ସାର୍ଟିଫିକେଟ ଦେବାର ମୂଲ୍ୟ ମଧ୍ୟ ନିଆହେଉଛି । ଏହା ଏପରି ବ୍ୟାପକ ଯେ ଗାଁ ଗହଳରେ ଏହି କଥା ହିଁ ପ୍ରଥମେ ଶୁଣିବାକୁ ହେବ । କେବଳ ଓଡ଼ିଶାରେ ନୁହେଁ ଅନ୍ୟତ୍ର ମଧ୍ୟ ଏହି କାମ ଚାଲିଛି । ରାଞ୍ଚିରେ ଏହା ବେଶି ବ୍ୟାପକ ବୋଲି ମୁଁ ଜାଣେ । ଏଥିରେ ଆଦିବାସୀମାନେ ଯଦି ଉତ୍‌କ୍ଷିପ୍ତ ହୁଅନ୍ତି, ତେବେ ସେଥିପାଇଁ ଦାୟୀ କିଏ ? ସେହିପରି ଆଇନ ହୋଇଛି ବିନା ସରକାରୀ ଅନୁମତିରେ ଆଦିବାସୀମାନେ ଜମି ହସ୍ତାନ୍ତର କରିପାରିବେ ନାହିଁ । ଏଣେ ନୀତି ହୋଇଛି ଯେ ଆଦିବାସୀମାନଙ୍କୁ ଜମି ଦିଆହେବ । ଆଦିବାସୀମାନେ ଶିକ୍ଷିତ ବା ଚତୁର ନୁହନ୍ତି ବା ଆଇନର ପେଞ୍ଚପାଞ୍ଚ ସେମାନେ ବୁଝନ୍ତିନାହିଁ । ଏହାରି ସୁବିଧା ନେଲେ ସବର୍ଣ୍ଣ ଲୋକେ ଏବଂ ଅନେକ ସରକାରୀ କର୍ମଚାରୀ ମଧ୍ୟ ଆଦିବାସୀମାନଙ୍କଠାରୁ ଟିପ ନେଇ ଜମିପାଇଁ ଦରଖାସ୍ତ ଓ ତାହାରି ସାଙ୍ଗେ ସାଙ୍ଗେ ଟିପ ନେଇ ଜମି ବିକ୍ରି କରିବାକୁ ଅନୁମତି ପାଇଁ ଦରଖାସ୍ତ ସଂଗ୍ରହ କରୁଛନ୍ତି । ଆଗେ ଜମି ଦରଖାସ୍ତ ଦାଖଲ ଜମି ନିଆହେଲା, ପୁଣି କିଛି ଦିନପରେ ବା କେତେ ମାସରେ ଜମି ବିକ୍ରି ପାଇଁ ଅନୁମତି ଦରଖାସ୍ତ ଦାଖଲ ହେଲା । ଏସବୁ ଦରଖାସ୍ତ ବିଚାର କରିବା ବା ଏଗୁଡ଼ିକ ଉପରେ ରିପୋର୍ଟ ଦେବା ଅଫିସର ମୂଳରୁ ଏ ଠକାମି ସହିତ ସଂପୃକ୍ତ ବା ରୀତିମତ ତଦନ୍ତ କରିବାପାଇଁ ଅଯୋଗ୍ୟ । ନୀଳଗିରିରେ ଓ ସମ୍ବଲପୁର ହୀରାକୁଦ ଫେରିଫେରି ଅଞ୍ଚଳରେ ଏ ବିଷୟରେ ନିଜେ ଅନୁସନ୍ଧାନ କରି ଏହା ଲେଖିଛି । ସମ୍ବଲପୁର ସମ୍ବନ୍ଧୀୟ ତଦନ୍ତର ବିବରଣୀ ରାଜସ୍ୱ ମନ୍ତ୍ରୀଙ୍କଠାକୁ ପଠାଇ ଦେଇଛି; ମାତ୍ର ମୁଁ ଭାବୁଛି ଫଳ କିଛି ହେବନାହିଁ । କାରଣ ଯେଉଁ ବ୍ୟାପାରରେ ଉପରିସ୍ଥ କର୍ମଚାରୀ ଜଡ଼ିତ ସେଠି ମନ୍ତ୍ରୀ କିଛି କରି ପାରିବା ଅତି କଠିନ ବ୍ୟାପାର । ନୀଳଗିରି ସମ୍ବନ୍ଧରେ ମୋର ସୂଚନା ହେଉଛି, ଜମି ବିକ୍ରି କରିବାପାଇଁ ଆଦିବାସୀମାନଙ୍କ ପକ୍ଷରୁ ଯେଉଁ ଶହ ଶହ ଦରଖାସ୍ତ ପଡ଼ିଛି, ସବୁକୁ ନାମଞ୍ଜୁର କରି ଦିଆଯାଉ । ଯଦି ପ୍ରକୃତରେ ଆସିବାସୀମାନେ ଜମି ବିକ୍ରି କରିବାପାଇଁ ବ୍ୟାକୁଳ, ସେମାନେ ସ୍ୱର ଉଠାଇବେ ଜମି ବିକ୍ରିର ଅଧିକାର ପାଇଁ । ଏ ସ୍ୱର ଜମି ପାଇବାପାଇଁ ସ୍ୱରର ପ୍ରତିଷେଧକ ହେବ; ମାତ୍ର ମୁଁ ଯେତେଦୂର ଜାଣେ କୌଣସି ନାଁ କୌଣସି କାରଣ ଦେଖାଇ ଜମି ବିକ୍ରି ପାଇଁ ଅନୁମତି ଦିଆହେବ-। ଏଣେ ଜମି ବିକ୍ରି, ତେଣେ ଜମି ପାଇଁ ଆନ୍ଦୋଳନ ଏହି ଯୁକ୍ତି ଦେଖାଇ ଉପରେ ଆଦିବାସୀମାନଙ୍କୁ ସମାଲୋଚନା କରିପାରୁ; କିନ୍ତୁ ସେମାନଙ୍କୁ ତୀର ଧନୁ ବ୍ୟବହାର କରିବାପାଇଁ ପ୍ରବର୍ତ୍ତାଇବାକୁ ଲୋକ ବାହାରିଛନ୍ତି ।

 

ମୋର ବ୍ୟକ୍ତିଗତ ଜ୍ଞାନର ଯେତେ ଉଦାହରଣ ଅଛି, ସବୁ ଗୋଟି ଗୋଟି କରି ଦେଲେ ଏକ ବିରାଟ ବହିହେବ । ମୋଟକଥା ଯେଉଁ ଆଇନ ସବୁ ପାସ ହେଉଛି ଓ ନୀତି ନିର୍ଦ୍ଧାରିତ ହେଉଛି, ସେସବୁ କାର୍ଯ୍ୟକାରୀ ନ ହେବାରୁ ଲୋକଙ୍କ ଭିତରେ ଅସନ୍ତୋଷ ଓ ଆଇନ୍‌ ପ୍ରଣେତା ବା ଆଇନ୍‌ ପ୍ରଣୟନ ସଂସ୍ଥା ବ୍ୟବସ୍ଥା ପରିଷଦ ପ୍ରତି ଅବିଶ୍ୱାସ ସମାଜର ନିମ୍ନ ସ୍ତରରେ ଅତି ଗଭୀର ହୋଇଗଲାଣି । ସେଥିପାଇଁ ହିଂସାତ୍ମକ କାର୍ଯ୍ୟକ୍ରମଆଡ଼େ ଲୋକଙ୍କୁ ପ୍ରବର୍ତ୍ତାଇବା ସହଜ ହେଉଛି ।

 

ଏହାର ପ୍ରତିକାର କିଛି ଖୋଜି ବାହାର କରିବାକୁ ହେବ ।

 

୧୫-୧୧-୬୯

ଶନିବାର

(ପାଞ୍ଚ)

 

ସାଧାରଣ ଲୋକେ, ବିଶେଷତଃ ଭାରତରେ ଗଣତନ୍ତ୍ର ପଦ୍ଧତିରେ ଅଭ୍ୟସ୍ତ ନୁହନ୍ତି । ଲୋକେ ରାଜ୍ୟର ଶାସନରେ ପରମ୍ପରାକ୍ରମେ ଅଭ୍ୟସ୍ତ । ଅର୍ଥାତ୍‌ ଜଣେ କେହି ସବୁ ବିଷୟ ବୁଝି ଶୀଘ୍ର ନିଷ୍ପତ୍ତି କରିଦେଉ, ଏହା ହିଁ ଲୋକେ ଚାହାନ୍ତି ଓ ସେଇଥିରେ ଲୋକେ ସନ୍ତୁଷ୍ଟ ହୁଅନ୍ତି । କ୍ରମେ ରାଜ୍ୟଶାସନ ଅପ୍ରିୟ ହେବାରୁ ପ୍ରତିନିଧିମୂଳକ ଶାସନ ପ୍ରତି ଲୋକେ ଆକୃଷ୍ଟ ହେଲେ । ପ୍ରତିନିଧିମୂଳକ ଶାସନ ଯଦି ବିଷୟର ନିଷ୍ପତ୍ତି ସରଳ ଭାବରେ ଶୀଘ୍ର କରି ନ ପାରେ, ତେବେ ଲୋକଙ୍କର ସେ ଶାସନ ପ୍ରତି ବିଶ୍ୱାସ ଦୃଢ଼ ହେବନାହିଁ । ଆଜିକାଲି ଶିକ୍ଷିତ ଲୋକଙ୍କ ମୁହଁରୁ ମଧ୍ୟ ଶୁଣାଯାଏ ଯେ ଭାରତରେ ଡେମୋକ୍ରେସି ଚାଲିପାରିବ ନାହିଁ । ଅନେକ ମଧ୍ୟ କହିପକାନ୍ତି ଯେ ମିଲିଟେରୀ ଶାସନ ଜାରି ହେବା ଉଚିତ । ଏହାର ଅର୍ଥ ହେଉଛି ଏହି– କେହି କୁଆଡ଼େ ଜଣେ ନିଷ୍ପତ୍ତି ଶୀଘ୍ର କରିଦେଉ । ଗତ ମହାଯୁଦ୍ଧବେଳେ ହିଟଲର ଓ ମୁସୋଲିନି ପରିହାସ କରିଥିଲେ ଯେ ଇଂଲଣ୍ଡ ଆମେରିକା ପ୍ରଭୃତିର ପ୍ରତିନିଧିମୂଳକ ଶାସନ ସ୍ଥବିର ଓ ସେମାନେ ଧୀରେ ଧୀରେ ପାଦ ପକାଉ ପକାଉ ଯୁବକ ଜର୍ମାନୀ ଓ ଇଟାଲୀ ମାଡ଼ି ଚାଲିଯିବେ । ଏହାର ଉତ୍ତରରେ ଚର୍ଚ୍ଚିଲ କହିଥିଲେ, ଡେମୋକ୍ରେସି ସ୍ଥବିର ନୁହେଁ– ଏହା ନିତ୍ୟ ନୂତନ ବିଚାରବନ୍ତ ଯୁବକ; କିନ୍ତୁ ଫେସିଷ୍ଟ ଶାସନ ମାତାଲ ଯୁବକ । କାର୍ଯ୍ୟରେ ଦେଖାଗଲା ଯେ ପ୍ରତିନିଧିମୂଳକ ଶାସନ ହିଁ ବିଜୟୀ ହେଲେ । ପାକିସ୍ତାନରେ ସାମରିକ ଶାସନ ମଧ୍ୟ ତିଷ୍ଠି ପାରୁନାହିଁ । ପାକିସ୍ତାନର ଆଭ୍ୟନ୍ତରୀଣ ଅବସ୍ଥା ଅନୁଧ୍ୟାନ କରି ବିଶେଷଜ୍ଞ ମତ ଦେଉଛନ୍ତି ଯେ ସେଠି ସାମରିକ ଶାସନ କିଛିକାଳ ଚାଲିଲା ପରେ ସେ ଶାସନରେ ମଧ୍ୟ ଦୁର୍ନୀତି ଓ ଅବିଚାର ବହୁ ପରିମାଣରେ ପ୍ରବେଶ କରି ଯାଇଥିଲା; ତେଣୁ ଲୋକେ ତାକୁ ବରଦାସ୍ତ କଲେନାହିଁ । ସେହିପରି ଇଣ୍ଡୋନେସିଆ, ବର୍ମା ପ୍ରଭୃତି ଦେଶରେ ମଧ୍ୟ । ମୋଟ କଥା ଉପରେ ନୀତି ନିୟନ୍ତ୍ରଣ ସହିତ ବୁଦ୍ଧିମାନ ଜନତା ସଂପୃକ୍ତ । ସାଧାରଣ ଜନତା ଦୈନନ୍ଦିନ ଶାସନ ସହିତ ସଂପୃକ୍ତ ।

 

ଭାରତରେ ଯାହା ଘଟୁଛି ସେଥିରୁ ସ୍ପଷ୍ଟ ଜଣାଯିବ ଯେ ନୀତି ନିୟନ୍ତ୍ରଣରେ ଯେତେ ତ୍ରୁଟି ନାହିଁ, ଶାସନ କ୍ଷେତ୍ରରେ ବେଶି ତ୍ରୁଟି ଦେଖାଯାଉଛି । ଶାସନ କ୍ଷେତ୍ରରେ ଯେଉଁମାନେ ରହିଲେ, ସେମାନେ ଯେତିକି କର୍ତ୍ତବ୍ୟପରାୟଣ ଓ ନିଷ୍ଠାପର ହେବାର କଥା ସେତିକି ହେବାକୁ ଚେଷ୍ଟା ମଧ୍ୟ କରୁନାହାନ୍ତି । ଏପରି ଏକ ବାୟୁମଣ୍ଡଳ ସୃଷ୍ଟି ହୋଇଛି, ଯେଉଁଥିରେ ଶାସନରେ ଯେଉଁମାନେ ଯୋଗ ଦେଉଛନ୍ତି ସେମାନେ ମନେ କରୁଛନ୍ତି ଯେ ସେମାନଙ୍କର ପରିଶ୍ରମ କରିବାର ସମୟ ଚାଲିଗଲା, ଏଣିକି ଘରଦ୍ୱାର କରି ସୁଖରେ ଜୀବନ ଅତିବାହିତ କରିବାର ସମୟ ଆସିଲା । କୌଣସି ସ୍ଥାନରେ ରହି ସେଠାର ସମସ୍ତ ଅବସ୍ଥା ଅଧ୍ୟୟନ କରି ସେଠି ଲୋକଙ୍କର କିଛିହେଲେ ସମସ୍ୟା ସମାଧାନ ଦିଗରେ ଦୃଷ୍ଟି ଦେଇଥିଲେ, ସରକାରୀ କର୍ମଚାରୀମାନେ ଏପରି ଜନପ୍ରିୟ ହେଉଥାନ୍ତେ ଯେ ସେମାନଙ୍କ ନାମ କାଳକାଳକୁ ରହିଯାଉଥାନ୍ତା । ଶହେ ବର୍ଷ ପରେ ସୁଦ୍ଧା ବାଲେଶ୍ୱରର ଗାଁ ଗହଳରେ ବୁଢ଼ାମାନଙ୍କଠାରୁ ରିକେଟ ସାହେବ ନାମ ଶୁଣାଯାଏ । ଫୁଲବାଣୀରେ କନ୍ଧମାନଙ୍କ ଭିତରେ ଓଲେନ ବ୍ରିଚ ନାମ ଆଜିସୁଦ୍ଧା ଲୋକେ କହନ୍ତି । ଗଞ୍ଜାମରେ ଅନସ୍କୋ ନାମ ସେହିପରି ଶୁଣାଯାଏ । ଅନୁଗୁଳରେ ଧାନ ଗୋଲା କେତୋଟି ସ୍ଥାପନ କରିଥିବାରୁ ଆହାଦ ସାହେବଙ୍କ ନାମ ଆଜିସୁଦ୍ଧା ଲୋକେ କହନ୍ତି ।

 

ଏପରି କାର୍ଯ୍ୟ କରିବାର ଶକ୍ତି ଆଜିକାଲି ଅଫିସରମାନଙ୍କର ଯେ ନାହିଁ ତାହା ନୁହେଁ । ସେମାନଙ୍କ ଭିତରୁ ଅନେକ ବୁଦ୍ଧିମାନ, ପରିଶ୍ରମୀ ଓ ଲୋକଙ୍କର କାମ କରିବା ପାଇଁ ଉତ୍ସାହୀ; ମାତ୍ର ଏପରି ଏକ ପରିସ୍ଥିତି ସୃଷ୍ଟି ହୋଇଛି, ଯେଉଁଥିରେ ଅଧିକାଂଶଙ୍କର କାମରେ ମନ ଦେବାପାଇଁ ପ୍ରବୃତ୍ତି ହେଉନାହିଁ । ସେଥିପାଇଁ ସେକ୍ରେଟାରୀଏଟ ମଧ୍ୟ ବହୁ ପରିମାଣରେ ଦାୟୀ । କୌଣସି ଅଫିସର କୌଣସି ସ୍ଥାନରେ ଯଦି ଅନ୍ତତଃ ତିନିବର୍ଷ ନ ରହେ, ତେବେ ସ୍ଥାନ ସମ୍ବନ୍ଧରେ କିଛି ଜାଣିପାରିବା ସମ୍ଭବ ନୁହେଁ । ଆଜିକାଲି କେହି କୌଣସି ସ୍ଥାନରେ କିଛିକାଳ ସ୍ଥିର ହୋଇ ରହିବେ, ଏହା ଭାବିପାରୁନାହାନ୍ତି । ଏତେ ଘନ ଘନ ପରିବର୍ତ୍ତନ ହେଉଛି ଯେ ସେଥିରେ ସମସ୍ତେ ନିଜକୁ ଉଡ଼ନ୍ତା ଚଢ଼େଇ ବୋଲି ମନେ କରୁଛନ୍ତି । ଯେ ଯେଉଁଠି କିଛିକାଳ ରହି କିଛି କାମ କଲା ସେ ଯେ ଉପର ସ୍ତରରୁ ପ୍ରଶଂସା ପାଇବ ଓ ଯେ ନ କରିପାରିଲା ସେ ନିନ୍ଦିତ ହେବ– ଏ ବିଶ୍ୱାସ କାହାରି ନାହିଁ । ଏହା ମଧ୍ୟ କର୍ତ୍ତବ୍ୟ ପ୍ରତି ବିତୃଷ୍ଣା ଜନ୍ମିବାର ଏକ ପ୍ରଧାନ କାରଣ । ଏହା ମଧ୍ୟ ଦେଖାଯାଉଛି ଯେ କୌଣସି ସ୍ତରରେ କେହି ନିଜ ଉପରକୁ ଦାୟିତ୍ୱ ନେବାକୁ ପ୍ରସ୍ତୁତ ନୁହନ୍ତି । କେହି ଜଣେ ନିଜ ଉପରକୁ ଦାୟିତ୍ୱ ନେଇ କୌଣସି ବିଷୟରେ ଆଦେଶ ଦେବ, ଏଥିପାଇଁ କେହି ପ୍ରସ୍ତୁତ ନୁହନ୍ତି । ଫଳରେ ପରସ୍ପର ରିପୋର୍ଟ ଓ ମତ ମଗାମଗି ଏପରି ଚାଲିଛି ଯେ ସାଧାରଣ ଲୋକେ ଏଠିସେଠି ଦୌଡ଼ି ଦୌଡ଼ି କ୍ଳାନ୍ତ । ଉନ୍ନତ ଦେଶ, ଯଥା– ଇଂଲଣ୍ଡ, ଆମେରିକା ପ୍ରଭୃତିରେ ସବୁ କର୍ମଚାରୀଙ୍କୁ ନିର୍ଦ୍ଦିଷ୍ଟ ନିର୍ଦ୍ଦେଶ ଯେ ସେମାନେ ସାଧାରଣ ଲୋକଙ୍କ ଆପତ୍ତି ଶୁଣି ସେମାନଙ୍କୁ ସାହାଯ୍ୟ କରିବେ । ଏଠି ଆପତ୍ତି ଶୁଣି ସାହାଯ୍ୟ କରିବା ତ ଦୂରର କଥା, ଆପତ୍ତି ନ ଶୁଣି ଅପମାନ ଦେବାକୁ ମଧ୍ୟ ଅନେକେ ଅଗଣତାନ୍ତ୍ରିକ ବୋଲି ମନେ କରୁନାହାନ୍ତି । ଏହି ହେଉଛି ଜନସାଧାରଣ ବିରକ୍ତ ହେବାର କାରଣ । ଏହି ବିରକ୍ତି ଯେ କେବଳ ଜନସାଧାରଣଙ୍କ ଭିତରେ ତାହା ନୁହେଁ, ଉଚ୍ଚ ଶିକ୍ଷିତ ଯୁବକମାନଙ୍କ ମଧ୍ୟରେ ମଧ୍ୟ ଏ ବିରକ୍ତି ପ୍ରବେଶ କରିଛି । ସେହି ବିରକ୍ତି ପ୍ରକାଶ ପାଉଛି ହିଂସାତ୍ମକ କାର୍ଯ୍ୟକ୍ରମରେ ।

 

କିନ୍ତୁ ହିଂସାତ୍ମକ କାର୍ଯ୍ୟକ୍ରମରେ ସମସ୍ୟାର ସମାଧାନ ହେବ କି ? କଦାପି ହେବନାହିଁ । ଏହାର ପରୀକ୍ଷା ବହୁ ଦେଶରେ ହୋଇଯାଇଛି । ଏଠି ଭାରତରେ ମଧ୍ୟ ହୋଇଛି; କିନ୍ତୁ କୌଣସିଠାରେ ଏହା ସଫଳ ହୋଇନାହିଁ । ପାକିସ୍ତାନର ପୂର୍ବବଙ୍ଗରେ ଜଳାପୋଡ଼ା ହଣାହଣି ଚାଲିବା ଫଳରେ ସେଠି ଆୟୁବ ଖାଁଙ୍କ ଶାସନ ଗଲା ସତ; ମାତ୍ର ଜନତାର ଶାସନ ପ୍ରତିଷ୍ଠିତ ହେଲାନାହିଁ । ହିଂସାତ୍ମକ କାର୍ଯ୍ୟକ୍ରମଦ୍ୱାରା ଜନତାର ଶାସନ ପ୍ରତିଷ୍ଠା କରାଇବାକୁ ହେଲେ ବହୁବର୍ଷ ଅକ୍ଳାନ୍ତ ପରିଶ୍ରମ କରି ସୁସଙ୍ଗଠିତ ଦେଶବ୍ୟାପୀ ଏକ ରାଜନୈତିକ ଦଳର ପ୍ରତିଷ୍ଠା କରାଇବା ଆବଶ୍ୟକ । ଏହା କରିପାରିଥିଲେ ଏକମାତ୍ର ଲେନିନ୍‌ । ଚୀନରେ ସେ ପ୍ରକାର ଦେଶବ୍ୟାପୀ ସୁସଙ୍ଗଠିତ ଦଳ ପୂର୍ବରୁ ଗଠିତ ହୋଇପାରି ନ ଥିବାରୁ ଚୀନରେ ଆଜିସୁଦ୍ଧା ବିଭ୍ରାଟ ଲାଗି ରହିଛି । ଭାରତରେ ଯେଉଁମାନେ ହିଂସାତ୍ମକ କାର୍ଯ୍ୟକ୍ରମରେ ଜନତାର ଶାସନ ପ୍ରତିଷ୍ଠା କରିବାକୁ ଚାହୁଛନ୍ତି, ସେମାନେ ଅନ୍ତତଃ ପଚିଶବର୍ଷ ଦେଶବ୍ୟାପୀ ବିଭ୍ରାଟ ପାଇଁ ପ୍ରସ୍ତୁତ ବୋଲି ଅନୁମାନ କରାଯାଉଛି; କିନ୍ତୁ ମାତ୍ର ଯେଉଁ ଉଚ୍ଚ ଶିକ୍ଷିତ ଯୁବକମାନେ ଏତେକାଳ ଧୈର୍ଯ୍ୟ ରଖିବାକୁ ପ୍ରସ୍ତୁତ, ସେମାନେ ଯଦି ଚାରି ପାଞ୍ଚବର୍ଷ ସୁସଙ୍ଗଠିତ ଓ ଅହିଂସାତ୍ମକ ଭାବରେ ଏହି ଗାଣତାନ୍ତ୍ରିକ ପରିଧି ମଧ୍ୟରେ କାର୍ଯ୍ୟ କରିବାକୁ ମନ ଦିଅନ୍ତି, ତେବେ ଜନତାର ଅଶେଷ କଲ୍ୟାଣ ସାଧିତ ହେବ ଏବଂ ଅଳ୍ପ ସମୟରେ ଲକ୍ଷ୍ୟ ସାଧିତ ହେବ; କିନ୍ତୁ ସେମାନେ ଏ ପରାମର୍ଶ ଶୁଣିବେ କି ? ତଥାପି ଶାସନ କ୍ଷେତ୍ରରେ ଯାହା ଅତି ଜରୁରି ବୋଲି ମନେହେଉଛି, ତାହା ପରେ ଆଲୋଚନା କରିବି ।

 

(ଛଅ)

 

୧୬-୧୧-୬୯

ରବିବାର

 

ଶାସନର କେଉଁ କ୍ଷେତ୍ରରେ ଲୋକଙ୍କର ତୀବ୍ର ଅସନ୍ତୋଷ ଜାତ ହେଉଛି, ସେତିକି ଜାଣିଲେ ଓ ତାର ପ୍ରତିକାର ଅହିଂସାତ୍ମକ ଉପାୟରେ ହୋଇପାରିଲେ ହିଂସାତ୍ମକ ଉପାୟ ପ୍ରତି ଶିକ୍ଷିତ ଯୁବକ ତଥା ନିଷ୍ପେଷିତ ଜନତାର ଦୃଷ୍ଟି ଯାଆନ୍ତା ନାହିଁ । ଏହି ବିଷୟ ଜଣେ ବାମପନ୍ଥୀ କମ୍ୟୁନିଷ୍ଟ ନେତାଙ୍କ ସହ ଆଲୋଚନା ହୋଇଥିଲା । ସେ ବର୍ତ୍ତମାନ ଲୋକସଭାର ସଭ୍ୟ । ସେ କହିଲେ ଓ ମୁଁ ତାଙ୍କ ସହିତ ଏକମତ ଯେ ଆମେ ଯେଉଁମାନେ ଗଣତନ୍ତ୍ର ପଦ୍ଧତିରେ ବିଶ୍ୱାସ କରୁ, ଆମ୍ଭେମାନେ କେବଳ ନିର୍ବାଚନକୁ ସର୍ବସ୍ୱ ବୋଲି ଧରିବସିଛୁ । ନିର୍ବାଚନର ପରିଣାମ ମନ୍ତ୍ରୀ ହେବା ଓ ମନ୍ତ୍ରୀଙ୍କର କାମ ହେଉଛି ବ୍ୟବସ୍ଥାସଭାରେ ଓ ବାହାରେ ଅଫିସରମାନେ ଯାହା କରନ୍ତୁ ପଛକେ ତାଙ୍କୁ ସମର୍ଥନ କରିବା । ଯଦି ବ୍ୟବସ୍ଥାସଭା ନଥାନ୍ତା, ତେବେ ହୁଏତ ନିର୍ବାଚିତ ପ୍ରତିନିଧିମାନେ ଲୋକଙ୍କ ପକ୍ଷରୁ ଅଫିସରମାନଙ୍କୁ ନିୟନ୍ତ୍ରଣ କରିପାରୁଥାନ୍ତେ । ନିର୍ବାଚନ ପ୍ରଥାଦ୍ୱାରା କେବଳ ମନ୍ତ୍ରିସ୍ତରରେ ପରିବର୍ତ୍ତନ ଘଟୁଛି କିନ୍ତୁ ଶାସନରେ କିଛି ପରିବର୍ତ୍ତନ ଘଟୁନାହିଁ । ଏହି ହେଉଛି ବିପ୍ଳବବାଦୀମାନଙ୍କ ଯୁକ୍ତି । ଗାଡ଼ି ଯଦି ଖରାପ, ଡ୍ରାଇଭର ବଦଳିଲେ କିଛି ଲାଭନାହିଁ । ଏଣୁ ଗାଡ଼ିକୁ ବଦଳାଇବାକୁ ହେବ । ବାସ୍ତବିକ ବ୍ୟବସ୍ଥାସଭାମାନଙ୍କରେ କେତେକ ଅଫିସମାନଙ୍କୁ ଯାହା ଇଚ୍ଛା ତାହା ସମାଲୋଚନା କରି ସେମାନଙ୍କୁ ଦବେଇ ଦେବାକୁ ଯେପରି ଚେଷ୍ଟାକରନ୍ତି, ତା’ର ପ୍ରତିକ୍ରିୟା ସ୍ୱରୂପ ସରକାରୀ ପକ୍ଷରୁ ସେମାନଙ୍କୁ ସମର୍ଥନ କରାଯାଏ । ଫଳରେ କଳର ମରାମତି ହୋଇପାରେ ନାହିଁ । ହାଣମାର ନକରି ଶାସନ କଳକୁ ସାଧାରଣ ଲୋକଙ୍କ କାମରେ ଲଗାଇ ଦେବାର ଉପାୟ ଗାନ୍ଧିଜୀ ଓ ତାଙ୍କ ପୂର୍ବରୁ ଅନ୍ୟ ଗାଣତାନ୍ତ୍ରିକ ଦେଶମାନଙ୍କରେ ବାହାର କରିଥିଲେ ଓ କାର୍ଯ୍ୟକାରୀ ମଧ୍ୟ କରିଥିଲେ । ଏପରିକି କମ୍ୟୁନିଷ୍ଟ ଦେଶମାନଙ୍କରେ ମଧ୍ୟ ଶାସନ କଳକୁ ନିୟନ୍ତ୍ରଣ କରିବାର ବ୍ୟବସ୍ଥା ଧୀରେ ଧୀରେ ଆବିଷ୍କୃତ ହେଉଛି । ଶାସନରେ ବୁରୋକ୍ରେସି ବା ଅଫିସରତନ୍ତ୍ର ଏକ ପ୍ରଧାନ ସମସ୍ୟା । ଏ ସମସ୍ୟାର ସମାଧାନ ପାଇଁ ହିଂସାତ୍ମକ କାର୍ଯ୍ୟକ୍ରମର ଆବଶ୍ୟକତା ନାହିଁ । ନୀତିନିୟନ୍ତ୍ରଣ ସ୍ତରରେ ସାଧାରଣ ଜନତା ପକ୍ଷରୁ ପ୍ରଭାବ ପକାଇବା ପାଇଁ ନିର୍ବାଚନ ପ୍ରଥା ଉତ୍କୃଷ୍ଟ । ଗତ କୋଡ଼ିଏ ବର୍ଷର ଅଭିଜ୍ଞତାରୁ ଜଣାଯାଉଛି ଯେ ସାଧାରଣ ଭୋଟଦାତା ମୋଟାମୋଟି ଭାବରେ ନିଜର ସ୍ୱାର୍ଥବୁଝି ଭୋଟ ଦେଉଛନ୍ତି । ତଥାପି ଏହା ମଧ୍ୟ ସ୍ପଷ୍ଟହେବା ଦରକାର ଯେ ଯେଉଁ ଦଳ ସାଧାରଣ ଜନତା ଭିତରେ ଯେତେ ମିଳିମିଶି ରହି ନିଃସ୍ୱାର୍ଥ ଭାବରେ କାର୍ଯ୍ୟ କରୁଛି, ସେ ଦଳ ସେହି ପରିମାଣରେ ଭୋଟରେ ଜୟଯୁକ୍ତ ହେଉଛି । ଅବଶ୍ୟ ନିର୍ବାଚନରେ ଅର୍ଥବ୍ୟୟ ଏକ ସମସ୍ୟା– ଯାହାର ସମାଧାନ ସବୁ ଦଳ ଏକତ୍ର ଚିନ୍ତାକଲେ ହୋଇପାରିବ ।

 

ତେଣିକି ଅଫିସରତନ୍ତ୍ରର ସମସ୍ୟାର ସମାଧାନ ପାଇଁ ଆବଶ୍ୟକ ନିର୍ବାଚନରେ ଜଡ଼ିତ ନ ହେଉଥିବା ବହୁ ନିଃସ୍ୱାର୍ଥପର କର୍ମୀ । ଗାନ୍ଧିଜୀ ଚାହୁଁଥିଲେ ପ୍ରତ୍ୟେକ ଗ୍ରାମରେ ନିଃସ୍ୱାର୍ଥପର ନେତା । ବାସ୍ତବିକ ସାଧାରଣ ଜନତା ନିଜର ଆପତ୍ତି ଅଭିଯୋଗ ଉପସ୍ଥାପନ କରିବା ସୁଦ୍ଧା ଜାଣନ୍ତି ନାହିଁ । ଏମାନଙ୍କ ମୁହଁରେ ଭାଷା ନାହିଁ । ଏମାନଙ୍କ ମୁହଁରେ ଭାଷା ଦେବାପାଇଁ ଓ ଏମାନଙ୍କ ପକ୍ଷରୁ ଆପତ୍ତି ଅଭିଯୋଗମାନ ଉପସ୍ଥାପିତ କରିବା ପାଇଁ ନିଃସ୍ୱାର୍ଥପର କର୍ମୀ ଆବଶ୍ୟକ । ଏହାକୁ ହିଁ ରାଜନୈତିକ ଭାଷାରେ କୁହାଯାଏ ଦଳର କେଡ଼ର । ଯେଉଁ ଦଳର କେଡ଼ର ଯେତେ ବ୍ୟାପ୍ତ ସେ ଦଳ ସେତେ ପ୍ରତିପତ୍ତିଶାଳୀ । ନିର୍ବାଚନରେ ଯୋଗ ଦେଇଥିବା ଲୋକେ ନିଜ ନିଜ ପାଇଁ ବେଶି ସୁବିଧା କରି ନେଉଥିବାରୁ ସମସ୍ତେ ସେହିଆଡ଼େ ଚାହୁଁଛନ୍ତି । ଏଣୁ ନିତାନ୍ତ ଆବଶ୍ୟକ ଯେ ନିର୍ବାଚିତ ପ୍ରତିନିଧି ଓ ଅନ୍ୟ କର୍ମୀଙ୍କ ଭିତରେ କୌଣସି ପ୍ରଭେଦ ନ ରହିବା । ଚାଲିଚଳଣ, ଆୟବ୍ୟୟ କୌଣସିଥିରେ ନିର୍ବାଚିତ ପ୍ରତିନିଧି ଅନ୍ୟମାନଙ୍କ ସହିତ ସମାନ ଅବସ୍ଥାରେ ରହିବା ଉଚିତ । ଏହାକୁ କରାଇବା ହେଉଛି ଦଳର କାର୍ଯ୍ୟ ।

 

ସାଧାରଣ ଜନତାର ବିଶ୍ୱାସଭାଜନ ହେବା, ସେମାନଙ୍କ ସାଙ୍ଗରେ ମିଶି ସେହିମାନଙ୍କ ଭାଷାରେ କଥା କହିବାକୁ ହେବ । ଏହି ବିଷୟରେ ନକ୍‌ସଲବାଦୀ କର୍ମୀମାନେ ଆଦର୍ଶ ସ୍ଥାନୀୟ । ନିର୍ଦ୍ଦିଷ୍ଟ ଅଞ୍ଚଳର ସମସ୍ୟାକୁ ଦେଶର ସମସ୍ୟା ସହିତ ସମନ୍ୱୟ ସ୍ଥାପନ କରି ନେତୃତ୍ୱ ନେବାର ଯୋଗ୍ୟତା ଦଳର କର୍ମୀମାନଙ୍କର ଥିବା ଆବଶ୍ୟକ । ଏଥିପାଇଁ ବହୁ ସଂଖ୍ୟକ କର୍ମୀ ଆବଶ୍ୟକ ଏବଂ ଏ କର୍ମୀ ପ୍ରତ୍ୟେକ ଗ୍ରାମରୁ ମିଳିପାରିବେ । ଏ କର୍ମୀମାନଙ୍କର ଆଇନ ଭିତରେ ଚଳିବାର ଅଭ୍ୟାସ ମଧ୍ୟ ଆବଶ୍ୟକ । ଏ ଦିଗରେ କମ୍ୟୁନିଷ୍ଟ ଦଳ (ଦକ୍ଷିଣପନ୍ଥୀ) ଶ୍ରମଜୀବୀ କ୍ଷେତ୍ରରେ ଯେପରି ଆଇନ ଭିତରେ କାର୍ଯ୍ୟ କରୁଛନ୍ତି, ତାହା ମଧ୍ୟ ଆଦର୍ଶର ବିଷୟ ।

 

ତେଣିକି ଅଫିସରତନ୍ତ୍ରର ଭୂମିକା । ଯଥାଯଥ ଭାବରେ ଆପତ୍ତି ଅଭିଯୋଗ ଉପସ୍ଥାପନ କରିବା । କାହା ପାଖରେ ଓ କିଏ ମନଦେଇ ତାକୁ ଶୁଣିବ । ଏହି ହେଉଛି ବର୍ତ୍ତମାନ ବିରାଟ ପ୍ରଶ୍ନ । ଏଥିରେ ଭାରତୀୟ ଶାସନ ସଂପୂର୍ଣ୍ଣ ବ୍ୟର୍ଥ ହୋଇଛି, ଏଥିରେ ସନ୍ଦେହ ନାହିଁ । ଏ ସମ୍ପର୍କରେ ଇଂଲଣ୍ଡର ଗୃହ ବିଭାଗର ମନ୍ତ୍ରୀ ରାଇଟ୍‌ ଅନରେବଲ୍‌ ଜେ ଚୁରେଇଡ଼ ୧୯୪୮ରେ ଯେଉଁ ନୀତି ବ୍ୟାଖ୍ୟାନ କରିଥିଲେ, ତାହା ବାସ୍ତବିକ ଗଣତାନ୍ତ୍ରିକ ପଦ୍ଧିତରେ ଅଫିସରମାନଙ୍କର ମୂଳମନ୍ତ୍ର ହେବା ଉଚିତ । ତାଙ୍କର ବ୍ୟାଖ୍ୟାନର ଅନୁବାଦ କାଲି ଏହି ସ୍ତମ୍ଭରେ ଦେଇ ଏ ଲେଖା ଶେଷ କରିବି । ବିଖ୍ୟାତ କବି ମିଲଟନ ଲେଖିଥିଲେ–

 

‘‘ସ୍ୱାଧୀନତାର ଅର୍ଥ ନୁହେଁ ଓ ଏଥିରୁ ଏହା ଆଶା କରିବା ଉଚିତ ନୁହେଁ ଯେ ଦେଶରେ କାହାରି କିଛି ଆପତ୍ତି ଅଭିଯୋଗ ରହିବନାହିଁ । ସ୍ୱାଧୀନତାର ଅର୍ଥ ଓ ଆବଶ୍ୟକତା ଏହି ଯେ ଆପତ୍ତି ଅଭିଯୋଗମାନ ଶୁଣାହେବ, ଗମ୍ଭୀର ଭାବରେ ବିଚାର କରାହେବ ଓ ଶୀଘ୍ର ପ୍ରତିକାର କରାହେବ ।’’

 

ଏ ଦିଗରୁ ବିଚାର କଲେ ସ୍ୱାଧୀନତା ପୂର୍ବରୁ ଆପତ୍ତି ଅଭିଯୋଗମାନ ଶୁଣାହୋଇ ଯେପରି ତଦନ୍ତ ଇତ୍ୟାଦି କରାହେଉଥିଲା ଆଜି ସେପରି ହେଉନାହିଁ । ଅଫିସରମାନେ ନିୟମିତ ଭାବରେ କାର୍ଯ୍ୟ କରିବେ ଓ କେମ୍ପ ପକାଇ ଦୂରସ୍ଥାନମାନଙ୍କରେ ରହିବେ, କେମ୍ପ କଚେରୀ ମଧ୍ୟ ହେବ । ଏ ସବୁ ଏକ ସମୟରେ ଅତ୍ୟାବଶ୍ୟକୀୟ ନିୟମ ଥିଲା । ଆଜି ପିଚୁ ରାସ୍ତାରେ ଶହ ଶହ ମାଇଲ ମଟରରେ ଯିବା ଆସିବା ଛଡ଼ା ଲୋକଙ୍କ ଆପତ୍ତି ଅଭିଯୋଗ ଶୁଣିବାପାଇଁ ଗ୍ରସ୍ତ ପ୍ରାୟ ହେଉନାହିଁ । ଆପତ୍ତି ଅଭିଯୋଗ ଶୁଣିବାପାଇଁ ମଧ୍ୟ ଧୈର୍ଯ୍ୟନାହିଁ, ବୁଝିବା ତ ଦୂରର କଥା । ସ୍ୱାଧୀନତା ପରେ ଶାସନ ସଂସ୍କାରପାଇଁ ଯେତେ ରିପୋର୍ଟ ପ୍ରକାଶିତ ହେଲାଣି ସବୁଥିରେ ଏହି ଦୋଷଟି ଦର୍ଶାହୋଇଛି । ମାତ୍ର ତାହାର ଦୂରୀକରଣ ହେଉନାହିଁ । ପ୍ରଚଳିତ ଶାସନ ପଦ୍ଧତିର କେନ୍ଦ୍ର ହେଉଛନ୍ତି ଜିଲା ମାଜିଷ୍ଟ୍ରେଟ ଓ ସବ୍‌ଡ଼ିଭିଜନରେ ସବ୍‌ଡ଼ିଭିଜନାଲ ଅଫିସର । ଉପରର ସବୁ ବିଭାଗର ସମସ୍ତ କାର୍ଯ୍ୟମାନଙ୍କ ମାଧ୍ୟମରେ ଜନତା ଭିତରେ ପ୍ରବେଶ କରିବାର କଥା । ସମସ୍ତ ବିଭାଗ ସହିତ ଜିଲା ମାଜିଷ୍ଟ୍ରେଟଙ୍କ ଘନିଷ୍ଠ ସମ୍ପର୍କ ରଖିବାକୁ ସବୁ ବିଭାଗର କାର୍ଯ୍ୟ ସମ୍ବନ୍ଧରେ ଅବହିତ ହେବାକୁ ହେବ ଏବଂ ଯଥା ସମୟରେ ସଂପୃକ୍ତ ବିଭାଗମାନଙ୍କର ଦୃଷ୍ଟି ଆକର୍ଷଣ କରିବାକୁ ହେବ । ଏହି କାର୍ଯ୍ୟଟି ସୁଚାରୁରୂପେ ହୋଇପାରିଲେ, ଶାନ୍ତି ଶୃଙ୍ଖଳାର ପ୍ରଶ୍ନ କେବେ ଉତ୍କଟ ହେବନାହିଁ । ଏହା ମୁଁ କହୁଛି କେବଳ ତାତ୍ତ୍ୱିକ ଦୃଷ୍ଟିରୁ ନୁହେଁ, ମୋରି ନିଜର ଅଭିଜ୍ଞତାରୁ ଓ ଭାରତରେ ବିଭିନ୍ନ ପ୍ରଦେଶରେ ଘଟିଥିବା କେତୋଟି ଗୁଳିକାଣ୍ଡର ତଦନ୍ତ ରିପୋର୍ଟ ଅଧ୍ୟୟନରୁ । ଥରେ ତତ୍କାଳୀନ ପ୍ରଧାନମନ୍ତ୍ରୀଙ୍କଦ୍ୱାରା ଆଦିଷ୍ଟ ହୋଇ ପଶ୍ଚିମବଙ୍ଗର ଏକ ଗୁଳିକାଣ୍ଡର ତଦନ୍ତ ଡକ୍ଟର ରାୟ ଓ ମୁଁ କରିଥିଲୁ । ଏହା ଯେ ଭାରି ବଡ଼ କଥା ତା ନୁହେଁ । ଟିକିଏ ଚିନ୍ତା କଲେ ଓ ଅନୁସନ୍ଧାନ କଲେ ଜଣାପଡ଼ିବ ଯେ ଅସନ୍ତୋଷ ସୃଷ୍ଟିହେବା ସମୟରୁ ପ୍ରତିକାରର ବ୍ୟବସ୍ଥା କଲେ ଶାନ୍ତି ଶୃଙ୍ଖଳା ସହଜରେ ଭଙ୍ଗ ହେବନାହିଁ । ମୋଟ କଥା ଆପତ୍ତି ଅଭିଯୋଗ ଶୁଣିବା ପାଇଁ ଗମ୍ଭୀର ଭାବରେ ବିଚାର କରି ଶୀଘ୍ର ନିଷ୍ପତ୍ତି କରିବାପାଇଁ ବ୍ୟବସ୍ଥା ହେଲେ ଜନତାର ମନ ହିଂସାତ୍ମକ କାର୍ଯ୍ୟ ଆଡ଼କୁ ଯିବନାହିଁ । କେହି ଶୁଣୁନାହାନ୍ତି ତେଣୁ ହିଂସାତ୍ମକ ଆନ୍ଦୋଳନରେ ମତାଇବାକୁ ହେବ ଏ ଯୁକ୍ତି ମଧ୍ୟ ଯଥାର୍ଥ ନୁହେଁ । ଯେଉଁ ଉଚ୍ଚ ଶିକ୍ଷିତ ଯୁବକମାନେ ଯେତିକି ଧୈର୍ଯ୍ୟର ସହ ହିଂସାତ୍ମକ ଆନ୍ଦୋଳନ ପାଇଁ ନିତାନ୍ତ ଅଜ୍ଞ ଜନତାକୁ ଶିକ୍ଷା ଦେଉଛନ୍ତି, ସେମାନେ ସେହି ଧୈର୍ଯ୍ୟର ସହ ଆପତ୍ତି ଅଭିଯୋଗ ଉପସ୍ଥାପନ ଦିଗରେ ଓ ଲୋକଶିକ୍ଷା ଦିଗରେ ଯତ୍ନ କଲେ, ସେମାନଙ୍କ ଉଦ୍ଦେଶ୍ୟ ସାଧିତ ହେବ ଏଥିରେ ସନ୍ଦେହ ନାହିଁ । ବରଂ ଏହା ମଧ୍ୟ ନିଃସନ୍ଦେହରେ କୁହାଯାଇ ପାରିବ ଯେ ହିଂସାତ୍ମକ କାର୍ଯ୍ୟରେ ମାତିଲେ ଜନତାର ଶିକ୍ଷା ତ କିଛି ହେବନାହିଁ, ବରଂ ସେମାନେ ଅକାରଣ ନାନା ନିର୍ଯ୍ୟାତନାର ସମ୍ମୁଖୀନ ହେବେ । ରାଜନୈତିକ ଚେତନା ଜାଗରଣ ପାଇଁ ଅହିଂସାତ୍ମକ ଉପାୟ ହିଁ ଶ୍ରେଷ୍ଠ ।

 

(ସାତ)

୧୭-୧୧-୬୯

ସୋମବାର

 

ରାଇଟ୍‌ ଅନରେବଲ୍‌ ଜେ, ଚ୍ୟୁଟରଇଡ଼, ଏମ୍‌: ପି: (ସେକ୍ରେଟାରୀ ହୋମ୍‌ ଏଫେୟାରସ କେବିନେଟ ହୋମ ଡିପାର୍ଟମେଣ୍ଟର ମନ୍ତ୍ରୀ) କହିଥିଲେ–

 

X X ସ୍ୱାଧୀନତାର ପ୍ରମାଣ ହେଉଛି ପ୍ରତ୍ୟେକ ପ୍ରତ୍ୟେକକୁ ସମାଲୋଚନାର ଅଧିକାର ଓ ସଂଖ୍ୟାଲଘିଷ୍ଠ ଗୋଷ୍ଠୀ ସଂଖ୍ୟାଗରିଷ୍ଠ ହେବାପାଇଁ ଚେଷ୍ଟା କରିବା ଓ ତଦନୁସାରେ ଲୋକମତକୁ ପ୍ରଭାବିତ କରିବା । ହୋମ୍‌ ଡିପାର୍ଟମେଣ୍ଟର ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ହେଉଛି ଲୋକଙ୍କର ଦରଖାସ୍ତ, ସ୍ମାରକପତ୍ର ଓ ଆପତ୍ତିମାନ ପାଇ ବିଚାର କରିବା । ଆପତ୍ତି ବିଭିନ୍ନ ପ୍ରକାରର । କେତେକ ବ୍ୟକ୍ତିଗତ ଓ କେତେକ ସାଧାରଣ ବ୍ୟାପାର ସମ୍ପର୍କୀୟ । କେତେକ ପୁଣି ଅନ୍ୟ ବିଭାଗମାନଙ୍କ ସମ୍ପର୍କୀୟ । ଏପରି ଅନେକ ଦରଖାସ୍ତ ଆସେ ଯେଉଁଥିରେ କିଛି କରି ହେବନାହିଁ । ତଥାପି ହୋମ୍‌ ଡିପାର୍ଟମେଣ୍ଟର କର୍ତ୍ତବ୍ୟ ହେଉଛି ଦରଖାସ୍ତକାରୀକୁ ଉତ୍ତର ଦେବା ଯେ ଦରଖାସ୍ତ ବିଚାର କରାହେଉଛି ଏବଂ ଯଦି ସେ ତଥାପି ଚାହେଁ ଯେ ନିଜେ ସାକ୍ଷାତ କରି ଆପତ୍ତିକୁ ବୁଝାଇବା ପାଇଁ, ତାଙ୍କୁ ସାକ୍ଷାତ ଦେବାକୁ ହେବ ଓ ସେ ଯେପରି ଅନୁଭବ କରେ ଯେ ଶାସନ ତାଙ୍କୁ ସାହାଯ୍ୟ କରିବାକୁ ଚାହେଁ; ମାତ୍ର ପାରୁନାହିଁ, ସେପରି ସବୁ କରିବାକୁ ହେବ । ସାଧାରଣ ଲୋକଙ୍କ ଭିତରେ ଯଦି ଧାରଣା ହୋଇଯାଏ ଯେ ଗଭର୍ଣ୍ଣମେଣ୍ଟଠାରେ ପହଞ୍ଚିବା କଠିନ ଓ ଆପତ୍ତି ଅଭିଯୋଗ କେହି ଶୁଣୁ ନାହାନ୍ତି, ତାହା ହିଁ ଅସନ୍ତୋଷ ସୃଷ୍ଟି କରିବାର ସୁବିଧା ମିଳିଯାଏ । ‘‘ଦେଖ, କେହି ତୁମ ଆପତ୍ତି ଶୁଣିବା ପାଇଁ ନାହିଁ ।’’ ଏହାହିଁ ଫାଟକ ପାଖରେ ଛିଡ଼ାହୋଇ ଚିତ୍କାର କରି ଆବ୍‌ସାଲେମ ଏକ ବିଦ୍ରୋହ ଘଟାଇ ଦେଇଥିଲେ । ହୋମ୍‌ ଡିପାର୍ଟମେଣ୍ଟର ଗୋଟିଏ କର୍ତ୍ତବ୍ୟ ହେଉଛି, ଲୋକଙ୍କ ମନରେ ବିଶ୍ୱାସ ଜନ୍ମାଇବା ଯେ ଆପତ୍ତି ଶୁଣିବା ପାଇଁ ଶାସନରେ କେହି ଅଛନ୍ତି । ଶାସନରେ ଥିବା ଉଚ୍ଚପଦସ୍ଥ ଅଫିସରମାନଙ୍କ କର୍ତ୍ତବ୍ୟ ହେଉଛି ଦେଖିବା କେହି କେଉଁଠି ଅତ୍ୟାଚାରିତ ହେଉଛି ବା କାହା ପ୍ରତି କେହି ଅନ୍ୟାୟ କରୁଛି ବା କେହି କିଛି ଅସୁବିଧାରେ ପଡ଼ିଯାଇଛି । X X

 

ଏଥିରୁ ଜଣାପଡ଼ିବ ଯେ ଇଂଲଣ୍ଡ ପରି ଦେଶରେ ମଧ୍ୟ ଲୋକଙ୍କ ଆପତ୍ତି ଅଭିଯୋଗ ଶୁଣିବା ପାଇଁ ଶାସନ କେଡ଼େ ବ୍ୟଗ୍ର ଓ ନ ଶୁଣିଲେ ଯେଉଁ ଅସନ୍ତୋଷ ଓ ବିଶୃଙ୍ଖଳା ଘଟିବ; ତାକୁ ଏଡ଼େଇବା ପାଇଁ କେତେ ତତ୍ପରତା । ଭାରତର ଶାସନ ପଦ୍ଧତିରେ ଜିଲ୍ଲା ମାଜିଷ୍ଟ୍ରେଟ ଓ ସବ୍‌ଡ଼ିଭିଜନେଲ ଅଫିସର ହେଉଛନ୍ତି କେନ୍ଦ୍ର । ଆଇନ ଅନୁସାରେ କୋର୍ଟଫିସ ଦେଇ ମୋକଦ୍ଦମା କରିବା ଛଡ଼ା ସାଧାରଣ ଦରଖାସ୍ତ ସବୁ ଦିଆଯାଏ ଓ ସେ ସବୁ ପାଇଁ ଏକ ସମୟରେ ଅଫିସରରେ ଏକ ବିଭାଗ ଥିଲା । ଆଜିକାଲି ଅଛି କି ନାହିଁ ମୋତେ ଜଣାନାହିଁ । ଅଫିସରମାନେ ଗସ୍ତରେ ଯାଇ ସ୍ଥାନ ଉପରେ ରହି ଏହି ସବୁ ଦରଖାସ୍ତ ଶୁଣି ଆଇନ ଅନୁସାରେ ଯାହା କରିବାର କରୁଥିଲେ । ବିଭିନ୍ନ ସ୍ଥାନରେ ଡାକବଙ୍ଗଳା ସବୁ ସେଇଥିପାଇଁ ତିଆରି ହୋଇଥିଲା । ଆପତ୍ତି ଅଭିଯୋଗ ଶୁଣିବା ପାଇଁ ଅଫିସରମାନେ ନିଜେ ପହୁଞ୍ଚିଗଲେ ସାଧାରଣ ଲୋକଙ୍କ ମନରେ ସନ୍ତୋଷ ଜାତ ହୁଏ । ସେଥିରୁ ଆଜି ଲୋକେ ବଞ୍ଚିତ । ଆହୁରି ଦୁଃଖର ବିଷୟ ଯେ ଚିଫ୍‌ ମିନିଷ୍ଟରଙ୍କଠାକୁ ଯେଉଁ ଦରଖାସ୍ତମାନ ଆସେ ସେ ସବୁ ସେ ବିଭିନ୍ନ ବିଭାଗକୁ ପଠାଇ ଦିଅନ୍ତି, ସେଠି ସେ ସବୁ ଉପରେ ସେପରି ଗୁରୁତ୍ୱ ଦିଆହୁଏ ନାହିଁ । ଚିଫ୍‌ ମିନିଷ୍ଟରଙ୍କ ଅଫିସରୁ ଉତ୍ତରଟିଏ ପାଇ ଲୋକେ ଯେଉଁ ଆଶ୍ୱାସନା ପାଆନ୍ତି, କିଛିକାଳ ପରେ ସେ ବିରକ୍ତିରେ ପରିଣତ ହୁଏ; କାରଣ ଯେଉଁଠାକୁ ସେ ଦରଖାସ୍ତ ଗଲା ସେଠି କିଛି ହେଲା ନାହିଁ । କଥା କଥାକେ ଅନେକ କହି ଦିଅନ୍ତି ଅମୁକ ଅଞ୍ଚଳକୁ ରାସ୍ତାଘାଟ ନାହିଁ । ଏହାର ଅର୍ଥ ହେଉଛି ସେ ଅଞ୍ଚଳ ସବୁକୁ ମଟର ଗାଡ଼ି ଯାଇପାରିବ ନାହିଁ । ସେ ଅଞ୍ଚଳ ସବୁରେ ଲୋକେ ତ ଚଳୁଛନ୍ତି ଓ ଅନ୍ୟ ଅଞ୍ଚଳ ସହିତ ସମ୍ବନ୍ଧ ରଖୁଛନ୍ତି । ସାଇକେଲ ବା ପାଦରେ ବା ଘୋଡ଼ାରେ ଚାଲିଗଲେ ହୁଅନ୍ତା; ମାତ୍ର ଆଜି ତାହା କଳ୍ପନାତୀତ । ତେଣୁ ଶାସନ ରହିଗଲାଣି କେବଳ ପକ୍‌କା ସଡ଼କ ଆଖି ପାଖରେ । ଲୋକଙ୍କ ଆପତ୍ତି ଅଭିଯୋଗ ନେଇ କେତେକ ଲୋକ ଜିଲା ମାଜିଷ୍ଟ୍ରେଟ, ସବଡ଼ିଭିଜନେଲ ଅଫିସର ବା ଭୁବନେଶ୍ୱରକୁ ଆସନ୍ତି, ସେମାନେ ଗାଁରୁ କେତେ ଚାନ୍ଦା ସଂଗ୍ରହ କରନ୍ତି, ଜଣା ଅଛି କି ? ଗ୍ରାମର ଲୋକ ଓ ଅଫିସରମାନଙ୍କ ମଧ୍ୟରେ ଯୋଗସୂତ୍ର ରଖିବା ଊଣା ଅଧିକେ ଏକ ବ୍ୟବସାୟ ହୋଇଗଲାଣି । ଏ ମଧ୍ୟ ଅସନ୍ତୋଷର କାରଣ ।

 

ଆପତ୍ତି ଅଭିଯୋଗ ଶୁଣିବା ପାଇଁ ଧୈର୍ଯ୍ୟ ଓ ପରିଶ୍ରମ କରିବା ପାଇଁ ଆଗ୍ରହ ନ ଥିବାରୁ ଆପତ୍ତି ଅଭିଯୋଗକାରୀମାନଙ୍କ ପ୍ରତି ଅଶ୍ରଦ୍ଧା ମଧ୍ୟ ଜାତ ହେଉଛି । ସାଧାରଣ ଲୋକଙ୍କ ପ୍ରତି ସମ୍ମାନ ତ ନାହିଁ ବରଂ ସେମାନଙ୍କ ଉପରେ ହାକିମ ଜାରିକରିବା ଏକ ଅଭ୍ୟାସ ହୋଇଗଲାଣି । ବିଭିନ୍ନ ବିଭାଗମାନଙ୍କ ପକ୍ଷରୁ ତଥାକଥିତ ‘ସୌଜନ୍ୟ ସପ୍ତାହ’ମାନ ପାଳିତ ହୁଏ । ମୋର ମନେ ହୁଏ ପନ୍ଦରଦିନକାଳ ଏଣୁ ତେଣୁ ସବୁ ଖାଇ ଏକାଦଶୀ ଦିନ ଉପବାସ କଲାପରି ବାଟସାରା ଅସୌଜନ୍ୟ ଆଚରଣ କରି କରି ସପ୍ତାହେ ମାତ୍ର ସୌଜନ୍ୟ ଆଚରଣ କରାଯାଏ । ଆପତ ଅଭିଯୋଗ ଶୁଣିବା ପାଇଁ, ଶୁଣି ଗମ୍ଭୀର ବିଚାର କରି ଶୀଘ୍ର ନିଷ୍ପତ୍ତି କରିଦେବା ପାଇଁ ଅଫିସରମାନେ ତତ୍ପର ହେଲେ, ହିଂସାତ୍ମକ କାର୍ଯ୍ୟକ୍ରମ କେବେ ସାଧାରଣ ଲୋକଙ୍କ ଭିତରେ ପ୍ରସାର ଲାଭ କରିବ ନାହିଁ । ଯେଉଁମାନେ ହିଂସାତ୍ମକ କାର୍ଯ୍ୟରେ ବିଶ୍ୱାସ କରୁଛନ୍ତି, ସେମାନେ ମଧ୍ୟ କୌଣସିଆଡ଼େ କ୍ଷେତ୍ର ପାଇବେନାହିଁ ।

 

ଶେଷରେ ସବୁ ଦିଗରୁ ଆଲୋଚନା କରି ଜଣାଯାଏ ଯେ ଭାରତୀୟ ପରିସ୍ଥିତିରେ ହିଂସାତ୍ମକ ଆନ୍ଦୋଳନ କେବେ ହେଲେ ଜନକଲ୍ୟାଣ ରାଷ୍ଟ୍ର ପ୍ରତିଷ୍ଠା କରିପାରିବନାହିଁ । ହିଂସାତ୍ମକ ଆନ୍ଦୋଳନ କେବଳ ନିରର୍ଥକ ଅରାଜକତା ସୃଷ୍ଟି କରିପାରିବ ସିନା ଅନ୍ୟ କିଛି ହେବନାହିଁ । ହିଂସାତ୍ମକ ଆନ୍ଦୋଳନ ପାଇଁ କ୍ଷେତ୍ର ପ୍ରସ୍ତୁତ ହେଉଛି ଶାସନ ସହିତ ସାଧାରଣ ଜନତାର ପ୍ରତ୍ୟକ୍ଷ ସମ୍ପର୍କ ଅଭାବରୁ । ସାଧାରଣ ଜନତା ଆପତ୍ତି ଅଭିଯୋଗ ଶୁଣି ବିଚାର କରିବା ହେଉଛି ସେମାନଙ୍କ ସହିତ ଶାସନର ଯୋଗସୂତ୍ର । ଏ ଯୋଗସୂତ୍ର ସ୍ଥାପନ କରିବାର ଦାୟିତ୍ୱ ଅଫିସରମାନଙ୍କ ଉପରେ । ସାଧାରଣ ଜନତାର ସ୍ୱାର୍ଥପ୍ରତି ଦୃଷ୍ଟି ଦେଇ ନୀତି ନିୟନ୍ତ୍ରଣ କରିବା ହେଉଛି ଲୋକପ୍ରତିନିଧିମାନଙ୍କ କର୍ତ୍ତବ୍ୟ । ରାଜନୈତିକ ସ୍ତରରେ ଯେତେ ବାଦ ବିବାଦ ଲାଗୁ ପଛକେ ଶାସନ ସ୍ତରରେ ଆଇନ ଅନୁସାରେ କାର୍ଯ୍ୟ ଚାଲିଥିଲେ ଦେଶରେ ଅରାଜକତା ବା ବିରାଟ ବିଭ୍ରାଟ କେବେ ହେବନାହିଁ । ଅବଶ୍ୟ ସାଧାରଣ ଜନତାଙ୍କ ସ୍ତରରେ ରହି ସେମାନଙ୍କ ଶିକ୍ଷା ଓ ସଂସ୍କାର ଦିଗରେ କାର୍ଯ୍ୟ କରିବାପାଇଁ ବହୁ ସଂଖ୍ୟକ ନିଷ୍ଠାପର କର୍ମୀ ଆବଶ୍ୟକ ।

Image

 

୧୮-୧୧-୬୯

ମଙ୍ଗଳବାର

ଦେଶର ରାଜନୀତି

 

ତଳେ ତଳେ କେତେକ ଶିକ୍ଷିତ ଯୁବକ ସମାଜର ସର୍ବନିମ୍ନ ସ୍ତରରେ ପହୁଞ୍ଚି ହିଂସାତ୍ମକ ବିପ୍ଳବର ଯେଉଁ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି ସେ ସମ୍ବନ୍ଧରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଛି । ବର୍ତ୍ତମାନ ଉପରେ ଯେ ରାଜନୈତିକ ଅବସ୍ଥା ଉପୁଜିଛି, ସେଥିପ୍ରତି ମଧ୍ୟ ଜାଣିବା ଶୁଣିବା ଲୋକଙ୍କ ଦୃଷ୍ଟି ପଡ଼ିବା ଉଚିତ । ଗଣତନ୍ତ୍ର ପଦ୍ଧତିରେ ଶାସନର କର୍ତ୍ତୃତ୍ୱ ହାତକୁ ନେବାପାଇଁ ଚେଷ୍ଟା କରିବା ପ୍ରତ୍ୟେକ ଦଳର ସ୍ୱାଭାବିକ କାର୍ଯ୍ୟ । ସେଥିପାଇଁ ପ୍ରତ୍ୟେକ ଦଳ ଲୋକ ସମର୍ଥନ ପାଇବା ଚେଷ୍ଟା କରନ୍ତି । ଏକ ସମୟରେ କେହି କେହି ମନେ କରୁଥିଲେ ଯେ ଭାରତର ଲୋକେ ସାଧାରଣତଃ ଆଧୁନିକ ଶିକ୍ଷା ପାଇନଥିବାରୁ ସେମାନଙ୍କୁ ଏଣୁ ତେଣୁ ଭୁଲେଇ ସେମାନଙ୍କ ସମର୍ଥନ ଲାଭ କରିହେବ; କିନ୍ତୁ ଗତ ଚାରୋଟି ନିର୍ବାଚନରେ ଜଣାଗଲାଣି ଯେ ସାଧାରଣ ଭୋଟଦାତା ସ୍କୁଲ କଲେଜରେ ପଢ଼ି ନ ଥାଉ ପଛକେ ସେ କଥା ବୁଝିପାରେ ଓ ନିଜ ବିଚାର ଅନୁସାରେ ଭୋଟ ଦେଇପାରେ । ତଥାପି ସାଧାରଣ ଭୋଟଦାତାଙ୍କୁ ଭୁଲେଇବାର ଚେଷ୍ଟା ଯେ ବନ୍ଦ ହୋଇଯାଇଛି, ତାହା ନୁହେଁ । ତେଣୁ ସାଧାରଣ ଭୋଟଦାତା ଭଲ ଭାବରେ ଦେଶର ରାଜନୈତିକ ଅବସ୍ଥାକୁ ବୁଝି ତଦନୁସାରେ ମତ ଗଠନ କରିବା ଓ ପ୍ରକାଶ କରିବା ଉଚିତ ।

ଆଜି କଂଗ୍ରେସ ଭିତରେ ଯେଉଁ ଦଳାଦଳି ଲାଗିଛି, ତାହାହିଁ ସମସ୍ତଙ୍କ ଭିତରେ କଥାବାର୍ତ୍ତା ହେଉଥିବ । ଏ ଦଳାଦଳି ବାସ୍ତବିକ ଆରମ୍ଭ ହେଲା ତିନିବର୍ଷ ଆଗରୁ । ଏହା ପ୍ରକାଶ ପାଇଥିଲା ଗତ ନିର୍ବାଚନବେଳେ । ବହୁ ପୁରୁଣା କଂଗ୍ରେସ ଲୋକ ସେହି ସମୟରେ କଂଗ୍ରେସରୁ ଅଲଗା ହୋଇଯାଇଥିଲେ ଓ ଅନେକ ପ୍ରଦେଶରେ କଂଗ୍ରେସ ନିର୍ବାଚନରେ ସଂଖ୍ୟାଗରିଷ୍ଠତା ହାସଲ କରିପାରିଲାନାହିଁ । ଏତେ ବଡ଼ ବିପର୍ଯ୍ୟୟ ଘଟିଥିଲେ ମଧ୍ୟ ରାଜନୈତିକ ଦଳମାନେ ବିଶେଷତଃ କଂଗ୍ରେସ ଦଳ ଅବସ୍ଥାର ବିଶ୍ଳେଷଣ କରି ଗତ ନିର୍ବାଚନରୁ କିଛି ହେଲେ ଶିକ୍ଷା କଲେନାହିଁ । ମୋର ମନେହେଉଛି ଏକମାତ୍ର ବାମପନ୍ଥୀ କମ୍ୟୁନିଷ୍ଟ ଦଳ ସେଥିରୁ କିଛି ଶିକ୍ଷାକରି ସେମାନେ ନିଜ ବାଟରେ ଆଗେଇଲେ । ଅନ୍ୟମାନେ ପୁଣି ପୂର୍ବେ ସ୍ଥାନକୁ ଫେରିଯାଇ ପୂର୍ବପରି ଚାଲିଲେ । ଯେପରି କିଛି କୁଆଡ଼େ ହୋଇନାହିଁ । ଏଠି ମନେପକାଇବାର କଥା ୧୯୬୬ରେ କାହିଁକି ଅନେକ ପ୍ରଦେଶରେ ବହୁ ପୁରୁଣା ଲୋକ କଂଗ୍ରେସ ଛାଡ଼ିଲେ । ବାସ୍ତବିକ ୧୯୬୪ ସାଲରେ କାମରାଜ କଂଗ୍ରେସ ସଭାପତି ହୋଇ ଅନୁଷ୍ଠାନର ଦାୟିତ୍ୱ ନେବା ଦିନଠାରୁ କଂଗ୍ରେସର ରୂପ ବଦଳିବାକୁ ଆରମ୍ଭ କଲାଣି । ଜବାହରଲାଲଜୀଙ୍କ ମୃତ୍ୟୁ ଘଟିଲା । ଲାଲବାହାଦୂର ଶାସ୍ତ୍ରୀ ମଧ୍ୟ ବେଶି ଦିନ ରହିଲେନାହିଁ । ଗାନ୍ଧିନୀତିର ଆବରଣରେ କାମରାଜ ଯୋଜନା ନାମରେ ଯେଉଁ ବିରାଟ ରାଜନୈତିକ ଷଡ଼ଯନ୍ତ୍ର ଆଖି ଆଗରେ ନିଃସଙ୍କୋଚରେ କାର୍ଯ୍ୟରେ ପରିଣତ ହେଲା, ସେଥିରେ କାମରାଜ ନିଜକୁ ଏକଚ୍ଛତ୍ରାଧିପତି ଭାବି କଂଗ୍ରେସକୁ ଚଳାଇଲେ । କେହି ବିଶ୍ୱାସ କରିବେନି ଯେ ଭାରତ ପରି ବିଶାଳ ଦେଶରେ କଂଗ୍ରେସ ପରି ଏକ ବିଶାଳ ରାଜନୈତିକ ସଂସ୍ଥାରେ ବର୍ଷ ବର୍ଷ କାଳ ସାଧାରଣ ସମ୍ପାଦନ ନ ଥାଇ କେବଳ ସଭାପତି କାମରାଜ ସନ୍ଧ୍ୟାବେଳେ ପ୍ରେସକନ୍‍ଫରେନ୍‌ସରେ କଂଗ୍ରେସ ଭିତରର ଆପତ୍ତି ଅଭିଯୋଗର ସବୁ ଫଏସଲା କରିବାରେ ଲାଗିଲେ ! ଗଦା ଗଦା ଚିଠି ନିଖିଳ ଭାରତ କଂଗ୍ରେସ କମିଟି ଅଫିସରେ ଜମାହୋଇ ପଡ଼ିଥାଏ । କେହି ଖୋଲନ୍ତି ନାହିଁ କି ପଢ଼ନ୍ତି ନାହିଁ । ସେହି ସମୟରୁ କଂଗ୍ରେସକୁ ତିନି ଚାରିଜଣ ମାତ୍ର ହାତ ମୁଠାରେ ରଖି ଏପରି ଏକ ଅବସ୍ଥା ସୃଷ୍ଟି କରିଦେଲେ, ଯେଉଁଥିରେ ବହୁ ବିଶିଷ୍ଟ ବ୍ୟକ୍ତି ତ୍ରାହି ତ୍ରାହି ଡାକ ଛାଡ଼ିଲେ । ସେ ସମୟରେ ଭାଗବତରେ ଯେଉଁ ପଦ ଅଛି ‘‘ନୀଚେ ପାଇଣ ଅଧିକାର, ଋଷିଙ୍କୁ ବୁହାଇଲେ ଭାର’’ କେବଳ ଓଡ଼ିଶାରେ ନୁହେଁ ବହୁ ପ୍ରଦେଶରେ ବିଶେଷତଃ ପଶ୍ଚିମବଙ୍ଗରେ ବହୁ ବିଶିଷ୍ଟ ଲୋକଙ୍କ ମନରେ ଉଠିଲା । ଫଳରେ କାମରାଜ ନିଜେ ଗଲେ, ତାଙ୍କ ସାଙ୍ଗପାଙ୍ଗ ଗଲେ ଓ କଂଗ୍ରେସ ମଧ୍ୟ ବହୁ ପ୍ରଦେଶରୁ ଗଲା । ସେଥିରୁ ଭଲା କେହି କିଛି ଜାଣିଲେ ବା ଶିଖିଲେ ତାହା ହେଲା ନାହିଁ । ପୁଣି ସେହିପରି ପଛଆଡ଼ୁ କଳ ମୋଡ଼ିବା ଚାଲିଛି । ସାମନାସାମନି ନିର୍ବାଚନରେ, ସାଧାରଣ ନିର୍ବାଚନରେ ବା ଦଳ ଭିତରେ, ନିର୍ବାଚନରେ ନ ପାରି, ପଛଆଡ଼ୁ ଚାବି ମୋଡ଼ିବା ହିଁ ହେଲା କଂଗ୍ରେସର କର୍ମକୌଶଳ । ଏହିପରି ହିନ୍ଦୁ ସମାଜରେ ଜାତିପ୍ରଥା ହେତୁ ଦିନେ ବିଭ୍ରାନ୍ତି ହୋଇ ଯାଇଥିଲା । ମୁକ୍ତିମଣ୍ଡପରୁ ଆଜ୍ଞା ପତ୍ରିକା ବାହାରି ଗାଁରେ ଯେ କି ବିଭ୍ରାଟ ଦିନେ ସୃଷ୍ଟି କରୁଥିଲା, ଆଜି ତାହା ଅନେକେ କଳ୍ପନା କରିପାରିବେ ନାହିଁ । କଥା କଥାକେ ଜାତିରୁ ଅଟକ ଯେପରି ହିନ୍ଦୁ ସମାଜରେ ଦିନେ ଚାଲିଥିଲା, କଂଗ୍ରେସରେ ସେହିପରି କଥା କଥାକେ କଂଗ୍ରେସରୁ ବହିଷ୍କାର ଚାଲିଲା । ପ୍ରଦେଶମାନଙ୍କର କଂଗ୍ରେସ ଦଳକୁ ନ ପଚାରି ମାତ୍ର ତିନିଜଣ ଲୋକ ଭାରତର ରାଷ୍ଟ୍ରପତି ପଦ ପାଇଁ ସଞ୍ଜୀବ ରେଡ଼ିଙ୍କୁ ବାଛିଲେ । ଏପରି କେବେ ପୂର୍ବରୁ କଂଗ୍ରେସରେ ହୋଇ ନଥିଲା । ଏ ପ୍ରକାର ଆଜ୍ଞା ପତ୍ରିକାକୁ କେହି ମାନିଲେ ନାହିଁ । ସେହିପରି ପୁଣି ହୋଇଛି ମାତ୍ର ନଅଜଣ ଲୋକ ବସି ପ୍ରଧାନମନ୍ତ୍ରୀଙ୍କୁ କଂଗ୍ରେସରୁ ବାହାର କରି ଦେଇଛନ୍ତି । ଏପରି ପୂର୍ବେ କେବେ ହୋଇନାହିଁ । ପୂର୍ବେ ବମ୍ବେର ନରିମେନ, ମଧ୍ୟପ୍ରଦେଶର ଖାରେ ଓ ବଙ୍ଗଦେଶର ସୁଭାଷବାବୁ ପ୍ରଭୃତିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହୋଇଛି; ମାତ୍ର ତାହା ବହୁବ୍ୟକ୍ତିଙ୍କ ମଧ୍ୟେ ବହୁ ଆଲୋଚନା ପରେ ହୋଇଛି । କୋଠରୀ ଭିତରେ ବସି ଆଜ୍ଞା ପତ୍ରିକା ଜାରି କରି ଭାରତ ପରି ଦେଶକୁ ଚଳାଇବାର ପ୍ରୟାସ ରାଜନୀତି କ୍ଷେତ୍ରରେ ଚରମ ଧୃଷ୍ଟତା ସିନା ଅନ୍ୟ କିଛି ନୁହେଁ । ଏହାରି ବିରୋଧ ଚାଲିଛି । ସମାଜବାଦ ଓ ପୁଞ୍ଜିବାଦର ଯେଉଁ ଧ୍ୱନି ସେ ଯେତେ ଗୁରୁତ୍ୱପୂର୍ଣ୍ଣ ନୁହେଁ, ବେଶି ଗୁରୁତ୍ୱପୂର୍ଣ୍ଣ ହେଉଛି, ଜାତିପ୍ରଥା ଅନୁସାରେ ରାଜନୀତି ଚାଲିବ ନାଁ ଖୋଲାଖୋଲି ଭାବରେ ଆଲୋଚନା ହୋଇ ସବୁ କାର୍ଯ୍ୟ ଚାଲିବ– ଏହି ହେଉଛି ରାଜନୈତିକ ବିକାଶ ଦିଗରେ ଏକ ବିରାଟ ପ୍ରଶ୍ନ ।

ଆମେରିକାରେ ଜୋନ୍‌ସନ୍‌ଙ୍କୁ ରବର୍ଟ କେନେଡ଼ି ଯେତେବେଳେ ପ୍ରତିଦ୍ୱନ୍ଦ୍ୱୀ ହେଲେ, ସେତେବେଳେ କେହି କାହାରିକୁ ଡେମୋକ୍ରେଟିକ୍‌ ଦଳରୁ ବାହାର କରିଦେବା କଥା ଚିନ୍ତା କଲେନାହିଁ । ଆଜି ବିଲାତର ପ୍ରଧାନମନ୍ତ୍ରୀଙ୍କ ଦଳ ଭିତରେ ଯେଉଁ ଉତ୍କଟ ମତଭେଦ ଘଟିଛି, ସେଥିରେ କେହି କାହାରିକୁ ଦଳ ଭିତରୁ ବାହାର କରିଦେବା କଥା ତ କହୁନାହାନ୍ତି । ନରିମେନ, ଖାରେ ପ୍ରଭୃତିଙ୍କୁ ଦଳରୁ ତ ବାହାର କରି ଦିଆଯାଇ ନଥିଲା । କଂଗ୍ରେସ କାର୍ଯ୍ୟନିର୍ବାହିକା ସମିତି ପ୍ରଧାନମନ୍ତ୍ରୀଙ୍କୁ ପାର୍ଲାମେଣ୍ଟ କଂଗ୍ରେସ ଦଳର ଆସ୍ଥାଭାଜନ ସୂଚକ ପ୍ରସ୍ତାବ ଆଉ ଥରେ ଗ୍ରହଣ କରିବାପାଇଁ ନିର୍ଦ୍ଦେଶ ଦେବା ଯୁକ୍ତିଯୁକ୍ତ; କିନ୍ତୁ କଂଗ୍ରେସ ଦଳ ଭିତରେ ଅଧିକାଂଶ ପ୍ରଧାନମନ୍ତ୍ରୀଙ୍କୁ ସମର୍ଥନ କରୁଥିବା ଜାଣିଥିବାରୁ ‘‘ମୁଳୁ ମାଇଲେ ଯିବ ଶଳ, ଦେବଙ୍କ ସଙ୍ଗେ କିମ୍ପା ଗୋଳ’’ ନୀତି ମୂଳରୁ ପ୍ରଧାନମନ୍ତ୍ରୀଙ୍କୁ କଂଗ୍ରେସରୁ ବାହାର କରିଦେଲେ । ଏ ପ୍ରକାର ‘‘ଆଜ୍ଞା ପତ୍ରିକା ନୀତି’’ ଯେ କୌଣସି ଜାଗ୍ରତ ସମାଜରେ ଚାଲିପାରିବ ନାହିଁ । ଏହାର ତୀବ୍ର ବିରୋଧ ହେଉଛି ଓ ଆହୁରି ବେଶି ହେବା ଉଚିତ । କମ୍ୟୁନିଷ୍ଟ ଦେଶ ରୁଷିଆରେ କୁଶ୍ଚେଭଙ୍କୁ ଯେତେବେଳେ ବିଦାୟ ଦିଆଗଲା ତାହା ପୂର୍ବରୁ ମାସ ମାସ ଆଲୋଚନା ଚାଲିଥିଲା । ଅଧୁନା ଚେକୋସ୍ଲୋଭାକିଆରେ ଯେଉଁ ପରିବର୍ତ୍ତନ ଘଟିଲା, ତାହା ପ୍ରାୟ ବର୍ଷକ ଆଲୋଚନା ପରେ । ଭାରତରେ ଅଜ୍ଞ ଆଦିବାସୀ ଅଛନ୍ତି ସତ ମାତ୍ର ଭାରତ ଅଜ୍ଞ ଆଦିବାସୀ ଦେଶ ନୁହେଁ ।

ବର୍ତ୍ତମାନ ପର୍ଯ୍ୟନ୍ତ ଏତିକି ରାଜନୀତି କ୍ଷେତ୍ରରେ ଲକ୍ଷ୍ୟ କରିବାର କଥା । କି ନୀତି ବାହାରିବ ସେ ବିଷୟ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ଜଣାନାହିଁ । ଆଗେ ଜାତିଆଣ ପ୍ରଥାରୁ ବାହାରି ଆସିଲେ ତେଣିକି ନୀତି ଓ କାର୍ଯ୍ୟକ୍ରମ ଆଲୋଚନା କରିବାର ସମୟ ଆସିବ ।

Image

 

୧୯-୧୧-୬୯

ବୁଧବାର

 

(ଦୁଇ)

 

ପ୍ରତ୍ୟେକ ଦେଶର ରାଜନୀତି କାଳକ୍ରମେ ଏକ ନିର୍ଦ୍ଦିଷ୍ଟ ଛାଞ୍ଚରେ ଚାଲେ । ଅବସ୍ଥା ଅନୁସାରେ ସେ ଛାଞ୍ଚର ଆଭ୍ୟନ୍ତରୀଣ ପରିବର୍ତ୍ତନ ହୋଇ ଚାଲିଥାଏ; କିନ୍ତୁ ଏପରି ସମୟ ଆସେ, ଯେତେବେଳେ ସେ ଛାଞ୍ଚକୁ ପରିବର୍ତ୍ତିତ ଅବସ୍ଥା ବରଦାସ୍ତ କରିପାରେ ନାହିଁ । ଫଳରେ ଏକ ରାଜନୈତିକ ବିଭ୍ରାଟ ଘଟେ ଓ ଛାଞ୍ଚ ବଦଳିଯାଏ । ଇଂଲଣ୍ଡରେ ଆଜିର ଗଣତନ୍ତ୍ର ଯେଉଁ ପରିବର୍ତ୍ତନ ଭିତରେ ଆସି ବର୍ତ୍ତମାନର ରୂପ ନେଇଛି, ସେଥିରୁ ଜଣାଯିବ କିପରି ଏକ ଛାଞ୍ଚ କ୍ରମେ ବଦଳି ବଦଳି ଯାଏ । ଯେଉଁଠି ଛାଞ୍ଚ ବଦଳିଲା ନାହିଁ ଯଥା– ରୁଷିଆରେ, ସେଠି ଭାଙ୍ଗିରୁଜି ଏକ ନୂଆ ଛାଞ୍ଚ ସୃଷ୍ଟି ହେଲା । ଭାରତରେ ଗତ ପଚାଶବର୍ଷ ହେଲା କଂଗ୍ରେସ ଥିଲା ରାଜନୈତିକ ଛାଞ୍ଚ, ଯାହାକୁ ଅନ୍ୟ ସବୁ ଦଳ ଊଣା ଅଧିକେ ଅନୁକରଣ କରୁଥିଲେ । ପାର୍ଲାମେଣ୍ଟାରୀ ଅଙ୍ଗ ଓ ସାଙ୍ଗଠନିକ ଅଙ୍ଗ– ଏପରି ଦୁଇ ଅଙ୍ଗବିଶିଷ୍ଟ ପ୍ରଥା ଯେପରି ଭାରତରେ ସବୁ ଦଳରେ ଅଛି ସେପରି ଅନ୍ୟତ୍ର ନାହିଁ । ଏହାର ଉତ୍ପତ୍ତି ହେଲା ସେହି ପରିସ୍ଥିତିରେ, ଯେତେବେଳେ କଂଗ୍ରେସ ବ୍ୟବସ୍ଥାସଭାରେ ସରକାରଙ୍କ ବିରୁଦ୍ଧ ଦଳ ଭାବରେ ଯୋଗଦେଇ ତେଣେ ଆନ୍ଦୋଳନ ପାଇଁ ଲୋକଙ୍କ ଭିତରେ ସଙ୍ଗଠନ କରୁଥିଲା । ସେ ଅବସ୍ଥା ସଂପୂର୍ଣ୍ଣ ବଦଳି ଗଲାଣି । ତଥାପି ସେ ଛାଞ୍ଚ ବଦଳୁନାହିଁ । ଫଳରେ ବିସ୍ଫୋରଣ ହେବ ଏଥିରେ ସନ୍ଦେହ ନାହିଁ । ପରିବର୍ତ୍ତିତ ପରିସ୍ଥିତିରେ କିପରି ସେ ଛାଞ୍ଚ ହାସ୍ୟାସ୍ପଦ ପରିସ୍ଥିତି ସୃଷ୍ଟି କରୁଛି ଦେଖନ୍ତୁ । ମୋରାରଜୀ ଦେଶାଇ ପ୍ରଧାନମନ୍ତ୍ରୀ ପଦପାଇଁ ଇନ୍ଦିରା ଗାନ୍ଧିଙ୍କ ସହ ଦଳ ଭିତରେ ପ୍ରତିଦ୍ୱନ୍ଦ୍ୱିତା କରି ହାରିଗଲେ । ପୁଣି କଂଗ୍ରେସ କାର୍ଯ୍ୟ ନିର୍ବାହିକା ସମିତିରେ ସେ ଇନ୍ଦିରା ଗାନ୍ଧିଙ୍କୁ କଂଗ୍ରେସରୁ ବାହାର କରିବାରେ ନେତୃତ୍ୱ ନେଲେ । ଅତୁଲ୍ୟ ଘୋଷ ନିର୍ବାଚନରେ ଯେ ନିଜେ ହାରିଛନ୍ତି ତାହା ନୁହେଁ, ତାଙ୍କର ଗୋଷ୍ଠୀ ପରାଜିତ ହେଲେ । ମାତ୍ର କଂଗ୍ରେସ କାର୍ଯ୍ୟ ନିର୍ବାହିକା ସମିତିରେ ଜଣେ ପ୍ରଧାନ କର୍ତ୍ତା ହୋଇ ପଶ୍ଚିମବଙ୍ଗର ନିର୍ବାଚିତ କଂଗ୍ରେସ ଦଳକୁ ପରିଚାଳନା କରିବା ପାଇଁ ଚେଷ୍ଟା କରୁଛନ୍ତି । ସର୍ବତ୍ର ଦେଖାଯିବ ଯେ ନିର୍ବାଚନରେ ଯେତେ କମ୍‌ ଭୋଟ ପାଇଛନ୍ତି, ସେ କଂଗ୍ରେସ ସଙ୍ଗଠନ ଭିତରେ ସେତେ ବଡ଼ ନେତା ବୋଲାଉଛନ୍ତି । ଏହି ଅବସ୍ଥାରେ ଭାରତର ରାଜନୀତି ଗତ ଦଶବର୍ଷ ହେଲା ଏକ ଅଚଳ, ସ୍ଥାଣୁ ଅବସ୍ଥାକୁ ଆସିଯାଇଛି । ଆଜି ନୁହେଁ ୧୯୬୩ ସାଲରେ ଦିଲ୍ଲୀଠାରେ ଅନୁଷ୍ଠିତ ଏକ ଆଲୋଚନା ଚକ୍ରରେ ବିଭିନ୍ନ ଦିଗ ଆଲୋଚନା କରି ଏହି ସିଦ୍ଧାନ୍ତରେ ବହୁ ଭାରତୀୟ ଓ ବୈଦେଶିକ ବିଜ୍ଞବ୍ୟକ୍ତି ଉପନୀତ ହେଲେ ଯେ ଗାନ୍ଧିଜୀ ଭାରତୀୟ ରାଜନୀତିକୁ ଯେଉଁ ବେଗ ପ୍ରଦାନ କରିଥିଲେ, ତାହା କ୍ରମେ କ୍ରମେ କମି ପ୍ରାୟ ଶୂନ୍ୟ ହୋଇଗଲାଣି । ପୁଣି ନୂତନ ବେଗ ଦେବା ଆବଶ୍ୟକ ହେଉଛି । ସେତେବେଳେ ଜବାହରଲାଲ ନେହେରୁ ଜୀବିତ ଥିଲେ । ସେ ମଧ୍ୟ ଉପଲବ୍‌ଧି କରିଥିଲେ ଯେ ଗାଡ଼ିରୁ ପେଟ୍ରୋଲ ସରିଗଲାଣି; ମାତ୍ର ସେ ନିଜେ କିଛି କରିପାରୁ ନ ଥିଲେ । ୧୯୬୭ ନିର୍ବାଚନରେ ଦେଖାଗଲା ଯେ ଦେଶ ଆଉ ସେହି ପୁରୁଣା ଛାଞ୍ଚକୁ ଧରି ଚାଲିବା ପାଇଁ ପ୍ରସ୍ତୁତ ନୁହେଁ । ତଥାପି କେତେକ ତାହାକୁ ହିଁ ମାଡ଼ିବସି ରଖିବା ପାଇଁ ଚାହାନ୍ତି । ଫଳରେ ସଂଘର୍ଷ ଓ ଛାଞ୍ଚଟି ସଂପୂର୍ଣ୍ଣ ନଷ୍ଟ ହୋଇଯିବାର ସମ୍ଭାବନା ଅଛି ।

 

ଆଜି କଂଗ୍ରେସ ଭିତରେ ଯେଉଁ ସଂଘର୍ଷ ଚାଲିଛି ତାକୁ ଅନ୍ୟ ଦେଶମାନଙ୍କରେ କିପରି ବିଚାର କରୁଚନ୍ତି, ତାହା ଜାଣିବାର କଥା । ଭାରତୀୟ ରାଜନୀତିରେ ଜୀବନ ସଞ୍ଚାର ହେବାର ଦେଖି ରୁଷିଆ ଓ ଆମେରିକା ଉଭୟ ଆନନ୍ଦିତ; ଏଥିରେ ସମାଜବାଦ ପୁଞ୍ଜିବାଦର ପ୍ରଶ୍ନ ନାହଁ । ରାଜନୀତି ଗତିଶୀଳ ହେବ କି ସ୍ଥାଣୁ ହୋଇ ରହିବ ଏହି ହେଉଛି ପ୍ରଶ୍ନ ଓ ଏହାରି ଉପରେ ନିର୍ଭର କରେ ଭାରତର ସାମୂହିକ ବିକାଶ । ଏହି କଂଗ୍ରେସ ବର୍ତ୍ତମାନ ପରିସ୍ଥିତିରେ ଦେଶର ରାଜନୈତିକ ଆକାଙ୍‌କ୍ଷା ପୂରଣ କରି ପାରିବ ନାହିଁ ଓ କଅଣ କଲେ ତାହା ହୋଇପାରିବ ସେ ବିଷୟରେ ୧୯୬୩ରେ ଜବାହରଲାଲଜୀଙ୍କ ସହିତ ମୋର ଯେଉଁ ଆଲୋଚନା ଓ ଚିଠିପତ୍ର ଦିଆନିଆ ହୋଇଥିଲା ତାହାର ସାରାଂଶ ଏହି–

 

ଅଭ୍ୟାସ କରି ଖଦି ପିନ୍ଧିବା, ମାଦକ ଦ୍ରବ୍ୟ ବ୍ୟବହାର ନ କରିବା, ଅସ୍ପୃଶ୍ୟତାକୁ ନ ମାନିବା, ସାଂପ୍ରଦାୟିକତାଠାରୁ ଦୂରରେ ରହିବା, ଏହି ହେଉଛି କଂଗ୍ରେସର ସକ୍ରିୟ ସଭ୍ୟ ହେବାର ନିୟମ । ଏ ନିୟମ ପ୍ରଣୀତ ହୋଇଥିଲା ୧୯୨୧ ସାଲରେ ଅସହଯୋଗ ଆନ୍ଦୋଳନବେଳେ । ବର୍ତ୍ତମାନ ଦେଶ ସ୍ୱାଧୀନ । କଂଗ୍ରେସର କାର୍ଯ୍ୟକ୍ରମ ହେଉ ଗଣତନ୍ତ୍ର ଓ ସମାଜବାଦ । ଏ ଦୁଇଟିରେ ବିଶ୍ୱାସ କରୁଥିବାର ପ୍ରମାଣ ନିଜ ଆଚରଣରେ ନେବାପାଇଁ କିଛି ନିୟମ ନ ରହିଲେ କଂଗ୍ରେସରେ ସୁବିଧାବାଦୀ ଲୋକେ ତ ପ୍ରଧାନ ହୋଇଯିବେ । ଏ ଯୁକ୍ତି ଜବାହରଲାଲଜୀ ଗ୍ରହଣ କରି ମୋତେ କହିଥିଲେ କଂଗ୍ରେସ ସଂବିଧାନର ସଂଶୋଧନ ଚିଠା କରିବା ପାଇଁ । ଏଥିପାଇଁ ବହୁ ପରିଶ୍ରମ କରି ବ୍ରିଟିଶ ଏବଂ ଅନ୍ୟ ଦେଶର ଲେବର ପାର୍ଟିର ଓ ଅନ୍ୟାନ୍ୟ ସମାଜବାଦୀ ଦଳମାନଙ୍କର ସମ୍ବିଧାନ ଅଧ୍ୟୟନ କରି ଭାରତୀୟ ପରିସ୍ଥିତିକୁ ବିଚାର କରି କଂଗ୍ରେସର ପରିବର୍ତ୍ତିତ ସମ୍ବିଧାନର ଏକ ଚିଠା କରିଥିଲି । ସେଥିରେ ସଭ୍ୟ ହେବା ପାଇଁ ଦୁଇଟି ସର୍ତ୍ତ ଯୋଗ କରିଥିଲି । (୧) ନିଜ ଅଧୀନରେ କାର୍ଯ୍ୟ କରୁଥିବା ଲୋକ ଓ ମୋ ନିଜ ମଧ୍ୟରେ ସାମାଜିକ କ୍ଷେତ୍ରରେ କୌଣସି ଭେଦଜ୍ଞାନ ରଖିବି ନାହିଁ ଓ (୨) ଶିଳ୍ପକ୍ଷେତ୍ରରେ ମୁଁ ଅନୁପାର୍ଜ୍ଜିତ ଆୟ ଭୋଗ କରେନାହିଁ । କୃଷି କ୍ଷେତ୍ରରେ ମୋର ଅନୁପାର୍ଜ୍ଜିତ ଆୟ ବର୍ଷକୁ ପାଞ୍ଚହଜାର ଟଙ୍କାଠାରୁ ବେଶି ନୁହେଁ । ପ୍ରଥମଟି ହେଉଛି ଗାଣତାନ୍ତ୍ରିକ ପଦ୍ଧତିରେ ବିଶ୍ୱାସ ଓ ଦ୍ୱିତୀୟଟି ହେଉଛି ସମାଜବାଦରେ ବିଶ୍ୱାସର ପ୍ରମାଣ । ଏ ସଂଶୋଧନକୁ ସମସ୍ତେ ପସନ୍ଦ କଲେ । ଜବାହରଲାଲଜୀ ମଧ୍ୟ ପସନ୍ଦ କଲେ; ମାତ୍ର ଏହାକୁ କଂଗ୍ରେସ ଭିତରେ ଗ୍ରହଣ କରିବା ସମ୍ଭବ ନୁହେଁ ବୋଲି ସେ ଆଶଙ୍କା କରିଥିଲେ । ସେ କହିଥିଲେ ‘ଯେଉଁଠି ହାଡ଼ ଭାଙ୍ଗିଗଲାଣି, ସେଠି ତୁମେ ମଲମ ଲଗାଇ ହାଡ଼କୁ ଯୋଡ଼ିପାରିବ ?’ ଏହାର ପରିଣାମ କଂଗ୍ରେସ ଭାଙ୍ଗି ଛତୁ ହୋଇଯିବ– ଏହା ମଧ୍ୟ ସେହି ସମୟରୁ ଚିନ୍ତାଶୀଳ ବ୍ୟକ୍ତିମାନେ ଜାଣି ପାରିଥିଲେ ।

 

ଆଜି ତାହା ହିଁ ଘଟିଛି ଓ ଆହୁରି ଘଟିବ । ଏଥିରେ ବିଚଳିତ ହେବାର କିଛି ନାହିଁ । ବର୍ଷା ଟିକିଏ ଡେରି ହେଲେ ସାଧାରଣ ଚାଷୀ ଯେପରି ହା’ ହତାଶ ହୋଇପଡ଼େ, ପୁଣି ବର୍ଷା ହେଲେ ସବୁ ଭୁଲିଯାଏ, ସେହିପରି ରାଜନୀତି କ୍ଷେତ୍ରରେ ସଂଘର୍ଷ ହେଲେ କେତେକ ପ୍ରମାଦ ଗଣନ୍ତି, ପୁଣି ପରେ ସବୁ ଠିକଠାକ ହୋଇଗଲେ ଆଶ୍ୱସ୍ତ ହୁଅନ୍ତି ।

 

ସଂଘର୍ଷ ଅନିବାର୍ଯ୍ୟ ଓ ଏହାର ଫଳାଫଳ ନିର୍ଭର କରିବ ସାଧାରଣ ଜନତାର କର୍ତ୍ତବ୍ୟଜ୍ଞାନ ଉପରେ ।

 

୨୦-୧୧-୧୯୬୯

ଗୁରୁବାର

 

(ତିନି)

 

ଉପରେ ରାଜନୀତି କ୍ଷେତ୍ରରେ ଗଣ୍ଡଗୋଳ ଓ ତଳେ ହିଂସାତ୍ମକ କାର୍ଯ୍ୟକ୍ରମର ପ୍ରଚାର ଏଥିରେ ସାଧାରଣ ଲୋକ ଜଣେ କଅଣ କରିବ, ଏ ପ୍ରଶ୍ନ ଅନେକଙ୍କ ମନରେ ଉଠୁଥିବ । ବାସ୍ତବିକ ଏ ଏକ ସଂକଟର ସମୟ । ସ୍ୱାଧୀନତା ପରେ ପରେ ବିରାଟ ଯୋଜନାମାନ ଆରମ୍ଭ କରାହୋଇ ଦେଶରେ ଏକ ଧାରଣା ଓ ବିଶ୍ୱାସ ସୃଷ୍ଟିକରି ଦିଆହେଲା ଯେ ସବୁ ହୋଇଗଲା– ଆଉ ପରିଶ୍ରମ ଓ କଷ୍ଟ ସହିବାର ଦରକାର ନାହିଁ, କେବଳ ଆରାମରେ ରହିବାକୁ ହେବ । ଆୟକୁ ନ ଚାହିଁ ବ୍ୟୟ ସମସ୍ତେ ବଢ଼ାଇବାରେ ଲାଗିଲେ । ଉପର ଶ୍ରେଣୀର ଲୋକଙ୍କ ପ୍ରଧାନ ଆୟ ହେଲା, ଯୋଜନାବାବଦ ଯେଉଁ ଅଜସ୍ର ଟଙ୍କା ଖର୍ଚ୍ଚ ହେଉଛି, ସେଥିରୁ ଯେତେଦୂର ହୋଇପାରେ ନିଜସ୍ୱ କରିବା । ଏମାନେ ଏହିପରି ଭାବରେ ଯୋଜନାରୁ ଆୟକରି ଯେପରି ଚଳିଲେ, ସେଥିରେ ଜିନିଷପତ୍ର କାରବାର ହୋଇ ବ୍ୟବସାୟପତ୍ର ଭଲ ଚାଲିଲା । ସେ ସୂତ୍ରରେ ମଧ୍ୟ ବ୍ୟବସାୟୀମାନେ ଲାଭବାନ ହେଲେ; କିନ୍ତୁ ଯେଉଁମାନଙ୍କ ପାଇଁ ଯୋଜନା ହୋଇଥିଲା, ସେମାନେ ଶୂନ୍ୟକୁ ଅନାଇଁ ରହିଗଲେ । ଅଥଚ ଆଶାରେ ଖର୍ଚ୍ଚ ବଢ଼ାଇ ଦେଇ ସାରିଛନ୍ତି । ‘‘ବସି ଖାଇଲେ ନଈବାଲି ସରେ ।’’ ପରିଶ୍ରମ ନ କରି ଯୋଜନା ଟଙ୍କାକୁ ଖର୍ଚ୍ଚ କରିବା ଫଳରେ ଯୋଜନା ଟଙ୍କା ମଧ୍ୟ ସରିଲା । ଯେଉଁମାନେ ଯୋଜନା ଟଙ୍କାକୁ ନିଜସ୍ୱ କରୁଥିଲେ, ସେମାନେ ପାଟିକରୁଛନ୍ତି ଯୋଜନା କାହିଁକି ବନ୍ଦହେଲା । ଯେଉଁମାନେ ବ୍ୟବସାୟୀ ସେମାନେ ପାଟିକରୁଛନ୍ତି ସେମାନଙ୍କ କାରବାର ମାନ୍ଦା । ସାଧାରଣ ଲୋକେ ଉପରେ ଦିନଦିପହର ଖରା ଓ ତଳେ ତତଲା ନଈବାଲି ଏହି ଅବସ୍ଥାରେ ପଡ଼ିଛନ୍ତି । ପାଠପଢ଼ି ଜୀବିକା ଅର୍ଜ୍ଜନ କରିବାର ଆଶା ଲୋପ ପାଇବାକୁ ବସିଲାଣି । ନିମ୍ନମଧ୍ୟବିତ୍ତ ଶ୍ରେଣୀର ଲୋକେ ଆସି ଉପାସରେ ରହିବା ଅବସ୍ଥାରେ ପହଞ୍ଚିଲେଣି । ମେଟ୍ରିକ୍ୟୁଲେସନ ପାସଠାରୁ ଆରମ୍ଭ କରି ଏମ: ଏ; ଇଂଜିନିଅରିଙ୍ଗ ପର୍ଯ୍ୟନ୍ତ ଏପରି ଦୂରବସ୍ଥାର ସମ୍ମୁଖୀନ ହୋଇଛନ୍ତି ଯେ ସେଥିରେ କେହି କଅଣ କେଉଁଠି କି ରାଜନୀତି ଚାଲିଛି ସେ ଖବର ସୁଦ୍ଧା ରଖିବା ପାଇଁ ସେମାନଙ୍କର ସ୍ପୃହା ନାହିଁ । ଏମାନଙ୍କ ପାଇଁ ରାଜନୀତି କହିଲେ ବୁଝାଏ ଜୀବିକା ଅର୍ଜ୍ଜନର ବ୍ୟବସ୍ଥା-। ପୂର୍ବେ ଯେପରି ବଡ଼ ବଡ଼ କଥା କୁହା ହେଉଥିଲା । ଶହଶହ କୋଟିର ଯୋଜନା ସେସବୁ ଆଜି ବାହାପିଆ କଥା ବୋଲି ଲୋକେ ବୁଝିଲେଣି । ଏହି ଦୂରବସ୍ଥାରେ ଯେ ଗାଡ଼ି ଅଟକିଛି, ସେଥିରୁ ତାକୁ ଠେଲି ବାହାର କରିଦେବାକୁ ହେବ । ଏହା କରିପାରିବ ନୂତନ ନେତୃତ୍ୱ ଓ ନୂତନ କର୍ମପ୍ରେରଣା । ମାରପେଞ୍ଚ କରି ସତରଞ୍ଜ ଖେଳରେ ଗୋଟି ଚଳାଇ ଯେଉଁମାନେ ରାଜନୀତିରେ କିସ୍ତିମାତ୍‌ ଏକ ସମୟରେ କରିଥିଲେ, ସେମାନେ ପୁଣି ସେହି ଖେଳରେ ଲାଗିଛନ୍ତି-। ସେମାନଙ୍କୁ ଠେଲି ବାହାର ନ କରିଦେଲେ ନୂତନ ଅବସ୍ଥା ସୃଷ୍ଟି କରିବା ସମ୍ଭବ ନୁହେଁ ।

 

ନୂତନ ଅବସ୍ଥାର ରୂପରେଖ କଅଣ ହେବ, ତାହା ନିର୍ଭର କରିବ ନୂତନ ନେତୃତ୍ୱ ଉପରେ । ସେ ନୂତନ ନେତୃତ୍ୱର ସ୍ୱରୂପ କଅଣ ଏହା ମଧ୍ୟ ଜଣାନାହିଁ; କିନ୍ତୁ ଏତିକି ସ୍ପଷ୍ଟ ଯେ ବର୍ତ୍ତମାନ ଅବସ୍ଥାର ପରିବର୍ତ୍ତନ ଆବଶ୍ୟକ । ସେହି ଦୃଷ୍ଟିରେ ରାଜନୀତି କ୍ଷେତ୍ରରେ ଯେଉଁ ସଂଘର୍ଷ ବର୍ତ୍ତମାନ ଚାଲିଛି ତାହା ଜନସାଧାଣଙ୍କ ପକ୍ଷରୁ ଅଭିନନ୍ଦନୀୟ । ଏହି ସଂଘର୍ଷ ସମୟରେ ଏକ କୌତୂହଳଜନକ ମନୋବୃତ୍ତି ପ୍ରତି ସଜାଗ ରହିବାକୁ ହେବ । ସେ ମନୋବୃତ୍ତିଟି ଥରେ ବିଲାତର ଶ୍ରମଜୀବୀ ଦଳର ବାମପନ୍ଥୀ ନେତା ବେଉନ୍‌ ଦିଲ୍ଲୀରେ କହିଥିଲେ । ସେ କହିଥିଲେ ଯେ ବାମପନ୍ଥୀମାନେ ଯାହା କାର୍ଯ୍ୟକ୍ରମ ଘୋଷଣା କରନ୍ତି, ରକ୍ଷଣଶୀଳ ଦଳ ଓ ନେତୃତ୍ୱ ଠିକ ସେହିଗୁଡ଼ିକୁ ନିଜେ କରିବେ ବୋଲି ଘୋଷଣା କରିଦିଅନ୍ତି । ଲୋକେ ସେଇଥିଲାଗି ଭୁଲିଯାଇ ଭାବନ୍ତି ଯେ ସେ ତ ଯାହା କହୁଛନ୍ତି, ଏ ତ କରିବେ ବୋଲି କହୁଛନ୍ତି, ଏହି ରୁହନ୍ତୁ । ଏହିପରି କରି ବିଲାତର ରକ୍ଷଣଶୀଳ ଦଳ ଆଜି ପର୍ଯ୍ୟନ୍ତ ତିଷ୍ଠିଛି । ଆମ ଦେଶରେ ସେହିପରି କଂଗ୍ରେସ ସବୁ ବାମପନ୍ଥୀ ଘୋଷଣାମାନ କରି ଆସିଛି ଓ ନିଜେ ଏକ ବାମପନ୍ଥୀ ସଂସ୍ଥା ବୋଲି ବିଶ୍ୱାସ ଜନ୍ମାଇ ଆସିଛି । ଅଥଚ କଂଗ୍ରେସ କାର୍ଯ୍ୟକ୍ରମରେ ଧନୀ ଦରିଦ୍ର ପ୍ରଭେଦ ମଧ୍ୟ ଉତ୍କଟତର ହୋଇଛି । ଠିକ୍‌ ଏହି ଚାଲ ବର୍ତ୍ତମାନ ଚାଲିଛି । ତାକୁ ଲକ୍ଷ୍ୟ କରିବାକୁ ହେବ । ‘‘ଆମକୁ ମନ୍ତ୍ରୀ ରଖ, ତୁମେ ଯାହା କହୁଛ, ଆମେ ଠିକ ସେୟା କରିବୁ’’ । ଏହାହିଁ ହେଉଛି ସିଣ୍ଡିକେଟ ଦଳର ଇନ୍ଦିରା ଗାନ୍ଧିଙ୍କଠାରେ ଦାବି । ଏ ଦାବି ଅଗ୍ରାହ୍ୟ ହୋଇଛି ଏହା ଆନନ୍ଦର ବିଷୟ; କିନ୍ତୁ ଇନ୍ଦିରା ଗାନ୍ଧି ମଧ୍ୟ ଭାବିବା ଉଚିତ ନୁହେଁ କେବଳ ପରିବର୍ତ୍ତନର ସ୍ୱର ଉଠାଇଲେ ତାଙ୍କ ନେତୃତ୍ୱ ଗୃହୀତ ହେବ । ପରିବର୍ତ୍ତନ ପାଇଁ ଚେଷ୍ଟା କରୁଥିବାରୁ ସେ ପ୍ରଶଂସାର ପାତ୍ର; କିନ୍ତୁ ତାଙ୍କର ନେତୃତ୍ୱ ପ୍ରମାଣିତ ହେବାକୁ ଆହୁରି ବହୁତ କିଛି ବାକି ଅଛି ।

Image

 

୬ । ୪ । ୧୯୭୦

ସୋମବାର

 

ସପ୍ତାହାନ୍ତ ବିଚାର, ରାଜନୈତିକ ଲଘୁଚାପ ଓ ଝଡ଼

 

ଗତ ମାର୍ଚ୍ଚ ମାସ ମଧ୍ୟଭାଗରୁ ଜନ-କଂଗ୍ରେସ ଓ ସ୍ୱତନ୍ତ୍ର ଦଳ ଭିତରେ ଲଘୁଚାପ ହେତୁ ଯେଉଁ ଝଡ଼ ସୃଷ୍ଟି ହୋଇଥିଲା ଓ ଯେଉଁଥିରେ ଓଡ଼ିଶାର ରାଜନୈତିକ ସ୍ଥିତି କିଛିଦିନ ପାଇଁ ଦୋହଲିଥିଲା, ତାହା ଗତ ସପ୍ତାହରେ ସମାପ୍ତ ହୋଇଯାଇଛି । ବଙ୍ଗୋପସାଗରର କୂଳରେ ଅବସ୍ଥିତ ପଶ୍ଚିମବଙ୍ଗରେ ସେଠାରେ ମିଳିତ ସାମ୍ମୁଖ୍ୟ ଭିତରେ ଲଘୁଚାପ ସୃଷ୍ଟି ହୋଇ ଯେଉଁ ପ୍ରବଳ ଝଡ଼ ହେଲା, ସେଥିରେ ସେଠାରେ ପ୍ରତିନିଧିମୂଳକ ଶାସନ କୁଆଡ଼େ ଉଡ଼ିଗଲା ଓ ତାହା ସ୍ଥାନରେ ରାଷ୍ଟ୍ରପତି ଶାସନ ଜାରି ହେଲା । ଓଡ଼ିଶାରେ ଯେଉଁ ଝଡ଼ ଆରମ୍ଭ ହୋଇଥିଲା, ସେଥିରେ ମିଳିତ ମନ୍ତ୍ରିମଣ୍ଡଳ ଭୁଷୁଡ଼ି ପଡ଼ିବା ନିଶ୍ଚିତ ବୋଲି କେତେକ ମନେକଲେ । ସରକାରୀ ଅଫିସମାନଙ୍କରେ ଦିନାକେତେ ଏହି ଚାପ ଚାଲିଲା । ପ୍ରେସ ପ୍ରତିନିଧିମାନେ ଏହି ସମ୍ବାଦ ସଂଗ୍ରହ କରିବାରେ ବ୍ୟସ୍ତ ରହିଲେ । ବିକଳ୍ପ ମନ୍ତ୍ରିମଣ୍ଡଳରେ ମନ୍ତ୍ରୀ ହେବାର ସ୍ୱପ୍ନ ଯେ କେତେକ ଦେଖିଲେ ତାହା ନୁହେଁ, ଜଣେ ଯାଇ କଟକର ଏକ ବିଶିଷ୍ଟ ଦରଜି ଦୋକାନରେ ପୋଷାକ ମଧ୍ୟ ତିଆରି କରାଇଲେ । ଯାହାହେଉ ମିଳିତ ଦଳରୁ ଲଘୁଚାପ ଅପସରି ଯାଇ କଂଗ୍ରେସ ଦଳ ଭିତରେ ପ୍ରବେଶ କଲା । ସେଠି ଝଡ଼ ସୃଷ୍ଟି ହେଲା । ତାହାର ଅବସାନ ବର୍ତ୍ତମାନ ସୁଦ୍ଧା ହୋଇନାହିଁ । ଶୁଣାଯାଉଛି ଆସନ୍ତା ତା ୧୦ ତାରିଖ ବେଳକୁ ଯାହା କିଛି ହେବାର ହୋଇଯିବ ।

 

ରାଜନୈତିକ ଦଳ ଭିତରେ ଏହି ଯେଉଁ ଲଘୁଚାପ ଘଟୁଛି ତାହାର କାରଣ ବୈଜ୍ଞାନିକ ପ୍ରଣାଳୀରେ ବିଶ୍ଳେଷଣ କରି ତାକୁ ଦୂର କରିବାକୁ ଚେଷ୍ଟା କରିବା ଉଚିତ । କୌଣସି ଗୋଟିଏ କାରଣରୁ ଯେ ସବୁ ଦଳରେ ବିଭ୍ରାଟ ଘଟୁଛି, ତାହା ନୁହେଁ । ବିଭିନ୍ନ କାରଣରୁ ଦଳ ଭିତରେ ସଂକଟ ଦେଖାଦିଏ । ଯେଉଁଠି ରାଜନୀତି ପରିପକ୍ୱ ଅବସ୍ଥାକୁ ଆସିଲାଣି, ସେଠି ସଂକଟର ଅବସାନ ପରେ ତା’ର କାରଣ ଅନୁସନ୍ଧାନ କରି ଭବିଷ୍ୟତ ପାଇଁ ବ୍ୟବସ୍ଥା କରାଯାଏ; କିନ୍ତୁ ଯେଉଁଠି ରାଜନୀତି ଅପରିପକ୍ୱ ଅବସ୍ଥାରେ ଅଛି ସେଠି ‘‘ଚକେ ଗଲେ ବାରହାତ’’ ନୀତିରେ ସଂକଟ ପାର ହୋଇଗଲେ ଆଉ ସେ କଥାର ବିଚାର ବା ଚିନ୍ତା କରାଯାଏ ନାହିଁ । ଏ ମଧ୍ୟ ଭବିଷ୍ୟତରେ ଉତ୍କଟତର ସଂକଟର କାରଣ ହୁଏ । ମିଳିତ ଦଳ ବା ଯୁକ୍ତଫ୍ରଣ୍ଟ ଭିତରେ ସଂକଟର କାରଣ ହୁଏ ଦଳମାନଙ୍କ ମଧ୍ୟରେ ବୁଝାମଣାର ଅଭାବ ହେତୁ ପରସ୍ପର ସନ୍ଦେହ ଓ ଦୋଷାରୋପ । ଓଡ଼ିଶାରେ ଏହି କାରଣ ହେତୁ ଲଘୁଚାପ ଆରମ୍ଭ ହୋଇଥିଲା; କିନ୍ତୁ ଅନ୍ୟ କାରଣ ହେତୁ ଝଡ଼ର ଗତି ଅନ୍ୟ ଦିଗରେ ଚାଲିଯିବାରୁ ଦୁଇଟି ଦଳ ଭିତରେ ବୁଝାମଣା ପୁଣି ଦୃଢ଼ ହୋଇଥିଲା । ଆରମ୍ଭ ହେଲା ସ୍ୱତନ୍ତ୍ର ଦଳ ପ୍ରତି ଜନକଂଗ୍ରେସର ସନ୍ଦେହ ହେତୁ । ଏହାର ସୁବିଧା ନେବାପାଇଁ ଚେଷ୍ଟା କଲେ କଂଗ୍ରେସ ନେତୃତ୍ୱରେ ଅନ୍ୟ ଦଳମାନେ । ଫଳରେ ସ୍ୱତନ୍ତ୍ର ଓ ଜନକଂଗ୍ରେସ ସବୁକଥା ଭୁଲିଯାଇ ଏକାଠି ହେଲେ ଓ କଂଗ୍ରେସ ଦଳ ଭିତରେ ବିବାଦ ହେତୁ ଅନ୍ୟ ଦଳମାନେ ମଧ୍ୟ ଅଡ଼ୁଆରେ ପଡ଼ିଗଲେ । ଏଥିରୁ ଏତିକି ସ୍ପଷ୍ଟ ହେଉଛି ଯେ ମିଳିତ ଦଳ ଭିତରେ ପରସ୍ପର ସନ୍ଦେହ ଓ ଦୋଷାରୋପ ପାଇଁ ଅବକାଶ ନ ଦେବା । ଏଥିପାଇଁ ଏକାନ୍ତ ଦୀର୍ଘ ଆଲୋଚନା ଆବଶ୍ୟକ । କେବଳ ଏତିକି ଯେ ଆବଶ୍ୟକ ତାହା ନୁହେଁ । ନିର୍ବାଚିତ ପ୍ରତିନିଧିମାନଙ୍କ ଉପରେ ବାହାରର ଭୋଟଦାତା ଓ ନିର୍ବାଚନ ମଣ୍ଡଳୀର ପ୍ରଭାବ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ କାର୍ଯ୍ୟ କରେ । ଦଳଭିତରେ ସବୁ ସଭ୍ୟ ଏକତାବଦ୍ଧ ହେଲେ ମଧ୍ୟ ଯଦି ଦଳ ବାହାରର ଭୋଟଦାତାମାନଙ୍କୁ ସନ୍ତୋଷ ଦାନ କରି ନ ପାରିଲା, ତେବେ ଯେତେ ଏକତାବଦ୍ଧ ହୋଇଥାଉ ପଛକେ ଦଳଟି ସାଧାରଣ ନିର୍ବାଚନରେ ଭୋଟଦାତାମାନଙ୍କଦ୍ୱାରା ପରିତ୍ୟକ୍ତ ହେବ, ଯେପରି ଏହି ଓଡ଼ିଶାରେ କଂଗ୍ରେସଦଳ ହୋଇଛି । ଏଣୁ ରାଜନୈତିକ ଦଳମାନେ ମଝିରେ ମଝିରେ ଆଲୋଚନା କରି ଜାଣିବା ଉଚିତ ଯେ ସେମାନଙ୍କ ପ୍ରତି ବାହାରେ ଜନମତ କଅଣ । ବାହାରର ଜନମତ ଯେ କେବଳ ଭୋଟବେଳେ ଜଣାଯାଏ ତାହା ନୁହେଁ; ଟିକିଏ ଚେଷ୍ଟାକଲେ ଜନମତର ଗତି ମୋଟାମୋଟି ଭାବରେ ଜଣା ପଡ଼ିପାରେ ।

 

ସାଧାରଣ ନିର୍ବାଚନ ଆଉ ଦୁଇବର୍ଷରୁ କମ୍‌ ରହିଲା । ଇତିମଧ୍ୟରେ ଦଳମାନେ ବିଶେଷତଃ ଶାସନରେ ଥିବା ଦଳମାନେ ବାହାରର ଜନମତର ଖବର ନେବା ଉଚିତ । ଆଜିଠାରୁ ସାବଧାନ ନ ହେଲେ, ନିର୍ବାଚନରେ ବିପର୍ଯ୍ୟୟ ଘଟିବ, ଏଥିରେ ସନ୍ଦେହ ନାହିଁ । ଯେଉଁ ଦଳମାନେ ଶାସନରେ ନାହାନ୍ତି, ସେମାନେ ମଧ୍ୟ ସେମାନଙ୍କ କାର୍ଯ୍ୟକଳାପ ସମ୍ବନ୍ଧରେ ଲୋକେ କଅଣ କହୁଛନ୍ତି ତା’ର ଖବର ନେବା ଉଚିତ ।

 

ଦଳ ଭିତରେ ଲଘୁଚାପ ଘଟି ବାରମ୍ବାର ପ୍ରବଳ ଝଡ଼ ହେଉଥିବାରୁ ପଶ୍ଚିମବଙ୍ଗ ପରି ଉନ୍ନତ ପ୍ରଦେଶ ଇତସ୍ତତଃ ହୋଇଗଲାଣି । ସେପରି ଝଡ଼ ଓଡ଼ିଶାରେ ହେଲେ ଓଡ଼ିଶା ବୋଧହୁଏ ସମ୍ଭାଳି ପାରିବନାହିଁ । ଏଣୁ ଲଘୁଚାପ ଯେପରି ନ ଘଟେ ସେଥିପାଇଁ ପ୍ରତିଷେଧକ ବ୍ୟବସ୍ଥା କରିବାକୁ ହେବ ।

Image

 

୭-୪-୭୦

ମଙ୍ଗଳବାର

 

କେନ୍ଦ୍ର ଓ ପ୍ରଦେଶ

 

ଗତ ସାଧାରଣ ନିର୍ବାଚନ ପରେ ଯେତେବେଳେ ଅନେକ ପ୍ରଦେଶରେ ଅଣକଂଗ୍ରେସ ମନ୍ତ୍ରିମଣ୍ଡଳ ଗଠିତ ହୋଇଗଲା ଓ କେନ୍ଦ୍ରରେ କଂଗ୍ରେସ ମନ୍ତ୍ରିମଣ୍ଡଳ ରହିଲା, ସେତେବେଳେ ରାଜନୀତି-ବିଜ୍ଞାନ ବିଶାରଦମାନେ ଗବେଷଣା କରିବାରେ ଲାଗିଲେ କେନ୍ଦ୍ର ଓ ପ୍ରଦେଶ ମଧ୍ୟରେ ସମ୍ବନ୍ଧ କିପରି କଅଣ ହେବ । ଦୁର୍ଭାଗ୍ୟର ବିଷୟ ଯେ ଆମ ଦେଶରେ ସବୁବେଳେ ବିଦେଶୀ ଛାଞ୍ଚକୁ ଆଖିଆଗରେ ରଖି ସବୁ କଥା ବିଚାର କରନ୍ତି । ଆମେରିକାରେ କେନ୍ଦ୍ର ଓ ପ୍ରଦେଶ ସମ୍ବନ୍ଧ ଘେନି ସମସ୍ୟା ଉପୁଜିଥିଲା । ତେଣୁ ସେହି ସମସ୍ୟା ଭାରତରେ ଉପୁଜିବ ବୋଲି ଚିନ୍ତା କରାହେଲା; ମାତ୍ର ସେ ଗବେଷଣା ଶେଷ ନ ହେଉଣୁ, କେନ୍ଦ୍ରରେ ଶାସକ ଦଳ ମଧ୍ୟରେ ବିଭେଦ ଘଟିବାରୁ କେନ୍ଦ୍ର ଶାସନ ମଧ୍ୟ ଅନ୍ୟ ଅନେକ ଦଳର ସମର୍ଥନ ଉପରେ ଆଜି ନିର୍ଭର କରୁଛି । ଏଣୁ କେନ୍ଦ୍ର-ପ୍ରଦେଶ ସମ୍ବନ୍ଧ ସମସ୍ୟା ଭିନ୍ନ ଆକାରରେ ଧାରଣ କରିଛି । ପ୍ରତ୍ୟେକ ଦେଶରେ ନିଜ ନିଜର ସ୍ଥିତି ଘେନି ସମସ୍ୟାମାନ ଉଦ୍ଭବ ହୋଇଛି ଓ ପ୍ରତ୍ୟେକ ସମସ୍ୟାର ସମାଧାନ ଦେଶ ବିଦେଶର ସ୍ଥିତିକୁ ବିଚାର କରି ଖୋଜିବାକୁ ହେବ । ଭାରତୀୟ ସ୍ଥିତିରେ ମିଳିତ ମନ୍ତ୍ରିମଣ୍ଡଳ ସାଧାରଣ ଭାବରେ ଗୃହୀତ ହୋଇଗଲାଣି । ଯେତେ ଚେଷ୍ଟା କଲେ ମଧ୍ୟ ଇଂଲଣ୍ଡ ଆମେରିକା ପରି ଦୁଇ ବା ତିନି ଦଳ ଭାରତରେ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ନ ରହି ବହୁ ଦଳ ପ୍ରତିଦ୍ୱନ୍ଦ୍ୱିତା କ୍ଷେତ୍ରରେ ରହିବେ । ଏଥିରେ ଯେ ଗଣତନ୍ତ୍ର ପଦ୍ଧତି ପ୍ରତି ଆଞ୍ଚ ଆସିବ, ତାହା ମଧ୍ୟ ନୁହେଁ । କ୍ରମେ ବହୁ ଦଳ ମିଶି ନିର୍ଦ୍ଦିଷ୍ଟ କାର୍ଯ୍ୟକ୍ରମକୁ ଭିତ୍ତିକରି ଶାସନ ପରିଚାଳନା କରିବେ । ଆଉ ମଧ୍ୟ ଦେଖାଯାଉଛି, ଭାରତୀୟ ସ୍ଥିତିରେ କୌଣସି ଏକ ଦଳ ସୁଦୃଢ଼ ସର୍ବଭାରତୀୟ ଦଳ ହୋଇପାରିବାର ସମ୍ଭାବନା ନାହିଁ । କଂଗ୍ରେସ ଏକ ସମୟରେ ଯେଉଁ ଆଧିପତ୍ୟ ବିସ୍ତାର କରିଥିଲା, ତାହା ସେହି କଂଗ୍ରେସରେ ଶେଷ ହୋଇଛି ଓ ଆସନ୍ତା ବହୁବର୍ଷ ଭିତରେ ସେପରି କଂଗ୍ରେସ ବା ଅନ୍ୟ କୌଣସି ଦଳ ଭାରତବ୍ୟାପୀ ଆଧିପତ୍ୟ ବିସ୍ତାର କରିପାରିବ ନାହିଁ ବୋଲି ମନେହୁଏ । ସବୁଦଳ କ୍ରମେ ପ୍ରାଦେଶିକ ଆଧିପତ୍ୟ ପାଇଁ ଲାଗିପଡ଼ୁଛନ୍ତି । ଏଣୁ ପ୍ରଦେଶମାନଙ୍କ ଭିତରେ ସମନ୍ୱୟ ଆଣିପାରିବା ଭଳି କେନ୍ଦ୍ରରେ ମନ୍ତ୍ରିମଣ୍ଡଳ ଗଠିତ ହେବ । ପଳରେ ପ୍ରଦେଶର ଶକ୍ତି ବଢ଼ୁଛି ଓ କେନ୍ଦ୍ରର ଶକ୍ତି ହ୍ରାସ ଲାଭକରୁଛି । ଏଥିରେ ଯେ ପ୍ରଚଳିତ ଶାସନ ବିଧାନ ବା ଗଣତନ୍ତ୍ର ପଦ୍ଧତିରେ କିଛି ଆଞ୍ଚ ଆସିବ ତାହା ନୁହେଁ । ପଶ୍ଚିମବଙ୍ଗରେ ବାମପନ୍ଥୀ କମ୍ୟୁନିଷ୍ଟ ଦଳର ସ୍ୱାର୍ଥ ବିରୁଦ୍ଧରେ କେନ୍ଦ୍ର ଶାସନ ଯେଉଁ ପଦକ୍ଷେପ ନେଲେ, ସେଥିରେ ପାର୍ଲାମେଣ୍ଟରେ ବାମପନ୍ଥୀ କମ୍ୟୁନିଷ୍ଟ ଦଳ ଯେ ଉତ୍‌କ୍ଷିପ୍ତ ହୋଇ କେନ୍ଦ୍ର ମନ୍ତ୍ରିମଣ୍ଡଳ ବିରୁଦ୍ଧରେ ଅଭିଯାନ ଆରମ୍ଭ କଲେ, ତାହା ନୁହେଁ । ଓଡ଼ିଶାରେ ସ୍ୱତନ୍ତ୍ର ଦଳ ଶାସନରେ ଅଛି; ଅଥଚ କେନ୍ଦ୍ରରେ ସ୍ୱତନ୍ତ୍ର ଦଳ ସେଠା ମନ୍ତ୍ରିମଣ୍ଡଳ ବିରୋଧୀ, ଏଥିପାଇଁ ଯେ କେନ୍ଦ୍ର ଓଡ଼ିଶାରେ କିଛି ବାଧା ଜନ୍ମାଉଛି ତାହା ନୁହେଁ । ଯେପରି ଭାରତୀୟ ରାଜନୀତି ଆକାର ଧାରଣ କରୁଛି, ସେଥିରେ ପ୍ରତ୍ୟେକ ରାଜନୈତିକ ଦଳ ମୁଖ୍ୟତଃ ପ୍ରାଦେଶିକ ଓ ଗୌଣତଃ ଭାରତୀୟ ହେବାକୁ ଯାଉଛି । ନୂଆ କଂଗ୍ରେସ ଓଡ଼ିଶାରେ ସ୍ୱତନ୍ତ୍ରଦଳ ବିରୋଧୀ ମାତ୍ର ଗୁଜୁରାଟରେ ଏହା ସ୍ୱତନ୍ତ୍ର ଦଳର ସମର୍ଥକ । ଏହିପରି ପ୍ରତ୍ୟେକ ଦଳ ଭିନ୍ନ ଭିନ୍ନ ପ୍ରଦେଶରେ ଭିନ୍ନ ଭିନ୍ନ ନୀତି ଧରି ଚାଲିଛନ୍ତି । ସାଧାରଣ ଭାବରେ ଏହି ହେଉଛି ସ୍ଥିତି ।

 

ଏ ପରିସ୍ଥିତିରେ ପ୍ରଦେଶରେ ରାଜନୈତିକ ଦଳମାନେ ନିର୍ଦ୍ଦିଷ୍ଟ କାର୍ଯ୍ୟକ୍ରମ ଉପରେ ଦୃଷ୍ଟି ଦେଇ ଯଦି କାର୍ଯ୍ୟକ୍ଷେତ୍ରରେ ମିଳିତ ହେବାର ପନ୍ଥା ଉଦ୍‌ଭାବନ କରନ୍ତେ, ତେବେ କେବଳ ପ୍ରଦେଶର ନୁହେଁ, ଦେଶର ରାଜନୈତିକ ସ୍ଥିତି ମଧ୍ୟ ସ୍ଥିର ହୋଇଯାଆନ୍ତା । ସୁବିଧାବାଦୀ ଦଳ କଥା ଛାଡ଼ି ଦିଆଯାଉ । ଯେଉଁ ଦଳମାନେ କୌଣସି ଏକ ନୀତିକୁ ଧରି ଚାଲିଛନ୍ତି, ସେମାନେ ନିଜ ନୀତିକୁ ଅକ୍ଷୁଣ୍ଣ ରଖି ମିଳିତ କାର୍ଯ୍ୟ ନିର୍ଘଣ୍ଟରେ ଯୋଗଦେଇ କାର୍ଯ୍ୟ କ୍ଷେତ୍ରରେ ଏକ ହେବାକୁ ଚେଷ୍ଟା କରିବା ଉଚିତ । ଏପରି ଉଦ୍ୟମ ପଶ୍ଚିମବଙ୍ଗ ଓ କେରଳରେ ବିଫଳ ହୋଇଛି; ମାତ୍ର ସେ ବିଫଳତା ଯେଉଁ ଶିକ୍ଷା ଦେଉଛି, ସେଥିରୁ ପ୍ରମାଣିତ ହେଉଛି, ସେହି ଉଦ୍ୟମ ହିଁ ଏକମାତ୍ର ପନ୍ଥା । ଅନ୍ୟ ପନ୍ଥା ନାହିଁ । କାର୍ଯ୍ୟନିର୍ଘଣ୍ଟ ଉପରେ ଜୋରଦିଆ ନ ହୋଇ ପଦ-ମର୍ଯ୍ୟାଦା ଉପରେ ଯେତିକି ଜୋର ଦିଆହେଲା, ସେତିକିର ପରିଣାମ ଘଟିଲା ପଶ୍ଚିମବଙ୍ଗରେ ଓ କେରଳରେ । ଏଣୁ ଦଳର ପ୍ରାଧାନ୍ୟ ବସଷ୍ଟେଣ୍ଡ ସଭାରେ ପଛେ ବ୍ୟାଖ୍ୟାନ କରାହେଉ; କିନ୍ତୁ କାର୍ଯ୍ୟକ୍ଷେତ୍ରରେ କେବଳ କାର୍ଯ୍ୟ ପ୍ରତି ଦୃଷ୍ଟି ଦିଆହେଉ । ଏହା ହେଲେ ପ୍ରଦେଶ କ୍ଷେତ୍ରରେ ସୁନ୍ଦର ଭାବରେ ଦଳମାନେ ମିଳିତ ଭାବରେ କାର୍ଯ୍ୟ କରିପାରିବେ ଓ କେନ୍ଦ୍ରରେ ମଧ୍ୟ ପ୍ରଦେଶମାନଙ୍କ ସମନ୍ୱୟରେ ସୁଚାରୁ ରୂପେ ଶାସନ ପରିଚାଳିତ ହୋଇପାରିବ ।

 

ଓଡ଼ିଶା ବ୍ୟବସ୍ଥାସଭାର ଅଧିବେଶନ ତା ୮ରିଖରେ ଶେଷ ହେଉଛି । ଏହାପରେ ଦଳମାନଙ୍କ ଭିତରେ ଆଲୋଚନା ହେଉ କିପରି ଏ ପ୍ରଦେଶର ଅଭିବୃଦ୍ଧି ସାଧିତ ହେବ । ସେଥିପାଇଁ କାର୍ଯ୍ୟକ୍ରମ କଅଣ ?

Image

 

୨୫-୪-୭୦

ଶନିବାର

ରାଜା କାଳସ୍ୟ କାରଣଂ

 

ଶାନ୍ତିପର୍ବରେ ଭୀଷ୍ମ କହିଛନ୍ତି ଯେ ଅବସ୍ଥାନୁସାରେ ଶାସକ (ରାଜା) ସୃଷ୍ଟି ହୁଅନ୍ତି ନାହିଁ; ଶାସନ ହିଁ ଅବସ୍ଥା ସୃଷ୍ଟି କରେ । କଥାଟି ଅତି ସତ୍ୟ । ଆଜି ପଶ୍ଚିମବଙ୍ଗ ତଥା ଅନ୍ୟତ୍ର ଯେଉଁ ବମ୍‌ କାରବାର ଓ ହିଂସାକାଣ୍ଡ ଚାଲିଛି, ସେଥିରେ ସାରା ଦେଶରେ ଉଦ୍‌ବେଗ ଜାତ ହୋଇଛି । ଏ ସବୁ ହିଂସାକାଣ୍ଡ ଏକ ରାଜନୈତିକ ଦଳ ନାମରେ ଚାଲିଛି । ଯେ କୌଣସି କାର୍ଯ୍ୟକୁ କୌଣସି ନା କୌଣସି ଗୋଟିଏ ରାଜନୈତିକ ଦଳର ନାମ ନୂତନ ହେଉ ବା ପୁରାତନ ହେଉ ଦେଇଦେବା ସ୍ୱାଭାବିକ । ଏପରିକି ଚୋର ଡକାୟତମାନଙ୍କର ମଧ୍ୟ ଦେବତା ଅଛନ୍ତି ଓ ସେ ଦେବତାଙ୍କ ପୂଜାବିଧି ଶୁଦ୍ଧ ସଂସ୍କୃତ ଭାଷାରେ ପ୍ରଣୀତ ହୋଇ ଶାସ୍ତ୍ରମାନ ଅଛି । ଏଣୁ ରାଜନୈତିକ ଦଳର ନାମକୁ ବାଦ ଦେଇ କେବଳ ହିଂସାକାଣ୍ଡକୁ ଆଲୋଚନା କରିବା ବିଧେୟ । କୌଣସି ବ୍ୟକ୍ତିବିଶେଷ ବା ଗୋଷ୍ଠୀବିଶେଷର ଆଚରଣକୁ ବୁଝିବାକୁ ହେଲେ ମନସ୍ତତ୍ତ୍ୱବିଦ୍‌ମାନେ କେତୋଟି ସୂତ୍ର ନିର୍ଦ୍ଧାରଣ କରିଛନ୍ତି । ସେ ସୂତ୍ର ସବୁ ଏପରି କଠିନ ନୁହେଁ ଯେ ସାଧାରଣ ଲୋକେ ତାକୁ ବୁଝି ପାରିବେନାହିଁ । ଆଜି ଯେ ବମ୍‌ ବ୍ୟବହାର ପର୍ଯ୍ୟନ୍ତ କଥା ଆସିଛି, ତା’ର ଆରମ୍ଭ ହେଲା ପ୍ରଥମେ କଳ କାରଖାନାରେ ଘେରଉଠାରୁ ଓ ଗାଁ ଗହଳରେ ଜମି ଦଖଲ ଠାରୁ । ଶ୍ରମିକମାନଙ୍କ ଆପତ୍ତି ଅଭିଯୋଗ ବିଚାର ପାଇଁ ଆଇନ ଅନୁସାରେ ଯେଉଁ ବ୍ୟବସ୍ଥା ହେଲା, ସେଥିରେ ନ୍ୟାୟ ପାଇବା ପାଇଁ ବର୍ଷ ବର୍ଷ ଅପେକ୍ଷା କରିବାକୁ ହେଲା । ବିଚାର ଶେଷ ହୋଇଗଲେ ମଧ୍ୟ ମାଲିକମାନେ ତଦନୁସାରେ କାର୍ଯ୍ୟ କଲେନାହିଁ । ଟ୍ରିବ୍ୟୁନାଲର ରାୟ ଅନୁସାରେ କାର୍ଯ୍ୟକାରକ ହେବା ପାଇଁ ମାଲିକମାନଙ୍କୁ ବାଧ୍ୟ କରିବାକୁ କେହି ନାହିଁ । ଫଳରେ ଘେରଉ କରି ଲେଖେଇ ନେବା ବା ଦାବି ପୂରଣ କରିବା ପନ୍ଥାଆଡ଼କୁ ଶ୍ରମଜୀବୀମାନଙ୍କ ମନ ଗଲା । ହେଉଁ ହେଉଁ ଶେଷରେ ଘେରଉ ଏକ ପଦ୍ଧତିରେ ପରିଣତ ହେଲା । ପୋଲିସ, କୋର୍ଟ କଚେରୀ ଇତ୍ୟାଦି ସାହାଯ୍ୟରେ ଘେରୋଉକୁ ବନ୍ଦ କରିବା ପାଇଁ ଉଦ୍ୟମ କରିବା ଫଳରେ ବମ୍‌ ବ୍ୟବହାର ଆରମ୍ଭ ହେଲା । ସେପରି ଭୂସଂସ୍କାର କଥା ବର୍ଷ ବର୍ଷ କାଳ ପ୍ରଚାରିତ ହେଲା । ଭୂମିହୀନ ଲୋକେ ଜମି ପାଇବେ ବୋଲି କାନେ କାନେ କୁହାହେଲା । ଆଇନ ହେଲା; ମାତ୍ର କାର୍ଯ୍ୟରେ ବିପରୀତ ହେଲା । ସୁନ୍ଦରଗଡ଼ରେ ଯେଉଁଠି ବନ୍ଦୋବସ୍ତ ଚାଲିଛି, ସେଠି ଶୁଣିଲି ଯେ, ବହୁତ ଜମିଥିବା ଲୋକ ଯଦି ଅନାବାଦୀ ଜମି ଦଖଲ କରିଯାଇଛି, ତେବେ ସେ ଜମି ମଧ୍ୟ ତାହାରି ନାମରେ ବନ୍ଦୋବସ୍ତ ହେଉଛି; କାରଣ ସେହିପରି ଏକ ସରକାରୀ ଆଦେଶ ୧୯୬୧ ସାଲରୁ କୁଆଡ଼େ ଅଛି । ପୁଣି ପରେ ଉଦ୍‌ବୃତ୍ତ ଜମି କା’ଠାରୁ ଛଡ଼ାଇ କୁଆଡ଼େ ଭୂମିହୀନ ଲୋକଙ୍କୁ ଦିଆଯିବ । ଏଥିରେ ସାଧାରଣ ଲୋକଙ୍କ ଧୈର୍ଯ୍ୟ ରହିବା କଠିନ । ଯେତେ ଯୁଆଡ଼ୁ କଥାଟାକୁ ବୁଝାଇବାକୁ ଚେଷ୍ଟା କରାଯାଉ, ଲୋକ ମନରେ ବିଶ୍ୱାସ ଜାତ କରାଇ ହେବନାହିଁ । ବର୍ତ୍ତମାନ ବାଲେଶ୍ୱର ଜିଲ୍ଲାର ବାସୁଦେବପୁରରେ ଯେଉଁଠି ବନ୍ଦୋବସ୍ତ ଚାଲିଛି, ସେଠି ମଧ୍ୟ ବଡ଼ ବଡ଼ ଚାଷୀମାନେ ଯେପରି ବନ୍ଦୋବସ୍ତକୁ ଅକତିୟାର କଲେଣି, ସେଥିରେ ଭୂମିହୀନ ଯେ କେବେ ଭୂମି ପାଇବେ ଏ ବିଶ୍ୱାସ ସହଜେ ସୃଷ୍ଟି କରାଯାଇ ପାରୁନାହିଁ । ଏଇଥିରୁ ଜବରଦସ୍ତି ଜମି ଦଖଲ ଆରମ୍ଭ ହେଲା । ସେଥିରୁ କଥା ବଢ଼ି ବଢ଼ି ଯାଇ ଜୋତଦାର ବା ବଡ଼ ବଡ଼ ଚାଷୀମାନଙ୍କୁ ହତ୍ୟା କରିବା ଚାଲିଲା । କେବଳ ଏହି ଦୁଇଟି କଥାରେ ନୁହେଁ, ଶାସନର ସବୁ କ୍ଷେତ୍ରରେ ଏପରି ଉଦାସୀନତା ପ୍ରକାଶ ପାଉଛି, ଯେଉଁଥିରେ ମନେହେବ ଯେ ଲୋକଙ୍କର ସୁବିଧା ଅସୁବିଧା କିଛି ନାହିଁ; ସେମାନଙ୍କ ଦିଆ ଟିକସ ଖଜଣାରୁ ଯେଉଁମାନେ ଦରମା ପାଇ ଅଛନ୍ତି, ସେହିମାନଙ୍କ ଅନୁଗ୍ରହ ଉପରେ ଲୋକେ ନିର୍ଭର କରିବାକୁ ବାଧ୍ୟ । ଲୋକପ୍ରତିନିଧିମାନେ ବ୍ୟବସ୍ଥାସଭାରେ ଶାସନକୁ ଘଣ୍ଟ ଘୋଡ଼ାଇ ରଖିଲେ । ଲୋକପ୍ରତିନିଧି ଅର୍ଥାତ୍‌ ମନ୍ତ୍ରିସ୍ତରରୁ ଶାସନ ପ୍ରତି ଅଙ୍କୁଶ ପ୍ରୟୋଗ ହେଉନାହିଁ । ରାଜନୀତି କ୍ଷେତ୍ରରେ ଏତେ ଦଳଗତ ସଂଘର୍ଷ ଯେ, ସେଥିରେ ଶାସନକୁ ନିୟନ୍ତ୍ରଣ କରିବା କଠିନ ହେଉଛି । ଏପରି ସ୍ଥଳେ ଲୋକେ ତଳୁ ଚାପ ପକାଇବା ପାଇଁ ସଭା, ଶୋଭାଯାତ୍ରାରୁ ଆରମ୍ଭ କରି ଟେକାପଥର, ଶେଷରେ ବମ୍‌ ଫୋପାଡ଼ିବା ପର୍ଯ୍ୟନ୍ତ ଯେ ଚାଲିଯାଉଛନ୍ତି, ଏଥିରେ ବିସ୍ମିତ ହେବାର କିଛିନାହିଁ ।

 

ଲୋକେ ହେଲେ ଭୋଟ୍‌ଦାତା । ଅଥଚ ସେମାନଙ୍କ ପ୍ରତି କାହାରି ତିଳେ ହେଲେ ସମ୍ମାନ ନାହିଁ । ସେମାନଙ୍କ କଥା ବୁଝିବାକୁ ଶାସନରେ ଥିବା କର୍ମଚାରୀମାନେ ଆଦୌ ପ୍ରସ୍ତୁତ ନୁହନ୍ତି । ଏପରି ସ୍ଥଳେ ଆଇନର ଶାସନ ନାମରେ ମାରିଧରି ଶାନ୍ତିଶୃଙ୍ଖଳା ରକ୍ଷାକରିବା ଅବଶେଷରେ ସମ୍ଭବ ହେବ ନାହିଁ ।

 

ମୋଟକଥା ଆଜି ଯେ ଅଶାନ୍ତି ଓ ହିସାଂକାଣ୍ଡ ଘଟୁଛି, ଏହା କୌଣସି ମତବାଦର ପ୍ରଚାର ହେତୁରୁ ନୁହେଁ । ଏହା ଶାସନର ଦୋଷ ତ୍ରୁଟି ହେତୁ ଘଟୁଛି । ସାଧାରଣ ଜନତା ପ୍ରତି ଶାସନ ସମ୍ବେଦନଶୀଳ ହେଲେ ଲୋକେ କେବେ ଅଶାନ୍ତି ମାର୍ଗରେ ଯିବେନାହିଁ । ଶାସନ କହିଲେ ବୁଝାଏ, କର୍ମଚାରୀ-ଗୋଷ୍ଠୀ । ଏ ଗୋଷ୍ଠୀକୁ ନିୟନ୍ତ୍ରଣ କରିବାକୁ ହେଲେ ରାଜନୈତିକ ସ୍ତରରେ ନୀତିଗତ ମତଭେଦ ଯାହା ଥାଉ ପଛକେ କେତୋଟି ମୌଳିକ ନୀତିରେ ଐକ୍ୟ ରହିବା ଆବଶ୍ୟକ ଓ ମନ୍ତ୍ରିସ୍ତରରେ କଠିନ ପରିଶ୍ରମ ଓ କର୍ମ ତତ୍ପରତା ଆବଶ୍ୟକ ।

Image

 

୨୯-୫-୭୦

ଶୁକ୍ରବାର

 

ଯସ୍ମିନ୍‌ ଦେଶେ ଯଦାଚାର

 

ବର୍ତ୍ତମାନ ଆମେରିକାରେ ସେଠା ପ୍ରେସିଡ଼େଣ୍ଟ ନିକସନ୍‌ଙ୍କ କାମ୍ବୋଡ଼ିଆ ଯୁଦ୍ଧ ବିଷୟ ଘେନି ଯେଉଁ ପ୍ରବଳ ଆନ୍ଦୋଳନ ସୃଷ୍ଟିହୋଇଛି, ତାହାର ଦଶଭାଗରୁ ଭାଗେ ଭାରତରେ ହୋଇଥିଲେ ଏଠାରେ ସ୍ୱର ଉଠୁଥାନ୍ତା ‘‘ଗଣତନ୍ତ୍ର ବିପଦାପନ୍ନ– କମ୍ୟୁନିଷ୍ଟ, ନକ୍‌ସଲପନ୍ଥୀ-ଚୀନ ମାଡ଼ି ଆସିଲେ’’ ଇତ୍ୟାଦି । ସେହି ଆମେରିକାର କେତେକ ରାଜନୀତି ବିଶାରଦ ଅଧ୍ୟାପକ ବହି ଲେଖି ବସନ୍ତେ ଯେ ଭାରତରେ ଗଣତନ୍ତ୍ର ଚାଲିପାରିବ ନାହିଁ ଇତ୍ୟାଦି । ଆମେରିକାର ପ୍ରେସିଡ଼େଣ୍ଟ ନିକସନ କାମ୍ବୋଡ଼ିଆ ଯୁଦ୍ଧରେ ଯୋଗ ଦେବାର ଆଦେଶ ଦେଲେ । ପ୍ରତିବାଦ ସ୍ୱରୂପ ତାଙ୍କର ବୈଦେଶିକ ବିଭାଗର ପ୍ରାୟ ତିନିଶହ କର୍ମଚାରୀ ଇସ୍ତଫା ଦେଲେ । ତାଙ୍କ ମନ୍ତ୍ରିମଣ୍ଡଳର ପ୍ରାୟ ଅଧେ ତାଙ୍କ ବିରୋଧୀ । ବିଶ୍ୱବିଦ୍ୟାଳୟମାନଙ୍କ ମଧ୍ୟରୁ ପ୍ରାୟ ଏକ ଚତୁର୍ଥାଂଶ ଛାତ୍ର ଆନ୍ଦୋଳନ ଯୋଗେ ବନ୍ଦ ହୋଇ ଯାଇଛି । କେତେକ ସ୍ଥାନରେ ଗୁଳି ମଧ୍ୟ ଚାଲିଛି ଓ କେତେକ ଛାତ୍ର ନିହତ ହୋଇଛନ୍ତି । ଜଣେ ଛାତ୍ରୀର ଗୁଳିରେ ମୃତ୍ୟୁ ଉପଲକ୍ଷେ ରୁଷିଆର ଜଣେ କବି ମର୍ମସ୍ପର୍ଶୀ କବିତାଟିଏ ମଧ୍ୟ ପୃଥିବୀ ସାରା ପ୍ରଚାର କରାଇଛନ୍ତି । ପ୍ରାୟ ଦଶ ହଜାର ଆଇନ ଛାତ୍ର ନିକସନ୍‍ଙ୍କୁ ଶାସ୍ତି ଦେବାପାଇଁ ଜାତିସଂଘ ସେକ୍ରେଟେରୀଙ୍କୁ ଲେଖିଛନ୍ତି । ସୁପ୍ରୀମ କୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଓ ପୂର୍ବତନ ରାଷ୍ଟ୍ରଦୂତ କେତେକ ନିକସନ୍‍ଙ୍କ ବିରୋଧ କରୁଛନ୍ତି; କିନ୍ତୁ କୌଣସିଠାରେ ସରକାରୀ ବସ ପୋଡ଼ିଦେବା, ରେଲ ଲାଇନ ଆଗରେ ଶୋଇବା ବା ପେଟ୍ରୋଲ ପକାଇ ପୋଡ଼ିଦେବା, କଲେଜରେ ଯନ୍ତ୍ରପାତିରେ ନିଆଁ ଲଗାଇଦେବା, ଦୋକାନ ପତ୍ର ଲୁଟ କରିବା ଇତ୍ୟାଦି ହୋଇନାହିଁ କିମ୍ବା ‘ସଂଗ୍ରାମ ସମିତି’, କ୍ରିୟାନୁଷ୍ଠାନ କମିଟି’ ଇତ୍ୟାଦି କୌଣସିଠାରେ ଗଠିତ ହୋଇନାହିଁ । ଅନ୍ୟ ପକ୍ଷରେ କେହି ଏ ଆନ୍ଦୋଳନକୁ କମ୍ୟୁନିଷ୍ଟ ରୁଷିଆ, ଚୀନ ବା ଅନ୍ୟ କାହାରିଦ୍ୱାରା ପ୍ରରୋଚିତ ବୋଲି କହୁ ନାହାନ୍ତି । ନିଜ ଦେଶ ଭିତରେ ନୀତିଗତ ମତଭେଦ ଉତ୍କଟ ଆକାର ଧାରଣ କରିଛି– ଏତିକିରେ ଆନ୍ଦୋଳନ ସୀମାବଦ୍ଧ ।

 

ଭାରତରେ ସେହିପରି କିଛି ହୋଇଥିଲେ ଆଗେ ‘ସଂଗ୍ରାମ ସମିତି’ ‘ସର୍ବଦଳୀୟ କ୍ରିୟାନୁଷ୍ଠାନ କମିଟି’ ଇତ୍ୟାଦି ଗଢ଼ାହୋଇ ରେଲ ଚଳାଚଳ ବନ୍ଦ, ବସ ପୋଡ଼ାପୋଡ଼ି, ମନ୍ତ୍ରୀ ଓ ଅନ୍ୟ ଅନ୍ୟ କେତେକଙ୍କ ମଟର ଉପରକୁ ଟେକା ଫୋପଡ଼ା ଫୋପାଡ଼ି, ଗୁଳି ଚାଲି କେହି ଆହତ ହେଲେ ବା ନିହତ ହେଲେ ବିଚାର ବିଭାଗୀୟ ତଦନ୍ତ ଦାବି ଇତ୍ୟାଦି ତଦନ୍ତ ହୋଇଥାନ୍ତା ଏବଂ ଅନ୍ୟ ପକ୍ଷରେ କୁହା ହୋଇଥାନ୍ତା ଯେ ନକ୍‍ସଲବାଦୀମାନେ ଏସବୁ କରାଉଛନ୍ତି । ଏ ଗୋଳମାଳ ଭିତରେ ମୂଳ ବିଷୟବସ୍ତୁକୁ ସମସ୍ତେ ଭୁଲି ଯାଇଥାନ୍ତେ ଓ ରେଲଯାତ୍ରୀ, ବସଯାତ୍ରୀ ଓ ସାଧାରଣ ଦୋକାନୀମାନଙ୍କ ପରି ଶହ ଶହ ହଜାର ହଜାର ମଝି ଲୋକେ ହଇରାଣ ହରକତ ଓ କ୍ଷତିଗ୍ରସ୍ତ ହେଉଥାନ୍ତେ । ତେଣେ ଚିତ୍କାର ଉଠୁଥାନ୍ତା ‘ଗଣତନ୍ତ୍ର ବିପଦାପନ୍ନ’ ସର୍ବୋଦୟ ନେତାମାନେ ବାହାରିପଡ଼ି ଶାନ୍ତିର ବାର୍ତ୍ତା ପ୍ରଚାର କରୁଥାନ୍ତେ ।

 

ଆମେରିକାର ଆଚାର ଓ ଭାରତର ଆଚାର ଭିତରେ ପ୍ରଭେଦ ଏହି । ଏ ପ୍ରଭେଦର ମୂଳ ଅନୁସନ୍ଧାନ କଲେ ଜଣାଯିବ ଯେ ଆମେରିକାର ଜନମତ ସ୍ୱତଃ ପ୍ରକାଶ ପାଉଛି; ଏଠି ଜନମତ ସ୍ୱତଃ ପ୍ରକାଶ ପାଉନାହିଁ । ଟାଣି ଓଟାରି କୌଣସି କୌଣସି ବିଷୟରେ କେତେକଙ୍କଦ୍ୱାରା ଆନ୍ଦୋଳନ ସୃଷ୍ଟି କରିବା ପାଇଁ ଉଦ୍ୟମ କରାହେଉଛି । ଛାତ୍ର ଇଉନିଅନର ନିର୍ବାଚନ ପାଇଁ ମଧ୍ୟ କୌଣସି ନା କୌଣସି ଅଭିଯୋଗରେ ଆନ୍ଦୋଳନ ହୋଇଛି । ସର୍ବଦଳୀୟ ‘ସଂଗ୍ରାମ ସମିତି’, ‘ସଂଗ୍ରାମ’ ପୁଣି କେନ୍ଦ୍ର ସହିତ ପ୍ରଦେଶର ଓ ସେଥିରେ ଅଂଶ ଗ୍ରହଣ କରନ୍ତେ ସର୍ବଭାରତୀୟ ଦଳମାନେ– ବାମ, ଦକ୍ଷିଣ ସମସ୍ତେ । ବଢ଼ି ମରୁଡ଼ିର ପ୍ରତିକାର କଥା କୁଆଡ଼େ ଗଲା, ‘କ୍ରିୟାନୁଷ୍ଠାନ କମିଟି’ ହୁଏ ରିଲିଫ ପାଇଁ । ଏହିପରି ସମସ୍ତ ପ୍ରକାର ‘ସଂଗ୍ରାମ’ରେ ଭାରତର ରେଲବିଭାଗ, ସରକାରୀ ବସ ବିଭାଗ ଓ ସ୍କୁଲ କଲେଜରେ ଯନ୍ତ୍ରପାତି ଓ ଆସବାବପତ୍ରକୁ ଯେ ନଷ୍ଟ କରାଯାଏ, ସବୁର ପରିଣାମ ବାର୍ଷିକ ପ୍ରାୟ ପାଞ୍ଚକୋଟିରୁ ଊର୍ଦ୍ଧ୍ୱ । ଏହାଛଡ଼ା ଦୋକାନ ପତ୍ର ଲୁଟ ଓ କଳ କାରଖାନା ପୋଡ଼ାର ହିସାବ ଅଲଗା କରିବାକୁ ହେବ ।

 

ଦେଶ ଦେଶ ଭିତରେ ଏହି ଆଚାର ଭେଦ କୌତୂହଳପ୍ରଦ ଓ ଅନୁଶାସନର ବିଷୟ ।

Image

 

୧-୬-୭୦

ସୋମବାର

 

ଓଧ ସାଙ୍ଗରେ ଭୁଆ ବିରାଡ଼ି ବାଇ

 

ଓଧ ପାଣିରେ ପଶି ମାଛ ଖାଇବା ଦେଖି ଭୁଆ ବିରାଡ଼ି ପାଣିରେ ପଶ ବୁଡ଼ି ମରିବାର ଢଗ ଗାଁ ଲୋକେ ଜାଣନ୍ତି । ସେହିପରି ଓଡ଼ିଶାରେ ଡି: ଏମ: କେ: ପରି ଦଳ ଗଠନ, ମାନ୍ଦ୍ରାଜର ଡି: ଏମ: କେ ଦଳକୁ ଅନୁକରଣ କରି ଅନ୍ୟ ପ୍ରଦେଶରେ ପ୍ରାଦେଶିକ ଦଳ ଗଠନ କରିବା ପୂର୍ବରୁ ମାନ୍ଦ୍ରାଜର ପୂର୍ବ ବୃତ୍ତାନ୍ତ ଜାଣିବା ଉଚିତ । ମାନ୍ଦ୍ରାଜରେ ବ୍ରାହ୍ମଣ ଅବ୍ରାହ୍ମଣ ବିବାଦ ଅନ୍ତତଃ ଷାଠିଏ ବର୍ଷ ପୂର୍ବରୁ ତିକ୍ତ ହୋଇଆସୁଥିଲା । ଇଂରେଜମାନଙ୍କ ସମୟରେ ମାନ୍ଦ୍ରାଜରେ ଜଷ୍ଟିସ ପାର୍ଟି ନାମରେ ଏକ ଦଳ ଅବ୍ରାହ୍ମଣମାନଙ୍କଦ୍ୱାରା ଗଠିତ ହୋଇଥିଲା । ସେତେବେଳେ ସବୁ କ୍ଷେତ୍ରରେ କେବଳ ବ୍ରାହ୍ମଣମାନେ ଥିଲେ । ସେହିମାନଙ୍କ ଭିତରୁ ନରମପନ୍ଥୀ, ଚରମପନ୍ଥୀ ଓ ଅନ୍ୟ ପନ୍ଥୀ ହେଉଥିଲେ । ଭୋଟଦ୍ୱାରା ପ୍ରତିନିଧି ନିର୍ବାଚନ ପ୍ରଥା ଆରମ୍ଭ ହେବାରେ ଜଷ୍ଟିସ ପାର୍ଟି କ୍ରମେ ଶାସନକୁ ଆସିଲେ । ଓଡ଼ିଶାରୁ ଖଲିକୋଟ ରାଜା, ପାରଳାଖେମୁଣ୍ଡି ମହାରାଜା ଏମାନେ ସମସ୍ତେ ଜଷ୍ଟିସ ପାର୍ଟିରେ ଯୋଗ ଦେଇଥିଲେ । ଜାତୀୟତା ଆନ୍ଦୋଳନରେ ବ୍ରାହ୍ମଣମାନେ ହିଁ ନେତୃତ୍ୱ ନେଇଥିଲେ । କଂଗ୍ରେସ ନିର୍ବାଚନରେ ଯୋଗ ଦେବା ପରେ କଂଗ୍ରେସ ନେତା ବ୍ରାହ୍ମଣମାନେ ଶାସନକୁ ଆସିଲେ । ସେହି ସମୟରେ ମୁନିତ୍ର କଡ଼ଗମ ନାମକ ଏକ ସଂସ୍ଥା ରାମସ୍ୱାମୀ ନାରକାର ସ୍ଥାପନ କଲେ । ଏହା କେବଳ ବ୍ରାହ୍ମଣ ବିରୋଧୀ ନଥିଲା, ଏହା ଭାରତ ବିରୋଧୀ ମଧ୍ୟ ଥିଲା । ତତ୍‌କାଳୀନ ନେତା ସତ୍ୟମୂର୍ତ୍ତି (ବ୍ରାହ୍ମଣ) ଅବ୍ରାହ୍ମଣମାନଙ୍କ ଭିତରେ କଂଗ୍ରେସ କାର୍ଯ୍ୟ କରିବାପାଇଁ କାମରାଜ ନାଦରଙ୍କୁ ଉତ୍ସାହ ଓ ପ୍ରଶ୍ରୟ ଦେଇଥିଲେ । କ୍ରମେ କାମରାଜଙ୍କ ପ୍ରତିପତ୍ତି ବଢ଼ିବାରୁ ସେ ରାମସ୍ୱାମୀ ନାରକାରଙ୍କ ସହିତ ଅବ୍ରାହ୍ମଣ ସୂତ୍ରରେ ବନ୍ଧୁତା ସ୍ଥାପନ କଲେ । ଏହା ଫଳରେ କ୍ରମେ କଂଗ୍ରେସ ଭିତରେ ଅବ୍ରାହ୍ମଣ ପ୍ରଭାବ ବଢ଼ିଲା ଓ ମୁନିତ୍ର କଡ଼ଗମର ପ୍ରଭାବ କମିଲା । ଏ ସଂସ୍ଥା ନରମପନ୍ଥୀ ହୋଇଯିବାରୁ ଡି. ଏମ. କେ. ନାମକ ଚରମପନ୍ଥୀ ଦଳ ସୃଷ୍ଟି ହେଲା । ଭାରତରୁ ଅଲଗା ହୋଇଯିବା, ଭାରତର ଶାସନ ବିଧାନକୁ ନ ମାନିବା, ଏପରିକି ଜାତୀୟ ପତାକାକୁ ପୋଡ଼ିବା ଏହି ଡି. ଏମ. କେ. ଦଳର କାର୍ଯ୍ୟକ୍ରମ ହେଲା । ଏହିମାନଙ୍କ ଆନ୍ଦୋଳନ ଫଳରେ ମାନ୍ଦ୍ରାଜ ରାଜନୀତିରୁ ଶିକ୍ଷାକ୍ଷେତ୍ରରୁ ଚାକିରି କ୍ଷେତ୍ରରୁ, ସବୁ କ୍ଷେତ୍ରରୁ ବ୍ରାହ୍ମଣମାନେ କ୍ରମେ ବହିଷ୍କୃତ ହୋଇଗଲେ । ଗତ ସାଧାରଣ ନିର୍ବାଚନରେ ଏହି ଦଳ ସ୍ୱତନ୍ତ୍ର ଓ କମ୍ୟୁନିଷ୍ଟ ଦଳ ସହିତ ନିର୍ବାଚନ ମେଣ୍ଟ ବାନ୍ଧିଥିଲେ; କିନ୍ତୁ ଏକାକୀ ଡି. ଏମ. କେ. ସଂଖ୍ୟାଗରିଷ୍ଠ ହେବାରୁ ଏମାନେ ଶାସନର ଦାୟିତ୍ୱ ନେଲେ । ଏମାନେ ହିନ୍ଦୀ ଭାଷା ବ୍ୟବହାର ବନ୍ଦ କରାଇଲେ ଓ ପ୍ରବଳ ଆନ୍ଦୋଳନ ହିନ୍ଦୀ ଓ ଭାରତ ବିରୁଦ୍ଧରେ ଚାଲିଲା । ଏମାନଙ୍କ ନେତା ଆନାଦୁରାଇ ଅତି ଜନପ୍ରିୟ ତୀକ୍ଷ୍‌ଣ ରାଜନୀତିଜ୍ଞ ଥିଲେ । ତାଙ୍କରି ନେତୃତ୍ୱରେ ଭାରତ ବିରୋଧ ଆନ୍ଦୋଳନର ଉପସମ ଘଟିଥିଲା; କିନ୍ତୁ ଏ ଦଳର ନିର୍ଦ୍ଦିଷ୍ଟ ମତ ଯେ ତାମିଲ ସଂସ୍କୃତି ଆର୍ଯ୍ୟ ସଂସ୍କୃତିଠାରୁ ଭିନ୍ନ ଓ ମହତ୍ତର ଏବଂ ବ୍ରାହ୍ମଣମାନେ ଆର୍ଯ୍ୟ ସଂସ୍କୃତିଦ୍ୱାରା ପ୍ରଭାବିତ । ଏହି ଦଳକୁ ସହାନୁଭୂତିର ସହିତ ବିଚାରକୁ ନେବା ଭାରତର ନୀତି ହୋଇଛି ।

 

ସେହିପରି ମହାରାଷ୍ଟ୍ରରେ ମରହଟ୍ଟା ଜାତିର ଲୋକେ କ୍ରମେ କଂଗ୍ରେସକୁ ଦଖଲକରି ବ୍ରାହ୍ମଣମାନଙ୍କୁ ସାତପାଞ୍ଜିରୁ ବିଦା କରିଛନ୍ତି । ଏଠାର ଅବ୍ରାହ୍ମଣ ସଂହତିର ଏହାର ପରିଣତି ‘ଶିବସେନା’, ଡି. ଏମ. କେ.କୁ ଅନ୍ୟ କୌଣସି ପ୍ରଦେଶରେ ଅନୁକରଣ କରିହେବ ନାହିଁ । କାରଣ ସ୍ୱତନ୍ତ୍ର ସଂସ୍କୃତି, ସ୍ୱତନ୍ତ୍ର ଭାଷା, ସ୍ୱତନ୍ତ୍ର ସଭ୍ୟତାର ଦାବି କରି ଏ ଦଳ ଗଠିତ ହୋଇଛି ଓ କାର୍ଯ୍ୟ କରୁଛି । ଏହା ଏକ ବିଶୁଦ୍ଧ ରାଜନୈତିକ ଦଳ ନୁହେଁ, ଅନ୍ୟଠି ସେ ପ୍ରକାର ସ୍ୱତନ୍ତ୍ର୍ୟ ଦାବି କରି ହେବନାହିଁ କି ଦାବିକଲେ ତାହା ଜନମତ ଗ୍ରହଣ କରିବନାହିଁ । ଯେଉଁ ସାମାଜିକ ସ୍ଥିତିରେ ଡ. ଏମ. କେ. ର ଭଦ୍ଭବ ବା ଯେଉଁ ସାମାଜିକ ସ୍ଥିତିରେ ମହାରାଷ୍ଟ୍ରରେ ‘ଶିବ ସେନା’ର ଉଦ୍‌ଭବ, ସେ ସାମାଜିକ ସ୍ଥିତି ଓଡ଼ିଶାରେ ନାହିଁ, ଏହା ଭଲ ଭାବରେ ବୁଝିବା ଉଚିତ ।

 

ଡି. ଏମ. କେ. ଦଳର ନୀତି ହେଉଛି ଯେ ଯେତେଦିନ ପର୍ଯ୍ୟନ୍ତ ତାମିଲ ରାଜ୍ୟ ଭାରତରୁ ବିଚ୍ଛିନ୍ନ ନ ହୋଇଛି, ସେତେଦିନ ପର୍ଯ୍ୟନ୍ତ ଏ ଦଳ କେନ୍ଦ୍ର ଶାସନକୁ ସମର୍ଥନ କରିବ– କେନ୍ଦ୍ର ଶାସନରେ ଯେ ଥାଆନ୍ତୁ ପଛକେ । ଘଟଣାଚକ୍ରରେ କଂଗ୍ରେସ ଦୁଇଭାଗ ହୋଇଯିବାରୁ ଆଜି ଇନ୍ଦିରା ଗାନ୍ଧୀ ଡି. ଏମ. କେ. ଦଳର ସହାୟତା ଲୋଡ଼ୁଛନ୍ତି; କିନ୍ତୁ ପୂର୍ବରୁ ଏ ଦଳର ସହାୟତା ନ ଲୋଡ଼ିଲେ ମଧ୍ୟ ଏ ଦଳ କେନ୍ଦ୍ର ଶାସନକୁ ସମର୍ଥନ କରୁଥିଲେ । ତାହାହିଁ ମହାରାଷ୍ଟ୍ରର ନୀତି । କେନ୍ଦ୍ର ଶାସନ ବିରୁଦ୍ଧରେ ପ୍ରାଦେଶିକ ଦଳ ଗଠନ ଏକ ବ୍ୟର୍ଥ ଉଦ୍ୟମ ।

Image

 

୨୬-୯-୭୦

ଶନିବାର

 

ମୂର୍ଖ ପଣ୍ଡିତ ସମସ୍ୟା

 

ଆମ ଦେଶରେ ଓ ସମାଜରେ ଅଧିକାଂଶ ଲୋକ କୌଣସି ସ୍କୁଲ କଲେଜରେ ପାଠ ପଢ଼ି ନଥିଲେ ମଧ୍ୟ ପରମ୍ପରାକ୍ରମେ ସେମାନଙ୍କ ମଧ୍ୟରେ ଯେଉଁ ସବୁ ଗଳ୍ପ ପ୍ରଚଳିତ ଅଛି; ସେଥିରେ ସେମାନଙ୍କ ସାଧାରଣ ଜ୍ଞାନ ଯେପରି ଉନ୍ନତ, ସେପରି ଅନ୍ୟ ଅନେକ ଦେଶରେ ନାହିଁ । ପୂର୍ବେ ବିଷ୍ଣୁ ଶର୍ମାଙ୍କ ପରି ବିଚକ୍ଷଣ ରାଜନୀତିଜ୍ଞ, ପଞ୍ଚତନ୍ତ୍ର ହିତୋପଦେଶ ଓ କଥା ସରିତ୍‌ ସାଗର ପ୍ରଭୃତିରେ ଯେଉଁ ସବୁ ଗଳ୍ପ ଲେଖି ଯାଇଛନ୍ତି, ସେଥିରୁ ଜଣକର ସାଧାରଣ ଜ୍ଞାନ ଯେପରି ବିକାଶ ଲାଭକରିଛି, ସ୍କୁଲ କଲେଜ ପାଠପଢ଼ାରୁ ତା’ର ଶତାଂଶରୁ ଏକାଂଶ ସୁଦ୍ଧା ହେଉନାହିଁ; କିନ୍ତୁ ଏହି ସ୍କୁଲ କଲେଜ ପଢ଼ା ସବୁ କ୍ଷେତ୍ରରେ ଅଧିକାର ଜମେଇ ବସିଛନ୍ତି । ଏଣୁ ଏମାନଙ୍କ କାର୍ଯ୍ୟକଳାପକୁ ସାଧାରଣ ଲୋକେ ଦୂରରୁ ବିଚାର କରି ଏପରି ଏକ ଅବସ୍ଥାକୁ ଆସିଲେଣି; ଯେଉଁଥିରେ ସେମାନଙ୍କ ବିଶ୍ୱାସ ସମସ୍ତଙ୍କ ପ୍ରତି କ୍ରମେ ତୁଟିଯାଉଛି । ଜଣେ ପୂର୍ବକାଳର ଗଳ୍ପ ପଢ଼ା ସାଧାରଣ ଲୋକ ଦୃଷ୍ଟିରୁ ଆଜି ଯାହା ଘଟୁଛି ତାକୁ କଣ ବିଚାର କରୁଥିବ ଅନୁମାନ କରନ୍ତୁ ।

 

ସୈନ୍ଧବ ଶବ୍ଦର ଦୁଇ ଅର୍ଥ, ଗୋଟିଏ ହେଉଛି ଲୁଣ ଓ ଅନ୍ୟଟି ହେଉଛି ଘୋଡ଼ା । ଜଣେ ଯଦି ଖାଇବସିଲାବେଳେ ସୈନ୍ଧବ ମାଗେ, ତେବେ ତାଙ୍କୁ ଲୁଣ ପରିବର୍ତ୍ତେ ଯଦି ଏକ ଘୋଡ଼ା ଆଣି ଛିଡ଼ା କରାଇ ଦିଆଯାଏ ତେବେ ତାହା ଏକ ମୂର୍ଖପଣ୍ଡିତ ସମସ୍ୟା । ସେହିପରି ଯଦି କୌଣସି କଥାରେ ସରକାର ଘୋଷଣା କରନ୍ତି ଯେ ସେ କୌଣସି ବିଷୟକୁ ନିଜର ଅଫିସରମାନଙ୍କ ଦ୍ୱାରା ପରୀକ୍ଷା କରାଇବା ପରେ ପୁଣି ସେହି ବିଷୟକୁ ଜଣେ ବିଚାରପତିଙ୍କଦ୍ୱାରା ପରୀକ୍ଷା କରାଉଛନ୍ତି, ତେବେ ଏଥିରୁ ଏତିକି ତ ସାଧାରଣ ଜ୍ଞାନରେ ଜଣେ ବୁଝିବ ଯେ ବିଷୟଟିର ବିଚାର ବିଭାଗୀୟ ପରୀକ୍ଷା ହେବାକୁ ଯାଉଛି; କିନ୍ତୁ ଯଦି ଏହି ସମସ୍ୟା କଥାକୁ ଏଣୁ ତେଣୁ ତର୍କ ଯୁକ୍ତିକରି କୁହାଯାଏ ଯେ ବିଚାରପତି ଯାହା, ଅନ୍ୟ ଜଣେ ଅଫିସର ମଧ୍ୟ ତାହା, କେବଳ ଜଣେ ସାଧାରଣ ଲୋକ ପକ୍ଷରେ ମୂର୍ଖ ପଣ୍ଡିତ ସମସ୍ୟା ଉପୁଜିବା ନିଶ୍ଚିତ । ତେଣିକି ତାହାର ବିଶ୍ୱାସ ତୁଟିବ ।

 

ସେହିପରି ଜମି ଦଖଲ ଆନ୍ଦୋଳନ । ଦଳ ଭିତରେ ପ୍ରତିଦ୍ୱନ୍ଦ୍ୱିତା ଚାଲିଛି । ସାଧାରଣ ଜ୍ଞାନ ଥିବା ଜଣେ ଲୋକର ମନରେ ପ୍ରଶ୍ନ ଉଠିବ, ଏତେ ଜମି ଅନାବାଦି ପଡ଼ିଛି, ତାକୁ ଦଖଲ କରି ଚାଷ କରିବା ପରିବର୍ତ୍ତେ ୟା ତା’ ଜମି ଯେଉଁଠି ଯେ କୌଣସି ସର୍ତ୍ତରେ ଅନ୍ୟମାନେ ଚାଷ କରୁଛନ୍ତି, ତାକୁ ଦଖଲ କରିବାକୁ କାହିଁକି ବାହାରିଛନ୍ତି ? ଏଥି ସହିତ ଆସନ୍ତା ନିର୍ବାଚନର କିଛି ସମ୍ପର୍କ ନିଶ୍ଚୟ ଥିବ । ଏ ସନ୍ଦେହ ହେଉଛି ଏକ ମୂର୍ଖ ପଣ୍ଡିତ ସମସ୍ୟା । ଜମି ଦଖଲ ପୁଣି ଠିକ୍‌ ବ୍ୟବସ୍ଥାସଭାର ଅଧିବେଶନ ବେଳେ ଓ ଜମି ଅନ୍ୟ କାହାରି ଦ୍ୱାରା ଚାଷ ହୋଇସାରିଲା ପରେ ସେହି ଜମିକୁ ଅନ୍ୟମାନେ ଯାଇ ଦଖଲ କରିବା କଥାଟି ସାଧାରଣ ଜ୍ଞାନର ବହିର୍ଭୂତ । ଇସ୍ପାତ କାରଖାନା ବଡ଼ ନାଁ ଭୂମିହୀନ ଲୋକେ ଜମି ପାଆନ୍ତୁ ଏକଥା ବଡ଼ ? ଇସ୍ପାତ କାରଖାନା ପାଇଁ ସର୍ବଦଳୀୟ ଆନ୍ଦୋଳନ ଓ ଜମି ଦଖଲ ପାଇଁ ଦଳମାନଙ୍କ ଭିତରେ ପ୍ରତିଦ୍ୱନ୍ଦ୍ୱିତା ଏଥିରୁ ଜଣେ ସାଧାରଣ ଜ୍ଞାନର ଯାହା ବୁଝିବ ତାହା ସହଜରେ ଅନୁମାନ କରିହେବ ।

 

ବେକାର ସମସ୍ୟା ଦୂର କରିବା ପାଇଁ ଯେଉଁଠି ବେକାର ଲୋକଙ୍କ ହିସାବ କିତାବ ରହୁଛି, ସେଠି ପଶି ସେ କାଗଜ ପତ୍ରକୁ ନଷ୍ଟ କରିବା ସେହିପରି ଏକ ମୂର୍ଖ ପଣ୍ଡିତ ସମସ୍ୟା ।

 

ଅତିରିକ୍ତ ବର୍ଷାହୋଇ କଟକ ସହରର କେତେକ ଅଞ୍ଚଳ ବୁଡ଼ିଗଲା । ସେଥିପାଇଁ ଦାୟୀ ହେଲା ଭୁବନେଶ୍ୱରରେ ରାଜଧାନୀ ସ୍ଥାପନ ବୋଲି ଯଦି କୁହାଯାଏ, ତେବେ କଲିକତା ସହରର କେତେକ ଅଞ୍ଚଳ ବୁଡ଼ିଯିବାର କାରଣ କଲିକତାରୁ ରାଜଧାନୀ ଦିଲ୍ଲୀକୁ ଉଠିଯିବା ହେବ । ପୁଣି ହାଇଦରାବାଦ ସହର କାହିଁକି ବୁଡ଼ିଗଲା ? ହୁଏତ ଏହା କୁହାଯିବ ଯେ ନିଜାମଙ୍କ ଭତ୍ତା କଟାଇ ଦେବାରୁ ତାହା ହେଲା । ଏହିପରି ଯଦି ଦାୟିତ୍ୱସମ୍ପନ୍ନ ସ୍ତରରେ ଯୁକ୍ତି କରାଯାଏ ବା ଏହି ସବୁ କଥା କହି ଜନପ୍ରିୟତା ଅର୍ଜ୍ଜୁନ କରିବାର ଉଦ୍ୟମ ହୁଏ ତେବେ ସାଧାରଣ ଲୋକେ କାହାକୁ କଅଣ ପାଇଁ ବିଶ୍ୱାସ କରିବେ ? ବାସ୍ତବିକ ଚାରିଆଡ଼େ ମୁର୍ଖ ପଣ୍ଡିତ ସମସ୍ୟା ଯେପରି ପ୍ରକାଶ ପାଉଛି, ସେଥିରେ ସାଧାରଣ ଲୋକଙ୍କ ସବୁ କଥା ପ୍ରତି ବିଶ୍ୱାସ ତୁଟିଯାଉଛି । ବଶ୍ୱାସ ତୁଟିଲାରୁ ହିଂସା ଆଡ଼କୁ ମନ ଯାଉଛି । ସେ ଯାହା କରନ୍ତୁ ବା କହନ୍ତୁ, ସବୁବେଳେ ଜଣେ ସାଧାରଣ ଜ୍ଞାନ ଥିବା ଲୋକକୁ ଆଖି ଆଗରେ ରଖିଲେ ମୂର୍ଖ ପଣ୍ଡିତ ସମସ୍ୟାର ସମାଧାନ ହୋଇପାରିବ । ଯେତେ ପାଠ ଯେ ପଢ଼ିଥାଉ, ଯେ କୌଣସି ଅଧିକାରରେ ଯେ ଥାଉ, ସାଧାରଣ ଜ୍ଞାନ ନଥିଲେ ମୁର୍ଖଙ୍କ ପରି ସେ କାର୍ଯ୍ୟ କରିବେ ଓ ସେହି ହେଉଛନ୍ତି ହିଂସାର କାରଣ ।

Image

 

୨୪-୪-୭୧

ଶନିବାର

 

ଛାତ୍ର ରାଜନୀତି

 

ଛାତ୍ରମାନେ ବିଶେଷତଃ କଲେଜ ଛାତ୍ରମାନେ ରାଜନୀତିରେ ଅଂଶ ଗ୍ରହଣ କରିବେ କି ନାହିଁ, ଏ ବିଷୟ ଆଉ ବିପଦମାନ ଅବସ୍ଥାରେ ନାହିଁ । ଭୋଟ ଦେବାର ବୟସ ଏକୋଇଶ ବର୍ଷରୁ କମାଇ ଅଠର ବର୍ଷ ଯେତେବେଳେ ଅନ୍ୟ ଅନେକ ଦେଶରେ ହେଲାଣି ଓ ଭାରତରେ ମଧ୍ୟ ତାହା ହିଁ କରିବା ପାଇଁ ଅନେକ ଆଡ଼ୁ ମତ ପ୍ରକାଶ ପାଇଲାଣି, ସେତେବେଳେ ସେହି ବୟସର ଛାତ୍ରମାନେ ରାଜନୀତିରେ ଆଗ୍ରହୀ ହେବେ ହିଁ ହେବେ ଓ ହେବା ହିଁ ଉଚିତ । ଅନେକ ମନେ କରନ୍ତି ସ୍ୱାଧୀନତା ଆନ୍ଦୋଳନବେଳେ ଛାତ୍ରମାନଙ୍କୁ ରାଜନୈତିକ କାର୍ଯ୍ୟରେ ମତାଇ ଦିଆ ହୋଇଥିଲା । ଯୁବକମାନଙ୍କୁ ଯେଉଁ ଉଦ୍‌ବୋଧନ ଦିଆଯାଏ, ତାହା ଛାତ୍ରମାନଙ୍କ କାନରେ ବାଜିବ ଓ ମନରେ ମଧ୍ୟ ପ୍ରତିଧ୍ୱନିତ ହେବ । ସ୍ୱାଧୀନତା ଆନ୍ଦୋଳନ ପରେ, ବହୁବର୍ଷ କାଳ ଛାତ୍ରମାନଙ୍କ ମଧ୍ୟରେ ରାଜନୈତିକ ବିଚାରରୁ ଅନୁଷ୍ଠାନମାନ କାର୍ଯ୍ୟ କରୁଥିଲା । ଆଜି ତାହା ନାହିଁ । ମନେହୁଏ ଏହା ୧୯୬୫-୬୬ରୁ ବନ୍ଦ ହୋଇଗଲା । ତତ୍‌ପୂର୍ବରୁ ଦୁଇଟି ସର୍ବଭାରତୀୟ ଛାତ୍ର ଅନୁଷ୍ଠାନ ଥିଲା ଓ ଏହାର ଶାଖା ପ୍ରାୟ ପ୍ରତ୍ୟେକ କଲେଜରେ ଥିଲା । ଗୋଟିଏ ଥିଲା ଛାତ୍ର ଇଉନିଅନ ଓ ଆଉ ଗୋଟିଏ ଥିଲା ଛାତ୍ର ଫେଡ଼େରେସନ । ଛାତ୍ର ଫେଡ଼େରେସନ କମ୍ୟୁନିଷ୍ଟ ମତବାଦଦ୍ୱାରା ପ୍ରଭାବିତ ଓ ଛାତ୍ର ଇଉନିୟନ ମୁଖ୍ୟତଃ କଂଗ୍ରେସଦ୍ୱାରା ପ୍ରଭାବିତ ହେଉଥିଲା । ସେତେବେଳେ କମ୍ୟୁନିଷ୍ଟ ଓ ଅଣକମ୍ୟୁନିଷ୍ଟ ଏହିପରି ଭାବରେ ଛାତ୍ର ରାଜନୀତି ରୂପ ନେଇଥିଲା । ପୁଣି ପରେ ଜନସଂଘ ମତବାଦ ମଧ୍ୟ ଛାତ୍ର ରାଜନୀତିରେ ପ୍ରବେଶ କଲା ଓ ଏମାନଙ୍କ ସଂସ୍ଥା ବିଦ୍ୟାର୍ଥୀ ପରିଷଦ ମଧ୍ୟ ସର୍ବଭାରତୀୟ ଅନୁଷ୍ଠାନ ଥିଲା । କ୍ରମେ କଂଗ୍ରେସ ଭିତରେ, ମତଭେଦ, କମ୍ୟୁନିଷ୍ଟ ପାର୍ଟିରେ ମତଭେଦ ଘଟିବା ଫଳରେ ସେ ମତଭେଦ ଛାତ୍ର ଅନୁଷ୍ଠାନମାନଙ୍କ ମଧ୍ୟରେ ପ୍ରବେଶ କରି ଓ ପରିମାଣରେ ଛାତ୍ରମାନଙ୍କ ମଧ୍ୟରେ ସାଧାରଣ ଭାବରେ କୌଣସି ରାଜନୈତିକ ମତବାଦର ପ୍ରଭାବ ରହିଲାନାହିଁ । ଏହା ଫଳରେ ଦେଶର ରାଜନୀତିଠାରୁ ଶିକ୍ଷିତ ଯୁବସମାଜ ବସ୍ତୁତଃ ସଂପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଛି । ନିର୍ଦ୍ଦିଷ୍ଟ ମତବାଦ ଘେନି ସର୍ବଭାରତୀୟ ଛାତ୍ର ଅନୁଷ୍ଠାନ ନ ରହିବାରୁ କଲେଜମାନଙ୍କରେ ଛାତ୍ର ଇଉନିଅନମାନଙ୍କର ଯେଉଁ ନିର୍ବାଚନ ହେଉଛି, ସେଥିରେ ବହୁ ଅର୍ଥ ବ୍ୟୟ ହେଉଛି ଓ ଇଉନିଅନର କୌଣସି ରାଜନୈତିକ ଭୂମିକା ରହୁନାହିଁ । ଏଥିପାଇଁ ଯେ ଛାତ୍ର ସମାଜ ଦାୟୀ ତାହା ନୁହେଁ । ନିର୍ଦ୍ଦିଷ୍ଟ ମତବାଦ ଘେନି ରାଜନୈତିକ ଦଳମାନେ ପରିଚାଳିତ ହେଉ ନଥିବାରୁ ତାହାର ପ୍ରଭାବ ଛାତ୍ରମାନଙ୍କ ଉପରେ ପଡ଼ୁଛି । ସୁବିଧାବାଦ ହିଁ ମତବାଦ ବୋଲି ଅନେକ ମନେ କରି ନେଉଛନ୍ତି । ତଥାପି ଛାତ୍ର ଫେଡ଼େରେସନ ଓ ବିଦ୍ୟାର୍ଥୀ ପରିଷଦ ବର୍ତ୍ତମାନ ସୁଦ୍ଧା ଜୀବିତ ଅଛନ୍ତି ଓ ସେମାନଙ୍କ ଭିତରେ ରାଜନୈତିକ ମତବାଦ କାର୍ଯ୍ୟ କରୁଛି । ତା ବାହାରେ ଅନ୍ୟ କୌଣସି ରାଜନୈତିକ ମତବାଦକୁ ଆଶ୍ରୟ କରି ସବୁ କଲେଜରେ କାର୍ଯ୍ୟ କରୁଥିବା ଛାତ୍ର ଅନୁଷ୍ଠାନ ବୋଧହୁଏ ନାହିଁ ।

 

ଏହା ଏକ ଭାରତର ରାଜନୈତିକ ସମସ୍ୟା । ସମାଜବାଦ ଦେଶରେ ଗୃହୀତ ହୋଇଛି-। ଏହାରି ନାମରେ ବ୍ୟବସ୍ଥା ସଭାମାନଙ୍କୁ ପ୍ରତିନିଧି ଗଲେ ଯେ କାମ ହୋଇଯିବ, ତାହା କଦାପି ନୁହେଁ । ଶାସନ ମାଧ୍ୟମରେ ସମାଜବାଦ ସ୍ଥାପନ କରିବାକୁ ହେଲେ ଶାସନର ସବୁ ଅଙ୍ଗ ସେହି ନୀତିରେ ପ୍ରଭାବିତ ହେବା ଆବଶ୍ୟକ । ଆଜି ଯେ ଶାସନ କ୍ଷେତ୍ରରେ ସାଧାରଣ ଲୋକ ସହାନୁଭୂତି ତ ଦୂରର କଥା, ସାଧାରଣ ସମ୍ମାନ ଟିକିଏ ସୁଦ୍ଧା ପାଉ ନାହାନ୍ତି । ତାହାର କାରଣ ହେଉଚି, ଛାତ୍ରାବସ୍ଥାରେ ବିଭିନ୍ନ ବିଭାଗର ଅଫିସରମାନେ କୌଣସି ନିର୍ଦ୍ଦିଷ୍ଟ ରାଜନୈତିକ ମତବାଦଦ୍ୱାରା ପ୍ରଭାବିତ ହୋଇନାହାନ୍ତି । ଯଦି କୌଣସି ମତବାଦ କାର୍ଯ୍ୟ କରିଥାଏ, ତେବେ ତାହା ହେଉଛି ସୁବିଧାବାଦ । ସେଥିରେ ସାଧୁତା ନାହିଁ କି ସୌଜନ୍ୟ ନାହିଁ ।

 

ଅବଶ୍ୟ ଆଜିର ରାଜନୈତିକ ପରିସ୍ଥିତିରେ ନିର୍ଦ୍ଦିଷ୍ଟ ମତବାଦ ଘେନି ସର୍ବଭାରତୀୟ ଛାତ୍ର ଅନୁଷ୍ଠାନ ଗଢ଼ିବା ସମ୍ଭବ ନୁହେଁ । ସେଥିପାଇଁ ସମୟ ଓ ଶକ୍ତି ଦେବାପାଇଁ ଲୋକ ମଧ୍ୟ ନାହାନ୍ତି । ପ୍ରାଦେଶିକ ସ୍ତରରେ ଏ ଦିଗରେ ଉଦ୍ୟମ ହେଲେ ହୁଏତ ଏହା କାର୍ଯ୍ୟକାରୀ ହୋଇପାରେ; ମାତ୍ର ସେଥିପାଇଁ ସମୟ ଓ ଶକ୍ତି ଦେବାପାଇଁ ଛାତ୍ରମାନଙ୍କ ଭିତରୁ କେତେକ ବାହାରିବା ଉଚିତ । ଯଦି ପ୍ରାଦେଶିକ ସ୍ତରରେ ତାହା ସମ୍ଭବ ହୋଇ ନ ପାରୁଛି, ତେବେ କଲେଜ ସ୍ତରରେ ମଧ୍ୟ ତାହା ଆରମ୍ଭ କରାଯାଇପାରେ । ନିର୍ଦ୍ଦିଷ୍ଟ ମତବାଦ ଘେନି ରାଜନୈତିକ ଦଳମାନେ ଅଛନ୍ତି । ପ୍ରତ୍ୟେକ ଦଳର କୌଣସି ନା କୌଣସି ରାଜନୈତିକ ଦର୍ଶନ ଅଛି । ଯେଉଁମାନଙ୍କର ଯାହା ପ୍ରତି ଆଗ୍ରହ ତାହାକୁ ଆଶ୍ରୟ କରି କଲେଜ ସ୍ତରରେ ଆରମ୍ଭକଲେ କ୍ରମେ ତାହା ପ୍ରାଦେଶିକ ଓ ଶେଷରେ ସର୍ବ ଭାରତୀୟ ହୋଇଯିବ । ଏହା ନ ହୋଇ ପାରିଲେ, ଛାତ୍ରମାନଙ୍କର କର୍ମକ୍ଷମତା ଶୁଣା ଯାଉଥିବା କେବଳ ପରୀକ୍ଷା ସମୟରେ ଶିକ୍ଷକ-ଛାତ୍ର ବିବାଦ ଘେନି କିମ୍ବା ଇଉନିୟନ ନିର୍ବାଚନ ସମୟରେ କଲେଜର କୌଣସି ଅସୁବିଧାକୁ କେନ୍ଦ୍ର କରି ଆନ୍ଦୋଳନ ଚାଲିବା ବେଳେ । ଅନ୍ୟ ଦେଶରେ ଯେଉଁଠି ଛାତ୍ର ସମାଜ ବିକ୍ଷୁବ୍‌ଧ ଓ ଉଦ୍‌ବେଳିତ ସେଠି ନିର୍ଦ୍ଦିଷ୍ଟ ଦେଶର ରାଜନୈତିକ ସମସ୍ୟା ଛାତ୍ର ସମାଜରେ କାର୍ଯ୍ୟକରୁଛି; କିନ୍ତୁ ଆମ ଦେଶରେ ସେପରି ହେଉନାହିଁ । ଛାତ୍ରସମାଜ ତଥା ସାଧାରଣ ଯୁବ ସମାଜ ଏ ଦିଗରେ ଚିନ୍ତାକରିବା ଉଚିତ ।

Image

 

୧୫-୮-୭୨

ମଙ୍ଗଳବାର

 

ସେହି ସ୍ମରଣୀୟ ଦିବସ

 

ଶେଷରେ ଅନ୍ଧକାର ରାତ୍ରିର ଅବସାନ ହେଲା । ପୂର୍ବ ଦିଗ୍‌ବଳୟ ଗାଢ଼ ଲୋହିତ ବର୍ଣ୍ଣର ଆଭାରେ ଉଦ୍‌ଭାସିତ ହୋଇ ଉଠିଲା, ପ୍ରତ୍ୟୁଷର ସ୍ମିତ ହାସ୍ୟରେ । ଭାରତ ଇତିହାସରେ ଏକ ନୂତନ ଯୁଗର ଅୟମାରମ୍ଭ ବିଷୟ ଘୋଷଣା କରିବାକୁ ଉଷାର ଆଗମନ ହେଲା । ରାତିଅଧରୁ ଶୋଭାଯାତ୍ରାର କୋଳାହଳ ଜାତୀୟ ଓ ଭକ୍ତିଗୀତର ମୂର୍ଚ୍ଛନା ବାଦ୍ୟ ଓ ଶଙ୍ଖ ନାଦରେ କଟକ ସହର ମୁଖରିତ ହୋଇ ଉଠିଥିଲା ଏବଂ ସମଗ୍ର ସହରର ଲୋକେ ରାତ୍ରିର ଅନ୍ଧକାର ଦୂର କରିବାକୁ ସତେ ଯେପରି ଲାଗି ପଡ଼ିଥିଲେ । ଶହ ଶହ ବର୍ଷ ଧରି ଓଡ଼ିଶାର ରାଜା ଓ ସୁବେଦାରମାନଙ୍କ ଦୁର୍ଗ ହୋଇଥିବା ବାରବାଟୀ ଜିଲ୍ଲାସ୍ଥ ମୋର ସରକାରୀ ବାସଭବନରେ ବିଶ୍ରାମହୀନ ଭାବେ କେତେ ଘଣ୍ଟା ବିତାଇବା ପରେ ସୂର୍ଯ୍ୟୋଦୟ ପୂର୍ବରୁ ମୁଁ ଆମର ରାଜ୍ୟପାଳ ଡକ୍ଟର କୈଳାସନାଥ କାଟଜୁଙ୍କୁ ସାକ୍ଷାତ୍‌ କରିବାକୁ ଗଲି । ସେ ମଧ୍ୟ ଅନ୍ୟ ଏକ ଐତିହାସିକ ସ୍ଥାନ ‘‘ଲାଲବାଗ’’ରେ ରହୁଥିଲେ, ଯାହାକି ପ୍ରାୟ ଦୁଇଶହ ବର୍ଷ କାଳ ମୋଗଲମାନଙ୍କର ସରକାରୀ ବାସଭବନ ହୋଇଥିଲା । ସେତେବେଳକୁ ଡକ୍ଟର କାଟଜୁ ପ୍ରଫୁଲ୍ଲମନରେ ମୁଣ୍ଡ ତଳକୁକରି ତାଙ୍କ ‘କରିଡ଼ର’ରେ ବୁଲୁଥାନ୍ତି । ମୁଁ ତାଙ୍କ ନିକଟରେ ପହଞ୍ଚିବାମାତ୍ରେ ସେ ମୋ’ ହାତକୁ ଧରି ପକାଇ ମୋତେ କୁଣ୍ଢାଇ ପକାଇଲେ ଏବଂ ଭାବବିହ୍ୱଳ ସ୍ୱରରେ ପଚାରିଲେ, ‘ମହତାବ ସାହେବ, କେତେ ଶତାବ୍ଦୀ ପରେ ? ଉତ୍ତରରେ ମୁଁ କହିଲି, ‘‘ପ୍ରାୟ ୧ ହଜାର ବର୍ଷ ପରେ’ । ସେ ପୁଣି ଥରେ ମୋ’ ହାତକୁ ଧରି ପକାଇଲେ ଏବଂ କହିଲେ, ‘ତୁମେ ଜଣେ ଖାଣ୍ଟି ଐତିହାସିକ’ । ପରେ ଆମେ ଏକାଠି ବସି ଇତିହାସର କେଉଁକାଳରୁ ଭାରତୀୟ ଜନତା ପୂରାପୂରି ଭାବେ ରାଜନୀତି ପ୍ରତି ବୀତସ୍ପୃହ ହୋଇପଡ଼ିଲେ, ସେ ବିଷୟ ଆଲୋଚନା କଲୁ । ଏକାଦଶ ଶତାବ୍ଦୀରୁ ଆରମ୍ଭ କରି ତା’ ପରବର୍ତ୍ତୀ ଶତାବ୍ଦୀମାନଙ୍କରେ ଭାରତୀୟ ଲୋକଙ୍କ ମନରେ ଏକ ଧାରଣା ସୃଷ୍ଟି ହେବାକୁ ଲାଗିଲା ଯେ ଦେଶର ବ୍ୟାପାରରେ ସେମାନଙ୍କର କିଛି କରିବାର ନାହିଁ । ସେମାନେ କେବଳ ଶାସକମାନଙ୍କର ଆଶ୍ରିତ ପ୍ରଜା, ସିଏ ରଜା ହୁଅନ୍ତୁ ବା ନବାବ ହୁଅନ୍ତୁ । ଲୋକଙ୍କର ଏହି ଧାରଣାକୁ ଗାନ୍ଧିଜୀ ସତେ ଯେପରି ଯାଦୁବଳରେ ଧ୍ୱଂସ କରିଦେଲେ ଏବଂ ସାଧାରଣ ଜନତା ନିଜେ ନିଜର ସ୍ୱାଧୀନତା ହାସଲ କଲେ । କୌଣସି ରାଜା ବା ନବାବଙ୍କ ସେନାବାହିନୀ କି ଗଣ ଆନ୍ଦୋଳନଠାରୁ ବରାବର ଦୂରେଇ ରହୁଥିବା ଶିକ୍ଷିତଗୋଷ୍ଠୀ ଏହି ସ୍ୱାଧୀନତା ଆଣିଲେ ନାହିଁ ।

 

ଭାରତ ଇତିହାସର ବିଭିନ୍ନ ଘଟଣାବଳୀ ଏବଂ ଆମେ କେତେବେଳେ ଗାନ୍ଧିଜୀଙ୍କ ନିକଟକୁ ଗଲୁ, ସେକଥା ନିଜେ ନିଜେ ମନେ ପକାଇଲାବେଳେ ଆମ ଆଖିରୁ ଅଜାଣତରେ ଲୁହ ଧାର ଗଡ଼ି ଆସିଲା । ଅତି ଅଳ୍ପ ସମୟ ଭିତରେ କେବଳ ଗାନ୍ଧିଜୀ ହିଁ ଇତିହାସର ଗତି ବଦଳାଇ ଦେଇ ପାରିଲେ ।

 

ସହରର ପ୍ରତି ଘରେ ଘରେ ସେଦିନ ଉତ୍ସବ ଲାଗି ରହିଥିଲା ଏବଂ ଉତ୍ସବରେ ହିଁ ସେହି ଦିନଟି କଟିଗଲା । ସାଧାରଣ ଲୋକଙ୍କ ଆନନ୍ଦ ଉତ୍ସାହ ସେମାନଙ୍କ ଆଖି ଓ କଥାବାର୍ତ୍ତାରୁ ଜଣାପଡ଼ିଯାଉଥିଲା । ତାହା ଭାଷାରେ ବର୍ଣ୍ଣନା କରି ହେବନାହିଁ । ସେଦିନ ସନ୍ଧ୍ୟାରେ ସ୍ଥାନୀୟ ଏକ ଥିଏଟର୍‌ ହଲ୍‌ରେ ଗୋଟିଏ ଏକାଙ୍କିକା ନାଟକ ପ୍ରଦର୍ଶିତ ହେବାକୁ ଥାଏ । ନାଟକଟି ନାମ ହେଉଛି– ‘‘ଯୁଗେ ଯୁଗେ ଭାରତ’’ । ମୁଁ ଏବଂ ଶ୍ରୀ ସଚ୍ଚିନ ଦତ୍ତ ଏହି ନାଟକଟିର ପରିକଳ୍ପନା କରିଥିଲୁ; କିନ୍ତୁ ଭାଷା ଥିଲା ତାଙ୍କର । ଦର୍ଶକମାନଙ୍କଦ୍ୱାରା ପ୍ରେକ୍ଷାଳୟଟି ପୁରିଯାଇ ଥିଲା । ନାଟକ ଶେଷରେ ରାଜ୍ୟପାଳ ଓ ମୁଁ ଭାଷଣ ଦେବା କାର୍ଯ୍ୟକ୍ରମ ଥିଲା । ନାଟକଟିର ଶେଷ ଦୃଶ୍ୟରେ ଜଣେ ତେଜୀୟାନ୍‌ ଯୁବକ ଗ୍ରୀନ୍‌ ରୁମରୁ ରଙ୍ଗମଞ୍ଚକୁ ବାହାରି ଆସିଲା ଏବଂ ପଚାରିଲା– ଆପଣମାନେ ମତେ ଚିହ୍ନି ପାରୁଛନ୍ତି ? ମତେ ମନେ ରଖିଛନ୍ତି ? ଆପଣ ଏହା କରିବାର ଅବଶ୍ୟ ଆବଶ୍ୟକତା ନାହିଁ; କାରଣ ମୁଁ ଏହା ଆଦୌ ଆଶା କରିନଥିଲି । ପ୍ରତିଦାନରେ କିଛି ପାଇବାକୁ ଆଶା ନ ରଖି ମୁଁ ଫାଶୀ ଖୁଣ୍ଟରେ ଚଢ଼ିଥିଲି ଏବଂ ହସି ହସି ପ୍ରାଣବଳି ଦେଇଥିଲି । ମୁଁ ହେଉଛି ସେହି ଖୁଦୀରାମ । ଆପଣମାନେ ମୋତେ ମନେ ରଖିବାର କୌଣସି ଆବଶ୍ୟକତା ନାହଁ; କିନ୍ତୁ ଆଜିର ଏ ଆନନ୍ଦରେ ମୁଁ ମଧ୍ୟ ଭାଗୀଦାର ହେଉଛି, କାରଣ ମୋର ପ୍ରାଣପାତ ବ୍ୟର୍ଥ ହୋଇଯାଇନାହିଁ । ଯେଭଳି ଭାବେ ନାଟକରେ ଏଇ କେତେ ପଦ କଥା କୁହାଗଲା, ତାହା ମୋ ମନରେ ଗଭୀର ରେଖାପାତ କଲା ଏବଂ ସ୍ୱାଧୀନତା ପାଇଁ ଯେଉଁମାନେ ପ୍ରାଣବଳି ଦେଇ ଯାଇଛନ୍ତି, ସେମାନଙ୍କ କଥା ମୁଁ ଭାବିଲାବେଳକୁ ସ୍ୱତଃ ଲୁହଧାର ଗଡ଼ି ଆସିଲା । ସେଠାରେ ଅଧିକ ସମୟ ମୁଁ ବସି ପାରିଲି ନାହିଁ ଏବଂ ହଲ୍‌ ଛାଡ଼ି ଚାଲି ଆସିଲି । ସାରା ରାତି ‘‘ତୁମେ ମତେ ମନେ ରଖିଛ’’ ? ଏହି କେତୋଟି ଶବ୍ଦ ମୋ କାନ ପାଖରେ ପ୍ରତିଧ୍ୱନିତ ହେବାକୁ ଲାଗିଲା ଏବଂ ମୁଁ ନିଜକୁ ପଚାରୁଥିଲି, ‘‘ଆମେ ସେମାନଙ୍କୁ ମନେ ରଖିଛୁ ?’’ ତା’ ପରଦିନ ଆମେ ଦୁଃସ୍ଥ ରାଜନୈତିକ କର୍ମୀମାନଙ୍କୁ ଭତ୍ତା ଦେବା ନିମନ୍ତେ ଏକ ଯୋଜନା ପ୍ରସ୍ତୁତ କଲୁ ଏବଂ ଏହି ଯୋଜନା ତୁରନ୍ତ କାର୍ଯ୍ୟକାରୀ ହେଲା । କଟକଠାରେ ଶହୀଦ ହଲ୍‌ ନିର୍ମାଣ କରିବା ପାଇଁ ଆମେ ଟଙ୍କା ମଞ୍ଜୁର କଲୁ । ସେହି ହଲ୍‌ର କାନ୍ଥରେ ଯେଉଁ ସ୍ୱାଧୀନତା ସଂଗ୍ରାମୀମାନେ ପୋଲିସ ଗୁଳିରେ ନିହତ ହୋଇଛନ୍ତି; ଅଥବା ସଂଗ୍ରାମ କାଳରେ ପ୍ରାଣ ହରାଇଛନ୍ତି, ସେମାନଙ୍କର ନାମ ଖୋଦିତ ହେବା କଥା; କିନ୍ତୁ ସେମାନଙ୍କ ପାଇଁ କ’ଣ ଏହା ଯଥେଷ୍ଟ ?

 

ହଜାର ହଜାର ଲୋକ ନିଜର ‘କ୍ୟାରିଅର’କୁ ଜଳାଞ୍ଜଳି ଦେଇ ରାସ୍ତାର ଭିକ୍ଷୁକ ସାଜିବା ପଥ ବାଛିନେଲେ । ହଜାର ହଜାର ଲୋକ ନିଜର ସମସ୍ତ ସମ୍ପତ୍ତି ହରାଇଲେ ଏବଂ ଆନନ୍ଦରେ ସମସ୍ତ ନିନ୍ଦା ଅପମାନ ସହି ନେଲେ ।

 

କେବଳ ସ୍ୱାଧୀନତାର ସ୍ୱପ୍ନ ଦେଖି ଆନନ୍ଦିତ ହୋଇଥିବା ଯୋଗୁଁ ଶହ ଶହ ଲୋକଙ୍କୁ ଗୁଳି କରାଗଲା ଓ ଫାଶୀ ଦିଆଗଲା । ଯେଉଁ ବିଶାଳ ଜନତା ସ୍ୱାଧୀନତା ପାଇଁ ଆନନ୍ଦରେ ବିଭୋର ହୋଇ ଉଠିଥିଲେ ଏବଂ ନୂତନ ଯୁଗକୁ ସ୍ୱାଗତ କରିଥିଲେ, ସେ ସମସ୍ତେ କୌଣସି ପ୍ରକାର ରାଜନୈତିକ କ୍ୟାରିଅରରେ ଆଗ୍ରହୀ ନଥିଲେ । ସ୍ୱାଧୀନତା ହିଁ ସେମାନଙ୍କ ପକ୍ଷେ ଥିଲା ପୁରସ୍କାର....ଯାହାକି ଶେଷରେ ସେମାନେ ହାସଲ କରିଛନ୍ତି ବୋଲି ଭାବୁଥିଲେ । ରାଜ୍ୟର ଅତି ଦୂରବର୍ତ୍ତୀ ଗାଁ ଗଣ୍ଡାରେ ସ୍ୱତଃ ସ୍ୱାଧୀନତାର ଉତ୍ସବ ପାଳିତ ହେଉଥିବାର ଖବର ପହଞ୍ଚୁଥାଏ । ଲୋକମାନଙ୍କ ଆନନ୍ଦର କୌଣସି ସୀମା ନଥିଲା । ଆଧୁନିକ ଜୀବନ ଓ ସଭ୍ୟତାର ବହୁ ଦୂରରେ ଥିବା କୋରାପୁଟ ଜିଲ୍ଲାର ଆଦିବାସୀ ଲୋକେ ମଧ୍ୟ ଆନନ୍ଦରେ ମାତି ଉଠିଥିଲେ ଏବଂ ଗାନ୍ଧି ମହାରାଜ ସେମାନଙ୍କର ରାଜା ହେଲେ ଏବଂ ଅତି ଶୀଘ୍ର ସେମାନଙ୍କର ସମସ୍ତ ଦୁଃଖ ଦୁର୍ଦ୍ଦଶା ଦୂର ହେବ ବୋଲି ସେମାନେ କହୁଥିଲେ । କେବଳ ଆଦିବାସୀ କାହିଁକି ସାରା ଦେଶର ଲୋକେ ସେତେବେଳେ ସ୍ୱତଃ ଭାବୁଥିଲେ, ଅତୀତର ମସସ୍ତ ଦୁଃଖ ଦୁର୍ଦ୍ଦଶା ଏଣିକି ପୂର୍ବରାତ୍ରିର ଏକ ଦୁଃସ୍ୱପ୍ନ ଭଳି ମିଳେଇଯିବ ଏବଂ ଉଷାର ଆଗମନରେ ସୁଖ ଓ ସମୃଦ୍ଧି ବୃଦ୍ଧି ପାଇବ....ଯାହା କି ସଂଗ୍ରାମ କାଳରେ ସମସ୍ତଙ୍କର ସ୍ୱପ୍ନର ବସ୍ତୁ ଥିଲା ।

 

ସମସ୍ତେ ଆଶାର ପର୍ବତ ଗଢ଼ି ତୋଳିଲେ ଏବଂ ଆମେ ସମସ୍ତେ ଭାବିଲୁ ଆମେ କିଛି ହାସଲ କରିଛୁ । ମାତ୍ର ୨୫ ବର୍ଷ ପରେ ମୁଁ ଯେତେବେଳେ ପଛକୁ ଫେରି ଚାହୁଁଛି, ମୁଁ ନିଜକୁ ପଚାରୁଛି, ଲୋକଙ୍କର ଆଶା ଆକାଙ୍‌କ୍ଷାକୁ ଚରିତାର୍ଥ କରିବା ପାଇଁ ଯାହା କିଛି ସମ୍ଭବ ତାହା କ’ଣ ଆମେ କରିଛୁ ? ଅବଶ୍ୟ ସ୍ୱାଧୀନତା ନିଜେ ଏହାର ପୁରସ୍କାର; କିନ୍ତୁ ଚରମ ବ୍ୟର୍ଥତା ଓ ନୈରାଶ୍ୟ ଭିତରେ ଆତ୍ମପ୍ରତ୍ୟୟ ହରାଇ ସାରିଥିବା ଲକ୍ଷ ଜନତା ପାଇଁ ଏହି ସ୍ୱାଧୀନତା ସମ୍ପୂର୍ଣ୍ଣ ନିରର୍ଥକ । ସେମାନେ କଣ ଆତ୍ମପ୍ରତ୍ୟୟ ଫେରି ପାଇଲେଣି । ଏହି ଦେଶ ସେମାନଙ୍କର– ସେମାନେ ହିଁ ନିଜର ମୁନିବ ଏବଂ ନିଜ ଭାଗ୍ୟର ନିୟାମକ ଏକଥା କଣ ସେମାନେ ଭାବୁଛନ୍ତି ଗତ ୨୫ ବର୍ଷ ଭିତରେ ଯେଉଁ ସବୁ କାମ ହୋଇଛି ତାକୁ ଭିତ୍ତି କରି ଇତିହାସ ଯେଉଁ ରାୟ ଦେବ ତାହା ଉପରେ ଉକ୍ତ ପ୍ରଶ୍ନ ଗୁଡ଼ିକର ଉତ୍ତର ନିର୍ଭର କରେ । କିନ୍ତୁ ଏହାର ମାନଦଣ୍ଡ ହେଉଛି ଲୋକଙ୍କର ଆତ୍ମପ୍ରତ୍ୟୟ ଓ ସଂକଳ୍ପବଦ୍ଧତା, କାରଣ ସେମାନେ ସ୍ୱାଧୀନତା ହାସଲ କରିଛନ୍ତି ଏବଂ ସେମାନେ ହିଁ ସ୍ୱାଧୀନତାକୁ ରକ୍ଷାକରିବେ ।

Image

 

୪-୪-୭୪

ଗୁରୁବାର

ଭୂମି ବଣ୍ଟନ

 

ଅପ୍ରେଲ ପହିଲା ତାରିଖ ଦିନ ଶ୍ରୀମତୀ ଇନ୍ଦିରା ଗାନ୍ଧୀ ଓଡ଼ିଶା ସରକାରଙ୍କ ଭୂମି ବଣ୍ଟନ କାର୍ଯ୍ୟକ୍ରମ ଉଦ୍‌ଘାଟନ କଲେ । ତା’ପରେ ମନ୍ତ୍ରୀମାନେ ଚାରିଆଡ଼କୁ ଯାଇ ଭୂମି ବଣ୍ଟନ କରିବେ । ଉଦ୍‌ଘାଟନ ଉତ୍ସବରେ ଭୂଦାନ ନେତ୍ରୀ ଶ୍ରୀମତୀ ରମା ଦେବୀଙ୍କ ଉପସ୍ଥିତି ତାତ୍ପର୍ଯ୍ୟପୂର୍ଣ୍ଣ । କାରଣ ଭୂଦାନ ସମିତିରୁ କୁହାଯାଉଥିଲା ଯେ ଅପ୍ରେଲ ପହିଲା ଦିନ ସେମାନଙ୍କ ପକ୍ଷରୁ ମଧ୍ୟ ଭୂମି ବଣ୍ଟନ କରାଯିବ; କିନ୍ତୁ ସେମାନଙ୍କ ପକ୍ଷରୁ କେଉଁଠି କଅଣ ହୋଇଛି ଜଣାନାହିଁ । ସରକାରୀ ଭୂମି ବଣ୍ଟନ ଓ ବିନୋବାଜୀଙ୍କ ଭୂଦାନ ଏ ଦୁହିଁକୁ ମିଶାଇ ଦେବାର ଉଦ୍ୟମ ହେଉଛି ବୋଲି ଅନେକ ସନ୍ଦେହ ପ୍ରକାଶ କରୁଛନ୍ତି ।

ଏ ସମ୍ପର୍କରେଏତିକି ସ୍ପଷ୍ଟ ଭାବରେ ସମସ୍ତେ ଜାଣନ୍ତି ଯେ ଅପ୍ରେଲ ପହିଲା ଦିନ ଶ୍ରୀମତୀ ଗାନ୍ଧୀ ଯେଉଁ ଭୂମି ବଣ୍ଟନ ଉଦ୍‌ଘାଟନ କଲେ ତାହା ଭୂ-ସଂସ୍କାରଜନିତ ଭୂମି ବଣ୍ଟନ ନୁହେଁ-। ଭୂ-ସଂସ୍କାର ଆଇନ ପ୍ରବର୍ତ୍ତିତ ହୋଇଥିଲେ ମଧ୍ୟ ଏହା କାର୍ଯ୍ୟକାରୀ ହେବାକୁ ହେଲେ ଆହୁରି ପ୍ରାୟ ଦୁଇବର୍ଷ ଲାଗିବ । ଭୂସଂସ୍କାର ଆଇନବଳରେ ବଡ଼ ଚାଷୀଙ୍କ ଠାରୁ ଉଦ୍‌ବୃତ୍ତ ଜମି ଛଡ଼ାଇ ଛୋଟ ଚାଷୀ ବା ଭୂମିହୀନକୁ ଜମି ଦେବା ହେଉଛି ଭୂସଂସ୍କାରଜନିତ ଭୂମି ବଣ୍ଟନ । ତାହା ବର୍ତ୍ତମାନ ହୋଇନାହିଁ । ଆଜି ଯେଉଁ ଭୂମି ବଣ୍ଟନ କଥା କୁହାଯାଉଛି, ତାହା ହେଉଛି ଅନାବାଦୀ ଜମିକୁ ପଟ୍ଟା ଦେବା । ଅନାବାଦୀ ଜମିକୁ ବହୁ ସ୍ଥାନରେ ଲୋକେ ଦଖଲ କରି ଆସୁଛନ୍ତି । ସେମାନଙ୍କ ଉପରେ ମୋକଦ୍ଦମା ହୋଇ ଜରିମାନା ଆଦାୟ କରାହେଉଛି । ଏପରି ଯେଉଁଠି ହେଉଛି ତା’ର କାଗଜପତ୍ର ରାଜସ୍ୱ ବିଭାଗରେ ଅଛି । ଏହି ଜମିଗୁଡ଼ିକୁ ପଟ୍ଟା କରି ଦିଆଗଲେ ଜମି ଦଖଲ କରିଥିବା ଚାଷୀ ଜରିମାନାରୁ ରକ୍ଷା ପାଇଯାଆନ୍ତେ । କିନ୍ତୁ ସେଥିପ୍ରତି ଦୃଷ୍ଟି ଦିଆ ନହୋଇ ନୂଆ ନୂଆ ଅନାବାଦୀ ଜମି ପଟ୍ଟା ଦିଆହେବାର ବ୍ୟବସ୍ଥା ହୋଇଛି । ଅନାବାଦୀ ଜମିପଟ୍ଟା ଦେବା କିଛି ନୂତନ ନୁହେଁ । ଏ କାର୍ଯ୍ୟ ଧାରାବାହିକ ଭାବରେ ହୋଇଆସୁଛି । ଗାନ୍ଧୀ ଶତାବ୍ଦୀ ପାଳନ ବେଳେ ଏ କାର୍ଯ୍ୟକୁ ତ୍ୱରାନ୍ୱିତ କରାହୋଇଥିଲା । ପୁଣି ସ୍ୱାଧୀନତାର ରଜତ ଜୟନ୍ତୀ ଉପଲକ୍ଷେ ମଧ୍ୟ ଏ କାର୍ଯ୍ୟକୁ ତ୍ୱରାନ୍ୱିତ କରାହୋଇଥିଲା । ପ୍ରତିବର୍ଷ ତହସିଲଦାରମାନେ ଏ କାର୍ଯ୍ୟ କରୁଥିଲେ-। ଏ ବର୍ଷ ଯେ କାହିଁକି ଏହି ଧାରାବାହିକ କାର୍ଯ୍ୟକୁ ପ୍ରଧାନମନ୍ତ୍ରୀ ଉଦ୍‌ଘାଟନ କଲେ ଏବଂ ମନ୍ତ୍ରୀମାନେ ଚାରିଆଡ଼କୁ ଯାଇ ବିପୁଳ ପରିମାଣରେ ଗସ୍ତ ଖର୍ଚ୍ଚ କରି ଏହି ଧାରାବାହିକ କାର୍ଯ୍ୟଟି କରୁଛନ୍ତି ତାହା ଜଣାପଡ଼ୁ ନାହିଁ । ଯେଉଁମାନେ ଜମିପଟ୍ଟା ନେଉଛନ୍ତି ଓ ଅନ୍ୟ ଯେଉଁମାନଙ୍କ ପାଇଁ ପ୍ରଚାର କରାଯାଇଛି, ସେମାନେ ସମସ୍ତେ ଜାଣନ୍ତି ଯେ ଅନାବାଦୀ ଜମିପଟ୍ଟା ଦେବା ଏକ ସାଧାରଣ କାର୍ଯ୍ୟ ।

ତଥାପି ମନ୍ତ୍ରୀମାନଙ୍କର ଓ ରାଜସ୍ୱ ବିଭାଗର ଉଚ୍ଚପଦସ୍ଥ କର୍ମଚାରୀ ମାନଙ୍କର ମଧ୍ୟ ଏ ଦିଗରେ କର୍ତ୍ତବ୍ୟ ଅଛି । ୧୯୬୯ ସାଲରୁ ଆଜି ପର୍ଯ୍ୟନ୍ତ ଯେଉଁଠି ଯେଉଁମାନଙ୍କୁ ଅନାବାଦୀ ପଟ୍ଟା ଦିଆହୋଇଛି ସବୁଠି ସେମାନଙ୍କୁ ଜମି ଚିହ୍ନଟ କରି ଦିଆହୋଇ ନାହିଁ । ଆମ୍ଭେମାନେ ଜାଣୁଁ ଭୁବନେଶ୍ୱର ଅଞ୍ଚଳରେ ଗତ ପାଞ୍ଚ ବର୍ଷରେ ପ୍ରାୟ ଦୁଇ ହଜାର ଏକର ଜମିପଟ୍ଟା କରି ଦିଆହୋଇଛି-। କିନ୍ତୁ ସମସ୍ତଙ୍କୁ ଆଜି ସୁଦ୍ଧା ଜମି ଚିହ୍ନଟ କରି ଦିଆହୋଇ ନାହିଁ । ଏହିପରି ସର୍ବତ୍ର ହୋଇଛି-। କେବଳ ପଟ୍ଟା ଖଣ୍ଡିକ ଧରି ଲୋକେ ରହିଛନ୍ତି । ଧାରାବାହିକ କାର୍ଯ୍ୟଗୁଡ଼ିକ ଠିକ ଭାବରେ ହେଉଛି କି ନାହିଁ, ଏହା ଦେଖିବା ମନ୍ତ୍ରୀମାନଙ୍କ କାର୍ଯ୍ୟ । ଏଥିପାଇଁ ନୀରବ ପରିଶ୍ରମ ଆବଶ୍ୟକ-। ସମସ୍ତ କାର୍ଯ୍ୟକ୍ରମ କେବଳ ପ୍ରଚାର ପାଇଁ କରା ନହୋଇ ବାସ୍ତବିକ ଲୋକଙ୍କ ଉପକାର ପାଇଁ କରାହେଲେ ସରକାରଙ୍କୁ ସାଧୁବାଦ ସମସ୍ତେ ଜଣାଇବେ ।

Image

 

୬-୪-୭୪

ଶନିବାର

ଭୋଟ ସରିଲା; ଦର ବଢ଼ିଲା

 

ପ୍ରତ୍ୟେକ ନିର୍ବାଚନ ପରେ ପରେ ଜିନିଷପତ୍ରର ଦର ବଢ଼ିଯିବାର କି କାରଣ ତାହା ସ୍ପଷ୍ଟ ଭାବରେ ଆଜିସୁଦ୍ଧା ଜଣା ଯାଇନାହିଁ । ତଥାପି ଦର ଯେ ହୁ ହୁ ବଢ଼ିଛି ଏଥିରେ ସନ୍ଦେହ ନାହିଁ । କେତେକ ଜିନିଷର ଦର ଆପେ ଆପେ ବଢ଼ିଛି; ଆଉ କେତେକ ଜିନିଷର ଦର ସରକାର ବଢ଼ାଇ ଦେଉଛନ୍ତି । ନିର୍ବାଚନ ପରେ ଦେଶର ଆର୍ଥିକ ସ୍ଥିତିର ଚିତ୍ର ଏହି–

ସର୍ବନିମ୍ନ ଶ୍ରେଣୀ-ଲୁଣ ଦର କିଲୋ ଦଶଣା-ବାରଣା, କିରାସିନୀ ଦର ଲିଟର ଦୁଇ ଟଙ୍କାରୁ ତିନିଟଙ୍କା । ମୋଟା ଲୁଗା ଦର ଦୁଇଗୁଣ ବଢ଼ାଇ ଦିଆହୋଇଛି । ଚାଉଳ ଦର କିଲୋ ଟ ୨ରୁ ଟ ୩-୦୦ ମୂଲ୍ୟ ବୃଦ୍ଧି ଯୋଗେ ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କ ପକ୍ଷରେ ଚଳିବା କଷ୍ଟକର ହେବାରୁ ସେମାନେ ଯେଉଁମାନଙ୍କୁ ମୂଲ-ମଜୁରୀ ବାବଦକୁ ଘରେ କାମରେ ଲଗାଉଥିଲେ ସେମାନଙ୍କୁ ବର୍ତ୍ତମାନ ବାହାର କରି ଦିଆହେଉଛି । ଗାଁରେ ମୂଲ ମଜୁରୀ ମିଳୁନାହିଁ । ମିଳିଲେ ମଧ୍ୟ ଦିନକ ମଜୁରୀରେ ଗୋଟିଏ କିଲୋ ଚାଉଳ ସୁଦ୍ଧା ହେଉନାହିଁ ।

ମଧ୍ୟବର୍ତ୍ତୀ ଶ୍ରେଣୀ– ସର୍ବନିମ୍ନ ଶ୍ରେଣୀର ଯାହା ଆବଶ୍ୟକ ମଧ୍ୟବିତ୍ତ ଶ୍ରେଣୀର ମଧ୍ୟ ସେହିସବୁ ଆବଶ୍ୟକ । ତା’ ଛଡ଼ା ମଧ୍ୟବିତ୍ତ ଶ୍ରେଣୀର ପିଲା-ପିଲିଙ୍କ ପାଠପଢ଼ା ଖର୍ଚ୍ଚ । କାଗଜ ଦର ବର୍ତ୍ତମାନ ତିନିଗୁଣ ବଢ଼ିଯାଇଛି । ତଦନୁପାତରେ ବହି ଦର ମଧ୍ୟ ବଢ଼ିଯାଇଛି । ପରୀକ୍ଷା ଫିସ୍‌ ଓ ସ୍କୁଲ କଲେଜ ଦରମା ମଧ୍ୟ ବଢ଼ିଯାଇଛି । ରୋଗ ବ୍ୟାଧିରେ ଏ ଶ୍ରେଣୀର ଖର୍ଚ୍ଚ ମଧ୍ୟ ଅଛି । ଔଷଧ ଦର ବଢ଼ିଯାଇଛି । ଡାକ୍ତରଙ୍କ ଫିସ୍‌ ମଧ୍ୟ ବଢ଼ିଯାଇଛି । ଆୟ ଦିଗରୁ ବିଚାର କଲେ ଚାଷୀଙ୍କର ଆୟ ଉପରକୁ ବଢ଼ିଲା ପରି ଜଣାଯାଉଛି । କାରଣ ସରକାର ଧାନ ଚାଉଳ ଓ ଗହମ ଦର ବଢ଼ାଇ ଦେଇଛନ୍ତି । କିନ୍ତୁ ଅନ୍ୟ ଦିଗରେ ଜଳକର ବଢ଼ାଇ ଦିଆଯାଇଛି । ସାର ଦର ପ୍ରାୟ ଦୁଇଗୁଣ ବଢ଼ିଛି– ଅଧିକାଂଶ ଅଞ୍ଚଳରେ ଡାଳୁଅ ଚାଷ ହୋଇପାରେ ନାହିଁ । ଏସବୁ ଅଞ୍ଚଳର ଚାଷୀ ଖରିଫ ଅମଳରୁ ଯାହା ପାଇଥିଲେ ତାହା ବିକ୍ରି କରି ଦେଇ ସାରିଛନ୍ତି । ବର୍ତ୍ତମାନ ସେମାନେ ହାଟ ବଜାରରୁ ଧାନ ଚାଉଳ କିଣି ଚଳିବେ । ଏମାନେ ଯେଉଁ ଦରରେ ଧାନ ଚାଉଳ ବିକିଥିଲେ ତା’ଠାରୁ ଆହୁରି ବେଶୀ ଦରରେ ବର୍ତ୍ତମାନ ନିଜ ଚଳିବା ପାଇଁ ଧାନ ଚାଉଳ କିଣିବେ; କାରଣ ସରକାର ଚୈତ୍ର ବୈଶାଖରେ ଧାନ, ଚାଉଳ ଦର ବଢ଼ାଇ ଦେଇଛନ୍ତି । ଯେଉଁମାନେ ଚାକିରି କରିଛନ୍ତି ସେମାନେ ଦରମା ବଢ଼ିବା ପାଇଁ ଆନ୍ଦୋଳନ କରୁଛନ୍ତି । ଦରମା କିଛି ବଢ଼ିଲେ ମଧ୍ୟ ତତ୍‌ପୂର୍ବରୁ ଜିନିଷପତ୍ରର ଦର ଏପରି ବଢ଼ିଛି ଓ ବଢ଼ାଇ ଦିଆହୋଇଛି ଯେ ଦରମା ବଢ଼ିବା ନ ବଢ଼ିବା ସଙ୍ଗେ ସମାନ ହୋଇଯିବ ।

ଉପର ଶ୍ରେଣୀ– ଝଡ଼ ବତାସରେ ବାୟା ଚଢ଼େଇର ଯେପରି କିଛି କ୍ଷତି ହୁଏନାହିଁ, ସେହିପରି ଯେତେ ମୂଲ୍ୟବୃଦ୍ଧି ହେଲେ ମଧ୍ୟ ଏମାନଙ୍କୁ ତାହା ବାଧୁନାହିଁ । ଏମାନଙ୍କ ଶିଳ୍ପ ବିସ୍ତାର ପାଇଁ, ସରକାରଙ୍କ ପକ୍ଷରୁ ସବୁପ୍ରକାର ସାହାଯ୍ୟ କରାଇ ଦିଆହେଉଛି ଓ ଆହୁରି ସାହାଯ୍ୟ କରାଇ ଦିଆଯିବାର ପ୍ରତିଶ୍ରୁତି ଦିଆହେଉଛି । କାରଣ ଶିଳ୍ପ ବିସ୍ତାର ହେଉଛି ବର୍ତ୍ତମାନ ସରକାରୀ ନୀତି ।

ଶ୍ରମିକ ଶ୍ରେଣୀ– ସରକାରୀ ହେଉ ବା ବେସରକାରୀ ହେଉ କଳକାରଖାନାରେ ଶ୍ରମିକ ଆନ୍ଦୋଳନ ଲାଗି ରହିଛି । ସରକାରୀ ଶିଳ୍ପ ପ୍ରତିଷ୍ଠାନମାନଙ୍କରେ ଧର୍ମଘଟ ଓ ଆନ୍ଦୋଳନ ବେଶି । ମୂଲ୍ୟ ବୃଦ୍ଧି ଓ ଶାସନରେ ବିଶୃଙ୍ଖଳା ଏଥିପାଇଁ ଦାୟୀ ହେଲେ ମଧ୍ୟ ଏହାର ଦାୟିତ୍ୱକୁ ବିରୋଧଦଳ ଉପରେ ଲଦି ଦିଆ ହେଉଛି ।

ଏହି ପରିସ୍ଥିତିରେ ଅବସ୍ଥାର ପରିବର୍ତ୍ତନ ପାଇଁ ସର୍ବନିମ୍ନ ଶ୍ରେଣୀ, ମଧ୍ୟବିତ୍ତ ଶ୍ରେଣୀ ଓ ଶ୍ରମିକ ଶ୍ରେଣୀ ନିଶ୍ଚିତ ଭାବରେ ଚାହିଁବେ ଓ ଆନ୍ଦୋଳନ କରିବେ । ଆନ୍ଦୋଳନକୁ ସଶସ୍ତ୍ର ବାହିନୀଦ୍ୱାରା ଚପାଇବାର ଉଦ୍ୟମ ହେଉଛି । ଲୋକେ ହିଂସାଚରଣ କରୁଛନ୍ତି ବୋଲି ଅହିଂସାର ବାଣୀ ପ୍ରଚାରିତ ହେଉଛି ସଶସ୍ତ୍ର ବାହିନୀର ପରିଚାଳକଙ୍କ ପକ୍ଷରୁ । ଏ ସମ୍ବନ୍ଧରେ ଗାନ୍ଧିଜୀ ଏକ ଉଦାହରଣ ଦେଇଥିଲେ । ବିରାଡ଼ି ମୂଷାକୁ ଧରିବାର ଉଦ୍ୟମ କରୁଚି । ମୂଷା ଛଟପଟ ହୋଇ ପଳାଇବ ବୋଲି ବସିଛି । ଏହି ସଂଘର୍ଷରେ ମୂଷାର ନଖ ବିରାଡ଼ି ଦେହରେ ବାଜିଗଲା । ହିଂସା ଆଚରଣ କରୁଚି ବୋଲି ମୂଷାକୁ ଦୋଷଦେବା ଓ ମୂଷାକୁ ଅହିଂସା ହେବା ପାଇଁ ଉପଦେଶ ଦେବା ଯେପରି ହାସ୍ୟାସ୍ପଦ ସେହିପରି ସଶସ୍ତ୍ର ବାହିନୀର ପରିଚାଳକଙ୍କ ପକ୍ଷରେ ନିରସ୍ତ୍ର ଜନତାକୁ ଅହିଂସା ରହିବା ପାଇଁ ଉପଦେଶ ଦେବା ହାସ୍ୟାସ୍ପଦ ।’

ବାସ୍ତବିକ ଦେଶରେ ଏକ ଘୋର ସଂକଟର ସମୟ ଚାଲିଛି । କେବଳ ଅର୍ଥନୈତିକ ସଂକଟ ନୁହେଁ । ନିର୍ବାଚନକୁ ଆଣି ଯେପରି ଏକ ପ୍ରହସନରେ ପରିଣତି କରିଦିଆ ହେଲାଣି, ସେଥିରେ ରାଜନୈତିକ ସଂକଟ ଅନିବାର୍ଯ୍ୟ । ଏହାଛଡ଼ା ଆଦର୍ଶଗତ ସଂକଟ ମଧ୍ୟ ଅବସ୍ଥାକୁ ଆହୁରି ଜଟିଳ କରୁଛି । ଆଦର୍ଶଗତ ସଂକଟର ପ୍ରତ୍ୟକ୍ଷ ନମୁନା ହେଉଛି ବିନୋବାଜୀଙ୍କ ଦର୍ଶନର ଭୂଦାନକୁ ଆଣି ସରକାରଙ୍କ ଗତାନୁଗତିକ ଅନାବାଦୀ ଜମି ପଟ୍ଟା ଦେବାରେ ପହୁଞ୍ଚାଇଦେବା । ଦେଶରେ ଯେଉଁ ପରମ୍ପରାଗତ ଆତ୍ମିକ ଶକ୍ତି ଅଛି ଓ ଯେଉଁ ଶକ୍ତିକୁ ମହାତ୍ମାଗାନ୍ଧି ଉଦ୍‍ବୁଦ୍ଧ କରାଇଥିଲେ, ସେହି ଶକ୍ତି ସବୁ ସଙ୍କଟରୁ ଉଦ୍ଧାର କରିବ ବୋଲି ବିଶ୍ୱାସ କରାଯାଉଛି ।

Image